ପୁଅ ଯଦି ଯୋଗା ଧନ କାହିଁପାଇଁ ସଂଚୁ?

ପୁଅ ଯଦି ଯୋଗା ଧନ କାହିଁପାଇଁ ସଂଚୁ?

Share :

ଡକ୍ଟର ହରିହର କାନୁନ‌୍‍ଗୋ   ନୀତିର ବିପରୀତ ହେଉଛି ଦୁର୍ନୀତି। ନୀତିର ଅର୍ଥ ସାଧୁତା ବା ସଚ୍ଚୋଟତା। ନୀତି, ନିୟମ ଓ ନିଷ୍ଠାରେ ନ ରହିଲେ ମଣିଷ ହୁଏ ଦୁର୍ନୀତିଗ୍ରସ୍ତ। ଅଭାବରୁ ସ୍ୱଭାବ ନଷ୍ଟ, ଲୋଭ ଲାଭ, ବିଚାରବୋଧରେ ଦୁର୍ବଳତା, ଧର୍ମ ପ୍ରତି ଅନାସ୍ଥାଭାବ, ସ୍ୱାର୍ଥପରତା, ଅର୍ଥ କ୍ଷମତା-ପ୍ରତି ଅହେତୁକ ମୋହ କିମ୍ୱା ମୋହବତ (ପ୍ରିୟାପ୍ରୀତି ତୋଷଣ) ହିଁ ଦୁର୍ନୀତିର ମୂଳ କାରଣ। ଦୁର୍ନୀତିଗ୍ରସ୍ତ ମଣିଷ ଆତ୍ମସମୀକ୍ଷା ବା ଭୁଲ‌୍‍ ଠିକ‌୍‍ର ବିଚାର କରିପାରେନା। ସେତେବେଳେ ସେ ଜାଣିପାରେ ନାହିଁ ନିଜକୁ ସେ କ’ଣ? ବରଂ ନିଜ ଦୋଷଗୁଣକୁ ଘୋଡେ଼ଇ ଅନ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ - ମିଛ କହେ। ଅତଏବ ଯେଉଁଠି ନୀତି, ନ୍ୟାୟ, ବିବେକ ଓ ବିଚାର ଦୁର୍ବଳ ହୁଏ, ସେଇଠି ଇନ୍ଦ୍ରିୟ ସର୍ବସ୍ୱ ମନ ନୀତି ବିରୋଧୀ କାର୍ଯ୍ୟ କରି ମଣିଷକୁ ଦୁର୍ନୀତିଗ୍ରସ୍ତ କରିଦିଏ।   ତେବେ ଏହି ଦୁର୍ନୀତିର ପାପ-ପଙ୍କରୁ ଆମେ ନିଜକୁ ମୁକ୍ତ ରଖିବା କିପରି? ଯେଉଁ ସମାଜରେ ଆମେ ବାସ କରୁଛେ ସେହି ସମାଜରୁ ଦୁର୍ନୀତି ହଟିବ କିପରି? କାରଣ ଏବେ ଦୁର୍ନୀତି ଆମ ରାଜ୍ୟ ଓ ଦେଶର  ସବୁ ସ୍ତରକୁ ବ୍ୟାପିଗଲାଣି। ସରକାରୀ, ଅର୍ଦ୍ଧ ସରକାରୀ, ବେସରକାରୀ, ପ୍ରତ୍ୟେକ କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀ ପର୍ଯ୍ୟନ୍ତ ଏବଂ ପରିବାର ତଥା ସାଧାରଣ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଏହି ଦୁର୍ନୀତିର ଚେର ସମାଜକୁ ଆଜି କବଳିତ କରିବାକୁ ବସିଲାଣି। କେତେକ ପଦାଧିକାରୀ, କର୍ମଚାରୀ ନିଜକୁ ସେବକ ବଦଳରେ ଶାସକ-ଶୋଷକ ବୋଲି ଭାବୁଛନ୍ତି। ସେମାନଙ୍କ ଧାରଣା ଆଇନ‌୍‍ କେବଳ ସାଧାରଣ ଜନତାଙ୍କ ପାଇଁ ଅଛି, ଆମେ ଆଇନ‌୍‍ର ଊର୍ଦ୍ଧ୍ୱରେ। ସେଇଥିପାଇଁ ଆମ ଦେଶରେ ଓ ରାଜ୍ୟରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି। ଜଣେ ନୂଆ ଚାକିରିରେ ଯୋଗ ଦେଲେ ତା’ ଦାୟିତ୍ୱ-କର୍ତ୍ତବ୍ୟ ସମ୍ୱନ୍ଧରେ ଆମେ ଉପଦେଶ ନ ଦେଇ; ବରଂ ତାକୁ ଉପୁରି ରୋଜଗାର କରିବା ସମ୍ୱନ୍ଧରେ ପରାମର୍ଶ ଦେଉ। ଏହା ହିଁ ଆଜି ଆମର ମାନସିକତା ହୋଇଛି।   ସମଗ୍ର ବିଶ୍ୱରେ ୧୫୦ଟି ଦେଶ ମଧ୍ୟରୁ ସ୍ୱଚ୍ଛତା ବା ଦୁର୍ନୀତିମୁକ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ ୮୭। ସେହିଭଳି ଭାରତରେ ଥିିବା ୩୦ଟି ରାଜ୍ୟ ଭିତରୁ ସ୍ୱଚ୍ଛତାରେ ଓଡ଼ିଶା ରାଜ୍ୟର ସ୍ଥାନ ୧୨। ଏପରି କ୍ଷେତ୍ରରେ ସମାଜରୁ ଦୁର୍ନୀତି ହଟାଇବା ସହିତ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ସରକାର ଜନସାଧାରଣଙ୍କ ନିମନ୍ତେ ସୂଚନା ଅଧିକାର ଆଇନ‌୍‍ ପ୍ରଣୟନ କରିଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସୁଫଳ ମିଳିପାରୁନାହିଁ। ଅନ୍ୟ ରାଜ୍ୟ ତୁଳନାରେ ସୂଚନା ଆଇନ‌୍‍କୁ ଅଧିକ ଲୋକାଭିମୁଖୀ କରିବାରେ ଆମେ ଏପର୍ଯ୍ୟନ୍ତ ସଫଳତା ପାଇନାହୁଁ। ତେଣୁ ଜନସାଧାରଣ ଏଥିପ୍ରତି ଏବେ ମଧ୍ୟ ସଚେତନ ନୁହନ୍ତି। ତେଣୁ ଏଥିରୁ ଯେତେ ସୁଫଳ ପାଇବା କଥା, ତାହା ସେମାନେ ପାଇପାରୁ ନାହାନ୍ତି। ଏହା ବ୍ୟତୀତ ସରକାରଙ୍କ ବିଭାଗୀୟ ପଦାଧିକାରୀ ବା କର୍ମଚାରୀ ଦୁର୍ନୀତିରେ ସଂପୃକ୍ତ ବା ଜଡ଼ିତ ଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯାଉ ନାହିଁ।  