ବିବିଧ ପ୍ରତିଭା ବରେନ୍ଦ୍ର ଧଳ

News Story - Posted on 2016-08-10

ବରିଷ୍ଠ ସାମ୍ୱାଦିକ, ସ୍ତମ୍ଭକାର, ସାହିତ୍ୟିକ, ସଂଗଠକ ବରେନ୍ଦ୍ର କୃଷ୍ଣ ଧଳ ଆଉ ନାହାନ୍ତି। ଅଗଷ୍ଟ ୯ ତାରିଖ ମଙ୍ଗଳବାର ସକାଳେ ନିଜର ୟୁନିଟ ୨ ସ୍ଥିତ ବାସଭବନରେ ସେ ଇହଲୀଳା ସମ୍ୱରଣ କରିଛନ୍ତି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସକାଳେ ସେ ଗାଧୁଆ ଘରେ ଝୁଣ୍ଟି ପଡ଼ିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ସଙ୍ଗେସଙ୍ଗେ ତାଙ୍କର ହୃତକ୍ରିୟା ବନ୍ଦ ହୋଇଯାଇଥିଲା। ଶେଷ ଯାଏଁ ସେ ସକ୍ରିୟ ଓ ଚଳଚଞ୍ଚଳ ଥିଲେ। ଶେଷ ଦିନ ବି ସେ ପ୍ରମେୟ ଓ ସୂର୍ଯ୍ୟପ୍ରଭା ଦୈନିକର ସଂପାଦକୀୟ ପୃଷ୍ଠା ପାଇଁ ନିଜର ନିୟମିତ ସ୍ତମ୍ଭ ଲେଖଇଚନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ, ସାମ୍ୱାଦିକ ଓ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି। ବୁଧବାର ତାଙ୍କର ଶେଷକୃତ୍ୟ ସଂପନ୍ନ ହେଇଛି।

 

ଓଡ଼ିଶା ଗଣମାଧ୍ୟମ ଇତିହାସର ଅନେକ ପୃଷ୍ଠା ମଣ୍ଡନ କରିଥିବା ବରେନ୍ଦ୍ର କୃଷ୍ଣ ଧଳ ମାର୍ଚ୍ଚ ୧୭ ତାରିଖ ୧୯୩୯ ମସିହାରେ ବାଙ୍କିରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୨୨ ବର୍ଷ ବୟସରେ ସେ ସାମ୍ୱାଦିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ସେତେବେଳର ପ୍ରତିଷ୍ଠିତ ଖବରକାଗଜ ପ୍ରଜାତନ୍ତ୍ରର ସ୍ୱତନ୍ତ୍ର ମୀନାବଜାରରେ ଅନେକ ଛୋଟବଡ଼ ଗପ ଲେଖିବା ଆରମ୍ଭ କରିଥିଲେ । ସମୟକ୍ରମେ ସେ ମାତୃଭୂମି ଖବର କାଗଜରେ ଗପ ଲେଖିବା ସହିତ ସାମ୍ୱାଦିକତା କରିଥିଲେ। ଏହି ଖବରକାଗଜରେ ସେ ଦୀର୍ଘ ୨୫ ବର୍ଷ କାଳ କାର୍ଯ୍ୟ କରିଥିଲେ। ପରେ ସ୍ୱରାଜ୍ୟରେ ୧୯୮୬ରୁ ୧୯୯୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୭୨ରୁ ୧୯୮୦ ପର୍ଯ୍ୟନ୍ତ ନ୍ୟାସନାଲ ହେରାଲ୍ଡ ପାଇଁ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ବଙ୍ଗାଳୀ ଭାଷାରେ ପ୍ରକାଶିତ ଦୈନିକ ଖବରକାଗଜ ‘ଆଜକାଲ’ ପାଇଁ ସେ ରାଜ୍ୟ ସାମ୍ୱାଦିକ ଭାବେ କାର୍ଯ୍ୟ କରୁଥିଲେ।

 

