ଅଂଧକାରର ଆଲେଖ୍ୟ

News Story - Posted on 2016-07-06

ହୃଷୀକେଶ ପଣ୍ଡା

 

କାର‌୍‍ଟା ଗଳି ମୁଣ୍ଡରେ ଅଦୃଶ୍ୟ ହେଇଗଲା ତାଙ୍କ ପାଖ ଦେଇ। ଛାଇଛାଇକା ଅନ୍ଧାର। ଆଖି ଫେରେଇଲେ ଶାନ୍ତନୁ ବାବୁ।

 

ବୟସ ବଢ଼ିଚି। ଦୃଷ୍ଟିର ଭ୍ରମ ହେଇଥିବ ବୋଧେ। ହୁଏତ ଆଉ କେହି, କାମିନୀ ସାଙ୍ଗେ ମେଳ ଥିବ ଚେହେରାର। ଏଇ ସଂଧ୍ୟାରେ ଜଣେ ବୟସ୍କ ଲୋକ ସାଙ୍ଗେ କାର‌୍‍ରେ ବସି ଚାଲିଗଲା ଝିଅଟା। ଠିକ‌୍‍ କାମିନୀ ପରି ଚେହେରା। ଝାପ‌୍‍ସା ଅନ୍ଧାରରେ ଠିକ‌୍‍ କରି ଦେଖିହେଲାନି, ଛାଡ଼।

 

ଫେରିଲେ ଶାନ୍ତନୁ ବାବୁ। ଦି’ଦିନ ହେଲା ଦିହରେ ତାତି। ଥଣ୍ଡା, ମୁଣ୍ଡବିନ୍ଧା କମୁନି। ଗୋଡ଼ହାତ ଅବସନ୍ନ। ଯାହାହଉ ଆଜି ଟିକେ ଶୀଘ୍ର ଛୁଟି ମିଳିଗଲା। ନହେଲେ ଦୋକାନ ବନ୍ଦ ହେଲାବେଳକୁ ରାତି ନ’ଟା। ସକାଳ ନ’ରୁ ରାତି ନଅ। ଦୋକାନର ହିସାବପତ୍ର ରଖିବା କାମ। ଜୀବନଟା ବିତି ଗଲାଣି ଏମିତି। ଅନିଶ୍ଚିତତାରେ, ଅବଶୋଷରେ। ଆଉ ବା କେତେଦିନ !

 

ସେଇ ସରୁ ଅନ୍ଧାର ଗଳିରେ ଚାଲିଥିଲେ ସେ।

 

ଦୀର୍ଘ ପଚିଶି ବର୍ଷର ପରିଚିତ ରାସ୍ତା। ଅଳିଆ, ଆବର୍ଜନା, ଗୁହଗନ୍ଧ, ରାସ୍ତା ଉପରେ ଜମାଟବନ୍ଧା ପଚାପାଣି ସବୁ ଦିହସୁହା। ଗଳି ପାର‌୍‍ ହେଲେ ଖୋଲା ପଡ଼ିଆ। ପାଖକୁ ଲାଗି ହାଉସିଂ ବୋର୍ଡ଼ର କାମ ଚାଲିଚି। ତା’ପରେ, ଡାକେବାଟ ଗଲେ ତାଙ୍କ ଘର। ବସ୍ତିର ଆରମ୍ଭରେ।

 

ରାସ୍ତାଯାକ କିନ୍ତୁ ଶାନ୍ତନୁ ବାବୁ ଭାବୁଥାନ୍ତି ସେଇକଥା। ନ ଚାହିଁଲେ ବି ବାରମ୍ୱାର ଧସେଇ ପଶୁଥାଏ ନାନା ଦୁଶ୍ଚିନ୍ତା, ନାନା ଆଶଙ୍କା। ମନେ ପକଉଥାନ୍ତି ସେଇ ମୁହଁଟାକୁ। ପାପ ଛୁଉଁଥାଏ। ସତରେ ଯଦି କାମିନୀ ହେଇଥାଏ ?

 

ନା ନା, ଈଶ୍ୱର କରନ୍ତୁ, ସେ ଯାହା ଦେଖିଲେ ତାଙ୍କ ଆଖିର ଭ୍ରମ ହେଇଥାଉ।

 

କାହିଁକି କେଜାଣି ଶାନ୍ତନୁ ବାବୁଙ୍କ ମୁହଁ ଶୁଖିଯାଏ, ବିଷଣ୍ଣ ଦିଶେ।

 

