ଅଇଁଠା ଓ ଅନାବାଦି

News Story - Posted on 2016-07-25

ରବୀନ୍ଦ୍ର କୁମାର କାନୁନ‌୍‍ଗୋ

 

ବ୍ରିଟିଶ‌୍‍ ଅମଳରୁ ଅଇଁଠୁ ଜେନା ମଧୁପଡ଼ା ଗାଁର ଚୌକିଦାର। ବାପାଠାରୁ ସେ ଚାର୍ଜ ନେଇଥିଲା। ଆଶା ଥିଲା ପୁଅକୁ ପଦଟିକୁ ହସ୍ତାନ୍ତର କରି ନିଜେ ଶାନ୍ତିରେ ନିଃଶ୍ୱାସ ମାରିବ। କିନ୍ତୁ ଆଶାଟା ତା’ର ଆଶାରେ ରହିଗଲା। ସରକାର ବାହାଦୁର ଠିକ କଲେ, ଏ ଚାକିରି ଆଉ ରଖିବେ ନାହିଁ। ଫଳରେ ସାତ ପୁରୁଷ ଧରି ଗଡ଼ି ଆସିଥିବା ପଦବୀଟା ତା’ରି ପାଖରୁ ଶେଷ ହୋଇଗଲା। ମାସକୁ ଖାଲି ନ’ ଟଙ୍କାର ବେତନ ନୁହେଁ, ମୁଣ୍ଡରେ ତା’ର ସେଇ ବାଇଗଣୀ ରଙ୍ଗର ଟୋପିଟା ଥିଲା ହାତୀ ମୁଣ୍ଡର ମୋତି ପରି। ସେଇଟା ଖସି ପଡ଼ିବାରୁ ସେ ଆଜି ସାଧାରଣ ବସ୍ତିର ଜଣେ ହରିଜନ ହୋଇଗଲା। ଆଉ ମହାରାଣୀଙ୍କ ଚାକିରିଆ ନୁହେଁ। ପରବାନା ତଲବ ଆଉ କରିପାରିବ ନାହିଁ। ସେ ଆଜି ଖାଲି ଅଇଁଠୁ ଜେନା। ତିନି ଜଣଙ୍କ ପରି ଜଣେ।

 

ଦରମା ଟଙ୍କା କେଇଟାକୁ ଛାଡ଼ି ଦେଲେ ସବୁ ବିଲରୁ ସେ ହଳା ଆଦାୟ କରେ। ନ୍ୟାୟ ନିଶାପ ହେଲେ ଗାଁର ନିଶାପୀ ଭଦ୍ରଲୋକଙ୍କ ପାଖରେ ବସେ। ଅବଶ୍ୟ ଅନ୍ୟମାନେ ଚଉପାଢ଼ି ଉପରେ ବସିଲାବେଳେ ତା’ ସ୍ଥାନ ହୁଏ ତଳେ। ସେଥିରେ କିଛି ଯାଏ ଆସେନା। ବସିବା ଜାଗାରୁ ଲୋକର ଓଜନ କଳି ହୁଏନି। ଅସଲ କଥା ହେଲା, ଅଧିକାର ଓ କ୍ଷମତା। ଛୋଟ ପାହିଆ ହେଲେ ବି ସେ ସରକାରୀ କର୍ମଚାରୀ। ତା’ ଦେହରେ କେହି ହାତ ଟିପା ଦେଲେ ସେ ସରକାରଙ୍କ ପାଖରେ ଦ୍ରୋହୀ ସାବ୍ୟସ୍ତ ହୁଏ। ଏ ସବୁକୁ ବିଚାର କଲେ, ତାର ଚାକିରିର ମହତ୍ତ୍ୱ ମାସକୁ ନ’ ଟଙ୍କା ନୁହେଁ - ଢେର ବେଶି।

 

ଅଇଁଠୁ ଜେନା ଭାବୁଥିଲା - ସେ ଏବେ କ’ଣ କରିବ? ଯିବ କୁଆଡେ଼? ଖାଇବ କ’ଣ? ଥାନାବାକୁ ଅବଶ୍ୟ କହିଛନ୍ତି - ତାକୁ ଚାକିରି ବଦଳରେ ଚାଷ କରିବା ପାଇଁ ଜମି ମିଳିବ। ହେଲେ ଜମି କାହିଁ? ସରକାର କେବେ ଦେବେ କିଏ ଜାଣେ? ଏ ବର୍ଷ ସେ ହଳା ଆଦାୟ କରିଛି। ବରଷଟା ଯେମିତି ହେଲେ ଶାଗ ମୁଗରେ ଚଳିଯିବ। କିନ୍ତୁ ଏଇ ମାଘ ମାସରୁ ଆଗିଲା ବର୍ଷ ପାଇଁ ବନ୍ଦୋବସ୍ତ ନ କଲେ ତା ଛୁଆ ପିଲା ମରିଯିବେ। ତନ୍ତି ହୁଡ଼ିଲେ ଦିନେ। ଚାଷୀ ହୁଡ଼ିଲେ ବରଷେ।

 

