ଶୁଖିଯାଉଛି ମାତୃତ୍ୱର ଧାରା!

News Story - Posted on 2016-08-15

ବୈଷ୍ଣବ ଜେନା

 

ଦୀର୍ଘଦିନର ବ୍ୟବଧାନ ପରେ ଘରେ ବସି ଏକ ହିନ୍ଦୀ ଫିଲ୍ମ ଦେଖିବାର ସମୟ ସୁଯୋଗ ପାଇଲି। ସେହି ହିନ୍ଦୀ ଫିଲ୍ମଟିର ନାମ ହେଉଛି ବାଗ‌୍‍ବାନ‌୍‍। ଆମ ପତ୍ନୀଙ୍କ କଥା ଅନୁସାରେ ସେହି ଫିଲ୍ମଟି ହେଉଛି ସର୍ବକାଳୀନ ଶ୍ରେଷ୍ଠ ଫିଲ୍ମ - ସେଥିରେ ବର୍ତ୍ତମାନର ସାମାଜିକ ସ୍ଥିତି, ପାରିବାରିକ ଚିତ୍ର, ବୃଦ୍ଧ ଦମ୍ପତ୍ତିଙ୍କ ସ୍ଥିତି ଏବଂ ଉତ୍ତରାଧିକାରୀମାନଙ୍କର ମାନସିକତା ପ୍ରଦର୍ଶିତ ହୋଇଛି। ଏହାଛଡ଼ା ଜେଜେବାପା ଓ ଜେଜି ମାଆଙ୍କର ନାତିନାତୁଣିଙ୍କ ପ୍ରତି ଚିରନ୍ତନ ସ୍ନେହବଂଧନ, ଭଲ ଭାବରେ ଉପସ୍ଥାପିତ କରାଯାଇଛି ବୋଲି ପତ୍ନି ବଖାଣି ବସିଲେ। କେବଳ ପତ୍ନି ନୁହଁନ୍ତି, ଘରକୁ ଆସିଥିବା ବିବାହିତା ଭଉଣୀ ଦୁଇଜଣ ମଧ୍ୟ ସେହି ଫିଲ୍ମଟିର ଉଚ୍ଚ ପ୍ରଶଂସା କଲେ।

 

ଫିଲ୍ମଟିର ମୁଖ୍ୟ ଭୂମିକାରେ ଅଛନ୍ତି ଅମିତାଭ ବଚ୍ଚନ (ରାଜ ମାଲହୋତ୍ରା) ଏବଂ ହେମାମାଳିନୀ (ପୂଜା)। ଅତ୍ୟନ୍ତ ଉତ୍ସାହର ସହିତ ସେହି ଚଳଚ୍ଚିତ୍ରଟିକୁ ଆମେ ଦେଖିଲୁ। ଅବଶ୍ୟ ତାହା ପାଖାପାଖି ୨୦ ବର୍ଷର ପୁରୁଣା, ମାତ୍ର ପ୍ରଥମଥର ପାଇଁ ଆମେ ଦେଖିଥିଲୁ। ଫିଲ୍ମଟି ଆମକୁ ଆନନ୍ଦ ଦେଇଚାଲିଥିବା ବେଳେ ଶେଷ ଭାଗଟି ପାଇଁ ବିତୃଷ୍ଣା ଆସିଲା। ମନ ଖରାପ ହୋଇଗଲା। କାରଣ ୭୦ ଦଶକ ପ୍ରାରମ୍ଭରେ ଆମେ ଏକା ବିଷୟବସ୍ତୁ ଥିବା ଏକ ହିନ୍ଦୀ ଚଳଚ୍ଚିତ୍ର ଦେଖିଥିଲୁ। ତାହାର ନାମ ଥିଲା- ଜିନ୍ଦେଗୀ। ସେଥିରେ ମୁଖ୍ୟ କଳାକାର ଥିଲେ ସଂଜୀବ କୁମାର ଏବଂ ମାଲା ସିହ୍ନା। ଉଭୟ ବାଗବାନ‌୍‍ ଏବଂ ଜିନ୍ଦେଗୀର ଏକଦମ‌୍‍ ଏକା ବିଷୟବସ୍ତୁ। ଆଜୀବନ ପରିଶ୍ରମ କରିଚାଲିଥିଲେ ବି ଅବସର ପରେ ଜଣେ ସରକାରୀ କର୍ମଚାରୀଙ୍କୁ ପୁଅମାନଙ୍କ ଅବହେଳା। ବୁଢ଼ା ବୁଢ଼ୀମାନେ ତାଙ୍କର ପୁଅ ବୋହୂମାନଙ୍କ ପାଇଁ ଅଲୋଡ଼ା- ବୁଢ଼ା ବୁଢ଼ୀଙ୍କୁ ଏକତ୍ର ରଖାଯାଉ ନାହିଁ - ଅଲଗା ଅଲଗା ରଖାଯାଉଛି - ଆବଶ୍ୟକତା ଅନୁସାରେ ଖାଇବାକୁ ଦିଆଯାଉ ନାହିଁ କିମ୍ୱା ଅନ୍ୟାନ୍ୟ ସୁବିଧା, ଏପରିକି ଚିକିତ୍ସା ସୁବିଧା ଦିଆଯାଉ ନାହିଁ, ବୁଢ଼ା ବୁଢ଼ୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ନାତି କିମ୍ୱା ନାତୁଣୀ- ସେମାନଙ୍କୁ ବି ଆକଟ। ବାପା ମାଆଙ୍କ ନାଲି ଆଖି ଯୋଗଁୁ ନାତି ନାତୁଣୀମାନେ ଲୁଚି ଲୁଚି ଜେଜେ ବାପା ଓ ଜେଜି ମାଆଙ୍କୁ ଭେଟନ୍ତି ଏବଂ ନିଜ ପକେଟ‌୍‍ ଖର୍ଚ୍ଚ ଦେଇଥାଆନ୍ତି।

