ଜିଏସଟି ନେଇ କିଛି ପ୍ରଶ୍ନ

News Story - Posted on 2016-09-14

ରତ୍ନେଶ୍ବର ସାହୁ

 

ସାମଗ୍ରୀ ଏବଂ ସେବା କର ବା ଜିଏସଟିକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଓ ନୁଆ ଆଇନ ଆସିଲେ କାହାର କେତେ ଲାଭ ହେବ ସେନେଇ କିଏ କେତେ କଥା କୁହନ୍ତି। କିନ୍ତୁ ତଥାପି କେତେକ ପ୍ରଶ୍ନର ଉତ୍ତର ଆମ ପାଖରେ ନାହିଁ। ତାହା ଜାଣିବା ପାଇଁ ଏଇ ଉପସ୍ଥାପନା।

 

୧. ଯେଉଁଠି ଗୋଟିଏ ଲୋକକୁ ଔଷଧ ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ପଡୁଛି ସେହି କ୍ଷେତ୍ରରେ କ’ଣ ହେବ?

 

୨. ଯେଉଁଠି ପାଠ ପଢା ସାମଗ୍ରୀ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ହୁଏ ସେହି ସମୟରେ କ’ଣ ହେବ?

 

୩. ଯେଉଁଠି ଡାଲି, ତେଲ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ସେହି ସମୟରେ କ’ଣ ହେବ?

 

ପ୍ରଥମ କଥା ହେଲା ଔଷଧ। ଏହି ଔଷଧର ପ୍ରକୃତ ଦର କେତେ କିଏ କହିପାରିବ? କାରଣ ଏଠାରେ ଡାକ୍ତରଙ୍କୁ ସେହି ଔଷଧ ଲେଖିବା ପାଇଁ କମ୍ପାନୀମାନେ ବିଭିନ୍ନ ଉପାୟରେ ପ୍ରଲୋଭିତ ଓ ପ୍ରଚୋଦିତ କରିଥାନ୍ତି। ଡାକ୍ତରମାନେ ମଧ୍ୟ ପର୍ସେଣ୍ଟ ବା ଅନ୍ୟାନ୍ୟ ଉପହାର ନେଇ ସେହି ଔଷଧ ଲେଖିଥାନ୍ତି। ଡାକ୍ତରଙ୍କ ପିଛେ ଔଷଧ କମ୍ପାନୀଗୁଡ଼ିକ ଖର୍ଚ୍ଚ କରୁଥିବା ଅର୍ଥ କିଏ ଭରଣା କରନ୍ତି? ତାହା କେଉଁଠାରୁ ଆସେ?

 

ଦ୍ବିତୀୟରେ କମ୍ପାନୀର ବ୍ୟବସାୟୀ ପ୍ରତିନିଧି ଓ ଏମାନଙ୍କ ଦରମା, ଗାଡି ଖର୍ଚ୍ଚ, ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ଏସବୁ ଅର୍ଥ କେଉଁଠାରୁ ଭରଣା ହୋଇଥାଏ?

 

ତୃତୀୟରେ ଯେଉଁ ବ୍ୟବସାୟୀଙ୍କ ଠାରୁ ଲୋକମାନେ ସିଧାସଳଖ କିଣନ୍ତି ଓ ସେମାନେ ଯେଉଁ ଲାଭ ରଖନ୍ତି ସେ ଅର୍ଥ କେଉଁଠାରୁ ଭରଣା ହୁଏ?

 

ଚତୁର୍ଥରେ ରାଜ୍ୟ ସ୍ତରର ବ୍ୟବସାୟ, ବିଜ୍ଞାପନ ଏବଂ ଆନୁସଂଗିକ ଖର୍ଚ୍ଚର ଅର୍ଥ କେଉଁଠାରୁ ଭରଣା ହୁଏ?

 

ଏସବୁ ଖର୍ଚ୍ଚ ଔଷଧ ଉତ୍ପାଦନ ଖର୍ଚ୍ଚ ନୁହେଁ। ଏହା ବିକ୍ରି ଖର୍ଚ୍ଚ। ଏ ଖର୍ଚ୍ଚ ବ୍ୟବସାୟୀ ଓ କମ୍ପାନୀ ବହନ କରିବା କଥା। କିନ୍ତୁ ଏହା ଖାଉଟିଙ୍କ ଉପରେ ପକାଇ ଦିଆଯାଏ। ଔଷଧର ପ୍ରକୃତ ଉତ୍ପାଦନ ଦରଠାରୁ ଏହାର ବିକ୍ରି ବାବଦ ଖର୍ଚ୍ଚ କାହିଁ କେତେ ଗୁଣ ଅଧିକ। ଏହା ଉପରେ ଟିକସ ପରିମାଣ ତା’ଠାରୁ ଅଧିକ। ଏଣୁ ପ୍ରଶ୍ନ ଉଠେ, ଔଷଧର ପ୍ରକୃତ ଦର କେତେ? ତା’ ଉପରେ କେତେ ଟଙ୍କା ଟିକସ ଦେବାକୁ ହୁଏ? କେତେ ଟଙ୍କା ଜଣେ ଉପଭୋକ୍ତା ପଇଠ କରେ? ଜିଏସଟି ଲାଗୁ କରିବା ପୂର୍ବରୁ ଏହି ବିଷୟରେ କ’ଣ ନିଷ୍ପତ୍ତି ହୋଇଛି?

