ଈଶ୍ବରଙ୍କ ତୃତୀୟ ପୁରୁଷ

News Story - Posted on 2016-06-26

ଦେବେନ୍ଦ୍ର ପୃଷ୍ଟି

 

ଈଶ୍ବରଙ୍କୁ ଅନେକେ ଅନେକ ପ୍ରକାରେ ଦେଖିଛନ୍ତି ବୋଲି କହିଛନ୍ତି। କିଏ ତାଙ୍କୁ ମା’ ରୂପରେ ଏବଂ କିଏ ତାଙ୍କୁ ବାପା ରୂପରେ ଦେଖିଥିବା କୁହନ୍ତି। କେତେକ ତାଙ୍କର ଚାରିଟି ହାତ ଥିବା ଓ ଶ୍ୟାମଳ ବର୍ଣ୍ଣର ବୋଲି କହୁଥିବା ବେଳେ କେତେକ କୁହନ୍ତି ଈଶ୍ବର ଜଣେ ମଣିଷ। ପ୍ରତ୍ୟେକ ଧର୍ମ କୁହେ ଈଶ୍ବର ହିଁ ଏ ସୃଷ୍ଟିର ଜନକ। ତେବେ ତାଙ୍କର ବିଭିନ୍ନ ରୂପ କାହିଁକି? ଅରୂପର ପୁଣି ସ୍ବରୂପ କ’ଣ? ନିରାକାରର ପୁଣି ଆକାର କ’ଣ ଏବଂ ନିଗୁର୍ଣର ପୁଣି ଗୁଣ କ’ଣ? ଯଦି ସେ ସୃଷ୍ଟିର ସୃଷ୍ଟିକର୍ତ୍ତା ତେବେ ହିନ୍ଦୁ, ବୌଦ୍ଧ, ଖୀରସ୍ତାନ, ମହମ୍ମଦିଆନ, ଜୈନ ଓ ଶିଖ ଆଦି ଧର୍ମ ଓ ଦର୍ଶନରେ ଅଲଗା ଅଲଗା ଭାବ, ରୂପ ଓ ଗୁଣରେ ବର୍ଣ୍ଣିତ କିପରି?

 

ଇଂରେଜ କବି ଉଇଲିୟମ ବ୍ଲେକ୍ ତାଙ୍କର ଅଗରିଜ‍୍‌ ଅଫ୍ ଇନୋସେନ୍ସ କବିତାରେ ଲେଖିଥିଲେ- ଟୁ ସି ଏ ୱାର୍ଲଡ ଇନ୍ ଏ ଗ୍ରେନ୍ ଅଫ୍ ସ୍ୟାଣ୍ଡ/ ଆଣ୍ଡ ଏ ହେଭେନ୍ ଇନ୍ ଆନ୍ ୱାଇଲ୍ଡ ଫ୍ଲାୱାର/ହୋଲ୍ଡ ଇନ୍‌ଫିନିଟି ଇନ୍ ଦ ପାମ‍୍‌ ଅଫ୍ ୟୋର୍ ହ୍ୟାଣ୍ଡ/ ଆଣ୍ଡ ଇଟର୍ନିିଟି ଇନ୍ ଆନ୍ ଆୱାର୍। ଏଇ କବିତାଂଶଟିର ଓଡ଼ିଆ ଅନୁବାଦ ଏପରି ହୋଇପାରେ- ଦେଖ ଦେଖ ବାଲିରେଣୁରେ ପୃଥିବୀ/ ସ୍ବର୍ଗ ଅରଣ୍ୟ କୁସୁମ ଦଳେ/ ଅସୀମକୁ କରତଳେ ଧରି ରଖ/ ଅନନ୍ତ ସମୟ ରଖ ଘଡ଼ିରେ !