ସେ ଜଣେ ନିରପେକ୍ଷ ସ୍ତମ୍ଭକାର ଭାବେ ବେଶ‍୍‌ ସୁନାମ ଅର୍ଜନ କରିଛନ୍ତି। ୧୯୯୦ରୁ ୯୨ ମଧ୍ୟରେ ପ୍ରଜାତନ୍ତ୍ରରେ ପ୍ରକାଶିତ ଅନେକ ସ୍ତମ୍ଭ ସାଙ୍ଗକୁ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ଦୈନିକ ‘ସମ୍ୱାଦ’ରେ ପ୍ରକାଶିତ ହୋଇଥିବା ମୁକ୍ତ ବିଚାର ଓ ୨୦୦୨ ଠାରୁ ୨୦୧୧ ପର୍ଯ୍ୟନ୍ତ ‘ଧରିତ୍ରୀ’ରେ ପ୍ରକାଶିତ ହେଉଥିବା ଖୋଲା ବିଚାର ଅତ୍ୟନ୍ତ ଲୋକପ୍ରିୟ ଥିଲା। ସେ ଜଣେ ଦକ୍ଷ ସଂଗଠକ ଥିଲେ। ୧୯୯୦ରୁ ୯୩ ପର୍ଯ୍ୟନ୍ତ ନ୍ୟାସନାଲ ୟୁନିୟନ ଅଫ୍ ଜଣ୍ଣାର୍ଲିଷ୍ଟର ଇଣ୍ଡିଆର ସର୍ବଭାରତୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ସାର୍କ ଜର୍ଣ୍ଣାଲିଷ୍ଟ କନଫରେନ୍ସରେ ଯୋଗଦେଇଥିଲେ। ନୂଆଦିଲ୍ଲୀର ସ୍କୁଲ ଅଫ୍ ଜର୍ଣ୍ଣାଲିଜିମ ଏଣ୍ଡ କମ୍ୟୁନିକେସନର ସେ ଜଣେ ଗଭର୍ଣ୍ଣିଂ ସଦସ୍ୟ ଭାବେ ପଦବୀ ପାଇଛନ୍ତି। ଏଥିସହ ୧୯୯୦ରୁ ୯୬ ମଧ୍ୟରେ ଇଷ୍ଟର୍ଣ୍ଣ ଜୋନ‍୍‌ ଫିଲ୍ମ ସେନ‍୍‌ସର ବୋର୍ଡ଼ର ସଦସ୍ୟ ଥିଲେ।

 

ସାହିତ୍ୟ କ୍ଷେତ୍ରରେ ଓଡ଼ିଆ ଓ ବଙ୍ଗଳା ଭାଷାରେ ବରେନ୍ଦ୍ର ବାବୁ ୨୦ଟି କ୍ଷୁଦ୍ର ଗଳ୍ପ ଲେଖିବା ସହିତ ୧୯ଟି ବହି ଲେଖିଛନ୍ତି। ଏଥିସହ ସେ ୬ଟି ଉପନ୍ୟାସ ଓ ୨ଟି ପିଲାଙ୍କ ଗଳ୍ପ ଲେଖିଛନ୍ତି। ସେଗୁଡ଼ିକ ମଧ୍ୟରୁ ନାୟିକା, ନିଷିଦ୍ଧ ପ୍ରେମ, ମୁଖା ଆଦି ଉଲ୍ଲେଖଯୋଗ୍ୟ। ଏହାଛଡ଼ା ସେ ୬ଟି ବଙ୍ଗଳା ବହି ମଧ୍ୟ ଅନୁବାଦ କରିଛନ୍ତି। ସେଥି ମଧ୍ୟରୁ ସାମ୍ୱା (୧୯୮୮) ଅନୁବାଦ ପାଇଁ ସେ ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ। ଓଡ଼ିଶା ସରକାରଙ୍କଠାରୁ ଶିଶୁ ସାହିତ୍ୟରେ ୧୯୬୮ ମସିହାରେ ପୁରସ୍କୃତ ହୋଇଛନ୍ତି । କଲିକତାରେ ୧୯୯୪ ମସିହାରେ ସର୍ବଭାରତୀୟ ଲେଖକ ସମ୍ମିଳନୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

 

ସେ ପ୍ରଥମ ଥର ପାଇଁ ପୁସ୍ତକ ବିକ୍ରି ସହିତ ପାଠକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରରେ ୧୯୮୫ ମସିହାରେ ପୁସ୍ତକ ମେଳାର ଆୟୋଜନ କରାଇଥିଲେ। ୧୯୮୦ରୁ ଏପର୍ଯ୍ୟନ୍ତ ସେ ଲେଖକ ସାମ୍ମୁଖ୍ୟର ସଚିବ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ। ୧୯୮୯ରୁ ୨୦୦୪ ଯାଏ ବରେନ୍ଦ୍ର ବାବୁ ଓଡ଼ିଶା ନୃତ୍ୟ ଏବଂ ସଙ୍ଗୀତ ଏକାଡେ଼ମୀର ସଭାପତି ଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top