ଜୀବନଟା ଯାକ ଖଟିଖଟି ସୁଖ କ’ଣ ସେ ଜାଣିଲେନି। ଭଡ଼ାଘର। ଦି’ଟା ଆଜବେଷ୍ଟସ‌୍‍ ରୁମ‌୍‍, ରୋଷେଇଘର, ପଛପଟେ ବରପାଲି ପାଇଖାନା, ଆଉ ଦାଣ୍ଡରେ କଳଟେ। ସର୍ବସାଧାରଣଙ୍କ ପାଇଁ। ମୋଟାମୋଟି ବସ୍ତିଟାରେ ସଂଭ୍ରାନ୍ତଲୋକ ଖୁବ‌୍‍ କମ‌୍‍ ରୁହନ୍ତି। ରିକ୍ସାବାଲା, ଉଠାଦୋକାନୀ, ଏଇମାନଙ୍କ ସଂଖ୍ୟା ବେଶି। ତା’ରି ଭିତରେ ତାଙ୍କ ଜୀବନର ପଚିଶିଟା ବର୍ଷ ବିତିଗଲାଣି। ଦୁଃଖରେ, ଦାରିଦ୍ର୍ୟ ଭିତରେ, ଅବଶୋଷ ଆଉ ଅବସାଦ ଭିତରେ। ସବୁବେଳେ ସେଇ ଚିରାଚରିତ ଅଭାବ, ଅସୁବିଧା। ପୁଅଟା ପାଠ ବନ୍ଦ‌୍‍ କରି ବାଳୁଙ୍ଗା ହେଲା। ବାଜେ ପିଲାଙ୍କ ସାଙ୍ଗେ ମିଶି ବାଟ ହୁଡ଼ିଲା। କ’ଣ କରେ, କୋଉଠି ଖାଏ, କୋଉଠି ଶୁଏ, ରହେ କୋଉଠି, ତା’ ହିସାବ କାହାରି ପାଖରେ ନାହିଁ। ଏସବୁ ଦିହସୁହା ହେଇଗଲାଣି ତାଙ୍କର। ଦି’ବର୍ଷ ହେଲା ଆଉ କିଛି ଖୋଜଖବର ନାହିଁ। ପାଦ ଦେଇନି ବି ଏଘରେ। ଏକପ୍ରକାର ଘରଛଡ଼ା ପୁଅଟା।

 

ଆଉ କାମିନୀ ! କୋଡ଼ିଏ ପୂରିବାକୁ ବସିଲାଣି। ଯେମିତି ସ୍ୱାସ୍ଥ୍ୟ, ସେମିତି ଗଢଣ। କେହି କହିବନି ତାଙ୍କ ଝିଅ ବୋଲି। ଏମିତି ଗୋଟେ ଅସ୍ତବ୍ୟସ୍ତ ବସ୍ତିରେ, ଅର୍ଦ୍ଧଭୁକ୍ତ ପରିବାରରେ ତା’ର ଜନ୍ମ - ବିଶ୍ୱାସ ଯିବେନି କେହି କହିଲେ। କୋଉ ବଡ଼, ଅଭିଜାତ ଘରର ଝିଅ ପରି ଲାଗେ। ଭଲ ଡ୍ରେସ‌୍‍ ଖଣ୍ଡେ କେବେ ଦେଇନାହାନ୍ତି କିଣି। ସବୁବେଳେ ଅଭାବ, ଅନଟନ। ତଥାପି ଝିଅଟାକୁ ଚାହିଁଦେଲେ ପେଟ ପୂରିଯାଏ। ମନରେ ଗର୍ବ ଆସେ।

 

ପ୍ରତିଦିନ ଫେରୁ ଫେରୁ ରାତି ଦଶ‌୍‍ ବାଜେ ଶାନ୍ତନୁ ବାବୁଙ୍କର। ସ୍ତ୍ରୀ ଚାହିଁଥାନ୍ତି। କାମିନୀ ଶୋଇ ଯାଇଥାଏ କି କ’ଣ, କ୍ୱଚିତ‌୍‍ ଦେଖା ହୁଏ। କ୍ଳାନ୍ତ ହେଇ ଫେରିଥାନ୍ତି। କ’ଣ ଦିଟା ଖାଇଦେଇ ବିଛଣା ଧରନ୍ତି। ପରିବାର ବିଷୟରେ ସବୁବେଳେ ଉଦାସୀନ, ଅନାସକ୍ତ ଶାନ୍ତନୁ ବାବୁ।

 

ଗଳିମୁଣ୍ଡରେ ଚା’ଦୋକାନଟିଏ। ଅଟକିଲେ ଶାନ୍ତନୁ ବାବୁ। ବଟିକାଟେ ଗିଳିଦେଇ ଚା’ ପାଇଁ ବରାଦ କଲେ। ମୁଣ୍ଡ ତଥାପି ବିନ୍ଧୁଚି। ଦେହରେ ତାତି ସେମିତି। କମିଲା ଭଳି ଲାଗୁନି। ଗୁଡ଼ାଏ ବାଟ ଚାଲିବା ଯୋଗୁ ପାଦ ଅବସନ୍ନ। ସାରା ଦେହରେ କ୍ଳାନ୍ତି।

