ତୁମେ, ଆମେ କିଏ ଓ କେଉଁଠୁ ଆସିଲେ ?

 

News Story - Posted on 2016-01-17

ଦେବପ୍ରସାଦ ମିଶ୍ର

ତୁମେ ଆମେ କିଏ ଓ କେଉଁଠୁ ଆସିଲେ? ଏ ପ୍ରଶ୍ନର ଠିକଣା ଉତ୍ତର ପାଇବାକୁ ହେଲେ ଆମକୁ ଆମ ପୂର୍ବପୁରୁଷମାନଙ୍କ ସାଧ୍ଯସାଧନା ଫଳରେ ଫଳରେ ଜଣା ପଡ଼ିଥିବା ସୃଷ୍ଟିତତ୍ତ୍ବ ଓ ଜୀବସୃଷ୍ଟିର ଇତିକଥା ବୁଝିବାକୁ ହେବ | ଆଚାର୍ଯ୍ଯ ଶଙ୍କର ସେଥିପ୍ରତି ଆମଦୃଷ୍ଟି ଆକର୍ଷଣ କରିବା ପାଇଁ ତାଙ୍କ ‘ଚର୍ପଟ ପଞ୍ଜରିକା’ ସ୍ତୋତ୍ରରେ ସେହି ପ୍ରଶ୍ନ ଉଠାଇଛନ୍ତି | ଗୀତାରେ ଶ୍ରୀକୃଷ୍ଣ ମଧ୍ଯ ଅର୍ଜୁନଙ୍କୁ ଉପଦେଶ ଦେବାକୁ ଯାଇ ସୃଷ୍ଟିତତ୍ତ୍ବ ବ୍ଯାଖ୍ଯାନ ଛଳରେ କହିଛନ୍ତି-

ଭୂମିରାପୋନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ

ଅହଂକାର ଇତୀୟଂ ମେ ଭିମ ପ୍ରକୃତିରଷ୍ଟଧା

ଅପରେୟମିତସ୍ତ୍ବନ୍ଯାଂ ପ୍ରକୃତିଂ ବିଦ୍ଧି ମେ ପରମ

ଜୀବଭୂତାଂ ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ୍

ଅର୍ଥାତ କ୍ଷିତି, ଆପ୍ (ଜଳ), ତେଜ, ମରୁତ, ବ୍ଯୋମ (ଆକାଶ), ମନବୁଦ୍ଧି ଓ ଅହଂକାର- ଏହିରୂପେ ମୋର ପ୍ରକୃତି ଆଠ ଭାଗରେ ବିଭକ୍ତ | ମାତ୍ର ଏହି ଅଷ୍ଟବିଧ ପ୍ରକୃତି ମୋର ଅପରା ପ୍ରକୃତି | ଏହା ବାଦ ଜୀବରୂପା ଚେତନାତ୍ମିକା ମୋର ପରାପ୍ରକୃତି ଅଛି ବୋଲି ଜାଣିରଖ |

ଗୀତା କେଣସି ଧର୍ମଗ୍ରନ୍ଥ ବା ନୂତନ ମତବାଦ ପରିପ୍ରଚାର ନ କରି ଦ୍ବାପର ଯୁଗର ଶେଷ ଭାଗରେ ଭାରତରେ ଯେତେ ଧର୍ମମତ ପ୍ରଚଳିତ ଥିଲା, ଶ୍ରୀକୃଷ୍ଣଙ୍କ ମୁହଁରେ ସେସବୁ ମଧ୍ଯରେ ଥିବା ଭେଦର ସାମାଧାନ କରି ଏକ ଅପୂର୍ବ ସମନ୍ବୟ ପ୍ରତିଷ୍ଠା କରିଛି | ଭାରତର ଷଡ଼ଦର୍ଶନ ମଧ୍ଯ କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସର୍ବପ୍ରାଚୀନ ଦର୍ଶନ ଶାସ୍ତ୍ରରୂପେ ଗୃହିତ | ମହର୍ଷି କପିଳଙ୍କ ପ୍ରଣୀତ ସାଂଖ୍ଯ ଦର୍ଶନରେ ସୃଷ୍ଟିତତ୍ତ୍ବର ଅବତାରଣା କରି ଅପରା ଓ ପରାଭେଦରେ ପ୍ରକୃତିର ଚିତ୍ର ଅର୍ଜୁନଙ୍କ ଆଗରେ ଉପସ୍ଥାପିତ କରିଛନ୍ତି | ତେଣୁ ଗୀତାର ଏହି ଅପରା ଓ ପରାପ୍ରକୃତିର କଥା ବୁଝିବାକୁ ହେଲେ ଡ଼ାଳରେ ନ ବୁଲି ମୂଳ ସାଂଖ୍ୟ ଦର୍ଶନର ସୃଷ୍ଟି ତତ୍ତ୍ବକ୍ରମ ବୁଝିବାକୁ ହେବ | ତା ହେଲେ ଗୀତାର ଏହି ଅପରା ଓ ପରା ପ୍ରକୃତି ଆମ ଆଗରେ ଅତି ସହଜ ଓ ସରଳ ହୋଇଯିବ |

