ଅର୍ଜୁନ ବିଷାଦ ଯୋଗ!

News Story - Posted on 2016-08-15

ଦେବେନ୍ଦ୍ର ପୃଷ୍ଟି

 

ଅନ୍ଧ ଧ୍ରୁତରାଷ୍ଟ୍ର। ଆଖି ଥାଉ ବା ନଥାଉ, ସେ କିନ୍ତୁ ପୁତ୍ରାନ୍ଧ। କୁରୁକ୍ଷେତ୍ରର ଧର୍ମଯୁଦ୍ଧରେ ନିଜ ପୁଅ ଓ ପାଣ୍ଡବମାନଙ୍କ ସଂପର୍କରେ ସଂଜୟଠାରୁ ବିବରଣୀ ଜାଣିବାକୁ ଚାହିଁଛନ୍ତି।

 

ସଂଜୟ କହୁଛନ୍ତି- ପାଣ୍ଡବମାନଙ୍କ ବ୍ୟୁହରଚନା ଦେଖି ଦୁର୍ଯ୍ୟୋଧନ ଆଚାର୍ଯ୍ୟ ଦ୍ରୋଣଙ୍କୁ ଯାଇ କହିଲେ, ଆଚାର୍ଯ୍ୟ! ପାଣ୍ଡବମାନଙ୍କୁ ବ୍ୟୁହ ଦେଖନ୍ତୁ। ସେମାନଙ୍କ ପକ୍ଷରେ ଅଛନ୍ତି ଭୀମ, ଅର୍ଜୁନ, ଯୁଯୁଧାନ, ବିରାଟ, ଦ୍ରୁପଦ, ଚେକିତାନ, ପୁରୁଜିତ, ଯୁଧାମନ୍ୟୁ ପ୍ରମୁଖ ମହାରଥୀମାନେ। ଆମ ପଟରେ ଅଛନ୍ତି, ଆପଣ ନିଜେ, ଭୀଷ୍ମ, କର୍ଣ୍ଣ, କୃପ, ଅଶ୍ବତ୍ଥାମା, ବିକର୍ଣ୍ଣ, ସୋମଦତ୍ତ ଆଦି ଅନେକ ବୀର, ଯେଉଁମାନେ ମୋ ପାଇଁ ପ୍ରାଣତ୍ୟାଗ କରିବାକୁ ଶପଥ ନେଇଛନ୍ତି।

 

ଏହା ପରେ ଭୀଷ୍ମ ଶଙ୍ଖଧ୍ବନି କରି ଯୁଦ୍ଧାରମ୍ଭର ବାର୍ତ୍ତା  ଦଇଛନ୍ତି। ତାଙ୍କ ପରେ ପରେ ଅନ୍ୟ ସମସ୍ତ ବୀର ନିଜନିଜ ଶଙ୍ଖଧ୍ବନି କରି ନିଜନିଜ ସୈନ୍ୟସାମନ୍ତଙ୍କୁ ଯୁଦ୍ଧ ଆରମ୍ଭ କରିବାକୁ ସଂକେତ ଦେଇଛନ୍ତି।

 

ଏହା ଭିତରେ ଅର୍ଜୁନଙ୍କ କପିଧ୍ବଜ ରଥ କୁରୁସେନାର ନିକଟତର ହୋଇଛି। ହଠାତ ଅର୍ଜୁନ ସାରଥି ଶ୍ରୀକୃଷ୍ଣଙ୍କୁ କହିଛନ୍ତି, ରଥକୁ ଉଭୟ ସେନା ମଧ୍ୟରେ ନେଇ ରଖନ୍ତୁ। ଏଠାରେ ଯୁଦ୍ଧ କରିବାକୁ ଉପସ୍ଥିତ ଥିବା ଯୋଦ୍ଧାମାନଙ୍କୁ ମୁଁ ଟିକେ ଦେଖେ, ଦେଖେ କିଏ କିଏ ସବୁ ମୋ ସହ ଯୁଦ୍ଧ କରିବାକୁ ଆସିଛନ୍ତି! ଧ୍ରୁତରାଷ୍ଟ୍ର ପୁଅମାନଙ୍କ ଦୁର୍ବୁଦ୍ଧି ହେତୁ ଏଠାରେ କେଉଁମାନେ ରୁଣ୍ଡ ହୋଇଛନ୍ତି?