ତେଣୁ ଜନସାଧାରଣଙ୍କ ସମେତ ସରକାରୀ କର୍ମଚାରୀ ଓ ପଦାଧିକାରୀଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ତେଣୁ ମଣିଷର  ମାନସିକତାରେ ଏଭଳି ପରିବର୍ତ୍ତନ ଆସିବା ପାଇଁ ଆଧ୍ୟାତ୍ମିକତାର ହିଁ ଆବଶ୍ୟକତା ରହିଛି।   ଆଧ୍ୟାତ୍ମିକତାର ମୂଳମନ୍ତ୍ର ନିଃସ୍ୱାର୍ଥ ସେବା। ନିଃସ୍ୱାର୍ଥ ସେବା ମନୋଭାବ ରହିଲେ ଦୁର୍ନୀତି କମିଯିବ। ମନରେ ପ୍ରଶ୍ନ ଆସେ  ଆଧ୍ୟାତ୍ମିକତା କ’ଣ? ଧର୍ମଠାରୁ ଆଧ୍ୟାତ୍ମିକତା ଭିନ୍ନ କି?  ଧର୍ମ ଆଙ୍ଗିକ ହେଲେ ଆଧ୍ୟାତ୍ମିକତା ଆତ୍ମିକ। ଧର୍ମ ଶରୀର ହେଲେ ଆଧ୍ୟାତ୍ମିକତା ତା’ର ଆତ୍ମା। ଧର୍ମ ସ୍ଥୂଳ ହେଲେ ଆଧ୍ୟାତ୍ମିକତା ସୂକ୍ଷ୍ମ। ଧର୍ମ ଚିନ୍ତାଧାରା ହେଲେ ଆଧ୍ୟାତ୍ମିକତା ଏକ ଚେତନା।  ଅତଏବ ବ୍ୟକ୍ତିର ନୈତିକ ମୂଲ୍ୟବୋଧ ବା ମଣିଷପଣିଆ ହିଁ ଆଧ୍ୟାତ୍ମିକତା। ଆତ୍ମା ସମ୍ୱନ୍ଧୀୟ ଭାବ (ଈଶ୍ୱର/ବ୍ରହ୍ମ) ବିଷୟକ ଜ୍ଞାନ ହିଁ ଆଧ୍ୟାତ୍ମିକତା, ଯାହା ଏ ସଂସାରକୁ ଧାରଣ ବା ପୋଷଣ କରି ରଖିଥାଏ। ତେଣୁ କର୍ତ୍ତବ୍ୟ-କର୍ମ ହିଁ ଧର୍ମ। ୮୪ ଲକ୍ଷ ଜନ୍ମ ପରେ ଦୁର୍ଲଭ ଏ ମଣିଷ ଜନ୍ମ ଆମେ ପାଇଛେ। ପୁଣି ଭବିଷ୍ୟତରେ ଏ ମଣିଷ ଜନ୍ମ ସେ ପାଇବ କି ନା - ତା’ ସେ ଜାଣେ ନାହିଁ। ତେଣୁ ଚିତା ଜଳିବା ପୂର୍ବରୁ ଚେତନା ପ୍ରତ୍ୟେକ ମଣିଷ ମନରେ ଥରେ ଜାଗ୍ରତ ହେବା ଦରକାର। କାରଣ ଇନ୍ଦ୍ରିୟମାନଙ୍କର ରାଜା ହେଉଛି ଆତ୍ମା; କିନ୍ତୁ ଏ ମଣିଷ ଇନ୍ଦ୍ରିୟ ସୁଖ ପାଇବା ପାଇଁ ମନକୁ ହିଁ ରାଜା କରିଦେଉଛି; କିନ୍ତୁ ସେଥିରେ ପ୍ରକୃତ ଶାନ୍ତି କି ସୁଖ ନାହିଁ। କାରଣ ସେ ଭାବୁଛି ଏଇଥିରେ ହିଁ ସୁଖ-ଶାନ୍ତି-ଆନନ୍ଦ ଅଛି। ବିଳାସ ବ୍ୟସନରେ ଇନ୍ଦ୍ରିୟ ସୁଖରେ ବଞ୍ଚିବାକୁ ଚାହେଁ ମନ; କିନ୍ତୁ ମନକୁ ରାଜା କର ନାହିଁ, ସେ ଭୁଲ‌୍‍ ବାଟକୁ ନେଇଯିବ। ସେଇଥିପାଇଁ ‘ମନବୋଧ ଚଉତିଶା’ ଚେତେଇ ଦଉଛି- କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନିଯିବୁ ତୋର ଛୁଟିଲେ ଘଟ।   