ପୁଣି କାହିଁକି କଳା ପତାକା?

News Story - Posted on 2016-08-19

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

ଭାଷା ଆନ୍ଦୋଳନ, ଓଡ଼ିଶା ସ୍ଥଗିତ ରଖିଥିବା କଳା ପତାକା ଅଭିଯାନ ଅଗଷ୍ଟ ୧୬ ରୁ ପୁନଶ୍ଚ ଆରମ୍ଭ କରିଛି। ପୂର୍ବପରି ସର୍ବୋଚ୍ଚ ୪ ଜଣ ଓଡ଼ିଆପ୍ରାଣ ବ୍ୟକ୍ତି ହାତରେ କଳା ପତାକା ଧରି ନୀରବରେ ଚାଲିବେ ବିଧାନସଭା ସମ୍ମୁଖସ୍ଥ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପାଖରୁ ରାଜଭବନ ସମ୍ମୁଖସ୍ଥ କୁଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ୫ଟାରେ ଏବଂ ସେଠାରେ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ସଂଗ୍ରାମ ଚାଳାଇ ରଖିବାର ଶପଥ ସବୁ ଦିନ ପରି ନବୀକୃତ କରିବେ। କାରଣ, ରାଜ୍ୟ ସରକାର ଏହି ଦିନ ଠାରୁ ଓଡ଼ିଆରେ ଶାସନ ବାଧ୍ୟତାମୂଳକ ହେଲା ବୋଲି ମିଛ କହି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି।

 

ପ୍ରକୃତ ସ୍ଥିତି ହେଲା, ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ ହେତୁ ରାଜ୍ୟ ସରକାର ତିନୋଟି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ସେଗୁଡିକ ହେଲା - (୧) ମେ ୨୧, ୨୦୧୬ ତାରିଖରେ ଓଡ଼ିଶା ସରକାରୀ ଭାଷା ଅଧିନିୟମର ସଂଶୋଧନ କରି ନିୟମାବଳୀ ପ୍ରବର୍ତ୍ତନ କରିବାକୁ ଆନ୍ଦୋଳନର ଦାବି ଅନୁଯାୟୀ ଏକ ଅଧ୍ୟାଦେଶ ଜାରି କରିଛନ୍ତି, ଯାହା ଏ ପର୍ଯ୍ୟନ୍ତ କାଏମ ଅଛି; (୨) ଏହି ଅଧ୍ୟାଦେଶଟି ବିଧାନସଭାରେ ପାରିତ ନ ହେଲେ ଅକାମୀ ହୋଇଯିବ। ସେଥିପାଇଁ ଅଗଷ୍ଟ ୮ ତାରିଖରେ କ୍ୟାବିନେଟ ବୈଠକରେ ଅଧ୍ୟାଦେଶଟିକୁ ମଞ୍ଜୁର କରାଇଛନ୍ତି ଓ (୩) ସେଦିନ ଆମ ଦାବି ଅନୁରୂପେ ନିୟମାବଳୀ ପ୍ରବର୍ତ୍ତିତ ନ ହେବାରୁ ଆମ କଳା ପତାକା ଅଭିଯାନ ପୂର୍ବ ଘୋଷଣା ଅନୁସାରେ ଅଗଷ୍ଟ ୧୬ରୁ ପୁନଶ୍ଚ ଚାଲିବ ବୋଲି ଆମେ ଘୋଷଣା କରିବାରୁ ତହିଁରେ ଅତର୍ଚ୍ଛି ତରବରରେ ପୁନର୍ବାର ଏକ ସ୍ୱତନ୍ତ୍ର କ୍ୟାବିନେଟ ଡାକି, ନିୟମାବଳୀ ମଞ୍ଜୁର ହେଲା ବୋଲି କହିଛନ୍ତି।

 

