ଅମାଙ୍ଗ ଦେଇର ଚିଠି

News Story - Posted on 2016-08-28

ସୁକାନ୍ତି ରାଉତ

 

ମର୍ତ୍ତ୍ୟର ଦେବତା ମୋର!

 

ମୋର ସବୁ ଭକ୍ତିତମ ଭକ୍ତି ଆଉ ପ୍ରଣାମ ତମ ପାଦ ତଳେ ଅଜାଡ଼ି ଦେଲେ ବି ଆହୁରି କିଛି ବାକି ରହିଯିବ ତମେ ଯାହା ମୋ ପାଇଁ କରିଛ।

 

ମୁଁ ଯେବେ ୧୫ ବର୍ଷର ଝିଅ ଥିଲି-ବାପା ମୋତେ ରାଜା ହରିଶ୍ଚନ୍ଦ୍ରଙ୍କ କଥା କହିଥିଲେ। ମୋର ସେତେବେଳେ ସେସବୁ କାହାଣୀ ପରି ମନେହେଉଥିଲା। ତମେ ଦୀର୍ଘ ୨୫ ବର୍ଷର ସଂସାର ମୋ ସହିତ ନିଭାଇଲ। ମୋର ରାଗରୂଷା ଆଉ ଅଭିମାନକୁ ବିନା ଦ୍ୱିଧାରେ ଗ୍ରହଣ କରିନେଲ। ମୋତେ ଯକ୍ଷ୍ମା ରୋଗ ହୋଇଛି ବୋଲି କେବେ ବି ଥରେ ମୋ ସେବା ଯତ୍ନ କରିବାରେ ଅବହେଳା କରିନ। ଟଙ୍କା କେଇଟା ରୋଜଗାର କର, ସେଥିରେ ପୁଣି ଆମେ ୪ ପ୍ରାଣୀ। ତଥାପି ତମେ ସବୁ ପ୍ରକାର ବାଧା ବିଘ୍ନକୁ ଅତିକ୍ରମ କରି ମୋତେ ଶେଷରେ ଭବାନୀପାଟଣା ହେଡ଼‌୍‍କ୍ୱାର୍ଟର ହସପିଟାଲକୁ ଆଣିଲ। ଡାକ୍ତରମାନଙ୍କୁ କେତେ ନେହୁରା ହେଉଥାଅ-ମୋ ଦେହର ଟିକେ ଭଲଭାବେ ଚିକ‌୍‍ିତ୍ସା ନେବା ପାଇଁ। ସେମାନେ ତ ସରକାରଙ୍କ ଠାରୁ ମେଞ୍ଚା ମେଞ୍ଚା ପଇସା ପାଉଛନ୍ତି। ତମ ନେହୁରା ବା କାହିଁକି ସେମାନେ ଶୁଣିଥାନ୍ତେ!

 

ତମର ଶତଚେଷ୍ଟା ସତ୍ତ୍ବେ ବି ମୁଁ ବଞ୍ଚିଲିନି। ତମେ କିନ୍ତୁ ତମ ଜିଦ‌୍‍ରେ ଅଟଳ ରହିଲ। ମୁଁ ମରିଗଲା ପରେ ପାରମ୍ପରିକ ରୀତିରେ ଶବ ସତ୍କାର କରିବାକୁ ସାହସ ବାନ୍ଧିଲ। ଶବ ସତ୍କାର କରିବାକୁ ଗୋଟେ ଆମ୍ୱୁଲାନ୍ସ ପାଇଁ ବହୁ ଲୋକଙ୍କୁ ନେହୁରା ହେଲ। ମାତ୍ର କେହି ତମ କଥା ଶୁଣିଲେନି। ଓଲଟା ତମକୁ କହୁଥାନ୍ତି ମୃତ ଦେହକୁ ୱାର୍ଡ଼ର ବାହାରକୁ ନେଇଯିବା ପାଇଁ। ତମେ ତଥାପି ତମର କୋହକୁ ଚାପି ରଖି ଡାକ୍ତରଖାନାରୁ ଶବକୁ କାନ୍ଧରେ ବୋହିବା ପାଇଁ ଶପଥ ନେଲ, ଆଉ କହିଲ ଦୁନିଆ କଥାରୁ ମୋତେ କ’ଣ ମିଳିବ! ତମକୁ ଉଚିତ‌୍‍ ସମ୍ମାନ ଦେଇ ଶବ ସତ୍କାର କରିବି।

