କେବେ ଉଦ୍ଧାର ହେବ ଅନ୍ନପୂର୍ଣ୍ଣା?

News Story - Posted on 2016-08-06

ଚିଦାନନ୍ଦ ଜେନା

 

ଆଧୁନିକ ଓଡିଆ ମଂଚ ନାଟକର ଏନ୍ତୁଡିଶାଳ ପୁରୀରେ ଅବସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଂଚ। ଲୋକପ୍ରିୟତା ଓ ନାଟକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୪୪ ମସିହାରେ ଏହା ଦୁଇଭାଗ ହୋଇଥିଲା। ଶ୍ରୀକ୍ଷେତ୍ରରେ ହୋଇଥିବା ଗ୍ରୁପ‌୍‍ ଟି ‘କ’ ଗ୍ରୁପ‌୍‍ ବୋଲାଉଥିବା ବେଳେ କଟକ ଅନ୍ନପୂର୍ଣ୍ଣା ଥିଏଟରକୁ ଗ୍ରୁପ‌୍‍ ‘ଖ’ ବୋଲି କୁହାଯାଏ। କିନ୍ତୁ ମାତ୍ରାଧିକ ପ୍ରାଶାସନିକ  ଉଦାସୀନତା ସାଙ୍ଗକୁ ରାଜ୍ୟ ସଂସ୍କୃତି ବିଭାଗର ଅଣଦେଖା ଏହାର ଭବିଷ୍ୟତ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ।  ୬୦-୭୦ ଦଶକରେ ରକ୍ଷଣଶୀଳ ପରିବାରର ଚକ୍ରବ୍ୟୁହ ଭେଦ କରି ଯେଉଁ ନାରୀମାନେ ଅନ୍ନପୂର୍ଣ୍ଣା ରଙ୍ଗମଂଚ ଆସି ମୁହଁରେ ରଙ୍ଗବୋଳି ଅଭିନୟ କରିଥିଲେ ସେମାନେ ଆଜି ବୟସର ଅପରାହ୍ନରେ ଦଣ୍ଡାୟମାନ। ଏଥିସହ ଜରାଜୀର୍ଣ୍ଣ ଅବସ୍ଥାରେ ଅନ୍ନପୂର୍ଣ୍ଣା ରଙ୍ଗମଂଚ।

 

ଅନ୍ନପୂର୍ଣ୍ଣାର ଅଭ୍ୟୁଦୟ

 

ପ୍ରାକ‌୍‍ ସ୍ୱାଧୀନତା ସମୟରେ ସାମାଜିକ ଧମୀର୍ ନାଟକ ପରିବେଷଣ ହେବା ସହ ମଂଚର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଉତ୍ତରପାର୍ଶ୍ୱ ମଠ ମହନ୍ତ ଜମି ଏବଂ ସମାଜର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ  ୧୯୪୨-୪୩ ବେଳକୁ ଅନ୍ନପୂର୍ଣ୍ଣା ଏକ ପୂଣ୍ଣାର୍ଙ୍ଗ ଅନୁଷ୍ଠାନ ହୋଇସାରିଥିଲା। ଜୟଦେବ ପୁରସ୍କାର ଲାଭ କରିଥିବା ରାମଚନ୍ଦ୍ର ପ୍ରତିହାରୀ, ଦୁଃଖୀରାମ ସ୍ୱାଇଁ, ହାସ୍ୟ ଅଭିନେତା ବୁଲ‌୍‍ବୁଲ‌୍‍ ସମେତ ଅନେକ ବରିଷ୍ଠ ଅଭିନେତା ଅନ୍ନପୂର୍ଣ୍ଣା ମଂଚର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

 

ଧ୍ୱଂସ ପଥରେ ଅନ୍ନପୂର୍ଣ୍ଣା

 