 

ବର୍ତ୍ତମାନ ପାଠ ପଢା ସାମଗ୍ରୀ ବିଷୟରେ ଆଲୋଚନା କରିବା। ପାଠପଢା ପାଇଁ ଖାତା, କଲମ, ଟେଷ୍ଟ ପେପର, ବହି ଓ ଅନ୍ୟ ସାମଗ୍ରୀ କିଣିବାକୁ ପଡ଼ିଥାଏ। ଏହି ସାମଗ୍ରୀଗୁଡିକର ମୁଳ ଦର ଏବଂ ଟିକସ ପରିମାଣ ଉପରେ କ’ଣ ଆଲୋଚନା ହୋଇଛି ତାହା ମଧ୍ୟ ଆଲୋଚନାଯୋଗ୍ୟ। ଏସବୁ ସାମଗ୍ରୀ ଉପରେ ଲୋକମାନେ ଟିକସ ଦେବେ କେତେ ପରିମାଣରେ, କେତେ ପରିମାଣରେ ବ୍ୟବସାୟୀମାନେ ଲାଭ ରଖିବେ ସେନେଇ ଯଦି କିଛି ନିଷ୍ପତ୍ତି ନିଆ ନ ଯାଏ ତାହାହେଲେ ଏହି ନୀତି କେତେଦୂର ସାଧାରଣ ଲୋକର ସହାୟତା କରିବ?

 

ରାସନ ସାମଗ୍ରୀ କଥା ଟିକେ ଭିନ୍ନ। ରାସନ ସାମଗ୍ରୀର ଦର ଲେଖା ହୋଇଥାଏ ଗୋଟିଏ, କିନ୍ତୁ କିଣିଲା ବେଳେ କମ୍ ଦାମ ପଡ଼େ। ଉଲ୍ଲିଖିତ ଦରଠାରୁ କମ୍ ଦାମରେ ଜିନିଷ କିଣିଲେ ଜଣେ ଲୋକ ନିଶ୍ଚିତ ଭାବେ ଖୁସି ହୁଅନ୍ତି। କିନ୍ତୁ ବାସ୍ତବରେ ଲିଖିତ ଦର ପ୍ରକୃତ ଦର ଠାରୁ ଯଥେଷ୍ଟ ଅଧିକ ଥାଏ। ଏହିଭଳି କ୍ଷେତ୍ରରେ ଦର କେତେ ଲେଖା ହେବା ଉଚିତ ଜିଏସଟି କାର୍ଯ୍ୟକାରୀ ହେବା ପୂର୍ବରୁ ସେ ସଂପର୍କରେ ନିଷ୍ପତ୍ତି ନିଆଯିବା ଉଚିତ। ଏହି ଭଳି ସମସ୍ୟାଗୁଡିକୁ ନ ଚିନ୍ତା କରି ସମସ୍ତେ କହିଦେବେ ଯେ ଟିକସ କମିଗଲା ଓ ପ୍ରକୃତରେ ଜଣେ ଉପଭୋକ୍ତା ପୈଠ କରୁଥିବା ଅର୍ଥ କମିଲା ନା ରାଜକୋଷକୁ ଆସୁଥିବା ଟିକସ ପରିମାଣ କମିଲା ତାହା ଆଲୋଚନାଯୋଗ୍ୟ। ଲୋକେ ଅଧିକ ଦର ଦେଇ ସାମଗ୍ରୀ କିଣିବେ କିନ୍ତୁ ରାଜକୋଷକୁ ଟିକସ ଆସିବ ନାହିଁ- ଏପରି ହେଲେ ଉଭୟ ସରକାର ଏବଂ ସାଧାରଣ ଜନତା କ୍ଷତି ସହିବେ। ହୁଏତ କମ୍ପାନୀଗୁଡିକର ସାମଗ୍ରୀ ଅଧିକ ପରିମାଣରେ ବିକ୍ରି ହେବ।

 

ସେମିତି ଟେଲିଭିଜନ, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଉଚିତ ପଦକ୍ଷେପ ନେବାକୁ ପଡିବ। ଜିଏସଟି ଯୋଗୁଁ ଲୋକମାନଙ୍କର କ୍ରୟ କରିପାରିବାର କ୍ଷମତା ସଂକୁଚିତ ହୋଇଗଲେ ଦେଶ ତିଷ୍ଠି ପାରିବ ତ ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top