2050 : ଈଶ୍ବରଙ୍କ ଭୂମିକାରେ ବେଜ୍ଞାନିକ-୨/ନାନୋ ବିପ୍ଳବ ଏବଂ ଏକବିଂଶ ଶତାଦ୍ଦୀ

News Story - Posted on 2016-01-13

ଡକ୍ଟର ପଦ୍ମଲୋଚନ ନାୟକ

ନାନୋଟେକ୍ନୋଲୋଜି ବା ନାନୋ ବୈଷୟିକବିଦ୍ୟା ଏକବିଂଶ ଶତାଦ୍ଦୀରେ ପୃଥିବୀ ବ୍ଯାପୀ ଚହଳ ସୃଷ୍ଟିକରିଛି| ଏତଦ୍ବାରା ବ୍ଯାବହାରିକ କ୍ଷେତ୍ରରେ ବ୍ଯାପକ ଉପଯୋଗ ହେବା ନିମନ୍ତେ ଟେକ୍ନୋଲୋଜି ଗୁଡ଼ିକ ମଧ୍ୟରେ ଅଭିବୃଦ୍ଧି ସଂଘଟିତ ହେବ| ଏହି ନୂତନ ବିଦ୍ୟା ଦ୍ବାରା ପୃଥିବୀରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ, ଇଲେକ୍ଟୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ୍ ଆଦି ବିଭାଗରେ ବହୁମୁଖୀ ଓ ଦ୍ରୁତ ପରିବର୍ତ୍ତନ ହେବ ବୋଲି ଆଶା କରାଯାଏ|

ଏହି ବିଜ୍ଞାନ ଆମକୁ ଏକବିଂଶ ଶତାଦ୍ଦୀରେ ବଂଚିବାପାଇଁ ଖାଦ୍ୟ, ବସ୍ତୁ, ଔଷଧ, ଶକ୍ତି  ଉତ୍ପାଦନ ସହିତ ପରିବେଶ ସଂରକ୍ଷଣରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ| ଆଗାମୀ 50 ବର୍ଷ ମଧ୍ୟରେ ଏହି ବିଜ୍ଞାନ ପୃଥିବୀରେ ଏକ ବିପ୍ଳବ ଆଣିବ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି| ବିଶ୍ବର କେତେକ ଉନ୍ନତ ରାଷ୍ଟ୍ର ଏ ଦିଗରେ ପୁଞ୍ଜିନିବେଶ କରିବାର ଲକ୍ଷ୍ୟ କରାଯାଉଛି| ଏହି ବିଦ୍ୟାକୁ ଅବଲମ୍ବନ କରି ଏକବିଂଶ ଶତାଦ୍ଦୀରେ ମାନବ ସମାଜ ଏକ ସ୍ବଚ୍ଛ, ନିର୍ମଳ ପରିବେଶ ଏବଂ ଶସ୍ତାରେ ଉତ୍ତମ ମାନର ଔଷଧ ସେବନ କରି ନିରାମୟ ଜୀବନ ଅତିବାହିତ କରିବେ|

1959 ମସିହା ଡ଼ିସେମ୍ବର 31 ତାରିଖ କାଲ୍ଟେକ୍ଠାରେ ଅନୁଷ୍ଠିତ ଆମେରିକାନ୍ ଫିଜିକାଲ୍ ସୋସାଇଟିର ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ନୋବେଲ୍ ପୁରସ୍କାର ବିଜେତା ରିଚାର୍ଡ଼ ଫେନ୍ମ୍ଯାନ ବୈଜ୍ଞାନିକମାନଙ୍କୁ ସୂଚାଇଥିଲେ ଯେ, ପାରମାଣବିକସ୍ତରୀୟ ଅନୁସନ୍ଧାନ ଚଳାଇବା ଦ୍ବାରା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଦ୍ଭୁତପୂର୍ବ ସମୃଦ୍ଧି ସାଧିତ ହେବ| ସେ ବୈଜ୍ଞାନିକମାନଙ୍କୁ ସୂଚନା ଦେଇଥିଲେ ଯେ, ବସ୍ତୁରେ ପାରାମାଣବିକସ୍ତରୀୟ ଅଦଳବଦଳ ଘଟାଇବା ବ୍ଯାପାରଟିକୁ କାର୍ଯ୍ୟକାରୀ କରାଯିବା ପରେ ପଦାର୍ଥବିଜ୍ଞାନ ସମ୍ବନ୍ଧୀୟ ମୂଳଜ୍ଞାନ, ଜ୍ଞାତ ନିୟମ ଗୁଡ଼ିକ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବାର ଅବକାଶ ନାହିଁ| 1974 ମସିହାରେ ଜାପାନର ପ୍ରଫେସର ନୋରୀ ଟାନିଗୁଚି ପ୍ରଥମେ ନାନୋଟେକ୍ନୋଲୋଜି ନାମକ ଶବ୍ଦ ବ୍ଯବହାର କଲେ| 1986 ମସିହାରେ ଆମେରିକାର ବୈଜ୍ଞାନିକ ଏରିକ୍ ଜେକ୍ସଲର୍ ନାନୋଟେକ୍ନୋଲୋଜି ସମ୍ବନ୍ଧରେ ଏକ ଭବିଷ୍ଯତବାଣୀ ମଧ୍ୟ ଶୁଣାଇ ପୃଥିବୀକୁ ଏହା କିପରି ଭାବରେ ପ୍ରଭାବିତ କରିବ ସେ ସମ୍ବନ୍ଧରେ ସୂଚାଇଥିଲେ|

