ଜଗନ୍ନାଥଙ୍କୁ ଅଛୁଆଁ କଲା କିଏ?

News Story - Posted on 2016-08-15

ଡକ୍ଟର ହରିହର କାନୁନଗୋ

 

ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସାଧାରଣ ସମ୍ପାଦକ ଭଗବାନ ମହାପାତ୍ରଙ୍କ ‘ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ସ୍ପର୍ଶ ସମ୍ପର୍କରେ’ ତା. ୯.୭.୨୦୧୬ ରିଖ ସମାଜର ପୃ. ୬ ରେ ପ୍ରକାଶିତ ତଥ୍ୟ ସମ୍ବଳିତ ଲେଖା ପାଠକରି ବିସ୍ମିତ ଏବଂ ମର୍ମାହତ ହେଲି। ବିଚାର ବିଶ୍ଳେଷଣ ପୂର୍ବକ ଜଗନ୍ନାଥପ୍ରେମୀ ବିଜ୍ଞ ପାଠକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଏ ପ୍ରସଙ୍ଗରେ କେତେକ ତଥ୍ୟ ଉପସ୍ଥାପନ କରୁଛି।

 

ଜଗତରନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ବର୍ଷରେ ଦୁଇଥର ରତ୍ନବେଦୀ ଛାଡ଼ି ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ପତିତମାନଙ୍କୁ ତାରିବା ପାଇଁ ଦେଉଳ ବାହାରକୁ ଅାସିଥା’ନ୍ତି। ଏପରିକି ଗର୍ଭଗୃହ ଭିତରେ ମଧ୍ୟ ତାଙ୍କର ସବୁ ଖୋଲାମେଲା ବା ସାହାଣମେଲା କେବଳ ସର୍ବସାଧାରଣ ଭକ୍ତମାନଙ୍କ ପାଇଁ। ତାଙ୍କ ପାଖରେ କୋଣସି କଥା ଗୁପ୍ତ ବା ଗୋପନୀୟ ନୁହେଁ। ସେଇଥିପାଇଁ ଅଷ୍ଟାଦଶ ଶତାବ୍ଦୀରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପ୍ରଥମ ଛାନ୍ଦରେ ଲେଖିଛନ୍ତି – ‘ସ୍ନାନ ଯେ ଗୁଣ୍ଡିଚା ବେନି ସ୍ବୟଂ ଲୀଳା ଯା’ର, ପତିତପାବନ ଅର୍ଥେ ପ୍ରାସାଦୁ ବାହାର।’

 

ଏଠାରେ ବ୍ୟବହୃତ ‘ପତିତ’ ଶବ୍ଦଟି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ମୁକ୍ତିକାମୀ ପାପୀ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଦେଉଳ ବା ପ୍ରାସାଦ ବାହାରକୁ ଅାସି ଘୋଷଯାତ୍ରା କରିଥାଅାନ୍ତି ଅର୍ଥରେ ହିଁ ବ୍ୟବହୃତ। ପଣ୍ଡିତ ନୀଳକଣ୍ଠ ଦାସ ଠିକ ଏହି ଅର୍ଥରେ ହିଁ ପତିତପାବନ ଶବ୍ଦଟିକୁ ବୁଝିଛନ୍ତି। ତାଙ୍କ ମତରେ, ‘ଏ ନିରାଲମ୍ବ ମୈତ୍ରୀ ଧର୍ମର ପ୍ରତିଷ୍ଠା ନାନା କାରଣରୁ ଓ ନାନାଭାବରେ ପଡ଼ି ଭ୍ରଷ୍ଟ ହୋଇଥିଲା। ଏଇ ଭ୍ରଷ୍ଟତାର ବୀଜ ଅାମ ଇତିହାସରେ ପ୍ରଥମେ ଦେଖାଯାଏ ମହାଯାନର ସେବାଧର୍ମରେ। ମହାଯାନରେ ମୈତ୍ରୀର ସାଧନା ଯାଇ ସେଠାରେ ପଶିଲା କରୁଣା ଓ ସେଥିରେ ଅମୁକ୍ତର ବା ପତିତର ସେବା। ସ୍ବୟଂ ବୁଦ୍ଧ ମଧ୍ୟ ସେଇପରି ପତିତ ସେବାରେ ଲାଗିଥିଲେ ଓ ଜଗତର ପ୍ରତ୍ୟେକ ଜୀବ ନିର୍ବାଣ ପାଇବା ଯାଏ ସେ ଏଇ ସେବା ଧର୍ମରେ ଲାଗିଥିବେ। ଏଇଠାରେ ହିଁ ପତିତପାବନ ଧର୍ମର ଅଙ୍କୁରାରୋପଣ; ମାତ୍ର ଜଗନ୍ନାଥଙ୍କ ପାଖେ କେହି ପତିତ ନୁହେଁ - କେହି ଉନ୍ନତ ନୁହେଁ। ସେ କାହାକୁ ପତିତ କରନ୍ତି ନାହିଁ, ମଣନ୍ତି ନାହିଁ, ତାଙ୍କ ପାଖେ କାଙ୍ଗାଳ ଅପବିତ୍ର ନୁହେଁ କି ବ୍ରାହ୍ମଣ। ରାଜା, ଶିଳ୍ପୀ, ବଣିକ, ଜମିଦାର ବା ମଠାଧୀଶ ସମାଜରେ ଧନୀ ବା ପ୍ରଭାବଶାଳୀ ବୋଲି ବେଶୀ ପବିତ୍ର ନୁହଁନ୍ତି। ଯାହାଙ୍କ ଦୃଷ୍ଟିରେ ପତିତ ନାଇଁ ବା ପତିତ ବୋଲି କେହି ଅପବିତ୍ର ନୁହେଁ, ସେ ପୁଣି ପତିତପାବନ ହେବେ କିପରି? ଅତଏବ ଜଗନ୍ନାଥ ପତିତପାବନ ନୁହଁନ୍ତି। ସେ ହେଉଛନ୍ତି ଅନନ୍ତ ବିଶ୍ବ ପ୍ରକାଶର ବହୁରେ ଏକ, ପୁଣି ବିଶ୍ବତ୍ବର ଏକରେ ପ୍ରକାଶ ରୂପ ବହୁ। ସେ ହେଉଛନ୍ତି ଶୁଦ୍ଧ-ବୁଦ୍ଧ-ଜଗନ୍ନାଥ। ତେବେ ଏକା ଯଥାର୍ଥରେ ବ୍ରାହ୍ମଣ୍ୟର ଉପାସ୍ୟ ଶବରଦେବତା ଜଗନ୍ନାଥ ଯୁଗ ଯୁଗର ଅାରୋପ ଜନିତ ମଳିନତା ତୁଟାଇ ନିଷ୍କଳଙ୍କ ହେବେ।’ (ଦାସ, ନୀଳକଣ୍ଠ - ସଂସ୍କୃତ ଓ ସଂସ୍କୃତି, ୧୯୫୧, ପୃ.୧୩୩)।