 

ଅନନ୍ତକୁ କିଛି ସମୟ ମଧ୍ୟରେ ଅନୁଭବ କରିବା ହିଁ କାଳାତୀତ ଭାବ। ଅସୀମକୁ ସସୀମ ଭଳି ଭାବି ନେଇ ଅରଣ୍ୟାନୀର କୁସୁମରାଜିକୁ ନିଜନିଜ ସ୍ବର୍ଗର ନନ୍ଦନକାନନ ଏବଂ ସାମ୍ନାରେ ଦିଶୁଥିବା କ୍ଷୁଦ୍ରାତିକ୍ଷୁଦ୍ର ବାଲିରେଣୁକାରେ ମହାଜାଗତିକ ବିଶ୍ବର ଅବସ୍ଥିତି ଅନୁଭବ କରିବା ହିଁ ଆଧ୍ୟାତ୍ମିକତା। ଏଇ ଆଧ୍ୟାତ୍ମିକତାର ଅନୁଭୂତିରେ ବ୍ୟକ୍ତି ନୈର୍ବ୍ୟକ୍ତିକ ସ୍ତରକୁ ଗତି କରେ, ଅହଂକାର ଅନୁବନ୍ଧିତ ହୁଏ ଏବଂ କାମନା କାମରହିତ ହୋଇ ବିଶ୍ବରେ କଲ୍ୟାଣକର ନାନ୍ଦନିକତା ବିଛାଇ ଦିଏ।

 

ଦେଶର ସୀମା ବାହାରେ, ସଭ୍ୟତାର ଗୁଣ ବାହାରେ, ଧର୍ମର ଆନୁଗତ୍ୟ ଭାଙ୍ଗି, ସଂପ୍ରଦାୟର ଶୃଙ୍ଖଳ ତେଜି ଏବଂ ଜାତି ଓ ବର୍ଣ୍ଣର ସଂକୀର୍ଣ୍ଣତାର ଉର୍ଦ୍ଧ୍ବରେ ଯାହା ଚିନ୍ତା କରାଯାଏ, ଯାହା କଲ୍ୟାଣକର ବୋଧହୁଏ ଏବଂ ଯାହା ପାର୍ଥିବ ସଂହତି ରକ୍ଷାକରେ ତାହା ହେଉଛି ଆଧ୍ୟାତ୍ମିକ କ୍ରିୟା ବା ଅପାର୍ଥିବ ଅନୁକ୍ରିୟା। ଏହା ବ୍ୟକ୍ତିକୁ ବ୍ରହ୍ମଲୀନ କରାଏ। ବ୍ରହ୍ମ ଏଠାରେ ସର୍ବକଲ୍ୟାଣକାରୀ ସ୍ଥିତି ଭାବେ ପରିଗୃହୀତ। କିନ୍ତୁ ଏହି ମହାମାନବିକ ସତ୍ୟକୁ ମାନବ ସଭ୍ୟତାର କ୍ଷୁଦ୍ରକ୍ଷୁଦ୍ର ଧର୍ମ, ଦର୍ଶନ ଓ ପରମ୍ପରାର ପ୍ରଲେପ ବୋଳି ଅତି ସଂକୀର୍ଣ୍ଣ ଓ ସଂକୁଚିତ କରି ଦେଇଛନ୍ତି। ବ୍ରହ୍ମାଣ୍ଡ ବା ଜଗତର ସର୍ବୋଚ୍ଚ, ସର୍ବମୟ ଓ ସର୍ବକାରକ ଯିଏ ସିଏ ବ୍ରହ୍ମ, ଈଶ୍ବର, ଭଗବାନ୍, ଗଡ଼‍୍‌ କିମ୍ବା ଆଲ୍ଲା ଯିଏ ହୁଅନ୍ତୁ ନା କାହିଁକି ସେ ଏକ ହିଁ ମାତ୍ର। ତାଙ୍କର ଦ୍ବିତୀୟ କେହି ନାହାନ୍ତି। ଆଉରି ବିି ସେ ନିଜେ ହିଁ କର୍ତ୍ତା, କ୍ରିୟା ଓ କର୍ମ। ଯେହେତୁ ସେ ଗୁଣାତୀତ ତାଙ୍କର ଗୁଣ ଅଲଗା ହୋଇ ନପାରେ। ଯେହେତୁ ସେ ନିରାକାର ତାଙ୍କର ଆକୃତି ଅଙ୍କନାତୀତ ଏବଂ ଯେହେତୁ ସେ ନିର୍ବିକାର ତେଣୁ ତୋରମୋର ସମେତ ଅନ୍ୟ ସମସ୍ତ ଭେଦାଭେଦ ତାଙ୍କ ନିକଟରେ ଅତି ଦୟନୀୟ ଭାବେ ପରାଜିତ। ଏ ତତ୍ତ୍ବ ପୃଥିବୀର ପ୍ରାୟ ସବୁ ଦାର୍ଶନିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଶୁଣାଇଯାଇଅଛନ୍ତି। ଈଶ୍ବର ଅନିର୍ଦ୍ଦିଷ୍ଟ, କିନ୍ତୁ ତାଙ୍କୁ ନିର୍ଦ୍ଦିଷ୍ଟ କରିଦେବା ଫଳରେ ଯାବତୀୟ ସମସ୍ୟା ସୃଷ୍ଟି ହେଉଛି।

