ବାଂଲାଦେଶ ଉପନିବେଶ କେନ୍ଦ୍ରାପଡ଼ା!

News Story - Posted on 2016-08-02

ଗୋଲଖ ଚନ୍ଦ୍ର ଦାସ

 

ବଙ୍ଗଳାଦେଶୀ ଅନୁପ୍ରବେଶ ଏକ ରାଷ୍ଟ୍ରୀୟ ସଙ୍କଟ ଭାବରେ ଉଭା ହୋଇ ସାରା ଦେଶରେ ଚହଳ ସୃଷ୍ଟି କରିଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ସେଭଳି ଏକ ସଙ୍କଟରୁ ବାଦ ପଡିନାହିଁ। ବଙ୍ଗଳାଦେଶୀଙ୍କ ଅବୈଧ ପ୍ରବେଶ ହେତୁ ଜିଲ୍ଲା ଉପରେ ସାମାଜିକ ଆର୍ଥିକ ଦୁଷ୍ପରିଣାମ, ସାଂସ୍କୃତିକ ଦୁଷ୍ପ୍ରଭାବ ପଡ଼ିବା ସହିତ ସ୍ଥାନୀୟ ଲୋକମାନଙ୍କର କର୍ମ ସଙ୍କଟ ଓ ସାମାଜିକ ଅସନ୍ତୁଳନ ବୃଦ୍ଧି ପାଇଛି। ଭୋଟ ରାଜନୀତିର ସ୍ବାର୍ଥ ହେତୁ ଅନେକ ନେତା ଅବୈଧଭାବରେ ପ୍ରବେଶ କରୁଥିବା ବଙ୍ଗଳାଦେଶୀମାନଙ୍କୁ ଅନେକ ସ୍ଥାନରେ ଆଶ୍ରୟ ଦେବା ସହିତ ତାଙ୍କ ନାମ ଭୋଟର ତାଲିକାରେ ଉଠେଇ, ରାସନ କାର୍ଡ ପ୍ରଦାନ କରି ସ୍ଥାୟୀ ବାସିନ୍ଦାର ବୈଧତା ପ୍ରଦାନ କରୁଛନ୍ତି। ଆଳି, ରାଜକନିକା, ରାମନଗର ଓ ମହାକାଳପଡା ପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଜିଲ୍ଲାର ଅନ୍ୟ ମୁଖ୍ୟ ନଗରମାନଙ୍କରେ ଆସ୍ଥାନ ଜମେଇଲେଣି।

 

ରୋଜଗାର କ୍ଷେତ୍ର- ଜିଲ୍ଲାର ରିକ୍ସା ଓ ଠେଲା ସେବା ସହିତ ମଜଦୁରୀ କ୍ଷେତ୍ର ସେମାନଙ୍କ କବଳକୁ ଯାଇସାରିଛି। ଜିଲ୍ଲାର ନଦୀମାନଙ୍କର ଉଭୟ କୂଳରେ ଥିବା କୃଷି କ୍ଷେତ୍ର ଅନେକ ସ୍ଥାନ ଅନୁପ୍ରବେଶକାରୀଙ୍କ ଅଧୀନକୁ ଚାଲିଗଲାଣି। ଯେଉଁଥି ପାଇଁକି ପନିପରିବା ବ୍ୟବସାୟ ସେମାନଙ୍କ କବ୍ଜାକୁ ଚାଲିଯାଇଛି। ଗୃହ ଓ ସଡକ ନିର୍ମାଣ ଆଦି ସମସ୍ତ ନିର୍ମାଣ କାର୍ଯ୍ୟ ଅନୁପ୍ରବେଶକାରୀଙ୍କ ଅକ୍ତିଆରକୁ ଚାଲି ଯାଉଥିବା ବେଳେ ବାରିକ, ମୋଚି, ବଢେଇ ତଥା ଅଣ୍ଡା ମାଛ ମାଂସ ଭଳି ଲଘୁ ଉଦ୍ୟୋଗ ଏବଂ ବ୍ୟବସାୟରେ ମଧ୍ୟ ସେମାନେ କାୟା ବିସ୍ତାର କରିଛନ୍ତି।

 