 

କାହିଁକି କେଜାଣି, କାମିନୀ କଥା ବାରମ୍ୱାର ମନକୁ ଆସୁଚି। ଆଜିକାଲି ଅବସ୍ଥା ଯାହା, କାହାକୁ ବିଶ୍ୱାସ କରିବା ସହଜ କଥା ନୁହେଁ। ଟିକିଏ ସୁଯୋଗରେ, କ୍ଷଣିକ ଆବେଗ, ଉତ୍ତେଜନାରେ ନିମିଷକେ ବାଟ ହୁଡ଼ନ୍ତି। କୋଉ ରାସ୍ତାରେ ପାଦ ଥୁଅନ୍ତି ନିଜେ ମଧ୍ୟ ଜାଣି ପାରନ୍ତିନି। ଅନେକ ଦେଖିଚନ୍ତି ସେ। ଏଇ ବସ୍ତିରେ କ’ଣ ସବୁ ନହୁଏ, କ’ଣ କ’ଣ ସବୁ ନକରନ୍ତି ଝିଅମାନେ। ଖୋଲାଟାରେ, ଦିନ ଦି’ପହରେ।

 

ମ୍ୟାଟ୍ରିକ‌୍‍ ପରଠୁ ଘରେ ବସିଚି କାମିନୀ, ପାଞ୍ଚବର୍ଷ ହେଲା। ସେ ଜାଣନ୍ତି ଘରେ ତୁଛାଟାରେ ବସି ରହିବାର ଯନ୍ତ୍ରଣା କି ଦୁଃସହ ! ନାନା ଦୁଃସ୍ୱପ୍ନ ଆସେ, ମାଡ଼ି ବସେ। ବାହାରେ ବୁଲୁଥିବା ଯାକେ, କିଛି ଗୋଟେ କରୁଥିବା ଯାକେ, କଥା ଅଲଗା, ମନ ଉପରେ ଲଗାମ‌୍‍ କଷି ହୁଏ। ଫୁର୍ତ୍ତି ବି ରହେ। ହେଲେ କ’ଣ ବା କରାଯିବ, ନିରୂପାୟ। କଲେଜରେ ଛାଡ଼ିବା ଭଳି ସମ୍ୱଳ କାଇଁ ? ବସିଚି ଯେ ବସିଚି, ନିଦାଟା ହେଇ ଘରେ।

 

ଚାହିଁଲେ ଶାନ୍ତନୁ ବାବୁ। ସେମିତି ବେଶି ଗହଳି ନାହିଁ ଦୋକାନରେ। ତାଙ୍କଠୁ କିଛି ଦୂରରେ ଦି’ଚାରିଜଣ ଟୋକା ବସିଚନ୍ତି, ତାଙ୍କରି ବସ୍ତିର। ଭଲ ଭାବେ ଜାଣିଚନ୍ତି ତାଙ୍କୁ। କ’ଣ ଯେମିତି ଟୁପଟାପ‌୍‍, ଗୁପ୍ତ କଥାଟାଏ ଗପିବାରେ ବ୍ୟସ୍ତ। ତାଙ୍କୁଇ ଲକ୍ଷ୍ୟ କରି, ମଝିରେ ମଝିରେ ତାଙ୍କରି ଆଡ଼କୁ ଇଶାରା କରି କ’ଣ ଯେମିତି କହୁଚନ୍ତି। ସେମାନଙ୍କ ଆଖିର ଭାଷା ଅଲଗା ଲାଗୁଚି। କେବେ କେମିତି ରାସ୍ତାରେ ଦେଖାହେଲେ ବାଟ ଭାଙ୍ଗି ଚାଲିଯାଉଥିବା ପିଲାମାନେ ଆଜି ତାଙ୍କରି ଆଡ଼କୁ ଚାହିଁ ମୁରୁକି ହସୁଚନ୍ତି। ବଡ଼ ଦୁର୍ବୋଧ୍ୟ ମନେ ହେଲା ଏସବୁ ତାଙ୍କୁ। କାଇଁ ଏମିତି କେବେତ ହେଇ ନଥିଲା, ଏମିତି ଅସମଞ୍ଜସ ପରିସ୍ଥିତିର ସାମ୍ନା କେବେ ତ କରି ନଥିଲେ ସେ। ତେବେ କ’ଣ...?