 

ଏହି ବୌଦ୍ଧଧର୍ମରୁ କାଳକ୍ରମେ ନାନା ଶାଖା ପ୍ରଶାଖାରେ ଶାକ୍ତ, ବୈଷ୍ଣବ ଓ ସନ୍ଥ ଧର୍ମମାନଙ୍କର ପ୍ରକାଶ ଓ ପ୍ରତିଷ୍ଠା। (ସଂସ୍କୃତ ଓ ସଂସ୍କୃତି, ପୃ. ୧୨୭, ୧୨୮) ବୁଦ୍ଧ ସ୍ବୟଂ ପତିତପାବନ (ଜଗନ୍ନାଥ) ହୋଇଥିବାରୁ ପରବର୍ତ୍ତୀ କାଳରେ ବୁଦ୍ଧଙ୍କ ପତିତପାବନ ଯାତ୍ରାକୁ ଜଗନ୍ନାଥଙ୍କ ରଥଯାତ୍ରାରେ ପରିଣତ କରିଦିଅାଯାଇଛି। ଏହି ଯାତ୍ରାରେ ବୈଦିକ-ବ୍ରାହ୍ମଣ୍ୟ ଧର୍ମ ଉପାସନାର କୋଣସି ପ୍ରଭାବ ନାହିଁ; ମାତ୍ର ପରବର୍ତ୍ତୀ କାଳରେ ଏହି ବୈଦିକ ପ୍ରଥା ଜଗନ୍ନାଥ ସଂସ୍କୃତି ଓ ଉପାସନାରେ ଅନୁପ୍ରବେଶ କରିଛି।

 

ତେଣୁ ସ୍ନାନ ଓ ରଥଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସ୍ପର୍ଶ, ଦର୍ଶନ ଓ ଅାଲିଙ୍ଗନ କରିବା ପାଇଁ ମହାପ୍ରଭୁ ସ୍ବୟଂ ଭାଇ ଭଉଣୀଙ୍କୁ ଧରି ବଡ଼ଦାଣ୍ଡରେ ଉଭା ତିନି ରଥରେ ଘୋଷଯାତ୍ରା କରିଥାଅାନ୍ତି। ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ମୂଳରେ ବୋଦ୍ଧଧର୍ମ-ଦର୍ଶନର ପ୍ରଭାବ ପ୍ରତିଫଳିତ। ଅଶୋକଙ୍କ ସମୟରେ ଓଡ଼ିଶାର ଶବରମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ। ଓଡ଼ିଶାର ବହୁ ସ୍ଥାନରେ ବୌଦ୍ଧସ୍ତୂପ ଓ ଚୈତ୍ୟ ନିର୍ମିତ ହୋଇଥିଲା ଓ ସେଥିରେ ବୌଦ୍ଧ ତ୍ରିରତ୍ନ ଚିହ୍ନ ସ୍ବାଭାବିକ କ୍ରମରେ ଅଙ୍କିତ ହୋଇଥିଲା। ଏହି ସ୍ତୂପ ଥିଲା ଶବରମାନଙ୍କ ଶ୍ରେଷ୍ଠ ପୂଜାପୀଠ। ଏମାନେ ସ୍ତୂପର ତ୍ରିରତ୍ନ ଚିହ୍ନଙ୍କୁ ହିଁ ପୂଜା କରୁଥିଲେ। ଏହି ଚିହ୍ନ ତ୍ରୟକୁ ସେତେବେଳେ ଜଗନ୍ନାଥ ବୋଲି କୁହାଯାଉଥିଲା। କାରଣ ବୁଦ୍ଧଙ୍କର ଅନ୍ୟ ନାମ ଜଗନ୍ନାଥ। ଏହା ପୁରାତନ ପାଲି ସାହିତ୍ୟ ଓ ନେପାଳରୁ ମିଳିଥିବା ତନ୍ତ୍ର ସାହିତ୍ୟରୁ ଜଣାଯାଏ। ଅତଏବ ଜଗନ୍ନାଥ ନାମର ମୂଳ ହେଉଛି ବୌଦ୍ଧ। ସେଇଥିପାଇଁ ପଣ୍ଡିତ ନୀଳକଣ୍ଠ କହିଛନ୍ତି, ‘ଜଗନ୍ନାଥ କଥାଟି ବୁଦ୍ଧଙ୍କ ନିଜ ଉକ୍ତି। ବୁଦ୍ଧ ହେଲାବେଳେ ଓ ଦେହତ୍ୟାଗ କଲାବେଳେ ସେ କହି ପକାଇଥିଲେ- ‘ମୁଁ ଜଗତର ନାଥ-ଜଗତର ଦୁଃଖ ନାଶର ଉପାୟ ମୁଁ ପାଇଛି। ସେଇଥିପାଇଁ ଜଗନ୍ନାଥଙ୍କ ନାମୋଲ୍ଲେଖ ପ୍ରଥମ କରି ବଜ୍ରଯାନର ପ୍ରବକ୍ତା ରାଜା ଇନ୍ଦ୍ରଭୂତି (ଖ୍ରୀ: 717)ଙ୍କ ‘ଜ୍ଞାନସିଦ୍ଧି’ ଗ୍ରନ୍ଥର ପ୍ରଥମ ସର୍ଗ, ପ୍ରଥମ ଶ୍ଳୋକରୁ ମିଳିଥାଏ। ଯେପରି - ‘ପ୍ରଣିପତ୍ୟେ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତଂ, ସର୍ବବୁଦ୍ଧମୟଂ ସିଦ୍ଧି ବ୍ୟାପିନୋ ଗଗନୋପମଂ।’ ଏଠାରେ ଉଲ୍ଲେଖନୀୟ ଯେ, ଖ୍ରୀ: ୭୧୭ ପୂର୍ବରୁ କୌଣସି ଅଭିଲେଖ, ଗ୍ରନ୍ଥ, ସାହିତ ଓ ପୁରାଣରେ ଜଗନ୍ନାଥ ଶବ୍ଦର ନାମୋଲ୍ଲେଖ ଖୋଜିଲେ ବି ମିଳେ ନାହିଁ।

 