ପ୍ରାରମ୍ଭିକ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ଥିଏଟରର ରକ୍ଷଣାବେକ୍ଷଣର ଦାୟିତ୍ୱ ବାଉରିବନ୍ଧୁ ମହାନ୍ତି ନେଇଥିଲେ। ୧୯୭୧ ମସିହାରେ ତାଙ୍କ ମୃତ୍ୟୁ କେବଳ ଅନ୍ନପୂର୍ଣ୍ଣାକୁ କ୍ଷତି ପହଂଚାଇ ନ ଥିଲା ବରଂ ଉପକୂଳ ଓଡିଶାରେ ଗତିଶୀଳ ନାଟ୍ୟ ଆନ୍ଦୋଳନ ଉପରେ ମଧ୍ୟ ଏକ ପ୍ରକାରର ରୋକ ଲଗାଇଥିଲା। ଏହାର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଏହାକୁ ରାଜନୈତିକ ବ୍ୟକ୍ତିବିଶେଷ ଅଣଦେଖା କଲେ। ୧୯୮୯ରେ ପୁରୀର ଜିଲ୍ଲାପାଳଙ୍କୁ ମଂଚ ପରିଚାଳନା କମିଟିର ଅଧ୍ୟକ୍ଷ କରାଯିବା ପ୍ରସ୍ତାବ ରଖାଗଲା, ମାତ୍ର ଏଥିରେ ଅନ୍ନପୂର୍ଣ୍ଣାର ଭାଗ୍ୟ ବଦଳି ନଥିଲା। ଧୀରେ ଧୀରେ ରଙ୍ଗମଂଚର ପରିଚାଳନା ପାଇଁ ମିଳୁଥିବା ଅନୁଦାନ ହ୍ରାସ ପାଇବାକୁ ଲାଗିଲା। କିଛି କଳାକାର ଅଭିନୟରୁ ମୁହଁ ଫେରାଇନେଲେ। ଆଉ କିଛି ଭାଗ୍ୟକୁ ଆଦରି ନେଲେ। ଏହା ବିଷୟରେ ଯାହା ମିଳୁଛି ଚଳିବାକୁ ତାହା ନକହିବା ଭଲ ବୋଲି କୁହନ୍ତି ବର୍ଷୀୟାନ କଳାକାର ମଞ୍ଜୁ ସାମଲ।

 

ନିରାଶା ଭିତରେ ଆଶାର କିରଣ

 

ତିନି ଦଶନ୍ଧିର ପ୍ରାଶାସନିକ ଅବହେଳା ପରେ  ୨୦୦୩ ଅଗଷ୍ଟ ମାସରେ ପୁରୀ ଜିଲ୍ଲାପାଳ ଅନ୍ନପୂର୍ଣ୍ଣା ଭିତ୍ତିଭୂମି ବିକାଶ ନେଇ ଏକ ବୈଠକ ଡାକିଥିଲେ। ଏଥିରେ ତତ୍କାଳୀନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସଚିବ ନିଯୁକ୍ତି କରାଯିବା ସହ ଦୁଇ କୋଟିର ଅନୁଦାନ ପାଇଁ ସୁପାରିଶ କରାଯାଇଥିଲା। ପରେ ଏଥିନେଇ ବିଶେଷ ତତ୍ପରତା ପ୍ରକାଶ ପାଇ ନଥିବା କଥା କୁହନ୍ତି ଯୁବ ଅଭିନେତା ଶମ୍ଭୁନାଥ ଖୁଂଟିଆ। ପାଖାପାଖି ଦଶନ୍ଧି ପରେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ପୁଣି ଡାକିଥିଲେ ବୈଠକ। ପୁରୀ ସମେତ କଟକ ଅନ୍ନପୂର୍ଣ୍ଣା ମଂଚର ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ପାଇଁ  ସୁପାରିଶ କରିଥିଲେ ସେ। ବୈଷୟିକ କମିଟି ଅନୁଧ୍ୟାନ କଲାପରେ ଏଥିପାଇଁ ଯୋଜନା ବି ପ୍ରସ୍ତୁତ ହୋଇଥିଲା, ମାତ୍ର ୨୦୧୩ ମସିହାର ଫାଇଲିନ‌୍‍ ଏହାର ଅଶେଷ କ୍ଷତି ସାଧନା କରିଥିଲା। ପରେ ସାଂସଦ, ବିଧାୟକଙ୍କ ସମେତ କଳାପ୍ରେମୀଙ୍କ ସହଯୋଗରେ ମଂଚର ପୁନରୁଉଦ୍ଧାର ହେଲା। ଏବେ ସେହି ମଂଚରେ କାଁ ଭାଁ ନାଟକ ପରିବେଷଣ କରାଯାଉଛି। କିନ୍ତୁ ମୁଖଶାଳା ଏବେବି ଅବହେଳିତ।

