କାହା ବୋଲେ ଗଲା ପୁତ୍ର...

କାହା ବୋଲେ ଗଲା ପୁତ୍ର...

Share :

ବୈଷ୍ଣବ ଜେନା   ଏକ ନିର୍ଦ୍ଦିଷ୍ଟ ତଥା ନିୟମିତ ଦୃଶ୍ୟ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ‌୍‍ଟି ସଂପୂର୍ଣ୍ଣ ନିଆରା। ସେହି ଦୃଶ୍ୟଟି ହେଉଛି ସାମୂହିକ କନ୍ଦନ। ବିଶେଷ କରି ବାଙ୍ଗାଲୋର, ମୁମ୍ୱାଇ ଏବଂ ଦିଲ୍ଲୀ ଟ୍ରେନ‌୍‍ ଛାଡ଼ିବା ପୂର୍ବରୁ ଏହି ସାମୂହିକ କ୍ରନ୍ଦନ ଦୃଶ୍ୟ ଦେଖିବାକୁ ମିଳିଥାଏ। ମାତ୍ର ଜଣେ କିମ୍ୱା ଦୁଇଜଣଙ୍କୁ ଆଠ-ଦଶ ଜଣ ଛାଡ଼ିବାକୁ ଆସିଥାଆନ୍ତି। ସାମୂହିକ କାନ୍ଦ ସହିତ ପାଦ ଛୁଇଁ ପ୍ରଣାମର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ନବ ବିବାହିତ ଦମ୍ପତି ଯାଉଥିବା ସମୟରେ ଏହି ଦୃଶ୍ୟ ଆହୁରି ଜମାଣିଆ ହୋଇଥାଏ। କାରଣ ଉଭୟ ପକ୍ଷର ସମ୍ପର୍କୀୟମାନେ ଛାଡ଼ିବାକୁ ଆସିଥାଆନ୍ତି। ଅବଶ୍ୟ ସେ କ୍ଷେତ୍ରରେ ସାମୂହିକ କାନ୍ଦ ପୂର୍ବରୁ ଶଳା-ଶାଳୀଙ୍କ ସହ ଭିଣୋଇ ଭଉଣୀ କିମ୍ୱା ଭାଇ ଭଉଣୀଙ୍କ ଖିଲିଖିଲି ହସ ମଧ୍ୟ ଶୁଣିବାକୁ ମିଳେ।   ନିକଟରେ ଥରେ ଭୁବନେଶ୍ୱର ଷ୍ଟେସନ‌୍‍ ଯାଇଥିବା ବେଳେ ସେହିପରି ଏକ ଦୃଶ୍ୟ ଦେବାକୁ ମିଳିଲା। ଦିଲ୍ଲୀଗାମୀ ରାଜଧାନୀ ଏକ୍ସପ୍ରେସ‌୍‍ ଛାଡ଼ି ଚାଲିଯିବାର ୧୫ ମିନିଟ‌୍‍ ପରେ ମଧ୍ୟ ଜଣେ ମହିଳା ସିମେଣ୍ଟ ଚେୟାର ଉପରେ ବସି ଉଚ୍ଚ ସ୍ୱରରେ କ୍ରନ୍ଦନ କରୁଥିଲେ। ପାଖରେ ଠିଆ ହୋଇଥିଲେ ତାଙ୍କର ସ୍ୱାମୀ। ସ୍ୱାମୀ ଜଣଙ୍କ ସଦ୍ୟ ସରକାରୀ ଚାକିରୀରୁ ଅବସର ନେଇଛନ୍ତି। ସେ ବି କାନ୍ଦ କାନ୍ଦ ହୋଇ ତାଙ୍କ ପତ୍ନୀଙ୍କୁ କିଛି କହୁଥାଆନ୍ତି। ମାତ୍ର ସେହି ଭଦ୍ର ମହିଳା ଜଣଙ୍କ କାନ୍ଦ ବନ୍ଦ କରୁ ନଥିଲେ। ବରଂ ତାଙ୍କର କୋହ ବଢ଼ି ବଢ଼ି ଚାଲିଥିଲା। ସେ ବିକଳ ହୋଇ ବିଳାପ କରିଚାଲିଥିଲେ।   