ସାଂଖ୍ଯଦର୍ଶନ କହେ- ଏ ସଂସାର ଦୁଃଖମୟ | ଜୀବମାତ୍ରେ ଏ ସଂସାରରେ ତ୍ରିବିଧ ତାପରେ ତାପିତ | ଏହି ତ୍ରିବିଧ ତାପର ବା ଦୁଃଖର ନିବୃତ୍ତି ହିଁ ହେଉଛି ପରମ ପୁରୁଷାର୍ଥ | ଏହାର ଏକମାତ୍ର ଉପାୟ ହେଉଛି ଜ୍ଞାନ (ଜ୍ଞାନତ ମୁକ୍ତିଃ-ସାଂଖ୍ଯ ସୂତ୍ର 32/3) | ଏଠାରେ ପ୍ରଶ୍ନ ଉଠେ, ଏ ଜ୍ଞାନ କାହାର ଜ୍ଞାନ ? ଉତ୍ତରରେ ପଞ୍ଚବିଂଶ ତତ୍ତ୍ବର ଜ୍ଞାନ କଥା କୁହାଯାଇଛି | ପ୍ରକୃତି ଓ ପୁରୁଷର ପାର୍ଥକ୍ୟ ଜ୍ଞାନ, ଅର୍ଥାତ୍ ଏହି ସୃଷ୍ଟି ପ୍ରପଞ୍ଚ କ’ଣ ଓ ତାହା ସହିତ ଆତ୍ମାର କି ପ୍ରକାର ସମ୍ବନ୍ଧ- ଏହି ଜ୍ଞାନ |

ପୁଣି ପ୍ରଶ୍ନ ଉଠେ, ଏହି ପଞ୍ଚବିଂଶ ତତ୍ତ୍ବ କ’ଣ? ତେଇଶିଟି ବିକାର ସହ ମୂଳ ପ୍ରକୃତି ଓ ପୁରୁଷ ବା ଗୀତାର ଅଷ୍ଟପ୍ରକୃତି, ଷୋଡ଼ଶ ବିକାର ଏବଂ ପୁରୁଷ- ଏହା ହିଁ ହେଉଛି ପଞ୍ଚବିଂଶତି ତତ୍ତ୍ବ | ଏହି ପଚିଶଟି ତତ୍ତ୍ବକୁ ଭିତ୍ତି କରି ସାଂଖ୍ଯ ଦର୍ଶନରେ ମହର୍ଷି କପିଳ ସୃଷ୍ଟିର କ୍ରମ ଯେପରି ବ୍ଯାଖ୍ଯା କରିଛନ୍ତି, ଏ ଯୁଗରେ ଜଡ଼ବିଜ୍ଞାନର ଏତେ ଅଗ୍ରଗତି ଓ ପ୍ରସାର ସତ୍ତ୍ବେ ସେଥିରେ ଦୋଷତ୍ରୁଟି ପ୍ରଦର୍ଶନ କରିବା ତ ଦୂରର କଥା, ତାକୁ ସମସ୍ତେ ଏକ ପ୍ରକାର ମାନି ନେଇଛନ୍ତି | ପରବର୍ତ୍ତୀ କାଳରେ ବ୍ଯାସଦେବଙ୍କ ଉତ୍ତର ମୀମାଂସା ବା ବେଦାନ୍ତ କେତେକ ଉନ୍ନତି ଘଟାଇଥିଲେ ହେଁ ଓ ନିର୍ଗୁଣ ତଥା ସଗୁଣ ବ୍ରହ୍ମଙ୍କ ସମ୍ବନ୍ଧରେ ନୂତନ ଦୃଷ୍ଟିକୋଣରୁ କେତେକ ପରିବର୍ତ୍ତନ ଆଣି ସେସବୁକୁ ନୂତନ ନାମରେ ଅଭିହିତ କରିଥିଲେ ହେଁ ମୋଟାମୋଟି ଭାବରେ ସାଂଖ୍ଯାଦର୍ଶନରେ ସୃଷ୍ଟିକ୍ରମକୁ ସ୍ବୀକାର କରିଛି ବୋଲି ମାନିନେବାକୁ ହେବ |