ନିୟମାବଳୀ ଯଦି ମଞ୍ଜୁର ହେଲା ଓ ଅଗଷ୍ଟ ୧୫ରୁ ଓଡ଼ିଆରେ ଶାସନ ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ ବଳବତ୍ତର ହେଲା, ତେବେ ପୁନଶ୍ଚ କାହିଁକି କଳା ପତାକା? - ଏ ପ୍ରଶ୍ନ କେତେକଙ୍କୁ ଆନ୍ଦୋଳିତ କରିବା ଅସ୍ୱାଭାବିକ ନୁହେଁ। ସୁତରାଂ ଏହି ପ୍ରତିବେଦନ।

 

ପ୍ରଥମ କଥାଟି ହେଲା, ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ ଅକ୍ଟୋବର ୧୪ ତାରିଖରୁ ହିଁ ବଳବତ୍ତର ହୋଇ ରହିଛି ଏବଂ ଏହାର ସଂପୂର୍ଣ୍ଣ ପ୍ରଯୁକ୍ତି ପାଇଁ ଯେଉଁ ବିଧିକ ନିର୍ଦ୍ଦଶାନାମାର ଆବଶ୍ୟକତା ଥିଲା ତାହା ଜାରି ହୋଇସାରିଛି ମାର୍ଚ୍ଚ ୨୯, ୧୯୮୫ ତାରିଖର ୭୧୫୨ ସଂଖ୍ୟକ ବିଜ୍ଞପ୍ତି ବଳରେ। ସୁତରାଂ, ଭାଷା ଅଧିନିୟମ କ୍ୟାବିନେଟ ମଞ୍ଜୁରୀ ପାଇଲା ବୋଲି ଓ ଅଗଷ୍ଟ ୧୫ରୁ ଲାଗୁ ହୋଇଗଲା ବୋଲି ରାଜ୍ୟ ସରକାର ଯେଉଁ ବୟାନବାଜି ଚଳାଇଛନ୍ତି ତାହା ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଆନ୍ଦୋଳନରତ ଓଡ଼ିଆମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ, ଓଡ଼ିଆରେ ପ୍ରକୃତ ଶାସନ ପାଇଁ ନୁହେଁ।

 

୧୯୫୪ର ଅଧିନିୟମ ଓ ୧୯୮୫ରେ ତହିଁର ପ୍ରଯୁକ୍ତିବିଧାନ ସତ୍ତ୍ୱେ ଓଡ଼ିଆରେ ଓଡ଼ିଶାର ଶାସନ କାହିଁକି ହୋଇନାହିଁ? ତହିଁର କାରଣ ଅନୁଧ୍ୟାନ କରି ଆମେ ସ୍ପଷ୍ଟ ଭାବେ କହିଛୁ କି, ଅଧିନିୟମଟିର ଉଲଂଘନ ପାଇଁ ଦଣ୍ଡ ବିଧାନ ଆବଶ୍ୟକ। ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ, ଅଣଓଡ଼ିଆ ପଦାଧିକାରୀଙ୍କ କଥା ଛାଡନ୍ତୁ, ଆଜନ୍ମ ଓଡ଼ିଆ ପଦାଧିକାରୀ ମଧ୍ୟ ଓଡ଼ିଆ ଭାଷାରେ କାର୍ଯ୍ୟ କରୁ ନାହାଁନ୍ତି। ଇଂରାଜୀ ମନସ୍କତା ଆମ ଭାଷାକୁ ତାର ବ୍ୟବହାରିକ ଉପଯୋଗୀତା ଓ ସାର୍ବଭୌମିକ ମର୍ଯ୍ୟାଦାରୁ ବଞ୍ଚିତ କରି କରି ସଂପୂର୍ଣ୍ଣ ଉଜୁଡିଯିବା ଅବସ୍ଥାକୁ ଟାଣି ଆଣିସାରିଲାଣି। ଓଡ଼ିଆମାନେ ନିଜ ମାତୃଭାଷାରେ ଶାସନ ପାଇଁ ଲଢେଇ କରି ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ। ଅଥଚ, ଏହି ପ୍ରଦେଶରେ ଶାସନ ପରିଚାଳକମାନେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଭାଷାରେ ଶାସନ ଚଲାଇ ଓଡ଼ିଆ ଜାତିର ଆତ୍ମମର୍ଯ୍ୟାଦାକୁ ବି ପଦାଘାତ କରିବାରେ ଲାଗିଛନ୍ତି।

