2050 : ଈଶ୍ବରଙ୍କ ଭୂମିକାରେ ବେଜ୍ଞାନିକ-୧

News Story - Posted on 2016-01-13

ଡକ୍ଟର ପଦ୍ମଲୋଚନ ନାୟକ

କୁହାଯାଏ ଈଶ୍ବର ସୃଷ୍ଟିର କର୍ତ୍ତା| ପୁଣି ସାଧାରଣତଃ ଲୋକେ ଭାବନ୍ତି ଯେ, ବୈଜ୍ଞାନିକମାନେ ଈଶ୍ବର ବିଶ୍ବାସୀ ନୁହନ୍ତି| ସେମାନେ ପ୍ରକୃତିର ପ୍ରତ୍ଯେକ ପଦାର୍ଥକୁ ଅନୁଧ୍ୟାନ କରି ତଥ୍ଯ ଉପସ୍ଥାପନ କରିବାକୁ ବ୍ଯଗ୍ର| ଦୃଶ୍ଯମାନ ସତ୍ଯ ଉପରେ ସେମାନେ ଆସ୍ଥା ରଖନ୍ତି| ଇତିହାସ ଅନୁଧ୍ୟାନ କଲେ ଜଣାଯାଏ, ଅବିସ୍ମରଣୀୟ ବୈଜ୍ଞାନିକ ଗାଲିଲିଓ, ନିଉଟନ ଓ ଆଇନଷ୍ଟାଇନ୍ ପ୍ରମୁଖ ପ୍ରଚଳିତ ଧାରଣା ଅନୁସାରେ ଭଗବତ୍ ବିଶ୍ବାସୀ ନ ଥିଲେ| ବୈଜ୍ଞାନିକମାନେ ଈଶ୍ବରଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି| ଅନ୍ଯଏକ ଦୃଷ୍ଟିରୁ ଯେହେତୁ ବିଜ୍ଞାନ ସତ୍ଯ ଆଧାରିତ, ବୈଜ୍ଞାନିକ ଉପଲବ୍ଧ ସତ୍ଯକୁ ଈଶ୍ବର ବୋଲି ଗ୍ରହଣ କରିନିଏ|

ଏହାକୁ ଭିତ୍ତିକରି କେହି କେହି ଭାବିଲେଣି ଯେ ବୈଜ୍ଞାନିକ ହେଉଛନ୍ତି ଈଶ୍ବର| ଏହି ମତକୁ ଆମେ ଗ୍ରହଣ କରିପାରିବା କି? ନିକଟରେ ଜଣେ ଲବ୍ଧପ୍ରତିଷ୍ଠ ପଦାର୍ଥବିଜ୍ଞାନବିତ୍ ନିଉୟର୍କ ସିଟି ବିଶ୍ବବିଦ୍ୟାଳୟର ପ୍ରଫେସର ମିଚିଓକାକୁ ଭଗବାନ, ବିଜ୍ଞାନ ଓ ବୈଜ୍ଞାନିକଙ୍କ ମଧ୍ୟରେ କେତେକ ତାପତ୍ପର୍ଯ୍ୟପୂର୍ଣ୍ଣ ସମ୍ପର୍କକୁ ତାଙ୍କର କିଛି ପୁସ୍ତକରେ ବର୍ଣ୍ଣନା କରିଛନ୍ତି|

ତାଙ୍କର ଅନେକ ବହିମଧ୍ୟରୁ ଦୁଇଖଣ୍ଡ ବହି ଯଥା ‘ହାଇପର୍ସ୍ପେସ୍’ ଓ ‘ଭିଜନ୍’ରେ ଦୃଢମତ ପୋଷଣ କରିଛନ୍ତି ଯେ ଜଣେ ବୈଜ୍ଞାନିକଙ୍କୁ ଭଗବାନ କହିବା ଅନୁଚିତ ହେବନି| ସେ ଏଥିରେ ପ୍ରକାଶ କରିଛନ୍ତି ଯେ ବିଂଶ ଶତାଦ୍ଦୀରେ ବୈଜ୍ଞାନିକମାନେ ସମାଜର ଉନ୍ନତି ଓ ମଣିଷର ସୁଖ ସମୃଦ୍ଧି ପାଇଁ ବହୁ ନୂତନ ତଥ୍ଯ ଉଦ୍ଭାବନ କରିଛନ୍ତି, ଯେଉଁଥିପାଇଁ ଏକବିଂଶ ଶତାଦ୍ଦୀ ହେବ ସୁଖ-ସମୃଦ୍ଧିର କାଳ| ବିଂଶ ଶତାଦ୍ଦୀରେ ଯେଉଁ ବୈଜ୍ଞାନିକ ତତ୍ତ୍ବ ଉଦ୍ଭାବିତ ହୋଇଛି ସେଗୁଡ଼ିକ ହେଲା କ୍ବାଣ୍ଟମ୍ ଥିଓରୀ, କମ୍ପ୍ୟୁଟର, ପ୍ଳାଷ୍ଟିକ୍, ପଲିମର୍, ଡି.ଏନ୍.ଏ ର ଥିଓରୀ ଏବଂ ମଲିକୁଲାର ବାଇଓଲୋଜି| ଏଗୁଡ଼ିକ ମାନବ ସମାଜର ସୁଖ ସମୃଦ୍ଧି ପାଇଁ ଅଭିପ୍ରେତ|

