ବର୍ଷେ ଗଲା, ଫସଲ ବୀମା ମିଳିନି

ବର୍ଷେ ଗଲା, ଫସଲ ବୀମା ମିଳିନି

Share :

ଜଳସେଚନ ହେଉ କି ବିଜୁଳି ସଂଯୋଗ ବା ଫସଲ ବୀମା, ସବୁ କ୍ଷେତ୍ରରେ ସରକାର ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି। ୨୦୧୫ ଖରିଫ ଯାଇ ୨୦୧୬ ଖରିଫ୍ ଆସିଲାଣି। ହେଲେ ଚାଷୀଙ୍କୁ ବୀମା ଟଙ୍କା ମିଳିନାହିଁ। ବୀମା ଟଙ୍କା ନପାଇଲେ ଚାଷୀ କରଜ ଶୁଝିବ କେମିତି? ସରକାର କ’ଣ ଚାହାନ୍ତି ଚାଷୀ ଆତ୍ମହତ୍ୟା କରୁ ଓ ଚାଷ ଉଜୁଡ଼ିଯାଉ? ଓଡ଼ିଶା ସରକାରଙ୍କୁ ଏଭଳି ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ। ସରକାରଙ୍କ ସଫେଇ ହେଲା ଫସଲ ବୀମା ପାଇଁ କେନ୍ଦ୍ରକୁ ରିପୋର୍ଟ ପଠାଯାଇ ସାରିଛି। ରାଜ୍ୟ ସରକାର ଏଥିପାଇଁ ବଜେଟ‍୍‌ରେ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିଛନ୍ତି। କେନ୍ଦ୍ର ଅର୍ଥ ଦେବା ମାତ୍ରେ ଚାଷୀଙ୍କୁ ଖୁବ‍୍‌ଶୀଘ୍ର ଫସଲ ବୀମା ମିଳିବ।   ଆଲୋଚନାର ଉତ୍ତର ଦେବା ଅବସରରେ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଉଭୟ ବିରୋଧୀ ଓ ଶାସକଙ୍କୁ ବର୍ଷିଥିଲେ। ଶାସକ ସଭ୍ୟ ବୀମା ଅର୍ଥ ପ୍ରଦାନ ନେଇ କେନ୍ଦ୍ରକୁ ଟାର୍ଗେଟ‍୍‌ କରିଥିବାରୁ ସେ ତାହାର ସମାଲୋଚନା କରିଥିଲେ। ସେହିପରି ବିରୋଧୀ ଚାଷୀ ପାଇଁ ଫସଲ ବୀମା ଦାବି କରୁଥିବାବେଳେ ପ୍ରକୃତରେ ଏହି ଅର୍ଥ ସବୁ ପଶ୍ଚିମ ଓଡ଼ିଶାର ଗଉଁତିଆମାନେ ପାଇବେ ବୋଲି ସେ କହିଥିଲେ। ପ୍ରକୃତ ଭାଗଚାଷୀ ଏଥିରୁ ଟଙ୍କାଟେ ବି ପାଇବ ନାହିଁ। ଗଉଁତିଆମାନେ ଚାଷୀଙ୍କୁ ଲୁଟୁଥିବାରୁ ଚାଷୀ ସର୍ବସ୍ୱାନ୍ତ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।   ବିରୋଧୀ ଦଳ ପକ୍ଷରୁ ଆଗତ ‘ଗତବର୍ଷ ମରୁଡ଼ିରେ ପ୍ରଭାବିତ ରାଜ୍ୟର ୨୭ ଜିଲ୍ଲାର ଚାଷୀ କୃଷିବୀମା ନପାଇ ହତାଶ ଅବସ୍ଥାରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ସହ ବିଶ୍ୱାସଘାତ କରିଛନ୍ତି। ଚାଷୀଙ୍କ ପାଇଁ ବହୁ ଲମ୍ୱା ଲମ୍ୱା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ। ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ନଥିବାରୁ ଚାଷୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛି। ଚାଷୀ ପ୍ରିମିୟମ‍୍‌ ଭରିଛି ହେଲେ ସରକାର ରିପୋର୍ଟ ଦେଇପାରୁନାହାନ୍ତି। ଏଥିପାଇଁ କିଏ ଦାୟୀ ଓ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ।   କଂଗ୍ରେସ ବିଧାୟକ ନବ କିଶୋର ଦାସ ମୁଲତବୀ ପ୍ରସ୍ତାବ ସମ୍ପର୍କିତ ଆଲୋଚନା ଆରମ୍ଭ କରି ସରକାରଙ୍କ ଉପରେ ବର୍ଷିଥିଲେ। ଚାଷୀ ବିପଦରେ ପଡ଼ିଥିବାବେଳେ ସରକାର କିଛି କରୁନଥିବାରୁ ଚାଷୀ ବାଧ୍ୟହୋଇ ଆତ୍ମହତ୍ୟା କରୁଛି ବୋଲି ସେ କହିଥିଲେ। ସରକାର ତୁରନ୍ତ ବୀମା ଅର୍ଥ ପ୍ରଦାନ ନକଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ସେହିପରି ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଲେ ଯେ, କେନ୍ଦ୍ର ଓ ରାଜ୍ୟର ଷଣ୍ଢ ଲଢ଼େଇରେ ବାଛୁରୀ ଭଳି ଚାଷୀ ହିଁ ମରୁଛି। ବର୍ଷା ଆକଳନ ପାଇଁ ବ୍ଲକରେ ଲାଗିଥିବା ଯନ୍ତ୍ର କାର୍ଯ୍ୟ କରୁନାହିଁ। ସରକାର କେବଳ ନୋଟ‍୍‌ ଓ ଭୋଟ‍୍‌ରେ ବିଶ୍ୱାସ କରୁଥିବାରୁ ଚାଷୀ ହନ୍ତସନ୍ତ ହେଉଛି ବୋଲି ସେ କହିଥିଲେ। ଆଲୋଚନାରେ ଭାଗ ନେଇ ବିଧାୟକ ପ୍ରଫୁଲ୍ଳ ମାଝୀ, ସୁବଳ ସାହୁ, ରବି ନାରାୟଣ ନାଏକ ପ୍ରମୁଖ ସରକାରଙ୍କ ଉପରେ ବର୍ଷିଥିଲେ।   ଅପରପକ୍ଷରେ ଶାସକ ଦଳ ବିଧାୟକ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ କହିଥିଲେ ଯେ, ସରକାର ସବୁବେଳେ ଚାଷୀଙ୍କ ହିତ ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ‍୍‌ ସହ ୧ ପ୍ରତିଶତ ହାରରେ କୃଷି ଋଣ ପ୍ରଦାନ କରୁଛନ୍ତି। କେନ୍ଦ୍ର ମରୁଡ଼ି ସହାୟତା ଦେବାରେ ବିଳମ୍ୱ କରିବାରୁ ସରକାର ୧ ହଜାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଏବେବି ବୀମା ଟଙ୍କା କେନ୍ଦ୍ର ଦେଇ ନଥିବାରୁ ଚାଷୀମାନେ ଫସଲ ବୀମା ପାଇପାରୁ ନାହାନ୍ତି ବୋଲି ସେ କହିଥିଲେ। ଆଲୋଚନାରେ ଶାସକ ଦଳ ପକ୍ଷରୁ ବିଧାୟକ ସୁଶାନ୍ତ ସିଂହ ଓ ମଙ୍ଗଳା କିଷାନ ଅଂଶଗ୍ରହଣ କରିଥିଲେ।   ପରିଶେଷରେ ଆଲୋଚନାର ଉତ୍ତର ରଖି ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ ଯେ, ଗତବର୍ଷ ଖରିଫ ଋତୁରେ ୨୧୫୨୫୯୦ ଜଣ ଚାଷୀ ବୀମାଭୁକ୍ତ ହୋଇଥିଲେ। ସେଥିମଧ୍ୟରୁ ୧୯,୮୧୦୪୭ ଜଣ ଋଣୀ ଓ ୧,୭୧୫୪୩ ଜଣ ଅଣଋଣୀ ଚାଷୀ। ସେଥିରେ ୭୧୧୭ କୋଟି ଟଙ୍କାର ବୀମା ରାଶି ପାଇଁ ୧୮୧ କୋଟି ଟଙ୍କା ପ୍ରିମିୟମ ସଂଗ୍ରହ କରାଯାଇଛି । ଋଣୀ ଚାଷୀଙ୍କ ପାଇଁ  ୩୦ ସେପ୍ଟେମ୍ୱର ୨୦୧୫ ସୁଦ୍ଧା ଶସ୍ୟବୀମାରେ ଅନ୍ତଭୁର୍କ୍ତ ହେବା ପାଇଁ ଧାର୍ଯ୍ୟ ତାରିଖ ଥିବା ସ୍ଥଳେ ଅଣଋଣୀ ଚାଷୀମାନଙ୍କ ନିମନ୍ତେ ଫସଲ ବୀମା ଅନ୍ତଭୁର୍କ୍ତ କରିବା ନିମନ୍ତେ ୩୧ ଜୁଲାଇ ୨୦୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଅଣଋଣୀ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନକ୍ରମେ ଧାର୍ଯ୍ୟ ତାରିଖ ୧୫ ସେପ୍ଟେମ୍ୱର ୨୦୧୫ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା।   ଫସଲ ଅମଳ ଉତ୍ପାଦନ ତଥ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, କୃଷି ଓ ଖାଦ୍ୟ ଉପିାଦନ ନିର୍ଦ୍ଦେଶାଳୟର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟଙ୍କ ଠାରୁ ପ୍ରାପ୍ତ ହେବା ପରେ ସମବାୟ ବିଭାଗ ମାଧ୍ୟମରେ କୃଷି ବୀମା କମ୍ପାନୀ ପାଖକୁ ୨୦୧୬ ଅଗଷ୍ଟ ୧୦ ତାରିଖରେ ପଠାଯାଇଥିଲା। କୃଷି ବୀମା କମ୍ପାନୀ କ୍ଷତିପୂରଣ ଆକଳନ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ଗତ ୩ ତାରିଖରେ ପଠାଇଛନ୍ତି। ରାଜ୍ୟ ସରକାର ଫସଲ ବୀମା ଅଂଶ ବାବଦ ଅର୍ଥ ରାଜ୍ୟ ବଜେଟ‍୍‌ରେ ବରାଦ କରିଥିବାବେଳେ କେନ୍ଦ୍ର ସରକାରଙ୍କର ଅନୁମୋଦନ ପାଇବା ପରେ ଫସଲ ବୀମା ପ୍ରଦାନ କରାଯିବ ବୋଲି ସେ କହିଥିଲେ।   ତେବେ ଏହି ଅବକାଶରେ ଶାସକ ବିଧାୟକଙ୍କୁ ସେ ସମାଲୋଚନା କରି କହିଥିଲେ ଯେ, ସବୁକ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା କହିବା ଉଚିତ୍ ନୁହେଁ। ରିପୋର୍ଟ ପ୍ରଦାନବେଳେ ବିଭାଗ ବିଭାଗ ମଧ୍ୟରେ ତଥ୍ୟଗତ ତାରତମ୍ୟ ଯୋଗୁଁ ରିପୋର୍ଟ ପଠାଇବାରେ ବିଳମ୍ୱ ହୋଇଛି। ଖୁବ‍୍‌ଶୀଘ୍ର କେନ୍ଦ୍ର ଏହାକୁ ଅନୁମୋଦନ ଦେବ ବୋଲି ଆଶା ପ୍ରକାଶ କରିଥିଲେ। ସେହିପରି ମିଛରେ ଚାଷୀ ଆତ୍ମହତ୍ୟାର ରୂପ ଦେବାକୁ ନେଇ ଉଦ‍୍‌ବେଗ ପ୍ରକାଶ କରିଥିଲେ। ପଶ୍ଚିମ ଓଡ଼ିଶାରେ ଅଧିକ ଚାଷୀ ଥିଲେ ମଧ୍ୟ ୭୫ ପ୍ରତିଶତ ଜମି ଗଉଁତିଆମାନଙ୍କ ହାତରେ ଅଛି। ସେମାନେ ଶୋଷଣ କରୁଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଏହା ସମସ୍ତେ ଜାଣନ୍ତି। ଭାଗଚାଷୀ କିଛି ପାଉନାହିଁ। ଏହା ଉପରେ ମଧ୍ୟ ଜନପ୍ରତିନିଧି ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ରାଉତ ପ୍ରକାଶ କରିଥିଲେ।

Share :