 

ମୁଖଶାଳା ଜମି ବିବାଦ ସୁପ୍ରିମ‌୍‍ କୋର୍ଟରେ

 

ଅନ୍ନପୂର୍ଣ୍ଣ ରଙ୍ଗମଂଚର ନବୀକରଣ ହୋଇଛି ସତ। ମାତ୍ର ବଡ଼ଦାଣ୍ଡକୁ ମୁହଁ କରି ଛିଡ଼ା ହୋଇଥିବା ଏହାର ମୁଖଶାଳାକୁ ନେଇ ବିବାଦ ତୁଟିନାହଁି। ଏ ବିବାଦ ସମାଧାନ ଉପରେ ନିର୍ଭର କରୁଛି ପୂର୍ଣ୍ଣାଙ୍ଗ ନବକଳେବର। ଉକ୍ତ ସ୍ଥାନଟି ଉତ୍ତର ପାର୍ଶ୍ୱ ମଠର। ମଠ କର୍ତ୍ତୃପକ୍ଷ ସ୍ଥାନଟିକୁ ଦେବାକୁ ରାଜି ନଥିବା ଜଣା ପଡ଼ିଛି। ବର୍ତମାନ ମଠାଧୀଶ ନାରାୟଣ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ‘ଶ୍ରୀମନ୍ଦିରର ରୀତିନୀତି ସହ ଏହା ଜଡିତ ଥିବାରୁ ଅନ୍ନପୂର୍ଣ୍ଣାକୁ ଏହା ହସ୍ତାନ୍ତର କରି ହେବ ନାହିଁ। ଏହାର ବିକଳ୍ପ ଭାବରେ ମାଟିତୋଡା ଅଂଚଳରେ ଜମି ଦେବାକୁ ନିର୍ଦ୍ଧାରିତ କରାଯାଇଛି’। ଏହି  ଜମି ବିବାଦ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ମଠ କର୍ତ୍ତୃପକ୍ଷ ବର୍ତ୍ତମାନ କାଠ ଗଡ଼ାରେ। ନିଜ ପକ୍ଷ ରଖିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ଲୋକ ସଂପର୍କ ଅଧିକାରୀ କୁହନ୍ତି, ‘ମାମଲା ସୁପ୍ରିମ‌୍‍ କୋର୍ଟରେ ଥିବାରୁ ସେ ସଂପର୍କରେ ମତାମତ ଦେବା ଠିକ‌୍‍ ହେବ ନାହିଁ। ବିଚାର ଯାହା ହେଉ ନା କାହିଁକି, ଅନ୍ନପୂର୍ଣ୍ଣା ମୁଖଶାଳାର କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ। ଶ୍ରୀକ୍ଷେତ୍ରରେ ନାଟକ ସଂସ୍କୃତି ଐତିହ୍ୟ ଅନ୍ନପୂର୍ଣ୍ଣା ରଙ୍ଗମଂଚ ବହନ କରୁଥିବାରୁ ଏହାର ପୁନରୁଦ୍ଧାର ପାଇଁ ଆମେ ସମ୍ୱେଦନଶୀଳ।’

 

ସେମାନେ ଯାହା କୁହନ୍ତି

 