ଗ୍ରୀକ୍ ଭାଷାରେ ‘ନାନୋ’ ଶବ୍ଦର ଅର୍ଥ ହେଉଛି ବାମନ| ଏହା ଗୋଟିଏ ବସ୍ତୁର ଆକାରର ଏକଶତ କୋଟି ଭାଗରୁ ଗୋଟିଏ ଭାଗକୁ ସୂଚାଏ| ଏକ ନାନୋମିଟର୍ ହେଉଛି ଏକ ମିଟରର ଏକଶତ କୋଟିର ଏକ ଭାଗ| ଆମ କେଶର ବ୍ଯାସ ତୁଳନାରେ ଏହାର ଆକାର ଏକ ଲକ୍ଷଗୁଣ କମ୍| ଗୋଟିଏ ନାନୋମିଟର୍ର ଆକାର ପ୍ରାୟ ତିନିଠାରୁ ପାଞ୍ଚଟି ପରମାଣୁର ମୋଟ୍ ବ୍ଯାସ ସହିତ ସମାନ ହେବ| ଆମେ ଯେଉଁ ବିନ୍ଦୁଟିକୁ ଅଙ୍କନ କରୁଛୁ, ସେଥିରେ ପ୍ରାୟ ପାଞ୍ଚ ନିୟୁତ ଅଙ୍ଗାର ପରମାଣୁ ରହିପାରିବ|

1 ନାନୋମିଟର୍ ଠାରୁ 100 ନାନୋମିଟର୍ ପର୍ଯ୍ଯନ୍ତ ଆକାର ବିଶିଷ୍ଟ ବସ୍ତୁ ଗୁଡ଼ିକୁ ନାନୋଟେକ୍ଲୋଜିର ପରିସରଭୁକ୍ତ କରାଯାଇଛି| ଗୋଟିଏ ଉଦଯାନ ପରମାଣୁର ବ୍ଯାସ 0.1 ନାନୋମିଟର୍| ଗୋଟିଏ ଡି.ଏନ.ଏ. ଅଣୁର ପ୍ରସ୍ଥର ପରିବ୍ଯାପ୍ତି 2.5 ନାନୋମିଟର୍| ଗ୍ଳୁକୋଜ ଅଣୁର ବ୍ଯାସ ଏକ ନାନୋମିଟର ଠାରୁ ସାମାନ୍ଯ କମ୍| କେତେକ ପଲିମର୍ ଜାତୀୟ ଅଣୁ ଓ କେତେକ ବସ୍ତୁ କଣିକାର ଆକାର ଏକଶତ ନାନୋମିଟର୍ ପାଖାପାଖି| ତୁଳନାମତ୍କ ଦୃଷ୍ଟିରୁ ଜେବିକ ଜୀବକୋଷ ଗୁଡ଼ିକର ଆକାର ଏକ ମାଇକ୍ରୋମିଟର୍ ବା ଏକ ମିଟରର ଏକ ନିୟୁତାଂଶ ଅଟେ| ସେହିପରି ମାତ୍ର ଏକ ନାନୋମିଟର୍ ପରିମିତ ସ୍ଥାନରେ ଏକ ସହସ୍ର ବ୍ଯାକ୍ଟେରିଆ ଅବସ୍ଥାପିତ ହୋଇପାରୁଛନ୍ତି|