ତେଣୁ ମନରୂପକ ଇନ୍ଦ୍ରିୟକୁ ସଂଯତ କରି ଆତ୍ମାକୁ ରାଜା କରିଦିଅ- ପ୍ରକୃତ ସୁଖ-ଶାନ୍ତି-ଆନନ୍ଦ ପାଇବ। ଦୁର୍ନୀତିଗ୍ରସ୍ତ ମଣିଷ ବିପଦରେ ପଡ଼ିଲେ ଡାକେ, ପ୍ରଭୁ! ମୋତେ ରକ୍ଷାକରନ୍ତୁ; କିନ୍ତୁ ପ୍ରଭୁ ତ ମଣିଷ ଭିତରେ ଅଛନ୍ତି। ମଣିଷ ଭିତରେ ଥିିବା ପ୍ରଭୁ ବା ମଣିଷ ପଣିଆକୁ ସେ ଚିହ୍ନିପାରିଲେ ଆଉ ଦୁର୍ନୀତି କରିବ କି? ତା’ର ବିବେକ ତାକୁ ବାଧା ଦେବ। କାରଣ, ଗଲେଣି ତୋ ସଙ୍ଗରୁ କେ କେତେ ଜନ, ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ।   ତେଣୁ ସତ‌୍‍ କର୍ମ ବା କର୍ତ୍ତବ୍ୟବୋଧକୁ ନିଜ ଅନ୍ତଃକରଣରେ ଯିଏ ଉପଲବ‌୍‍ଧି କରେ ତାହା ହିଁ ଆଧ୍ୟାତ୍ମିକତା। ମଣିଷର ଆଚରଣ ଓ ଉଚ୍ଚାରଣ ଠିକ‌୍‍ ରହିବା ଦରକାର। ତେଣୁ ଅନ୍ତଃକରଣର ଶୁଦ୍ଧତା ହିଁ ପ୍ରକୃତ ଧର୍ମ। ଏଇ ଶୁଦ୍ଧତା ସୃଷ୍ଟି ହୁଏ ମଣିଷର ସରଳ ବା ଆତ୍ମବିଶ୍ୱାସରୁ- ଆବଶ୍ୟକତାରୁ ନୁହେଁ। ଉଚିତ‌୍‍ କର୍ମ ବା ସତ‌୍‍ କର୍ମ ଦ୍ୱାରା ହିଁ ମଣିଷ ଧର୍ମ ଅର୍ଜନ କରେ। ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି। ସତ‌୍‍ ଧନ ହିଁ କେବଳ ସତ‌୍‍ କାର୍ଯ୍ୟରେ ଲାଗେ; ଅସତ‌୍‍ ଧନ କେବେ ଧର୍ମ କାର୍ଯ୍ୟରେ ଲାଗେନା। ଲାଗେ ଥାନା, କଚେରୀ ଓ ଡାକ୍ତରଖାନାରେ। ଅସତ‌୍‍ ଧନ ବଢ଼ି ବଢ଼ି ଯାଏ - ଶେଷରେ ହଠାତ‌୍‍ ତା’ର ମୂଳୋପିାଟନ ହୁଏ। ଯେପରି- ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ।   ସଂସାରରେ ଏ ଧନ ତିନିପ୍ରକାରର - ଦେବସ୍ୱ, ରାଜସ୍ୱ ଓ ବ୍ରହ୍ମସ୍ୱ। ଏହି ତିନିପ୍ରକାର ଧନକୁ କେହି ହଡ଼ପ କରିବା ଉଚିତ‌୍‍ ନୁହେଁ। ଅସତ‌୍‍ ଉପାୟରେ ଏହି ଧନ ଆତ୍ମସାତ‌୍‍ କଲେ ପରିବାର ତଥା ସମାଜ ଉପରେ ତା’ର ପ୍ରତ୍ୟକ୍ଷ ପ୍ରଭାବ ପଡେ଼। ପରିବାରରେ ପିଲାମାନେ ଭଲ ମଣିଷ ହୋଇପାରନ୍ତି ନାହିଁ। ବାଳୁଙ୍ଗା ହୋଇ ଅସତ‌୍‍ ଧନକୁ ବିନିର୍ବ୍ୟୟ କରିଥାନ୍ତି। ସେଇଥିପାଇଁ କୁହାଯାଇଛି, ପୁଅ ଯଦି ଯୋଗା ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗା ଧନ କାହିଁପାଇଁ ସଂଚୁ। ତେଣୁ ବ୍ୟକ୍ତିର ଏଇ ସାମାଜିକ ଧର୍ମପାଳନ ହିଁ ଆଧ୍ୟାତ୍ମିକତା । ଆଉ ଏକ ଉଦାହରଣ ନିଆଯାଉ। ଯେମିତି ମିଠା ଓ ପିତା। ମିଠା ପାଟିକୁ ଭଲ ଲାଗେ ସତ; ଶରୀରକୁ ରୋଗିଣା କରିଦିଏ। ସେମିତି ପିତା ପାଟିକୁ ଖରାପ ଲାଗେ; କିନ୍ତୁ ଶରୀରକୁ ନିରୋଗୀ ଓ ସୁସ୍ଥ ରଖେ।   ସେହିଭଳି ଦୁର୍ନୀତିଗ୍ରସ୍ତ ମଣିଷ ସାମୟିକ ସୁଖ-ଆନନ୍ଦ ପାଇପାରେ; କିନ୍ତୁ ନୀତି-ନିୟମରେ ଥିବା ମଣିଷ ଅଭାବ-ଦୁଃଖକଷ୍ଟ ପାଇଲେ ବି ସେଥିରେ ଥାଏ ମାନସିକ ଶାନ୍ତି-ଆନନ୍ଦ। ତେଣୁ ନୀତି-ନୈତିକତା ଥିବା ମଣିଷ ପାଖରେ ଥାଏ ବିଚାରବୋଧ। ଆମ ଜୀବନଶୈଳୀ କ’ଣ ହେବା ଉଚିତ‌୍‍, ସେ ସଂପର୍କରେ ଆମେ କେହି ସଚେତନ କି? କାହିଁକି ଆଜି ମଣିଷ ଦୁର୍ନୀତି କରିବାକୁ ପଛଉ ନାହିଁ? ଦେବସ୍ୱ, ରାଜସ୍ୱ ଓ ବ୍ରହ୍ମସ୍ୱକୁ ଆତ୍ମସାତ‌୍‍ କରିବା ପାଇଁ ତା’ ବିବେକ ତାକୁ ବାଧା ଦଉନି କାହିଁକି? ତା’ର କାରଣ ହେଲା ଆମେ ଭାବୁଛେ ମଣିଷ ମରିଯିବା ପରେ ନିଆଁରେ ପୋଡ଼ି ଶରୀର ଯେତେବେଳେ ପାଉଁଶ ହୋଇଯାଏ, ସେତେବେଳେ କ’ଣ ସେ ପରଜନ୍ମ ବା ପୁନର୍ଜନ୍ମ କଥା ଜାଣିପାରେ? ତେଣୁ ଏହି ଜନ୍ମରେ ହିଁ ଯେତେ ପାରୁଛ ଇନ୍ଦ୍ରିୟ ସୁଖ-ଆନନ୍ଦ ଭୋଗ କରି ବିଳାସବ୍ୟସନରେ ବଞ୍ଚ। ଜୀବନର ଲକ୍ଷ୍ୟ-ଉଦ୍ଦେଶ୍ୟ ପ୍ରତି ବିଶ୍ୱାସ ଦୃଢ଼ ନ ରହିଲେ ଏ ପ୍ରକାର ମନୋଭାବ ହିଁ ମଣିଷ ଭିତରେ ଜନ୍ମ ନିଏ। ଅବିଶ୍ୱାସ ଓ ବିଶ୍ୱାସ ମଧ୍ୟରେ ଆନ୍ଦୋଳିତ ଭାବ (କୋଉଟା ଠିକ‌୍‍ ବା କୋଉଟା ଭୁଲ‌୍‍) ମନ ଓ ଆତ୍ମାର ଆକର୍ଷଣ ମଧ୍ୟରେ ଥିିବା ଦ୍ୱନ୍ଦ୍ୱରୁ ହିଁ ଆସେ। ତେଣୁ ଲୋଭ-ମୋହ ଜାଲରେ ପଡ଼ି ମନୁଷ୍ୟ ଦୁର୍ନୀତିଗ୍ରସ୍ତ ହୁଏ ଓ ଜୀବନର ମହତ୍ତର ଲକ୍ଷ୍ୟପଥରୁ ସେ ଦୂରେଇଯାଏ।   