ଯେହେତୁ ବୁଦ୍ଧଙ୍କ ପାଖରେ ଜାତିଭେଦ ନାହିଁ, ସେହି ହେତୁ ତାଙ୍କ ପ୍ରସିଦ୍ଧ ଓ ପବିତ୍ର ପତିତପାବନ ଯାତ୍ରା ବା ରଥଯାତ୍ରାରେ ଜାତି-ବର୍ଣ୍ଣ-ଧର୍ମ ସମ୍ପ୍ରଦାୟ ମଧ୍ୟରେ କୌଣସି ଭେଦଭାବ ନାହିଁ କି ନ ଥିଲା। ତେଣୁ ଏଭଳି ମହାନ୍ ପରମ୍ପରାର ଅାଦର୍ଶ ଏ ଓଡ଼ିଆ ଜାତି ଗ୍ରହଣ କରି ନେଇ ସମଗ୍ର ବିଶ୍ବରେ ନିଜକୁ ପରିଚିତ ଓ ପ୍ରତିଷ୍ଠିତ କରିପାରିଥିଲା। ତେଣୁକରି ବିଶ୍ବର ବିଭିନ୍ନ ଦେଶରୁ ଜଗନ୍ନାଥ ମହାପ୍ରଭୁଙ୍କୁ ରଥରେ ବା ବଡ଼ଦାଣ୍ଡରେ ସ୍ପର୍ଶ, ଦର୍ଶନ ଓ ଅାଲିଙ୍ଗନ କରିବା ପାଇଁ ଭକ୍ତମାନେ ଧାଇଁଅାସୁଛନ୍ତି। ଏହା ହିଁ ଜଗନ୍ନାଥ ମହାପ୍ରଭୁଙ୍କର ମାହାତ୍ମ୍ୟ ଓ ଏ ପୀଠର ପରମ୍ପରା। ସେଇଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ବଲିପିର ପୃ. ୬୯ ରେ ଉଲ୍ଲେଖ ଅଛି ‘ଠାକୁର ପହଣ୍ଡି ହେବା ସମୟରେ ବାହାର ଲୋକମାନେ ତାଙ୍କୁ ଛୁଇଁଲେ ଛୁଆଁ ହୁଅନ୍ତି ନାହିଁ।’

 

ସ୍ବତ୍ବଲିପି ପୃ. 239-୨୪୧ ମଧ୍ୟରେ ଉଲ୍ଲିଖିତ ମୁକ୍ତିମଣ୍ଡପରେ ମୋଟ ଚବିଶଗୋଟି ଶାସନର ବ୍ରାହ୍ମଣମାନେ ବସିବା ବ୍ୟତୀତ ଦଣ୍ଡୀ ସନ୍ନ୍ୟାସୀ, ରାଜଗୁରୁ, ରାୟଗୁରୁମାନେ ବସନ୍ତି। ଏପଟେ ଗୋବର୍ଦ୍ଧନ ମଠର ଦଣ୍ଡୀ ସନ୍ନ୍ୟାସୀ ପ୍ରସଙ୍ଗରେ ସ୍ବତ୍ବଲିପିର ପୃ. 184 ରେ ଉଲ୍ଲେଖ ଅଛି- ‘ନୀତି ବିଷୟରେ ଦଣ୍ଡୀ ସନ୍ନ୍ୟାସୀଙ୍କର ମତ ଦେବାର ଅଧିକାର ଅଛି ଓ ମନ୍ଦିରର ଧର୍ମ ବ୍ୟବସ୍ଥା ଏହାଙ୍କୁ ପଚାରି କରିବା ନିୟମ। ମୁକ୍ତି ମଣ୍ଡପର ନାୟକ ଅଟନ୍ତି। ପୂଜାଜ୍ଞାନ ନିପୁଣତା ବିଷୟରେ ପୂର୍ବେ ଏ ପୂଜାପଣ୍ଡାମାନଙ୍କୁ ପରୀକ୍ଷା ସାଟିର୍ଫିକେଟ ଦେଲେ ସେମାନେ ପୂଜା କରିପାରୁଥିଲେ।’ ଏଥିରୁ ଜଣାଯାଏ ଯେ ଦେଉଳ ନୀତି ବିଷୟରେ କିଛି ସମସ୍ୟା ଉପୁଜିଲେ ଅନ୍ୟମାନଙ୍କ ଭଳି ମତ ଦେବାର ଅଧିକାର ଅଛି ଦଣ୍ଡୀ ସନ୍ନ୍ୟାସୀଙ୍କର; ମାତ୍ର ଶ୍ରୀମନ୍ଦିର ନୀତି ବିଷୟରେ ମତ ଦେବାରେ ସେ ‘ଏକମାତ୍ର’ ଅଧିକାରୀ ନୁହଁନ୍ତି। ଦ୍ବିତୀୟତଃ ମନ୍ଦିରର ଧର୍ମ ବ୍ୟବସ୍ଥା ଏହାଙ୍କୁ ପଚାରି କରିବା ନିୟମ ଅର୍ଥାତ ମନ୍ଦିରରେ ହିନ୍ଦୁଧର୍ମ ସଂକ୍ରାନ୍ତୀୟ ବ୍ୟବସ୍ଥାରେ କୌଣସି ବିଭେଦ ବା ସମସ୍ୟା ଉପୁଜିଲେ ଦଣ୍ଡୀ ସନ୍ନ୍ୟାସୀଙ୍କୁ ପଚାରିବାର ନିୟମ ରହିଛି; ମାତ୍ର ଅାଦିବାସୀ ଶବର ଓ ପରବର୍ତ୍ତୀ କାଳରେ ବୌଦ୍ଧ ସଂସ୍କୃତି ଉପରେ ପ୍ରତିଷ୍ଠିତ ଜଗନ୍ନାଥ ଉପାସନା ଭିନ୍ନ ଓ ସ୍ବତନ୍ତ୍ର ହୋଇଥିବାରୁ ଅଦ୍ବୈତ ବେଦାନ୍ତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ବ ଭିତରେ ଶ୍ରୀମନ୍ଦିର ବିଧି ବ୍ୟବସ୍ଥା କେବେ ନ ଥିଲା ଓ ଏବେ ମଧ୍ୟ ନାହିଁ।

 

ମୁକ୍ତି ମଣ୍ଡପ ଉପରେ ବସି ଅନ୍ୟମାନଙ୍କ ସହିତ ଦଣ୍ଡୀ ସନ୍ନ୍ୟାସୀଙ୍କର ମତ ଦେବାର ଅଧିକାର ଅଛି। ଏମାନେ ବର୍ଣ୍ଣ ବୈଷମ୍ୟର କୁସଂସ୍କାରକୁ ସ୍ବୀକାର କରନ୍ତି ନାହିଁ। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସେବାୟତ (ପୂଜାପଣ୍ଡା) ମାନଙ୍କୁ ତାଲିମ ଦେବାର ଦାୟିତ୍ବ ଗୋବର୍ଦ୍ଧନ ପୀଠର ଦଣ୍ଡୀ ସନ୍ନ୍ୟାସୀଙ୍କ ଉପରେ ନ୍ୟସ୍ତ ଥିଲା। ସେହି ଅଷ୍ଟାଦଶ ଶତାବ୍ଦୀରେ ଶାସନୀ ବ୍ରାହ୍ମଣମାନେ ମେଳି ହୋଇ ଗୋବର୍ଦ୍ଧନ ପୀଠର ଦଣ୍ଡୀ ସନ୍ନ୍ୟାସୀମାନଙ୍କର ଏହି କର୍ତ୍ତୃତ୍ବ ଓ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିଥିଲେ। ଏକଥା ୧୯୮୫ ମସିହା ଝଙ୍କାର, ବିଷୁବ ସଂଖ୍ଯା, ପୃ.୨୫ ରେ ସଚ୍ଚିଦାନନ୍ଦ ମିଶ୍ରଙ୍କ ‘ଅାଚାର୍ଯ୍ୟ ଶଙ୍କର ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା’ ପ୍ରବନ୍ଧରେ ଉଲ୍ଲେଖ ଅଛି। ସମ୍ଭବତଃ ଏହା ସିଂହଦ୍ବାର ଗୁମୁଟର ଉତ୍ତରପଟ କାନ୍ଥରେ ପତିତପାବନ ସ୍ଥାପନର ସମସାମୟିକ ଘଟଣା ଓ ଏହି ସମୟରୁ ବର୍ଣ୍ଣ ବୈଷମ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି କ୍ରମେ ସଂକ୍ରମିତ ହୋଇଥିଲା।