କିଛିଦିନ ତଳେ ନିଉୟର୍କ ଟାଇମସ୍ ପତ୍ରିକାରେ ଆସନ୍ତା ଶହେ ବର୍ଷ ଭିତରେ ପୃଥିବୀର ପରିସ୍ଥିତି କ’ଣ ହେବ, ଏ ସମ୍ବନ୍ଧରେ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କର ମତ ପ୍ରକାଶ ପାଇଥିଲା| ସେମାନଙ୍କ ମତରେ ତିନିଗୋଟି ତଥ୍ଯ ଯଥା (1) କ୍ବାଣ୍ଟମ୍ ଥିଓରୀ (2) ଡି.ଏନ୍.ଏ.ଥିଓରୀ (3) ଇଣ୍ଟେଲିଜେନ୍ସ୍ ଥିଓରୀ-ମଣିଷର ବିରାଟ ପରିବର୍ତ୍ତନରେ ସହାୟକ ହେବ| କ୍ବାଣ୍ଟମ ଥିଓରୀ ଆମକୁ ଏକ ନୂତନ ଟେକ୍ନୋଲୋଜି ଦେଇଛି ଯାହାକୁ ଆମେ ନାନୋ ଟେକ୍ନୋଲୋଜି ବୋଲି କହୁଛୁ| ଏହା ଏପରି ଦ୍ରୁତ ବେଗରେ ବିକଶିତ ହେଉଛି ଯେ ପୃଥିବୀର ଶିଳ୍ପଜଗତକୁ ସମ୍ଫୂର୍ଣ୍ଣ ଭାବେ ବଦଳାଇଦେବାଲାଗି ସକ୍ଷମ|

ଉଦାହରଣସ୍ବରୂପ ନାନୋଟେକ୍ନୋଲୋଜି ପରମାଣୁ ଆକାରର ଯନ୍ତ୍ର ତିଆରି କରିପାରିବ| ଫଳରେ ପୃଥିବୀ ଏକ ଦ୍ବିତୀୟ ଶିଳ୍ପ ବିପ୍ଳବର ସମ୍ମୁଖୀନ ହେବ| ଆଉ ଦଶବର୍ଷ ପରେ ପରମାଣୁ ଆକାରରେ କମ୍ପ୍ୟୁଟର ନିର୍ମାଣ କରାଯାଇପାରିବ| ଏହି ଅତି କ୍ଷୁଦ୍ର କମ୍ପ୍ୟୁଟରକୁ ଆମେ ଆମର ଶିରା-ପ୍ରଶିରାରେ ଖଞ୍ଜିଦେଇ ପାରିବା, ଏହା ପ୍ରତି ସେକେଣ୍ଡରେ ଆମ ଦେହର ପ୍ରତ୍ଯେକ ପ୍ରକ୍ରିୟାକୁ ଯଥା; ରକ୍ତଚାପ, ହୃଦରୋଗ ଇତ୍ଯାଦିକୁ ଅନୁଶୀଳନ କରି ସେ ବିଷୟରେ ଆମକୁ ତଥ୍ଯ ଦେଇପାରିବ| ହୃଦରୋଗ ଆରମ୍ଭ ହେବା ପୂର୍ବରୁ ଔଷଧ ଖାଇବାକୁ ପରାମର୍ଶ ଦେବ| ନଚେତ୍ ହୃଦରୋଗରେ ଆକ୍ରାନ୍ତ ହେବ ବୋଲି ଏହି କମ୍ପ୍ୟୁଟର ସଚେତନ କରାଇଦେବ| କେଉଁ ରୋଗ ପାଇଁ କେଉଁ ଔଷଧ ଏବଂ କେତେବେଳେ ଖାଇବାକୁ ହେବ ତାହା ମଧ୍ୟ ଏହି କମ୍ପ୍ୟୁଟର ଜଣାଇବ|