ମଧୁପଡ଼ା ମୌଜାର ତିନି ନମ୍ୱର ଖାତା, ଏକଶହ ସତାଅଶୀ ନମ୍ୱର ପ୍ଳଟ। ଗାଏମୋଟ ରକବା ଏକରେ ତେର ଡିସିମିଲ। ଜମି ଖଣ୍ଡକ ଅନାବାଦୀ ପଡ଼ିଆ। ଦୁଇ ଚାରିଟା ଖଜୁରୀଗଛ ଓ କେତେଟା କଣ୍ଟାବୁଦା ଛଡ଼ା ଆଉ କିଛି ନାହିଁ। ପାଖ ଆବାଦ ଜମିଠୁ ଦୁଇଫୁଟ ଉଚ୍ଚା। ଅଇଁଠୁ ଜେନାର ମନ ଲାଗିଛି। ଏଇ ଜମି ଖଣ୍ଡକ ଯଦି ସରକାର ତାକୁ ଦିଅନ୍ତେ, ମାସ ଗୋଟାକରେ ସେ ତାକୁ ଆବାଦ ଜମି ସହିତ ସାମିଲ କରି ଦିଅନ୍ତା।

 

ଅନାବାଦିର ଦକ୍ଷିଣ ଓ ପଶ୍ଚିମକୁ ଗୋଚର। ଉତ୍ତର ପଟକୁ ଯୋର। ପୂର୍ବ ପଟରେ ଗାଁ ମଧୁପଡ଼ା। ଅଇଁଠୁର ଏ ଜମି କଥା ଖିଆଲ ହେଲାଦିନୁ ଦୁଇ ଚାରିଥର ଯାଇ ଚଉହଦି ବୁଲି ଆସିଲାଣି। ପୂର୍ବପଟର ଗାଁ ତଳକୁ କିଆବଣଟା ଅନାବାଦି କଡେ଼କଡେ଼ ମାଡ଼ି ପ୍ରାୟ ପାଞ୍ଚ ସାତ ଗୁଣ୍ଠ ଜମି ଦଖଲ କରିଛି। ସେଗୁଡ଼ାକ ସଫା କରିବାକୁ ହେବ। ପାଣି ପାଇଁ ଚିନ୍ତା ନାହିଁ। ଯୋରରୁ କୁମ୍ଭୀଟାଏ ଲଗେଇ ଦେଲେ ଯେତେ ଇଚ୍ଛା ସେତେ ପାଣି। ଘରେ ଭେଣ୍ଡିଆ ପୁଅ ପହଲା। ବାପ ପୁଅ ଦୁଇଜଣ। ମିହନତକୁ ଡର ନାହିଁ।

 

ଅଇଁଠୁର ବୟସ ବଢ଼ିଯାଇଛି। ହେଲେ ମନ ଭିତରେ ଯୁବସୁଲଭ ଉଦ୍ଦାମତା ଆସନ ମାଡ଼ି ବସିଛି। ଦୁର୍ବାର ଅଭିଳାଷ ମୁଣ୍ଡ ଟେକି ଉଠିଛି - ସେ ଚାଷୀ ହେବ। ଆଉ ପାଞ୍ଚଜଣଙ୍କ ପରି ତାର ବି ଧାନ, ବିରି, ମୁଗର ଗଦା ମଡ଼ାଯିବ। ଖରାଦିନେ ଭୋରରୁ ଉଠି ସେ ହଳକୁ ଯିବ। ବର୍ଷାଦିନେ ମୁଣ୍ଡରେ ଠେକା ଭିଡ଼ି ଆଣ୍ଠେଇ ପଡ଼ି ବିଲ ବାଛିବ। ଏଇଟା ଚାଷୀ ଜୀବନର ଗୌରବ। କାଦୁଅ ସହିତ ଗୋଳେଇ ଘାଣ୍ଟି ହୋଇ କାମ କରିବାର ଆନନ୍ଦ। ନୂଆ ସୃଷ୍ଟି କରିବାର ସ୍ଫୁର୍ତ୍ତି, ଫଳ ଫଳେଇବାର ସାର୍ଥକତା - ସବୁ ଦୁଃଖ କଷ୍ଟକୁ ଘୋଡେ଼ଇ ପକାଏ। ଏଇଥି ପାଇଁ ପୁଷମାସଟା ଚାଷୀ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ।

 

ସଂକ୍ରାନ୍ତିକୁ ଅଚାନକ କୁଆଡୁ ଗୋଟାଏ କଳାମେଘ ଉଠେଇ ଆସି ବହେ ପାଣି ଢାଳି ଦେଇଗଲା। ଶୁଖିଲା ଭୂଇଁ ଜରଜର ହୋଇଉଠିଲା। ତା’ ପରଦିନ ସକାଳକୁ ଶୁଖିଲା ଜୋରରେ ଆଣ୍ଠୁଆଣି ପାଣି ଭର୍ତ୍ତି ହୋଇଥାଏ। ନିଗିଡ଼ା ମାଟିରେ ସାଧବ ବୋହୂଙ୍କର ପଟୁଆର। ମାଟିରୁ କେମିତି ଏକ ଖତୁଆ ଖତୁଆ ଗନ୍ଧ ଉଠି ଅଇଁଠୁର ମନଟାକୁ ଓଦା କରିଦେଲା। ମନ ଭିତରେ ଆଶାର ଅସଂଖ୍ୟ ସାଧବ ବୋହୂ ଏଣେ ତେଣେ ଖେଳି ବୁଲିଲେ। ସକାଳୁ ସକାଳୁ ଥରେ ଯାଇ ଅନାବାଦୀ ଜମିର ଚଉହଦା ସେ ବୁଲି ଆସିଲା। ଏଇ ବର୍ଷାରେ ମାଟିଟା ଫୁଲି ଉଠିଛି। ଚୋଟେ ହାଣିଲେ କୋଦାଳଟା ପୂରା ପଶିଯିବ। ଯେକୌଣସିମତେ ଏ ଜମି ଖଣ୍ଡକୁ ସେ ହାତ କରିବ। ନଚେତ ସେ ଖାଇବ କ’ଣ?

 

ସେଦିନ ସନ୍ଧ୍ୟାରେ ତା’ର ସାକ୍ଷାତ ହେଲା ଘନ ପଟ୍ଟନାୟକଙ୍କ ସାଙ୍ଗରେ। ତାଙ୍କୁ ସେ ବାବୁ ସା’ନ୍ତ ବୋଲି ଡାକେ। ଜମିଦାର ମହାପାତ୍ରଙ୍କର ଇଏ ଥିଲେ ଗୁମାସ୍ତା। ଜୀବନରେ ଅନେକ କିଛି କଲେଣି। ଜମି, ଘରବାଡ଼ି, ଟଙ୍କାପଇସା କାରବାର- ସବୁ ଦିଗରେ ଉନ୍ନତି କରିଛନ୍ତି। ଜମିଦାରୀ ଥିଲାବେଳେ ଅନେକ ସଇ ମକଦ୍ଦମାରେ ସେ ତାଙ୍କୁ ସାହାଯ୍ୟ କରିଛି। ମିଛ ମକଦ୍ଦମାରେ ସାକ୍ଷୀ ଦେଇଛି। କେତେ ରାଣ୍ଡୀଖଣ୍ଡୀଙ୍କ ଜମିକୁ ନିଜ ଜମିରେ ସାମିଲ କଲାବେଳେ ଚଉକିଦାରୀ ଠେଙ୍ଗା ଧରି ପାଖରେ ଠିଆ ହୋଇଛି। ସେଇ ଖାତିରରେ ସେ ବାବୁ ସାଆନ୍ତ। 

 

ଏବେ ଜମିଦାରୀ ଗଲାପରେ ଘନ ପଟ୍ଟନାୟକ ଅଛନ୍ତି, ସେଇ ପୁରୁଣା ତଉଜିର ତହସିଲଦାର। ଅଇଁଠୁ ଭାବିଲା ବାବୁ ସାଆନ୍ତଙ୍କୁ କଥାଟା କହି ପରାମର୍ଶ ନେବ।

 

ସଞ୍ଜ ପହରଟାରେ ସାଆନ୍ତେ ବାହାର ବାରଣ୍ଡାରେ ଆରାମ ଚେୟାର ପକେଇ ଢୋଳାଉ ଥାଆନ୍ତି। ଲମ୍ୱ ଠେଙ୍ଗାଟାକୁ ତଳେ ରଖିଦେଇ ଅଇଁଠୁ ଓଳଗିଟାଏ ହେଲା। ସାଆନ୍ତେ କୁଶଳ ପ୍ରଶ୍ନ କଲେ। ଅଇଁଠୁ କହିଲା, ଆଉ ଭଲ କ’ଣ ପଚାରୁଛନ୍ତି ସାଆନ୍ତେ? ଚାକିରି ଗଲା ନାହିଁ ଯେ ସରକାର ପାଟିରୁ ଆହାର ଛଡ଼ାଇ ନେଲେ।

 

‘ଆହା, ସେ ଚାକିରି କଥା ଏ ବେଳେ ତୁ ଆଉ କହନା। ବୁଝିଲୁ ଅଇଁଠୁ, ତୋ ଚାକିରିଟା ଥିଲା ବ୍ରିଟିଶ‌୍‍ ଶାସନର ଏକ ନିଦର୍ଶନ। ଆମର ହେଇଚି ଜନମଙ୍ଗଳ ରାଷ୍ଟ୍ର। ଏଥିରେ କିଛି କ୍ଷତି ହେବନି। ଚାକିରି ବଦଳରେ ତୋ’ ଥଇଥାନର ବ୍ୟବସ୍ଥା ସରକାର ଅବଶ୍ୟ କରିବେ।’

 

‘କେବେ ସିନା କରିବେ ଆଜ୍ଞା, ଅବିକା ମୁଁ ତ ମଲି। ମୋତେ କିଛି ବୁଦ୍ଧି ବାଟ ଦେଖାନ୍ତୁ, ବାବୁ ସାଆନ୍ତେ।’

 

‘ବୁଦ୍ଧି ଆଉ କ’ଣ ଦେବି? ତୋ କଥା ତ ଲେଖା ହୋଇଛି ଉପରକୁ। କେତେ ଜମି ଦିଆଯିବ, କି ଧରଣର ଜମି ଦିଆଯିବ ଜାଣିଲେ ଯାଇଁ ତାର ବନ୍ଦୋବସ୍ତ ହେବ।’

 

‘ମୁଁ କଣ କହୁଥିଲି କି ବାବୁ ସାଆନ୍ତେ - ଆମ ଗାଁ ତଳର ଯେଉଁ ଅନାବାଦୀଟା ପଡିଛି, ସେଇଟାକୁ ମୋତେ କେମିତି ହେଲେ କରେଇ ଦିଅନ୍ତୁ।’

 