ଏହି ବହୁଶୃଙ୍ଖଳାଶ୍ରୟୀ ତଥା ନବୀକରଣକ୍ଷମ ଟେକ୍ନୋଲେଜି ଏକବିଂଶ ଶତାବ୍ଦୀ ମନୁଷ୍ଯର ଜୀବନ ଯାପନର ପ୍ରଣାଳୀକୁ ବିଶେଷ ଭାବରେ ପ୍ରଭାବିତ କରିପାରିବାର ସଂଭାବନା ରଖିଛି|

ଏହାକୁ ଗୋଟିଏ ସାମର୍ଥ୍ଯ ପ୍ରଦାନକାରୀ ଟେକ୍ନୋଲୋଜି ଭାବରେ ବ୍ଯବହାର କରାଯାଉଥିବା ଯୋଗୁଁ ଏହା ଏଣିକି ବୈଜ୍ଞାନିକ ଗବେଷଣାକୁ ଆଶାନୁରୂପ ମାର୍ଗରେ ସଫଳ କରିବା ପାଇଁ ପଦାର୍ଥ ବିଜ୍ଞାନୀ, ରସାୟନବିତ୍ ଓ ରସାୟନିକ ଇଞ୍ଜିନିୟରମାନଙ୍କ ସମେତ କମ୍ପ୍ୟୁଟର ବିଶେଷଜ୍ଞ, ଜୀବବିଜ୍ଞାନୀ ଓ ଡ଼ାକ୍ତରମାନେ ଏକ ସହଯୋଗିତାମୂଳକ ଗବେଷଣାରେ ମନୋନିବେଶ କରିବା ଅନିପାର୍ଯ୍ୟ ହୋଇପଡ଼ିଛି| ଏପରି ବୌଦ୍ଧିକ ଶ୍ରମର ମହନୀୟ ଅବଦାନଗୁଡ଼ିକ ଆମ ଦୈନନ୍ଦିନ ଜୀବନର ପ୍ରତ୍ଯେକ ବିଭାଗକୁ ଅନୁଭବ କରିବା ଭଳି ମାର୍ଗରେ ପ୍ରଭାବିତ କରିପାରିବାର ସଂଭାବନା ଦିନକୁଦିନ ଉଜ୍ଜ୍ବଳମୟ ହେଉଛି| ଏହି ପ୍ରଭାବ ଜାଗତିକ ସ୍ତରରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି| ଏବଂ ଏହା ଆମ ଖାଦ୍ୟ, ପୋଷାକ, ବାସଗୃହ, ପରିବହନ, ଯୋଗାଯୋଗ, ଔଷଧ, ବ୍ଯାଧିଗୁଡ଼ିକର ଚିହ୍ନଟିକରଣ ଓ ନିରାକରଣ ତଥା ନବୀକୃତ ଧାରାରେ ଚିକିତ୍ସା ବିଧାନ ଆଦି ବିଭିନ୍ନ କ୍ଷେତ୍ରରେ ବିଶେଷ ଲକ୍ଷଣୀୟ ହୋଇପାରିବାର ଅବକାଶ ରହିଛି|

ଏହାର ବ୍ଯବହାର ଯୋଗୁଁ ଆମ ଶରୀରର ପ୍ରତିରକ୍ଷା ବ୍ଯବସ୍ଥା ତଥା ଏହାର ଆନୁବଂଶିକସ୍ତରୀୟ ଗଠନାତ୍ମକ ପରିପାଟୀର ପୁନଃ ଆବିଷ୍କାର ସଂଘଟିତ ହେବ| ଏତଦ୍ବାରା ସର୍ବବିଧ ବୈଷୟିକ ଉତ୍ପାଦନ କ୍ଷେତ୍ରର ପୁନଃ ଅଭିଯାନ୍ତ୍ରିକରଣ ମଧ୍ୟ ଘଟିବ| ଫଳରେ ଯୁଦ୍ଧ ଚଳାଇବା ପାଇଁ ବ୍ଯବହୃତ କୌଶଳ ଗୁଡ଼ିକର ପରିବର୍ତ୍ତନ କରିବାକୁ ପଡ଼ିବ|