କିଛି ଅଘଟଣ ଘଟିଛି ବୋଲି ଆଶଙ୍କା କରି ସେମାନଙ୍କ ପାଖକୁ ଗଲୁ। ଏମିତି ବିକଳ ହୋଇ କାହିଁକି କାନ୍ଦୁଛନ୍ତି ବୋଲି ଆମେ ସମ୍ୱେଦନାଭରା ସ୍ୱରରେ ପଚାରିଲୁ। ସେହି ମହିଳା ଜଣଙ୍କ କିଛି କହିବା ପୂର୍ବରୁ ତାଙ୍କ ସ୍ୱାମୀ ଆମକୁ କହିଥିଲେ- ମଁୁ ବି କାନ୍ଦୁଛି, କିନ୍ତୁ ଚିତ୍କାର କରିପାରୁ ନାହିଁ। ସିଏ ଯେଉଁଥିପାଇଁ କାନ୍ଦୁଛନ୍ତି ତାହାର କାରଣ ଯଥାର୍ଥ। ମଁୁ ଚେଷ୍ଟାକରି ତାଙ୍କୁ ବୁଝାଇ ପାରୁନାହିଁ, ଯାହା ହେଉ ଆମ ଦୁଇଜଣଙ୍କ ଭାଗ୍ୟ ଖରାପ। ବୋଧହୁଏ କର୍ମ ଖରାପ। ଏଣିକି ଆମ ଭବିଷ୍ୟତ ଅନ୍ଧାର, କ’ଣ କରିବୁ ଜାଣିପାରୁନାହଁୁ।   ଏକଥା ଶୁଣିଲା ପରେ ବାସ୍ତବ କାରଣ କ’ଣ ବା କଥାଟା କ’ଣ ବୋଲି ଆମେ ପ୍ରଶ୍ନ କଲୁ। ଏହା ଶୁଣିବା ପରେ ସେହି ମହିଳା ଜଣକ ଟିକିଏ କାନ୍ଦ ବନ୍ଦ କରି କହିଲେ- ମୋ ପୁଅ ପଳାଇଲା, ସାଙ୍ଗରେ ବୋହୂକୁ ନେଇଗଲା, ଆଉ ଫେରିବନି। ଆମେ କ’ଣ କରିବୁ? କିଏ ଆମକୁ ଶେଷ ଜୀବନରେ ସାହାରା ହେବ?   ମହିଳା ଜଣଙ୍କ ଏହି କଥା ଆମକୁ ସନ୍ତୁଷ୍ଟ କରି ପାରିଲା ନାହିଁ। ତେଣୁ ଆମେ ପୁନର୍ବାର କଥାଟା କ’ଣ ବୋଲି ଜାଣିବାକୁ ଚାହିଁଲୁ। ଉତ୍ତରରେ ମହିଳା ଜଣଙ୍କ କହିଲେ- ସାତବର୍ଷ ତଳେ ବଡ଼ ପୁଅକୁ ଏହିପରି ବାଙ୍ଗାଲୋର ଗ୍ରାମୀ ଟ୍ରେନ‌୍‍ରେ ଛାଡ଼ିବାକୁ ଆମେ ଦୁଇଜଣ ଆସିଥିଲୁ, ସେହି ଦିନରୁ ବଡ଼ ପୁଅ ଆଉ ଭୁବନେଶ୍ୱର ଫେରିନାହିଁ। ସେ ଏବେ ଆମେରିକାରେ ରହୁଛି। ଗୋଟିଏ ତେଲୁଗୁ ଝିଅକୁ ବାହା ହୋଇଛି। ତାହାର ତିନିବର୍ଷ ହେଲା ଝିଅଟିଏ ହେଲାଣି। ସେହି ନାତୁଣୀଟି କାଳି କିମ୍ୱା ଗୋରି ତାହା ଆମେ ଦେଖିନାହଁୁ। କେବଳ ତାହାର ଫଟୋ ମୋବାଇଲ‌୍‍ ଫୋନରେ ଦେଖୁଛୁ। ଜେଜିମା ଓ ଜେଜେବାପା (ଗ୍ରାଣ୍ଡ ମା ଓ ଗ୍ରାଣ୍ଡ ପା) ନାମ ପଚାରିଲେ ସେହି କୁନି ଝିଅଟି (ନାତୁଣିଟି) ଆମ ନାଁ କହୁଛି ବୋଲି କହିବା ପରେ ସେହି ମହିଳା ଜଣଙ୍କ ପୁନର୍ବାର ଉଚ୍ଚସ୍ୱରରେ କାନ୍ଦିଲେ।   