 

ଅତୀତରେ ରଥ ଉପରେ ଚଢ଼ିବା ଓ ବିଗ୍ରହଙ୍କୁ ସ୍ପର୍ଶ କରିବା ନ ଥିଲା ବୋଲି କହିବା ଏକ ହାସ୍ୟାସ୍ପଦ ଓ ଅଜ୍ଞତାର ପରିଚାୟକ। ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ଅାରମ୍ଭ ହେବା ଦିନଠାରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବିଶେଷ କରି ରଥ ଉପରେ ଚଢ଼ି ବିଗ୍ରହମାନଙ୍କୁ ଛୁଇଁବାର ପରମ୍ପରା ବହୁକାଳରୁ ଅର୍ଥାତ ରଥଯାତ୍ରା ଅାରମ୍ଭରୁ ପ୍ରଚଳିତ ହୋଇଅାସୁଅଛି। ସେଇଥିପାଇଁ ମହାପ୍ରଭୁଙ୍କ ଏ ଯାତ୍ରାକୁ ପତିତପାବନ ଯାତ୍ରା ବୋଲି କୁହାଯାଇଅାସୁଛି। ସାଧାରଣ ଜନତାଙ୍କ ଜୀବନ୍ତ ଠାକୁର ବା ଦାରୁଦେବତା, ଯାହାଙ୍କ ପାଖରେ ଛୁଆଁ-ଅଛୁଆଁ, ଜାତି-ଅଜାତିର ଭେଦଭାବ ନାହିଁ, ସେହି ଶବର-ବୌଦ୍ଧ ଦେବତା ଶ୍ରୀଜଗନ୍ନାଥଙ୍କୁ ଛୁଇଁ ତାଙ୍କ ପାଦପଦ୍ମରେ ନିଜର ଭାବଭକ୍ତିପୂର୍ଣ୍ଣ ନୈବେଦ୍ୟ ଅର୍ପଣ କରିବାପାଇଁ ଶହଶହ ବର୍ଷଧରି ଶ୍ରଦ୍ଧାଳୁ ଭକ୍ତମାନେ ଯାଇଅାସୁଥିଲେ ଓ ଏବେ ମଧ୍ୟ ଯାଇଅାସୁଛନ୍ତି।

 

ଶ୍ରୀ ମହାପାତ୍ର ଏ ପ୍ରସଙ୍ଗରେ ପୁଣି କହିଛନ୍ତି, ‘ଏପରି ପରିସ୍ଥିତି ହେଲା ଯେ ରଥ ଉପରେ ରକ୍ତପାତଠାରୁ ଅାରମ୍ଭ କରି ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜିଲା।’ ଏ ପ୍ରସଙ୍ଗରେ ଏତିକି କୁହାଯାଇପାରେ ଯେ ଯେବେଠାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମେଳରୁ ଜଗନ୍ନାଥ ମହାପ୍ରଭୁଙ୍କୁ ଅଛୁଅଁା ଦେବତା କରିବା ପାଇଁ ହୀନ ଉଦ୍ୟମ କରାଗଲା, ସେହିଦିନଠାରୁ ଏ ରଥ ଉପରେ ଅପ୍ରୀତିକର ପରିସ୍ଥିତି ଓ ବିବାଦ ଦେଖାଦେଲା। ଏହା ଏକ ପରମ୍ପରା ବିରୋଧୀ କାର୍ଯ୍ୟ। ତେଣୁ ମାନ୍ୟବର ହାଇକୋର୍ଟ ଏ କ୍ଷେତ୍ରରେ ନିଜ ନିଷ୍ପତ୍ତିର ପୁନଃ ବିଚାର କରିବାର ବେଳ ଅାସିଛି ଓ ଜନସାଧାରଣଙ୍କଠାରୁ ତାଙ୍କ ଅାରାଧ୍ୟ ଦେବତା-ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୂରେଇ ଦିଅା ନ ଯାଉ।

 

୧୯୬୦ରେ ଓଡ଼ିଶା ସରକାର ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ବ ହାତକୁ ନେବାପରେ ଶହଶହ ବର୍ଷଧରି ଜନସାଧାରଣଙ୍କ ଅାସ୍ଥା ବିଶ୍ବାସଭାଜନ ହୋଇଥିବା ଶ୍ରୀମନ୍ଦିରର ବିଧିବିଧାନ ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି କାହାରିକୁ ହସ୍ତକ୍ଷେପ କରିବା ପାଇଁ ସୁଯୋଗ ଦେଇନାହଁାନ୍ତି, ସେ ଗଜପତି ହୁଅନ୍ତୁ ବା ଦଣ୍ଡୀ ସନ୍ନ୍ୟାସୀ ହୁଅନ୍ତୁ ବା ମୁକ୍ତିମଣ୍ଡପ ପଣ୍ଡିତସଭା। କାରଣ ମୁକ୍ତି ମଣ୍ଡପ ଅତୀତରେ ମୁକ୍ତ ମଣ୍ଡପ ଥିଲା। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ମାନସିଂହଙ୍କ ଭାରିଜା ଗୌରା ରାଣୀ ମୁକୁତ ମଣ୍ଡପ ଗଢ଼ାଇଥିଲେ। ‘ବେଦାନ୍ତସାର ଗୁପ୍ତଗୀତା’ରେ ବଳରାମ ଦାସ ଏହାକୁ ମୁକୁତ ମଣ୍ଡପ ବୋଲି ବର୍ଣ୍ଣନା କରିଛନ୍ତି। ଅତଏବ ଏ ମଣ୍ଡପଟିର ମୌଳିକ ଓ ପ୍ରକୃତ ନାମ ମୁକ୍ତ ମଣ୍ଡପ ଥିଲା, ପରେ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଭୋଇବଂଶୀୟ ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ବ କାଳରେ ମୁସଲମାନ ସୁବେଦାର ତକି ଖଁାର ଭଉଣୀକୁ ବିବାହ କରି ସେ ମହମ୍ମଦ ହାଫିଜ୍ କାଦରବେଗ୍ ହୋଇଥିଲେ; ମାତ୍ର ସେ ମହାପ୍ରଭୁ ଜଗନ୍ନାଥଙ୍କର ପରମଭକ୍ତ ତଥା ଗଜପତି ରାଜପଦବୀରୁ ବିଚ୍ୟୁତ ହୋଇ ନ ଥିବାରୁ ବ୍ରାହ୍ମଣ ଓ ଅବ୍ରାହ୍ମଣ ମଧ୍ୟରେ ଅଯଥା ବିବାଦ ରକ୍ତପାତକୁ ଏଡ଼େଇବା ପାଇଁ ସେ ଅାଉ ମନ୍ଦିର ଭିତରକୁ ଯିବା ଉଚିତ ମନେକଲେ ନାହିଁ। ତାଙ୍କରି ଅାଦେଶରେ ଓ ତାଙ୍କରି ପାଇଁ କେବଳ ସିଂହଦ୍ବାର ଗୁମୁଟର ଉତ୍ତର ପାର୍ଶ୍ବରେ ପତିତପାବନ ଚିତ୍ର ଅସ୍ଥାୟୀ ଭାବରେ ଅଙ୍କିତ କରାଗଲା ଓ ତାହା ଏବେ ମଧ୍ୟ ବଳବତ୍ତର ରହିଛି।