ନାନୋଟେକ୍ନୋଲୋଜିର ବହୁମୁଖୀ ବ୍ଯାବହାରିକ ଉପଯୋଗ ଯୋଗୁଁ ଯେଉଁ ଅଭିନବ ପିଢ଼ିର ବସ୍ତୁଗୁଡ଼ିକୁ ଉତ୍ପାଦନ କରାଯିବ, ସେଗୁଡ଼ିକ ପୂର୍ବରୁ ବ୍ଯବହାର ବସ୍ତୁଗୁଡ଼ିକ ତୁଳନାରେ ଅଧିକ ପରିଷ୍କାର, ଶକ୍ତିଶାଳୀ, ହାଲୁକା ଓ ପରିବେଶର ପରିପୋଷଣକ୍ଷମ ହୋଇପାରିବ| ଅବଶ୍ଯ ଅପରପକ୍ଷେ ଏହାର ଅପରିମାଣଦର୍ଶୀ ବହୁଳ ଉପଯୋଗ ଆମ୍ଭମାନଙ୍କ ପାଇଁ ବିପଦଜ୍ଜନକ ହୋଇପାରେ ଏବଂ ଆତଙ୍କବାଦୀମାନେ ଏହି ଟେକ୍ନୋଲୋଜିକୁ ମାରଣାସ୍ତ୍ର ଭାବରେ ଅପବ୍ଯବହାର କରିବା ଆଶଙ୍କାକୁ ମଧ୍ୟ ଏଡାଇ ହେଉନାହିଁ| ଏପରିକି ନାନୋବିପ୍ଳବର ସୁଦୁରପ୍ରସାରୀ ପ୍ରୟୋଗ ଯୋଗୁଁ ମନୁଷ୍ଯ ଭବିଷ୍ଯତରେ ବସ୍ତୁଗୁଡ଼ିକ ଉପରେ ନିଜର ନିୟନ୍ତ୍ରଣ ହରାଇବାର ସଂଭାବନାକୁ ମଧ୍ୟ ଆଜହୁଁ ବିଚାର କରିବା ଆବଶ୍ଯକ ମନେହେଲାଣି|

ବିଗତ ଦୁଇଦଶକ ମଧ୍ୟରେ ଅଣୁବୀକ୍ଷଣ ଯନ୍ତ୍ରଗୁଡ଼ିକର ନିର୍ମାଣ ବ୍ଯାପାରରେ ମନୁଷ୍ଯ ବିଚକ୍ଷଣ ପାରଦଶିର୍ତା ପ୍ରଦର୍ଶନ କରିଛି| ଅଣୁବୀକ୍ଷଣର କାର୍ଯ୍ୟକ୍ଷତାକୁ ବିଭିନ୍ନ ପ୍ରକାରେ ଅଦ୍ଭୁତପୂର୍ବ ମର୍ଗଗରେ ବଢ଼ାଇବା ପାଇଁ ବିଚକ୍ଷଣ ଆବିଷ୍କାର ଓ ଉଦ୍ଭାବନ ଗୁଡ଼ିକ ସଂଘଟିତ ହୋଇଛି| ଏହି ଅଣୁବୀକ୍ଷଣ ଗୁଡ଼ିକୁ ଠିକଣା ଭାବରେ ବ୍ଯବହାର କରାଯିବା ଦ୍ବାରା ନାନୋଟେକ୍ନୋଲୋଜିର ନିଶ୍ଚିତ ଭାବରେ ତ୍ବରାନ୍ବିତ ସମୃଦ୍ଧି ସାଧିତ ହେବ| ଏହି ସଂଭାବନାକୁ ବିଚାରକୁ ନେଇ ପ୍ରସାର ମାଧ୍ୟମ ଗୁଡ଼ିକ ଏବେ ନାନୋଟେକ୍ନୋଲୋଜିର ବହୁମୁଖୀ ଉପଯୋଗ ସଂପକିର୍ତ ବିବରଣୀକୁ ଅତିରଞ୍ଜିତ କରୁଛନ୍ତି|

ଏଣୁ ଏପରି ଚିନ୍ତାଜନକ କ୍ଷେତ୍ରଗୁଡ଼ିକ ସହ ସଂପକିର୍ତ ବିଜ୍ଞାନସମ୍ମତ ତଥ୍ଯରାଜିକୁ ମନୁଷ୍ଯର କଳ୍ପନାପ୍ରସ୍ତୁତ ତଥ୍ଯରାଜିଠାରୁ ଅଲଗାକରିବାର କାର୍ଯ୍ୟକୁ ଆମେ ଉପେକ୍ଷା କରିପାରିବା ନାହିଁ| ସମକାଳୀନ ଭାବରେ ବିଭିନ୍ନ ପ୍ରକାର ବେଦ୍ଧିକ ଆହ୍ବାନ ଗୁଡ଼ିକର ଯଥାର୍ଥ ମୁକାବିଲା କରିବା ପାଇଁ ନାନୋଟେକ୍ଲୋଜି ଆଜି ପର୍ଯ୍ଯନ୍ତ ଯେପରି ସଫଳହୋଇଛି ସେ ସଂପର୍କରେ ଜ୍ଞାନ ବିତରଣ କରାଯିବାର ମଧ୍ୟ ଅାବଶ୍ଯକତା ରହିଛି|