ଆମେ ନିର୍ବାକ‌୍‍ ହୋଇଯାଇଥିଲୁ। ତେବେ ସେହି ଜଣଙ୍କ ତାଙ୍କ ଦୁଃଖଭରା କଥା କହିବା ବନ୍ଦ କରି ନଥିଲେ। ସେ କହିଲେ- ମୋର ଦୁଇ ପୁଅ ରାମ ଲକ୍ଷ୍ମଣ ପରି ଭାଇ ଭାଇ। ମାତ୍ର ସାନପୁଅର ବାହାଘରରେ ବଡ଼ପୁଅ ଟିକେ ଆସିଲା ନାହିଁ। ସେ କି ଚାକିରୀ କରିଛି, କ’ଣ କରୁଛି ତାହା ଆମେ ଜାଣିନାହୁଁ। ସିଏ ଯେଉଁ ନିଆଁଲଗା ପାଠ ପଢ଼ିଥିଲା ସାନ ପୁଅ ବି ସେହି ନିଆଁଲଗା ପାଠ (କମ୍ପ୍ୟୁଟର ଇଞ୍ଜିନିୟରିଂ) ପଢିଛି। ସାନ ବୋହୂ ମଧ୍ୟ ସେହି ପାଠ ପଢ଼ିଛି। ଦୁଇମାସ ହେଲା ସେମାନଙ୍କର ବାହାଘର ହୋଇଛି। ଦୁହେଁ ଦିଲ୍ଲୀରେ ଚାକିରୀ ପାଇଛନ୍ତି। ସେଠାରୁ ଆମେରିକା, ଅଷ୍ଟ୍ରେଲିଆ ପଳାଇବେ। ଆଉ ଫେରିବେ ନାହିଁ, ଆଉ ଭୁବନେଶ୍ୱର ଆସିବେ ନାହିଁ। ଦୁଇ ପୁତ୍ରର ବାପାମାଆ ହୋଇ ମଧ୍ୟ ଆମେ ନିରାଶ୍ରୟ।   ଏହାପରେ ସେହି ଭଦ୍ରଲୋକ ଜଣକ କହିଲେ, ଆମେ ଥିଲାବାଲା ଘରର ଲୋକ। ଗାଁରେ ଆଠ ଏକର ଦୋ’ ଫସଲି ଜମି ଅଛି। ଘରବାଡ଼ି ୧୦ ଗୁଣ୍ଠ। ନଡ଼ିଆ, ଆମ୍ୱ, ପଣସ, ବେଲ ଓ କମଳା ଗଛରେ ଭର୍ତ୍ତି। ୭ ବଖରା ବିଶିଷ୍ଟ ଦି’ ମହଲା ଘର। ସେଠି ମାଙ୍କଡ ଓ ଗୋଧିଙ୍କ ରାଜୁତି। କ’ଣ ହେବ ସେ ଘର? କିଏ ରହିବ? ସେହିପରି ଭାବେ ଭୁବନେଶ୍ୱର ଘରେ କିଏ ରହିବ? ଏଠି ମଧ୍ୟ ଦୁଇ ମହଲା ବିଶିଷ୍ଟ ବିରାଟ ଘର। ତଳ ଉପର ମିଶି ଆଠ ବଖରା। ଘରଟି ନୂଆ ପୁରୁଣା ଜିନିଷର ଭର୍ତ୍ତି। ସାନ ବୋହୂ ପ୍ରଚୁର ଯୌତୁକ ଆଣିଛି। ତେଣୁ ଘର ପୂରିଛି। ମାତ୍ର କିଏ ତାକୁ ବ୍ୟବହାର କରିବ? କ’ଣ ହେବ ସେ ଗୁଡା? ଆମ ଘରେ ୫୦ ଭରିରୁ ଅଧିକ ସୁନା ଥିଲା। ସାନ ବୋହୂ ୨୫ ଭିର ସୁନା ଆଣିଛି। ସବୁ ଏଠି ଛାଡ଼ି ଦେଇଯାଇଛି। ରାଜଧାନୀରେ ଆଉ ଖଣ୍ଡେ ଜାଗା ମଧ୍ୟ ଅଛି। ତାକୁ କିଏ ଭୋଗ କରିବ? ସେଠାରେ ଘରକିଏ କରିବ?   