ସାମ୍ବାଦିକଙ୍କ ସୁରକ୍ଷାଦାତା ବରେନ୍ଦ୍ରକୃଷ୍ଣ

News Story - Posted on 2016-08-19

ବୈଷ୍ଣବ ଜେନା

 

ରାଜଧାନୀ ସାମ୍ୱାଦିକମାନଙ୍କର ସବୁଠାରୁ ବଡ଼ ଆକାଂକ୍ଷା ହେଉଛି ଗୋଟିଏ ସରକାରୀ ବାସଭବନ। ଦରମା କମ‌୍‍ ହୋଇଥିବାରୁ ସବୁ ସାମ୍ୱାଦିକ ସରକାରୀ ଘରଟିଏ ପାଇବାକୁ ବ୍ୟଗ୍ର ହୋଇଥାଆନ୍ତି। ଆମେ ମଧ୍ୟ ଗତ ୯୦ ଦଶକର ପ୍ରାରମ୍ଭରେ ସେଥିପାଇଁ ବିକଳ ହେଉଥିଲୁ। ସରକାରୀ ଅଫିସର ଓ କିରାଣୀମାନେ ଆଉ ସାମ୍ୱାଦିକଙ୍କୁ ଘର ନ ଦେବା ପାଇଁ ଅଡି ବସିଥାଆନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ ସେତେବେଳେ ୮୫ ପ୍ରତିଶତ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ୱାଦିକ ଘର ପାଇଥିବା ବେଳେ ସରକାରୀ କର୍ମଚାରୀ ୪୫ ପ୍ରତିଶତ ଘର ପାଇଛନ୍ତି। ସେମାନଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ ଆମ୍ଭେ ଆମର ଉଦ୍ୟମ ଜାରି ରଖିଥିଲୁ।

 

ତତ‌୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟଙ୍କ ଏବଂ ତାଙ୍କର ପ୍ରମୁଖ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଫିସରମାନଙ୍କ ପାଖକୁ ଦୌଡ଼ୁଥିଲୁ। ବହୁ ଉଦ୍ୟମ ପରେ ଶ୍ରୀ ମହାପାତ୍ର ଆମ ପାଇଁ ସୁପାରିଶ ଦେଇଥିଲେ। ମାତ୍ର ତତ‌୍‍କାଳୀନ ମାହାଲ ନିର୍ଦ୍ଦେଶକ ଆମ କଥା ଶୁଣିଲେ ନାହିଁ। ବରଂ ତାଙ୍କ କକ୍ଷକୁ ଯାଉଥିବାରୁ ସେ ଆମ ଉପରେ ବିରକ୍ତ ହୋଇ ଏଣୁ ତେଣୁ କହିଲେ। ଆମେ ପ୍ରଥମେ ଡ଼ରୁ ଥିଲୁ - ମାତ୍ର ପରେ ଭୟଶୁନ୍ୟ ହୋଇ ଯୁକ୍ତି କଲୁ। ପାଟିତୁଣ୍ଡ ହେଲା - ସେହି ଅଫିସର ଜଣକ ଆମକୁ ବହୁତ ଗାଳି ଦେଲେ। ଏପରିକି ଆମର ମାଲିକଙ୍କୁ (ମାତୃଭାଷାର ପ୍ରତିଷ୍ଠାତା ବିକାଶ କର) କହି ଆମର ଚାକିରୀ ନେଇଯିବେ ବୋଲି ଧମକ ଦେଲେ। ବିକାଶ ଆମର ବଂଧୁ ବାଂଧବ- ମୋ କଥାରେ ତୁମକୁ ସେ କାଲି ବାହାର କରିଦେବ- ଏହାପରେ ତୁମେ କିପରି କ୍ୱାର୍ଟର ପାଇବ ମୁଁ ଦେଖିବି ବୋଲି ସେ ଉଚ୍ଚ ସ୍ୱରରେ କହିଲେ। ଆମେ କାନ୍ଦ କାନ୍ଦ ହୋଇଗଲୁ । ଏହି ସମୟରେ ସେହି କକ୍ଷକୁ ଅଗତ୍ୟା ବରେନ୍ଦ୍ର ଭାଇ ପ୍ରବେଶ କଲେ। ଆମେ ଟିକେ ସାହାସ ପାଇଲୁ, ଆମ ଦୁଇଜଣଙ୍କ ମଧ୍ୟରେ ହେଉଥିବା ଝଗଡ଼ା ସଂପର୍କରେ ଅବଗତ ହେଲାପରେ ବରେନ୍ଦ୍ର ଭାଇ ସେହି ଅଫିସର ଜଣଙ୍କୁ ଅତ୍ୟନ୍ତ ଉଚ୍ଚସ୍ୱରରେ ଗାଳି କଲେ। ଗୋଟିଏ ଦାୟିତ୍ୱ ସମ୍ପନ୍ନ ଅଫିସର ହୋଇ ଜଣେ ଯୁବ ସାମ୍ୱାଦିକଙ୍କୁ କାହିଁକି ତାତ୍ସଲ୍ୟ ଏବଂ ଚାକିରୀ ଖାଇଯିବାର ଧମକ ଦେଉଛ ବୋଲି ସେ ପ୍ରଶ୍ନ କଲେ। ଏହାଛଡା ପରବର୍ତ୍ତୀ ସମୟରେ ସେ ପରିଣାମ ଭୋଗିବ ବୋଲି କହିବା ସହିତ ବରେନ୍ଦ୍ର ଭାଇ କହିଲେ ଯେ- ଏହା ହେଉଛି ସାମ୍ୱାଦିକମାନଙ୍କ ପ୍ରତି ଖରାପ ମନୋଭାବ।