 

ମୁଁ ଚକିତ ହେଉଥିଲି-ତମର ଏତେ ସାହସ, ଧୈର୍ଯ୍ୟ ଆଉ ଦମ୍ଭକୁ ଦେଖି। ଗର୍ବ କରୁଥିଲି ତମ ପରି ସ୍ୱାମୀ ମୁଁ ପାଇଛି। ପଇସା ନ ଥିଲା ସେଇଠୁ କ’ଣ ହେଲା? ମୁଁ ଦେଖିଛି ମୋ ନିଜ ଆଖିରେ ଆମ ସାହିରେ ସେ ପେଚୁଆ ତା ସ୍ତ୍ରୀର କିଛି ଦୋଷ ନ ଥିଲା-ରାତି ରାତି ପିଟେ ଆଉ କହେ ତୁ ଯେତେ ଜଲଦି ମରିବୁ, ମୁଁ ସେତେ ଜଲଦି ଆଉ ଗୋଟେ ଝିଅକୁ ବାହାହେବି! ତା ସ୍ତ୍ରୀ କିନ୍ତୁ ସବୁ ସହିଯାଏ। ମୁଁ ଆଶ୍ଚର୍ଯ୍ୟ ହେଉଥିଲି ତା ସ୍ତ୍ରୀର ଏତେ ଦମ୍ଭ ଆଉ ସହନଶୀଳତା ଦେଖି। କେଉଁ ସ୍ତ୍ରୀ କ’ଣ ସତରେ ସହିପାରେ ତା ସ୍ୱାମୀ ଆଉ ଜଣକ ସହିତ ରାତି କାଟୁ! ତମେ କିନ୍ତୁ ସେସବୁ ଠାରୁ ବହୁ ଉର୍ଦ୍ଧ୍ୱରେ। ତମକୁ କୋଟି କୋଟି ପ୍ରଣାମ। ତମ ପାଇଁ ଶହେ ଜନ୍ମ ନେଇ ତମ ସେବା କଲେ ବି ମୁଁ ଶୁଝି ପାରିବିନି ତମର ଏତେ ଭଲପାଇବାକୁ। ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରିବି-ତମେ ମୋ ପାଇଁ ସବୁ ଜନ୍ମରେ ଦେବତା ହୋଇ ଆସୁଥାଅ।

 

ଶେଷରେ କିଛି ଉପାୟ ନ ପାଇ କାନ୍ଦ କାନ୍ଦ ମୁହଁରେ ମୋ ଶବକୁ ବାନ୍ଧିଲ। କ୍ଲାନ୍ତ ମୋର ଦୁଇ ଆଖିପତାକୁ ଶେଷଧର ପାଇଁ ଚୁମ୍ୱନ ଦେଲ ଆଉ ତା ପରେ ମୁଁ ଆଖିବୁଜିଦେଲି। ତା ପରେ ତମେ ଆହୁରି ବେଶୀ କାନ୍ଦି ଉଠିଲ। ଚାରି ପଟକୁ ଚାହିଁଲ। ପାଖରେ ଥିଲା ଆମ ୧୨ ବର୍ଷର ଛୋଟ ଝିଅ। ମୋ ଦେହକୁ ଭଲକରି ଢ଼ାଙ୍କିଦେଲ। ନିଜକୁ ଖୁବ‌୍‍ ଅସହାୟ ମନେକଲ ମୋ ବିନା। ଆଉ ଭାବି ଚାଲିଲ ଆହୁରି ଏତେ ବର୍ଷ କେମିତି ଦିନ କାଟିବ? ତମ ପୁଣି ଭାରି ସ୍ୱାଭିମାନୀ। ରାତି ୩ଟାରେ ହସପିଟାଲରୁ ବାହାରି ଦୀର୍ଘ ପଥ ଅତିକ୍ରମ କଲ। ଟିକିଏ ବି ଥକୁ ନ ଥିଲ। ରାସ୍ତାରେ ଆସିଲା ବେଳେ ତମେ ମନେ ପକାଉ ଥିଲ ମୁଁ କେମିତି ତମ ପାଖେ ମିଛରେ ମିଛରେ ରାଗେ ଆଉ କହେ କାହିଁକି ମୋ ପିଛାରେ ଏତେ ଟଙ୍କା ଖର୍ଚ୍ଚ କରୁଛ, ଆମେ ଗରିବ ଲୋକ। ଖଟିଲେ ପେଟ ପୂରେ। ତା ସାଙ୍ଗକୁ ପୁଣି ଭଗବାନ ଆମକୁ ଦେଇଛନ୍ତି ୩ଟା ଝିଅ। ସବୁ ପରେ ବି ମୁଁ ତମକୁ ନେଇ ଗର୍ବ ଅନୁଭବ କରେ।