ଏହି କ୍ବାଣ୍ଟମ ଥିଓରୀ ହାଇ ଟେମ୍ପରେଚର ସୁପର କଣ୍ଡକ୍ଟର ସମ୍ବନ୍ଧରେ ତଥ୍ଯ ଯୋଗାଇସାରିଲାଣି| ଏହାର ପ୍ରସାର ଘଟିଲେ ବିଦ୍ୟୁତଶକ୍ତି ଖୁବ୍ ଶସ୍ତାରେ ମିଳିପାରିବ| 2040 ମସିହା କେବଳୁ ଫ୍ୟୁଜନ ପଦ୍ଧତି, ସୋଲାର୍ ପଦ୍ଧତି ଏବଂ ଉଦଯାନ ପଦ୍ଧତି ଅବଲମ୍ବନ ଦ୍ବାରା ବୈଦ୍ୟୁତିକ ଶକ୍ତି ଉତ୍ପାଦନ ସମ୍ଭବ ହେବ| ଶସ୍ତା ବେଦ୍ୟୁତିକ ଶକ୍ତି ଆମର ନିତ୍ଯ ବ୍ଯବହାର୍ଯ୍ୟ କାମରେ ଲାଗିବା ସହିତ ଗାଡ଼ି, ମଟର, ରେଳ ଓ ଉଡ଼ାଜାହାଜ ଆଦି ପାଇଁ ପେଟ୍ରୋଲ୍ ଜାତୀୟ ଇନ୍ଧନ ଦରକାର ପଡ଼ିବ ନାହିଁ| ଏ ସମ୍ବନ୍ଧରେ ବର୍ତ୍ତମାନ ଆମେରିକାର ପ୍ରିନଷ୍ଟନ୍ ପ୍ଳାଜମା ଲାବୋରେଟୋରୀରେ ଉଚ୍ଚତର ଗବେଷଣା ଚାଲିଛି|

ମୋରସଙ୍କ ନିୟମ ଅନୁଯାୟୀ 2020 ମସିହା ମଧ୍ୟରେ ଗୋଟିଏ କମ୍ପ୍ୟୁଟରର ଦାମ୍ ଏକଟଙ୍କା ହୋଇଥିବ ଓ ପ୍ରତ୍ଯେକ ଘରେ ଚାରି ପାଞ୍ଚଟି କମ୍ପ୍ୟୁଟର ରହିଥିବ| ସେତେବେଳକୁ କମ୍ପ୍ୟୁଟର ଚିପସ୍ ଆକାରରେ ଆମର ଗହଣା, ଲୁଗା, ଆସବାବ ଇତ୍ଯାଦିରେ ଲଗାଯାଇ ପାରିବ|

ବର୍ତ୍ତମାନ ଇଣ୍ଟରନେଟ୍ ଘଡ଼ି ବିଶ୍ବର କେତେକ ବଜାରରେ ବିକ୍ରି ହେଲାଣି| ଜଣେ ଲୋକ ଏହି ଘଡ଼ି ସାଙ୍ଗରେ କଥାବାର୍ତ୍ତା ହୋଇପାରିବ| ତାକୁ ପ୍ରଶ୍ନ କଲେ ଘଡ଼ି ତାହାର ଉତ୍ତର ଦେବ| ଏହି ଘଡ଼ି ଏକ ସଙ୍ଗରେ ଲାପଟାପ୍ ଓ ସେଲଫୋନ୍ କାର୍ଯ୍ୟ କରିପାରିବ| ଘଡ଼ିକୁ ଆମେ ସୁନା ମୁଦିରେ ରଙ୍ଗୀନ୍ ପଥର ଲଗାହେଲା ପରି ହାତରେ ପିନ୍ଧି ପାରିବା|

ବର୍ତ୍ତମାନ ଜି.ପି.ଏସ୍. କାନଫୁଲ ବାହାରିଲାଣି| ଏହି କାନଫୁଲ ସାଟେଲାଇଟ୍ ସହିତ ଯୋଗାଯୋଗ କରି ଆପଣଙ୍କ ବସିବାର ସ୍ଥାନ ଓ ଭଲମନ୍ଦ ତଥ୍ଯ ନିର୍ଣ୍ଣୟ କରି ଜଣାଇ ଦେବ| ଏହାଦ୍ବାରା ଅବିଭାବକମାନେ ତାଙ୍କ ପୁଅଝିଅ ନଦୀ କୂଳରେ ବୁଲୁଛନ୍ତି ବା ଖେଳ ପଡ଼ିଆରେ ଖେଳୁଛନ୍ତି ତାହା ଘରେ ବସି ଜାଣି ପାରିବେ|