ବର୍ତ୍ତମାନ ପୃଥିବୀର ସବୁ ଦେଶର ବୈଜ୍ଞାନିକମାନେ ନାନୋଟେକ୍ନୋଲୋଜି ସମ୍ବନ୍ଧରେ ଉଚ୍ଚତର ଗବେଷଣା ଆାରମ୍ଭ କରିଛନ୍ତି| ବୈଜ୍ଞାନିକମାନେ ନାନୋଟେକ୍ନୋଲୋଜି ବ୍ଯବହାର କରି ନୂତନ ପଦାର୍ଥ ସୃଷ୍ଟି କରିବାରେ ଲାଗି ପଡିଛନ୍ତି| ଅଧୁନା ବୈଜ୍ଞାନିକମାନେ ନାନୋଟେକ୍ନୋଲୋଜିକୁ ବ୍ଯବହାର କରି ଏପରି ବସ୍ତ୍ର ତିଆରି କରିଛନ୍ତି, ଯାହା କେବେ ମଇଳା ହେବନାହିଁ| ଏହି ବସ୍ତ୍ରକୁ ଆମେ ସବୁଦିନ ବିନା ସାବୁନରେ କେବଳ ପାଣିରେ ଧୋଇ ବ୍ଯବହାର କରିପାରିବା| ବର୍ତ୍ତମାନ ବୁଦ୍ଧିମାନ ପୋଷାକ ବ୍ୟବହାର କରାଯାଇଛି, ଯାହା ଶରୀରର ନିଶ୍ବାସପ୍ରଶ୍ବାସ ଓ ନାଡ଼ିର ଗତି ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବ|

ବର୍ତ୍ତମାନ ନାନୋପେଣ୍ଟସ୍ ବା ରଙ୍ଗ ବାହାରିଛି, ଯାହାକୁ ବ୍ଯବହାର କରି  ଘରେ ଦୀର୍ଘସ୍ଥାୟୀ ରଙ୍ଗ ଦେଇ ହେବ| ‘ନାନୋରୋବଟସ୍’କୁ ଆାମେ ଶରୀର ମଧ୍ୟରେ ପ୍ରବେଶ କରାଇ ରୋଗ ନିୟନ୍ତ୍ରଣ କରିପାରିବା| ବର୍ତ୍ତମାନ ବୈଜ୍ଞାନିକମାନେ ସୁନା ଏବଂ ରୂପାର ନାନୋପାଟିର୍କିଲ୍ ସୃଷ୍ଟିକରି, କ୍ଯାନସର୍ ଭଳି ମାରାମତ୍କ ରୋଗକୁ ଭଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଏବଂ ନିକଟ ଭବିଷ୍ଯତରେ ଏହି ବିଦ୍ୟାକୁ ପ୍ରୟୋଗ କରି କ୍ଯାନ୍ସର ଏବଂ ଏଡସ୍ ପରି ମାରାମତ୍କ ରୋଗକୁ ଭଲକରିବା ପାଇଁ ଆଶାକରିଛନ୍ତି|

ଆମ ଦେଶରେ ଆାଉ ଏକ ସବୁଜବିପ୍ଳବ କରି କୃଷିଜାତ ପଦାର୍ଥର ଅଧିକ ଉତ୍ପାଦନ କରିବାପାଇଁ ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି ଏବଂ ଏହି ଦିଗରେ କାର୍ଯ୍ୟସାଧନ ପାଇଁ ସେମାନେ ନାନୋବୈଷୟିକ ବିଦ୍ୟାର ସାହାଯ୍ଯ ନେଉଛନ୍ତି| ଆସନ୍ତା 5 ବର୍ଷ ମଧ୍ୟରେ ନାନୋବେଷୟିକ ବିଦ୍ୟା ଯେ ଆମ ଦେଶରେ କୃଷି ଉତ୍ପାଦନ ପାଇଁ ଦ୍ବିତୀୟ ସବୁଜ ବିପ୍ଳବ ଆଣିବ ଏଥିରେ ସନ୍ଦେହ ନାହିଁ|