 

ତେବେ ଦୁଇଟି ଯାକ ଚଳଚ୍ଚିତ୍ର ବାଗବାନ‌୍‍ ଏବଂ ଜିନ୍ଦେଗୀର ବିଷୟବସ୍ତୁ ଏକା ହୋଇଥିଲେ ବି ମାନବ ସମାଜକୁ ଭିନ୍ନ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି। ଜିନ୍ଦେଗୀ ଚଳଚ୍ଚିତ୍ରରେ ଜଣେ ଅବହେଳିତ ତଥା ଦୁଃଖରେ ଜର୍ଜରିତ ବୃଦ୍ଧ (ସଂଜୀବ କୁମାର) ପୁତ୍ରମାନଙ୍କୁ ଅଭିଶାପ ଦେବାକୁ ଚାହିଁଥିଲା ବେଳେ ତାଙ୍କର ପତ୍ନୀ (ମାଲା ସିହ୍ନା) ତାଙ୍କୁ ବାରଣ କରୁଛନ୍ତି। ସେ କହୁଛନ୍ତି - ବଚ୍ଚେ ବୁରେ ହୋ ସକତେ ହେଁ - ପିତାମାତା ନେହି - ଅଗର ପିତାମାତା ବୁରା ହୋଯାଏଙ୍ଗେ ତୋ ସୃଷ୍ଟି ସର୍ବନାଶ ହୋ ଯାଏଗାଁ। ଅର୍ଥାତ‌୍‍ - ପିଲାମାନେ ଖରାପ ହୋଇପାରନ୍ତି, ମାତ୍ର ମାଆ ବାପା ନୁହଁନ୍ତି। ଯଦି ମାଆ ବାପା ଖରାପ ହୋଇଯିବ ତେବେ ଏ ସଂସାର ଭସ୍ମ ହୋଇଯିବ। ତେଣୁ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥିତିରେ ମାଆ ବାପାଙ୍କର ଆଶୀର୍ବାଦ ସେହି ପୁତ୍ର କନ୍ୟାଙ୍କ ଉପରେ ରହିବ। ଆଦର ମଧ୍ୟ ରହିବ, ହସ ହସ ମୁହଁ ରହିବ- କସ୍ମିନ‌୍‍ କାଳେ ଆଶୀର୍ବାଦ ଅଭିଶାପରେ ପରିଣତ ହେବ ନାହିଁ କିମ୍ୱା ବିତୃଷ୍ଣା ଓ ହତାଦର ରହିବ ନାହିଁ ବୋଲି ମାଲା ସିହ୍ନା କହିଥିଲେ। ତାଙ୍କର ଏହି ଉକ୍ତି ମାନବ ସମାଜ ହେଉ ବା ପାରିବାରିକ ଜୀବନରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଏକ ମହତ‌୍‍ବାଣୀ ସଦୃଶ୍ୟ ହୋଇଥିଲା। ଏହି ହିନ୍ଦୀ ସଂଳାପଟି (ବଚ୍ଚେ ବୁରେ ହୋ...) ଏବେ ମଧ୍ୟ ଜନମାନସରେ ଜୀବିତ ଅଛି। ବହୁ ଲୋକ ଅର୍ଥାତ‌୍‍ ପିତାମାତା ତଥା ଅଭିଭାବକମାନେ ଏହାକୁ ଉଚ୍ଚାରଣ କରି ଚାଲିଛନ୍ତି।