 

ମୋ ଶବକୁ କାନ୍ଧେଇ ନେବାବେଳେ ତମେ ବାରମ୍ୱାର ମୋତେ ପ୍ରଶ୍ନ କରୁଥିଲ- କାହିଁକି ତମକୁ ଛାଡ଼ିଆସିଲି? ପୁଣି ୩ଟା ଝିଅଙ୍କର ଦାୟିତ୍ୱ ତମ ଉପରେ ଲଦି ଦେଲି? କିନ୍ତୁ ବିଶ୍ୱାସ କର ତମକୁ ଛାଡ଼ି ଆସିବାକୁ ମୋର ମନ କହୁ ନ ଥିଲା। ତମ ପରି ସ୍ୱାମୀ ତ ଆଜି ପର୍ଯ୍ୟନ୍ତ ଏ ପୃଥିବୀରେ କେହି ପାଇ ନ ଥିବେ ଏକଥା ମୁଁ ଜୋର ଦେଇ କହିପାରିବି। ତମକୁ ସିନା ମିଛରେ ମିଛରେ କହେ-ଗୋଟେ ରୋଗାକ୍ରାନ୍ତ ପତ୍ନୀ ସହିତ ରହି କି ଲାଭ ପାଉଛ, ଆଉ ଥରେ ବାହାହୁଅ-ତମ ଖୁସିରେ ରହିବ। ତମେ ଖୁବ‌୍‍ ରାଗିଯାଉଥିଲ ଆଉ କହୁଥିଲ-ମୋର ଯଦି କିଛି ରୋଗ ହୋଇଥାନ୍ତା ତମେ କ’ଣ ମୋତେ ଛାଡ଼ି ଦେଇ ଆଉ କାହା ସହିତ ରହିଥାନ୍ତ! କଦାପି ତମେ ପାରି ନ ଥାନ୍ତ!

 

ତେବେ ମୁଁ କାହି ସେମିତି କରିବି, ସେସବୁ ପାପ କଥା। ସେଦିନ ବି ଭଗବାନଙ୍କୁ ପ୍ରାର୍ଥନା କରିଥିଲି ତମକୁ ମୋତେ ସବୁ ଜନ୍ମରେ ଭଗବାନ ସ୍ୱାମୀ ଭାବେ ଦିଅନ୍ତୁ। ତମ ପରି ସ୍ୱାମୀ ଛାଡ଼ି ସତରେ ମୋର ମୋର ଏ ପୁରକୁ ଆସିବାକୁ ଜମା ଇଚ୍ଛା ନ ଥିଲା। ମୁଁ କ’ଣ ଜାଣିଥିଲି ଏତେ ଶୀଘ୍ର ଚାଲିଯିବି ବୋଲି! ମୋତେ ବିଶ୍ୱାସକର ମୁଁ ଚାହୁଁ ନ ଥିଲି ତମକୁ କଷ୍ଟ ଦେବାକୁ। ତମେ କ’ଣ ଜାଣନି ତମେ ଯେମିତି ମୋର ସାମାନ୍ୟ କଷ୍ଟକୁ ସହିପାରିନି, ମୁଁ ବି ସେମିତି ତମର ମନକଷ୍ଟ ଜମା ସହିପାରେନା!