ଉଭୟ ପତିପତ୍ନୀ ତାଙ୍କର ପୁଅ ଆଉ ଫେରିବ ନାହିଁ ବୋଲି ବାରମ୍ୱାର କହିଚାଲିଥିଲେ। ନିଜ ଲୁହକୁ ଲୁଗା କାନିରେ ପୋଛି ସେହି ପ୍ରୌଢ଼ା ଜଣକ ଆହୁରି କହିଲେ- ନୂଆପଲ୍ଲୀ ଅଞ୍ଚଳରେ ଏପରି ବହୁ ଘଟଣା ଦେଖିଲୁଣି, ପୁଅ ଝିଅଙ୍କୁ ଛାଡ଼ି ବୁଢ଼ାବୁଢ଼ୀମାନେ କିପରି ବଞ୍ଚିଛନ୍ତି ତାହା ଆମେ ଦେଖୁଛୁ। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ବିଧାୟକ, ଆଇଏଏସ‌୍‍ ଅଫିସର, ପ୍ରଫେସର ଓ ଇଞ୍ଜିନିୟର ଅଛନ୍ତି। କେତେକ ଘଟଣାରେ ବୃହତ ତଥା ସୁଦୃଶ୍ୟ ଘରେ ବୁଢ଼ାଟିଏ କିମ୍ୱା ବୁଢୀଟିଏ ଅଛନ୍ତି। ଖଟ, ପଲଙ୍କ କିମ୍ୱା ଦାମୀ ବିଛଣାରେ ଚାକର ବାକର ଶୋଉଛନ୍ତି। ଘର ମାଲିକମାନେ ସେହି ଚାକର ବାକରଙ୍କ ଉପରେ ନିର୍ଭରଶୀଳ। ସେମାନଙ୍କ ହାତ ଟେକାରେ ପୂର୍ବର ସେହି ପ୍ରଭାବଶାଳୀ ଲୋକମାନେ ବଂଚିଛନ୍ତି। ଆମେ ବି ସେହିପରି ହୋଇଯିବୁ।   ଏକଥା ଶୁଣିବା ପରେ ସେହି ଦମ୍ପତ୍ତିଙ୍କର ଦୁଃଖ ଓ ଆଶଙ୍କା ଯଥାର୍ଥ ଭାବିଲୁ। କାରଣ ଆଜିକାଲି ଭିନ୍ନ ଧରଣର ଦେଶାନ୍ତରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜ ଗାଁ ଏବଂ ନିଜ ଭିଟାମାଟିରେ ସଂଜ୍ଞା ବଦଳି ଗଲାଣି। ପେଟପାଟଣା ପାଇଁ ଯିଏ ଗାଁ ବାହାରକୁ ଯାଉଛି, ସେ ଗାଁକୁ ଭୁଲିଯାଉଛି। ଗାଁ ଠାରୁ ୫ କିଲୋମିଟର ଦୂରରେ ଚାକିରୀ କରୁଥିଲେ ବି ଗାଁ ଛାଡ଼ି ସେଠାରେ ଘର କରି କିମ୍ୱା ଭଡ଼ାଘରେ ରହିଯାଉଛନ୍ତି। ଅଧା ପାଠୁଆଙ୍କ ଠାରୁ ପାଠୁଆମାନେ ଏ କ୍ଷେତ୍ରରେ ବେଶ‌୍‍ ଆଗୁଆ। ଜଗତିକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟ କିମ୍ୱା ରାଜ୍ୟ ବାହାରକୁ ଯାଉଥିବା ଯୁବକ-ଯୁବତୀମାନେ ଆଉ ପଛକୁ ଚାହଁୁନାହାଁନ୍ତି।   