ବର୍ତ୍ତମାନ ଦେଖାଯାଉ, ମୂଳ ପ୍ରକୃତିର କିଭଳି ରୂପରେଖ ସାଂଖ୍ଯ ଦର୍ଶନ ଦେଇଛି | ଜଗତର ଯାହା ମୂଳ ଉପାଦାନ, ତାର ନାମ ପ୍ରକୃତି ବୋଲି ଦର୍ଶାଇ ସତ୍ତ୍ବ, ରଜଃ ଓ ତମଃ ଏହି ତ୍ରିଗୁଣର ସାମ୍ୟାବସ୍ଥା ହିଁ ପ୍ରକୃତି ଏବଂ ତାର ସାମ୍ଯଭଙ୍ଗରେ ପ୍ରଥମ ବିକାର ହେଉଛି ମହତ୍ତତ୍ତ୍ବ (ବୁଦ୍ଧିତତ୍ତ୍ବ) ଓ ମହତ୍ର ବିକାର ହେଉଛି ଅହଂତତ୍ତ୍ବ ବା ଅହଂକାର, ଅହଂକାରର ବିକାର ହେଉଛି ପଞ୍ଚତନ୍ମାତ୍ର ଓ ଏକାଦଶ ଇନ୍ଦ୍ରିୟ ଏବଂ ପଞ୍ଚତନ୍ମାତ୍ରର ବିକାର ହେଉଛି ପଞ୍ଚ ମହାଭୂତ | ଏହିଭଳି ଏହି ତତ୍ତ୍ବଗୁଡ଼ିକର ମୋଟ ସଂଖ୍ଯା ହେଲା ଚବିଶ ଏବଂ ସେଥିରେ ପୁରୁଷକୁ ମିଶାଇ ସାଂଖ୍ଯଦର୍ଶନ ମୋଟ ପଞ୍ଚବିଂଶତି ତତ୍ତ୍ବର ଅବତାରଣା କରିଛି | ସୃଷ୍ଟିରେ ଯାହା କିଛି ଆମେ ଦେଖୁଛେ ବା ନ ଦେଖୁଛେ, ସେସବୁର ଉତ୍ପତ୍ତି ଏହି ପଞ୍ଚବିଂଶତି ତତ୍ତ୍ବରୁ ହୋଇଛି |

