ଶହକେ ସତାନବେ ଅପଦାର୍ଥ!

News Story - Posted on 2016-08-02

ବିମଳ ପ୍ରସାଦ

 

ଜଣାଶୁଣା ସ୍ତମ୍ଭକାର ନଟବର ଖୁଣ୍ଟିଆଙ୍କର ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାରେ କୃଷି ଓ ଆନୁଷଙ୍ଗିକ ବୃତ୍ତି ପାଇଁ ଦକ୍ଷତା ବିକାଶ ଶିରୋନାମାରେ ଏକ ବାସ୍ତବଧର୍ମୀ ଲେଖା ପ୍ରକାଶ ପାଇଥିଲା। ତାଙ୍କ ମତରେ ‘ଯେଉଁ ରାଷ୍ଟ୍ରର ମାନବସମ୍ବଳ ଯେତେ ଦକ୍ଷ, ସେ ଦେଶ ଆର୍ଥନୀତିକ ବିକାଶ ଦୃଷ୍ଟିରୁ ସେତେ ଉନ୍ନତ। ସେସବୁ ଦେଶ ନିଜର ସୀମିତ ସମ୍ବଳକୁ ଦକ୍ଷ ମାନବ ସମ୍ବଳ ଦ୍ୱାରା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପରିଚାଳନା କରି କମ‌୍‌ ଖର୍ଚରେ ଅଧିକ ଉତ୍ପାଦନ ବଳରେ ଲାଭବାନ ହେଉଛନ୍ତି। ସେ ଦେଶର ଲୋକେ ଉନ୍ନତ ଜୀବନଯାପନ କରନ୍ତି। ...ଦକ୍ଷିଣ କୋରିଆରେ ୯୬ ପ୍ରତିଶତ ଲୋକ ଦକ୍ଷ ଓ ଉପଯୁକ୍ତ ତାଲିମପ୍ରାପ୍ତ ହୋଇଥିବା ବେଳେ ଜାପାନରେ ୮୦ ପ୍ରତିଶତ, ଜର୍ମାନୀରେ ୭୫ ପ୍ରତିଶତ, ବ୍ରିଟେନରେ ୬୮ ପ୍ରତିଶତ ଦକ୍ଷ ଓ ଉପଯୁକ୍ତ ତାଲିମପ୍ରାପ୍ତ ଅଟନ୍ତି। ଅଥଚ ଭାରତରେ ଏହି ହାର ହେଉଛି ମାତ୍ର ୨.୩ ପ୍ରତିଶତ।’  ଅର୍ଥାତ ୧୦୦ ଜଣରେ ମାତ୍ର ୨ ଜଣ ବା ୩ ଜଣ ହେଉଛନ୍ତି ଦକ୍ଷ। ତେବେ ସେ ‘ଜାତୀୟ ଦକ୍ଷତା ବୃଦ୍ଧି ମିଶନ’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

 

‘ଓଡ଼ିଶାର ରାଜଧାନୀ ନଗରୀରେ କାର୍ଯ୍ୟ କରୁଥିବା ଦକ୍ଷ ରାଜମିସ୍ତ୍ରୀ, ମାର୍ବଲ- ଟାଇଲ ମିସ୍ତ୍ରୀ, ଆଲୁମିନିୟମ ମିସ୍ତ୍ରୀ ଅନ୍ୟ ରାଜ୍ୟର। ସେଥିରେ ଆମ ଲୋକଙ୍କ ସଂଖ୍ୟା କମ୍।... ବଡ଼ ସ୍ୱାଗତଯୋଗ୍ୟ କଥା ଯେ ଓଡ଼ିଶା ସରକାର ଓଡ଼ିଶାର ମାନବସମ୍ବଳର ଦକ୍ଷତା ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ରୂପେ ସୁବ୍ରତ ବାଗଚୀଙ୍କୁ ଅବସ୍ଥାପିତ କରିଛନ୍ତି, ଯିଏକି ଜଣେ ପରିଚାଳନା ବିଶେଷଜ୍ଞ ଏବଂ ସୂଚନା ବିଜ୍ଞାନ କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ତାଙ୍କୁ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ତାଙ୍କ ଅଧ୍ୟକ୍ଷତାରେ ଏହି କର୍ତ୍ତୃପକ୍ଷ ଖୁବ୍ ନିକଟରେ କାମ ଆରମ୍ଭ କରିଛନ୍ତି। ସମ୍ବାଦପତ୍ରରୁ ଯାହା ଜଣାପଡୁଛି, ବାଗଚୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ବର୍ତମାନର ସ୍ଥିତି ଆକଳନ କରୁଛନ୍ତି। ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ବର୍ତମାନ ମୁଖ୍ୟତଃ ଓଡ଼ିଶାର ଆଇଟିଆଇଗୁଡ଼ିକ କିପରି ଭାବେ ତାଲିମ ଦେଇ ମାନବସମ୍ବଳକୁ ଦକ୍ଷ କରାଉଛନ୍ତି, ତାହା ଅନୁଧ୍ୟାନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାର ପ୍ରୟାସ ଜାରି ରହିଛି।’

