ନକ୍ସଲ ଚତୁର୍ଥ ଭୟାନକ!

ନକ୍ସଲ ଚତୁର୍ଥ ଭୟାନକ!

Share :

  ତାଲିବାନ, ଇସ‍୍‌ଲାମିକ ଷ୍ଟେଟ‍୍‌ ଏବଂ ବୋକୋ ହାରାମ ପରେ ସିପିଆଇ-ମାଓବାଦୀ ହେଉଛି ପୃଥିବୀର ଚତୁର୍ଥ ଭୟାନକ ଆତଙ୍କବାଦୀ ସଂଗଠନ। ଆମେରିକା ପ୍ରାୟୋଜିତ ଏକ ସର୍ବେକ୍ଷଣ ରିପୋର୍ଟରେ ଏହି କଥା କୁହାଯାଇଛି। ଭାରତରେ ସିପିଆଇ-ମାଓବାଦୀକୁ ନିଷିଦ୍ଧ ଘୋଷଣା କରାଯାଇଛି।   ନ୍ୟାସନାଲ କନସୋର୍ଟିୟମ ଫର ଷ୍ଟଡି ଅଫ ଟେରରିଜମ ଆଣ୍ଡ ରେସପନ୍ସେସ ଟୁ ଟେରରିଜ୍‌ମ ନାମକ ଏକ ଅନୁଧ୍ୟାନ ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ୨୦୧୫ ମସିହାରେ ଭାରତରେ ମୋଟ ୭୯୧ ଥର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ସେଥିରୁ ୪୩ ପ୍ରତିଶତ ଆକ୍ରମଣ ପଛରେ ସିପିଆଇ-ମାଓବାଦୀ ବା ନକ୍ସଲମାନଙ୍କ ହାତ ଥିଲା। ଏସବୁ ଘଟଣାରେ ମୋଟ ୨୮୯ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ସେହି ବର୍ଷ ସିପିଆଇ-ମାଓବାଦୀମାନେ ୩୪୩ ଘଟଣାରେ ୧୭୬ ଜଣଙ୍କୁ ହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।   ୨୦୧୫ ବର୍ଷରେ ତାଲିବାନ ୧୦୯୩ଟି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪,୫୧୨ ଜଣଙ୍କ ମୃତ୍ୟୁର କାରଣ ହୋଇଛି। ସେହିପରି ଏହି ବର୍ଷକ ଭିତରେ ଇସଲାମିକ ଷ୍ଟେଟ‍୍‌ ୯୩୧ ଆକ୍ରମଣରେ ୬୦୫୦ ଜଣଙ୍କୁ ହତ୍ୟା କରିଥିବାବେଳେ ବୋକୋ ହାରାମ ୪୯୧ ଆକ୍ରମଣରେ ୫୪୫୦ ଜଣଙ୍କୁ ହତ୍ୟା କରିଥିଲା। ସେହିବର୍ଷ ସାରା ପୃଥିବୀରେ ୧୧,୭୭୪ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏସବୁ ଘଟଣାରେ ୨୮,୩୨୮ ଜଣ ନିହତ ହୋଇଥିବାବେଳେ ୩୫,୩୨୦ ଜଣ ଆହତ ହୋଇଥିଲେ।   ଏହି ରିପୋର୍ଟ ଅନୁସାରେ ପୃଥିବୀରେ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ହେଉଛି ଇରାକ। ଏହା ପଛକୁ ରହିଛନ୍ତି ଆଫଗାନିସ୍ଥାନ ଓ ପାକିସ୍ଥାନ। ଆତଙ୍କବାଦରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ। ୨୦୧୫ ମସିହାରେ ଭାରତରେ ଘଟିଥିବା ୭୯୧ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଅଧେ ମାତ୍ର ୪ଟି ରାଜ୍ୟରେ ଘଟିଥିଲା। ସେହି ୪ ରାଜ୍ୟ ହେଲେ ଛତିଶଗଡ଼ (୨୧ ପ୍ରତିଶତ), ମଣିପୁର (୧୨ ପ୍ରତିଶତ), ଜାମ୍ମୁକାଶ୍ମୀର (୧୧ ପ୍ରତିଶତ) ଓ ଝାଡ଼ଖଣ୍ଡ (୧୦ ପ୍ରତିଶତ)। ସେହି ବର୍ଷ ଛତିଶଗଡ଼ରେ ସର୍ବାଧିକ ମାଓବାଦୀ ଆକ୍ରମଣ ଘଟିଥିଲା। ୨୦୧୪ ମସିହାରେ ଛତିଶଗଡ଼ରେ ୭୬ ନକ୍ସଲ ଆକ୍ରମଣ ଘଟିଥିଲାବେଳେ ୨୦୧୫ରେ ଏହି ସଂଖ୍ୟା ୧୬୭କୁ ବୃଦ୍ଧି ପାଇଥିଲା।   ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ୨୦୧୫ରେ ଭାରତରେ ଆତଙ୍କବାଦୀ ଅପହରଣ ଘଟଣା ତିନି ଗୁଣ ବୃଦ୍ଧି ପାଇଥିଲା। ୨୦୧୪ରେ ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ୩୦୫ ଜଣଙ୍କୁ ପଣବନ୍ଦୀ କରିଥିବାବେଳେ ୨୦୧୫ରେ ଏହି ସଂଖ୍ୟା ୮୬୨କୁ ବୃଦ୍ଧି ପାଇଥିଲା। ଏଥିରୁ କେବଳ ନକ୍ସଲମାନେ ୭୦୭ ଜଣଙ୍କୁ ପଣବନ୍ଦୀ ବନାଇଥିଲେ।   ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୦ରୁ ୨୦୧୫ ମଧ୍ୟରେ ଦେଶରେ ଘଟିଥିବା ନକ୍ସଲ ଆକ୍ରମଣରେ ମୋଟ ୨୧୬୨ ବେସାମରିକ ନାଗରିକ ଓ ୮୦୨ ଜଣ ନିରାପତ୍ତା ରକ୍ଷୀ ନିହତ ହୋଇଥିଲେ।

Share :