ସତ୍ତ୍ବାଦି ତ୍ରିଗୁଣର ସାମ୍ଯାବସ୍ଥା ଯେଉଁ ପ୍ରକୃତି, ତାହା ପୁଣି ଅନାଦି, ଅନନ୍ତ, ନିତ୍ଯ, ଅସୀମ, ଅତି ସୂକ୍ଷ୍ମ, ଅଲିଙ୍ଗ, ନିରବୟବ ଓ ନିର୍ବିଶେଷ | ପ୍ରଧାନ, ଅବ୍ଯକ୍ତ, ତ୍ରୈଗୁଣ୍ଯ ଆଦି ଏହାର ନାମାନ୍ତର ମଧ୍ଯ ଅଛି | ଏହି ଅବ୍ଯକ୍ତିର ପରିଣାମ ହେଉଛି ଏହି ଜଗତ୍ ଏବଂ ଗୀତାର ଦ୍ବିତୀୟ ଅଧ୍ଯାୟ 28 ଶ୍ଳୋକରେ ଏହାରି ଉପରେ କୁହାଯାଇଛି- ଅବ୍ଯକ୍ତାଦୀନି ଭୂତାନି | ସତ୍ତ୍ବ, ରଜଃ ଓ ତମଃର ସାମ୍ଯାବସ୍ଥା ହେଉଛି ଏହି ଅବ୍ଯକ୍ତ ଅବସ୍ଥା | ଏଥିପାଇଁ ଏହାକୁ ତ୍ରୈଗୁଣ୍ଯ ବୋଲି ମଧ୍ଯ କୁହାଯାଏ | ଯାହାହେଉ, ଏହି ତ୍ରିଗୁଣର ସ୍ବଭାବ ପୁଣି ପରସ୍ପର ବିରୋଧୀ | ସତ୍ତ୍ବଗୁଣର ସ୍ବଭାବ ଅପ୍ରକାଶ ବା ମୋହ ଏବଂ ରଜଃର ସ୍ବଭାବ କର୍ମପ୍ରବଣତା | ଏହି ତିନୋଟିଯାକ ପ୍ରକୃତିରେ ଅବିଚ୍ଛେଦ୍ୟ ଭାବରେ ନିହିତ ଥାଏ ଏବଂ ଏହି ତ୍ରିଗୁଣର ସାମ୍ଯଭଙ୍ଗ ଘଟିଲେ ଓ ସୃଷ୍ଟି ଆରମ୍ଭ ହେଲେ ପ୍ରଭୃତି ତାର ତ୍ରିଗୁଣରେ ଜଗତର ସୃଷ୍ଟ ସବୁ ଜୀବଙ୍କୁ ସେଥିରେ ବାନ୍ଧି ଛନ୍ଧିପକାଏ ଓ ସୃଷ୍ଟିଲୀଳା ଚାଲେ | ଭାଗବତକାର କହିଛନ୍ତି, ତ୍ରିଗୁଣ ରଜ୍ଜୁ କରେ ଧରି ମୃଗୀ ନଚାଏ ନରହରି |

ଗୀତାର 14ଶ ଅଧ୍ଯାୟରେ ଏହି ତ୍ରିଗୁଣର ବର୍ଣ୍ଣନା ମଧ୍ଯ ଅଛି |ସତ୍ତ୍ବ, ରଜଃ ଓ ତମଃ-ପ୍ରକୃତି ଜାତ ଏହି ତିନି ଗୁଣ ଦେହ ମଧ୍ଯରେ ଆତ୍ମାକୁ ବନ୍ଧନ କରି ରଖେ | ଏହି ତିନି ଗୁଣ ମଧ୍ଯରେ ସତ୍ତ୍ବ ଗୁଣ ମିଳନ ବୋଲି ପ୍ରକାଶକ ଓ ନିର୍ଦ୍ଦୋଷ | ଏହା ସୁଖସଙ୍ଗ ଓ ଜ୍ଞାନସଙ୍ଗ ଦ୍ବାରା ଆତ୍ମାକୁ ବନ୍ଧନ କରି ରଖେ | ରଜୋଗୁଣ ରାଗାତ୍ମକ | ତୃଷ୍ଣା ଓ ଆସକ୍ତି ଏଥିରୁ ଉତ୍ପନ୍ନ ହୁଏ | କର୍ମାସକ୍ତି ଦ୍ବାରା ଏହା ଦେହୀକୁ ବନ୍ଧନ କରେ | ତମୋଗୁଣ ଅଜ୍ଞାତଜାତ ଏବଂ ଦେହୀମାନଙ୍କର ଭ୍ରାନ୍ତିଜନକ | ପ୍ରମାଦ ଆଳସ୍ଯ ଓ ନିଦ୍ରାଦ୍ବାରା ଜୀବକୁ ଆବଦ୍ଧ କରେ |

