ଓବିସିଙ୍କୁ ଭଣ୍ଡଉଛନ୍ତି ସରକାର

News Story - Posted on 2016-07-09

ଧୂଳେଶ୍ୱର ମାଣିଆ

 

ଦକ୍ଷିଣ ଓ ପଶ୍ଚିମ ଭାରତରୁ ଆରମ୍ଭ ହୋଇଥିବା ପଛୁଆବର୍ଗ ବିକାଶ ଆନ୍ଦୋଳନ ବିଷୟରେ ଓଡ଼ିଶାବାସୀ ଏତେ ପରିଚିତ ହୋଇନାହାଁନ୍ତି। ଶ୍ରୀ ପେରିୟାର, ଶ୍ରୀ ନାଇକର, ଛତ୍ରପତି ଶିବାଜୀ, ଜ୍ୟୋତିରାଓ ଫୁଲେ, ସାହୁଜୀ ମହାରାଜ ଓ ପରବର୍ତ୍ତୀ ସମୟରେ ଡକ୍ଟର ଆମ୍ୱେଦକରଙ୍କ ଦ୍ୱାରା ହୋଇଥିବା ଆନ୍ଦୋଳନ ଓଡ଼ିଶାରେ ପ୍ରଭାବ ପକାଇ ପାରିନଥିଲା। ସାହୁଜୀ ମହରାଜ ତାଙ୍କର କୋହ୍ଲାପୁର ରାଜ୍ୟରେ ୧୯୦୨ ମସିହାରୁ ୫୦ ପ୍ରତିଶତ ସଂରକ୍ଷଣ ରଖିଥିଲେ। କିନ୍ତୁ ପରେ ପରେ ଜନସଂଖ୍ୟା ଅନୁପାତରେ ମୋଟ‌୍‍ ୯୨ ପ୍ରତିଶତ ସଂରକ୍ଷଣ ଦିଆଯାଇଥିଲା।

 

ପ୍ରାକ‌୍‍ ସ୍ୱାଧୀନତା କାଳରେ ପ୍ରଥମରୁ ଶିକ୍ଷା ଦିଗରେ ସଂରକ୍ଷଣ ଦିଆଯାଉଥିଲା। ସ୍ୱାଧୀନତା ପରେ ସମ୍ୱିଧାନର ପ୍ରଥମ ସଂଶୋଧନ ଧାରା ୧୫ (୪) ୧୯୫୧ ମସିହାରେ ହୋଇଥିଲା। ଶିକ୍ଷା ବିକାଶ ଦିଗରେ ଏହି ଧାରା ବ୍ୟବହୃତ ହୋଇଥିଲା। ସମ୍ୱିଧାନରେ ପଛୁଆବର୍ଗଙ୍କ ଚିହ୍ନଟ ନିମନ୍ତେ କିଛି ସ୍ପଷ୍ଟିକରଣ ନଥିଲେ ମଧ୍ୟ, ସାମାଜିକ ଓ ଶିକ୍ଷାଗତ ଅନଗ୍ରସରମାନେ ମୁଖ୍ୟତଃ ଏହି ବର୍ଗର ବୋଲି କୁହାଯାଇପାରେ। ୧୯୫୩ ମସିହାରେ ପ୍ରଥମ ପଛୁଆବର୍ଗ କମଶନଙ୍କ ପ୍ରଥମ ଅନୁମୋଦନ ଥିଲା ରାଜ୍ୟମାନେ ନିଜସ୍ୱ ପାଣ୍ଠିରୁ ପ୍ରଥମେ ଶିକ୍ଷାଗତ ଅନଗ୍ରସରତାକୁ ଦୂର କରନ୍ତୁ।

 