ଘନ ପଟ୍ଟନାୟକ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ ଅଇଁଠୁ ଆଡ଼କୁ। ସତେ ଯେମିତି କେହି ତାଙ୍କର ବିଶି ଆଙ୍ଗୁଠିଟିକୁ କିଏ ମୁଠାଇ ଧଇଲା। ତା’ପରେ ଆତ୍ମସ୍ଥ ହୋଇ ମୁହଁରେ ସରସତା ଫୁଟାଇ କହିଲେ, ‘ସେ ଖଣ୍ଡକ ସରକାର ଦେବେ କି ନା ଜାଣେନା। ତେବେ ପଡ଼ିଆ ପଡ଼ିଛି ଯେତେବେଳେ, ତୁ ତାକୁ ବର୍ଷେ ଦି ବର୍ଷ ଚାଷ କର। ଦେଖାଯାଉ କ’ଣ ହେଉଛି। ଚେଷ୍ଟା କରିବା, ସେ ଖଣ୍ଡକୁ ତୋ ନାଁରେ କରାଇ ଦେବାକୁ। ସରକାରଙ୍କ ହୁକୁମ ଆସିବାକୁ ଟିକିଏ ଡେରି ହେବ। ତୁ ତ ସବୁ ଜାଣୁ। ମୁଁ ଆଉ ବେଶି କ’ଣ କହିବି? କେତେ ଉପରକୁ କାଗଜ ପତ୍ର ଯିବ। ପୁଣି ଫେରିବ କେତେ ହାତ ଦେଇ। କିଏ ଜାଣେ ଜମି ମିଳିବାକୁ କେତେ ଡେରି ହେଉଛି?’

 

‘କିନ୍ତୁ ବାବୁ ସାଆନ୍ତେ! ସେ ପଡ଼ିଆଟାକୁ ଉଠିଆ କରି ସାରିବା ପରେ ଯଦି ମୋ ନାଁରେ ନ ହୁଏ, ତେବେ ଏତେ ପରିଶ୍ରମ ଅକାରଣରେ ଯିବ।’

‘ଓହୋଃ! କାରଣ ଅକାରଣ ବୋଲି କିଛି ଅଛି ଏ ଦୁନିଆରେ? ଭାବିଲେ ସବୁକିଛି ଅକାରଣ, ପୁଣି ଭାବିଲେ କାରଣ ଅଛି। ଧରିନେ, ତୁ ସେ ଜମିକୁ ସାବାଡ଼ କରି ଦୁଇ ତିନି ଫସଲ କାଟିଲୁ, ସେଥିପାଇଁ ତୋ’ଠୁଁ ତ କେହି ଖଜଣା ନେଉନି କି ଭାଗ ନେଉନି। ମାଗଣାରେ ସବୁ ଘରେ ପୂରେଇବୁ। ଯଦି ସେ ଜମି ତୋ’ର ହେଲା ତ ଖୁବ ଭଲ। ଆଉ ଯଦି ବା ନ ହେଲା ତେବେ ଦୁଃଖ କରିବାର ବି କିଛି ନାହିଁ।’

 

କଥାଟା ଅଇଁଠୁ ମନକୁ ପାଇଲାନି। କ’ଣ କରିବ? ତା’ ପରିଶ୍ରମର ମୂଲ୍ୟ କିଛି ନାହିଁ! ଯାହାର ସମ୍ୱଳ ଅଛି କି ଗୋଟାକୁ ଦି’ଟା ପେଷା ଅଛି ସେମାନେ ସିନା ଓଜନ କରି ଦେଖିବେ ଏଥିରେ ଲାଭ କି ସେଥିରେ ଲାଭ! ଯାହାର ଏପଟରୁ ନାହିଁ କି ସେପଟରୁ ନାହିଁ ତାକୁ ମୂଲେଇବା ପାଇଁ ରହୁଛି କେଉଁଠି? ଏଇ ଧ-ଧ-କୁ ପାଣି ଅଣା ପାଇଁ ତ ଏତେ କଥା। ମହାଜନ ଟଙ୍କାକୁ ଚାରିଅଣା ସୁଧ କହିଲେ ହଁ। ଛ’ ଅଣା କହିଲେ ବି ହଁ। ଦମ ନେଇ କହିଲା, ‘ମତେ ଟିକିଏ ତା’ହେଲେ ବାବୁ ସାଆନ୍ତେ ସହାୟ ହୁଅନ୍ତୁ। ମୁଁ ସେ ଖଣ୍ଡକୁ ଆବାଦ କରେ। ଆପଣଙ୍କ ମିତି ଲୋକ ପାଖରେ ଠିଆ ହେଲେ କିଏ କ’ଣ କହିବ ଅବା।’

 

ପଟ୍ଟନାୟକ ହସି ହସି କହିଲେ, ‘ଆରେ, ତତେ ଯାହାଯ୍ୟ ନ କରିବି ତ କରିବି କାହାକୁ? ତୋ’ପରି ଉପକାରୀ ଲୋକଙ୍କର ଉପକାର ନ ମାନିଲେ ଖାଲି ନର୍କରେ ଘାଣ୍ଟି ଗୋଳେଇ ହେବା କଥା। ଶୁଭସ୍ୟ ଶୀଘ୍ରମ। ବର୍ଷା ହୋଇଛି। ପାଗ ଭଲ। ତୁ କାମରେ ଲାଗିଯା’। କୋଡ଼ି କୋଦାଳ ସିଇରା ଯାହା ଦରକାର ସବୁ ଆମ ଘରୁ ନେଇଯିବୁ। ହଁ ଆମ ମୂଲିଆ ଦି’ଟା ଖାଲି ବସିଛନ୍ତି। କହିଦେବି, ତତେ ଜଣେ ସାହାଯ୍ୟ କରିବ। ତୁ ଗୋଟେ କାମ କରିବୁ। ବଛାବଛି ବେଳକୁ ତୋ’ ପୁଅକୁ ଘଡ଼ିଏ ପଠେଇବୁ। ତୁ ତ ଜାଣିଥିବୁ ମୁଁ ଘରକୁ ଏକଲାଟା ହୋଇ ବଡ଼ ହଇରାଣ ହେଉଛି। ସହଜେ ତ ସରକାରୀ ଚାକିରି। ପର ଘରେ ମୁଣ୍ଡ ବିକିଥିବା କଥା। ଏଥିରେ ମୋର ବହୁତ କ୍ଷତି ହେଉଛି। ହଁ, କେହି ଯଦି ପଚାରେ ପଡ଼ିଆଟା କାହିଁକି ତାଡ଼ିଛୁ, କହିବୁ - ମୁଁ କହିଛି।’