 

ଉଭୟ ସେନା ମଧ୍ୟରେ ରଥ ରହିଛି। ଅର୍ଜୁନ ଦେଖିଛନ୍ତି ବାପ, ଗୋସାପ, ଶିକ୍ଷକ, ମାମୁଁ, ଭାଇ, ପୁଅ, ନାତି, ବନ୍ଧୁ, ଶ୍ବଶୁର ପ୍ରମୁଖ ନିଜର ଅତି ନିଜର ସଂପର୍କୀୟମାନେ ରଣଭୂମିରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଦଣ୍ଡାୟମାନ। ବିଷର୍ଣ୍ଣ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ହେ କୃଷ୍ଣ! ଏଠାକୁ ଯୁଦ୍ଦ କରିବାକୁ ଆସିଥିବା ମୋର ସ୍ବଚନମାନଙ୍କୁ ମୁଁ ଦେଖୁଛି। ମୋ ଦେହ ଥରୁଛି। ମୁହଁ ଶୁଖିଯାଉଛି। ଚମ ଜଳାପୋଡ଼ା କରୁଛି। ହାତରେ ଗାଣ୍ଡୀବ ରହୁନାହିଁ। ମୋ ମନ ମଧ୍ୟ ସ୍ଥିର ହେଉ ନାହିଁ।

 

ଏ ଯୁଦ୍ଦରେ ସ୍ବଜନମାନଙ୍କୁ ହତ୍ୟା କରିବା ଭଲ ବୋଲି ମୁଁ ଭାବୁନାହିଁ। ମୁଁ ବଜୟ ଆଶା କରୁନାହିଁ କି ରାଜ୍ୟସୁକ ମଧ୍ୟ ମୋର ଲୋଡ଼ା ନାହିଁ। ଯେଉଁମାନଙ୍କ ପାଇଁ ରାଜ୍ୟଭୋଗ ସୁଖ ଇତ୍ୟାଦି ଆଶା କରେ ସେମାନେ ଏ ଯୁଦ୍ଦରେ ଧନଜୀବନ ହରାଇବାକୁ ଉପସ୍ଥିତ ଅଛନ୍ତି। ସେମାନଙ୍କ ବିହୁନେ ଏ ରାଜ୍ୟ, ଏ ଭୋଗ, ଏ ଜୀବନର ମାନେ ବା କ’ଣ?

 

ଗୁରୁ ସମାନ, ବାପ ସମାନ, ପୁଅ ସମାନ, ଗୋସାପ ସମାନ, ମାମୁଁ ସମାନ ଶ୍ବଶୁର ସମାନ, ଶଳା ସମାନ, ସମୁଦି ସମାନ ଅନେକ ଯୋଦ୍ଧାଙ୍କୁ ହତ୍ୟା କରିବାକୁ ମୋ ମନ କହୁ ନାହିଁ। ହେ ମାଧବ! ସ୍ବଜନଙ୍କୁ ହତ୍ୟା କଲେ କ’ଣ ସୁଖ ମିଳେ?

 

ଯଦି ମୁଁ ଲୋଭରେ ପଡ଼ି ଏମାନଙ୍କୁ ହତ୍ୟା କରେ ତେବେ କୁଳକ୍ଷୟ, ମିତ୍ରଦ୍ରୋହ ଆଦି ପାତକ ଲାଗିବ। କୁଳକ୍ଷୟ ହେଲ ସନାତନ କୁଳଧର୍ମ ନଷ୍ଟ ହେବ। କୁଳ ନଷ୍ଟ ହେଲ ଅଧର୍ମ ବଢ଼ିବ। ଅଧର୍ମ ବଢ଼ିଲେ କୁଳ ସ୍ତ୍ରୀମାନେ କୁଳଟା ହେବେ। ସ୍ତ୍ରୀମାନଙ୍କ ଦୋଷରୁ ବର୍ଣ୍ଣସଙ୍କର ଜନ୍ମିବେ। ସେପରି ହେଲେ ଆମର କୁଳଧର୍ମ ସହ ଜାତିଧର୍ମ ନଷ୍ଟ ହେବ ଏବଂ ଆମର ଗତ ଓ ଆଗତ ପୁରୁଷମାନେ ଶାନ୍ତିରେ ରହିପାରିବେ ନାହିଁ। ରାଜ୍ୟ ସୁଖ ଲୋଭରେ ସ୍ବଜନମାନଙ୍କୁ ହତ୍ୟା କରି ମୁଁ ଏପରି ମହାପାପ କରିପାରିବି ନାହିଁ। ବରଂ ମତେ ନିରସ୍ତ୍ର ପାଇ ଯଦି ଧାର୍ତ୍ରରାଷ୍ଟ୍ରମାନେ ହତ୍ୟା କରନ୍ତି ତା’ ଭଲ।