ସାଧାରଣ ଲୋକଙ୍କ ପାଇଁ କର୍ମ ସଙ୍କଟ- ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ବିଭିନ୍ନ ଅଂଚଳରେ ଫେରିବାଲା, କବାଡିବାଲା, ଜରି ଗୋଟାଳି, ରାଜମିସ୍ତ୍ରୀ ଆଦି କାମ କରୁଛନ୍ତି। କମ ଟଙ୍କାରେ କାମ କରିବା ଦ୍ବାରା ସ୍ଥାନୀୟ ଜନସାଧାରଣ କର୍ମ ସଂସ୍ଥାନ ପାଉ ନାହାନ୍ତି, ଜିଲ୍ଲା ଛାଡି ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ କେନ୍ଦ୍ରାପଡା ଜିଲ୍ଲାରେ ଅନୁପ୍ରବେଶକାରୀମାନେ ଶସ୍ତା ମିସ୍ତ୍ରୀ ଓ ମୁଲିଆ ବିଭିନ୍ନ କର୍ମସଂସ୍ଥାନରେ ଏକତରଫା ଭାବେ ରାଜ ଚଳାଇଛନ୍ତି। ଜିଲ୍ଲାର ବିଭିନ୍ନ ନଗରରେ ଉଠାଦୋକାନ, କଂସେଇଖାନା ଆଦି ସେମାନଙ୍କ ଦ୍ବାରା ଚାଲୁଅଛି। ବିଭିନ୍ନ ଜେଟୀରେ ମାଛ ଧରିବା ସହିତ ତାଳଚୁଆ ରାଜନଗର ଆଦି ସମୁଦ୍ର ଅଂଚଳରେ ପ୍ରଥମରୁ ଜାଗା ମାଡିବସି ସରକାରଙ୍କଠାରୁ କ୍ଷତି ପୂରଣ ନେଉଛନ୍ତି। 

 

‘ଜାଲ କାର୍ଡ କଟାଯାଉ, ବଙ୍ଗଳାଦେଶୀ ସବୁ ଚାଉଳ ନେଇଯିବେ।’ ଏହା ଥିଲା ବିଗତ ଦିନର ଜଣେ ଜିଲ୍ଲାପାଳଙ୍କ ଉକ୍ତି। ଦୁଇ ଟଙ୍କିଆ ଚାଉଳ ଯୋଗାଣ ନେଇ ସରକାର ସଚିବାଳୟରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀ ଡାକିଥିଲେ। ଏଥିରେ କେନ୍ଦ୍ରାପଡାର ଜଣେ ପୂର୍ବତନ ଜିଲ୍ଲାପାଳ ଜିଲ୍ଲାରେ ଅଧିକ ସଂଖ୍ୟକ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଜାଲ ବିପିଏଲ କାର୍ଡ ରଖିଥିବା କଥା ସ୍ବୀକାର କରିଥିଲେ। ସରକାର ଜାଲ କାର୍ଡ ନକାଟିଲେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ହଡପ ହୋଇ ବଙ୍ଗଳାଦେଶକୁ ଚାଲିଯିବ ବୋଲି ଦର୍ଶାଇଥିଲେ। ଅନିୟନ୍ତ୍ରିତ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଫଳରେ ଖାଦ୍ୟାଭାବ ଏକ ସମସ୍ୟା ହୋଇ ଉଭାହେବୟ ଜିଲ୍ଲାର ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି କଳକାରଖାନା ତଥା ବାଣିଜ୍ୟ ବ୍ୟବସାୟ ପର୍ଯ୍ୟନ୍ତ ଅଳ୍ପବହୁତେ ସବୁ ପ୍ରଭାବିତ ହାବ। ଅବଶ୍ୟ ଆଜିକାଲି ଜଗତିକରଣ ପ୍ରଭାବରୁ ଅସ୍ଥାୟୀଭାବେ କିଛିକାଳ ଏ ସମସ୍ୟାକୁ ଟାଳି ଦିଆ ଯାଇପାରେ, ହେଲେ ସବୁ କାଳପାଇଁ ନୁହେଁ।

 

ସାମାଜିକ ଓ ସାଂସ୍କୃତିକ ପରିବେଶ- ଜିଲ୍ଲାରେ ଥିବା ଅନେକ ସାଂସ୍କୃତିକ ପରମ୍ପରା, ଶ୍ରଦ୍ଧା କେନ୍ଦ୍ର ଉପରେ ଆକ୍ରମଣ ଏହି ଅନୁପ୍ରବେଶକାରୀମାନେ ପ୍ରାରମ୍ଭ କରିଦେଇଛନ୍ତି। ଜିଲ୍ଲାର ଅନେକ ଦେବୋତ୍ତର ସମ୍ପତ୍ତି, ଗୋଚର ସମ୍ପତି ସେମାନେ ଜବରଦଖଲ କରିଛନ୍ତି। ବିଭିନ୍ନ ସ୍ଥାନରେ ମଠ ମନ୍ଦିର ଭାଙ୍ଗିବା ଭଳି ଘଟଣା ମଧ୍ୟ ଘଟାଉଛନ୍ତି।

