ଶ୍ୟାମବାବୁ ଦୋରା ୧. ସଲମାନ ଖାନ କୃଷ୍ନସାର ମୃଗ ଶିକାର କରି ନାହାଁନ୍ତି, ଏହା ସତ୍ୟ। ପ୍ରମାଣ ନଂ- ୧. ସେ ସଲମାନ ଖାନ। ୨. ସେ ଏ ପର୍ଯ୍ୟନ୍ତ ରାସ୍ତାକଡେ ଶୋଇଥିବା ଗୋଟିଏ ବି ଲୋକକୁ ମଦ୍ୟପାନ କରି ଗାଡି ଚଳାଇ ଦଳିଦେବା ଭଳି ଅପରାଧଟିଏ କରି ନାହାଁନ୍ତି। ୩. ଯେହେତୁ ଆକାଶର ରଙ୍ଗ ନୀଳ। ୨. ଯଦି ବି ସେ ମୃଗ ଶିକାର କରିଥିବେ ତଥାପି ତାଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ। କାରଣ - ଅଂଶୁଘାତରେ ହଜାରେ ଲୋକଙ୍କର ଅପମୃତ୍ୟୁ ପରେ ବି ସୂର୍ଯ୍ୟଙ୍କୁ ଏଥିପାଇଁ ଦାୟୀକରି ଦୋଷୀ ସାବ୍ୟସ୍ତ କରିବା ଆଇନ ବ୍ୟବସ୍ଥାରେ ନାହିଁ। ୩. ସଲମାନ ଖାନ ଯୋଉ ମୃଗକୁ ମାରି ନଥିଲେ ସେଇ ମୃଗଟି ଦିନେ ସ୍ପ୍ନରେ ଆସି ମୋତେ କହିଲା- ବଡ ସମସ୍ୟାରେ ପଡି ଯାଇଚି ଭାଇ, ଜାଣି ପାରୁନି.. ମୁଁ ମରିଚି ନା’ ବଞ୍ଚିଚି! କହିଲି - ଏ ଦେଶରେ ଅଧିକାଂଶ ମଣିଷଙ୍କର ଅବସ୍ଥା ତ’ ସେଇଆ, ଆଉ ତୁ’ ତ ଛାର ମୃଗ! ୪. ଜଣେ ତ୍ରିକାଳଦର୍ଶୀ ପଣ୍ଡିତ କାଳେ କହୁଥିଲେ- ଗତ ଜନ୍ମରେ ମୃଗଟି ସଲମାନ ଖାନ ଓ ସଲମାନ ଖାନ ମୃଗ ରୂପରେ ଜନ୍ମ ଗ୍ରହଣ କରିଥିଲେ। ୫. ଆଜିକୁ ୨୫ ବର୍ଷ ପରର କଥା। ୭୫ ବର୍ଷ ବୟସରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ ଅବସରରେ ପ୍ରଥମ ସାକ୍ଷାତକାରରେ ଥର ଥର କଣ୍ଠରେ ସଲମାନ ଖାନ -ହଁ.. ଏହା ସତ୍ୟ ଯେ’ ଯୁବାବସ୍ଥାରେ ଦିନେ ମୁଁ ମୃଗ ଶିକାର କରିଥିଲି! ଲୋକମାନେ କୁହା କୁହି ହଉଥିଲେ- ଆହା ! ଦେଖ, ସଲମାନ ସାହେବ ସତରେ କେତେ ମହାନ!