 

ପୃଥିବୀରେ ଏପରି ଏକ ସଂସ୍କୃତିର ଆବଶ୍ୟକତା ରହିଛି ଯାହା ସବୁ ଜାତି, ସବୁ ଦେଶ ଓ ସବୁ ଧର୍ମର ଲୋକ ଏବଂ ଜନ୍ତୁଜାନୁଆର୍ ତଥା ଉଦ୍ଭିଦ ଜଗତ ପାଇଁ ମଙ୍ଗଳକର ହୋଇପାରିବ। ସେଥିପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ଈଶ୍ବରରେ ବିଶ୍ବାସ ନକରିବା, କୌଣସି ନିର୍ଦ୍ଦିଷ୍ଟ ସତ୍ୟର ପ୍ରମାଣ ନକରିବା। ନେତି ନେତି ବା ଏହା ନୁହେଁ ଏହା ନୁହେଁ ଏବଂ ଚରୈବତି ଚରୈବତି ବା ଆଗକୁ ଆଗକୁ ନୀତି ହିଁ ଏହି ସିଦ୍ଧାନ୍ତର ନିକଟତର ହେବାକୁ ସହାୟକ ହୋଇପାରେ।

 

ଈଶ୍ବର ଏକ, ଅନେକ ବା କେହି ନୁହନ୍ତି ସେ ସଂପର୍କରେ ବୃହଦାରଣ୍ୟକ ଉପନିଷଦରେ ଏକ ଚମତ୍କାର ବ୍ୟାଖ୍ୟା ଅଛି। ଏହି ଉପନିଷଦର ତୃତୀୟ ଭାଗ ନବମ ବ୍ରାହ୍ମଣରେ ଯାଜ୍ଞବଲ୍‌କ୍ୟ ଓ ବିଦଗ୍‌ଧ ଶାକଲ୍ୟଙ୍କ ମଧ୍ୟରେ ହୋଇଥିବା କଥେପାକଥନ ସ୍ଥାନିତ ହୋଇଛି। ବିଦଗ୍‌ଧ ଶାକଲ୍ୟ ଯାଜ୍ଞବଲ୍‌କ୍ୟଙ୍କୁ ପଚାରିଛନ୍ତି- ଋଷି ମହାତ୍ମନ! କେତେ ଦେବତା ଅଛନ୍ତି? ଯାଜ୍ଞବଲ୍‌କ୍ୟ ଉତ୍ତର ଦେଇଛନ୍ତି- ତିନି ହଜାର ତିନି ଓ ତିନି ଶତ ତିନି। ଶାକଲ୍ୟ ପୁନର୍ବାର ପୁଛା କରନ୍ତେ ଯାଜ୍ଞବଲ୍‌କ୍ୟଙ୍କ ଉତ୍ତର ହେଲା ତେତ୍ରିଶ। ପୁଣି ସମାନ ପ୍ରଶ୍ନ ଓ ଏହାର ଉତ୍ତର ହେଲା ଛ। ସେହି ଏକା ପ୍ରଶ୍ନର ଅନ୍ୟ ଏକ ଉତ୍ତର ଦେଲେ ଯାଜ୍ଞବଲ୍‌କ୍ୟ, ତିନି। ଶାକଲ୍ୟ ପୁଣି ଥରେ ପଚାରିଛନ୍ତି ଓ ଯାଜ୍ଞବଲ୍‌କ୍ୟ ଉତ୍ତର ଦେଇଛନ୍ତି, ଦୁଇ। ଶେଷ ଥରର ଉତ୍ତର ହୋଇଛି ଏକ ଓ ସେହି ଏକ ଈଶ୍ବରଙ୍କୁ ଲୋକେ ବ୍ରହ୍ମ କୁହନ୍ତି ବୋଲି ଯାଜ୍ଞବଲ୍‌କ୍ୟ କହିଛନ୍ତି।