 

ପର୍ଯ୍ୟଟନ ସ୍ଥଳୀ କବ୍ଜା- ରାଜନଗରଠାରୁ ୧୫ କିଲୋମିଟର ଦୂର ଭିତରକନିକା ଡାଙ୍ଗମାଳ ପର୍ଯ୍ୟଟନ କେନ୍ଦ୍ର, ବେଳାଭୂମିଠାରୁ ୧ କିଲୋମିଟର ଦୂରରେ ଥିବା ସୁବର୍ଣ୍ଣ ଦ୍ବୀପ ଆଜକୁ ୩୦ ବର୍ଷ ତଳେ ଆବିଷ୍କୃତ ହୋଇଥିଲା। ହେନ୍ତାଳ ଓ ସୁନ୍ଦରୀ ବଣରେ ପୂର୍ଣ୍ଣ ଏହି ମନୋରମ ସ୍ଥାନଟିରେ ପ୍ରଥମେ ୧୦ ବଙ୍ଗଳାଦେଶୀ ପରିବାର ଥିଲେ। ଆଜି ସେଠାରେ ୨୫୦ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବସତି ସ୍ଥାପନ କରିସାରିଲେଣି। ଏଠାରେ ଥିବା ଝାଉଁ ଓ ହେନ୍ତାଳ ବଣକୁ ଏମାନେ କାଟି ପକାଉଥିବାରୁ ସମୁଦ୍ର କୂଳଲଙ୍ଘନ କରିବା ଆରମ୍ଭ କରିଦେଇଛି। ଜିଲ୍ଲାର ଉପକୂଳ ସୁରକ୍ଷା ଏବେ ବିପନ୍ନ ହେବାରେ ଲାଗିଛି।

 

ଅବୈଧ ଗୋ ଚାଲାଣ- ଏକ ବେସରକାରୀ ସଂସ୍ଥା ନିଜର ସର୍ଭେ ରିପୋର୍ଟରେ ପ୍ରକାଶ କରିଛି ଯେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଗୋରୁ ଏହି ଅନୁପ୍ରବେଶକାରୀଙ୍କ ସହଯୋଗରେ ବଙ୍ଗଳାଦେଶକୁ ପଠାଯାଇଥାଏ। ପ୍ରତିଦିନ ବିଭିନ୍ନ ବାଟରେ ଅବୈଧ ଭାବରେ ଏହା ଚାଲାଣ କରାଯାଉଛି। କିଛିଦିନ ତଳେ ମହାକାଳପଡା ବ୍ଲକର ହୁକିଟୋଲା, ଖରନାସୀ ଅଂଚଳରେ ସମୁଦ୍ରର ଭେକ୍ଟାଖୋଲାରେ ଭେକ୍ଟି ମାଛ ଧରିବା ପାଇଁ କେତେକ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଷଣ୍ଢ ମାଂସକୁ ଥୋପ ଭାବରେ ବ୍ୟବହାର କରୁଥିବାବେଳେ ଧରାପଡିଥିଲେ। କିଛିବର୍ଷ ପୂର୍ବେ ବରୁଣେଇ ମୁହାଣ ନିକଟବର୍ତ୍ତୀ ତନ୍ତିଆପାଳରେ ଗୋଟିଏ ଷଣ୍ଢର ଲାଞ୍ଜକୁ ଟାୟାରରେ ବାନ୍ଧି ନିଆଁ ଲଗାଇବାବେଳେ ସାଧାରଣ ଲୋକଙ୍କ ହାତରେ ଧରାପଡିଥିଲେ। ଜିଲ୍ଲାରୁ ଗୋ ଚାଲାଣ ଦ୍ବାରା ଭବିଷ୍ୟତରେ ଏ ଅଂଚଳରେ ଚାଷ କ୍ଷେତ୍ରରେ ଭୟଙ୍କର ସଂକଟ ଉପୁଜିବାର ଆଶଂକା କରାଯାଇଛି। ବେପାରୀମାନେ ଚାଷୀଙ୍କୁ ଅଧିକ ଅର୍ଥ ପ୍ରଲୋଭନ ଦେଖାଇ ଗୋରୁ କିଣିନେଇ ବାହାର ରାଜ୍ୟର କଂସେଇଖାନାକୁ ଚାଲାଣ କରୁଛନ୍ତି।