 

ବିବେକୀ ରାଜା ଦ୍ବିତୀୟ ରାମଚନ୍ଦ୍ରଦେବଙ୍କୁ ବିଧର୍ମୀ ଓ ପତିତ ଅାଖ୍ୟା ଦେଇ ସିଂହଦ୍ବାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ ପୂର୍ବକ ତାଙ୍କ ସେବାପୂଜାକୁ ସୀମିତ କରିଦେଲେ। ଏହି ଅାଳରେ ଶ୍ରୀମନ୍ଦିରକୁ ପୂର୍ବରୁ ଅବାଧରେ ପ୍ରବେଶ କରୁଥିବା ସମସ୍ତ ଜାତି-ବର୍ଣ୍ଣ-ଧର୍ମର ଭକ୍ତମାନଙ୍କ ପ୍ରତି ପ୍ରବେଶ ନିଷେଧ ନିୟମ ଲାଗୁ ହେଲା ଓ ଏହି ସମୟରୁ ଜାତିଭେଦର ଗରଳ ପ୍ରଥମ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲା। ତା’ ପୂର୍ବରୁ ଶ୍ରୀମନ୍ଦିରର ପରିସର ଥିଲା ମୁକ୍ତ ପରମ୍ପରାର ମନ୍ଦିର। ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ମୁକ୍ତ ନୃସିଂହ ସମ୍ମୁଖସ୍ଥ ମୁକ୍ତମଣ୍ଡପ ଉପରେ ସମସ୍ତେ ବସି ଶାସ୍ତ୍ରାଲୋଚନାରେ ଭାଗ ନେବା ସଙ୍ଗେସଙ୍ଗେ ସ୍ବାଧୀନ ଭାବରେ ସମସ୍ତଙ୍କର ମତବ୍ୟକ୍ତ କରିବାର ଅଧିକାର ରହିଥିଲା। ଜାତି-ଅଜାତି, ଛୁଆଁ-ଅଛୁଆଁ ଭେଦଭାବର ଲେଶମାତ୍ର ସୂଚନା ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ନ ଥିଲା। 1638 ଖ୍ରୀଷ୍ଟାବ୍ଦରେ ଜାତିଭେଦର ଗରଳ ପ୍ରଥମକରି ଅନୁପ୍ରବେଶ କରିବା ଫଳରେ ମୁକ୍ତମଣ୍ଡପ ଭଳି ଏକ ଗୌରବୋଜ୍ବଳ ଧାର୍ମିକ ଖୋଲାମଞ୍ଚଟି ସଙ୍କୁଚିତ ହୋଇଗଲା। ପରବର୍ତ୍ତୀ କାଳରେ ସୁଯୋଗ ଅପେକ୍ଷାରେ ଗଜପତି ରାଜଦରବାରରେ ଥିବା ପଣ୍ଡିତ ସଭାର ଶାସନୀ ବ୍ରାହ୍ମଣମାନେ (ପ୍ରଥମେ ଷୋଳ ଶାସନ ଓ ପରେ ଅାଉ ଅାଠ ମିଶି ଚବିଶ ଶାସନ) ଏହି ମୁକ୍ତ ମଣ୍ଡପକୁ ମାଡ଼ିବସି ନିଜର ଏକଚାଟିଅା ଅଧିକାର ସାବ୍ୟସ୍ତ କରିବା ସଙ୍ଗେସଙ୍ଗେ ଏହାକୁ ମୁକ୍ତି ମଣ୍ଡପରେ ପରିଣତ କରିଦେଲେ। ଫଳରେ ପୂର୍ବରୁ ମୁକ୍ତ ମଣ୍ଡପର ପ୍ରେରଣା ଓ ପ୍ରଭାବରେ ଓଡ଼ିଶାର ପୁରପଲ୍ଲୀରେ ଗଢ଼ି ଉଠିଥିବା ଭାଗବତ ଟୁଙ୍ଗୀ ସଂସ୍କୃତିର ଅବକ୍ଷୟ ହେଲା ଓ କାଳକ୍ରମେ ତା’ର ପୂର୍ବ ଐତିହ୍ୟ ଓ ପରମ୍ପରା ହରାଇ ବସିଲା। (କାନୁନଗୋ, ହରିହର-ମୁକ୍ତିମଣ୍ଡପ ଓ ଜଗନ୍ନାଥ ମନ୍ଦିର : ଐତିହାସିକ ସମୀକ୍ଷା, ଇତିହାସ ପରମ୍ପରା ଓ ଶ୍ରୀଜଗନ୍ନାଥ, ସତ୍ୟ†ନାରାୟଣ ବୁକ ଷ୍ଟୋର, କଟକ-୨, ତୃତୀୟ ସଂସ୍କରଣ, ୨୦୧୨, ପୃ. ୧୮୬-୧୯୧)।

 

