ମାନବ ଚାଲାଣର ହୋଲ୍‌ସେଲ୍ ମାର୍କେଟ!

News Story - Posted on 2016-07-27

ସୁଧାକର ପାଣ୍ଡେ

 

ସୁନ୍ଦରଗଡ଼ ଏକ ଶାନ୍ତ ଓ ସୁନ୍ଦର ଜିଲ୍ଲା ହେବା ସହିତ ଏଠାରେ ଅନେକ କଳକାରଖାନା, ଖଣିଖାଦାନ ରହିଛି। ଜିଲ୍ଲା ବାହାର ଅଞ୍ଚଳ ଏବଂ ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଏଠାକୁ ରୋଜଗାର ପାଇଁ ଆସି ଫେରିଯିବାକୁ ଆଦୌ ପସନ୍ଦ କରୁ ନ ଥିବା ବେଳେ ଜିଲ୍ଲାରୁ ନିୟମିତ ଭାବେ ଆଦିବାସୀ ଯୁବକ ଓ ଯୁବତୀମାନେ ଦୂରଦୂରାନ୍ତକୁ ଦାଦନ ଖଟିବାକୁ ଚାଲିଯିବା ଘଟଣାର ରହସ୍ୟ କ’ଣ, ତାହା ଏବେ କେବଳ ଜିଲ୍ଲା ପ୍ରଶାସନ ନୁହେଁ ପ୍ରତ୍ୟେକ ସୁନ୍ଦରଗଡ଼ବାସୀଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ହୋଇଯାଇଛି।

 

ଜାତୀୟ ସ୍ତରରେ ସୁନ୍ଦରଗଡ଼ ଜିଲ୍ଲା ଏବେ ମାନବ ଚାଲାଣର ହୋଲ‌୍‍ସେଳ‌୍‍ ମାର୍କେଟର ରୂପ ନେଇ ସାରିଛି। ରାଜ୍ୟର ଏକ ପ୍ରମୁଖ େସ୍ୱଚ୍ଛାସେବୀ ଅନୁଷ୍ଠାନ ‘ନାଓ’ ପକ୍ଷରୁ  ଯୁବତୀ ଚାଲାଣ ସଂକ୍ରାନ୍ତ ଏକ ସର୍ଭେ ରିପୋର୍ଟ ୨୦୧୨ ମସିହାରେ ଉପସ୍ଥାପିତ କରାଯାଇଥିଲା। ଯାହାର ଚିତ୍ର ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ସେତିକି ଉଦବେଗଜନକ ମଧ୍ୟ। ସେହି ସର୍ଭେ ରିପୋର୍ଟ ମୁତାବକ ସେତେବେଳକୁ ଜିଲ୍ଲାରୁ ପ୍ରାୟ ୪୪,୦୦୦ ମହିଳା ଚାଲାଣ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩ ହଜାର ଜଣଙ୍କର କୌଣସି ପତ୍ତା ନ ଥିବାର ଜଣାପଡ଼ିଥିଲା। ତେବେ ୨୦୧୨ ରୁ ୨୦୧୫ ମଧ୍ୟରେ ନାମକୁ ମାତ୍ର ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ତିନି ବର୍ଷ ମଧ୍ୟରେ ଚାଲାଣ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ଷାଠିଏ ହଜାର ଟପି ସାରିଥିଲା।

 

ସେହିପରି ପ୍ରତ୍ୟେକ ବର୍ଷ ଗୋଆକୁ ମାଛଧରା କାମରେ ନିୟୋଜିତ ହେବା ପାଇଁ ସଂଖ୍ୟାଧିକ ଯୁବକ ଚାଲାଣ ହେଉଥିବା ବେଳେ ନାମକୁ ମାତ୍ର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଅହେତୁକ ଭାବେ ସ୍ଥାନୀୟ ଆଦିବାସୀ ଯୁବକ ଯୁବତୀଙ୍କ ଚାଲାଣ ତଥା ସ୍ଥାନାନ୍ତରଣର ରହସ୍ୟ ଭେଦ କରିବା ପାଇଁ କୌଣସି ସ୍ତରରେ ସେମିତି ତତ୍ପରତା କିମ୍ୱା ଆଗ୍ରହ ପ୍ରକାଶ ପାଉ ନ ଥିବା  ବେଳେ ଏହାର ନିରାକରଣ ନିମିତ୍ତ ମଧ୍ୟ ଏଠାରେ ସେଭଳି ଠୋସ‌୍‍ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ନାହିଁ। ରାଜନୈତିକ ନେତାମାନେ ମଧ୍ୟ ଏହି ସମସ୍ୟାକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା ସ୍ଥଳେ ଏହା ଜିଲ୍ଲା ପାଇଁ ସାମାଜିକ ଦୁର୍ଦ୍ଦଶା ହେବାରେ ଲାଗିଛି।