 

୧୯୬୦ ମସିହା ଆଇନର ଖୋଲା ଉଲଂଘନ କରାଯାଇ ବିପଜ୍ଜନକଭାବେ ଟ୍ରକରେ ଲଦି, ଦୀର୍ଘବାଟ ଚଲାଇନେବା, ଗୋଟିଏ ଦଉଡ଼ିରେ ୪-୫ଟି ଗୋରୁଙ୍କୁ ନିର୍ଦ୍ଦୟ ଭାବେ ବାନ୍ଧିବା, କୁମ୍ଭୀର ସାଲୁବାଲୁ ପ୍ରଖରସ୍ରୋତ ଥିବା ରାଜନଗରର ହଂସିଣା, ରାଜପୁର, ଚନ୍ଦନପୁର ଘାଟରେ ଯନ୍ତ୍ରଚାଳିତ ଡଙ୍ଗାରେ ବାନ୍ଧି ପହଁରାଇନେବା ପରିଲକ୍ଷିତ ହେଉଛି। ଅପରପକ୍ଷରେ ରାଜନଗର ପଂଚାୟତ ଅଧୀନରେ ଚାଲିଥିବା ଗୋରୁହାଟର ପରିବେଶ ଅସ୍ବାସ୍ଥ୍ୟକର ହେବା ସହ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଗୋରୁହାଟରେ ଦଲାଲମାନଙ୍କ ପ୍ରୋତ୍ସାହନରେ ଗୋରୁ କିଣାଯାଇ ବେପାରୀମାନଙ୍କ ସାହାଯ୍ୟରେ କଂସେଇଖାନାକୁ ଗୋରୁଚାଲାଣ କରାଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ରହୁଛନ୍ତି ବଙ୍ଗଳାଦେଶରୁ ଆସିଥିବା ଅନୁପ୍ରବେଶକାରୀ।

 

ଜାଲିନୋଟ କାରବାର- ଭାରତର ଆର୍ଥିକ ବ୍ୟବସ୍ଥାକୁ ଦୁର୍ବଳ କରିବାପାଇଁ ଆଇଏସଆଇ କେତେକ ବଙ୍ଗଳାଦେଶୀଙ୍କ ସାହାଯ୍ୟରେ ଭାରତକୁ ୫୦୦ ଟଙ୍କିଆ ଜାଲିନୋଟ ପଠାଇଥାଏ। ଏହି ଜାଲିନୋଟ କାରବାର ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ରୂପ ଧାରଣ କରିଛି। ଭଦ୍ରକର ଖେମଜା ଲୁଗା ଦୋକାନରେ ଲୁଗା କିଣିବା ପରେ ମୁର ଅଲ୍ଲୀ ନାମକ ଫେରିବାଲା ଚାରୋଟି ହଜାର ଟଙ୍କିଆ ଜାଲିନୋଟ ଦେଇ ପୋଲିସ ଦ୍ବାରା ଗିରଫ ହୋଇଥିଲା। ସେ କେନ୍ଦ୍ରାପଡା ଜିଲ୍ଲାକୁ ଆସି ଅନେକ ସ୍ଥାନରେ ବେପାର କରେ। କିନ୍ତୁ ତାର ପ୍ରକୃତ ଠିକଣା ହେଉଛି ଭାରତ-ବଙ୍ଗଳାଦେଶ ସୀମାନ୍ତରେ ଥିବା ମୁର୍ସିଦାବାଦ‌୍‍ ଜିଲ୍ଲା ସୁତି ଥାନା ସ୍ଥିତ ଶଙ୍କରପୁର ଗ୍ରାମର ଜୟୀରୁଲ୍ଲ ହକ୍। କେବଳ ମୁର ଅଲ୍ଲୀ ନୁହେଁ ଏହି ପରି ଅନେକ ବଙ୍ଗଳାଦେଶୀ ଅଛନ୍ତି ଯେଉଁମାନେକି ଏହି କାରବାରରେ ଲିପ୍ତ ଅଛନ୍ତି।

 