 

ତୈତ୍ତିରୀୟ ଉପନିଷଦର ଭୃଗୁବଲ୍ଲୀରେ ମଧ୍ୟ ତଦ୍ରୁପ ଏକ କାହାଣୀ ସ୍ଥାନ ପାଇଛି। ପିତା ବରୁଣଙ୍କୁ ଭୃଗୁ ବ୍ରହ୍ମ କ’ଣ ଜିଜ୍ଞାସା କରନ୍ତେ ବରୁଣଙ୍କ ଉତ୍ତର ହେଲା- ଯତୋ ବା ଇମାନି ଭୂତାନି ଜାୟନ୍ତେ, ଯେନ ଯାତାନି ଜୀବନ୍ତି, ଯତ୍ ପ୍ରୟାନ୍ତି ଅଭିସମ୍ବିସନ୍ତି ତଦ୍ ବ୍ରହ୍ମେତି। ଯାହାଠାରୁ ସମସ୍ତେ ଜନ୍ମ, ଜନ୍ମ ପରେ ଯାହା ଦ୍ବାରା ସମସ୍ତେ ବଞ୍ଚନ୍ତି ଏବଂ ମୃତ୍ୟୁ ପରେ ଯାହାଠାରେ ସମସ୍ତେ ଲୀନ ହୁଅନ୍ତି ସେ ବା ତାହା ହିଁ ବ୍ରହ୍ମ। ତୈତ୍ତିରୀୟ ଉପନିଷଦର ଏହି ତତ୍ତ୍ବରୁ ହିଁ ଈଶ୍ବର ପରିକଳ୍ପନାର ସୃଷ୍ଟି। ଈଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ପୁରୁଷ ବୋଲି କୁହାଯାଏ।

 

ଈଶା ଉପନିଷଦ୍ କହେ ପରଂବ୍ରହ୍ମ ପରମ ପୁରୁଷ ହେଲେ- ତଦେଜାତି ତନୈଜାତି ତଦ୍‌ଦୂରେ ତଦ୍‌ବଦାନ୍ତିକେ/ ତଦନ୍ତରସ୍ୟ ସର୍ବସ୍ୟ ତଦୁ ସର୍ବସ୍ୟାସ୍ୟ ବାହ୍ୟତଃ। ସେ ଚଳମାନ ପୁଣି ସ୍ଥିର, ସେ ବହୁତ ଦୂରରେ ପୁଣି ନିକଟରେ, ସେ ସମସ୍ତଙ୍କ ଭିତରେ ଥାନ୍ତି ପୁଣି ବାହାରେ ମଧ୍ୟ ଥାନ୍ତି। ମୈତ୍ରୀ ଉପନିଷଦରେ ଏଇ ପୃଥିବୀକୁ ହିଁ ବ୍ରହ୍ମ ବା ଈଶ୍ବର ବୋଲି କୁହାଯାଇ ତାହାର ମଙ୍ଗଳ କରିବାକୁ ନିଦ୍ଦେର୍ଶ ଦିଆଯାଇଛି। ଏହାର ଚତୁର୍ଥ ଚ୍ଛେଦ ଷଷ୍ଠ ଅନୁଚ୍ଛେଦର ଷଷ୍ଠ ଶ୍ଳୋକରେ କୁହାଯାଇଛି- ବ୍ରହ୍ମ ଖଳୁ ଇଦମ ବା ବ ସର୍ବମ। ଅର୍ଥାତ ଏ ବିଶ୍ବ ହିଁ ବ୍ରହ୍ମ। ଛାନ୍ଦୋଗ୍ୟାଦି ଉପନିଷଦ ସମୂହର ଅନେକ ସ୍ଥଳରେ ପ୍ରାଣ ଓ ଅନ୍ନାଦିକୁ ମଧ୍ୟ ବ୍ରହ୍ମ ବା ଈଶ୍ବରର ମାନ୍ୟତା ଦିଆଯାଇଛି।