 

କିନ୍ତୁ ବାଗ‌୍‍ବାନର ଶେଷ ଭାଗରେ ମା’ ଭୂମିକାରେ ଅବତୀର୍ଣ୍ଣ ହେମାମାଳିନୀ ଯାହା କହିଥିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ପିତାମାତାଙ୍କୁ ହଇରାଣ କରୁଥିବା ୪ ପୁତ୍ର ସେମାନଙ୍କ ଭୁଲ‌୍‍ ସ୍ୱୀକାର କରିଥିବା ବେଳେ ମାଆ ହେମାମାଳିନୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଆଦୌ କ୍ଷମା କରିନାହାଁନ୍ତି। ସେ କହିଛନ୍ତି- ମଁୁ ଜଣେ ପତ୍ନି ଓ ମାଆ ମଧ୍ୟ- ପତ୍ନୀ ଭାବରେ ମଁୁ ମୋ ସ୍ୱାମୀଙ୍କ ସହିତ ରହିଛି- କିନ୍ତୁ ଜଣେ ମାଆ ହିସାବରେ ମୋର ତୁମ ସହିତ କିଛି ସମ୍ପର୍କ ନାହିଁ, ଏପରିକି ସ୍ନେହ ଆଶୀର୍ବାଦ ମଧ୍ୟ ନାହିଁ ବୋଲି ହେମାମାଳିନୀ କହିଥିଲେ। ଏହା ଶୁଣି ଆମେ ସ୍ତମ୍ଭିଭୂତ ହୋଇ ଯାଇଥିଲୁ। ଗୋଟିଏ ମାଆର ପିଲାମାନଙ୍କ ପ୍ରତି ସ୍ନେହ ନ ରହିବା ଘଟଣା ଆମକୁ ବହୁତ ମାତ୍ରାରେ ଆଘାତ ଦେଲା, କାରଣ ଗୋଟିଏ ମାଆର ସ୍ନେହ ହେଉଛି ଚିରନ୍ତନ ଧାରା। ତାହା କୌଣସି ପରିସ୍ଥିତିରେ ଶୁଷ୍କ ହୁଏନାହିଁ ବୋଲି ଆମର ଧାରଣା।

 

ନିକଟରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ଜରାଶ୍ରମକୁ ଯାଇଥବା ବେଳେ କୌଣସି ଅନ୍ତେବାସୀ ସେମାନଙ୍କ ପୁଅ ବୋହୂ କିମ୍ୱା ଝିଅ-ଜ୍ୱାଇଁଙ୍କୁ ଅବହେଳା ପାଇଁ ଗାଳି ଗୁଲଜ କରିନଥିଲେ। ଯେତେ ଉସୁକାଇଲେ ବି ସେମାନେ ଉତ୍ତେଜିତ ହୋଇନଥିଲେ ବରଂ ପୁଅ-ବୋହୂ, ନାତି-ନାତୁଣୀଙ୍କ ପ୍ରତି ଆଶୀର୍ବାଦ ଅଜାଡ଼ି ଦେଇଥିଲେ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ, ହେମାମାଳିନୀଙ୍କ ସଂଳାପ ଏକ ବ୍ୟତିକ୍ରମ। ଏହା ଆଦୌ ସ୍ପୃହଣୀୟ ନୁହେଁ। ମାଆଟିଏ ସ୍ୱତନ୍ତ୍ର ଜନ୍ମ ନେଇ ଆସିଥାଏ। ମଦର ଇଜ‌୍‍ ଏ ସ୍ପେଶାଲ ବ୍ରିଡ଼ ବୋଲି କୁହାଯାଇଥାଏ। ତେବେ ଦୁଃଖର କାରଣ ଏହିକି ଯେ, ହେମାମାଳିନୀଙ୍କର ଏହି ଉକ୍ତିକୁ କୌଣସି ଦର୍ଶକ ପ୍ରତିବାଦ କରିନାହାଁନ୍ତି। କୌଣସି ନାରୀ ସଂଗଠନ କିମ୍ୱା ମାତୃ ସଂଗଠନ ବିରୋଧ କରିନାହାଁନ୍ତି। ଆଜିକାଲିର ନାରୀ ସମାଜ ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାବେଳେ ସେମାନଙ୍କ ପ୍ରତି ହେଉଥିବା ପ୍ରତ୍ୟେକ ମନ୍ତବ୍ୟର ବହୁ ତର୍ଜମା ହେଉଛି। ପ୍ରତିବାଦ ହେଉଛି- ଗଣ ଆନ୍ଦୋଳନ ହେଉଛି - ବିଧାନସଭା ଓ ଲୋକସଭାରେ ପ୍ରସଙ୍ଗ ଉଠୁଛି। ମାତ୍ର ଗୋଟିଏ ମାଆର ପିଲାମାନଙ୍କ ପ୍ରତି ସ୍ନେହ ନାହିଁ ବୋଲି ହୋଇଥିବା ମନ୍ତବ୍ୟ କିପରି କୋଟି କୋଟି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲା, ତାହା ବୁଝାପଡୁନାହିଁ। କହିବା ବାହୁଲ୍ୟ ଯେ, ଏହି ସିନେମାଟି ବିଭିନ୍ନ ଟେଲିଭିଜନ‌୍‍ ଚାନେଲ‌୍‍ରେ ସର୍ବାଧିକ ଥର ପ୍ରସାରିତ ହୋଇଛି। କାନ୍ଦି କାନ୍ଦି ଲୋକେ ଏହାକୁ ଉପଭୋଗ କରୁଛନ୍ତି। ମାତ୍ର କେହି ତାହାର ଅସଲ ଦିଗ ବା ସାମାଜିକ ବାର୍ତ୍ତା ପ୍ରତି ଦୃଷ୍ଟି ଦେଉନାହାଁନ୍ତି। ଏକା ବିଷୟବସ୍ତୁ ଥିଲେ ବି ଏହି ବାଗବାନ‌୍‍ ଚଳଚ୍ଚିତ୍ରଟି ପୂର୍ବ ଜିନ୍ଦେଗୀର ସଂପୂର୍ଣ୍ଣ ବିପରୀତ।

 

ତେବେ ଯିଏ ଯାହା କହୁନା କାହିଁକି, ମାତୃତ୍ୱ ଶୁଖିଯାଉଛି ବୋଲି ଆମର ବିଶ୍ୱାସ ହୋଇଗଲାଣି। ପୂର୍ବପରି ମାଆମାନେ ଆଉ ପୁଅ-ଝିଅଙ୍କୁ ଭଲ ପାଉନାହାଁନ୍ତି। ପୁଅଟିଏ ପ୍ରାପ୍ତ ବୟସ୍କ ହୋଇ ବୁଢ଼ା ହୋଇଗଲେ ବି ତାହାର ବୃଦ୍ଧା ମାତାର ସ୍ନେହ ତାହା ଉପରେ ଅନବରତ ରହିଥାଏ। ଏପରିକି ପୁଅ କିପରି ଭଲରେ ଖାଇବ- ତାକୁ କିଏ ପଦେ ନ କହିବ- ତାହାର ପିଲାମାନେ ତାଙ୍କୁ କିପରି ଭଲ ମାନସିକତାରେ ରଖିବେ- ତାହାର ପୁଅ ଝିଅଙ୍କୁ ନେଇ ସଂସାର କିପରି ଗଠିତ ହେବ, ସିଏ କିପରି ବିନା ରୋଗରେ ରହିବ - ରୋଗ ବୈରାଗ କ୍ଷେତ୍ରରେ କିପରି ଭଲ ଯତ୍ନ ନିଆଯିବ, ତାହା ଜଣେ ବୃଦ୍ଧା ମାତା ଦେଖିଚାଲିଥାଏ। ନିଜେ ରୋଗଶଯ୍ୟା ବା ମୃତ୍ୟୁ ଶଯ୍ୟାରେ ପଡ଼ିଥିଲେ ବି ପୁଅ ଝିଅଙ୍କୁ ମାଆଟିଏ ତାହାର ସ୍ନେହ ଆଶୀର୍ବାଦର କବଚରେ ଘୋଡାଇ ରଖିଥାଏ। ଖାଲି ମଣିଷ ସମାଜ ନୁହେଁ ପଶୁ, ପକ୍ଷୀ ବା ପ୍ରାଣୀ ଜଗତରେ ମଧ୍ୟ ଦେଖାଦେଇଥାଏ। ଅନ୍ୟ ପ୍ରାଣୀ କିମ୍ୱା ମଣିଷ ସହିତ ମା’ ପଶୁଟିଏ ଲଢ଼େଇ କରିବାର ବହୁ ନଜିର ଅଛି। କଖାରୁ ଗଛର ଡଙ୍କ ସମ୍ପୂର୍ଣ୍ଣ ଶୁଖିଯାଇ ଥିଲେ ବି ଓଜନଦାର କଖାରୁଟିଏ ସେଥିରେ ଝୁଲି ରହିଥିବା ଦୃଶ୍ୟ ସମସ୍ତେ ଦେଖିଛନ୍ତି। ମୋଟ‌୍‍ ଉପରେ କହିବାକୁ ଗଲେ ଜୀବିତ ଅବସ୍ଥାରେ ହେଉ କିମ୍ୱା ମୃତ୍ୟୁ ପରେ ହେଉ ଗୋଟିଏ ମାଆର ସ୍ନେହ- ଆଶୀର୍ବାଦ ଚିରନ୍ତନ ହୋଇଥାଏ।