କମିଶନଙ୍କ ରିପୋର୍ଟ ସରକାର ଗ୍ରହଣ କରି ନଥିଲେ ମଧ୍ୟ, ରାଜ୍ୟମାନେ କମିଶନଙ୍କ ଦ୍ୱାରା ବହୁ ଭାବରେ ପ୍ରଭାବିତ ହୋଇଥିଲେ। ଧାରା ୧୫ (୪), ଧାରା ୧୬ (୪) ଏବଂ ଧାରା ୩୪୦କୁ ଆଧାର କରି ୧୯୬୯ମସିହାଠାରୁ ଆରମ୍ଭ କରି ତାମିଲ‌୍‍ନାଡୁ ଓ ଆନ୍ଧ୍ର ପ୍ରଦେଶର ପଦକ୍ଷେପକୁ ଅନୁସରଣ କରି ଅନ୍ୟାନ୍ୟ ରାଜ୍ୟ ରାଜ୍ୟସ୍ତରୀୟ ସଂରକ୍ଷଣ ଆଇନ‌୍‍ ପ୍ରଣୟନ କରି ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦେବା ସଂଗେ ସଂଗେ ଅନ୍ୟାନ୍ୟ ସୁବିଧାମାନ ଦେଇଥିଲେ। ପ୍ରାୟ ଅଧିକାଂଶ ରାଜ୍ୟ ଜନସଂଖ୍ୟା ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଫଳତଃ ଦ୍ୱିତୀୟ କମିଶନ, ମଣ୍ଡଳ କମିଶନ (୧୯୭୮-୮୦) ସ୍ପଷ୍ଟ କରିଥିଲେ ଯେ, ଯେଉଁ ରାଜ୍ୟମାନେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇଆସୁଛନ୍ତି, ସେମାନେ ଏହି ୫୦ ପ୍ରତିଶତ ସଂରକ୍ଷଣ ସର୍ତ୍ତଦ୍ୱାରା ପ୍ରଭାବିତ ହେବେନାହିଁ।

 

ଏହିସବୁ ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଯେ, ଓଡ଼ିଶା ସରକାର ଏପର୍ଯ୍ୟନ୍ତ କାହିଁକି ନିରବ ରହିବାକୁ ପସନ୍ଦ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଦାସିନତା ଓ ଅବହେଳା ଯୋଗୁଁ ଓଡ଼ିଶାରେ ଓବିସିମାନେ ଶିକ୍ଷା କ୍ଷେତ୍ରରେ କୌଣସି ସଂରକ୍ଷଣ ପାଇନାହାଁନ୍ତି। ବିଡମ୍ୱନା ଏହି ଯେ, ସଚେତନ ଓବିସି ବର୍ଗ ଏସବୁ ଜାଣି ମଧ୍ୟ ନିରବ ରହୁଛନ୍ତି।

 

ଅଧିକାଂଶ ରାଜ୍ୟରେ ନିଯୁକ୍ତି ଓ ଶିକ୍ଷା ଦିଗରେ ସଂରକ୍ଷଣ ନିମନ୍ତେ ଏକମାତ୍ର ଆଇନ‌୍‍ ପ୍ରଣୀତ ହୋଇଅଛି। ସୁପ୍ରିମ କୋର୍ଟଙ୍କ ୧୯୯୨ ମସିହାର ୫୦ ପ୍ରତିଶତ ସଂରକ୍ଷଣକୁ ବିଚାରକୁ ନେଇ ଓଡ଼ିଶା ସରକାର ତା ୮.୧୨.୧୯୯୪ ରିଖରେ ଏସଇବିସିଙ୍କ ନିମନ୍ତେ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ କରିଛନ୍ତି। ଫଳରେ ରାଜ୍ୟରେ ମୋଟ ସଂରକ୍ଷଣ ହାର ୬୫.୭୫ ପ୍ରତିଶତ ହେଉଅଛି, ଯାହା ସୁପ୍ରିମ କୋର୍ଟଙ୍କ ଆଦେଶର ବିରୁଦ୍ଧାଚରଣ କରୁଅଛି। ତେଣୁ ରାଜ୍ୟ ସ୍ୟାଟ‌୍‍ ଓ ଉଚ୍ଚ ନ୍ୟାୟାଳୟ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଉଛନ୍ତି। ରାଜ୍ୟ ସରକାର ତା ୧୫.୩.୨୦୦୭ ରିଖରେ ସମସ୍ତ ବିଭାଗକୁ ଜଣାଇଛନ୍ତି ଯେ, ଏସଇବିସି ନିଯୁକ୍ତି କ୍ଷେତ୍ରରେ କେବଳ ୧୧.୨୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ରାଜ୍ୟ ସରକାର ପୁନଶ୍ଚ ଏସ‌୍‍ଇବିସି ସଂରକ୍ଷଣ ଆଇନ‌୍‍ ୨୦୦୮ ଜରିଆରେ ନିଯୁକ୍ତି ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଉକ୍ତ ଆଇନ‌୍‍କୁ ନବମ ପରିଚ୍ଛେଦ ଅନ୍ତର୍ଭୁକ୍ତ କରିବାକୁ ଦୁଇଥର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି। ଅବଶ୍ୟ ଏହା ଏକ ସମୟସାପେକ୍ଷ କାର୍ଯ୍ୟ।

 