 

ଓଡ଼ିଆ ଜାତିର ଆତ୍ମମର୍ଯ୍ୟାଦା ଉପରେ ପ୍ରଥମ ପଦାଘାତ କରିଥିଲେ ପରଲୋକଗତ ବିଜୁ ପଟ୍ଟନାୟକ ୧୯୬୩ ଖ୍ରୀଷ୍ଟାବ୍ଦରେ। ଭାରତର ସମ୍ୱିଧାନର ବ୍ୟବସ୍ଥାନୁସାରେ ୧୯୫୪ର ସରକାରୀ ଭାଷା ଅଧିନିୟମ ପ୍ରଣୀତ ଓ ପ୍ରବର୍ତ୍ତିତ ହେବା ସଂଗେ ସଂଗେ ଏକ ପ୍ରଶାସନିକ ଭାଷା ଭାବେ ଇଂରାଜୀ ଭାଷା ଅକାମୀ ହୋଇସାରିଥିଲା ଓଡ଼ିଶାରେ। ଯେଉଁ ରାଜ୍ୟରେ ପ୍ରାଦେଶିକ ଭାଷା ସରକାରୀ ଭାଷା ହେବାର ଆଇନ ପ୍ରବର୍ତ୍ତିତ ହୋଇ ନଥିବ ସମ୍ୱିଧାନ ଗୃହୀତ ହେବାର ୧୫ ବର୍ଷ ମଧ୍ୟରେ, ସେଠାରେ ୧୯୬୫, ଜାନୁୟାରୀ ୨୬ ତାରିଖରୁ ଇଂରାଜୀ ଭାଷା ଆପେ ଆପେ ଅକାମୀ ହୋଇଯିବ ବୋଲି ସମ୍ୱିଧାନରେ ଉଦ‌୍‍ଘୋଷିତ ହୋଇଥିବା ହେତୁ ଓଡ଼ିଶାରେ ଆଉ ଇଂରାଜୀ ଭାଷା ଚଳିବା ଅସମ୍ଭବ ଥିଲା। ମାତ୍ର ବିଜୁବାବୁ ୧୯୬୩ରେ ଆମ ଭାଷା ଅଧିନିୟମ ସଂଶୋଧନ କରି ତହିଁରେ ଧାରା ୩-କ ସଂଯୋଗ କରାଇଲେ, ଯହିଁରେ କୁହାଗଲା - ବିଧାନସଭାରେ ଓଡ଼ିଆ ସାଙ୍ଗକୁ ଇଂରାଜୀ ଭାଷା ବି ସରକାରୀ ଭାଷା ଭାବେ ଚାଲିବ ଓ ୧୯୬୫, ଜାନୁୟାରୀ ୨୬ ପରେ ମଧ୍ୟ କାଏମ ରହିବ। ଏହା ଥିଲା ଓଡ଼ିଶାରେ ଇଂରାଜୀ ଭାଷାର ଅଧିପତ୍ୟ ପୁନଃ ପ୍ରତିଷ୍ଠା ପାଇଁ ଏକ ଧୂର୍ତ୍ତ ପଦକ୍ଷେପ। ଏହା ହେତୁ, ସାରା ଓଡ଼ିଶା ପ୍ରଶାସନ ପୁନର୍ବାର ଇଂରାଜୀ କବଳରେ ପଡିଗଲା; କାରଣ, ସମଗ୍ର ପ୍ରଶାସନ ବିଧାନସଭା ପାଖରେ ଉତ୍ତରଦାୟୀ। ଫଳରେ ପଦାଧିକାରୀମାନଙ୍କ ବହପ ଏପରି ବଢିଗଲା ଯେ, ବିଧାନସଭାରେ ବିଧେୟକଗୁଡିକ ବି କେବଳ ଇଂରାଜୀ ଭାଷାରେ ଦାଖଲ ହେବା ଆରମ୍ଭ ହେଲା, ଯଦିଓ ଇଂରାଜୀ ଭାଷା ବୁଝିପାରୁ ନଥିବା ବିଧାୟକମାନଙ୍କ ସଂଖ୍ୟା ବି ଥିଲା ଅନେକ। ସୁତରାଂ ବିଧାନସଭାର ବାଚସ୍ପତି ନିର୍ଦ୍ଦେଶ ଦେଲେ କି, ତହିଁର ସମସ୍ତ କାର୍ଯ୍ୟ କେବଳ ଓଡ଼ିଆ ଭାଷାରେ ହେବ। ଆଦେଶ ସଂଖ୍ୟା ୬୮୦/ବି.ସ./୧୯.୦୧.୨୦୦୫ଟି ଥିଲା ଏହିପରି-‘ଏତଦ୍ଦ୍ୱାରା ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଅଯାଉଛି ଯେ, ଏଣିକି ସଚିବାଳୟର ସମସ୍ତ ନଥି, ଚିଠା ପ୍ରସ୍ତାବ, କମିଟି ବୈଠକ ବିବରଣୀ, ପତ୍ରାଳାପ ଇତ୍ୟାଦି ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷା ମାଧ୍ୟମରେ କରାଯିବ।’ କିନ୍ତୁ ବିଜୁବାବୁ ସୃଷ୍ଟି କରିଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ ୧୯୬୩କୁ ପ୍ରତ୍ୟାହାର କରାହୋଇ ନଥିବା ହେତୁ, ବାଚସ୍ପତିଙ୍କ ଉପରୋକ୍ତ ଆଦେଶ ବି କାର୍ଯ୍ୟକାରୀ ହେଲା ନାହିଁ।