 

ଏହା କହି ଅର୍ଜୁନ ଧନୁଶର ପକାଇ ଦେଇ ରଥ ଉପରେ ବସି ପଡ଼ିଲେ।

 

ଅର୍ଜୁନର ଏହି ଶୋକସଂବିଗ୍ନ ମନର ଦ୍ବନ୍ଦ୍ବ ହୁଏତ ଇତିହାସ, ହୁଏତ ନୁହେଁ। ହୁଏତ ସମଗ୍ର ମହାଭାରତର କାହାଣୀ ଏବଂ ଗୀତା କେଉଁ ଜଣେ କବିର ସୁଦୁଖାଲି କଳ୍ପନାବିଳାସ। କିନ୍ତୁ ସେ କଳ୍ପନା ଆଜି କେତେ ବାସ୍ତବ? ଆଜି ପ୍ରତ୍ୟେକ ଯୁବକଯୁବତୀଙ୍କ ମନରେ ପାର୍ଥର ଦ୍ବନ୍ଦ୍ବ!

 

ପ୍ରିୟାପ୍ରୀତି ତୋଷଣ କରୁଥିବା ପୁତ୍ରାନ୍ଧ ଧ୍ରୁତରାଷ୍ଟ୍ରମାନଙ୍କ ପୌରୋହିତ୍ୟରେ ଚାଲିଥିବା ଦୁର୍ଯୋଧନମାନଙ୍କର ଦୁଃଶାସନ ବିରୋଧରେ ଧର୍ମଯୁଦ୍ଧ ଲଢ଼ିବାକୁ ଚାହୁଁଥିବା ପ୍ରତିଟି ପାର୍ଥ ଆଜି ଦେଖୁଛି ନିଜନିଜ ପ୍ରିୟପରିଜନଙ୍କ ଭିତରେ ସମାଜର ଶତ୍ରୁମାନଙ୍କୁ।

 

ପରାପର ପକ୍ଷର ବାପମା’, ଭାଇବନ୍ଧୁ, ଶ୍ବଶୁରଶଳା, ମାମୁଁଅଜା, ଗୋସାପଗୁରୁ ପ୍ରମୁକ ପ୍ରାୟ ସମସ୍ତେ ଆଜି ବ୍ୟବସ୍ଥାର ଦାସ। ଧାର୍ତରାଷ୍ଟ୍ରମାନଙ୍କ ଦ୍ବାରା ଅଧିକୃତ ହୋଇଥିବା ଏହି ଭାରତବର୍ଷରେ ଏବେ ବି ଅନେକ ପାର୍ଥ ଅଛନ୍ତି। କିନ୍ତୁ ସେମାନଙ୍କ ମନରେ ଏହି ଦ୍ବନ୍ଦ୍ବ।

 

ମୋ ବାପାର ଇଚ୍ଛା। ମୋ ମା’ର ଇଚ୍ଛା। ମୋ ସ୍ତ୍ରୀର ଇଚ୍ଛା। ମୋ ପିଲାମାନଙ୍କ ଅଳିଅର୍ଦ୍ଦଳି। ମୋ ସାଙ୍ଗସାଥୀ ବନ୍ଦୁବାନ୍ଧବଙ୍କ ଆଶା। ସମସ୍ତେ କୁହନ୍ତି, ଆପେ ବଂଚିଲେ ବାପର ନାଁ। ସରକାରୀ କିମ୍ବା ବେସରକାରୀ ଚାକିରୀ। ମୋଟା ଅଙ୍କର ଦରମା। ଚାକିରୀ କାଳର ଛୁଟି ଓ ବିଳାସ। ଅବସର କାଳର ସୁଖସୁବିଧା। ଧାର୍ତ୍ରରାଷ୍ଟ୍ରମାନଙ୍କ ପକ୍ଷ ନେଇଗଲେ ରାଜକୀୟ ଚାକିରୀ, ଅନେକ ସୁଖ ଓ ବିଳାସ।

