ସରକାର କୁଣ୍ଡା ବି ଖାଆନ୍ତି!

ସରକାର କୁଣ୍ଡା ବି ଖାଆନ୍ତି!

Share :

ଦେବେନ୍ଦ୍ର ପୃଷ୍ଟି   କେତେ ଜଣ ଚାଷୀଙ୍କ ପାଖରେ  ବିକିବା ପାଇଁ ଥିଲା ୮୫୧ ଟନ ଧାନ। ସରକାର ସେମାନଙ୍କଠାରୁ କିଣିଲେ ୯୪୭ ଟନ।   ଏ ନବୀନ ପଟ୍ଟନାୟକ ସରକାରର ନୂଆ ଗଣିତ। ଏହାକୁ ସେ ଓ ତାଙ୍କ ଚେଲାଚାମୁଣ୍ଡାମାନେ ସ୍ବଚ୍ଛତାର ପରିଭାଷା ବୋଲି ୧୬ ବର୍ଷ ହେଲା ପ୍ରଚାର ଚଳାଇଛନ୍ତି। ଲୋକେ ବି ମେଣ୍ଢାମୁଣ୍ଡରେ ଯାହା ବୁଝିବା କଥା ବୁଝି ଭୋଟ ଅଜାଡ଼ି ଦେଇଛନ୍ତି।   ଏ ଗଣିତ କିନ୍ତୁ ଭାରତର ମହା ଲେଖାନିୟନ୍ତ୍ରକ ଓ ସମୀକ୍ଷକ ବା କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ମୁଣ୍ଡରେ ଢୁକି ନାହିଁ। ଏଇ ପେସାଦାର ସମୀକ୍ଷକମାନେ ରିପୋର୍ଟ ଦେଇଛନ୍ତି ଏହା ଦୁର୍ନୀତି। ରାଜ୍ୟ ବିଧାନସଭାରେ ୨୬.୯.୨୦୧୬ ତାରିଖରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହି ତଥ୍ୟ ରହିଛି।   କେବଳ ଏତିକି ନୁହେଁ, ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ ନବୀନ ସରକାରଙ୍କ ଚମତ୍କାରିତା ଯୋଗୁଁ ବିଲ୍‌କୁଲ୍‌ ଯେଉଁମାନଙ୍କର ଜମି ନାହିଁ,  ସରକାରୀ ରେକର୍ଡ଼ରେ ଭୂମିହୀନ ଭାବେ ଚିହ୍ନିତ, ସେମାନଙ୍କଠାରୁ ମଧ୍ୟ ୧୯୧ ଟନ ଧାନ କିଣା ଯାଇଛି। ସେ ଧାନସବୁ କେଉଁଠି ଫଳିଥିଲା କେଜାଣି? ନବୀନ ନିବାସ ଛାତରେ ନା ଭୂମିହୀନଙ୍କ ଚାଳଛପର ପିଢ଼ାରେ?   ମିଲରମାନେ ବର୍ଷବର୍ଷ ଧରି ଧାନ ନେଇ ଚାଉଳ ଦେଉ ନଥିଲେ ମଧ୍ୟ ସରକାରୀ ପ୍ରୀତିରୁ ବଂଚିତ ହୋଇ ନାହାନ୍ତି। ପ୍ରେମିକା ପ୍ରୀତି ବାହାନାରେ ଯେତେ ଲୁଟ୍‌ କଲେ ବି ପ୍ରେମିକ ଯେମିତି ସ୍ତ୍ରୀକୁ ବରଂ ଛାଡ଼ପତ୍ର ଦିଏ, ପ୍ରେମିକାକୁ ନୁହେଁ, ଏ ସଂପର୍କ ଠିକ ସେଇଭଳି। ସରକାରଙ୍କୁ ଠକିଥିବା ମିଲରଙ୍କ ତାଲିକା ସରକାରଙ୍କ ପାଖରେ ଅଛି। ତା’ ସତ୍ତ୍ବେ ସେମାନଙ୍କୁ ବର୍ଷବର୍ଷ ପରେ ବର୍ଷ ଧାନ କିଣିବା ଦାୟିତ୍ବ ଦିଆଯାଉଛି। ଧାନର ମାନ ପରୀକ୍ଷା କରିବାକୁ ସରକାର ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାଳବଳି ଧାର୍ଯ୍ୟ ନକରି ଏ ଦାୟିତ୍ବ ମିଲରଙ୍କ ଉପରେ ଛାଡ଼ି ଦେଇଛନ୍ତି। ସେମାନେ ଚାଷୀଙ୍କଠାରୁ କୁଇଣ୍ଟାଲେ କିଣିଲେ ମାନ ଖରାପ କହି ୩-୪ କେଜିର ଟଙ୍କା କାଟି ରଖିଲେ। କିନ୍ତୁ ସରକାରଙ୍କୁ ହିସାବ ଦେଲେ ପୂରା କୁଇଣ୍ଟାଲେର ଉତ୍ତମ ମାନର ଧାନ। ଏଇ କାରସାଦିରେ ମିଲରମାନ ୨୦୧୩-୧୫ ଦୁଇ ବର୍ଷ ଭିତରେ ପ୍ରାୟ ୩୦୫ କୋଟି ଟଙ୍କାର ଫାଇଦା ପାଇଛନ୍ତି। ଏଥିରୁ ବିଜୁ ଜନତା ଦଳର ନେତା ଓ ତାଙ୍କ ବୋଲକରା ବାବୁମାନଙ୍କ ପକେଟକୁ କେତେ ଯାଇଥିବ ତାହା କେବଳ ଅନୁମାନର କଥା। ସର୍ବନିମ୍ନ ଦଶ ପ୍ରତିଶତ କମିଶନ କାରବାର ହୋଇଥିଲେ ବି ଦି’ ବର୍ଷରେ ୩୦ କୋଟି !   ନବୀନ ସରକାର ଓ ମିଲରଙ୍କ ମଧ୍ୟରେ ଅନ୍ୟ ଏକ ଚୋରାପ୍ରୀତି ଧରିଛନ୍ତି ସିଏଜି। ଅନ୍ୟୁନ ୨୦ ଧାନ ମିଲ ସରକାରଙ୍କୁ ଚାଉଳ ଦେବାରେ ଜାଲିଆତି କରିଛନ୍ତି। ସରକାରୀ ନେତା ଓ ବାବୁମାନଙ୍କ ପରୋକ୍ଷ ସହଯୋଗରେ ସେମାନେ ପ୍ରାୟ ୧୧,୨୪୩ ଟନ ଚାଉଳ ଦେଇଛନ୍ତି ବୋଲି କହି ଦେଇ ନାହାନ୍ତି। ଏ ବାବଦରେ ସରକାର ହରେଇଛନ୍ତି ୪୧ କୋଟି ଟଙ୍କା। ସମିତି ଜରିଆରେ ବି ସରକାର ଧାନ କିଣନ୍ତି। ଏହି ଧାନକୁ ପୁଣି ଚାଉଳ କରିବାକୁ ମିଲ୍‌କୁ ପଠାଯାଏ। ସେ ବାବଦରେ ମିଲ୍‌ମାନେ ପରିବହନ ଓ ମିଲିଂ ଖର୍ଚ୍ଚ ନେଇଥାନ୍ତି। ସମିତି ପାଖରେ ମିଲ୍‌ ଥିଲେ ବି ସରକାରଙ୍କଠାରୁ ପରିବହନ ଖର୍ଚ୍ଚ ଅଧିକ ନେବା ପାଇଁ କେତେକ କ୍ଷେତ୍ରରେ ୧୮୫ କିଲୋମିଟର ଦୂର ମିଲ୍‌କୁ ଧାନ ପଠାଇଯାଇଛି। ମିଲରଙ୍କୁ ଚାଉଳ କରିବାକୁ ଧାନ ଦେବାକୁ ସରକାର ବାଧ୍ୟ ନୁହନ୍ତି। ସେଥିପାଇଁ ନିଜେ ବି କଳ ବସାଇପାରନ୍ତେ। ତେବେ ମିଲରଙ୍କ ଚାପରେ ପଡ଼ି ନିମୟ କରାଯାଇଛି ପ୍ରତି ମିଲରକୁ ୫.୭୫ ଲକ୍ଷ ଟନ୍ ଧାନ ଚାଉଳ କରିବାକୁ ଦେବେ। ସ୍ଥଳ ବିଶେଷରେ ୯ ଲକ୍ଷ ଟନ୍‌ରୁ ବି ଅଧିକ ଧାନ ଦିଆଯାଇଛି। ମିଲର ଯେତେ ଅଧିକ ଧାନ ନେବେ ଚାଉଳ କରିବାକୁ ସେତେ ଅଧିକ ପରିବହନ ଓ ମିଲିଂ ଚାର୍ଜ ପାଇବେ। ସେତେ ଅଧିକ କୁଣ୍ଡା ପାଇବେ ମାହାଳିଆ। ଏହା ପରେ ବି ଯେତିକି ଧାନକୁ ସେତିକି ଚାଉଳ ପଇଠ ନକଲେ କିଏ ଧରୁଛି କି? ମନ୍ତ୍ରୀ ତାଙ୍କ ମାମୁଁପୁଅ ଭାଇ!   