ବର୍ତ୍ତମାନର ଯୁବ ସମାଜ ପଥଭ୍ରଷ୍ଟ-ଶତକଡ଼ା ୯୦ ଭାଗ ଆଜି ଦୁର୍ନୀତିଗ୍ରସ୍ତ। ନୀତି-ନୈତିକତା ଓ ଆଦର୍ଶ ସେମାନଙ୍କ ପାଇଁ ଆଜି ମୂଲ୍ୟହୀନ। ସଂସାରରୂପକ ସମାଜରେ ଆଜି ଯାହା ଘଟୁଛି, ସବୁ ଅଳିକ-ମିଛ; କିନ୍ତୁ ଏ ଜୀବ ଭିତରେ ଥିିବା ଆତ୍ମାଟି କେବଳ ସତ୍ୟ। ସତ୍ୟର ପଥ ହେଉଛି ଧର୍ମର ପଥ। ଏ କଳିଯୁଗରେ କେହି ସତରେ ନାହାନ୍ତି। ତେଣୁ ସତ ଥିଲେ ଭାତ ମିଳେ। ସତ୍ୟପଥର ମଣିଷ କେବେ ଜୀବନରେ ଅଶାନ୍ତି, ଅସନ୍ତୋଷ ଭୋଗେନା କି ଦୁର୍ନୀତିରେ ଲିପ୍ତ ରହେନା। ତେଣୁ ସେ କୌଣସି ଭୟ ଭ୍ରାନ୍ତି ବା ମୃତ୍ୟୁକୁ କେବେ ଡରେନା। ତା’ ଭିତରେ ଆପେ ଆପେ ଆତ୍ମବଳ ଆଟମ‌୍‍ ବମ‌୍‍ ଭଳି କାର୍ଯ୍ୟକରେ। ଅତଏବ ପ୍ରତିଟି ମଣିଷ ଭିତରେ ଏହି ଚେତନା ଜାଗ୍ରତ ହେଲେ ଦୁର୍ନୀତି ଆପେ ଆପେ ସମାଜରୁ କମିଯିବ। ଜନ୍ମ-ମୃତ୍ୟୁ ଭଳି ଚିରନ୍ତନ ସତ୍ୟକୁ ଥରେ ଏ କଳିହତ ମାନବ  ବିଶେଷ କରି ଯୁବ ସମାଜ ଯଦି ଅନୁଭବ କରେ, ତେବେ ସେ କ’ଣ ଆଉ ଦୁର୍ନୀତି କରିବ? ତେଣୁ ଯେତେ ଦିନ ଆମେ ବଞ୍ଚିବା ଭଲ ମଣିଷ ହେଇ ବଞ୍ଚିବା- ଦେଶ ଜାତିର ହିତ ପାଇଁ କିଛି ଭଲ କାମ କରିବା। କ୍ଷମତା, ପଦପଦବୀ ଓ ଭୋଗବାଦୀ ବସ୍ତୁ କିଛି ଆମ ସାଙ୍ଗରେ ଯିବନାହିଁ - ସବୁ ରହିଯିବ ଏଇଠି। କେବଳ ମଲା ପରେ ସାଥୀରେ ଯିବ କର୍ମଫଳ- ଯଶ, କୀର୍ତ୍ତି ଓ ମାନ। ଯେଉଁଠି ଆଧ୍ୟାତ୍ମିକତା ବା ଈଶ୍ୱର ବିଶ୍ୱାସ ନୀତି ଓ ନୈତିକତା ଆଧାରରେ ଦୃଢ଼ ହୁଏ, ସେଇଠି ବିବେକ ବା ବିଚାରବୋଧ ଅନୁସାରେ ମନୁଷ୍ୟ ଠିକ‌୍‍ କର୍ମ କରେ, ସେତିକିବେଳେ ଯାଇ ଦୁର୍ନୀତି ସମାଜରୁ ହଟିବ। ତେଣୁ ମଣିଷର ଆତ୍ମାନୁଭୂତି ବା ଆତ୍ମଚେତନା ହିଁ ଆଧ୍ୟାତ୍ମିକତା।   