ପ୍ରତିଷ୍ଠା ହେବ ୧୨ କ୍ଷୁଦ୍ର ଶିଳ୍ପପୁଞ୍ଜ

ପ୍ରତିଷ୍ଠା ହେବ ୧୨ କ୍ଷୁଦ୍ର ଶିଳ୍ପପୁଞ୍ଜ

Share :

ରାଜ୍ୟରେ ଖୁବ‍୍‌ଶୀଘ୍ର ୧୨ଟି ଶିଳ୍ପପୁଞ୍ଜ ପ୍ରତିଷ୍ଠା ହେବ। ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ଶିଳ୍ପପୁଞ୍ଜ ଉନ୍ନୟନ ଯୋଜନା ମାଧ୍ୟମରେ ଯାଜପୁରରେ ବାଦାମ ଶିଳ୍ପପୁଞ୍ଜ, ସାକ୍ଷୀଗୋପାଳରେ କତା ଶିଳ୍ପ, ପାରାଦୀପରେ ଶୁଖୁଆ ଶିଳ୍ପ, କଳାହାଣ୍ଡି, କୋରାପୁଟ ଓ ବାଲେଶ୍ୱରରେ ଧାନମିଲ‍୍‌ ଶିଳ୍ପ ଏବଂ ଝାରସୁଗୁଡ଼ା, ରାୟଗଡ଼ା ଓ ଢେଙ୍କାନାଳରେ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜ ପ୍ରତିଷ୍ଠା କରାଯିବ । ସେଥିନିମନ୍ତେ ଆବଶ୍ୟକୟ ପରୀକ୍ଷା ନିରୀକ୍ଷା ସହ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇସାରିଛି। ସାକ୍ଷୀଗୋପାଳର କତା ଶିଳ୍ପପୁଞ୍ଜ, ପାରାଦୀପର ଶୁଖୁଆ ଶିଳ୍ପପୁଞ୍ଜ, ଢେଙ୍କାନାଳ ଓ ଝାରସୁଗୁଡ଼ାଠାରେ ଇଞ୍ଜିନିୟରିଂ ଶିଳ୍ପପୁଞ୍ଜ, ବାଲେଶ୍ୱର ଓ କୋରାପୁଟଠାରେ ଧାନକଳ ଶିଳ୍ପପୁଞ୍ଜ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଶେଷ ହୋଇଛି। ଏଥିନିମନ୍ତେ ମଧ୍ୟ ସଂପୃକ୍ତ ଜିଲାର ଜେନେରାଲ ମ୍ୟାନେଜରମାନଙ୍କୁ ନଭେମ୍ୱରମାସ ଶେଷ ସୁଦ୍ଧା ଏହିସବୁ ପୁଞ୍ଜମାନଙ୍କର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଜିଲା ଶିଳ୍ପ କେନ୍ଦ୍ରମାନଙ୍କର ଆଞ୍ଚଳିକ/ସାଧାରଣ ପରିଚାଳକଙ୍କ ଦୁଇଦିନିଆ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି।   ସମ୍ମିଳନୀରେ ସଂପର୍କରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଏଲ‍୍‌.ଏନ.ଗୁପ୍ତା କହିଛନ୍ତି ଯେ, ବଲାଙ୍ଗିରଠାରେ କପାର କ୍ଷୁଦ୍ର ଶିଳ୍ପପୁଞ୍ଜ, ନବରଙ୍ଗପୁରଠାରେ କାଜୁ ଶିଳ୍ପ, କଟକ ଓ କୋରାପୁଟଠାରେ ଇଞ୍ଜିନିୟରିଂ ଶିଳ୍ପ ଏବଂ ବାଲେଶ୍ୱର, ସମ୍ୱଲପୁର ଓ ଢେଙ୍କାନାଳଠାରେ ଉଡ଼ନ୍ତା ପାଉଁଶରୁ ଇଟା ଶିଳ୍ପ ପ୍ରସ୍ତୁତିର ଉନ୍ନତିକରଣ କରାଯିବ। ଏହା ସହିତ ଚଳିତ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ୪୦ ହଜାର ଏମଏସ‍୍‌ଏମ‍୍‌ଇ ୟୁନିଟ‍୍‌ ଓ ୨ଲକ୍ଷ ନିଯୁକ୍ତି ବିପକ୍ଷରେ ଅଗଷ୍ଟ ୨୦୧୬ ସୁଦ୍ଧା ୧୩ ହଜାର ୫୦୦ ଏମଏସଏମ‍୍‌ଇ ୟୁନିଟ‍୍‌ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ୪୨ ହଜାର ୧୯୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଥିଲେ।   ଯୁବ ଉଦ୍ୟୋଗପତିମାନଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଆକୃଷ୍ଟ କରିବା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷର ଅବଶିଷ୍ଟ ସମୟରେ ସମଗ୍ର ରାଜ୍ୟରେ ୧୮୦ଟି ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଶିଳ୍ପ ନିର୍ଦ୍ଦେଶକ ବଲୱନ୍ତ ସିଂହ କହିଲେ ଯେ, ଚିହ୍ନଟ ଯୁବ ଉଦ୍ୟୋଗପତିମାନଙ୍କୁ ୧୮୦ଟି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ ତାଲିମ ଦେବା ପାଇଁ ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଉଦ୍ୟୋଗ ବିକାଶ ସଂସ୍ଥାକୁ ନିଦ୍ଦେର୍ଶ ଦିଆଯାଇଛି।   ସରକାରୀ ଉଦ୍ୟୋଗ ଏବଂ ବୃହତ୍ ଶିଳ୍ପମାନଙ୍କ ଚାରିପଟେ କ୍ଷୁଦ୍ର ତଥା ଆନୁସଙ୍ଗିକ ଶିଳ୍ପର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ନୂତନ ସର୍ବେକ୍ଷଣ କରିବା ପାଇଁ ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ନଭେମ୍ୱର ମାସ ଶେଷ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଗ୍ରାଧିକାର ଭିତ୍ତିରେ କତାଶିଳ୍ପ ଓ ଖଦୀ ଓ ଗ୍ରାମୋଦ୍ୟୋଗ ଶିଳ୍ପର ଉନ୍ନତିକରଣ କରାଯିବ। ଏହି କାର୍ଯ୍ୟ ପାଇଁ କତା ବୋର୍ଡ଼ ଓ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଏବଂ ଏମଏସ‍୍‌ଏମ‍୍‌ଇ ବିକାଶ ପ୍ରଭୃତିର ଅଧିକାରୀମାନେ ସମସ୍ତ ଜିଲାର ଶିଳ୍ପକେନ୍ଦ୍ର ପରିଚାଳକମାନଙ୍କୁ ବିସ୍ତୃତ ରିପୋର୍ଟ ଦେଇଛନ୍ତି। ଭାରତ ସରକାରଙ୍କ ଏମଏସଏମ‍୍‌ଇ ମନ୍ତ୍ରଣାଳୟରୁ ଅଧିକ ଆର୍ଥିକ ସମ୍ୱଳ ଯୋଗାଡ଼ କରି ରପ୍ତାନୀଭିତ୍ତିକ ଶିଳ୍ପଗୁଡ଼ିକର ସମସ୍ୟା ସମାଧାନ କରିବା ସହିତ ରପ୍ତାନୀ ବୃଦ୍ଧି କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ୨୧ ହଜାର ୫୫୦ କୋଟି ଟଙ୍କାର ଅଭିବର୍ଦ୍ଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Share :