 

ପୁଣି ତାଙ୍କ ଆଖି ଆଗରେ ନାଚି ଉଠିଲା ସେଇ ମୁହଁ। ଯେତେ ଭୁଲିବାକୁ, ଦୂରେଇଦବାକୁ ଚେଷ୍ଟା କରିବି, ପାରିଲେନି ଶାନ୍ତନୁ ବାବୁ। ବାରମ୍ୱାର ସେଇ ମୁହଁଟା, ଦୃଶ୍ୟଟା ତାଙ୍କ ଆଖି ଆଗରେ ଭାସି ଉଠୁଚି। ଇଚ୍ଛା ନକଲେ ବି ବାରମ୍ୱାର।

 

ସତରେ ଯଦି ସେଇ ଝିଅଟି କାମିନୀ ହେଇଥାଏ...? ଶାନ୍ତନୁ ବାବୁଙ୍କ ପିତୃତ୍ୱ ଫାଟିପଡେ଼। କ୍ରୋଧରେ ନୁହେଁ, ନିଶ୍ଚଳ ଆକ୍ରୋଶରେ।

 

କାମିନୀ ଯଦି ସତରେ ରାସ୍ତା ହୁଡ଼ିଯାଏ? ଠକିଯାଏ?

 

ଗରିବଘରର ସମ୍ପଦ ସେତକ। ଇଜ୍ଜତ ଟିକକ।

 

ଚା’ ଆସିଲା। ଖଟ‌୍‍କା ଲାଗିଲା ମନରେ। କ’ଣ ଗୁଡ଼ାଏ ଭାବୁଚନ୍ତି ବସି? କୌଣସି ଭିତ୍ତି ନାହିଁ, ଆଧାର ନାହିଁ। ଦେହର କ୍ଳାନ୍ତି ଆଉ ଅବସାଦ ଯୋଗୁ ଯେତେସବୁ ଆଜେବାଜେ ଚିନ୍ତା, ଦୁଶ୍ଚିନ୍ତା। ନିଜ ଉପରେ ରାଗ ହେଲା ଖୁବ‌୍‍। ବାପର କର୍ତ୍ତବ୍ୟ କରିଚନ୍ତି କି କେବେ, ଦାୟିତ୍ୱ ତୁଲେଇଚନ୍ତି କି ଠିକ‌୍‍ ଭାବେ? କେବେ ଦିନେ ରାତିରେ ଘରକୁ ଫେରି ଖୋଜିଚନ୍ତି କି, ନିଦରୁ ଉଠେଇ ପାଖରେ ବସେଇ ଭଲମନ୍ଦ, ସୁଖଦୁଃଖ, ମନର କଥା ଗପିଚନ୍ତି କି? କହିଚନ୍ତି କି ପଦେଅଧେ ସରାଗବୋଳା କଥା? ସ୍ନେହବୋଳା ଦୁଇଟା ବାକ୍ୟ?

 

ନିଜ ଉପରେ ରାଗ ଆସିଲା। ଅଧାପିଆ ଚା’ କପ‌୍‍ଟାକୁ ଛାଡ଼ି ଉଠି ଆସିଲେ ଦୋକାନରୁ। ଚାଲିଲେ ଘରକୁ ସିଧା।

 

ରାସ୍ତା ଅନ୍ଧାର। ନିର୍ଜନ ବସ୍ତି। ଦୀର୍ଘଶ୍ୱାସଟିଏ ଛାଡ଼ିଲେ ସେ।

 

ଘର ଭିତରକୁ ଗଲେ। ସ୍ତ୍ରୀଙ୍କୁ ଡାକ ଛାଡ଼ିଲେ। କିଛି ଉତ୍ତର ମିଳିଲାନି। ପାଣି ଗିଲାସେ ଲୋଡ଼ା। ତଣ୍ଟି ଶୁଖିଗଲା ପରି ଲାଗୁଚି। ବାଧ୍ୟ ହେଇ କାମିନୀକୁ ଡାକ ପକେଇଲେ। କାହାରି ସୋର‌୍‍ଶବ୍ଦ ନାହିଁ। କବାଟ ଠିଆମେଲା। ମା’ ଝିଅ ଦି’ଟାଯାକ, କାହାରି ଦେଖାଦର୍ଶନ ନାହିଁ। ଭାରି ରାଗ ମାଡ଼ିଲା। ଦାଣ୍ଡଘରେ ଖଟ ଉପରେ ବସିପଡ଼ିଲେ ଦୁମ‌୍‍କିନା। ଗୋଟାଏ ଦିନ ଟିକିଏ ଜଲ‌୍‍ଦି ଆସିଲେ ଯେ, ଏଇ ଅବସ୍ଥା। ଦାୟିତ୍ୱହୀନ ଦି’ଟାଯାକ।

 

ନିଜେ ପାଣି ଆଣି ପିଇଲେ। ମନେ ମନେ ବିରକ୍ତ ହେଲେ ମଧ୍ୟ।

 

ହାତରେ ଦୁଧ ଗିଳାସେ ଧରି ପହଞ୍ଚିଲେ ସ୍ତ୍ରୀ, କାଞ୍ଚନଦେବୀ। ତମତମ ହେଇ ଚାହିଁଲେ ଶାନ୍ତନୁ ବାବୁ, ସ୍ତ୍ରୀଙ୍କୁ।     

 

ସ୍ତ୍ରୀ କହିଲେ - ଦୁଧପାଏ ଆଣିବାକୁ ଯାଇଥିଲି। ତମେ ଆସିଲ, ଦେଖିଚି।

 

ଶାନ୍ତନୁ ବାବୁଙ୍କ ପାଟିରୁ ହଠାତ‌୍‍ ବାହାରିଗଲା - ‘ଝିଅ କାଇଁ, ଦେଖା ଯାଉନି ?’

