ଜଣେ ଶାଶୁର ବିଶ୍ୱାସ

News Story - Posted on 2016-07-04

ସୁକାନ୍ତି ରାଉତ

 

ସବୁବେଳେ ଚିନ୍ତା ଆଉ ଅବସାଦ ମନ ନେଇ ରହୁଥାନ୍ତି ସୁମିତ୍ରା ଦେବୀ। ତିନିଟା ପୁଅ ବାହାଘର କଲେ। ମନଲାଖି ବୋହୂ ବି ଆଣିଲେ। ହେଲେ ଆଜି ପର୍ଯ୍ୟନ୍ତ ନାତି କି ନାତୁଣୀଟିଏ ଦେଖିପାରିଲେନି।

 

ବଡ଼ ପୁଅ ବାହାଘରର ୩୦ ବର୍ଷ ହୋଇଗଲାଣି। ପୃଥିବୀର ସବୁ ଦେବଦେବୀଙ୍କୁ ପୂଜା କରିସାରିଲେଣି। ଦେଶ ତଥା ଦେଶ ବାହାରେ ବଡ଼ ବଡ଼ ଡାକ୍ତରଙ୍କୁ ମଧ୍ୟ ଦେଖାଇସାରିଲେଣି। କିନ୍ତୁ ପିଲାପିଲି ହେବାର ନାଁ ନାହଁ। ଡାକ୍ତର କହିଛନ୍ତି ବଡ଼ ବୋହୂର ମା’ ହେବାର କ୍ଷମତା ନାହିଁ। ଗୋଟେ ରକ୍ଷଣଶୀଳ ପରିବାରରେ ଆଉ ଥରେ ବାହାହେବା ସମ୍ଭବ ନୁହେଁ। ବଂଶ ରକ୍ଷା ପାଇଁ ଜଣେ ନାରୀ ମନରେ କଷ୍ଟ ଦେବାକୁ ବି ସୁମିତ୍ରା ଦେବୀ ଚାହୁଁ ନ ଥିଲେ।

 

ମଝିଆ ପୁଅର ଗୋଟେ ଝିଅ ଅଛି, ସେ ଥାଇ ନ ଥିବା ପରି। ବିକଳାଙ୍ଗ। ଜନ୍ମ ହେବା ଦିନରୁ ସେମିତି ବିଛଣାରେ ପଡ଼ିଛି। ସାନ ପୁଅର ବି ବାହାଘର ୫ ବର୍ଷ ହେଲାଣି। ହେଲେ ଆଜି ଯାଏ ପିଲା କରିବାର ନାମ ନେଉନାହାନ୍ତି ସେମାନେ। ପୁଅର ବାହାରେ ଚାକିରି। ପ୍ରତି ମାସରେ ଆସେ, ଦୁଇ କି ତିନି ରହେ। ବୋହୂ ବି ଦେଖାଶୁଣା ପାଇଁ ତା ପାଖକୁ ଯାଇପାରେନି। ତାକୁ ଯେତେ ବାଧ୍ୟ କଲେ, ସେ କହେ, ନାଇଁ ବୋଉ, ମୋତେ ସେଠି ଏକୁଟିଆ ଲାଗିବ। ମୁଁ ଆପଣଙ୍କ ପାଖେ ବେଶ‍୍‌ ଭଲରେ ଅଛି।

 

କେତେଥର ସାନବୋହୂ ସୁକନ୍ୟାକୁ କହିଲେଣି-ମୋର କ’ଣ ବଳ ବୟସ ଆସୁଛି, ନାତି ନାତୁଣୀ ଟିକେ ଦେଖିବାକୁ ମନ ହେଲାଣି। ଜୀବନ ଆଜି ଅଛି, କାଲି ନାଇଁ।  ମା, ମୋ ମନ କଥା ଟିକେ ତୁ ବୁଝ।

 

କିଛି କହିପାରୁ ନ ଥିଲା ସୁକନ୍ୟା ଶାଶୁଙ୍କୁ। ସୁକନ୍ୟା ଶାଶୁଙ୍କ ମନରେ ଜମା ବି କଷ୍ଟ ଦେବାକୁ ଚାହୁଁ ନ ଥିଲା। ଥରେ ବୋହୂକୁ ବାଧ୍ୟ କରି ପାଖ ଡାକ୍ତରଖାନାକୁ ନେଲେ ଆଉ ଡାକ୍ତରଙ୍କୁ କହିଲେ-କେମିତି ଟିକେ ପିଲା ହେବ ଜଲ‍୍‌ଦି ସେମିତି ଓଷଦ ଲେଖିଦିଅ। ଡାକ୍ତର ସୁକନ୍ୟାର ଚେକ୍ ଅପ୍ କଲେ। ପିଲା ହେବା ପାଇଁ ପୂରା ସକ୍ଷମ। ତାଙ୍କ ଶାଶୁଙ୍କୁ ଡାକ୍ତର କହିଲେ-ପୁଅ/ବୋହୂଙ୍କୁ ଗୋଟେ ସ୍ଥାନରେ ରଖନ୍ତୁ। ଦେଖିବେ ପିଲା ହେବ। ଖାଲି ଠାକୁର ପୂଜା କଲେ କ’ଣ ହେବ!