 

ତମକୁ କିନ୍ତୁ ବଞ୍ଚିବାକୁ ପଡ଼ିବ। ତମ ପାଇଁ, ଆମ ୩ ଝିଅଙ୍କ ପାଇଁ। ଏବେ ଠୁଁ ସେମାନଙ୍କ ପାଇଁ ତମେ ଆଉ ତମ ପାଇଁ ସେମାନେ। ତମ ପରି ସ୍ୱାମୀ ପାଇଛି ଆଉ ଈଶ୍ୱରଙ୍କ ନିକଟରେ ମନେ ମନେ ପ୍ରାର୍ଥନା କରୁଥିଲି ତମ ପରି ସ୍ୱାମୀ ମୋତେ ସବୁ ଜନ୍ମରେ ମିଳୁଥାଉ! ମୁଁ କଥା ଦେଉଛି ତମର ଶଦ୍ଦବିହୀନ ଭଲପାଇବାର ଋଣ ନିଶ୍ଚିତ ଆର ଜନ୍ମରେ ଶୁଝିଦେବି। ଏ ଜନ୍ମରେ ସିନା ଗୋଟେ ରୋଗିଣା ସ୍ତ୍ରୀ କିନ୍ତୁ ଆର ଜନ୍ମରେ ଈଶ୍ୱରଙ୍କୁ ଡାକୁଛି ସେମିତି ନ ହୁଏ। କିନ୍ତୁ ମୋର ତମକୁ ଅନୁରୋଧ କୌଣସି ପରିସ୍ଥିତିରେ ତମେ ଭାଙ୍ଗିପଡ଼ିବନି ଆଉ କେବେ ବି ଦୁଃସାହିକ ପଦକ୍ଷେପ ନେବ ନାହିଁ। ତମେ କୁହ, ତମେ ଯଦି ସେମିତି କରିବ ଆମ ୩ ଝିଅ କାହା ମୁହଁକୁ ଚାହିଁ ବଞ୍ଚିବେ। ସେମାନେ କରିବେ କ’ଣ? ତମେ ଧୈର୍ଯ୍ୟ ଧର। ସବୁ ଠିକ‌୍‍ ହୋଇଯିବ!

 

ମୁଁ ମରିବା ପରେ କେତେ ରାଜନୀତି ନେଉଛି ମୋ ଶବ କାନ୍ଧରେ ବୁହାହୋଇଛି ବୋଲି। ଖୋଦ‌୍‍ ମୁଖ୍ୟମନ୍ତ୍ରୀ ବି ଦୁଃଖ ପ୍ରକାଶ କରିଛନ୍ତି ଆଉ ବିରୋଧୀ ଦଳ କହୁଛନ୍ତି ସ୍ୱାସ୍ଥ୍ୟବିଭାଗ କୋମାରେ ଆଉ ସରକାର ଆଇସିୟୁରେ। କିଏ କାନ୍ଧ ଆମ୍ୱୁଲାନ୍ସ କହୁଛି ତ ପୁଣି କିଏ ଦୟା ଦେଖାଉଛି। ଆଉ ମୁଁ ମରିବାର ଗୋଟିଏ ଦିନ ପରେ ସରକାର ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଖାସ‌୍‍ ମୁଁ ଆଉ ଗୋଟେ ଦିନ ପରେ ମରିଥାନ୍ତି ଭଲା! ତମକୁ ଆଉ ମୋତେ କାନ୍ଧିରେ ବୋହିବାକୁ ପଡ଼ି ନ ଥାନ୍ତା! ଆଉ ତମେ ବି ଦମ୍ଭ ଧରି ନ ଥାନ୍ତ ଦୀର୍ଘ ୬୦ କି.ମି ବାଟ ମୋ ଶବକୁ ବୋହି ପଥ ଅତିକ୍ରମ କରିବ। ଯାହା ହେଉ ୧୦ କି. ମି ଚାଲିବା ପରେ ମିଳିଲା ଆମକୁ ସହଯୋଗର ହାତ। ତମେ ତ ଜାଣିଲ ଆମ ବ୍ୟବସ୍ଥା କେତେ ସ୍ୱଚ୍ଛ ଆଉ ଆମ ସରକାର କେତେ ସଚେତନ! ଏଇ ନିକଟରେ ଆମ ଦେଶ ପାଳନ କରିଛି ୭୦ ତମ ସ୍ୱାଧୀନତା ଦିବସ। ଦେଶ କିନ୍ତୁ ସ୍ୱାଧୀନ ନୁହେଁ, ଆମେ କିନ୍ତୁ ସ୍ୱାଧୀନ। କାହା ଉପରେ ଟଙ୍କା କି ସହଯୋଗ ପାଇଁ ହାତ ପାତି ନାହାନ୍ତି!