ରାମଚନ୍ଦ୍ର ପ୍ରତିହାରୀ, ଜୟଦେବ ପୁରସ୍କାର ପ୍ରାପ୍ତ ଅଭିନେତା- ରାଜ୍ୟରେ ଯେତେ ନାଟକ ମଂଚ ଗଢ଼ି ଉଠିଲେ ବି ଅନ୍ନପୂର୍ଣ୍ଣାର ବିକଳ୍ପ ନାହିଁ। ଏହି ମଂଚ ଦୁଃଖିରାମ ସ୍ୱାଇଁଙ୍କ ପରି ଅଭିନେତା ଓଡିଆ ସିନେ ଜଗତକୁ ଦେଇଛି। କମେଡିଆନ‌୍‍ ବୁଲ‌୍‍ବୁଲ‌୍‍ଙ୍କୁ କିଏ ନଜାଣେ! ଓଡିଆ ନାଟକର ଐତିହ୍ୟ ବହନ କରୁଥିବା ଅନ୍ନପୂର୍ଣ୍ଣା ଓଡିଆ ଜାତିର ପରିଚୟ। କିନ୍ତୁ ଦୁଃଖର ବିଷୟ ଏହି ମଂଚ ଚାରି ଦଶନ୍ଧି ଧରି ପ୍ରାଶାସନିକ ଅବହେଳାର ଶିକାର ହୋଇଆସୁଛି। ବର୍ତ୍ତମାନ ସମୟ ଆସିଛି, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପୁରୀ ଅନ୍ନପୂର୍ଣ୍ଣା ନବକଳେବର ପାଇଁ ପଦକ୍ଷେପ ନିଅନ୍ତୁ, ନଚେତ ଏହା ଧ୍ୱଂସ ପାଇବା ସାର ହେବ।

 

ଶ୍ୟାମ ପ୍ରକାଶ ସେନାପତି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ, ସଂସ୍କୃତି ପ୍ରେମୀ-ସିନେମାରେ କଳାକାରଟିଏ ଅଭିନୟ କରିଥାଏ। ତେଣୁ ମଂଚର ଗୁରୁତ୍ୱ ଅଭିନୟ ଜଗତରେ ସର୍ବାଗ୍ରେ। ବର୍ତ୍ତମାନ ସମୟ ଆସି ପହଂଚିଛି, ଅନ୍ନପୂର୍ଣ୍ଣାର ବିକାଶ ସହ ବ୍ଲକ‌୍‍ ସ୍ତରରେ ନାଟ୍ୟ ପ୍ରତିଭା ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ଗଢ଼ିବା ପାଇଁ। ଉଚିତ ପଦକ୍ଷେପ ନିଆ ନଗଲେ ଗୋଟିଏ ସଂସ୍କୃତିର ଏବଂ ଜାତିର ଚରମ କ୍ଷତି ହେବ।

 

ରାମକୃଷ୍ଣ ମହାପାତ୍ର, ଯୁବ ନିର୍ଦ୍ଦେଶକ ଏବଂ କଳାକାର- ଅନ୍ନପୂର୍ଣ୍ଣା ମଂଚର ଉତ‌୍‍ଥାନ ହୋଇଛି ସତ ମାତ୍ର ମୁଖଶାଳା ଏବଂ କଳାକାର ରହୁଥିବା ଘର ଏବେବି ଅବହେଳିତ। ଜମି ବିବାଦ ଶୀଘ୍ର ସମାଧାନ କରାଯାଇ ମୁଖଶାଳାର ନବୀକରଣ କରାଯିବା ସହ ଅନ୍ନପୂର୍ଣ୍ଣା ସଂପର୍କରେ ଜାଣିବା ପାଇଁ ପାଠାଗାର କରାଯାଉ। ନାଟକ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଉ।


ପ୍ରତିକ୍ରିୟା

Subrat Kumar Nayak - Email: pnt1231@gmail.com - Posted on 2016-08-06 12:19:48

Great story Chidanand Babu. Explore these things more.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top