 

ଘରକୁ ଫେରି ଆସିଲେ ଦୁହେଁ। ସନ୍ଧ୍ୟାରେ ବୋହୂକୁ କହିଲେ-ମାଆ, ମୁଁ ଏଠି ଏକୁଟିଆ ରହିଯିବି। ତୁ ଯାଆ ପୁଅ ପାଖେ ରହିବୁ, ଡାକ୍ତର କହିଛନ୍ତି -ସାଙ୍ଗରେ ରହିଲେ ପିଲା ହେବ। ଶାଶୁଙ୍କର ଏମିତି କଥାରେ କି ଉତ୍ତର ଦେବ ସୁକନ୍ୟା ଭାବି ପାରୁ ନ ଥିଲା। କେମିତି କହିବ- ନାରୀଟିଏ ପୂର୍ଣ୍ଣତା ପାଇଁବା ପାଇଁ ପୁରୁଷର ସହଯୋଗ ଦରକାର। କେମିତି କହିବ ବାହାଘରକୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ସେତିକି ନିବିଡ଼ ହୋଇନାହିଁ, ଯାହା ଦ୍ୱାରା ପିଲାଟିଏ ରହିପାରିବ। କେମିତି କହିବ-ତାଙ୍କ ପୁଅଙ୍କର ସେଠି ଆଉ ଜଣେ ଝିଅ ସହିତ ସମ୍ପର୍କ ରହିଛି, ସେଥିପାଇଁ ସେ ପିଲା ଚାହୁଁନାହାନ୍ତି। ବୋଉଙ୍କୁ ଯଦି ଏଇ କଥା ଶୁଣାଇଦେବ ସୁକନ୍ୟା! ତାଙ୍କର କିଛି ବି ହୋଇଯାଇପାରେ। ସହଜେ ବୁଢ଼ୀ ଲୋକ ପୁଣି ବ୍ଲଡ଼ ପ୍ରେସର। ତା’ର ଏକମାତ୍ର ଭରସା ହିଁ ଶାଶୁ।

 

ଭାବିଲା- କହିଦେବ-ହଁ ଆମେ ଏଥର ଆପଣଙ୍କ କଥା ରଖିବୁ। ଖୁବ‍୍‌ ଗେହ୍ଲେଇ ହୋଇ କହିଲା- ନାଇଁ ବୋଉ ଆମର ପୁଅ ହେଉ କି ଝିଅ ହେଉ, ତାହାର ବାହାଘର ବି ଆପଣ ଦେଖିବେ। ସୁକନ୍ୟା ଠାରୁ ଏମିତି କଥା ଶୁଣି ଶାଶୁ ଖୁସିରେ ଫାଟି ପଡ଼ନ୍ତି, ହଜାରେ ମାନସିକ କରନ୍ତି। ସେଦିନ ଥାଏ ଗୁରୁବାର। ପାଖ ମନ୍ଦିରକୁ ସୁମିତ୍ରା ଦେବୀ ଯାଇଥାନ୍ତି। ଜଣେ ପୁରୁଖା ସ୍ତ୍ରୀ ଲୋକ କହିଲେ କି- ୨୧ ଜଣ ହିଞ୍ଜିଡ଼ାକୁ ପେଟ ପୂରା ଖାଇବାକୁ ଦେଲେ ତୋ’ ବୋହୂର ପିଲା ହେବ। ସେ ନିଜେ ବି ଆଗରୁ ଶୁଣିଥିଲେ- ହିଞ୍ଜିଡ଼ାକୁ ଖାଇବାକୁ ଦେଲେ ଶୁଭଫଳ ହୁଏ।

 

ମନ୍ଦିରରୁ ଫେରି ବୋହୂକୁ କହିଲେ-କାଲି ସକାଳେ ହିଞ୍ଜିଡ଼ାକୁ ଘରକୁ ଡାକିବି ଖାଇବାକୁ ଦେବା। ସେମାନଙ୍କୁ ଖାଇବାକୁ ଦେଲେ ତୁ ମାଆ ହେବୁ ଆଉ ମୁଁ ଜେଜିମା ହେବି। ବୋହୂ କ’ଣ ଉତ୍ତର ଦେବ ତାଙ୍କୁ କିଛି ଭାବି ପାରୁ ନ ଥିଲା କି ତାଙ୍କର ଏମିତି ବିଶ୍ୱାସକୁ ଭାଙ୍ଗିବାକୁ ଚାହୁଁ ନ ଥିଲା। ସେ କହିଲା-ହଉ, ମୁଁ ରୋଷେଇ କରିଦେବି, ସେମାନଙ୍କୁ ଡାକି ଖାଇବାକୁ ଦେବା।

 

ହିଞ୍ଜିଡ଼ାକୁ ଖାଇବାକୁ ଦେଲେ। ଲୁଗା ଆଉ ୧୦୦୧ ଏକ ଟଙ୍କା ପ୍ରତି ଜଣକୁ ଦେଲେ।

 

ଏହା ଭିତରେ ବିତିଗଲା ୧୨ ବର୍ଷ। ପୁଅ ଆସେ ଆଉ ଯାଏ । କିନ୍ତୁ ମାଆ ହୋଇପାରଲାନି ସୁକନ୍ୟା ଆଉ ଜେଜିମା ହୋଇପାରିଲେନି ସୁମିତ୍ରା ଦେବୀ। ସୁକନ୍ୟା ତଥାପି କହୁଥାଏ-ନାଇଁ ବୋଉ, ଆପଣ ବିଶ୍ୱାସ ରଖନ୍ତୁ-କେବେ ନା କେବେ ଆପଣ ଜେଜିମା ହେବେ।

 

ରାଘବପୁର, ଗେଡ଼ମା, ମଞ୍ଜୁରି ରୋଡ଼, ଜି-କେନ୍ଦୁଝର-୨୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top