1881 ମସିହରେ ଜାପାନର ପ୍ରସିଦ୍ଧ ବେଜ୍ଞାନିକ ସୁମିଓ ଇଜିମା ନାମକ ପ୍ରବୀଣ ବେଜ୍ଞାନିକ ସୁକୁବାଠାରେ ଅଙ୍ଗାର ନାନୋଟିଉବ୍ ଆବିଷ୍କାର କଲେ| ସେ ଏଥିରେ ନାନୋ କଣିକାଗୁଡ଼ିକ ସମେତ ବନ୍ଦ ଆକୃତିର ଗ୍ରାଫାଇଟ୍ ସଂରଚନାର ଅବସ୍ଥିତିକୁ ଚିହ୍ନଟ କଲେ| ପରବର୍ତ୍ତୀ କାଳରେ ଏହି ସୂତା ଆକୃତି ବା ଅତିସଂକୀର୍ଣ୍ଣ ନଳୀ ଆକୃତି ଅଙ୍ଗାରର ଅନ୍ଯତମ ବିଶୁଦ୍ଧ ରୂପକୁ ଅଙ୍ଗାର ନାନୋଟିଉବ୍ ନାମରେ ନାମିତ କରାଗଲା| ଏହି ଅଙ୍ଗାର ନାନୋଟିଉବ୍ ଦୁଇ ପ୍ରକାରର,  ଯଥା : 1. ଏକକାନ୍ଥ ବିଶିଷ୍ଟ ନାନୋଟିଉବ୍ ଓ 2. ଦୁଇକାନ୍ଥ ବିଶିଷ୍ଟ ନାନୋଟିଉବ୍|

ଏହି ଅଙ୍ଗାର ନାନୋଟିଉବ୍ ପରବର୍ତ୍ତୀ କାଳରେ ନାନୋଗବେଷଣାରେ ବ୍ଯାପକ ପରିବର୍ତ୍ତନ କରିବ ବୋଲି ଆଶା କରାଯାଏ| ଏହି ନାନୋଟିଉବ୍ ଗୁଡ଼ିକର ଓଜନ କମ୍ ହେବା ସଂଙ୍ଗେ ସଂଙ୍ଗେ ଏଗୁଡ଼ିକ ବେଶ୍ ମଜ୍ବୁତ, ଏଥିରେ ସାନ୍ଧ୍ରତା କମ୍ ଏବଂ ଏଗୁଡ଼ିକ ମଧ୍ୟ ଉତ୍ତମ ପରିବାହୀ ଭାବରେ କ୍ରିୟାଶୀଳ ହେବା ସହିତ ଅଦ୍ଭୁତ ପ୍ରକାରର ଇଲେକ୍ଟ୍ରୋନିକ୍ସ ପ୍ରକୃତି ପ୍ରଦର୍ଶନ କରିପାରିବେ| ଏହି ଏକସ୍ତରୀୟ ବା ଦ୍ବିସ୍ତରୀୟ ଅଙ୍ଗାର ନାନୋଟିଉବ୍  ପ୍ଳାଷ୍ଟିକ ଠାରୁ ହାଲୁକା ଏବଂ ଇସ୍ପାତ ଠାରୁ ଏକଶତଗୁଣ ଅଧିକ କଠିନ| ଏହି ନାନୋଟିଉବ ଗୁଡ଼ିକରେ ସହଜରେ କୌଣସି ଫାଟ ସୃଷ୍ଟି ହେବନାହିଁ କିମ୍ବା ସହଜରେ ସେଗୁଡ଼ିକ ନଷ୍ଟହେବାର ସମ୍ଭାବନା ମଧ୍ୟ ନାହିଁ| ପରବର୍ତ୍ତୀ କାଳରେ ହାଲୁକା ତଥା ମଜବୁତ ବସ୍ତୁ ତିଆରି କରିବାରେ ଏଗୁଡ଼ିକ ଆମକୁ ସାହାଯ୍ଯ କରିବ|

