କେସିଙ୍ଗା ବନ୍ଦରେ ବେଦାନ୍ତ ବନ୍ଦ!

କେସିଙ୍ଗା ବନ୍ଦରେ ବେଦାନ୍ତ ବନ୍ଦ!

Share :

  କେସିଙ୍ଗାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଏହି ଦାବିରେ କେସିଙ୍ଗା ଯୁବ ସଂଙ୍ଗଠନ ପକ୍ଷରୁ ସେପ୍ଟେମ୍ବର ୨୨ ତାରିଖରେ ୧୨ ଘଂଟିଆ କେସିଙ୍ଗା ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ସମୟରେ ଲାଂଜିଗଡ଼ ବେଦାନ୍ତକୁ ତେଲ ନଦୀରୁ ହେଉଥିବା ପାଣି ଯୋଗାଣ ଓ କମ୍ପାନୀର ଯାନବାହାନକୁ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା।   ଏହି ଦାବିରେ ସହରର ସମସ୍ତ ଯୁବ ସଂଙ୍ଗଠନ ରାସ୍ତାକୁ ଓହ୍ଲାଇ ବନ୍ଦ ପାଳନ କରିଥିଲେ। କେସିଙ୍ଗା ଯୁବ ସଙ୍ଗଠନ ଓ ନାଗରିକ ମଞ୍ଚ ପକ୍ଷରୁ କେସିଙ୍ଗାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯିବା ସହ ବେଦାନ୍ତକୁ ଜଳ ଯୋଗାଣ ବନ୍ଦ କରାଯାଇଥିଲା। ସକାଳୁ ଆନ୍ଦୋଳନକାରୀମାନେ ରାସ୍ତାରେ ଟାୟାର ଜାଳି ବରଗଡ- ବୋରିଗୁମା ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିବା ବେଳେ ସହରର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା। ବନ୍ଦ ପ୍ରଭାବ ଯୋଗୁଁ ରାସ୍ତାର ଦୁଇ କଡରେ ଶହଶହ ଗାଡି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବହୁତ ହଇରାଣ ହରକତ ହେବାର ଦେଖାଦେଇଥିଲା।   ଦାନମାଝୀ କାନ୍ଧରେ ଶବବୁହା ଘଟଣା ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ହେବାପରେ ରାଜ୍ୟ ସରକାର ନିଜ ଭାବମୁର୍ତ୍ତି ସଜାଡିବା ପାଇଁ କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଘୋଷଣା କରି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଭବାନୀପାଟଣା ଉପକଣ୍ଠ ଭଙ୍ଗାବାରୀ ଠାରେ ୪୦ ଏକର ସରକାରୀ ଜମି ଚିହ୍ନଟ କରିସାରି ଥିବାବେଳେ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବାର ଅଛି। ହେଲେ କେସିଙ୍ଗା ଯୁବ ସଂଗଠନ ଏବଂ ନାଗରିକ ମଞ୍ଚ ପକ୍ଷରୁ କେସିଙ୍ଗା ଠାରେ ମେଡିକାଲ ପ୍ରତିଷ୍ଠା ଦାବି କରି ସେପ୍ଟେମ୍ବର ୨୨ ତାରିଖରେ ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା ଦିଆଯିବା ସହ ଅର୍ଥନୈତିକ ଅବରୋଧ କରାଯାଇଥିଲା। ଏ ଦୁଇ ସଂଗଠନଂ କର୍ମକର୍ତ୍ତାଙ୍କ ଅଭିଯୋଗ ହଲା ମୁଖ୍ୟମନ୍ତ୍ରୀଙ୍କର ମେଡିକାଲ କଲେଜ ଘୋଷଣା ପରେ ପ୍ରଶାସନ ଏକଚାଟିଆ ଭାବେ ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ହେବା ପାଇଁ ଜମି ଚିହ୍ନଟ କରିଛି। କେସିଙ୍ଗାରେ ପ୍ରଥମରୁ ଜମି ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ କରାଯାଇଥିବା ବେଳେ ପପରେ ପ୍ରଶାସନ ଭବାନୀପାଟଣା ଠାରେ ଏହି ମେଡିକାଲ କଲେଜ ନିର୍ମାଣ କରିବାକୁ ସ୍ଥିର କରିଛି। ସରକାର ତୁରନ୍ତ ଏହି ନିଷ୍ପତ୍ତି ବଦଳାଇ କେସିଙ୍ଗାରେ ମେଡିକାଲ ସ୍ଥାପନ କରିବାକୁ ସେମାନେ ଦାବି କରିଛନ୍ତି।   ସରକାର କେସିଙ୍ଗାରେ ମେଡିକାଲ ନବସାଇଲେ କେସିଙ୍ଗା ତେଲ ନଦୀରୁ ବେଦାନ୍ତ କମ୍ପାନୀକୁ ଜଳ ଯୋଗାଣ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି। ପ୍ରଶାସନ ପଦକ୍ଷେପ ନ ନେଲେ ବେଦାନ୍ତ କମ୍ପାନୀର ଗାଡି ଚଳାଚଳକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି। କେସିଙ୍ଗା ଜନସାଧାରଣଙ୍କ ଆହ୍ନାନ କ୍ରମେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏହି ଅନ୍ଦୋଳନରେ ସାମିଲ ହୋଇଥିଲେ। ରାଜ କୁମାର ଜୈନ, ସୁରେଶ ବାବୁ, ସନ୍ତୋଷ ଦାସ, ରଞ୍ଜନ ବେହେରା, ପିଙ୍କୁ ପରିଡା, ବିକ୍ରମ ବାରିକ, ମଦନ ସିନ୍ଦୁର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଭବାନୀପାଟଣା ଠାରେ ବେଦାନ୍ତ କମ୍ପାନୀ ସହାୟତାରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଲା ମଧ୍ୟରେ ଏଭଳି ଟଣା ଓଟରାକୁ କିଛିଲୋକ ନାପସନ୍ଦ କରିଛନ୍ତି।

Share :