 

ସ୍ତ୍ରୀ କଥାଟାକୁ ଗୁରୁତ୍ୱ ନଦେଇ ଭିତରକୁ ଚାଲିଗଲେ। ପୁଣି ଫେରିଆସି କହିଲେ - ‘ଆଗରୁ କେବେ ପଚାରିଚ? ଆଜି ହଠାତ‌୍‍ କାଇଁକି?’

 

କଥାଟା ରହସ୍ୟମୟ ଜଣାଗଲା ଶାନ୍ତନୁ ବାବୁଙ୍କୁ। କହିଲେ - ‘ମାନେ, ରାତି ଏତେ ହେଲାଣି, ଯାଇଚି କୁଆଡେ଼?’

 

 ‘କୁଆଡେ଼ ଯାଇଚି- ସେ ଖବର ରଖିଚି କିଏ? କୋଉଦିନ ରାତି ଦଶଟା ଆଗରୁ ଫେରେ ଯେ ! କହେ ତ ସାଙ୍ଗ ଘରକୁ ଯାଏ ବୋଲି।’

 

ପିତୃତ୍ୱର ଅହମିକା ଶାନ୍ତନୁ ବାବୁଙ୍କଠି - ‘ମାନେ ! କୋଡ଼ିଏ ବର୍ଷର ବଢିଲା ଝିଅ। ରାତି ଦଶଟାରେ ଘରକୁ ଫେରିବ। ଖୋଜଖବର ନବନି। କେବେ କହିଚ ଏକଥା ମତେ? ଆକଟ କରିଚ କେବେ ବାହାରକୁ ନଯିବା ପାଇଁ?’

 

 ‘କାଇଁକି ? ଦିନେ କେବେ ଆସି ଖୋଜିଚ ଝିଅକୁ? କ’ଣ ଖାଇଚି, କ’ଣ କରୁଚି, କ’ଣ ଦରକାର ତା’ର? ମୋ କଥା ଶୁଣେ କିଏ ଯେ ! ପଚାରିଲେ ଜବାବ ଦବ - ଘରେ ବସି ବସି ଗୋଡ଼ହାତ ବିନ୍ଧୁଚି। ସାଙ୍ଗଘରେ ବରଂ ବସି ଟି.ଭି. ଦେଖିଲେ ଭଲ।’ କଥାତକ ଫୋପାଡ଼ି ଦେଇ ରୋଷେଇଘରକୁ ଚାଲିଗଲେ ସ୍ତ୍ରୀ।

 

ଶାନ୍ତନୁ ବାବୁଙ୍କ ଆଖିରୁ ପରଦାଟା ଯେମିତି ଅପସରି ଯାଉଚି କ୍ରମଶଃ। ଅସ୍ପଷ୍ଟ ଦୃଶ୍ୟଟା ହେଇଉଠୁଚି ଆହୁରି ସ୍ପଷ୍ଟ, ପ୍ରାଞ୍ଜଳ।

 

କାର‌୍‍ ଭିତରର ସେଇ ଝିଅଟି... ତେବେ ସତରେ କ’ଣ କାମିନୀ? ଆଉ ସେଇ ବୟସ୍କ ଲୋକଟି? ଝାପ‌୍‍ସା ଅନ୍ଧାର ଭିତରେ ସେ ଯାହା ଦେଖିଲେ, ତା’ କଣ ସତ? ଆଖିର ଭ୍ରମ ନୁହେଁ?

 

ଆଉ ଭାବି ପାରନ୍ତିନି ସେ। ଘଟଣାଟା ବିଚିତ୍ର ମନେହୁଏ ତାଙ୍କୁ। କାମିନୀ ଏମିତି ବାହାରେ, ତାଙ୍କ ବିଶ୍ୱାସରେ ଧୂଳିଦେଇ ଘୂରିବୁଲେ। କାହା ସାଙ୍ଗରେ? ଗୋଟେ ଅର୍ଦ୍ଧଭୁକ୍ତ ପରିବାରର ଝିଅ କାର‌୍‍ରେ ବୁଲିଯାଏ କୋଉ ବଳରେ? କୋଉ ଦାମ୍ଭିକତାରେ? କୋଉ ପରିଚୟ ନେଇ?

