ସ୍ତୁତି

News Story - Posted on 2016-09-16

 

ଦେବେନ୍ଦ୍ର ପୃଷ୍ଟି

 

ଦେବୀ ତୁମେ, ନଦୀ ତୁମେ, ଉଷା ଓ ସକାଳ।

ସନ୍ଧ୍ୟା ଓ ଶର୍ବରୀ ତୁମେ କାଳର କମଳ।

ଫୁଲର ମହକ ପୁଣି ମହକର ମଧୁ,

ଫଳର ନିର୍ଯାସ ତୁମେ ମୋ ମନର ବଧୂ ଆଉ ବନ୍ଧୁ।

 

ଆମ ଏଇ ଜୀବନର ଅସମାନ ତେଢ଼ାମେଢ଼ା ରାସ୍ତାର କାହାଣୀ,

ତା’ ଭିତରେ ପଡ଼େ ଯେତେ ହାଇଫେନ୍‌, କମା ଓ କଲୋନ୍‌,

ସବୁ ମୋ କାନ୍ଧରେ ଶବ, ମନରେ ମୋ ସ୍ମୃତିର ପ୍ରେତାତ୍ମା,

କିଏ ଜାଣେ ଏ କାହାଣୀ କେତେବେଳେ ନେବ ପୂର୍ଣ୍ଣଚ୍ଛେଦ?

 

ମୁଁ ମୂର୍ଖ ଜାଣେନି ଜମା ତୁମକୁ ପାଇବି କେହ୍ନେ

ଜପରେ, ଯଜ୍ଞରେ ଅବା କାମନାର ଶତ ତପସ୍ୟାରେ?

ମୋ ବର୍ତ୍ତମାନରେ ଥାଇ ମୁଁ ଅଧମ

ଝୁଲିବାକୁ ଇଚ୍ଛାକରେ ଦେବୀ ତୁମ କାଳର କୋଳରେ।

 

ପ୍ରାଣ ତୁମେ, ପ୍ରାଣର ସ୍ପନ୍ଦନ!

ଦେହ ତୁମେ, ଦେହର ଦହନ!

ମନ ତୁମେ, ମନର ମନନ!

ଦେବୀ ତୁମେ ଆଶାର ପାର୍ବଣ!

 

ମୋ ପାଇଁ କି ଅବତାର ନେବ?

ମୋ ପାପପୂଣ୍ୟର କେବେ ହିସାବ କରିବ?

 

ଭ୍ରାମ୍ୟଭାଷ-୦୯୪୩୭୦୩୬୨୭୬


ପ୍ରତିକ୍ରିୟା

Manini - Email: mishramanini5@gmail.com - Posted on 2016-09-16 16:49:48

V nice sir

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top