 

ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇଥିବା ସେହି ଅଫିସର ଜଣକ ନରମ ହୋଇଗଲେ କିଛି ସମୟ ପରେ ବରେନ୍ଦ୍ର ଭାଇଙ୍କୁ ଭୁଲ‌୍‍ ମାଗିଥିଲେ। କିନ୍ତୁ ଆମକୁ ତୀର୍ଯକ ଦୃଷ୍ଟିରେ ଚାହିଁ ଆମର ଫାଇଲକୁ ପୁନର୍ବାର ଫେରାଇ ଦେଲେ। ତେବେ ସେ ଯାହା ହେଉନା କାହିଁକି ସେହିଦିନ ବରେନ୍ଦ୍ର ଭାଇ ସେହି ଅଫିସର ଜଣଙ୍କ ନିକଟରେ ଆମକୁ ଯେପରି ସୁରକ୍ଷା ନେଲେ ତାହା ଆମେ ମୃତ୍ୟୁ ପର୍ଯ୍ୟନ୍ତ ଭୁଲି ପାରିବୁ ନାହିଁ। ଏକଥା ସତ୍ୟ ଯେ ଆମକୁ ସେ ତାଙ୍କର ଅନ୍ୟତମ ଶିଷ୍ୟ ବା ସାନଭାଇ ଭାବରେ ଗ୍ରହଣ କରିନେଇଥିଲେ। ଏପରିକି ତାଙ୍କ ପରିବାରର ଅନ୍ୟତମ ସଦସ୍ୟ ଭାବରେ ଗ୍ରହଣ କରିନେଇଥିଲେ। ଛୋଟ ମୋଟ କଥାରେ ଘରକୁ ଡାକିବା କିମ୍ୱା ସାଙ୍ଗରେ ସଭା ସମିତିକୁ ନେଉଥିଲେ।

 