ସମସ୍ତେ ନିଜ ନିଜର କର୍ମସ୍ଥଳୀକୁ ପରବର୍ତ୍ତି ବାସସ୍ଥଳୀ ଭାବେ ଧରିନେଉଛନ୍ତି। ପୀଢି ଗୋଟିକୁ ଘର ଗୋଟିଏ ହୋଇଯାଉଛି। ଗୋଟିଏ ଘରେ ପୀଢି ପରେ ପୀଢି ରହିବାକୁ ପସନ୍ଦ କରୁନାହାଁନ୍ତି। ପୂର୍ବ ବାସସ୍ଥାନକୁ ଫେରିବା ମନୋଭାବ ଆଉ ନାହିଁ। ଯାହାଫଳରେ ପାରିବାରିକ ସମ୍ପର୍କ ଭିନ୍ନମୋଡ଼ ନେଉଛି। ପିତା-ମାତାମାନେ ନିଃସଂଗ ହୋଇପଡୁଛନ୍ତି, ପୁଅ-ଝିଅମାନଙ୍କ ଅବହେଳାର ଶିକାର ହେଉଛନ୍ତି। ନାତି ନାତୁଣୀଙ୍କ ସହିତ ଜୀବନକାଳ ମଧ୍ୟରେ ବୁଢ଼ାବୁଢ଼ୀଙ୍କର ଟିକେ ଦେଖାହେଉ ନାହିଁ। ମରିଗଲା ପରେ ଶୁଦ୍ଧିକ୍ରିୟାରେ ନାତି ନାତୁଣୀମାନେ ସାମିଲ‌୍‍ ହେଉନାହାଁନ୍ତି। ଘରେ ଛାଡ଼ିଯାଇଥିବା ବୁଢ଼ାବୁଢ଼ୀମାନେ ଡାକ୍ତରଖାନାରେ କିମ୍ୱା ଅନାଥାଶ୍ରମରେ ପ୍ରାଣ ହରାଉଛନ୍ତି।   ସମ୍ଭବତଃ ଏପରି ଭୟ ଓ ଦୁଃଖ ସେହି ଦମ୍ପତ୍ତିଙ୍କଠାରେ ରହିଛି। ସେହି କାରଣରୁ ପୁଅର ବିଦେଶ ଯାତ୍ରା ପରଠାରୁ ସେମାନେ ଶୋକ ଓ ଦୁଃଖଗ୍ରସ୍ତ ହୋଇ ପଡ଼ିଲେଣି। ଅବଶ୍ୟ ଇତିହାସ ଓ ପୁରାଣରେ ପୁତ୍ର ବିଚ୍ଛେଦ ଜନିତ ଦୁଃଖଦ କାହାଣୀର ବହୁ ବର୍ଣ୍ଣନା ରହିଛି। ତନ୍ମଧ୍ୟରେ ଯଶୋଦାଙ୍କ ବିଳାପ- କୋଇଲି ଲୋ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡି ନଇଲା ଲୋ- ସବୁଠାରୁ ଲୋକପ୍ରିୟ ସଂଗୀତ ଅଟେ।   ଏହି କଥାକୁ ଅର୍ଥାତ‌୍‍ ସେହି ପତ୍ନୀପତିଙ୍କ ବିଳାପକୁ ଆମେ ଏକ ଚା ଖଟିରେ ବର୍ଣ୍ଣନା କରୁଥିଲୁ। ସ୍ଥାନୀୟ ଜୟଦେବ ବିହାର ଅଞ୍ଚଳରେ ଥିବା ସେହି ଚା ଖଟିରେ ବହୁ ଲୋକଙ୍କ ସମାଗମ ଘଟେ। ଆମ୍ଭେ ସେହି କ୍ରନ୍ଦନ ଘଟଣାକୁ ଟିକେ ବନେଇ ଚୁନେଇ କହୁଥିବା ବେଳେ ଆମ ଅଲକ୍ଷ୍ୟରେ ଦୁଇଜଣ ଯୁବକ ତାହାକୁ ଶୁଣୁଥିଲେ। ସେମାନଙ୍କ ମଧ୍ୟରୁ ହଠାତ‌୍‍ ଜଣେ ଆମ ଆଗରେ ଆସି ଠିଆହେଲେ। ସେ ନିକଟରେ ଲଣ୍ଡା ହୋଇଥିଲେ। ଅତ୍ୟନ୍ତ କଡ଼ା ଗଳାରେ ସେ ଆମକୁ କହିଲେ- ମଁୁ ଆପଣଙ୍କୁ ଜାଣିଛି, ଆପଣ ଆମ ବାପାଙ୍କ ଗାଁ ପାଖ ଲୋକ। ବାପାଙ୍କ ସହିତ ଦୀର୍ଘ ସମୟ ଆପଣ କଥା ହେଉଥିବାର ମଁୁ ଦେଖିଛି। ଯେତେବେଳେ ଦେଖା ହୁଅନ୍ତି ଖାଲି ଗାଁ କଥା। ଆଉ ପୁରୁଣା କଥା। ଏବେ ଆପଣ ଯେଉଁ କଥାକୁ ପାଲା ଗାୟକ ଭଳି ବର୍ଣ୍ଣନା କରୁଥିଲେ, ତାହା ନିଶ୍ଚୟ ମୋ ପାଇଁ ଉଦ୍ଦିଷ୍ଟ ଥିଲା। ଆପଣ ମୋତେ ଦେଖି ତାହା କହୁଥିଲେ। ଏହା ନିରାଟ ସତ୍ୟ। କାରଣ ଆମେ ଦୁଇଭାଇ ବିଦେଶରେ ଅଛୁ। ଏବେ ବାପା ମରିଯିବାରୁ ଶୁଦ୍ଧିକ୍ରିୟା ପାଇଁ ଭୁବନେଶ୍ୱର ଆସିଛୁ। ମଁୁ ୧୫ ବର୍ଷ ପରେ, ସାନଭାଇ ୧୦ ବର୍ଷ ପରେ ଓ ସାନ ଭଉଣୀ ମଧ୍ୟ ୧୦ ବର୍ଷ ପରେ ଭୁବନେଶ୍ୱର ଆସିଛୁ। ବାପା ବୋଉ ଏଠାରେ ରୁହନ୍ତି। ଏକଥା ଆପଣ ଜାଣିଥିବାରୁ  ଏପରି ଭାଷଣ ଦେଇଚାଲିଛନ୍ତି ବୋଲି ପାଖାପାଖି ୪୦ ବର୍ଷ ବୟସ୍‌କ ସେହି ଯୁବକ ଜଣଙ୍କ କହିଲେ।   ତାଙ୍କ ପାଖରେ ଥିଲା ୧୦ ବର୍ଷର ଇଣ୍ଡୋ ଆମେରିକୀୟ କନ୍ୟା, ଅର୍ଥାତ‌୍‍ ସେ ଜଣେ ଆମେରିକୀୟ ଯୁବତୀଙ୍କୁ ବିବାହ କରିଛନ୍ତି।   ଏହାପରେ ସେ ଆମକୁ ତାତ୍ସଲ୍ୟଭରା କଣ୍ଠରେ କହିଲେ- ଆପଣ ତ ବାପାଙ୍କର ଜଣେ ସାନ ଭାଇ, ପରାମର୍ଶଦାତା। ତେଣୁ ଆପଣ ଟିକେ ବାପାଙ୍କୁ ପରାମର୍ଶ ଦେଲେନି ବାପା ଆମକୁ ପାଠ ପଢ଼ାଇ ନଥାଆନ୍ତେ। ହାଇସ୍କୁଲ‌୍‍ ଅଧାରୁ ପାଠ ବନ୍ଦ କରାଇ ଦେଇଥାଆନ୍ତେ। ଆମକୁ ଅଟୋ ଗୋଟିଏ ଧରାଇ ଦେଇଥାଆନ୍ତେ କିମ୍ୱା ଚା ଦୋକାନଟିଏ କରାଇ ଦେଇଥାଆନ୍ତେ କିମ୍ୱା ପିଅନ ଚାକିରୀଟେ କରାଇ ଦେଇଥାନ୍ତେ। ଯାହାଫଳରେ ଆମେ ଏଠାରେ ରହିଥାନ୍ତୁ ଏବଂ ବାପା- ବୋଉଙ୍କ ସେବା କରିଥାଆନ୍ତୁ। ଆପଣ ଏହା କଲେ ନାହିଁ କାହିଁକି? ବାପା ଆମକୁ ଏତେ ପଇସା ଖର୍ଚ୍ଚ କରି ଇଞ୍ଜିନିୟର ଓ ମ୍ୟାନେଜମେଣ୍ଟ ପଢ଼ାଇଥିଲେ କାହିଁକି?   ଏକଥା ଶୁଣିଲା ପରେ ତାଙ୍କୁ ଆମେ କି ଉତ୍ତର ଦେବୁ ଚିନ୍ତା କରିପାରିଲୁ ନାହିଁ।   ଫୋନ‌୍‍ : ୯୪୩୭୦୦୭୨୦୦

Share :