ଏବେ ଦେଖାଯାଉ ତ୍ରିଗୁଣାତ୍ମିକା ଏହି ପ୍ରକୃତିଠାରୁ ଏ ବିଶ୍ବପ୍ରପଞ୍ଚ ପରମ୍ପରାକ୍ରମେ କିପରି ପ୍ରକଶିତ ହୋଇଛି | ପ୍ରକୃତିରେ ଏହି ଗୁଣତ୍ରୟ ସାମ୍ଯଭଙ୍ଗ ଘଟିଲେ ତାର ପ୍ରଥମ ପରିଣାମ ହେଉଛି ସାଂଖ୍ଯଦର୍ଶନର ଭାଷାରେ ମହତତ୍ତ୍ବ ଏବର ସାଂଖ୍ଯକରମାନେ ଏହାକୁ ବୁଦ୍ଧିତତ୍ତ୍ବ ବେଲି ମଧ୍ଯ କହିଥାନ୍ତି | ଯେ କୌଣସି କାମ କରିବା ଆଗରୁ ମନୁଷ୍ଯର ସେହି କାମଟି କରିବା ପାଇଁ ପ୍ରଥମେ ବୁଦ୍ଧି ବା ସଂକଳ୍ପ ଆସିବା ଦରକାର | ଠିକ୍ ଏହି ଧାରାରେ ପ୍ରକୃତିର ମଧ୍ଯ ନିଜର ବିସ୍ତାର ପାଇଁ ପ୍ରଥମେ ଏହିଭଳି ବୁଦ୍ଧି ବା ସଂକଳ୍ପ ହେବା ଆବଶ୍ଯକ | ତେଣୁ ପ୍ରକୃତିର ପ୍ରଥମ ପରିଣାମ ସ୍ବରୂପ ପ୍ରଥମେ ବ୍ଯବସାୟାତ୍ମିକା ବୁଦ୍ଧିରୂପ ଗୁଣ ଆଗେ ଉତ୍ପନ୍ନ ହୁଏ |  ସାଂଖ୍ଯ ଦର୍ଶନବିଦମାନେ କହନ୍ତି ଯେ, ମନୁଷ୍ଯ ସଚେତନ ଜୀବ ହୋଇଥିବାରୁ ତାର ବ୍ଯବସାୟାତ୍ମିକା ବୁଦ୍ଧି, ସେ ବୁଝେ | ମାତ୍ର ପ୍ରକୃତି ଅଚେତନ ହୋଇଥିବାରୁ ନିଜ ବୁଦ୍ଧ ସମ୍ପର୍କରେ ତାର କୌଣସି ଜ୍ଞାନ ନ ଥାଏ | ଯାହାହେଉ, ଗୁଣତ୍ରୟର ସାମ୍ଯଭଙ୍ଗ ପରେ ପ୍ରକୃତିର ପ୍ରଥମ ପରିଣାମ ଯେଉଁ ମହତତ୍ତ୍ବ ବା ବୁଦ୍ଧିତତ୍ତ୍ବ, ତଦ୍ଦ୍ବାରା ପ୍ରକୃତିରେ, ‘ମୁଁ’ତ୍ବ ବୋଧ ଜାଗ୍ରତ ହୁଏ ଏବଂ ‘ମୁଁ ଅଛି’ ଏହି ଜ୍ଞାନରେ ସେ ଉଦ୍ବୁଦ୍ଧ ହୋଇଉଠେ | ଏହା ପରେ ପ୍ରକୃତିର ଦ୍ବିତୀୟ ପରିଣାମ ହେଉଛି ଅହଂତତ୍ତ୍ବ ବା ଅହଂକାର ଏବଂ ଏହି ପରିଣାମ ଫଳରେ ‘ମୁଁ’ତ୍ବ ବୋଧ ବା ‘ମୁଁ ଅଛି’ ଏହି ଜ୍ଞାନ ସାଙ୍ଗକୁ ‘ମୁଁ କରୁଛି’ ଏଭଳି ଏକ ପ୍ରତ୍ଯୟ ତା ଭିତରେ ମୁଣ୍ଡ ଟେକେ | ଏହା ଫଳରେ ଏକ ବସ୍ତୁସାର ଅବସ୍ଥାରେ ଥିବା ମହତତ୍ତ୍ବ ବା ବୁଦ୍ଧତତ୍ତ୍ବ ସେହି ଏକ ବସ୍ତୁସାରତା ଭାଙ୍ଗିଯାଇ ବହୁ ବସ୍ତୁସାରତା ଉତ୍ପନ୍ନ ହୁଏ | ଏହି ଅହଂତତ୍ତ୍ବ ବା ଅହଂକାରର ଅର୍ଥ ହେଉଛି ‘ମୁଁ’, ‘ମୁଁ’ କରିବା ଅର୍ଥାତ୍ ମୁଁ ଅଲଗା ତୁମେ ଅଲଗା ଓ ସେ ଅଲଗା ଭାବ ଅନ୍ଯଠାରୁ ନିଜକୁ ଅଲଗା ରଖି ପୃଥକ୍ ଭାବରେ ଦେଖାଇବା ହେଉଛି ଏହାର ବେଶିଷ୍ଟ୍ଯ |