ବର୍ତ୍ତମାନ ବୈଜ୍ଞାନିକମାନେ ‘ନାନୋଟେକ୍ନୋଲୋଜି’ ସାହାଯ୍ଯରେ କ୍ଯାନ୍ସର୍ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ନିକଟ ଭବିଷ୍ଯତରେ ସଫଳ ହେବାପାଇଁ ଆଶା କରୁଛନ୍ତି| ‘ନାନୋଟେକ୍ନୋଲୋଜି’ ଅବଲମ୍ବନରେ କ୍ଯାନ୍ସର୍ ଉପଦୃତ ଜୀବକୋଷ ଗୁଡ଼ିକୁ ନାନୋସ୍ପନ୍ଦନ ଦ୍ବାରା ପ୍ରଭାବିତ କରାଯାଇପାରିବ| ଏହାଦ୍ବାରା ସେହି କୋଷର ଆଭ୍ଯନ୍ତରଣ ସଂରଚନାରେ ଏପରି ପରିବର୍ତ୍ତନ ଘଟୁଛି ଯେ, ଦରକାର ହେଉଥିବା ବିପାଚ ଗୁଡ଼ିକ କ୍ଷରିତ ହେବା ବା ସକ୍ରିୟ ହେବା ଫଳରେ କର୍କଟଗ୍ରସ୍ତ କୋଷମାନ ମୃତ୍ଯୁମୁଖରେ ଫଡ଼ୁଛନ୍ତି| ବୈଜ୍ଞାନିକମାନେ ବର୍ତ୍ତମାନ ଦୃଢ଼ଯୁକ୍ତି ଉପସ୍ଥାପନ କରୁଛନ୍ତି ଯେ, ଉପଯୁକ୍ତ ଭାବରେ ପ୍ରସ୍ତୁତ ନାନୋକଣିକା ଦ୍ବାରା କ୍ଷତସ୍ଥାନଗୁଡ଼ିକର ଉପଶମ କରାଯାଇପାରିବ|

 ‘ନାନୋକଣିକା’ ଯଥା, ସୁନା ନାନୋକଣିକା ଏବଂ ‘ନାନୋରୋବଟ  ସାହାଯ୍ଯରେ ଶରୀର ମଧ୍ୟକୁ ପ୍ରବେଶ କରାଇ କ୍ଯାନ୍ସର୍ ଉପୁଜାଉଥିବା କୋଷକୁ ସହଜରେ ଚିହ୍ନଟ କରାଯାଇପାରିବ ଏଥିପାଇଁ ମଧ୍ୟ ବେଶୀ ଖର୍ଚ୍ଚ କରିବାକୁ ପଡିବ ନାହିଁ| ତା’ପରେ ନାନୋସର୍ଜନ ବା ଅତିକ୍ଷୁଦ୍ର ଯାନ୍ତ୍ରିକଡାକ୍ତରକୁ ଶରୀର ମଧ୍ୟକୁ ପ୍ରବେଶ କରାଇ ଏହି କ୍ଯାନସର୍ ସୃଷ୍ଟିକାରୀ କୋଷକୁ କାଢ଼ି ଏକ ନୂତନ ରୋଗମୁକ୍ତ କୋଷକୁ ରୋପଣ କରିବା ପରେ କ୍ଯାନସର୍ ରୋଗକୁ ସହଜରେ ଭଲ କରାଯାଇପାରିବ|

ସେହିପରି ‘ନାନୋଟେକ୍ନୋଲୋଜି’ ବର୍ତ୍ତମାନ ଆମକୁ ଅଧିକ କୃଷି ଉତ୍ପାଦନରେ ସାହାଯ୍ଯ କରିବ ବୋଲି ଆଶା କରାଯାଏ| କୃଷିରେ ଉପଯୋଗୀ ହେଉଥିବା ବସ୍ତୁଗୁଡ଼ିକ ଯଥା:- ସାର, କୀଟନାଶକ, ଆଣ୍ଟିବାୟୋଟିକସ୍ ଇତ୍ଯାଦିକୁ ନାନୋକଣିକା ସାହାଯ୍ଯରେ ଗଛରେ ଉପଯୋଗ କରାଯାଇପାରିବ| ଏହାଦ୍ବାରା ସାର ବା କୀଟନାଶକର ପ୍ରୟୋଗ ବହୁତ କମ୍ ଖର୍ଚ୍ଚରେ ହୋଇପାରିବ ଏବଂ ବୃକ୍ଷଲତା ଗୁଡ଼ିକ ଅଧିକ ଉତ୍ପାଦଦନ ଦେଇପାରିବେ|