ପ୍ରତ୍ୟକ ସପ୍ତାହରେ ଆମ୍ଭେ ତାଙ୍କ ପାଖକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାଉ। ଏହି କ୍ରମରେ ଆଉ ଓଡ଼ିଆ ଖବର କାଗଜକୁ ଭଲ ସାମ୍ୱାଦିକମାନେ କାହିଁକି ଆସୁନାହାନ୍ତି ବୋଲି ଆମକୁ ଅନୁଧ୍ୟାନ କରିବାକୁ ପରାମର୍ଶ ନେଇଥିଲେ। ଏବେ ପୂର୍ବାବସ୍ଥା ନାହିଁ। ଓଡ଼ିଆ ଖବର କାଗଜ ମାନେ ଭଲ ପଇସା ଦେଲେଣି। ତେଣୁ ଭଲ ପିଲା ଓଡ଼ିଆ ଖବର କାଗଜକୁ କାହିଁକି ପସନ୍ଦ କରୁନାହାନ୍ତି ବୋଲି ସେ ଉଦ‌୍‍ବେଗର ସହିତ କହିଥିଲେ।

 

ବରେନ୍ଦ୍ର ଭାଇଙ୍କ ସହିତ ଆମ୍ଭେ କୋଲକାତା ପୁସ୍ତକ ମେଳା ଦେଖିବାକୁ ଯାଇଥିଲୁ। ସାଙ୍ଗରେ ତାଙ୍କର ଧର୍ମପତ୍ନୀ ଥିଲେ। ସେ ସାତ ମାସ ହେଲା ପରଲୋକ ଗମନ କଲେଣି। ଏତଦ‌୍‍ ବ୍ୟତୀତ ଆମ୍ଭମାନଙ୍କ ସହିତ ସାହିତ୍ୟିକ ଡଃ ଦାଶ ବେନ‌୍‍ହୁର ତାଙ୍କ ପତ୍ନୀ ଓ ପୁତ୍ର-କନ୍ୟାଙ୍କ ସହିତ ଯାଇଥିଲେ। ଡ. ଖଗେଶ୍ୱର ମହାପାତ୍ର ଏବଂ ଅନୁବାଦକ ଯୁଗଳ କିଶୋର ଦତ୍ତ ମଧ୍ୟ ଯାଇଥିଲେ। ବିଭିନ୍ନ ଆଲୋଚନା ସମୟରେ ଆମ୍ଭେ ତାଙ୍କ ପତ୍ନୀଙ୍କୁ (ସ୍ୱର୍ଗତା ସ୍ନେହଲତା ଧଳ) ଗୋଟିଏ କଥା ପଚାରିଥିଲୁ, ଆମ୍ଭେ ଟିକେ ଅଡୁଆରେ ପଡିଯାଇଛୁ - ଆପଣଙ୍କୁ ଭାଉଜ ଡାକିବୁ କିମ୍ୱା ଦେଈ ଡାକିବୁ ତାହା ଜାଣି ପାରୁନାହିଁ - କାରଣ ଆମେ ବରେନ୍ଦ୍ର ଭାଇଙ୍କୁ ବଡ଼ ଭାଇ ବୋଲି ଡାକୁଛୁ। ଅପର ପକ୍ଷରେ ଆପଣଙ୍କ ସାନଭାଇ ଶଚି (ସାମ୍ୱାଦିକ ବିବେକ ଜେନା) ମଧ୍ୟ ଆମର ସାନଭାଇ। ତେଣୁ କ’ଣ ଡାକିବୁ ଜାଣିପାରୁନାହଁୁ ।

 