ସତ୍ତ୍ବ, ରଜଃ ଓ ତମଃ ଭେଦରେ ପ୍ରକୃତିର ଯେଉଁ ତିନୋଟି ଗୁଣ ଅଛି, ତା ପ୍ରଭାବରେ ଅହାଂକାର ତାର ପ୍ରକାର ଭେଦଶକ୍ତି ବଳରେ ବିଭିନ୍ନ ପଦାର୍ଥ ବା ବସ୍ତୁ ସୃଷ୍ଟି ଆରମ୍ଭ କରେ | ପ୍ରକୃତି ଶଦ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ‘ପ୍ରକରୋତି’ ବା ପ୍ରକାର ସୃଜନୀଶକ୍ତି | ଯାହାହେଉ ସାତ୍ତ୍ବିକ, ରାଜସିକ ଓ ତାମସିକ ଗୁଣ ଭେଦରେ ପ୍ରକୃତି ଅହଂତତ୍ତ୍ବ ବଳରେ ତାର ଯେଉଁ ପ୍ରକାର ସୃଜନୀଶକ୍ତି ପ୍ରକାଶ କରେ, ତାର ବିକାଶ ବା ବୃଦ୍ଧି ଦୁଇଟି ଶାଖାରେ ବିଭକ୍ତ ହେବା ଫଳରେ ସେନ୍ଦ୍ରିୟ ଓ ନିରିନ୍ଦ୍ରିୟ ପଦାର୍ଥର ସୃଷ୍ଟି ହୁଏ | ସତ୍ତ୍ବଗୁଣ ପ୍ରାଧାନ୍ଯ ଫଳରେ ହସ୍ତ ପଦାଦି ପଞ୍ଚ କର୍ମେନ୍ଦ୍ରିୟ, ଚକ୍ଷୁ-କର୍ଣ୍ଣାଦି ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ଉଭୟେନ୍ଦ୍ରିୟ ମନ-ଏହିପରି ମୋଟ ଏକାଦଶ ଇନ୍ଦ୍ରିୟର ସୃଷ୍ଟି ହୁଏ | ଅନ୍ଯ ଦିଗରେ ତମୋଗୁଣର ପ୍ରାଧାନ୍ଯ ଫଳରେ ଶଦ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧାଦି ପଞ୍ଚତନ୍ମାତ୍ର ସୃଷ୍ଟି ହୁଏ | ଏହା ପଞ୍ଚସ୍ଥୂଳଭୂତର ସୂକ୍ଷ୍ମରୂପ | ଏହି ପଞ୍ଚତନ୍ମାତ୍ରରୁ କ୍ଷିତ୍ଯପ୍ତେକ ମରୁତ୍ ବ୍ଯୋମାଦି ପଞ୍ଚମହାଭୂତ ବା ସ୍ଥୂଳଭୂତର ସୃଷ୍ଟି ହୁଏ | ଏହି ପଞ୍ଚମହାଭୂତ ବା ସ୍ଥୂଳଭୂତର ପରିଣାମ ହେଉଛି ସ୍ଥାବରଜଙ୍ଗମାତ୍ମକ |