 

ମୁଁ ସ୍ପଷ୍ଟ ପଢ଼ିପାରୁଥିଲି ତମ ଛାତି ତଳର କୋହର ଭୁଗୋଳକୁ। ମୁଁ ଦେଖିପାରୁଥିଲି ତମ ଆଖିର ଟୋପା ଟୋପା ଲୁହ ବିନ୍ଦୁରେ ମୋ ପ୍ରତି ଥିବା ସେ ନିବିଡ଼ ଭଲପାଇବାର ରଙ୍ଗକୁ। ଆଉ ଆମ ଝିଅ ତମକୁ ମଝିରେ ମଝିରେ ପଚାରୁଥାଏ-ବାପା ଆଉ କେତେ ବାଟ ରହିଲା-ତମେ ତାକୁ କହୁଥାଅ ଆଉ ଅଳ୍ପ ବାଟ। ସେ କାନ୍ଦୁଥାଏ ଆଉ ତା ନିଜ ଲୁହ ସେ ନିଜେ ପୋଛୁଥାଏ। ସେ ବି ମଝିରେ ମଝିରେ ତମକୁ କହୁଥାଏ-ବାପା କାନ୍ଦନି-ତମେ ପରା କହିଥିଲ-ଜେଜି ବାପା ମଲାବେଳେ-ମୁଁ କାନ୍ଦୁଥିଲି ବୋଲି। ମୃତ୍ୟୁ ଏମିତି ଆସେ ସମସ୍ତଙ୍କ ପାଇଁ। ତାର ଏପରି କଥା ଶୁଣି ତମେ ଆହୁରି କାନ୍ଦି ଉଠୁଥିଲ। ମୁଁ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଅସମର୍ଥ ଥିଲି ତମମାନଙ୍କର ଲୁହ ପୋଛି ବୋକ‌୍‍ ଦେବାକୁ। କେବେ ଦୁଃଖ କରିବନି, ସଂଘର୍ଷର ଓହରି ଯିବନି। ମୋ ଭଲପାଇବା ଆଉ ଭକ୍ତି ତମ ପାଇଁ ସାତଜନ୍ମ ପରେ ବି ରହିବ। ଯାହା ପାଖେ ସମ୍ପୂର୍ଣ୍ଣ ସମର୍ପିତା ପତ୍ନୀ ରହିଛି, ଦୁନିଆରେ ତାର ଆଉ କିଛି ଦୁଃଖ ନାହିଁ।

 

ସରକାରୀ ସାହାଯ୍ୟ ମିଳୁ କି ନ ମିଳୁ, ତମେ କିନ୍ତୁ ହାରି ଯିବନି କୌଣସି ପରିସ୍ଥିତିରେ। ଆମ ଝିଅମାନଙ୍କୁ କେବେ ବି ମୋତେ ଅନୁଭବ କରିବାକୁ ଦେବନି। ଏବେ ପରା ସରକାରଙ୍କର କେତେ ଯୋଜନା ଝିଅମାନଙ୍କ ପାଇଁ। ‘ବେଟୀ ବଚାଓ ବେଟୀ ପଢ଼ାଅ’ ଯୋଜନା ଠାରୁ ଆରମ୍ଭ କରି ‘ସୁକନ୍ୟା ଯୋଜନା’ ପର୍ଯ୍ୟନ୍ତ। କାଳେ କେବେ ସରକାରଙ୍କ ନଜର ପଡ଼ିବ। ଆମେ ତ ଜାଣିଛେ ଭଲଭାବେ ସରକାରଙ୍କର ଏହି କୋଟି କୋଟି ଟଙ୍କାର ଯୋଜନାର ସୁଫଳ କେଉଁମାନେ ପାଉଛନ୍ତି! ତଥାପି ତମେ ଯଦି ମୋତେ ଯେଉଁ ଭଲପାଇବାର ଦମ୍ଭ ଧରି ଏତେ ବାଟ ମୋର ଶବକୁ କାନ୍ଧରେ ବୋହି ଆଣିପାରିଲ, ସେଇ ଭଲପାଇବାର ରାଣ ତମକୁ-କେବେ କୌଣସି ପରିସ୍ଥିତିରେ ମୋ ପାଇଁ ଟୋପାଏ ଲୁହ ବି ଢ଼ାଳିବନି। ଆଉ ଯଦି ଢ଼ାଳିବ ମୁଁ ଏଠି ବି ଟିକେ ଶାନ୍ତିରେ ରହିପାରିବନି। କେବେ ମନ ଊଣା କରିବନି, ତମେ ମୋତେ ବଞ୍ଚାଇ ପାରିଲନି ବୋଲି।