 

‘...କୃଷି ଓ ଆନୁଷଙ୍ଗିକ ବୃତ୍ତିର ବିକାଶ ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ମାନବସମ୍ବଳର ଅଭାବ ରହିଛି। ଫଳରେ ଓଡ଼ିଶାର କୃଷି ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ଅନ୍ୟାନ୍ୟ କୃଷି ଉନ୍ନତ ରାଜ୍ୟ ଠାରୁ କମ୍। ....ଏଣେ ଜ୍ଞାନକୌଶଳ ସଂପ୍ରସାରଣ କ୍ଷେତ୍ରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତାହାର ତାହାର ଅନୁଧ୍ୟାନ କରନ୍ତୁ। ଏହାର ସମାଧାନ କିପରି ହୋଇପାରିବ, ତାହାର ବିକଳ୍ପ ପ୍ରସ୍ତାବ ରଖନ୍ତୁ। କୃଷି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟର ସମସ୍ତ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଖୋଲିଛି। ଏହାର ମୋଟ ସଂଖ୍ୟା ୩୩। ପ୍ରତ୍ୟେକ କେନ୍ଦ୍ରରେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତିର ବିଜ୍ଞମାନେ ଅବସ୍ଥାପିତ। ସେମାନେ ଚାଷୀମାନଙ୍କ ନିକଟରେ ଆଧୁନିକ ଜ୍ଞାନକୌଶଳ ପହଞ୍ଚାଇବା କଥା। କିନ୍ତୁ ଦେଖିବେ କୃଷି ବିଜ୍ଞାନ କେନ୍ଦ୍ର ଚାରିପାଖରେ ଥିବା ଗାଆଁଗୁଡ଼ିକର ଚାଷୀ ସେହି କେନ୍ଦ୍ରଗୁଡ଼ିକ ଦ୍ୱାରା ଉପକୃତ ହେଉନାହାନ୍ତି। ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସେହି କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଭୁଲ୍ କେଉଁଠି ରହୁଛି ତାହାର ଅନୁଧ୍ୟାନ କରି ସେହି କେନ୍ଦ୍ରଗୁଡ଼ିକ ଯେପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ଚାଷୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି କରାଇବେ, ତାହା ଉପରେ ସୁଚିନ୍ତିତ ମତ ଓ ପ୍ରସ୍ତାବ ସରକାରଙ୍କୁ ଦିଅନ୍ତୁ।’

 

‘.... ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଯେଉଁ ସବୁ ତାଲିମ ବ୍ୟବସ୍ଥା ଅଛି, ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଦକ୍ଷତା ବୃଦ୍ଧି ପାଇଁ ସେସବୁ ତାଲିମ ବ୍ୟବସ୍ଥାରେ କିକି ପରିବର୍ତ୍ତନ ଅଣାଯାଇପାରିବ, ତାହାର ଏକ ଚିତ୍ର ଦକ୍ଷତା ବିକାଶ କର୍ତୃପକ୍ଷ ପ୍ରସ୍ତୁତ କରନ୍ତୁ। ....ନବଗଠିତ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଓଡ଼ିଶାର ମାନବସମ୍ବଳର ବିକାଶ କେଉଁ ଢାଞ୍ଚାରେ ହେବ, ତାହାର ଏକ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ। ସେହି ଦୀର୍ଘମିଆଦୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ କୃଷି ଓ ଆନୁଷଙ୍ଗିକ ବୃତ୍ତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ।’

 