 

କ୍ରୋଧ। ଅସହାୟତା। କ’ଣ ଯେମିତି ଘଟି ଯାଉଚି ତାଙ୍କ ଭିତରେ। ବୁଢା ବୟସରେ ତାଙ୍କ ଅପାରଗ ପଣିଆକୁ ତାଚ୍ଛଲ୍ୟ କରୁଚି ଯେମିତି କିଏ। ପାଖେଇ ଆସୁଚି ଅଘଟଣଟେ ସର୍ବନାଶର ପଞ୍ଝା ମେଲେଇ।

 

ଶାନ୍ତନୁ ବାବୁ ଗର୍ଜି ଉଠିଲେ ମନକୁ ମନ। ଦାନ୍ତ ରଗଡ଼ିଲେ। ମୁଣ୍ଡବାଳ ମୁଠା ମୁଠା କରି ଟାଣି ଓଟାରି ହେଲେ। କାନ୍ଦ କାନ୍ଦ ଲାଗିଲା ତାଙ୍କ ମୁହଁ। ଭାଙ୍ଗିପଡ଼ିଲେ ଅସହାୟତାରେ, ନିଶ୍ଚଳ ଆକ୍ରୋଶରେ।

 

ରାତି ସାଢେଦଶ ପାଖାପାଖି, କାମିନୀ ଫେରିଲା। ଦେହରେ ଦାମୀ ପୋଷାକ। ହାତରେ ଭ୍ୟାନିଟି ବ୍ୟାଗ‌୍‍। ମୁହଁରେ ଉଗ୍ର ମେକଅପ‌୍‍। ଅବସନ୍ନ ଚେହେରା। କ୍ଳାନ୍ତ।

 

ଶାନ୍ତନୁ ବାବୁଙ୍କ ଗାଲରେ ଯେମିତି କିଏ ଶକ୍ତ ଚାପୁଡ଼ାଟାଏ କଷିଦେଲା।

 

କାମିନୀର ଏ ବେଶ, ପୋଷାକ ଗରିବ ବାପର ଅପାରଗ ପଣିଆକୁ ଚାଲେଞ୍ଜ କରୁଚି ଯେମିତି !

 

ଭିତରକୁ ପଶି ଆସୁ ଆସୁ କାମିନୀ ସଂତ୍ରସ୍ତ। ଆଗରେ ଶାନ୍ତନୁ ବାବୁ। ଭୟଙ୍କର ତାଙ୍କ ଚେହେରା। ମୁହଁରେ ନିଷ୍ଠୁରତା।

 

ଗର୍ଜି ଉଠିଲେ ହଠାତ‌୍‍ ସେ - ‘କୁଆଡେ଼ ଯାଇଥିଲୁ? ରାତି ଏତେଯାଏ ବାହାରେ କାମ କ’ଣ ?’

 

 ‘ସିନେମା ଯାଇଥିଲି। ସାଙ୍ଗ ସାଥିରେ।’ କାମିନୀର ଅସ୍ପଷ୍ଟ ଉତ୍ତର।

 

 ‘ପଇସା କୋଉଠୁ ଆଣୁ? ପ୍ରତିଦିନ ବାହାରେ ବୁଲିବାକୁ ଖର୍ଚ୍ଚ କିଏ ଦିଏ ଶୁଣେ?’

 

 ‘ପଇସା? ସାଙ୍ଗ ଦିଏ। ତମର ସେଥିରେ ମତଲବ‌୍‍ କ’ଣ? ଘରେ ବସି ବସି କ’ଣଟା କରନ୍ତି ଆଉ?’

 

ସ୍ତ୍ରୀ ପହଞ୍ଚିଲେ। ଆହୁରି ଗର୍ଜି ଉଠିଲେ ଶାନ୍ତନୁ ବାବୁ- ‘ଝିଅ ସିନେମା ଯାଇଥିଲା। ପଇସା ଦେଇଥିଲ ତମେ?’

 

 ‘ପଇସା? ଦୁଧପାଏ କିଣିବାକୁ ତ ସମ୍ୱଳ ନାହିଁ। ମଁୁ କୋଉଠୁ ଦେବି?’

 

ରାଗରେ ଥରି ଉଠିଲା ଶାନ୍ତନୁ ବାବୁଙ୍କ ସର୍ବାଙ୍ଗ। ଏକପ୍ରକାର ଝାମ୍ପି ପଡ଼ିଲେ ସେ - ‘କହ, କଥାର ଜବାବ‌୍‍ ଦେ। ପ୍ରତିଦିନ ଏତେ ରାତିଯାଏ କୋଉଠି ରହୁ? କ’ଣ କରୁ? ଘରେ ଫଟା କଉଡ଼ିଟାଏ ନାହିଁ। ବେଶପୋଷାକ ଦିଏ କିଏ ?’