ଏ ପ୍ରଶ୍ନର ଉତ୍ତରରେ ସ୍ୱର୍ଗତାଃ ଧଳ କିଛି କହିବା ପୂର୍ବରୁ ବରେନ୍ଦ୍ର ଭାଇ କହିଲେ - ଦେଈ ବି ବଡ - ଭାଉଜ ବି ବଡ - ତେଣୁ ତୁ ଯାହା ଡାକିପାରିବୁ। ଏହା ନ ହେଲେ ତୁ ଉଭୟ ଦେଈ ଓ ଭାଉଜକୁ ମିଶାମିଶି କରି ଏକତ୍ର ଡାକିପାରିବୁ। ଏକଥା ଶୁଣି - ଅନ୍ୟ ସମସ୍ତେ ହସି ଉଠିଥିଲେ। ଏହି କୋଲକାତା ପୁସ୍ତକ ମେଳା ଆମ ଜୀବନର ଏକ ସ୍ମରଣୀୟ ଘଟଣା। ପୁସ୍ତକ ମେଳାରେ ସେ କୋଲକାତାର ବଡ଼ ବଡ଼ ଲେଖକ ଓ ସାମ୍ୱାଦିକମାନଙ୍କ ସହିତ ମୋର ପରିଚୟ କରାଇଥିଲେ। ଅତ୍ୟନ୍ତ ପ୍ରଶଂସା ମଧ୍ୟ ମୋର କରିଥିଲେ। ଏପରିକି ପ୍ରଖ୍ୟାତ ବଙ୍ଗଳାଦେଶୀ ଲେଖିକା ତସଲିମା ନସରିନ‌୍‍ଙ୍କ ସହିତ ପରିଚୟ କରାଇଥିଲେ। ଉଭୟଙ୍କ ମଧ୍ୟରେ ଶୁଦ୍ଧ ବଂଗଳାରେ ଦୀର୍ଘ ସମୟ ଧରି ହୋଇଥିବା ଆଲୋଚନାର ଆମେ ପ୍ରତ୍ୟେକ୍ଷଦର୍ଶୀ। ସେହି ଅବସରରେ ଆମେ ବଂଗଳା ବୁଝି ପାରୁଛୁ କି ବୋଲି ତସଲିମା ସହାସ୍ୟ ବଦନରେ ପ୍ରଶ୍ନ କରିଥିଲେ। ଯାହାକି ଆମକୁ ବେଶ‌୍‍ ଆମୋଦିତ କରିଥିଲା। ଆମେ ବଂଗଳା ଜାଣିଛୁ ବୋଲି ତସଲିମାଙ୍କୁ ବରେନ୍ଦ୍ର ଭାଇ ସଫେଇ ଦେଇଥିଲେ।

 

ବରେନ୍ଦ୍ର ଭାଇ କେବଳ ଜଣେ ପ୍ରତିଥଯଶା ସାମ୍ୱାଦିକ ନୁହଁନ୍ତି, ବରଂ ଜଣେ ସାହିତ୍ୟିକ, କ୍ରୀଡା ସଂଗଠକ ଏବଂ ପୁସ୍ତକମେଳା ଆନ୍ଦୋଳନର ଅଗ୍ରଦୂତ। ତାଙ୍କର ସାମ୍ୱାଦିକତା ସାହିତ୍ୟ ଉପରେ ଏବେ ଦୁଇଜଣ ଯୁବ ଗବେଷକ ତାଙ୍କର ଗବେଷଣା ଆରମ୍ଭ କରିଛନ୍ତି। ଓଡ଼ିଶା ଅପେକ୍ଷା ସେ ପଶ୍ଚିମବଙ୍ଗ ଏବଂ ବଙ୍ଗଳା ଦେଶରେ ଅଧିକ ଲୋକପ୍ରିୟ। ଯଦି ଓଡ଼ିଶା ଛାଡ଼ି ସେ ଅନ୍ୟ କୌଣସି ସ୍ଥାନରେ ଜନ୍ମ ହୋଇଥାଆନ୍ତେ ତେବେ ସେଠାକାର ସରକାରଙ୍କ ସୁପାରିଶକ୍ରମେ ସେ ପଦ୍ମଶ୍ରୀ ପାଇପାରିଥାଆନ୍ତେ କିମ୍ୱା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଥାଆନ୍ତେ। ଓଡ଼ିଶାରେ ଏହା ସମ୍ଭବ ହୋଇପାରିଲା ନାହିଁ। ସେ ଓଡ଼ିଶାରେ ଏକମାତ୍ର ସାମ୍ୱାଦିକ ଯିଏକି, ଏକ ଜାତୀୟ ସାମ୍ୱାଦିକ ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡା ସେ ସାର୍କ ରାଷ୍ଟ୍ର ସମୂହ ସାମ୍ୱାଦିକ ସମାବେଶରେ ଅଧ୍ୟକ୍ଷତା କରିଥିଲେ। ତାଙ୍କ ଯୋଗଁୁ ଓଡ଼ିଶାରେ ଲେଖକ ଓ ସାମ୍ୱାଦିକମାନେ ମର୍ଯ୍ୟାଦାବନ୍ତ ହୋଇଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମନ୍ତବ୍ୟ ଦେଇଥିଲେ। ଏହିସବୁ ସାମଗ୍ରିକ କୃତିକୁ ବାଦ‌୍‍ ଦେଲେ ବରେନ୍ଦ୍ର ଭାଇ ଜଣେ ଉତ୍ତମ ପ୍ରାଣର ମଣିଷ ଥିଲେ। କେବେ ଏକୁଟିଆ ରହିବାକୁ ପସନ୍ଦ କରୁନଥିଲେ। ବିଭିନ୍ନ ଲୋକଙ୍କ ଗହଣରେ ରହିବା ଏବଂ ସାମ୍ପ୍ରତିକ ସ୍ଥିତି ସହିତ ଆଗାମୀ ଦିନର ଘଟଣା ଅଘଟଣ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ଦ୍ୱାରା ଲିଖିତ ସନ୍ଦର୍ଭମାନ ତଥ୍ୟଭିତ୍ତିକ ହୋଇଥିବାରୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ‌୍‍ ଏ.ଏସ‌୍‍. ନାଇଡୁ ଉଚ୍ଚ ପ୍ରଶଂସା କରିଥିଲେ ଏପରିକି ବରେନ୍ଦ୍ର ଭାଇଙ୍କ ତଥ୍ୟ ତାଙ୍କୁ କେତେକ ଐତିହାସିକ ରାୟ ଦେବାରେ ସହାୟକ ହୋଇଥିଲା ବୋଲି ସେ ଖୋଲା ଖୋଲି ଭାବେ କହିଥିଲେ। ବରେନ୍ଦ୍ର ଭାଇଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା ବୋଲି କହିଲେ ଭୁଲ‌୍‍ ହେବ ନାହିଁ।