 

ଏହି ଯୁବତୀ ଚାଲାଣ ଘଟଣା ଜିଲ୍ଲା ପାଇଁ ନୂଆ ନୁହେଁ। ଦେଶ ସ୍ୱାଧୀନ ହେବା ପରେ ପରେ ହିଁ ଜିଲ୍ଲାରୁ ଅନେକ ଅବିବାହିତା ଯୁବତୀ ଦେଶର ବିଭିନ୍ନ ପ୍ରାନ୍ତକୁ ଦେଶାନ୍ତରୀ ହୋଇଛନ୍ତି। ଯେତେବେଳେ ସ୍ଥାନୀୟ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରୁଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକେ ସିଷ୍ଟର ପଦବୀରେ ନିଯୁକ୍ତି ପାଇ  ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ଥିବା ଚର୍ଚ୍ଚକୁ ଚାଲି ଯାଇଥିଲେ। ସେମାନଙ୍କ ଦ୍ୱାରା ନିଜ ପରିଚିତ ତଥା ସାଙ୍ଗସାଥୀ ଏବଂ ଆତ୍ମୀୟମାନେ ଧୀରେ ଧୀରେ ସ୍ଥାନାନ୍ତରିତ ହେବାରେ ଲାଗିଲେ। ସେହି ସହରଗୁଡ଼ିକରେ ବିଶେଷ ଭାବେ ଉଚ୍ଚ ପଦବୀର ଚାକିରିଆ ଏବଂ ବ୍ୟବସାୟୀଙ୍କ ଘରକାମ ପାଇଁ ଆୟା ତଥା ଚାକରାଣୀ ଆବଶ୍ୟକ ପଡ଼ିଥିଲା ଏବଂ ସେଠାରେ ଏହାର ଅଭାବ ପରିଲକ୍ଷିତ ହେବାରୁ ଏହାର ସୁଯୋଗ ନେଇ ସେହି ସଂପ୍ରଦାୟର କେତେ ବ୍ୟକ୍ତି ସେଠାରେ ନିଜର ବେପାର ଜମାଇ ବସିଲେ। ଏଠାରୁ ଝିଅମାନଙ୍କୁ ଉଚ୍ଚ ଦରମାରେ ଚାକିରୀ, ବିବାହର ଦୃଢ ପ୍ରତିଶୃତି, ତାଙ୍କ ବାପାମାଆଙ୍କୁ ଅଗ୍ରୀମ ମୋଟା ଅର୍ଥ ଦେଇ ନେବାକୁ ଲାଗିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେଠାରେ ସେହି ସଂପ୍ରଦାୟର ବ୍ୟକ୍ତିମାନେ ହିଁ ପ୍ଲେସମେଣ୍ଟ‌୍‍ ସଂସ୍ଥା ଖୋଳିବା ଆରମ୍ଭ କଲେ ଏବଂ ଏହି ମାନବ ଚାଲାଣ ଓ ମାନବ ବିକ୍ରୀ କାରବାରରେ ସଂପୃକ୍ତ ରହିଲେ। ତନ୍ମଧ୍ୟରୁ କେତେକଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଇଥିବାର ଅଭିଯୋଗ ରହିଛି।

 