 

ଆର୍ଯ୍ୟ ଦର୍ଶନରେ ଈଶ୍ବର ତତ୍ତ୍ବ ଅବଶ୍ୟ ବଡ଼ ମୁକ୍ତ ଓ ଉଦାର। ଏଠାରେ ପରମ କାରୁଣିକ ବୁଦ୍ଧଙ୍କୁ ଅବତାର ଭାବେ ଗ୍ରହଣ କରାଯାଇଥିବା ବେଳେ କ୍ଷତ୍ରୀୟ ରକ୍ତରଞ୍ଜିତ ପର୍ଶୁଧାରୀ ପର୍ଶୁରାମଙ୍କୁ ମଧ୍ୟ ଅବତାରର ମାନ୍ୟତା ଦିଆଯାଇଛି। ବେଦୋପନିଷଦରେ ସାମଗ୍ରିକ ଭାବେ ମାନବ ଜୀବନକୁ ଏବଂ ତତ୍ସହିତ ଏ ଜଗତର ସମସ୍ତ ଅଂଶବିଶେଷକୁ ସମପ୍ରାଧାନ୍ୟ ଦିଆଯାଇଛି। ମଣିଷ ଯଦି ନରହିବ ତେବେ କାହା ପାଇଁ ଧର୍ମ? କାହା ପାଇଁ ଦର୍ଶନ? କାହା ପାଇଁ ବ୍ରହ୍ମ ଓ କାହା ପାଇଁ ଈଶ୍ବର? ସେଇଥି ପାଇଁ କୁହାଯାଏ, କେବଳ ସେହି ହିଁ ସର୍ବୋତ୍ତମ ଆଧ୍ୟାତ୍ମବାଦୀ ହୋଇପାରିବ ଯିଏ ବିଶ୍ବକୁ ନିଜର କରିପାରିବ, ବିଶ୍ବ ଜୟକରି ନୁହେଁ, ବିଶ୍ବରେ ବିଲୀନ ହୋଇ।

 

 ୨.