ସ୍ତାମ୍ଭିକ ନଟବର ଖୁଣ୍ଟିଆ ବେଶ୍ ଦାମ୍ଭିକତାର ସହ ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ଆହ୍ୱାନ ଦେଇଛନ୍ତି। ଯଦି ଶ୍ରୀ ବାଗଚୀ ସେହି ଲେଖାଟିକୁ ପଢ଼ିଥିବେ, ତେବେ ବିବ୍ରତ ହେବା ସ୍ୱାଭାବିକ। କାରଣ ଓଡ଼ିଶାକୁ ଅନୁଧ୍ୟାନ କରିବା ଏକ ସହଜ କଥା ନୁହେଁ। ଆମ୍ଭ ମତରେ ରାଜ୍ୟର ସ୍ଥିତି ଅନୁଧ୍ୟାନ ପାଇଁ କିଛି ଦଲାଲଙ୍କୁ ନିଯୁକ୍ତ କରନ୍ତୁ। ନଚେତ ମାତ୍ର ୩ ବର୍ଷରେ ଦକ୍ଷତା ବିକାଶର ମାଇଲଖୁଣ୍ଟ ଛୁଇଁବା ଏକ ସହଜ କଥା ନୁହେଁ। ପ୍ରସ୍ତାବିତ ବଜେଟର ବରାଦ ଟଙ୍କା ପରିମାଣ ଘୋଷଣା ପରେ ଏବେ ଓଏସଡିଏ ଅଧ୍ୟକ୍ଷଙ୍କ ପାଖରେ ଅନେକ ବ୍ୟକ୍ତି ଚକ୍କର କାଟୁଥିବେ। ତୋଷାମଦ ଆରମ୍ଭ କରିଥିବେ। ସେଇମାନଙ୍କ ମଧ୍ୟରୁ ଦଲାଲ ନିଯୁକ୍ତ କରାଯାଇପାରେ। ତଦାରଖ ଦୃଢ଼ ନହେଲେ କର୍ତ୍ତୃପକ୍ଷ ଠକାମିରେ ପଡ଼ିଯାଇପାରନ୍ତି।

 

ଏଇ ସପ୍ତାହରେ ସରକାର ଏକ ଭଲ ପଦକ୍ଷେପ ସରକାର- ଡ. ଦକ୍ଷପ୍ରସାଦ ନନ୍ଦଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତିରୁ ବଦଳି କରି ଧନ୍ଦାମୂଳକ ଶିକ୍ଷାର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଫଳରେ ସାରା ରାଜ୍ୟ ଦେଖିବ, କିପରି ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶାଳୟ ବା ଉପବିଭାଗର କାର୍ଯ୍ୟକ୍ରମ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ସୀମିତ ନରହି ସାରା ରାଜ୍ୟକୁ ବ୍ୟାପିପାରିବ। ତେବେ ଡ. ନନ୍ଦଙ୍କ ଭଳି ଅନେକ ଦକ୍ଷ ବ୍ୟକ୍ତି ରାଜ୍ୟ ପ୍ରଶାସନରେ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବାକୁ ପଡ଼ିବ।

 

ଶ୍ରୀ ଖୁଣ୍ଟିଆ ତାଙ୍କ ଲେଖାରେ ଯେଉଁ ଖୋଲା ଆହ୍ଵାନ ଦେଇଛନ୍ତି, ସେଥିପ୍ରତି ଉତ୍ତରଦାୟୀ ହେବା ଶ୍ରୀ ବାଗଚୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। କାରଣ ସେ ଆଜି ସୁଦ୍ଧା ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ସେ କେବଳ ଆଇଟିଆଇ ପିଲାଙ୍କ ଉପରେ ନଜର ରଖିବେ କି ଅନ୍ୟ କିଛି ଦୁର୍ବଳ କ୍ଷେତ୍ରର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇପାରିବେ, ସେ ବିଷୟରେ ନିଜ ଦପ୍ତରର ୱେବ୍‌ସାଇଟ୍‌ରେ ସ୍ପଷ୍ଟ ସୂଚନା ଦିଅନ୍ତୁ। କୃଷି କ୍ଷେତ୍ରରେ ଦକ୍ଷତା ବିକାଶର କେତେକ ଝଲକ ଆମେ ଏଠାରେ ବତାଉଛୁ। ଆଜିକାଲି ଶ୍ରୀ ପଦ୍ଧତିରେ ଧାନ ଚାଷ ଜରୁରି ହେଉଥିବାରୁ ସେହି ପଦ୍ଧତିକୁ ସବୁ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ଟେଲିଭିଜନ ମିଡ଼ିଆର ଉପଯୋଗ କରାଯାଇପାରେ। ଏଥିପାଇଁ କେବଳ ସରକାରୀ ଟିଭି ଚ୍ୟାନେଲ ଦୂରଦର୍ଶନ ଓଡ଼ିଆକୁ ଧରିଲେ, ସବୁ ଚାଷୀଙ୍କ ପାଖରେ ପହଞ୍ଚି ହେବ ନାହିଁ। ଘରୋଇ ଚ୍ୟାନେଲରେ ଭଳିକି ଭଳି ଉପାୟ ଅବଲମ୍ବନ କରି ଏ ବାର୍ତ୍ତା ଓ ଜ୍ଞାନର ପ୍ରସାର କରିବାକୁ ହେବ।