ଏହିପରି ଦୃଶ୍ଯମାନ ଓ ଅପରିଦୃଶ୍ଯମାନ ବିଶ୍ବପ୍ରପଞ୍ଚ ପଞ୍ଚତନ୍ମାତ୍ର କହିଲେ ପଞ୍ଚମହାମୂତର ସୂକ୍ଷ୍ମରୂପ ବ୍ଯୋମତତ୍ତ୍ବ ବା ଇଥରର ସୂକ୍ଷ୍ମରୂପ ହେଉଛି ଶଦ୍ଦ | ସେଥିପାଇଁ ଇଥର ମଧ୍ଯ ଦେଇ ଶଦ୍ଦର ଗତି ନିରଙ୍କୁଶ | ଦ୍ବିତୀୟ ମହାଭୂତ ମରୁତ୍ର ସୂକ୍ଷ୍ମ ରୂପ ହେଉଛି ସ୍ପର୍ଶ | ଏହିଭଳି ପଞ୍ଚତନ୍ମାତ୍ରକୁ ପଞ୍ଚ ମହାଭୂତର ସୂକ୍ଷ୍ମରୂପ ବୋଲି ବୁଝିବାକୁ ହେବ | ଯେଉଁ ମହାଭୂତ ଏକାଧିକ ତନ୍ମାତ୍ରରେ ତାର ସୂକ୍ଷ୍ମରୂପ ଧରାପଡ଼େ, ସେ ମହାଭୂତ ସେତେ ସ୍ଥୂଳ ସୂକ୍ଷ୍ମ ତନ୍ମାତ୍ରଗୁଡ଼ିକ ସ୍ଥୂଳାୟନ ପଥରେ ଆଗେଇ ଆସିବାଦ୍ବାରା ପଞ୍ଚମହାଭୂତର ଉତ୍ପତ୍ତି ଘଟେ | ଏହି ସ୍ଥୂଳ ମହାଭୂତଗୁଡ଼ିକର ପରିଣାମରେ ସ୍ଥାବର-ଜଙ୍ଗମାତ୍ମକ ସୃଷ୍ଟିର ବିକାଶ ଘଟିଛି |

ଏହା ହିଁ ହେଉଛି ସାଂଖ୍ଯ ଦର୍ଶନର ପ୍ରକୃତ ପରିଣାମ ବ ସୃଷ୍ଟିକ୍ରମ | ପ୍ରକୃତି ଜଡ ହୋଇଥିବାରୁ ତାର ପରିଣାମରେ ବୁଦ୍ଧି, ଅହଂକାର, ମନ ଇନ୍ଦ୍ରିୟାଦି ସବୁ ଜଡ଼ ପଦାର୍ଥ | କିନ୍ତୁ ଏଗୁଡ଼ିକ ଚେତନାତ୍ମକ ଭଳି ମନେହୁଏ କାହିଁକି ? ଏହାର ଉତ୍ତରରେ ସାଂଖ୍ଯର ପୁରୁଷ ଚେତନ ହେଲେ ହେଁ ନିବିର୍କାର ଓ ଅକର୍ତ୍ତା ପ୍ରକୃତିର ଗୁଣରେ (ତ୍ରିଗୁଣ) ସବୁ କର୍ମ ହୁଏ ଏବଂ ପୁରୁଷ କେବଳ ସେସବୁର ସାକ୍ଷୀ ଭୋକ୍ତା ଓ ଅନୁମନ୍ତା ବା ଅନୁମୋଦନକାରୀ | ସୃଷ୍ଟି କାଳରେ ପୁରୁଷ ଓ ପ୍ରକୃତି ପରସ୍ପର ସଂଯୁକ୍ତ ଥାଏ ଏବଂ ତା ଫଳରେ ପୁରୁଷର ଚେତନା ପ୍ରକୃତିରେ ଓ ପ୍ରକୃତିର ଗୁଣ ପୁରୁଷରେ ଉପଚାରିତା ବା ସଂକ୍ରାମିତ ହୁଏ | ଏହି ହେତୁ ପ୍ରକୃତ ପକ୍ଷେ ଅଚେତନ ଓ ଜଡ଼ ହେଲେ ହେଁ ପ୍ରକୃତି ଚେତନ ବୋଲି ମନେହୁଏ ଏବଂ ଅକର୍ତ୍ତା ହେଲେ ହେଁ ପୁରୁଷ କର୍ତ୍ତା ବୋଲି ମନେହୁଏ