 

କିନ୍ତୁ ଏବେ ସେଥିରେ ଘୋର ବ୍ୟତିକ୍ରମ ଘଟିଲାଣି। ସଂସାର ଭିତରେ ଥିଲେ ବି ମାଆମାନେ ଅଭନେତ୍ରୀ ପରି ବ୍ୟବହାର କରୁଛନ୍ତି। ସାମାନ୍ୟ କଥାରେ ଜନ୍ମିତ ସନ୍ତାନମାନଙ୍କୁ ପର କରି ଦେଉଛନ୍ତି- ଛାଡ଼ି ଚାଲିଯାଉଛନ୍ତି, ଏପରିକି ହତ୍ୟା ମଧ୍ୟ କରୁଛନ୍ତି। ସାହି ପଡ଼ିଶାରେ ପିଲାମାନଙ୍କୁ ଆଦୌ ସ୍ନେହ କରୁନାହାଁନ୍ତି। ଏପରିକି ନିଜ ଯାଆର ପିଲାମାନଙ୍କୁ କୁକୁର ମାଙ୍କଡ଼ ପରି ବ୍ୟବହାର କରୁଛନ୍ତି। ଛୋଟ ପିଲାମାନେ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଇଥାଏ। ମାତ୍ର ଆଜିର ମାଆମାନେ ଘୋର ବାଛ ବିଚାର କରୁଛନ୍ତି ଏବଂ ଘୃଣା ମଧ୍ୟ କରୁଛନ୍ତି। ନିଜର ସନ୍ତାନ ସନ୍ତତିକୁ ଅସ୍ୱୀକାର କରୁଛନ୍ତି। ସର୍ବୋପରି ମାଆ ହେବାକୁ ଆଜିର ନାରୀ ସମାଜ ଇଚ୍ଛା ପ୍ରକଟ କରୁନାହାଁନ୍ତି।

 

ଏହି ପ୍ରସଙ୍ଗରେ ଗତ ଜୁଲାଇ ମାସରେ ଘଟିଥିବା କିଛି ମାତାଙ୍କର କାର୍ଯ୍ୟ ଏଠାରେ ଉପସ୍ଥାପନ କରାଯାଇପାରେ। ଏହି ଘଟଣା ଗୁଡ଼ିକ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି - ନିନ୍ଦା ମଧ୍ୟ କରିଛନ୍ତି। ଏହା ଆମର ଓଡ଼ିଶା ରାଜ୍ୟରେ ଘଟିଚି। ତେବେ ଏମାନେ ସମଗ୍ର ନାରୀ ଜାତିର ବା ମାତୃ ସମାଜର ପରିଚୟ ନୁହଁନ୍ତି।

 