 

ଅଇଁଠୁ ଉଠି ଠିଆହେଲା। ଆନନ୍ଦରେ ସେ ଆତ୍ମହରା ହୋଇ ପଡ଼ିଥିଲା। ଭୂ-ସମ୍ପତ୍ତି ବୋଲି, ଘରର ପାଣିଚାର ବାଦ ଟିପେ ହେଲେ ଜାଗା ଆଉ ନାହିଁ। ବ୍ରିଟିଶ ଅମଳର ଗୋଲାମ, ସ୍ୱାଧୀନ ଭାରତର ଚୌକିଦାର - ଏବେ ଚାଷୀ ବନିବ। ଏଟା କମ ଗୌରବର କଥା ନୁହେଁ।

 

ତା’ପରଦିନ ସକାଳୁ ଉଠି ଅଇଁଠୁ ଆଉ ତା’ ପୁଅ ଦୁହେଁ କାମରେ ଲାଗିଲେ। କିଆବଣ ସଫା ହେଲା। ଅନାବାଦୀ ଆବାଦ ହେଲା। ଗାଁ ଲୋକେ କହିଲେ - ଅଇଁଠୁ! ଦଣ୍ଡା ତାଡ଼ିବା ଭଲ କଥା ନୁହେଁ।

 

ଅଇଁଠୁ ବୁଝିଲା ଗାଁ ଲୋକେ ଯାହା କହୁଛନ୍ତି ସେଟା ଠିକ। ହେଲେ ସେ ଆଗ ଯୁଗ ଆଉ ନାହିଁ। କେତେ ବଦଳି ଯାଉଛି। ତା’ର ଯେତେବେଳେ ଚାକିରି ଗଲା, ତାକୁ ଅନ୍ୟ ବ୍ୟବସ୍ଥା କରିବାକୁ ପଡ଼ିବ ନିଶ୍ଚୟ। ଦଣ୍ଡା ନ ତାଡ଼ିଲେ, ତାକୁ ଜମି ମିଳିବ କେଉଁଠୁ? କାହାର ଆବାଦି ଜମି ଥୁଆ ହୋଇଛି ଯେ ତା’କୁ ଲଗାଣ କରିଦେବ। ଅଇଁଠୁ ନିଜ କାମରେ ମନ ଦିଏ।

 

କେଇଟା ଦିନରେ ଜମି ପୁଳାକ ଆବାଦ ହୋଇଗଲା। ହଳବଳଦ ବି ଅଭାବ ହେଲେନି। ପଟ୍ଟନାୟକ ଯାଚିକି ଦେବା ଲୋକ। କହିଲେ, ‘ଅବିକା କିଣା ବେକାର ହୋଇ ବସିଛି। ତୁ କିଛି ଭାବେନ। ସେ ହଳ ଦି’ ଭେରା ବୁଲେଇ ଦେଉ। ଆମର ଯେତେବେଳେ ଲୋକ ଦରକାର ହେବେ ତୋଠୁ ସାହାଯ୍ୟ ନେବି। ତୁ ଚାଷୀ ହେବାକୁ ଯାଉଛୁ ଯେତେବେଳେ ତୋ ସହିତ ସହଯୋଗ ନ ରଖିଲେ ଚଳିବ କେମିତି?’

 

ଅଇଁଠୁ ବାବୁ ସାଆନ୍ତଙ୍କର ଅଯାଚିତ କୃପା ଦେଖି ମୁଗ୍ଧ ଚକିତ ହୋଇଯାଉଥିଲା। ମନେ ମନେ ଭାବିଲା - ଦେବତା ପରି ଲୋକ। ୟାଙ୍କର ପୁଣି ଲୋକେ ନିନ୍ଦା କରନ୍ତି! ହଁ, ନ କରିବେ କିଆଁ? ଏ’ଟା ହେଲା କଳିଯୁଗ। ଏ ଯୁଗରେ କଞ୍ଚା ଗୋବରର ବି ଅଁଶେଇ ପଡ଼ୁଛି।

 

ବାପ ପୁଅଙ୍କର ଶ୍ରମ ଆଉ ଭଲ ପାଳକ ଯୋଗୁ ଅନାବାଦୀ ଜମିରେ ସୁନାର ଲହଡ଼ି ଭାଙ୍ଗୁଛି। ଧାନଗଛ ଗୁଡ଼ାକ ଭାର ସହି ନ ପାରି ନଇଁ ପଡ଼ିଲାଣି। ପାଖ କିଆରି ଆଉ ଏ କିଆରି ଖଣ୍ଡେ ବାଟରୁ ବାରି ହୋଇପଡୁଛି। ଅଇଁଠୁ ମନେମନେ ଚିନ୍ତା କଲା - ଏ ସନ ପହଲାକୁ ବାହା କରେଇଦେବ। ଟୋକାଟା ଏବେ ଟିକିଏ ଫୁଲାଫାଙ୍କିଆ ଜଣାପଡ଼ୁଛି। ଘରଟାକୁ ବି ତିର୍ଲାପିଲା ଦରକାର।