ଏ ପରମ୍ପରା ଏବେକାର ନୁହେଁ। ଚାଷୀଙ୍କୁ ସହାୟ ହେବା ଆଳରେ ଚାଲିଥିବା ଧାନ ସଂଗ୍ରହ କାରବାର ବାସ୍ତବରେ ଏକ ଦୁର୍ନୀତି। ଏଥିରେ ଚାଷୀଙ୍କ ଅପେକ୍ଷା ମିଲର, ପରିବହନ ଠିକାଦାର, ଯୋଗାଣ ବିଭାଗ କର୍ମଚାରୀ, ଡିଲର ଓ ରାଜନୀତିକ କର୍ମୀ ଓ ନେତାମାନେ ଅନୈତିକ ଫାଇଦା ପାଆନ୍ତି। ୨୦୦୮ ମସିହାରେ ନୂଆପଡ଼ା ଜିଲ୍ଲାରେ ଏମିତି ଏକ ଦୁର୍ନୀତି ଧରା ପଡ଼ିଥିଲା। ସେ ବର୍ଷ ନୂଆପଡ଼ା ଜିଲ୍ଲାରେ ମରୁଡ଼ି ପଡ଼ିଥିଲା। ଅଧିକାଂଶ ଧାନକ୍ଷେତ ଉଜୁଡ଼ି ଯାଇଥିଲା। ଲୋକେ ଅଧିକ ସଂଖ୍ୟାରେ ଦାଦନ ଖଟି ବାହାରକୁ ପଳାଇଥିଲେ। ସରକାର କିନ୍ତୁ ସେ ବର୍ଷ ସେହି ଜିଲ୍ଲାରୁ ୭୭ ହଜାର ଟନ୍‌ ଧାନ ସଂଗ୍ରହ କରିଥିଲେ। ଏହା ଦେଖି ଜଣେ ସଚେତନ ସାମାଜିକ କର୍ମୀ ସୂଚନା ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ତଥ୍ୟ ପାଇବା ପରେ ଜଣାପଡ଼ିଲା ଯେ ଧାନ ବିକିଥିବା ଚାଷୀଙ୍କ ତାଲିକାରେ ୫୦ ଭାଗ ନାଁ ଭୁଲ। ମାନେ ସେଇ ନାଁରେ ଚାଷୀ ନଥିଲେ। ଆଉ କେତେକ ନାଁର ଲୋକଙ୍କୁ ଖୋଜିବାରୁ ଦେଖାଗଲା ସେମାନଙ୍କର ଗୁଣ୍ଠେ କି ବିଶ୍ବାଏ ଜମି ନାହିଁ। ଅଥଚ ସେମାନଙ୍କଠାରୁ ସରକାର ଧାନ କିଣିଛନ୍ତି!   କଥାଟା ପର୍ଦ୍ଦାଫାସ ହେବାରୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଲେ। ତଦନ୍ତରୁ ଆହୁରି ସାଙ୍ଘାତିକ କଥା ବାହାରିଲା। ଧାନ କିଣା ନଯାଇ ଖାତାପତ୍ରରେ ହିସାବ ଦିଆଯାଇଛି ଆଉ ଟଙ୍କା ଦିଆଯାଇଛି। ତେବେ ମିଲରମାନେ ୪୬ ହଜାର କୁଇଣ୍ଟାଲ ଲେଭି ଚାଉଳ ସରକାରଙ୍କୁ ଦେଇ ମିଲିଂ ଓ ପରିବହନ ଖର୍ଚ୍ଚ ଇତ୍ୟାଦି ନେଇଛନ୍ତି। ମୂଳରୁ ତ ଧାନ କିଣା ଜାଲ୍‌ ଅର୍ଥାତ ବାସ୍ତବରେ ଧାନ ନାହିଁ, କିନ୍ତୁ ପାଉଣା ଦିଆଯାଇଛି। ତେବେ ଚାଉଳ କେଉଁଠୁ ଆସିଲା? ସରକାରୀ କାଗଜରୁ କ’ଣ ଚାଉଳ ବାହାରେ କି?   