ଗତ ଜୁଲାଇ ମାସରେ ସର୍ବ ପ୍ରଥମେ ସାଲେପୁର ଅଞ୍ଚଳରେ ଏକ ଅଘଟଣ ଘଟିଥିଲା। ମିର୍ଜାପୁର ଗ୍ରାମର ମାନସୀ ଭୂୟାଁ ନାମକ ଗୋଟିଏ ମାଆ ତାହାର ଦୁଇ ସନ୍ତାନଙ୍କୁ ଛାଡ଼ି ଫେରାର ହୋଇ ଯାଇଥିଲା। ତନ୍ମଧ୍ୟରୁ ସାନ ଝିଅଟି ଏବେ ଠୁକୁ ଠୁକୁ କାନ୍ଥ ଧରି ଚାଲୁଛି ଏବଂ ମାଆକୁ ଖୋଜି ଚାଲିଛି। ବିଚରା ସ୍ୱାମୀଟି କାରଣ ଖୋଜି ପାଉନାହିଁ। ପୋଲିସ‌୍‍ର ଦ୍ୱାରସ୍ଥ ହୋଇଛି।

 

ଦ୍ୱିତୀୟ ଘଟଣା ମଧ୍ୟ ସେହି ସାଲେପୁରରେ ଘଟିଥିଲା। ଭୁବନେଶ୍ୱର ଜଳେଶ୍ୱର ବସ୍ତିରେ ରହୁନ୍ତି ସରସ୍ୱତୀ ପଲାଇ। ସେ ଏକ ସୁନ୍ଦର ପୁତ୍ର ଜନ୍ମ କରିଥିଲେ। ଭଲ କରି ପୁଅର ମୁହଁକୁ ଦେଖିବା ପରିବର୍ତ୍ତେ ସେ ତାକୁ କୂଅରେ ପକାଇ ଦେଇଥିଲା, ମାତ୍ର ପୁଅଟିର ବଞ୍ଚିବାର ଅଛି ସେ ବଞ୍ଚିଗଲା। ପ୍ରଥମେ କ୍ୟାପିଟାଲ‌୍‍ ହସପିଟାଲ ଓ ପରେ ଏକ ଅନାଥାଶ୍ରମରେ ଶିଶୁଟି ସୁରକ୍ଷିତ ଅଛି। ମାତ୍ର ସେହି ମାଆଟି ନିର୍ବିକାର।

 

ତୃତୀୟ ଅଘଟଣଟି କଟକ ଶିଶୁଭବନରେ ଘଟିଲା। ଗୋଟିଏ ମାଆ ତାଙ୍କର ୫ ଦିନର ଶିଶୁ କନ୍ୟାକୁ ଛାଡ଼ି ଚାଲିଗଲେ। ତାଙ୍କର ସ୍ୱାମୀ କୁଆଡେ଼ ତାଙ୍କୁ ସହାୟତା କରିଥିଲେ। ସେ ଚୌଦ୍ୱାର ଅଞ୍ଚଳର। ସରକାରୀ ସୁବିଧା ଥାଇ ଚିକିତ୍ସା ଚାଲିଥିଲା, ମାତ୍ର ସେହି ମାତା ଜଣକ ପିଲାଟା ପାଖରେ ରହିଲେ ନାହିଁ କିମ୍ୱା ଆବଶ୍ୟକସ୍ଥଳେ ସ୍ତନପାନ କରାଇଲେ ନାହିଁ। ଡାକ୍ତର ଓ ନର୍ସ ଖୋଜି ଖୋଜି ପାଇଲେ ନାହିଁ। ବିଚରା ଶିଶୁ କନ୍ୟାଟି ପ୍ରାଣ ହରାଇଦେଲା। ମୃତ ଦେହଟିକୁ ବି ସେହି ପିତାମାତା ଦ୍ୱୟ ନେଲେ ନାହିଁ।      

 

ଚତୁର୍ଥ ଅଘଟଣଟି ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ ପରିସରରେ ଘଟିଲା। ଜଣେ ଶିକ୍ଷିତା ମହିଳା ବୈଜୟନ୍ତୀ ମାହାଳିକ ତାଙ୍କର ଦୁଇ ଝିଅଙ୍କୁ ପାଣି କୁଣ୍ଡରେ ବୁଢ଼ାଇ ମାରିଦେଲେ। ବୈଜୟନ୍ତୀ ସେଠାକାର ବ୍ଲକର ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ। ସ୍ୱାମୀଙ୍କ ସହିତ ଝଗଡ଼ା ହେବା କାରଣରୁ ସେ ତାଙ୍କର ଜନ୍ମିତ କନ୍ୟା ଦ୍ୱୟଙ୍କୁ ନିର୍ଦୟ ଭାବେ ପାଣି କୁଣ୍ଡରେ ମାଡ଼ିବସି ମାରିଦେଲେ। ତାଙ୍କୁ ଜଣେ ମମତାମୟୀ ମାଆ ବୋଲି କହିହେବ କି?