 

ଦୁନିଆଟା ଅଇଁଠୁକୁ ଛପଛପିଆ ଦେଖାଗଲା। ଆଖିରେ ତା’ର ଆଖିଏ ଲୁହ। ମନରେ ଅତୀତର ଅସରନ୍ତି ଭାବନା। ବିଚାରୀ! ତିଦସ୍ତାସନ ବାହୁଡା ଦିନ ବୁଢ଼ୀ କାଳ ମୁହଁରେ ଗଲା।

 

ଅଇଁଠୁ ଜୀବନରେ ଚାଷୀ ହେବା ଦିନଠୁ ବର୍ଷଟିଏ ପୂରି ଯାଇଛି। ଜମି ପୁଳାକରୁ ଏହା ଭିତରେ ଦୁଇଟି ଫସଲ ସେ ଉଠେଇଛି। ଘନ ପଟ୍ଟନାୟକଙ୍କୁ ଏହା ଭିତରେ ଅନେକ ଥର ସେ ଓଳଗି ହେଲାଣି। ମୋ କଥା ଭୁଲିବେ ନାହିଁ କହି ତାଙ୍କୁ ସବୁବେଳେ ମନେ ପକାଇ ଦେଉଛି। ଅନାବାଦୀ ଖଣ୍ଡକ ତା’ର ହୁଏ ଯେମିତି। ଦିନ ଗଡ଼ି ଚାଲିଛି। ପୁଣି ଆସିଛି ମାଘ ମାସ। ଆଉ ଗୋଟିଏ ଫସଲ ପାଇଁ ଜମିକୁ ସଜାଡ଼ିବାର ବେଳ।

 

ଅଇଁଠୁ ଜେନା ପାଖକୁ ଅଞ୍ଚଳ ଅଫିସରୁ ଖବର ଆସିଲା - ଶୀଘ୍ର ଆସି ଦେଖାକର। ମଇଳା ଗାମୁଛାଟାକୁ ମୁଣ୍ଡରେ ବାନ୍ଧି, ଚୌକିଦାରୀ ଅମଳର ପୁରୁଣା ବାଇଗଣୀ ରଙ୍ଗର ଫତେଇଟାକୁ ଦେହରେ ଗଳେଇ ଅଇଁଠୁ ଯାଇ ଠିଆ ହେଲା ଅଞ୍ଚଳ ଅଫିସ‌୍‍ ଆଗରେ।

 

କିରାଣୀ କାଗଜ ଦେଇ କହିଲେ - ଅଇଁଠୁ ଜେନା! ତୁମକୁ ଜମି ମିଳିଗଲା। ତମରି ଗାଁର ୬୪୦ ରୁ ୬୪୫ ନମ୍ୱର ପ୍ଳଟ ଜମି ଆଜିଠୁ ତମର ହେଲା। ଗାଏ ମୋଟ ଏକ ଏକର ଦଶ ଡେସିମିଲ‌୍‍ ଜମିକୁ ଖଜଣା ହେଲା - ସାଲିଆନା ଆଠ ଟଙ୍କା, ପଥ-କର ଟଙ୍କେ ଚାରଣା।

 

ଅଇଁଠୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ପଛ ପଟରେ ବସିଥିବା ବୁଢ଼ା ଅମିନ ଆଡେ଼। ଖଣ୍ଡେ ବୋଲି ତ ଜମି। ପାଞ୍ଚଖଣ୍ଡ ହେଲା କେମିତି? ତା’ ମନକଥା ବୁଝିପାରି ବୁଢ଼ା ଡାକିଲା ପାଖକୁ - ଦେଖିବା ଦେଲ। କେଉଁ ଜମି ତମକୁ ମିଳିଲା? ଅଇଁଠୁ ବଢ଼ାଇ ଦେଲା କାଗଜ ଖଣ୍ଡିକ।

 

ପ୍ରଚକ୍ଷୁ ଲଗେଇ ବୁଢ଼ା ନିରିଖେଇ ଦେଖିଲା ସେ ପଟ୍ଟା ଖଣ୍ଡିକୁ। ତା’ପରେ ଟିକିଏ ହସି କହିଲା, ‘ଖାସା ଜମି ପୁଳାଏ ପାଇଲ ହେ ଜେନାପୁଅ!’

 

ଅଇଁଠୁ ଝାଉଁଳି ପଡ଼ି କହିଲା, ‘ସେଇ ଅନାବାଦୀ ପୁଳାକ କଥା କହୁଛନ୍ତି ନା ବାବୁ।’

 

‘ହଁ - ହଁ, ଅନାବାଦି ଯେ ସେଠି ତୁମେ କ’ଣ କରିବ। ଘାଇ ମୁହଁ ବାଲିଚରଟା।’

 

‘ପ୍ପବାଲିଚର? କ’ଣ କହୁଛନ୍ତି ଆପଣ? ସେଠି ଅନାବାଦି ଆଇଲା କୁଆଡ଼ୁ? ମୋ ଦିହକଯାକ ତ ଦେଖି ଆସିଲି - ସେଠି ଅନାବାଦୀ ଗୋଚର ବୋଲି କିଛି ନାହିଁ।’

 

‘ଦୂର୍‌ର୍। ତୁମେ ଜାଣିନ।’

 

‘ଆଚ୍ଛା ଦେଖିଲେ ଆଜ୍ଞା! ଆମ ଗାଁ ତଳ ଅନାବାଦୀ ପୁଳାକ କେଉଁଠି ଅଛି?’