ସାମାଜିକ ଅସନ୍ତୁଳନ- ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ନିରୀହ ହିନ୍ଦୁ ଝିଅମାନଙ୍କୁ ବିବାହ କରୁଛନ୍ତି। ସେମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଛନ୍ତି। ସେହି ଅନୁପ୍ରବେଶକାରୀମାନଙ୍କ ଭିତରୁ ଅନେକ ଏ ଅଂଚଳର ଝିଅମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦେଶ ବିଦେଶକୁ ଚାଲାଣ କରୁଛନ୍ତି। ଅନ୍ୟ ପକ୍ଷରେ ଦେହ ବେପାର ପାଇଁ ବଙ୍ଗଳାଦେଶରୁ ବହୁ ସଂଖ୍ୟାରେ ଯୁବତୀ ଏବଂ ମହିଳାଙ୍କୁ ଏହି ଜିଲ୍ଲାକୁ ଅଣାଯାଇଥାଏ, ଯାହାଫଳରେ ସମାଜ ଉପରେ କୁପ୍ରଭାବ ପକାଇଥାଏ।

 

ଦେଶ ବିରୋଧୀ ଶିକ୍ଷା- ଚାନ୍ଦିପୁରଠାରୁ ଗୋପାଳପୁର, ବାଲେଶ୍ବରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ଲୁଣା ଜଙ୍ଗଲ ନଷ୍ଟ କରି ଅନୁପ୍ରବେଶକାରୀମାନେ ଗାଁ ସୃଷ୍ଟି କରିବା ସହିତ ମଦ୍ରାସା ଓ ଉପାସନା ପୀଠ ନିର୍ମାଣ କରୁଛନ୍ତି। ଯେଉଁଥିରେ କି ଧାର୍ମିକ ଶିକ୍ଷା ଦେବା ନାମରେ ଜେହାଦ ଶିକ୍ଷା ଦେବାର ଅଭିଯୋଗ ହେଉଛି। ନିକଟରେ କଟକ ଜିଲ୍ଲାର ଜଗତପୁର ନିକଟସ୍ଥ ପୂର୍ବକଚ୍ଛରୁ ଧରାପଡିଥିବା ଆତଙ୍କବାଦୀ ଅବଦୁଲ ରେହମାନ କେନ୍ଦ୍ରାପଡାର ଏକ ମଦ୍ରାସାରେ ଶିକ୍ଷା ଗ୍ରହଣ କରିଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

 

ଅସାମାଜିକ କାର୍ଯ୍ୟ- ଚୋରି ଡକାୟତି, ଗୋ ଚାଲାଣ ଓ ନିଶା କାରବାର ଆଦି କାର୍ଯ୍ୟକୁ ନିଜର ମୁଖ୍ୟ ବେଉସା କରିଥିବା ଏହି ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ଆଇଏସଆଇର ହାତ ବାରିସି ସାଜିଛନ୍ତି। ହାତ ବୋମା ତିଆରି କରି ଚିଙ୍ଗୁଡି ମାଫିଆମାନଙ୍କୁ ବିକ୍ରି କରୁଛନ୍ତି। କେନ୍ଦ୍ରାପଡା ନଗର ସ୍ଥିତ ଗୋବିନ୍ଦଜୀଉ ମନ୍ଦିରରୁ ଜୀବନ୍ତ ବୋମା ଉଦ୍ଧାର ଓ ମହାକାଳପଡା ଅଂଚଳରୁ ବ୍ରାଉନସୁଗାର ଜବତ ଘଟଣା ଆଗାମୀ ଦିନର କେନ୍ଦ୍ରାପଡାକୁ ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ କରିବାକୁ ଯାଉଥିବାର ସ୍ପଷ୍ଟ ବାରି ହେଉଅଛି। ଜିଲ୍ଲାରେ ସକ୍ରିୟ ଥିବା ବିଭିନ୍ନ ଅସାମାଜିକ ସଙ୍ଗଠନଗୁଡିକୁ ଅସ୍ତ୍ରଶସ୍ତ୍ର ହତିଆର ବଙ୍ଗଳାଦେଶରୁ ମିଳିଥାଏ। ଏହା ଛଡା ଚୋରା ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ହାସ୍ତା ନଦୀ ଦେଇ ଚୋରା ଚାଲାଣ ଅନୁପ୍ରବେଶକାରୀମାନେ କରୁଛନ୍ତି। ଏସବୁ ତସ୍କରୀ ଜିଲ୍ଲାର ସୀମା ଦେଇ ହୋଇଥାଏ। ଅନୁପ୍ରବେଶକାରୀ ବହୁଳ କ୍ଷେତ୍ର ଏବଂ ଜିଲ୍ଲାର ସୀମାନ୍ତ କ୍ଷେତ୍ରରେ ଥିବା କିଛି ଗ୍ରାମଗୁଡିକରେ ଅବୈଧ ଭାବରେ ନିଶାଦ୍ରବ୍ୟ ବିକ୍ରୟ କରିବା ସହିତ ନିଶାଦ୍ରବ୍ୟ ମଧ୍ୟ ତିଆରି କରୁଛନ୍ତି।