ଆଉ ଟିକେ ଖୋଳତାଡ଼ରୁ ଜଣାପଡ଼ିଲା ଯେ ସରକାରଙ୍କ ବିପିଏଲ ଏପିଏଲ କାର୍ଡ଼ରୁ ଅଧେ ଜାଲ୍‌। ସେସବୁ କାର୍ଡ଼ରେ ବଣ୍ଟନ କରାଯାଇଥିବା ଦି’ ଟଙ୍କିଆ ଚାଉଳ ଡିଲର ଓ ଷ୍ଟୋରେଜ ଏଜେଣ୍ଟଙ୍କ ଜରିଆରେ ମିଲରଙ୍କ ପାଖକୁ ଫେରି ପୁଣି ସରକାରଙ୍କ ଗୋଦାମକୁ ଯାଇଛି। ପ୍ରତିବର୍ଷ ଏମିତି ବିପିଏଲ ଚାଉଲର ରିସାଇକ୍ଲିଂ ଚାଲିଛି ଓ ପ୍ରତିବର୍ଷ ଏଇ ଦୁର୍ନୀତି ବାଟରେ ହଜାର ହଜାର କୋଟି ଟଙ୍କା  ହଡ଼ପ କରାଯାଉଛି।   ୨୦୧୧ ମସିହାରେ ସରକାର ଓ ମିଲରଙ୍କ ମଧ୍ୟରେ ବହୁ ବର୍ଷରୁ ଚାଲି ଆସୁଥିବା ଚୋରା ପ୍ରୀତିର ଅନ୍ୟ ଏକ ସଂଘାଥିକ ନମୂନା ଲୋକଲୋଚନକୁ ଆଣିଥିଲେ ଗୌରୀ ଶଙ୍କର ଜୈନ ନାମକ ଜଣେ ସାମାଜିକ କର୍ମୀ। ସେ ତାଙ୍କେ ଆକଳନ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣେଇଥିଲେ। ପ୍ରଧାନମନ୍ତ୍ରୀ ତା’ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ତଦନ୍ତକୁ ରାଜ୍ୟଗୁଡ଼ିକ ଠିକ ଢଙ୍ଗରେ କଲେ ନାହିଁ କି ଦୁର୍ନୀତି ରୋକିଲେ ନାହିଁ।   କଥା ହେଲା ସରକାର ମିଲ୍‌କୁ ଦେଉଥିବା ପ୍ରତି ୧୦୦ କିଲୋ ଧାନ ବାବଦରେ ୬୮ କିଲୋ ଚାଉଳ ନିଅନ୍ତି। ଏହାକୁ ଲେଭି ଚାଉଳ କୁହାଯାଏ। ଏଇ ଧାନକୁ ସରକାରୀ ଗୋଦାମରୁ ମିଲ୍‌ ଯାଏଁ ନେବା ବାବଦରେ ମିଲରମାନେ ପରିବହନ ଚାର୍ଜ ନେଇଥାନ୍ତି। ଏହାକୁ ପୁଣି ମିଲିଂ କରିବାକୁ ସରକାର ଚାର୍ଜ ଦେଇଥାନ୍ତି। ଅନେକ କ୍ଷେତ୍ରରେ ସବୁ ଧାନର ସବୁ ଚାଉଳ ପଇଠ ହୁଏ ନାହିଁ। ତାହା ଆଉ ଏକ ଦୁର୍ନୀତି। ତେବେ, ନିୟମ ଅନୁଯାୟୀ ପ୍ରତି ୧୦୦ କିଲୋରେ ବାହାରୁଥିବା ୩୨ କିଲୋ କୁଣ୍ଡା ଓ ଖୁଦ କିଏ ଖାଏ? ଏହା ସରକାର ନିଅନ୍ତି ନାହିଁ। ମିଲରମାନେ ତାହାକୁ ମାଗଣାରେ ପାଇ ବଜାରରେ ବିକ୍ରି କରିଥାନ୍ତି। ବନ୍ୟା ଓ ବାତ୍ୟା ଆଦି ସମୟରେ ସେଇ କୁଣ୍ଡା ଓ ଖୁଦକୁ ସରକାର ଗୋ ଖାଦ୍ୟ ଆକାରରେ ଚଢ଼ା ଦରରେ କିଣିଥାନ୍ତି।   ଓଡ଼ିଶା ସରକାର ପ୍ରତିବର୍ଷ ୪୦-୫୦ ଲକ୍ଷ ଟନ ଧାନ ସଂଗ୍ରହ କରିଥାନ୍ତି। ଏଥିରୁ ୧୨-୧୫ ଲକ୍ଷ ଟନ କୁଣ୍ଡା ଓ ଖୁଦ ବାହାରୁଥିବ। ଏହାର ବିକ୍ରି ମୂଲ୍ୟ ଖାଉଛି କିଏ? ସେଥିରେ ନେତା ଓ ବାବୁମାନଙ୍କର ଭାଗ କେତେ?

Share :