 

ଦେଖିଲ ତ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜ ଦୋଷ ସ୍ୱୀକାର କଲେନି, ଓଲଟି ତମ ଉପରେ ଦୋଷ ଲଦିଦେଲେ। ସେମାନେ ଟଙ୍କା କେଇଟା ଦେଇ ଦୋଷକୁ ତମ ଯାହା କହୁଛ ଭୁଲ‌୍‍ ବୋଲି ପ୍ରମାଣ କରିପାରିବେ। ନିଜର ଦୋଷ ଲୁଚାଇବା ପାଇଁ ସରକାର ବି ତମ ମାନସିକସ୍ଥିତି ଏବେ କେମିତି ଥିବ ସେକଥା ନ ବୁଝି ଓଲଟି ମୋର ଶୁଦ୍ଧିକ୍ରିୟା ନୀତି ନିୟମରେ କରାଇ ଦେଲାନି। ଆମେ ତ ଗରିବ ଲୋକ। ତମକୁ ପ୍ରଶାସନ ଡାକିଲା ମୋର ଡିବି ଦିନ। ତମେ ଡରରେ ଝିଅକୁ ଧରି ପୁଣି ଧାଇଁଲ ସେଇ ଡାକ୍ତରଖାନାକୁ। କିନ୍ତୁ ପ୍ରଶାସନର ଏ ଅଧିକାର ବି ଅଛି! ସେମାନେ ଆମ ଗାଁକୁ ଆସି ତମକୁ ତମକୁ ସବୁ ଘଟଣାକ୍ରମ ବିଷୟରେ ପଚାରିପାରିଥାନ୍ତେ। କିନ୍ତୁ ସେମାନେ ସେମିତି କଲେ ନାହିଁ। ସାମାନ୍ୟତମ ଅନୁକମ୍ପା ମଧ୍ୟ ସେମାନଙ୍କର ନାହିଁ।

 

ଭବାନୀପାଟଣା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏଣୁତେଣୁ ପ୍ରଶ୍ନ ପଚାରି ନାକେଦମ‌୍‍ କରିଦେଲେ ପ୍ରଶାସନିକ ଅଧିକାରୀମାନେ। ତମକୁ କ’ଣ ମିଳିଲା ସେଥିରୁ? କହୁଛନ୍ତି କ’ଣ ନା ତମେ ସେମାନଙ୍କୁ ନ କହି ମୋ ଶବ ନେଇ ପଳାଇ ଆସିଲ ଆଉ କାହାକୁ ଆମ୍ୱୁଲାନ୍ସ ପାଇଁ ନେହୁରା ହୋଇନ! ତମେ ଜାଣିନ ଆମ ରାଜନୀତିରେ ସତ ମିଛ ହେବାକୁ ଗୋଟାଏ ସେକେଣ୍ଡ ବି ଲାଗେନି। ଛିଃ, ଏମିତି ଲୋକ ସେମାନେ! ଏବେ ଜାଣିଲ ତ ତମେ ଆମ ସରକାରଙ୍କ ମାନବିକତା ବି ନାହିଁ। ଗରିବକୁ ପରା କେହି ସାହାଯ୍ୟ କରନ୍ତିନି! ଏକା ସେଇ ଭଗବାନଙ୍କ ଛଡ଼ା!

 

(ଇତି)

ତମର ଚିରକାଳ ‘ଅମାଙ୍ଗ’

 

ରାଘବପୁର, ଗେଡ଼ମା, ମଞ୍ଜୁରିରୋଡ଼, କେନ୍ଦୁଝର-୨୧, ଫୋନ‌୍‍-୮୮୯୫୩୦୪୫୫୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top