ତେଣୁ ରାଜ୍ୟ ସରକାର ତାଙ୍କର ତା ୧୭.୦୧.୨୦୦୮ ରିଖରେ ଏକ ପ୍ରସ୍ତାବରେ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟରେ ଏସିଇବିସି ନିଯୁକ୍ତି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇଲେ ମଧ୍ୟ, ଅବଶିଷ୍ଟ ୧୫.୭୫ ପ୍ରତିଶତ ପଦବୀ ସେମାନଙ୍କ ନିମନ୍ତେ ଗଚ୍ଛିତ ହୋଇ ରହିବ। ପରେ ଦେଖାଗଲା ଯେ, ରାଜ୍ୟ ସରକାର ତାଙ୍କର ୨୭ ପ୍ରତିଶତ ସଂରକ୍ଷଣକୁ ରକ୍ଷା କରିବା ଦିଗରେ ସୁପ୍ରିମ କୋର୍ଟଙ୍କ ଉପଦେଶ ଅନୁସାରେ ଉଚିତ‌୍‍ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। ତେଣୁ ବାଧ୍ୟହୋଇ ମାନନୀୟ ସ୍ୟାଟ‌୍‍ ତା ୧୨.୧୨.୨୦୧୩ ରିଖ ଦିନ ଉକ୍ତ ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏହା ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ଯାଇଚନ୍ତି। କେଶର ନିଷ୍ପତ୍ତି ବିଳମ୍ୱ ହେବାରୁ ରାଜ୍ୟ ସରକାର ପୁନଶ୍ଚ ତା ୨୪.୬.୨୦୧୪ ରିଖରେ ଅନ୍ୟ ଏକ ପ୍ରସ୍ତାବରେ ସ୍ପଷ୍ଟ କରିଛନ୍ତି ଯେ, ଏଣିକି ଏସଇବିସିମାନେ ନିଯୁକ୍ତି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ।

 

ଆମ୍ଭର ମତ ଏହି ଯେ, ରାଜ୍ୟ ସରକାର ଏସ‌୍‍ଇବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ରକ୍ଷା କରିବା ଦିଗରେ ଉଚିତ‌୍‍ ପଦକ୍ଷେପ ନେଉନାହାଁନ୍ତି। ତାମିଲ‌୍‍ନାଡୁ କିପରି ସମୁଦାୟ ୬୯ ପ୍ରତିଶତ ସଂରକ୍ଷଣ ସୁପ୍ରିମ କୋର୍ଟଙ୍କ ଜରିଆରେ ହାସଲ କରିଛନ୍ତି, ତାହା ଇଂରାଜୀ ଦୈନିକ ଟାଇମସ‌୍‍ ଅଫ‌୍‍ ଇଣ୍ଡିଆରେ ତା ୧୪.୭.୨୦୧୧ ରିଖରେ ପ୍ରକାଶିତ ହୋଇଥିଲା। ଓଡ଼ିଶା ସଂରକ୍ଷଣ ଆଇନ‌୍‍ ୨୦୦୮ର ୯ମ ପରିଚ୍ଛେଦ ଅନ୍ତର୍ଭୁକ୍ତ କରାଯିବା ବିଳମ୍ୱକୁ ନେଇ ସାଂସଦ ବୈଷ୍ଣବ ଚରଣ ପରିଡାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଥମେ ସୁପ୍ରିମ କୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି, ତାହା ଦୈନିକ ପ୍ରଗତିବାଦୀରେ ତା ୨୮.୪.୨୦୧୨ ରିଖରେ ପ୍ରକାଶିତ ହୋଇଅଛି। ଆମ୍ଭେ ସମସ୍ତ ଖବରକାଗଜର ନକଲ ରାଜ୍ୟ ସରକାରଙ୍କୁ ଦେଇଅଛୁ।

 

ଅଧିକନ୍ତୁ ଭାରତ ସରକାର ପୁନଶ୍ଚ କହିଛନ୍ତି ଯେ, ସଂରକ୍ଷଣ ଜନିତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ପକ୍ଷ ସିଧା ସୁପ୍ରିମ କୋର୍ଟକୁ ଯାଇପାରିବେ। ଏ ଦିଗରେ ପ୍ରକାଶିତ ଚିଠି ଡିଓପିଟି.ଓଏମ ନଂ ୩୬୦୦/୨୭/୯୪ ଇଏସଏସଟି (ଏସସିଟି) ତା ୨.୨.୧୯୯୩ ରିଖ (ଆନେକ୍ଚର ୨୧.୭) ବିଷୟରେ ଆମ୍ଭେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଅଛୁ। ବର୍ତ୍ତମାନ ଓବିସିଙ୍କ ସଂରକ୍ଷଣ ଜନିତ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ସ୍ପଷ୍ଟିକରଣ ଦେବା ଦରକାର। ଏହି ଦୀର୍ଘ ସମୟ ମଧ୍ୟରେ ସରକାର ଅନେକ ପଦବୀ ପୂରଣ କରିଛନ୍ତି। ବର୍ତ୍ତମାନ ଖାଲିପଡ଼ିଥିବା ୧ ଲକ୍ଷ ୪୬ ହଜାର ପଦବୀ ପୂରଣ ଦିଗରେ ସରକାର ଚେଷ୍ଟା କରୁଛନ୍ତି। ମନେହୁଏ ସରକାର ୫୨ ପ୍ରତିଶତ ଲୋକଙ୍କ ସ୍ୱାର୍ଥକୁ ଜାଣିଶୁଣି ଅଣଦେଖା କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜ୍ୟସାରା ସର୍ବଦଳୀୟ ଆଲୋଚନା ଚକ୍ର କରାଯାଉଛି।