ମାନବସମାଜ ବିଭିନ୍ନ ଯୁଗ ଯଥା - ପ୍ରସ୍ତରଯୁଗ, ଲେହଯୁଗ ଓ ଇସ୍ପାତ ଯୁଗ, ପଲିମର୍ ବା ପ୍ଳାଷ୍ଟିକ୍ ଯୁଗ, ଜୈବପ୍ରଯୁକ୍ତି ଯୁଗ, କମ୍ପ୍ୟୁଟରବିଜ୍ଞାନ ଯୁଗ ଆଦି ଅତିକ୍ରମ କରି ଏକବିଂଶ ଶତାଦ୍ଦୀରେ ନାନୋଟେକ୍ନୋଲୋଜି ଯୁଗରେ ପ୍ରବେଶ କରିଛି| ବିଶ୍ବର କଲ୍ଯାଣ ସହିତ ‘ନାନୋଟେକ୍ନୋଲୋଜି’ ସାହାଯ୍ଯରେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସମୃଦ୍ଧି ସାଧନ କରିପାରିବା| ଆାତଙ୍କ ସୃଷ୍ଟିକାରୀମାନଙ୍କୁ ଚିହ୍ନଟ କରିବା, ଗୁଳିଦ୍ବାରା କ୍ଷତିଗ୍ରସ୍ତ ନହେବା ସକାଶେ ସୁରକ୍ଷା ପ୍ରଦାନକାରୀ ପୋଷାକ ଉଦ୍ଭାବନ କରିବା, ସୈନ୍ଯବାହିନୀରେ ସୈନ୍ଯମାନଙ୍କ କାର୍ଯ୍ୟଦକ୍ଷତାରେ ଅଭିବୃଦ୍ଧି ଘଟାଇବା, ଆହତ ସୈନ୍ଯମାନଙ୍କ ପାଇଁ ସଙ୍ଗେ ସଙ୍ଗେ ଓଜନ କମାଇବା ଇତ୍ଯାଦି କାର୍ଯ୍ୟ ଏହି ବିଦ୍ୟା ସାହାଯ୍ଯରେ ସହଜରେ ସାଧନ କରାଯାଇପାରିବ|

ନାନୋଟେକ୍ନୋଲୋଜିର ବ୍ଯବହାରିକ ଉପଯୋଗ କରିବାର ଫଳ ସ୍ବରୂପ ବ୍ଯାଧିଗୁଡ଼ିକର ଚିହ୍ନଟ କରଣ, ଶରୀରର ଅଭ୍ଯନ୍ତରକୁ ଔଷଧ ପ୍ରେରଣ କରିବାର ପଦ୍ଧତି ଓ ସ୍ବାସ୍ଥ୍ୟର ଯତ୍ନ ଇଲେଟ୍ରୋନିକ୍ସ ଓ ରାସାୟନିକ ଶିଳ୍ପଗୁଡ଼ିକ ସମୃଦ୍ଧ ହୋଇପାରିବ| ଆଗାମୀ ଯୁଗରେ ଏହି ପ୍ରଯୁକ୍ତି ବିଦ୍ୟାକୁ ଆମର ଜୀବନ ପ୍ରଣାଳୀର ଗୋଟିଏ ଅପରିହାର୍ଯ୍ୟ ବିଭାଗ ଭାବେ କ୍ରିୟାଶୀଳ କରାଯାଇପାରିବ| ପ୍ରକୃତରେ ଏହାକୁ ପ୍ରଯୁକ୍ତି ବିଦ୍ୟାର ଇତିହାସରେ ପରବର୍ତ୍ତୀ ବିପ୍ଳବ ହିସାବରେ ଚିନ୍ତା କରିବା ଉଚିତ୍| ଏହି ନୂତନ ବେଷୟିକ ବିଦ୍ୟା ଏକବିଂଶ ଶତାଦ୍ଦୀରେ ମାନବ ସମାଜ ପାଇଁ ଏକ ଆଶୀର୍ବାଦ କହିଲେ ଅତୁ୍ଯକ୍ତି ହେବନାହିଁ| ଏହି ବିଦ୍ୟାକୁ ବହୁଳ ଭାବରେ ପ୍ରଚାର ଏବଂ ପ୍ରସାର କରିବା ପାଇଁ ଆମ ରାଜ୍ଯରେ ସ୍କୁଲ୍ ଏବଂ କଲେଜ ସ୍ତରରେ ପିଲାମାନଙ୍କୁ ଏହି ନୂତନ ବିଜ୍ଞାନ ସମ୍ପର୍କରେ ଶିକ୍ଷାଦାନ କରିବା ଆବଶ୍ଯକ|


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top