ଲୌହ ଶୃଙ୍ଖଳରେ ରୋଗୀ!

ଲୌହ ଶୃଙ୍ଖଳରେ ରୋଗୀ!

Share :

  ପୁରୀ ମୁଖ୍ୟ ଚିକିତ୍ସାଳୟରେ ଜଣେ ମାନସିକ ରୋଗୀଙ୍କୁ ଲୁହା ଚେନ‌୍‍ ବନ୍ଧା ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ଓ ପରେ ସେ ନିଖୋଜ ହୋଇଯିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ଭଳି ଅବସ୍ଥାରେ ରେଳବାଇ ପୁଲିସ‌୍‍ ରୋଗୀର ହାତ ଗୋଡ ବନ୍ଧା ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କଲା, ସେଠାରେ ତାଙ୍କର ବେଡି ଖୋଲା ନ ଯାଇ କିଭଳି ଚିକିତ୍ସା ହେଲା ଓ ଦିନକ ପରେ ରୋଗୀ ଜଣକ ଡାକ୍ତରଖାନାରୁ କିଭଳି ନିଖୋଜ ହେଲେ, ଏସବୁର ବିଧିବଧ ତଦନ୍ତ କରି ତିନି ସପ୍ତାହରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ରେଳବାଇ ପୁଲିସ‌୍‍ ଏସ‌୍‍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରି ଜଣାଇଥିଲେ ଯେ,  ଗତ ୨୦ ସେପ୍ଟମ୍ୱରରେ ରାତି ପ୍ରାୟ ୮ଟା ସମୟରେ ପୁରୀ ରେଳବାଇ ପୁଲିସ‌୍‍ ଜଣେ ମାନସିକ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରିଥିଲେ। ଏହି ଅଜଣା ବ୍ୟକ୍ତିଜଣଙ୍କର ବୟସ ୩୨ ପାଖାପାଖି ହେବ। ତାଙ୍କ ହାତ ଓ ଗୋଡରେ ଏକ ଲୁହା ଚେନ‌୍‍ ବନ୍ଧା ହୋଇଥିଲା। ଡାକ୍ତରଖାନାରେ ସେହିଭଳି ଅବସ୍ଥାରେ ତାଙ୍କୁ ଛାଡି ରେଳବାଇ ପୁଲିସ‌୍‍ ଚାଲିଯାଇଥିଲା।   ଡାକ୍ତରଖାନା ବର୍ହିବିଭାଗରେ ଥିବା ସିକ୍ୟୁରିଟି ରେଜିଷ୍ଟରରେ ପଂଜିକରଣ ସଂଖ୍ୟା ୩୩୦୦ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଥିରେ ମଧ୍ୟ ଉଲ୍ଲେଖ କରାଯାଇଥିଲା କି ଏହି ରୋଗୀଙ୍କ ଗୋଡରେ ବେଡି ପଡିଛି। ତାଙ୍କୁ ଇନଡୋର ପେସେଣ୍ଟ ଭାବେ ମଧ୍ୟ ଭର୍ତି କରାଯାଇଥିଲା। କିନ୍ତୁ ତାଙ୍କ ଦେହରୁ ଲୁହା ଚେନ‌୍‍ ଖୋଲିବା ଲାଗି ଉଦ୍ୟମ ମଧ୍ୟ କରିନଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ।   ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଡାକ୍ତରଖାନାରେ ଭର୍ତ୍ତି ହେବାର ପରଦିନଠାରୁ ସେ ନିଖୋଜ ଅଛନ୍ତି। ଫଳରେ ଡାକ୍ତରଖାନାରେ ନିୟୋଜିତ ହୋଇଥିବା ସିକ୍ୟୁରିଟ‌୍‍ ଗାର୍ଡ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି। ଆବେଦନକରୀ କମିଶନଙ୍କୁ ଦର୍ଶାଇଥିଲେ ଯେ, ମାନସିକ ରୋଗୀମାନଙ୍କ ଚିକିତ୍ସାରେ ସମୟରେ ସେମାନଙ୍କ ସହ କୌଣସି ଅମାନବୀୟ ବ୍ୟବହାର କରାଯାଇପାରିବ ନାହିଁ କିମ୍ୱା ତାଙ୍କୁ ଲୁହା ଚେନ୍‌ରେ ବନ୍ଧା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି।   ରାଜ୍ୟର ସରକାରୀ ଓ ବେସରକାରୀ ହସ୍ପିଟାଲ‌୍‍ରେ ମାନସିକ ରୋଗୀଙ୍କୁ ଲୁହା ଚେନ‌୍‍ରେ ବନ୍ଧା ଯାଉନାହିଁ ବୋଲି ଲିଖିତ ଆକାରରେ ଦେବା ଲାଗି ମଧ୍ୟ ଜାତୀୟ ମାନବାଧିକାର କମିଶନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମାନବାଧିକାର ଓ ମାନସିକ ସ୍ୱାସ୍ଥ୍ୟ ଆଇନ, ୧୯୮୭ ଅନୁସାରେ ମଧ୍ୟ ମାନସିକ ରୋଗୀଙ୍କୁ ଲୁହାଚେନ‌୍‍ ବାନ୍ଧିବା ପାଇଁ ବାରଣ କରାଯାଇଛି। କିନ୍ତୁ ଏସବୁ ନିର୍ଦ୍ଦେଶନାମାକୁ ରେଳବାଇ ପୁଲିସ‌୍‍ ଓ ଡାକ୍ତରଖାନା କର୍ତୁପକ୍ଷ ଖୋଲାଖୋଲି ଉଲଂଘନ କରିଛନ୍ତି।   ଏଭଳି ଗୁରୁତର ମାନବାଧିକାର ଉଲଂଘନ ମାମଲାରେ ହସ୍ତକ୍ଷେପ କରିବା ଲାଗି କମିଶନଙ୍କୁ ଶ୍ରୀ ଅଖଣ୍ଡ ଅନୁରୋଧ କରିଥିଲେ। କମିଶନ ଏହାର ବିଚାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ରେଳବାଇ ପୁଲିସ‌୍‍ ଏସ‌୍‍.ପି.ଙ୍କୁ ନୋଟିସ‌୍‍ ଜାରି କରିଛନ୍ତି। ଏହାର ତଦନ୍ତ କରି ତିନି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share :