 

ସେହିଭଳି ଟ୍ରାକ୍ଟର ଓ ପାୱାରଟିଲର ରାଜ୍ୟରେ କେତେ ପରିମାଣରେ ଅଛି - କେଉଁଠି ଅଛି - ତାହାର ମାଲିକ କିଏ? ଏହାର ଏକ ସୁମାରି କରାଯିବା ସହ ତଥ୍ୟଭିତ୍ତି ପ୍ରସ୍ତୁତ ହେବା ଜରୁରୀ। ଯାହା ଫଳରେ ଚାଷକ୍ଷେତରେ ସେଗୁଡ଼ିକର ଉପଯୁକ୍ତ ପ୍ରୟୋଗକୁ ପ୍ରସାର କରାଯାଇପାରିବ। ଚାଷ, ଚାଷୀ ଓ ଭାଗଚାଷର ପରିଭାଷା ଦିନକୁ ଦିନ ବଦଳିବା ସହ ଗାଆଁରେ ରହୁଥିବା ଚାଷୀଙ୍କର ମଧ୍ୟ ହଳହଡ଼ା ଆଉ ନାହିଁ ବା ସେମାନେ ରଖୁ ନାହାନ୍ତି। ଚାଷ କ୍ଷେତର ବ୍ୟାପକ ଯାନ୍ତ୍ରିକୀକରଣ ହୋଇଥିବାରୁ କଳଚାଳିତ ବିବିଧ ସାମଗ୍ରୀର ଚଳାଇବା ଜ୍ଞାନ ଓ ଦକ୍ଷତାର ଘୋର ଆବଶ୍ୟକତା ଦେଖା ଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ ଯେଉଁ ଟ୍ରାକ୍ଟର ସବୁ କୃଷି ସବ୍‌ସିଡ଼ି ଜରିଆରେ କରଜ ଦିଆଯାଇଛି, ସେଗୁଡ଼ିକ ଏବେ ସୁଦ୍ଧା ବିଭିନ୍ନ ଠିକାଦାରୀ କାମରେ ସଡ଼କ ଓ ସତେୁ ନିର୍ମାଣରେ ଭଡ଼ାରେ ଲାଗିଛି। କୃଷି ବା କୃଷକଙ୍କୁ ସାହାଯ୍ୟ କରୁ ନାହିଁ। ଏଭଳି ବହୁ ଜଟିଳ ପ୍ରସଙ୍ଗ ଦକ୍ଷତା ବିକାଶ ସହ ଜଡ଼ିତ ଥିବାରୁ ସୁବ୍ରତ ବାବୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ନିଜର ପାରିଲାପଣିଆର ଏକ ତିନିବର୍ଷିଆ ସୀମାରେଖା ଟାଣିବା ଦରକାର।

 

ଆମ ଦେଶରେ ଶହେକେ ମାତ୍ର ୨ରୁ ୩ ଜଣ ଦକ୍ଷ ହୋଇଥିବା ବେଳେ ଆଉ ୯୭ ଜଣ ଅପଦାର୍ଥ। ସେହି ୯୭ ଜଣରୁ କେତେ ଜଣଙ୍କୁ ବା କେତେ ପ୍ରତିଶତ ଲୋକଙ୍କୁ ଦକ୍ଷ କରାଯାଇପାରିବ, ତାହାର ଏକ ଗାଣିତିକ ଧାର୍ଯ୍ୟ ଲକ୍ଷ୍ୟ ଟଣାଯିବା ଦରକାର। ନଚେତ ତିନି ବର୍ଷ କେବଳ ଓଡ଼ିଶା ଭ୍ରମଣରେ ଯିବ ସିନା କୌଣସି ଦର୍ଶନୀୟ କାମ ହୋଇପାରିବନି!

 

ଭୁବନେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top