ଶ୍ରୀମନ୍ଦିରର ବିଧିବିଧାନ ଓ ଅନ୍ୟାନ୍ୟ ଅାନୁସଙ୍ଗିକ ସେବାପୂଜା, ନୀତିକାନ୍ତି ୧୯୫୪ ମସିହାରୁ ଶ୍ରୀମନ୍ଦିରର ସ୍ବତ୍ବଲିପି ଅାଧାରରେ ପରିଚାଳିତ ହୋଇଅାସୁଛି। ଶ୍ରୀମନ୍ଦିର ପ୍ରଶାସନ ଗୋବର୍ଦ୍ଧନ ପୀଠାଧୀଶଙ୍କୁ କାହିଁକି ଅନୁରୋଧ କଲେ ଏବଂ ଏଭଳି କି ଅଘଟଣ ଘଟିଲା ଯେ ଗଜପତିଙ୍କ ମାଧ୍ୟମରେ ଶଙ୍କରାଚାର୍ଯ୍ୟଙ୍କ ମତ ଓ ମନ୍ତବ୍ୟକୁ ପ୍ରାଧାନ୍ୟ ଦେଇ ୦୫.୧୧.୨୦୧୩ରେ ନିଜ ସିଦ୍ଧାନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରି ପରବର୍ତ୍ତୀ କାଳରେ ଉଚ୍ଚ ନ୍ୟାୟାଳୟ ଦ୍ବାରା ଅନୁମୋଦନ କରାଇବାର ଅାବଶ୍ୟକତା କ’ଣ ଥିଲା? ଶହଶହ ବର୍ଷ ଧରି ଶ୍ରୀମନ୍ଦିର ଓ ରଥଯାତ୍ରା ଭଳି ଏକ ମୁକ୍ତ ପରମ୍ପରାର ଠାକୁରଙ୍କୁ ଜାତିଭେଦ ଓ ବର୍ଣ୍ଣ ବୈଷମ୍ଯର ଗଣ୍ଡି ଭିତରେ ଅାବଦ୍ଧ କରି ରଖିବା ପାଇଁ ପୁରୀ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ଅବସ୍ଥାପିତ କରାଯାଇଛି କି? ନଚେତ ରଥରେ ଶ୍ରଦ୍ଧାଳୁ ଭକ୍ତମାନେ ଦିଅଁମାନଙ୍କୁ ଛୁଇଁବା ମହାପାପ ବୋଲି କହି ନଥାନ୍ତେ।

 

ଗତ ସ୍ନାନ ପୂର୍ଣ୍ଣମୀରେ ଅବରୋଧ ଶୂନ୍ୟତାର ସୁଯୋଗ ନେଇ ମହାପ୍ରଭୁଙ୍କୁ ସ୍ପର୍ଶ କରିବାଠାରୁ ଅାରମ୍ଭ କରି ଅାଖି ଓ ମୁହଁକୁ ବିବର୍ଣ୍ଣ କରିଦେଲେ ବୋଲି ଶ୍ରୀମହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଭକ୍ତର ଭଗବାନ ଜଗନ୍ନାଥ। ଭକ୍ତଟିଏ ତାଙ୍କ ଅାଖି ଓ ମୁହଁକୁ ବିବର୍ଣ୍ଣ କରିଦେଲା ବୋଲି ତାକୁ ସେ କାର୍ଯ୍ୟରୁ ବାରଣ ବା ନିବୃତ୍ତ କରିବା ଉଚିତ। କିନ୍ତୁ ଶ୍ରୀମୁଖକୁ ବିବର୍ଣ୍ଣ କରିଦେବା ଅାଳରେ ସମସ୍ତଙ୍କୁ ରଥ ଉପରକୁ ଚଢ଼ି ଛୁଇଁବାକୁ ମନା କରିବା କ’ଣ ଉଚିତ? ବରଂ ମହାପ୍ରଭୁଙ୍କୁ ଏ ପୁଣ୍ୟ ପୀଠରେ ଛୁଇଁବା ଏକ ମହାନ ଓ ଅନନ୍ୟ ପରମ୍ପରା।

 

ଅର୍ବାଚୀନ ସ୍କନ୍ଦପୁରାଣ (ଉତ୍କଳଖଣ୍ଡ, ପୁରୁଷୋମ ମାହାତ୍ମ୍ୟ), ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ପ୍ରଭୃତି ପୁରାଣ ଶାସ୍ତ୍ର ଅାଧାରରେ ପ୍ରାଚୀନ, ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଂସ୍କୃତି ଓ ଉପାସନାକୁ ସଂକୀର୍ଣ୍ଣ କରିଦେବା ଉଚିତ କି? କାରଣ ପୁରୁଷୋତ୍ତମ କ୍ଷେତ୍ରର ପ୍ରସିଦ୍ଧି ପରେ ଏହାର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ବ୍ରାହ୍ମଣ ଲେଖକ ବା ପୁରାଣକାରମାନଙ୍କ ଦ୍ବାରା ଏହି ସ୍କନ୍ଦପୁରାଣ, ଉତ୍କଳଖଣ୍ଡ ଲେଖାଯାଇଥିଲା। ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବଢ଼ାଇବା ସକାଶେ ସେ ସମୟରେ ଅନେକ କପୋଳକଳ୍ପିତ ପୁରାଣ ରଚନା କରାଯାଇଥିଲା, ଯାହାକି ଡକ୍ଟର ବି.ସି. ଛାବ୍ରାଙ୍କ ସମ୍ପାଦିତ ତୃତୀୟ ଅନଙ୍ଗ ଭୀମଦେବ (ଖ୍ରୀ: ୧୨୧୧-୧୨୩୮)ଙ୍କ ଚାଟେଶ୍ବର ମନ୍ଦିର ଅଭିଲେଖରେ ବିଷ୍ଣୁ ଅାଚାର୍ଯ୍ୟ ନାମକ ସୁଦକ୍ଷ ମନ୍ତ୍ରୀଙ୍କ ଉଦ୍ୟମରେ ଏଭଳି କରାଯାଇଥିଲା ବୋଲି ଉଲ୍ଲେଖ ଅଛି। ଅତଏବ ଅର୍ବାଚୀନ ସ୍କନ୍ଦ ପୁରାଣ (ପୁରୁଷୋତ୍ତମ ମାହାତ୍ମ୍ୟ) ଓ ଏଇ ଦୁଇଶହ ବର୍ଷ ତଳେ ଲେଖାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଶାସ୍ତ୍ରକୁ ଅାଧାର କରି ମହାପ୍ରଭୁଙ୍କ ଏଭଳି ମହାନ ଓ ବିରଳ ପରମ୍ପରାକୁ ପରିବର୍ତ୍ତନ କରିବାର ଅଧିକାର କାହାର ଅଛି କି? ଭକ୍ତଠାରୁ ଭଗବାନଙ୍କୁ ଦୂରେଇଦେଇ ଶୃଙ୍ଖଳା ଅାଉ ଦର୍ଶନ ନଁାରେ ତାଙ୍କୁ ଅଛୁଆଁ କରିଦେବାର ଅଧିକାର କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନର ଅଛି କି? ଯଦି ନାହିଁ ଏଭଳି କରିବାର ଉଦ୍ୟମ କାହିଁକି, କ’ଣ ପାଇଁ ଓ କାହା ସ୍ବାର୍ଥରେ? ଜଗନ୍ନାଥ ମନ୍ଦିର ସହିତ ସମ୍ପର୍କ ନଥିବା ମୁକ୍ତି ମଣ୍ଡପ ଭଳି ଏକ ଅର୍ବାଚୀନ ଧାର୍ମିକ ଅନୁଷ୍ଠାନ ମାଧ୍ୟମରେ କିଛି ମୁଷ୍ଟିମେୟ ଶୂଚୀବାଦୀ ଉଚ୍ଚବର୍ଗର ବ୍ରାହ୍ମଣମାନଙ୍କ ଦ୍ବାରା ଏଭଳି ଅପଚେଷ୍ଟା କରାଯିବା ଉଚିତ କି? ଓଡ଼ିଶାର ଜନସାଧାରଣ ଏହାର ବିଚାର କରନ୍ତୁ। ମହାପ୍ରଭୁ ଶ୍ରୀଜଗନ୍ନାଥ କାହାର? ରଥରେ ଶୃଙ୍ଖଳିତ ଓ ଅବରୋଧମୁକ୍ତ ସ୍ପର୍ଶ, ଦର୍ଶନ ଓ ଅାଲିଙ୍ଗନ ସାହାଣମେଲା ଭଳି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରାଗଲେ କାହାର କିଛି ଅସୁବିଧା ହେବ କି?