ତେବେ ସଂପ୍ରତି ଆଧୁନିକତାର ସ୍ପର୍ଶ ଜିଲ୍ଲାର ଆଦିବାସୀ ଯୁବତୀଙ୍କୁ ବେଶ‌୍‍ ଆକର୍ଷିତ କରିଥିବା ବେଳେ ସେମାନେ ଉଚ୍ଚ ରୋଜଗାର ଏବଂ ରାଜକୀୟ ଚଳଣୀ ପାଇଁ ସହରାଭିମୁଖୀ ହେବାରେ ଲାଗିଲେ। ବିଶେଷ ଭାବେ ଦେଶର ରାଜଧାନୀ ଦିଲ୍ଲୀ ଭଲି ନଗରର ପରିବେଶ ସେମାନଙ୍କୁ ବିମୋହିତ କରିଥିଲା ଏବଂ ସେମାନଙ୍କ ଖାଇବା, ପିଇବା, ବେଶଭୂଷା, ସଉକ ଦେଖି ଗାଁର ଅନ୍ୟ ଝିଅ ମାନେ ମଧ୍ୟ ସ୍ଥାନାନ୍ତରିତ ହେବାକୁ ଆକର୍ଷିତ ହେଉଛନ୍ତି।

 

ଉଲ୍ଲେଖ ଥାଉକି, ସୁନ୍ଦରଗଡ଼ ଜିଲ୍ଳା ଯେପରି ଶାନ୍ତ, ସୁନ୍ଦର ଓ ସମୃଦ୍ଧ, ସେଭଳି ଏଠାରେ ରୋଜଗାରର ମଧ୍ୟ ଅଭାବ ନାହିଁ। ରାଜ୍ୟ ସରକାର ଏବଂ ଜିଲ୍ଳା ପ୍ରଶାସନ ଅନେକ ରୋଜଗାର ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ହେଲେ ସେମାନେ ଏହି ଚାକଚକ୍ୟ ଦୁନିଆରେ ସେଭଳି ଅଣକୁଶଳୀ କାମ କରିବାକୁ ଆଉ ଇଚ୍ଛା କରୁନାହାନ୍ତି। ବରଂ ଦିଲ୍ଲୀରେ ଚାକରାଣୀ ଭାବେ ପରଘରେ ବାସନ ମାଜିବା ପାଇଁ ସେହି ମହିଳାମାନେ ରାଜି ହେଉଥିବା ବେଳେ ଏଠାରେ ନିଶ୍ଚିତ ନିଯୁକ୍ତି ଯୋଜନାରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

 

ସମସ୍ୟା ଏବେ ସୀମାପାର ହୋଇ ବସିଛି। ପୁରୁଷମାନେ ମଧ୍ୟ ଗୋଆରେ ଭୟଙ୍କର ନୀଳସମୁଦ୍ର ଜଳରାଶିରେ ମାଛ ମାରିବା କାର୍ଯ୍ୟରେ ଉତ୍ସାହିତ ହୋଇ ପ୍ରଶାସନର କଡ଼ା କଟକଣା ସତ୍ତ୍ୱେ ଲୁଚିଛପି ଚାଲିଯାଉଛନ୍ତି। କିନ୍ତୁ, ସ୍ଥାନୀୟ କାର୍ଯ୍ୟ କରିବାକୁ ଘୃଣା କରୁଛନ୍ତି। ଜିଲ୍ଳାର ଏହି ଅବସ୍ଥା ଦେଖି ଜାତୀୟ ସ୍ତରରେ ସୁନ୍ଦରଗଡ଼କୁ ମାନବ ଚାଲାଣର ହୋଲ୍‌ସେଲ୍ ମାର୍କେଟର ଆଖ୍ୟା ଦିଆଯାଇଛି।

 

ମାନବ ଚାଲାଣ ରୋକିବା ନିମିତ୍ତ ସୁନ୍ଦରଗଡ଼ ଜିଲ୍ଲା ସ୍ତରରେ ଦୁଇଟି ଆଣ୍ଟି ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ କାର୍ଯ୍ୟ କରୁଛି। ସୁନ୍ଦରଗଡ଼ଠାରେ ଜଣେ ଡ଼ିଏସପି ପାହ୍ୟାର ପୁଲିସ ଅଧିକାରୀ ଏହାର ମୁଖ୍ୟ ଦାୟିତ୍ୱରେ ରହିଥିବା ବେଳେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଓଡ଼ିଶା ଜିବୀକା ମିଶନ ପକ୍ଷରୁ ଏବେ ବାଲିଶଙ୍କରା ବ୍ଲକରେ ମାନବ ଚାଲାଣ ରୋକିବା ନିମିତ୍ତ ଏକ ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟାପକ ସଚେତନତା, ଆର୍ଥିକ ବିକାଶ ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ କୌଶଳ ବିକାଶ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ଏହା କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ଅଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top