ସେଇଥିପାଇଁ ଆଧ୍ୟାତ୍ମିକ ମଣିଷ ଭିତରେ ଥାଏ ଉତ୍ତମ ସ୍ୱଭାବ। ମଧୁର ବ୍ୟବହାର ହିଁ ତା’ର ବ୍ୟକ୍ତିତ୍ୱ। ‘ମଧୁର ବିନୟ ବଚନ, କହି ତୋଷିବ ଜନମନ’। କାମନା-ବାସନା ରୂପକ ବିଷୟାନନ୍ଦ କେବେ ମଣିଷକୁ ଚିର ଶାନ୍ତି ଦେଇପାରେ ନାହିଁ; ବରଂ କେବଳ ଆଧ୍ୟାତ୍ମିକ ଆନନ୍ଦ ବା ବ୍ରହ୍ମାନନ୍ଦ ବା ସତ‌୍‍-ଚିତ‌୍‍-ଆନନ୍ଦ ହିଁ ମଣିଷକୁ ନିତ୍ୟ-ଅନନ୍ତ ସୁଖ ଦେଇଥାଏ। କାରଣ ଧନ ମଣିଷକୁ ଅହଂକାରୀ କରେ; କିନ୍ତୁ ଜ୍ଞାନ ମଣିଷକୁ ସ୍ୱାଭିମାନୀ କରେ। ତେଣୁ ଧନ ଅପେକ୍ଷା ଜ୍ଞାନ ବଡ଼। ଆଧ୍ୟାତ୍ମିକ ଜ୍ଞାନ ହିଁ ପ୍ରକୃତରେ ମଣିଷକୁ ରକ୍ଷା କରେ; ମାତ୍ର ଅର୍ଜିତ ଧନ କେବେ ସୁରକ୍ଷା ଦେଇପାରେନା।   ତେଣୁ ଆଧ୍ୟାତ୍ମିକତା ହିଁ ମଣିଷକୁ ନିର୍ମଳ ଓ ନୀତିନିଷ୍ଠ କରେ। ସେଇଥିପାଇଁ କୁହାଯାଇଛି: ପ୍ପନୀତି ନିୟମ ନିଷ୍ଠା, ଏ ତିନି କରେ ପ୍ରତିଷ୍ଠାଡ୍ଗ। ଏ ଜୀବ ଆସିଛି କେବଳ ଯିବା ପାଇଁ; ଏହାକୁ ନେଇ ଏତେ ଗର୍ବ-ଅହଂକାର କରିବା ଆଦୌ ଉଚିତ ନୁହେଁ। ତେଣୁ ଏ ଜୀବକୁ ସତ‌୍‍ମାର୍ଗରେ ବା କର୍ମମୟ ଜୀବନପଥରେ ପରିଚାଳିତ କରିବା ପାଇଁ ଏ ସଂସାରରେ କେବଳ ଆଧ୍ୟାତ୍ମିକତାର ହିଁ ଆବଶ୍ୟକତା ରହିଛି। ପ୍ରତ୍ୟେକ ଜୀବ (ମଣିଷ) ଭିତରେ ଏହି ଆଧ୍ୟାତ୍ମିକତାର ଉତ୍ତରଣ ଘଟିଲେ ଆପେ ଆପେ ପରିବାରରୁ, ସମାଜରୁ ତଥା ଶାସନକଳରୁ ଦୁର୍ନୀତି ହଟିଯିବ, ଫଳରେ ସମାଜରେ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତିଷ୍ଠା ହୋଇପାରିବ। ତେଣୁ ଦୁର୍ନୀତିମୁକ୍ତ ସମାଜ ପାଇଁ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ-କର୍ତ୍ତବ୍ୟ ରହିବା ଆବଶ୍ୟକ।   ବରିଷ୍ଠ ପ୍ରାଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର-୭୫୬୦୦୧ ମୋ: ୦୯୪୩୭୪୪୬୬୦୪

Share :