 

ପଞ୍ଚମ ଅଘଟଣଟି ରାଜଧାନୀ ଉପକଣ୍ଠ ଜାଆଁଳା ଠାରେ ଘଟିଥିଲା। ଜଣେ ଯୁବତୀ ମାତା ତାଙ୍କର ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ କନ୍ୟା ସନ୍ତାନ ଜନ୍ମକୁ ନେଇ ଅଶାନ୍ତି ସୃଷ୍ଟି ହେବାରୁ ଛୁଆଟିକୁ ଏକ ଅନାଥାଶ୍ରମ ନିକଟରେ ଛାଡ଼ି ଚାଲିଗଲେ। ସେତେବେଳକୁ ଛୁଆଟି ମାତ୍ର ଏକ ମାସର। ଏବେ ସେ କ୍ୟାପିଟାଲ‌୍‍ ହସ୍ପିଟାଲ‌୍‍ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ସେହି ମାତାଙ୍କର ଦେଖା ନାହିଁ।

 

ଷଷ୍ଠ ଘଟଣାଟି ନୂଆପଡ଼ା ଜିଲ୍ଲା ବୋଡେ଼ନ‌୍‍ ବ୍ଲକ କେଶରାଜପୁରରେ ଘଟିଥିଲା। ଏହି ଅଘଟଣ ସବୁଠାରୁ ଦୁଃଖଦାୟକ। ଲୋଚନୀ ସିଂହ ନାମ୍ନୀ ଜଣେ ମାଆ ତାଙ୍କର ତିନୋଟି ଛୁଆଙ୍କୁ କୁଅରେ ପକାଇ ହତ୍ୟା କଲେ। ସେମାନଙ୍କ ମଧ୍ୟରେ ୪ ବର୍ଷର ଶିଶୁପୁତ୍ର, ୩ ବର୍ଷର ଶିଶୁ କନ୍ୟା ଓ ଦେଢ ବର୍ଷର ଶିଶୁ ପୁତ୍ର ଅନ୍ତର୍ଭୁକ୍ତ। ସେହି ତିନୋଟି ସନ୍ତାନର ଜନକ କଲ୍ୟାଣ ସିଂହ ମାଝୀ ଏପର୍ଯ୍ୟନ୍ତ ସେ ହତ୍ୟାର କାରଣ ଖୋଜି ପାଉନାହିଁ।

 

ଶେଷ ଘଟଣାଟି ରାଜଧାନୀର ବମିଖାଲ ଅଞ୍ଚଳରେ ଘଟିଥିଲା। କୋରାପୁଟରୁ ଆସି ଏଠାରେ ଜଣେ ଶ୍ରମଜୀବୀ ଭାବେ କାର୍ଯ୍ୟକରୁଥିବା ଜଣେ ଯୁବତୀ କନ୍ୟା ସନ୍ତାନଟିଏ ଜନ୍ମ ଦେଲାପରେ କେନାଲକୁ ଫିଙ୍ଗି ଦେଇଥିଲା। ସ୍ୱାମୀ ସହିତ ତାର ବିଚ୍ଛେଦ ଘଟିଛି କିମ୍ୱା ପ୍ରେମିକ ପ୍ରତାରଣା କରିଛି ତାହା ସେ ଖୋଲି କହୁନାହିଁ। ଛୁଆଟି ଏବେ ଡାକ୍ତରଖାନାରେ ପଡ଼ି ମୃତ୍ୟୁ ସହିତ ସଂଗ୍ରାମ କରୁଛି।

 

ଏହି ମାଆମାନଙ୍କର ମମତା ଅଛିକି? ତାହା କାହିଁକି ଶୁଖିଗଲା? ଏପରି ଶୁଷ୍କତା ସେମାନଙ୍କଠାରେ ସୀମିତ ରହିବ ନା ମାଡ଼ି ମାଡ଼ି ଚାଲିବ ତାହା ଏବେ ଚିନ୍ତାର କାରଣ ହୋଇଛି।

 

ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top