ଲୋପ ନପାଉ ସଂଚାର କଳା

News Story - Posted on 2016-08-01

ସୁଧାକର ପାଣ୍ଡେ

 

ସଂଚାର। ମନ ଓ ହୃଦୟରେ ଯାହା ସଂଚାରିତ କରାଯାଏ, ତାର ଏକ ବଳିଷ୍ଠ ମାଧ୍ୟମ। ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସଂସ୍କୃତି, କଳା, ସାହିତ୍ୟ, ଧର୍ମ, ବିଜ୍ଞାନ ଓ ଦର୍ଶନକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ଲୋକଙ୍କ ମନ ଭିତରେ ସଂଚରିତ କରିବାର କଳା ହିଁ ହେଉଛି ସଂଚାର। ଏହା ପଶ୍ଚିମ ଓଡ଼ିଶାର ଏକ ଉନ୍ନତ ଲୋକକଳା। ଆଧୁନିକତାର ଛାପରେ ଆଜି ଏହା ଲୋପ ପାଇବାକୁ ବସିଛି।

 

ସଂଚାର କଳା ପଶ୍ଚିମ ଓଡ଼ିଶାର ପ୍ରାଚୀନତମ କଳା। ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଂଚଳରେ ମେଳା ଓ ମହୋତ୍ସବରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ସାଜିଥିବା ଏହି ଲୋକକଳା ଏବେ ଆଧୁନିକତାର ଛାପରେ ଝାଉଁଳି ପଡ଼ିଛି। ଯେତେବେଳେ ମନୋରଞ୍ଜନର କୌଣସି ମାଧ୍ୟମ ନ ଥିଲା, ସେତେବେଳେ ସଂଚାର ଦ୍ୱାରା ଶାସ୍ତ୍ର, ପୁରାଣର ଉପାଖ୍ୟାନ, ନୀତିବାଣୀ, କାବ୍ୟ କବିତାର ଆଳଙ୍କାରିକ ଆଲୋଚନା, ରସମୟ ସାହିତ୍ୟ ଚର୍ଚ୍ଚା ତଥା ଏୗତିହ୍ୟ, ବିଜ୍ଞାନ ଓ ଦର୍ଶନକୁ ସାଧାରଣ ଳୋକଙ୍କ ଆଗରେ ଏହି କଳାକାରମାନେ ହିଁ ସହଜ ଓ ସରଳ ଭାଷାରେ ଉପସ୍ଥାପିତ କରି ଜାଗରଣ ସୃଷ୍ଟି କରି ପାରିଥିଲେ। ଗୀତର ମାଦକତା ସ୍ୱର, ମନମତାଣିଆଁ ଛନ୍ଦ, ପ୍ରାଣପ୍ରାଚୁର୍ଯ୍ୟ ଭରା ଭାବ, କରୁଣ ମଧୁର ଶୃଙ୍ଗାର ଶ୍ରୋତାର ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ଜ୍ଞାନ ମଧ୍ୟ ପ୍ରଦାନ କରୁଥିଲେ। ଏହା ଜନମାନସରେ ବେଶ‌୍‍ ପ୍ରିୟଭାଜନ ହୋଇ ପାରିଥିବା ବେଳେ ଉଭୟ ପୁରୁଷ ଓ ମହିଳା କଳାକାର ଏଥିରେ ସାମିଲେ ଥିଲେ।

 

ଏହି ‘ସଂଚାର’ କଳା ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ଏବଂ ମୁଖ୍ୟ ଲୋକକଳା ଭାବେ ପରିଚିତ। ଏହାର କଳାକାରଙ୍କୁ ଗାହକ ଓ ବାହକ କୁହାଯାଏ। ନୃତ୍ୟଗୀତ, ବାଦ୍ୟ ଅଭିନୟର ଏକ କଳାତ୍ମକ ମିଶ୍ରଣ। ଏଥିରେ ବାୟକ ପାଟବସ୍ତ୍ର ପରିଧାନ କରିବା ସହିତ କାନରେ କର୍ଣ୍ଣଫୁଲ ଏବଂ ପାଦରେ ଘୁଙ୍ଗୁର ପିନ୍ଧି ମୃଦଙ୍ଗ ବାଦନ ସହିତ ନାଚଗୀତ ଏକା ସାଙ୍ଗରେ ହୋଇଥାଏ। ତାଙ୍କ ସହିତ ତାଳ ଦେଇ ଶିଷ୍ୟ ପାଳିଆ ଦେଇ ଗାଇଥାନ୍ତି ଓ ମଣ୍ଡଳାକାରରେ ନୃତ୍ୟ କରିଥାନ୍ତି। ତେଣୁ ସଂଚାରକଳା ପରିବେଷଣ ହେଉଥିବା ସ୍ଥାନକୁ ସଂଚାର ମଣ୍ଡପ ବା ରାସ ମଣ୍ଡପ କୁହାଯାଏ।