ସେହିପରି ସ୍ମାର୍ଟ ଚଷମା ମଧ୍ୟ ବାହାରିଲାଣି| ଏହି ଚଷମା ସାହାଯ୍ଯରେ ଜଣେ ଲୋକ ସମୁଦ୍ର କୂଳରେ ବସି ଭିଡ଼ିଓ ଇମେଜ୍ ସାହାଯ୍ଯରେ ବହୁ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଖୁସିରେ ଦେଖିପାରିବ ଓ ଏଥିରେ ଭାଗନେଇ ପାରିବ| 2020ମସିହା ବେଳକୁ ସ୍ମାର୍ଟ ଲୁଗା, ପୋଷାକ ବାହାରିବ| ଏହି ସ୍ମାର୍ଟ ପୋଷକ ଆପଣଙ୍କର ହୃଦରୋଗ ବିଷୟରେ ଚେତାଇଦେବ ଏବଂ ପୁଲିସ୍, ଆମ୍ବୁଲାନସ୍ ଓ ଡାକ୍ତରଙ୍କୁ ଆପଣଙ୍କର ଉପସ୍ଥିତି ସ୍ଥାନ ବିଷୟରେ ଖବର ଦେବ|

ବର୍ତ୍ତମାନ ଜାପାନ ଦେଶରେ ଏକ ପ୍ରକାର ପାଇଖାନା ତିଆରି ହେଲାଣି, ଯେଉଁଥିରେ କମ୍ପ୍ୟୁଟର ଏବଂ ଅନ୍ଯାନ୍ଯ ଯନ୍ତ୍ର ଖଞ୍ଜାଯାଇଛି| ଏହି ପାଇଖାନାରେ ଆପଣ ମଳମୂତ୍ର ତ୍ଯାଗ କଲେ ତାହା ଯନ୍ତ୍ର ସାହାଯ୍ଯରେ ଆପଣଙ୍କର ମଳମୂତ୍ର ପରୀକ୍ଷା କରି ଆପଣଙ୍କୁ ତାହାର ବିବରଣୀ ଦେଇପାରୁଛି| ଯଦି କିଛି ରୋଗ ଥାଏ, ତେବେ କେଉଁ ଔଷଧ ବ୍ଯବହାର କରିବେ, ତାହା ମଧ୍ୟ ବତାଇ ଦେବ ପାଇଖାନା|

ବିଜ୍ଞାନର ଉଦ୍ଭାବନ କାର୍ଯ୍ୟ ଏପରି ଚାଲିଛି ଯେ 2020 ମସିହା ପୂର୍ବରୁ ସମ୍ଭବ ହୋଇଯିବ କୃତ୍ରିମ ମେଧା| ବର୍ତ୍ତମାନ ଆମର ମସ୍ତିଷ୍କ ସେକେଣ୍ଡ ପ୍ରତି 500 ଟ୍ରିଲିୟନ ବାଇଟସ୍ ବିଶ୍ଳେଷଣ କରୁଛି|

ମୋର୍ସଙ୍କ ପଦ୍ଧତି ଅନୁଯାୟୀ 2020 ମସିହା ବେଳକୁ ଏପରି କମ୍ପ୍ୟୁଟର ବାହାରିବ ଯାହା ମସ୍ତିଷ୍କକୁ ଟପିଯିବ| 2020 ମସିହାବେଳକୁ ଡି.ଏନ୍.ଏ ବିପ୍ଳବ ଆରମ୍ଭ ହେବ| ଏପରି ବିପ୍ଳବ ଆରମ୍ଭ ହେଲେ ପ୍ରତ୍ଯେକ ଡାକ୍ତରଙ୍କୁ ରୋଗୀର ରୋଗ ନିର୍ଣ୍ଣୟ କରିବାପାଇଁ କମ୍ପ୍ୟୁଟରର ସାହାଯ୍ଯ ନେବାକୁ ପଡ଼ିବ| ଜଣେ ଡାକ୍ତର ରୋଗୀର ଚର୍ମକୁ ପରୀକ୍ଷା କରି ଆପଣଙ୍କୁ ଏକ କ୍ରେଡ଼ିଟ୍ କାର୍ଡ ଦେବ| ସେହି କ୍ରେଡ଼ିଟ୍ କାର୍ଡରେ ରୋଗୀର ଏକଲକ୍ଷ ଜିନ୍ ଗଚ୍ଛିତ ଥିବ| ତାହାକୁ ଆପଣଙ୍କ ଶରୀରର ମାନୁଆଲ କହିଲେ ଅତ୍ୟୁକ୍ତି ହେବ ନାହିଁ|