 

ସୁରକ୍ଷା ପ୍ରତି ବିପଦ- ୧୯୯୯ ମସିହାରେ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଗୁପ୍ତ ନକ୍ସା, ପରୀକ୍ଷଣ ସାମଗ୍ରୀ ଚୋରିକରି ପାକିସ୍ଥାନର ଆଇଏସଆଇକୁ ବିକ୍ରି କରୁଥିବାବେଳେ କେତେକ ଅନୁପ୍ରବେଶକାରୀ ପୋଲିସ ହାତରେ ଧରାପଡିଥିଲେ। କେବଳ ଚାନ୍ଦିପୁର ନୁହେଁ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଭଦ୍ରକର ଧାମରା ହୁଇଲର ଦ୍ବୀପ, ମହାକାଳପଡାର ପି-୨ ରାଡାର ଅଂଚଳରେ ମଧ୍ୟ ଏଭଳି କାର୍ଯ୍ୟ ଚାଲିଥିବାର ଅଭିଯୋଗ ହେଉଛି। ଏ ସବୁ ଅଂଚଳ ସହିତ ପାରାଦ୍ବୀୀପ, ଗୋପାଳପୁର ଆଦି ବନ୍ଦର ଅଂଚଳ ହୁଜି ଆତଙ୍କବାଦୀମାନଙ୍କ ନଜରରେ ଥିବା କଥା ଗୁଇନ୍ଦା ବହୁ ପୂର୍ବରୁ ସରକାରଙ୍କୁ ସତର୍କ କରାଇଛନ୍ତି। କେନ୍ଦ୍ରାପଡା ଅଂଚଳର ତାଳଚୁଆ ପଂଚାୟତରେ ଜାତୀୟ ପତାକା ପୋଡି ମାଟିରେ ପୋତିଦେବା ଓ ବେଆଇନ ବେତାର କେନ୍ଦ୍ର ଧରାପଡିବା ଭଳି ଅନେକ ଦେଶଦ୍ରୋହୀ କାର୍ଯ୍ୟକଳାପ ସହିତ ଅନୁପ୍ରବେଶକାରୀମାନେ ଜଡିତ ଅଛନ୍ତି।

 

ମାଧବ ଭବନ, ଘିଗିଡିଆ, ବାରୁଅ, କେନ୍ଦ୍ରାପଡା

 

(ସଂପାଦକୀୟ ଅଭିମତ- ଏହି ଆଲେଖ୍ୟର ମତାମତ ଲେଖକଙ୍କର ନିଜସ୍ୱ। ଓଡ଼ିଶାରୁ ବଙ୍ଗଳାଦେଶୀଙ୍କୁ ତଡ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଚାପରେ ହୋଇଥିବା ଉଦ୍ୟମକୁ ରାଜ୍ୟର ତତ୍କାଳୀନ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରବିନ୍ଦ ଢାଲି ପଣ୍ଡ କରିଦେଇଥିଲେ। ସେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ରାଜି କରାଇ ଚିହ୍ଟଟ ବେଆଇନ ବଙ୍ଗଳାଦେଶୀଙ୍କ ବହିଷ୍କାର ପ୍ରକ୍ରିୟା ଅଟକାଇଥିଲେ। ସେତେବଳେ କୌଣସି ରାଷ୍ଟ୍ରବାଦୀ ସଂଗଠନ କି ଭାରତୀୟ ଜନତା ପାର୍ଟି ଢାଲିଙ୍କ ବିରୋଧରେର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପରେ ସେ ବିଜେପି ଛାଡ଼ିି ବିଜୁ ଜନତା ଦଳରେ ଯୋଗ ଦେଇ ଭୁବନେଶ୍ୱର ନିକଟବର୍ତ୍ତୀ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top