 

ଏହା ବ୍ୟତୀତ ଓଡ଼ିଶାର ପ୍ରଥମ ଐତିହାସିକ ପ୍ୟାରୀମୋହନ ଅାଚାର୍ଯ୍ୟଙ୍କ ‘ଓଡ଼ିଶା ଇତିହାସ’ ଗ୍ରନ୍ଥର ପୃ. ୪୬ରେ ଉଲ୍ଲେଖ ଅଛି, ‘ଜଗନ୍ନାଥ ବୁଦ୍ଧ ଅବତାର ରୂପେ ବିଷ୍ଣୁଙ୍କର ନବମ ଅବତାର ବୋଲି ସ୍ବୀକୃତ ହୋଇଛନ୍ତି। ସେଥିସକାଶେ ସ୍କନ୍ଦ ନାମକ ଏକ ପୁରାଣର ସୃଷ୍ଟି ହୋଇଛି।’ ପୁରୀ ଧାମରେ ଖ୍ରୀ: ଦଶମ ଶତାବ୍ଦୀରେ ଶ୍ରୀମନ୍ଦିର ନିର୍ମିତ ହୋଇ ଦିଅଁମାନେ ତହିଁରେ ପ୍ରତିଷ୍ଠା ପାଇବା ପରେ ଏହାର ପ୍ରାଚୀନତା ଓ ବୈଷ୍ଣବତ୍ବ ପ୍ରଚାର କରିବା ପାଇଁ ଖ୍ରୀ: ଦ୍ବାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ସ୍କନ୍ଦ ପୁରାଣ ପରି କେତେକ ପ୍ରଚାରଧର୍ମୀ ପୁରାଣ ଓ ସାହିତ୍ୟ ସୃଷ୍ଟି କରାଯାଇଥିଲା। ଏହି ପୁରାଣ ସାହିତ୍ୟ ମାଧ୍ୟମରେ କାଳ୍ପନିକ ଇନ୍ଦ୍ରଦ୍ୟୁମ୍ନ ଚରିତ୍ର ସୃଷ୍ଟି କରାଯାଇ ବୌଦ୍ଧରୂପୀ ଜଗନ୍ନାଥଙ୍କର ବୈଷ୍ଣବତ୍ବ ପ୍ରମାଣ କରାଯିବା ପାଇଁ ଉଦ୍ୟମ କରାଯାଇଥିଲା। କାରଣ ସ୍କନ୍ଦପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ବ୍ରହ୍ମ ପୁରାଣ, ପୁରୁଷୋତ୍ତମ ଖଣ୍ଡ ଖ୍ରୀଷ୍ଟୀୟ ଦ୍ବାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଲେଖିଲାବେଳେ ଇନ୍ଦ୍ରଦ୍ୟୂମ୍ନ ଚରିତ୍ର ସୃଷ୍ଟି କରିବା ପାଇଁ ସେମାନେ ସୋମବଂଶୀ ପ୍ରଥମ ଯଯାତିକେଶରୀଙ୍କ ଜୀବନୀରୁ ହିଁ ପ୍ରେରଣା ଅାହରଣ କରିଥିବା ସମ୍ଭବପର। ତେଣୁ ପ୍ରଥମ ଯଯାତିକେଶରୀଙ୍କୁ ହିଁ ପୋରାଣିକ ଇନ୍ଦ୍ରଦ୍ୟୁମ୍ନ ଚରିତ୍ର ବୋଲି କୁହାଯିବା ମନେ ହୁଏ।

 

ଗବେଷକ ଡକ୍ଟର କାହ୍ନୁଚରଣ ମିଶ୍ର ଜଗନ୍ନାଥ ଦାସଙ୍କ ‘ଦାରୁବ୍ରହ୍ମ ଗୀତା’ର ତଥ୍ୟକୁ ଉଦ୍ଧାର କରି ‘ଦ କଲ୍ଟ ଅଫ୍ ଜଗନ୍ନାଥ’ ଗ୍ରନ୍ଥରେ ଲେଖିଛନ୍ତି, ଇନ୍ଦ୍ରଦ୍ୟୁମ୍ନ ଇଜ ନଟ୍ ଏ ପର୍ଟିକୁଲାର ପର୍ସନ ବଟ୍ ଏ ହେରେଡିଟାରୀ ଟାଇଟ୍‌ଲ।’ ପୁରାଣମାନଙ୍କରେ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ ଚରିତ୍ର କାଳ୍ପନିକ, ଯାହାଙ୍କର କୌଣସି ଐତିହାସିକ ଭିତ୍ତି ନାହିଁ। ପ୍ରଥମ ଯଯାତିକେଶରୀ ହିଁ ପ୍ରକୃତ ଓ ପ୍ରଥମ ଇନ୍ଦ୍ରଦ୍ୟୁମ୍ନ, ଯାହାଙ୍କର କାର୍ଯ୍ୟକଳାପ ପୁରାଣକାରମାନଙ୍କୁ ଏକ ପୌରାଣିକ ଇନ୍ଦ୍ରଦ୍ୟୁମ୍ନ ଚରିତ୍ର ସୃଷ୍ଟି କରିବା ପାଇଁ ପ୍ରେରଣା ଯୋଗାଇଥିଲା। ସମ୍ଭବତଃ ପୁରୀ ମନ୍ଦିରର ପ୍ରାଚୀନତା ପ୍ରମାଣ କରିବା ପାଇଁ ମହାଭାରତ ବର୍ଣ୍ଣତ ଉପାଖ୍ୟାନରୁ ଉପାଦାନ ସଂଗ୍ରହ କରିଛନ୍ତି। ସ୍କନ୍ଦ ପୁରାଣରେ ଇନ୍ଦ୍ରଦ୍ୟୁମ୍ନ ଉପାଖ୍ୟାନକୁ ଗୁରୁତ୍ବ ଦିଅାଯାଇଥିଲେ ମଧ୍ୟ ତାହା ମାଦଳାପାଞ୍ଜିରେ ସ୍ଥାନ ପାଇନାହିଁ। ଭୋଇବଂଶୀୟ ରାଜା ଦ୍ବିତୀୟ ରାମଚନ୍ଦ୍ରଦେବ ଠାକୁରଙ୍କ ନବକଳେବର କରି ପୁନଃ ପ୍ରତିଷ୍ଠା କଲାବେଳେ ତାହାଙ୍କୁ ‘ଦୁତୀ ଇନ୍ଦ୍ରଦ୍ୟୁମ୍ନ’ ବୋଲି ସ୍ବୀକାର କରାଯାଇଥିଲେ ମଧ୍ୟ ଯଯାତିକେଶରୀଙ୍କୁ ପ୍ରଥମ ଇନ୍ଦ୍ରଦ୍ୟୁମ୍ନ ଭାବେ ମାଦଳାପାଞ୍ଜିରେ ଚିତ୍ରିତ କରାଯାଇ ନାହିଁ।