 

ଝଡ଼ଟାଏ ମାଡ଼ିଆସିଲା। ଅନିବାର୍ଯ୍ୟ।

 

କାଞ୍ଚନଦେବୀ ଦେଖିଲେ, ସ୍ୱାମୀଙ୍କ ଚେହେରା ଭୟଙ୍କର। କ’ଣ ନାଇଁ କ’ଣ କରିବସିବେ। ଧମକ ଦେଲେ ସେ - ‘ବନ୍ଦ‌୍‍ କର ଏସବୁ। ଏମିତି ଲଗେଇଲ ଯେ ପୁଅଟା ଘରଛାଡ଼ି ପଳେଇଲା। ଦିନେକାଳେ ପାଦ ଦେଲାନି ଘରେ। ଶେଷରେ ସେଇ ବୁଦ୍ଧି। ଲୋକେ ଶୁଣିଲେ କ’ଣ କହିବେ।’

 

କାମିନୀ ଏଇ ସୁଯୋଗରେ ଚାଲିଗଲା ଘର ଭିତରକୁ। ପଛେ ପଛେ କାଞ୍ଚନଦେବୀ ମଧ୍ୟ।

 

ଖଟ ଉପରେ ନିଶ୍ଚଳ ହେଇ ପଡ଼ିରହିଲେ ଶାନ୍ତନୁ ବାବୁ। ଏକା। ଚିତ୍କାରଟାଏ କରିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ପାରିଲେନି। କିଏ ଯେମିତି ତାଙ୍କର ସବୁ ଶକ୍ତି, ସାମର୍ଥ୍ୟ, ପୁରୁଷକାରକୁ ଖର୍ବ କରିଦେଇଚି। ଅଥର୍ବ ପାଲଟି ଯାଉଚନ୍ତି ସେ। କ୍ରମଶଃ।

 

ଆଖି ସାମ୍ନାର ସବୁ ଦୃଶ୍ୟ ଝାପ‌୍‍ସା। ଅସ୍ପଷ୍ଟ। ସଂଜ୍ଞା ଯେମିତି ଲୋପ‌୍‍ ପାଇଯିବ ତାଙ୍କର।

 

ଦୁଧ ଗରମ କରି ଫେରି ଆସିଲେ କାଞ୍ଚନଦେବୀ। ଡାକିଲେ ସ୍ୱାମୀଙ୍କୁ। କୌଣସି ଜବାବ ନାହିଁ। ହାତ ମାରିଲେ ଦେହରେ। ଚମକି ପଡ଼ିଲେ ସେ। ଓଃ-କି ଭୟଙ୍କର ତାତି! ମୁହଁ ଶୁଖି କଳାକାଠ। ଯେତେ ହଲେଇଲେ ବି ଉଠୁନାହାନ୍ତି। ଆଖିରୁ ବୋହି ଆସିଚି ଦୁଇଧାର ଲୁହ। ମୁହଁଟା ଯାକ କାନ୍ଦ କାନ୍ଦ ଭାବ।

 

ଆସହାୟ ଆଖିପତା ଯୋଡ଼ିକ ଆସ୍ତେ ଖୋଲି ଚାହିଁଲେ ଶାନ୍ତନୁ ବାବୁ। ପାଟିରୁ ପଦୁଟିଏ ବି ବାହାରିଲାନି। ନିର୍ବାକ‌୍‍।

 

ସ୍ୱାମୀଙ୍କୁ ଏମିତି ରୂପରେ, ଅବସ୍ଥାରେ କେବେ ସେ ଦେଖିନାହାନ୍ତି ଆଜିଯାଏ। ଏତେ ଦୁଃଖ, ଦୈନ୍ୟ ଭିତରେ ବି ତାଙ୍କ ମୁହଁରେ ହସଖିଏ ଝୁଲୁଥାଏ ସବୁବେଳେ। ଅଥଚ ଆଜି ତାଙ୍କର ଏ ଅବସ୍ଥା କାଞ୍ଚନଦେବୀଙ୍କ କଲିଜାକୁ ଖିନଭିନ‌୍‍ କରିଦେଲା ଯେମିତି। ହଠାତ‌୍‍ ପାଗିଳୀ ପରି ଦୌଡ଼ିଗଲେ ଭିତରକୁ। ଭିତର ଘରୁ ଶୁଭିଲା ଚିତ୍କାର- ‘ହାରାମଜାଦୀ ! କ’ଣ ହେଲା କହ। ଜବାବ‌୍‍ ଦେ। କ’ଣ କରୁ ଯାଇ ଏତେ ରାତିଯାଏ ବାହାରେ, କହ।’

 

 ‘ଜାଣିପାରୁନୁ, ଦେଖିପାରୁନୁ କିଛି !’ କାମିନୀର ଉତ୍ପୀଡ଼କ ଉତ୍ତର।

 

 ‘କ’ଣ କହିଲୁ, ପୋଡ଼ାମୁହିଁ! ତୁ ତେବେ...!’