 

ଏଥିପାଇଁ ଆମେ ଦାବି କରିଥିଲୁ କି, (୧) ଓଡ଼ିଶାରେ ଓଡ଼ିଆ ଭାଷାର ସାର୍ବଭୌମିକ ଅଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ୧୯୬୩ର ସଂଶୋଧନକୁ ପ୍ରତ୍ୟାହାର କରିନିଆଯାଉ ଓ (୨) ଓଡ଼ିଶାର କୌଣସି ଦପ୍ତରରେ ଯଦି କେହି ବି ପଦାଧିକାରୀ ଓଡ଼ିଆ ଭାଷାର ଏକାଧିପତ୍ୟ ଲଂଘନ କରେ ଓ ଓଡ଼ିଆରେ କାର୍ଯ୍ୟ ନ କରେ ତାକୁ ଦଣ୍ଡ ବିଧାନ ହେଉ।

 

ଓଡ଼ିଶା ସରକାର ଏହା କରି ନାହାଁନ୍ତି। ଅତଏବ, ପୂର୍ବୋକ୍ତ ତିନିଗୋଟି ପଦକ୍ଷେପ ସତ୍ତ୍ୱେ ପୂବାର୍ବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ ଓ ଓଡ଼ିଆ ଭାଷା ଉପରୁ ବିପତ୍ତି ହଟିନାହିଁ। ସରକାର ପୁନର୍ବାର ଆମ ଜାତିକୁ ପ୍ରତାରିତ କରିଛନ୍ତି। ତେଣୁ ଆମ ରାଜ୍ୟର ଶାସନରେ ଆମ ଭାଷାର ସାର୍ବଭୌମିକ ଆଧିପତ୍ୟ ପ୍ରଶ୍ନାତୀତ କରିବା ପାଇଁ ପୁନଶ୍ଚ କଳା ପତାକା ଅଭିଯାନ ଆରମ୍ଭ ହୋଇଛି ଓ ଆମ ମାତୃଭାଷା ଉପରୁ ବିପତ୍ତି ହଟିବା ପର୍ଯ୍ୟନ୍ତ ଏହା ଚାଲିବ।

 

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top