 

ଓଡ଼ିଶାର ଐତିହାସିକ ପ୍ୟାରୀମୋହନ ଅାଚାର୍ଯ୍ୟ ଜଗନ୍ନାଥଙ୍କର ପ୍ରତିଷ୍ଠା ବିଷୟରେ ଅନୁସନ୍ଧାନ କରି ଅାହୁରି ଲେଖିଛନ୍ତି- ‘ବୌଦ୍ଧଧର୍ମର ବିଲୋପ ସାଧନ କରିବା ସକାଶେ ଯେତେବେଳେ ବ୍ରାହ୍ମଣମାନେ ବଦ୍ଧପରିକର ହୋଇଥିଲେ, ସେତେବେଳେ ସେମାନେ ବୌଦ୍ଧଙ୍କର ମତାମତକୁ ନିଜ ମତାମତରେ ପ୍ରବର୍ତ୍ତିତ କରିଥିଲେ। ସେହି ପୁରୀଠାରେ ବ୍ରାହ୍ମଣମାନେ ଏକ ହସ୍ତପଦଶୂନ୍ୟ ଦେବତା ଗଠନ କରାଇ ପୁଣି ସେହି ଦେବତାଙ୍କୁ ବୁଦ୍ଧାବତାର ରୂପେ ଗ୍ରହଣ କରି (ବୁଦ୍ଧଦେବ ଶାକ୍ୟସିଂହଙ୍କୁ ଅବଲମ୍ବନ କରି ବୁଦ୍ଧାବତାର କଳ୍ପିତ ହୋଇଛି) ଅହିଂସାମୟ ବିଷ୍ଣୁମନ୍ତ୍ରରେ (ଅହିଂସା ପରମୋଧର୍ମ-ବୌଦ୍ଧଙ୍କର ମତ ଥିଲା) ତାଙ୍କର ପୂଜା ଚଳାଇ ଓ ତାଙ୍କ ଭୋଗରେ କୌଣସି ପ୍ରକାର ଜାତିବିଚାର ନରଖି ଏହିସବୁ ଦ୍ବାରା ବୌଦ୍ଧଧର୍ମ ଓ ହିନ୍ଦୁଧର୍ମର ସାମଞ୍ଜସ୍ୟ ରକ୍ଷାକରି ଓଡ଼ିଶା ବୌଦ୍ଧଙ୍କ ମତିକି ହିନ୍ଦୁଧର୍ମ ଅାଡ଼କୁ ଫେରାଇଥିଲେ। ବୌଦ୍ଧଧର୍ମର ପରାଭବ ଓ ହିନ୍ଦୁଧର୍ମର ପୁନଃସଂସ୍କାର ଓ ଟେକ ବଢ଼ାଇବା ସକାଶେ ବୌଦ୍ଧଙ୍କ ମାଲ ମସଲାରୁ ଯେ ଜଗନ୍ନାଥ ଦେବଙ୍କ ସୃଷ୍ଟି ହୋଇଛି, ଏଥିରେ କୋଣସି ସନ୍ଦେହ ନାହିଁ।’ (ଅାଚାର୍ଯ୍ୟ, ପ୍ୟାରୀମୋହନ - ଓଡ଼ିଶାର ଇତିହାସ, କଟକ ପ୍ରିଣ୍ଟିଙ୍ଗ କମ୍ପାନୀ, ୧୮୭୯, ପୃ. ୪୬,୪୭)।

 

ତେଣୁ ଶବରମାନଙ୍କ ଅାରାଧ୍ୟ ଦେବତା ଜଗନ୍ତ ସହିତ ନାଥଧର୍ମୀ ଓ ନାଗମାନଙ୍କର ସମନ୍ବୟ ରକ୍ଷା କରିବା ପାଇଁ ବୌଦ୍ଧଧର୍ମୀମାନେ ଓ ବଜ୍ରଯାନର ପ୍ରବକ୍ତା ଇନ୍ଦ୍ରଭୂତି ଜଗନ୍ନାଥ ଶବ୍ଦର ପରିକଳ୍ପନା କରି ଓଡ଼ିଶାର ସମଗ୍ର ଜନଜାତିଙ୍କ ମଧ୍ୟରେ ଭାବଗତ ଓ ଧର୍ମଗତ ଐକ୍ୟ ପ୍ରତିଷ୍ଠା କରିପାରିଛନ୍ତି। ସେମାନଙ୍କ ଏହି ସମନ୍ବୟ ରକ୍ଷାକାରୀ ମୂର୍ତ୍ତି କଳ୍ପନା ଓ ଜଗନ୍ନାଥ ନାମକରଣ ଓଡ଼ିଶାବାସୀଙ୍କୁ ସମଗ୍ର ପୃଥିବୀରେ ଐକ୍ୟବଦ୍ଧ ଜାତି ରୂପେ ଚିହ୍ନିତ ଓ ଉପସ୍ଥାପିତ କରାଇବା ସଙ୍ଗେସଙ୍ଗେ ଜଗନ୍ନାଥରୂପୀ ବୁଦ୍ଧଙ୍କୁ ଖ୍ରୀ: ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ମାଧ୍ୟମରେ ସର୍ବଜନମାନ୍ୟ ରାଷ୍ଟ୍ରଦେବତାର ସ୍ବୀକୃତି ଓ ସମ୍ମାନ ଅାଣି ଦେଇଥିଲା।

 

ପୂର୍ବତନ ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ ତଥା ବରିଷ୍ଠ ପ୍ରାଧ୍ୟାପକ, ସ୍ନାତକୋର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ବର-୭୫୬୦୦୧, ମୋ : ୯୪୩୭୪୪୬୬୦୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top