 

‘ଗାଁ ଚକଡ଼ାରେ ଅନାବାଦୀ ଫନାବାଦୀ କିଛି ନାହିଁ ତ। ଯାହା ଅଛି ସବୁ ସେଇ ଘାଇ ମୁହଁ ପାଖରେ। ପୁରୁଣା ରେକର୍ଡରେ ଖଣ୍ଡେ ଥିଲା। ଗଲାସନ ରିଭିଜନ ବନ୍ଦୋବସ୍ତରେ ତହସିଲଦାର ତାକୁ ବଦଳେଇ ଦେଇଛନ୍ତି। ବୋର୍ଡ ଅଫ‌୍‍ ରେଭିନିଉରୁ ଅର୍ଡର ଆଇଲା ପରେ ସିନା ତୁ ଜମି ପାଇଲୁ।’

 

ଅଇଁଠୁ ଫେରିଲା ଗାଁକୁ। ନୁଆଁଣିଆ ଖରା ତାତିରେ ମୁଣ୍ଡଟା ତା’ର ଝାଇଁ ମାରି ଯାଉଥିଲା। ସେଇ ତାତି ଆଉ କ୍ଳାନ୍ତିକୁ ଆଗକୁ ଠେଲି ସେ ଚାଲୁଥିଲା ଏବଂ ବାଟସାରା ଭାବୁଥିଲା - ସାଆନ୍ତଙ୍କୁ ପଚାରିବ, ଅନାବାଦୀ ଜମିଟା ଚାଲି ଚାଲି ଏତେ ବାଟ ଗଲା କେମିତି?

 

(ରଚନା - ୧୯୬୬, ପ୍ରକାଶନ - ୧୯୬୭)

 

 

( ‘ଅଇଁଠା ଓ ଅନାବାଦି’ର ରଚନା ସମ୍ଭବତଃ ୧୯୬୬ରେ। ମାତ୍ର ତାହା ପ୍ରକାଶ ପାଇଥିଲା, ରାଉରକେଲାର ଅନ୍ୟତମ ପ୍ରଗତିବାଦୀ ସାହିତ୍ୟ ଅନୁଷ୍ଠାନ ‘ସଂଘମ‌୍‍’ (ଏବେ ନାହିଁ) ଦ୍ୱାରା ‘ନିର୍ବାଚିତ କ୍ଷୁଦ୍ରଗଳ୍ପ ସଂକଳନ’ – ‘ଏ ମାଟି ବନ୍ଧ୍ୟା ନୁହେଁ’ରେ। ପ୍ରେସ ଥିଲା ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ଦାସଙ୍କ ‘କଳିଙ୍ଗ ମୁଦ୍ରଣୀ’, ଅଖିଳ ମିସ୍ତ୍ରୀ ଲେନ୍, କଲିକତା-୯। ପାଣ୍ଡୁଲିପି ପହଞ୍ଚିଲା ପରେ ମୁଦ୍ରଣର ସବୁ ଦାୟିତ୍ୱ ତାଙ୍କର। ଯାହାହେଉ, ୧୯୬୭ ଜୁଲାଇ-ଅଗଷ୍ଟରେ ବହିର ରାଉରକେଲାରେ ବିକ୍ରି ଆରମ୍ଭ ହେଲା। ମୂଲ୍ୟ ଥିଲା - ଏକ ଟଙ୍କା ପଚାଶ ପଇସା। ପୃଷ୍ଠା - ୮୨। ଛପା ହୋଇଥିଲା ହଜାରେ। ଯିଏ ବିକିବ, ପଚାଶ ପଇସା ତା’ କମିସନ। ସଦସ୍ୟ ହୋଇଥିଲେ ଟଙ୍କାଟେ ଦେଇ କିଣିନେଉ, ଚଳିବ। ସବୁ ବହି ସରିଗଲା। ମୁଁ ଏକା ଆଣିଥିଲି ଦଶ ଖଣ୍ଡ। ବାଣ୍ଟି ସାରି ଦେଇଥିବି। 

 

ରାଉରକେଲାରେ ସେତେବେଳେ ଓଡ଼ିଆତ୍ୱର ଅଭ୍ୟୁଦୟ ସମୟ। ‘ସଂଘମ’ ପକ୍ଷରୁ ଏହାର ଦ୍ୱିତୀୟ ସଂସ୍କରଣ ଛାପିବାକୁ ଉତ୍ସାହ ମାଡ଼ିଥିଲା। ସେଥିପାଇଁ କେତେଜଣ ସତୀର୍ଥ ଜଣକା ଦୁଇ ଶହ ଟଙ୍କା ଚାନ୍ଦା ଦେଲୁ। ମନେ ଅଛି, ମୁଁ ପର୍ମାନେଣ୍ଟ ପି.ଏଫ. ଲୋନ୍‌ ନେଇଥିଲି। ସ୍ୱପ୍ନ ପାଇଁ ରାତି ଅଣ୍ଟିଲାନି। ଆମ ପ୍ରୋଜେକ୍ଟ‌୍‍ ଫେଲ୍‌। କାରଣ ସେଠି ସମସ୍ତେ ଥିଲୁ କାରଖାନା ଚାକିରିଆ। ସେଥିରୁ ଜଣେ କେହି କମ୍ୟୁନିଷ୍ଟ ନ ଥିଲୁ। ମାତ୍ର ସେ ଅଭିଯୋଗରେ ଆମେ ମାଡ଼ ଖାଇଲୁ। ‘ଏମର୍‌ଜେନ୍‌ସି’ ଆଗରୁ ଦିନେ ରାତିଅଧିଆ ‘ସଂଘମ’ ବନ୍ଦ ହୋଇଗଲା। ଅନୁଷ୍ଠାନର କିଛି ସଂପତ୍ତି ନଥିଲା।