ଈଶ୍ବର ଏକ ଅନିର୍ଦ୍ଦିଷ୍ଟ ପରିଚିତି । ଈଶ୍ବରଙ୍କର ଯେଉଁ ସବୁ ଗୁଣ କଳ୍ପନା କରାଯାଇଛି ସେହିସବୁ ଗୁଣ ନେଇ ବଞ୍ଚିଥିବା କେତେକ ପାର୍ଥିବ ଏବଂ ପାର୍ଥିବର ରୂପ ବହନ କରି ପ୍ରକଟ ହେଉଥିବା ଅପାର୍ଥିବ ଚରିତ୍ର କେବଳ ଯାହା ଆମ ଆଖି ଆଗରେ ପଡ଼େ ଏବଂ ଶରୀର ଅନୁଭବ କରେ। ଏ ଅନୁଭବ ପୁଣି ଦୁଇ ପ୍ରକାର- ବାହ୍ୟ ଏବଂ ଅନ୍ତରୀଣ। ଈଶ୍ବରଙ୍କର ଯେଉଁସବୁ ଗୁଣ କଳ୍ପନା କରାଯାଇଛି ତାହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଚରିତ୍ର ସତ୍ତା ମଧ୍ୟରେ ଆବଦ୍ଧ ରହିପାରେନା। ତାଙ୍କୁ ଯେହେତୁ ସବୁକ୍ରିୟାର ଉତ୍ସ ଏବଂ ସବୁ କ୍ରିୟାର କାରକ ଭାବେ ଚିତ୍ରିତ କରାଯାଇଛି ସେହେତୁ ସେ ସର୍ବବ୍ୟପାୀ ବା ସବୁଠାଇଁ ତାଙ୍କର ଉପସ୍ଥିତି ଅବଧାରିତ ବା ଏକାନ୍ତ କାମ୍ୟ। କାରଣ ସେ ନଥିଲେ ସେ ପରିଚିତି ହିଁ ନଥାନ୍ତା ଏବଂ ଯେହେତୁ ସେ ଅବଧାରିତ ତେଣୁ ସେ ନିୟନ୍ତ୍ରିତ, ଅନ୍ତତଃ ଯେଉଁ ବୋଧଗମ୍ୟତାରେ ଆମେ ତାଙ୍କୁ ବୁଝୁ ବା ତାଙ୍କର ଗୁଣ କଳ୍ପନା କରୁ ସେଇ ବୋଧଗମ୍ୟତାରେ ସେ ନିୟନ୍ତ୍ରିତ। ମାତ୍ର ସେ ନିୟନ୍ତ୍ରିତ ନୁହନ୍ତି ବୋଲି ବି ଆମେ କଳ୍ପନା କରିଛୁ। ତେଣୁ ଯେଉଁ ବୋଧଗମ୍ୟତାରେ ଆମେ ତାଙ୍କୁ ଏପର୍ଯ୍ୟନ୍ତ ବୁଝିଆସିଛୁ ସେଇ ବୋଧଗମ୍ୟତା ବା ନିର୍ଦ୍ଦିଷ୍ଟ ପରିଚିତି ଈଶ୍ବର ନିଜେ ଏକ ବିରୋଧାଭାସ ଏବଂ ଦ୍ବନ୍ଦ୍ବ ଓ ସନ୍ଦେହ ସୃଷ୍ଟିକାରୀ ପରିଚିତି!

 

ସେ ସବୁ କ୍ରିୟାର କାରକ- ଏଇ ଯେଉଁ ପରିକଳ୍ପନା ଆମେ କରିଛୁ ତାହା ଯଦି ସତ୍ୟ ବୋଲି ଧରିନିଆଯାଏ ତେବେ ଏକଥା ବି ଧରିନିଆଯିବ ଯେ ସେ ଧର୍ମର ବି କାରକ, ପାପର ବି କାରକ। କିନ୍ତୁ ଆମେ ତାଙ୍କୁ ଭକ୍ତି ଓ ସମ୍ମାନର ଯେଉଁ ଉଚ୍ଚାସନ ଦେଇଛୁ ଓ ତାଙ୍କୁ ସର୍ବମଙ୍ଗଳକାରକ ବୋଲି ଯେଭଳି ଭାବେ ଚିତ୍ରଣ କରିଛୁ ସେଥିରେ ସେ ପାପ କରୁଛନ୍ତି ବୋଲି କହିପାରିବା ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ପ୍ରାଣଦାତା ଓ ହତ୍ୟାକାରୀ ହୋଇ ନପାରନ୍ତି। ଏ ଉଭୟ ଯେହେତୁ ଅଲଗା ଅଲଗା ପ୍ରକ୍ରିୟା ସେହେତୁ ଯେଉଁ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଜଣେ ଜୀବଦାନ ଦିଏ ସେଇ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ହତ୍ୟାକାରୀ ହୋଇପାରନ୍ତି ନାହିଁ। ଏ ଯୁଗ୍ମପ୍ରକ୍ରିୟା ଅବଶ୍ୟ ଅନବରତ ଚାଲିପାରେ। ଏହି ଅର୍ଥରେ ଈଶ୍ବରଙ୍କୁ କାଳାତୀତ ବା ଅନନ୍ତ, ଅବିନଶ୍ବର ଓ ଅକ୍ଷୟ ବୋଲି କୁହାଯାଇଛି। ସେ ସନାତନ ହୋଇଗଲେ ବି ନିର୍ଦ୍ଦିଷ୍ଟତା ହରାଇବସିବେ। ତେଣୁ ସେ ଅନିର୍ଦ୍ଦିଷ୍ଟ।