ମନେକରାଯାଉ ରୋଗୀର ଶରୀରରେ 12ଟି ଜିନ୍ ଖରାପ ହୋଇଗଲା| ରୋଗୀ ଅନାୟାସରେ ଗଚ୍ଛିତ ଜିନକୁ ନିଜ ଜିନ ଆଣଣି ଖରାପ ଜିନ୍ ବଦଳାଇ ନୂଆ ଜିନ୍ ବଳରେ ରୋଗମୁକ୍ତ ହୋଇପାରିବ|

ଆଗାମୀ 25-30 ବର୍ଷ ମଧ୍ୟରେ ଆମ ଶରୀରରେ ପ୍ରତ୍ଯେକ ଅଙ୍ଗ ଆମେ ତିଆରି କରି ସାଇତି ରଖିପାରିବା| ଗୋଟିଏ ଅଙ୍ଗ ଖରାପ ହେଲେ ଆମେ ତାହା ସ୍ଥାନରେ ନୂଆ ଅଙ୍ଗ ଯୋଡ଼ି ଦେଇପାରିବା|

ଉଦାହରଣସ୍ବରୂପ ହୃତ୍ପିଣ୍ଡ ଖରାପ ହୋଇଗଲା ପରେ ପୁରାତନ ହୃତ୍ପିଣ୍ଡକୁ ବଦଳାଇ ଏକ ନୂତନ ହୃତ୍ପିଣ୍ଡ ସାହାଯ୍ଯରେ ପୁନଶ୍ଚ ହୃଷ୍ଟପୁଷ୍ଟ ହୋଇପାରିବେ| ଏହିପରି ଆଉ ଏକ ଚମକପ୍ରଦ ଘଟଣା ଘଟିବାକୁ ଯାଉଛି -ପିଲା ଜନ୍ମ ହେଲେ ତା’ର ଶରୀରରୁ ଷ୍ଟେମ୍ ସେଲସ୍ ନିର୍ଗତ କରି ତାକୁ ଅନ୍ଯତ୍ର ବନାଇ ପୁଣି ପିଲାର ପରିଣତ ବୟସରେ ଆବଶ୍ଯକ ହେଲେ ବଦଳାଯାଇପାରିବ|

2030 ମସିହା ବେଳକୁ କ୍ଯାନ୍ସର ଦୁଃସାଧ୍ୟ ବ୍ଯାଧି ହୋଇ ରହିବନାହିଁ| ଯେଉଁ ଭୁଲ ଜେନେଟିକ ପ୍ରକ୍ରିୟା ପାଇଁ କ୍ଯାନସର ରୋଗ ହୋଇଥାଏ ତାହା ଏବେ ପରିଷ୍କାର ରୂପେ ଜଣାପଡ଼ିଲାଣି| ସେହି ତ୍ରୁଟିଯୁକ୍ତ ଗୁଣସୂତ୍ରକୁ ବଦଳାଇ ତାହା ସ୍ଥାନରେ ନୂତନ ଗୁଣସୂତ୍ରକୁ ରୋପଣ କଲେ ମଣିଷ କ୍ଯାନସର ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବ|

ମଣିଷ ଆଉ ବୁଢ଼ା ହେବନି| ଯେଉଁ ତିନିଗୋଟି ଗୁଣସୂତ୍ର ମଣିଷକୁ ବୁଢ଼ା କରିଦିଏ, ତାହା ଏବେ ଭଲଭାବରେ ଜଣାପଡ଼ିଲାଣି| ଜଣେ ଯଦି ଏହି ତିନିଗୋଟି ପୁରୁଣା ଜିନକୁ ଆୟତ୍ତ କରି, ତାହା ସ୍ଥାନରେ ନୂତନ ଜିନ୍ ଆଣି ଖଞ୍ଜିଦିଅନ୍ତା, ତାହେଲେ ସେ ଯେତେଦିନ ଚାହିଁବ, ସେତେଦିନ ପର୍ଯ୍ଯନ୍ତ ଯୁବକ ହୋଇରହିପାରିବ|

ବିଜ୍ଞାନର ଏହି ଅବଦାନ ପରିପ୍ରେକ୍ଷୀରେ ବିଚାର କଲେ ମନକୁ ଗୋଟେ ପ୍ରଶ୍ନ ଆସେ ଯେ ସତରେ କ’ଣ ବୈଜ୍ଞାନିକମାନେ ଭଗବାନ, ଯେଉଁମାନେ ଏକ ନୂତନ ଧରଣର ସମାଜ 2050 ମସିହା ବେଳକୁ ସୃଷ୍ଟି କରିବାକୁ ଯାଉଛନ୍ତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top