 

ଏପଟେ ଯଦି ନ୍ୟାୟ ଓ ଧର୍ମ ପାଇଁ ଲଢ଼ିବାର ପଣ କରାଯାଏ ତେବେ ଅନେକ କଠୋର ପ୍ରଶ୍ନ ମନ ଭିତରେ ରହରହି ଘଣ୍ଟପିଟେ। ଜ୍ଞାତିକୁଟୁମ୍ବ, ବନନ୍ଦୁବାନ୍ଧବ, ସାଙ୍ଗସାଥୀ ପ୍ରମୁଖଙ୍କ ଗୈଣରେ ରହ ସେମାନଙ୍କ ଆଶା ଆକାଙ୍‌କ୍ଷା ଓ ନିଷ୍ପତ୍ତି ବିରୋଧରେ ଲଢ଼ିବା ମାନସିକ ଓ ଆବେଗିକ ଦୃଷ୍ଟିରୁ ନିଶ୍ଚିତ କଠୋର। ତା’ଛଡ଼ା ସମାଜ ଭିତରେ ସୁଖ ଚାହୁଁଇବା ବ୍ୟକ୍ତି ସମାଜକୁ ଉଜାଡ଼ି ଦେବା ପରେ କି ସୁଖ ପାଇବ? କାହା ପାଇଁ?

 

ଆଜି ବି ବ୍ୟକ୍ତିକୁ ରାଷ୍ଟ୍ର ବିରୋଧରେ ଲଢ଼ିବାକୁ ପଡ଼ୁଛି। ରାଜା ବିରୋଧରେ ଲଢ଼ିବାକୁ ପଡ଼ୁଛି। ବ୍ୟବସ୍ଥା ବିରୁଦ୍ଧରେ ଲଢ଼ିବାକୁ ପଡ଼ୁଛି। ଏବଂ ସେ ଦେଖୁଛି, ପ୍ରତିପକ୍ଷର ଯୁଯୁତ୍ସୁମାନଙ୍କ ଭିତରେ ଅନେକ ତା’ର ନିଜର ଲୋକ। ତା’ରି ସମର୍ଥନରେ ଦଳେ ଶାସକ। ତା’ରି ଅନ୍ନରେ ପ୍ରତିପାଳିତ ଦଳେ ଶାସକର ବୋକଚାବୁହା। ତା’ର ନିଜ ଲୋକମାନେ ହିଁ ଧର୍ମ ଓ ଅର୍ଧମ, ନ୍ୟାୟ ଓ ଅନ୍ୟାୟ, ଶାସକ ଓ ଶାସିତ, ସମାଜସେବୀ ଓ ସମାଜ ବିରୋଧୀ ଇତ୍ୟାଦି ବର୍ଗରେ ବିଭକ୍ତ ହୋଇଯାଇ ପାରନ୍ତି।

 

ସେ କା’ ବିରୁଦ୍ଧରେ ଲଢ଼ିବ? ବିଜୟରେ ତା’ର ଲାଭ କ’ଣ? ପରାଜୟରେ କ୍ଷତି କ ’ଣ? ସେ ଅସହାୟ, ଅସ୍ଥିର। ନିଜକୁ ହରେଇ ଦେବାକୁ ଚାହୁଁଛି। ମାନି ନେବାକୁ ଚାହୁଁଛି ସମାଜ ଓ ସରକାରର ସ୍ବୈରାଚାରକୁ। ନହେଲ ସାମିଲ ହେଇଯିବାକୁ ଚାହୁଁଛି ସେଥିରେ।

 

ସେ ହୋଇଯାଉଛି ଅନ୍ୟ ଜଣେ ବୃହନ୍ନଳା!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top