 

ପରେ ଏ ଗପ ପ୍ରକାଶ ପାଇଥିବା ନିଜ ଗଳ୍ପ ସଂକଳନ ‘ଅଇନା’ରେ ମଧ୍ୟ ସ୍ଥାନିତ ହୋଇଛି।)

 

( ଅଇନାର ଲେଖକ ପରିଚିତି : ରବି କାନୁନ‌୍‍ଗୋ। ଜନ୍ମ : ୨୦.୪.୧୯୪୬। ଓଡ଼ିଆ ପାଠକ ଜଗତରେ ଏକ ସ୍ପଷ୍ଟ ପରିଚିତ ନାଁ। ଜଣେ ବିଶିଷ୍ଟ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାରଭାବେ ପାଠକମାନେ ତାଙ୍କୁ ଦେଖି ଆସୁଛନ୍ତି ପ୍ରାୟ ପଚିଶ ବର୍ଷ ଧରି। ତାଙ୍କ ସୃଷ୍ଟିରେ ପୂରାପୂରି ନୂଆ ମୋଡ଼, ନୂଆ ଶୈଳୀ। ଛନ୍ଦ - ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ଲଳିତ ସ୍ପର୍ଶ ନେଇ ଜୀବନ୍ତ ହୋଇଉଠେ। ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା। ଜଣା ପଡ଼ିଯାଏ। ସୁରେନ୍ଦ୍ର ମହାନ୍ତି କଥା-ସାହିତ୍ୟ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ସମ୍ମାନ - ଏହିପରି ଅନେକ ସ୍ୱୀକୃତି ସେ ଲାଭ କରି ସାରିଛନ୍ତି। ଶ୍ରୀ କାନୁନ‌୍‍ଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ‌୍‍) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଏବଂ ବର୍ତ୍ତମାନ ରାଉରକେଲାରେ ରହନ୍ତି। ଯୋଗାଯୋଗ : ଏ-୫୭, ସେକ୍ଟର-୩, ରାଉରକେଲା - ୭୬୯୦୦୨, ଜିଲ୍ଲା - ସୁନ୍ଦରଗଡ଼। ପ୍ରକାଶକ : ଉମେଶ ପ୍ରସାଦ ସାହୁ, ପ୍ରକାଶକ : ଭାରତ ଭାରତୀ, ସୂତାହାଟ, କଟକ – ୭୫୩୦୦୧, ଅକ୍ଷର ସଜ୍ଜା : କୋଣାର୍କ ଡାଟା ପ୍ରୋସେସିଂ, ନୂଆପଲ୍ଳୀ, ଭୁବନେଶ୍ୱର - ୭୫୧୦୧୨

ମୁଦ୍ରଣ : ପେଣ୍ଟାକଲ‌୍‍ ପ୍ରିଣ୍ଟର୍ସ, ନୂଆପଲ୍ଳୀ, ଭୁବନେଶ୍ୱର – ୭୫୧୦୧୨, ପ୍ରଚ୍ଛଦ : ଲଲାଟେନ୍ଦୁ ରଥ, ପ୍ରକାଶ କାଳ : ୧୯୯୮, ମୁଲ୍ୟ : ଷାଠିଏ ଟଙ୍କା।)


ପ୍ରତିକ୍ରିୟା

ମହେନ୍ଦ୍ର ମିଶ୍ର - Email: mkmishra29@gmail.com - Posted on 2016-08-17 15:58:36

ଗଳ୍ପଟି ବହୁ ବର୍ଷ ପୂର୍ବେ ଲେଖା ହୋଇଥିଲେ ସୁଦ୍ଧା ଏ ଗଳ୍ପର ଚରିତ୍ର ଓ ବର୍ଣ୍ଣନାର ସାମଞ୍ଜସ୍ୟ ଆଜିର ଘଟଣା ଓ ଚରିତ୍ରମାନଙ୍କ ସହିତ ମେଳ ଖାଉଛି୤ ତେଣୁ ଆଜି ମଧ୍ୟ ଏ ଗଳ୍ପ ବା ଲେଖାର ଗୁରୁତ୍ବ ରହିଛି୤ ଆଜିର ଡିଜିଟାଲ୍‌ ଯୁଗରେ ଜମିବାଡ଼ି କାଗଜପତ୍ର ଡିଜିଟାଲ୍‌ ହୋଇଛି ବୋଲି ପ୍ରଚାର ଓ ପ୍ରସାର ହେଉଥିଲେ ମଧ୍ୟ ଜାଲିଆତି ଆଜି ବି ଚାଲିଛି୤

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top