 

ପ୍ରକାଶଥାଉ କି, କୌଣସି ରାଜନୈତିକ ଦଳ ଫଛୁଆବର୍ଗ ବା ଓବିସି ଜନସଂଖ୍ୟାକୁ ବିଚାରକୁ ନେଇ ଓବିସିମାନଙ୍କୁ ରାଜନୈତିକ ପଦପଦବୀ ଦେଉନାହାଁନ୍ତି। ଅନ୍ୟାନ୍ୟ ମୁଖ୍ୟ ଦାବି ମଧ୍ୟରେ, ରାଜ୍ୟ ପଛୁଆବର୍ଗ ସମବାୟ ଆର୍ଥିକ ଓ ଉନ୍ନୟନ ନିଗମକୁ କାର୍ଯ୍ୟକ୍ଷମ କରାଇବା, ରାଜ୍ୟସ୍ତରରେ ସ୍ୱତନ୍ତ୍ର ଓବିସି ନିର୍ଦ୍ଦେଶାଳୟ ସୃଷ୍ଟି କରିବା, ଓବିସି ଛାତ୍ରଙ୍କ ପାଇଁ ପ୍ରତି ଜିଲ୍ଲାରେ ଏକ ମଡେ‌୍‍ଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରଚଳିତ ଛାତ୍ରବୃତ୍ତି ଓ ହଷ୍ଟେଲ‌୍‍ ବୃତ୍ତିର ଆବଶ୍ୟକତା ଦୃଷ୍ଟିରୁ ଅଧିକ ଅର୍ଥ ବରାଦ କରିବା, ରାଜ୍ୟସ୍ତରରେ ଓବିସି ବର୍ଗୀକରଣ, ନାମୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ରାଜ୍ୟ ଓ କେନ୍ଦ୍ରସ୍ତରୀୟ ଚାକିରୀ ପାଇବା ଦିଗରେ କୋଚିଙ୍ଗ‌୍‍ ଓ ତାଲିମ ନିମନ୍ତେ ସ୍ୱତନ୍ତ୍ର ଷ୍ଟାଇପେଣ୍ଡ ବ୍ୟବସ୍ଥା, ଓବିସି ସମସ୍ୟାର ଉଚିତ ସମାଧାନ ନିମନ୍ତେ ନୂତନ ଓବିସି କମିଶନ ଗଠନ ଇତ୍ୟାଦି ରହିଅଛି।

 

ରାଜ୍ୟର ସମସ୍ତ ସଚେତନ ଓବିସି ଏ ବିଷୟରେ ଚିନ୍ତା କରନ୍ତୁ ଓ ଆବଶ୍ୟକ ସମର୍ଥନ ଦିଅନ୍ତୁ। ଯୁବଗୋଷ୍ଠୀ ଏହି ଆନ୍ଦୋଳନରେ ସାମିଲ ହେବା ନିମନ୍ତେ ବିଶେଷ ଅନୁରୋଧ କରାଯାଉଛି। ଓବିସି ଅନ୍ତର୍ଗତ ସମସ୍ତ ଜାତି ଅନୁଷ୍ଠାନ ଏ ବିଷୟରେ ଅଧିକ ଆଲୋଚନା କରନ୍ତୁ ଏବଂ ରାଜ୍ୟ ସରକାରଙ୍କ ଉପରେ ଆବଶ୍ୟକ ଚାପ ସୃଷ୍ଟି କରନ୍ତୁ।

 

କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପଛୁଆବର୍ଗ ବିକାଶ ମଞ୍ଚ, ଭୁବନେଶ୍ୱର

ମୋବାଇଲ‌୍‍ : ୯୪୩୯୫୧୩୦୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top