 

ଏହା ସଂପୂର୍ଣ୍ଣ ରୂପେ ଭକ୍ତି ରସରେ ପରିପ୍ଲୁତ। ଗୀତ ଗୁଡ଼ିକ ପ୍ରାୟତଃ ଛାନ୍ଦ, ଜଣାଣ, ଚମ୍ପୁ, ଚୌପଦୀ ହୋଇଥାଏ। ବେଳେ ବେଳେ ଲୋକଗୀତ, ଦେଶାତ୍ମକବୋଧ ତଥା ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ସିନେମାଗୀତ ମଧ୍ୟ ପରିବେଷଣ କରାଯାଇଥାଏ। ଯେପରି ପାଲା ବା ଦାସକାଠିଆରେ ହାସ୍ୟରସାତ୍ମକ ସୃଷ୍ଟି କରାଯାଏ,. ସଂଚାରରେ ମଧ୍ୟ ବାୟକ ଓ ପାଳିଆମାନେ ହାସ୍ୟରସ ତଥା ବ୍ୟଙ୍ଗ ଆଦି କରିଥାନ୍ତି। ବାସ୍ତବରେ ସଂଚାର ହିଁ ମନ ଚୈତନ୍ୟ ସମ୍ୱାଦ ହିସାବରେ ପରିବେଷିତ ହୋଇଥାଏ। ବାୟକ ପାଳିଆମାନଙ୍କୁ ବାୟାମନ ଏବଂ ପାଳିଆ ମାନେ ବାୟକକୁ ‘ଗୁରୁ’ ଭାବେ ସମ୍ୱୋଧନ କରିଥାନ୍ତି। ଏହି କଳାରେ ନିୟମିତ ଗୁରୁକଳାର ପରମ୍ପରା ଅନୁସରଣ କରାଯାଇଥାଏ।

 

ଏହା ଭାଷା ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାରର ସର୍ବୋତମ ଗଣମାଧ୍ୟମ। ତେବେ ଏହା କେବେ ଠାରୁ ଆରମ୍ଭ ହେଲା ସେଥି ପାଇଁ ସେଭଳି ସଠିକ ତଥା ସୁଦୃଢ ତଥ୍ୟ ମିଳୁ ନ ଥିଲେ ସୁଦ୍ଧା ଓଡ଼ିଶାରେ ଶ୍ର୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ଓ ବୈଷ୍ଣବ ଧର୍ମର ଅର୍ଭ୍ୟୁଥାନ ସମୟରେ ହିଁ ପଶ୍ଚିମ ଓଡ଼ିଶାରେ ସଞ୍ଚାର ଲୋକପ୍ରିୟ ହୋଇଥିବାର କୁହାଯାଏ। ଏହା ଏବେକାର ବରଗଡ଼ ଅଂଚଳରୁ ଆରମ୍ଭ ହୋଇଥିବା ଶୁଣାଯାଏ। ତେବେ ସଂପ୍ରତି ଏଭଳି ଏକ ଗୁଣାତ୍ମକ ଓ ସମୃଦ୍ଧ କଳା ଲୋକଲୋଚନରୁ ଲୋପ ପାଇବାକୁ ବସିଛି। ଆଧୁନିକ ଟିଭି, ରେଡ଼ିଓ, ପପ‌୍‍ ମ୍ୟୁଜିକ‌୍‍, ଅର୍କେଷ୍ଟ୍ରା ତଥା ଇଲୋକ୍ଟ୍ରୋନିକ୍ସ ଯୁଗରେ ଏହି ପ୍ରାଚୀନ କଳା ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଭଳି ଏକ କଳା ଆମ ପଶ୍ଚିମ ଓଡ଼ିଶାର ସଂସ୍କୃତିରୁ ଉଭେଇ ଯାଉଥିବାରୁ ସଂସ୍କୃତି ଓ କଳା ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦ‌୍‍ବେଗ ପ୍ରକାଶ ପାଉଛି। ଏଣୁ ଏ ଦିଗରେ ରାଜ୍ୟ ସରକାର ତଥା ଯୁବପିଢୀ ଗୁରୁତ୍ୱ ଦେଇ ଏଭଳି ଏକ କଳାକୁ ବଂଚାଇ ରଖିବା ପାଇଁ ପଦକ୍ଷେପ ନେବା ବାଞ୍ଛନୀୟ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top