ପାଶ୍ଚାତ୍ଯ ବିଜ୍ଞାନଠାରୁ ଏହିଠାରେ ସାଂଖ୍ଯ ଦର୍ଶନର ବିଶେଷତ୍ବ ଓ ଶ୍ରେଷ୍ଠତ୍ବ ପ୍ରତିପାଦିତ ହୁଏ |

ଯୋଗୀ ଅରବିନ୍ଦଙ୍କ ଭାଷାରେ ସଚେତନ ମନ ଓ ଅଚେତନ ଜଡ଼ର ଯେଉଁ କ୍ରିୟା ତାର ପରିଣାମ ହେଉଛି ଏ ସୃଷ୍ଟି-ଏହା ପାଶ୍ଚାତ୍ଯ ବିଜ୍ଞାନ ପ୍ରମାଣ କରିବାକୁ ଚେଷ୍ଟା କରିଛି କିନ୍ତୁ ଅଚେତନ କିପରି ସଚେତନ ପରି ହୁଏ, ତାର ବ୍ଯାଖ୍ଯା ପାଶ୍ଚାତ୍ଯ ତାର ବ୍ଯାଖ୍ଯା କରି କହିଛି, ପୁରୁଷ ଭିତରେ ପ୍ରକୃତି ପ୍ରତିବିମ୍ବିତ ହେବା ଫଳରେ ଜଡ଼ା ପ୍ରକୃତି ସଚେତନ ମନେହୁଏ ଏବଂ ସଚେତନ ଭଳି କାମ କରିବାର ମନେହୁଏ ଏବଂ ସଚେତନ ଭଳି କାମ କରିବାର ପ୍ରତ୍ଯୟ ଆମର ହୁଏ | ଏହା ସାକ୍ଷୀ ସ୍ବରୂପ ପୁରୁଷ ନିଜକୁ ଭୁଲିଯାଇ ପ୍ରକୃତିର ଚିନ୍ତା, ଇଚ୍ଛା ଓ କ୍ରିୟାକୁ ନିଜର ବୋଲି ମନେ କରେ ଏହି ଭ୍ରମରୁ ପରିତ୍ରାଣ ପାଇବା ହେଉଛି ପୁରୁଷର ମୁକ୍ତି  ସାଂଖ୍ଯଦର୍ଶନ ମତରେ ଏହି ସୃଷ୍ଟିକାମ ଅତି ଯୁକ୍ତିଯୁକ୍ତ ଓ ତା ବିରୁଦ୍ଧରେ ସ୍ବର ଉଠାଇବାର କେଣସି ଅବକାଶ ନ ଥିଲେ ସୁଦ୍ଧା ଈଶ୍ବରଙ୍କ ସମ୍ବନ୍ଧରେ ନୀରବ  ତେଣୁ ସାଂଖ୍ଯମତକୁ ନିରୀଶ୍ବର ବୋଲି କୁହାଯାଇଥାଏ | ବୌଦ୍ଧଦର୍ଶନ ଏହି ସାଂଖ୍ଯ ଦର୍ଶନର ଏକ ପ୍ରତିଧ୍ବନି ଛଡ଼ା ଆଉ କିଛି ନୁହେଁ ବୋଲି ମଧ୍ଯ ତଦବିଦ୍ମାନେ କହନ୍ତି |


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top