 

ତେବେ ବରେନ୍ଦ୍ର ଭାଇଙ୍କଠାରୁ ଆମ୍ଭେ ଅଧିକ କିଛି ଆଶା କରିଥିଲୁ। ମାତ୍ର ତାଙ୍କର ଅକାଳ ବିୟୋଗ ଘଟିଗଲା ମୃତ୍ୟୁର ଦିନକ ପୂର୍ବରୁ ଆମ୍ଭ ସହିତ ପ୍ରାୟ ୧୫ ମିନିଟ‌୍‍ କଥାବାର୍ତ୍ତା ହୋଇଥିଲୁ। ତାଙ୍କ ଦେହକଥା ପଚାରିବାରୁ ସେ ସବୁ ଠିକ‌୍‍ ଅଛି ବୋଲି କହିଥିଲେ। ମାତ୍ର ଦୁର୍ଭାଗ୍ୟଜନକ ଘଟଣା କ୍ରମରେ ଆମ ଉପସ୍ଥିତିରେ ତାଙ୍କ ପାରିବାରିକ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କହିବା ବାହୁଲ୍ୟ ଯେ, ସେ ମୋର ଗୁରୁ ଓ ପଥ ପ୍ରଦର୍ଶକ ଥିଲେ। ଛୋଟ ଛୋଟ ବାକ୍ୟ ଗଠନ ମାଧ୍ୟମରେ କିପରି ସମ୍ୱାଦ ପରିବେଶଣ କରାଯାଇପାରିବ ତାହା ସେ ଆମକୁ ଶିଖାଇଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖିବା ତୁଳନାରେ ଅଧିକ ପଢ଼ିବାକୁ ସେ ମୋତେ ପରାମର୍ଶ ଦେଇଥିଲେ। ସ୍ୱର୍ଗରେ ଥାଇ ସେ ଆମକୁ ଆଶିର୍ବାଦ ଦେଇ ଚାଲିବେ ବୋଲି ଆମର ଆଶା।

 

ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top