 

 ‘ଦେଖ‌୍‍, ମଁୁ ଏବେ ଭାରି କ୍ଳାନ୍ତ। ତୁ ଗଲୁ ତୋ କାମରେ। ମଁୁ ଟିକେ ବିଶ୍ରାମ ନିଏ।’ ବୀତସ୍ପୃହ ଭାବରେ କାମିନୀ କଥାତକ ଫୋପାଡ଼ିଦିଏ।

 

ଏକପ୍ରକାର ଭିଡ଼ି ଆଣିଲେ କାଞ୍ଚନଦେବୀ, ଝିଅକୁ। - ‘ଯା, ଦେଖ‌୍‍ କି ଅବସ୍ଥା ବାପାର। ଖଟି ଖଟି ଜୀବନ ଗଲା। ଶେଷରେ ଏଇ ଅବସ୍ଥା। କେବଳ ତୋରି ପାଇଁ। ଯା - ବାହାର‌୍‍ ମୋ ଘରୁ। ନିକଲ‌୍‍...।’

 

ଏକପ୍ରକାର ଭିଡ଼ାଓଟରା ଭିତରେ କାମିନୀ ହାତରୁ ଖସି ପଡ଼ିଲା ଭ୍ୟାନିଟି ବ୍ୟାଗ‌୍‍। ତଳେ ପଡ଼ିଗଲା କିଛି ଟଙ୍କା। କାଞ୍ଚନଦେବୀ ଅବାକ‌୍‍। ଆଚମ୍ୱିତ। ତାଙ୍କ ମୁଣ୍ଡରେ ଯେମିତି ପିତ୍ତ ଚହଟିଗଲା। ଘରେ ଦୁଧପାଏ କିଣିବାକୁ ପଇସା ନାହିଁ। କାମିନୀ ପାଖରେ ଏତେ ଟଙ୍କା। ତେବେ କାମିନୀ କ’ଣ ସତରେ...।

 

ବ୍ୟାଗ‌୍‍ ଉଠେଇନେଲେ। ଦେଖିଲେ - ଭିତରେ ପାଞ୍ଚଶ ଟଙ୍କିଆ, ଶହେ ଟଙ୍କିଆ, ପଚାଶ ଟଙ୍କିଆ କିଛି ନୋଟ‌୍‍।

 

ଦୌଡ଼ିଗଲେ ସେ, ଚିତ୍କାର କରି ଶାନ୍ତନୁ ବାବୁଙ୍କ ପାଖକୁ। କହିଲେ - ‘ଦେଖ ! ଝିଅ ତମର ରୋଜଗାର କରିଚି। ଟଙ୍କା... ଟଙ୍କା...।’

 

କହି ଫୋପାଡ଼ି ଦେଲେ ଟଙ୍କା ସହ ଭ୍ୟାନିଟି ବ୍ୟାଗ‌୍‍। ଶାନ୍ତନୁ ବାବୁଙ୍କ ଉପରକୁ।

 

ଟଙ୍କା ଗୁଡ଼ାକ ବୁଣିହେଇ ପଡ଼ିଲା ଖଟରେ। ଭ୍ୟାନିଟି ବ୍ୟାଗ‌୍‍ଟି କିନ୍ତୁ, ବାଜିଲା ଠିକ‌୍‍ ଶାନ୍ତନୁ ବାବୁଙ୍କ ମୁହଁ ଉପରେ। ଆଉ ତା’ ସହ ବ୍ୟାଗ‌୍‍ ଭିତରୁ ହଠାତ‌୍‍ ଛିଟିକି ପଡ଼ିଲା ଭୋଟେ ଅଶ୍ଳୀଳ ଫଟୋ ଛପା ପ୍ୟାକେଟ‌୍‍। ଆଉ କିଛି ବଟିକା।

 

ଠିକ‌୍‍ ଶାନ୍ତନୁ ବାବୁଙ୍କ ଛାତି ଉପରେ। ଠିକ‌୍‍ ହୃତ‌୍‍ପିଣ୍ଡ ରହିଚି ଯୋଉ ଜାଗାରେ...ସେଇଠି।

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ, ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

debadatta - Email: devu3119@gmail.com - Posted on 2016-07-07 17:49:02

Nice and touching story sir,,, more important is you have gone till end with a strong capture of theme...

Rasmi Rekha tripathy - Email: rasmirekhatripathy@gmail.com - Posted on 2016-07-08 06:04:45

ଗୋଟିଏ ନିଃଶ୍ୱାସରେ ପଢିଗଲା ଭଳି ଗପଟିଏ . ବହୁତ ସୁନ୍ଦର .

Mamata - Email: mamidash@yahoo.com - Posted on 2016-09-09 07:59:01

very very good. A lesson for all; the parents and the children.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top