 

ତାଙ୍କୁ କାଳାତୀତ ବୋଲି କଳ୍ପନା କରାଗଲେ ସେ ସବୁ କାଳକୁ ପ୍ରତିନିଧିତ୍ବ କରିବେ। ତେଣୁ ସବୁକାଳରେ ବଞ୍ଚିରହିବା ତାଙ୍କ ପାଇଁ ନିହାତି ଜରୁରୀ। ମାତ୍ର ସେ ସବୁକାଳରେ ନଥାନ୍ତି- ଏଇ ଅର୍ଥରେ ଅନ୍ତତଃ ଯେଉଁ ଅର୍ଥରେ ଆମେ ତାଙ୍କୁ ଏଯାବତ୍ ଗ୍ରହଣ କରିଆସିଛୁ। ସେ ସନାତନ ହୋଇଗଲେ ନୈର୍ବ୍ୟକ୍ତିକ ହୋଇଯିବେ। ଏବଂ ସେ ଯଦି ନୈର୍ବ୍ୟକ୍ତିକ ତେବେ ସେ ନିଶ୍ଚିତ ଭାବରେ ଯୀଶୁ ନୁହନ୍ତି କି ରାମ ନୁହନ୍ତି, କୃଷ୍ଣ ନୁହନ୍ତି କି ମହମ୍ମଦ ନୁହନ୍ତି, ବୁଦ୍ଧ ନୁହନ୍ତି କି ଜୈନ ନୁହନ୍ତି। ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ଈଶ୍ବରଙ୍କର ଅବତାର ଭାବେ ଗ୍ରହଣ କରାଗଲେ ବି ସନ୍ଦେହର ସମ୍ଭାବନା ଓ ଆଶଙ୍କା ରହିଛି। ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଗୁଣର ଅଧିକାରୀ ନୁହନ୍ତି। ଆମେ ଜାଣିଥିବା ସବୁଗୁଣର ଅଧିକାରୀ ତ କେହି ବି ନାହାନ୍ତି, ଜନ୍ମ ହେବେ କି ନାହିଁ ସନ୍ଦେହ !

 

କୌଣସି ନିର୍ଦ୍ଦିଷ୍ଟ ଗୁଣ ବା କେତେକ ନିର୍ଦ୍ଦିଷ୍ଟ ଗୁଣର ସମାହାର ଯେଉଁ ପରିଚିତି ବହନ କରନ୍ତି ତାଙ୍କୁ ଯଦି ଈଶ୍ବର ବୋଲି କୁହାଯାଏ ତେବେ ତାହା ସାମଗ୍ରିକତା ଓ ସର୍ବବ୍ୟାପକତା ସିଦ୍ଧାନ୍ତକୁ ବିରୋଧ କରିବ। ତେଣୁ ବି ସେ ନିର୍ଦ୍ଦିଷ୍ଟ ନୁହନ୍ତି କି ନିର୍ଦ୍ଦିଷ୍ଟମାନଙ୍କର ସମାହାର ନୁହନ୍ତି। ନିର୍ଦ୍ଦିଷ୍ଟ ହେଲେ ଅସମ୍ପୂର୍ଣ୍ଣ ବା ଅପୂର୍ଣ୍ଣ ରହିବାର ଆଶଙ୍କା ଅଛି। କିନ୍ତୁ ତାଙ୍କୁ ସ୍ବୟଂସଂପୂର୍ଣ୍ଣ ବୋଲି ମଧ୍ୟ କଳ୍ପନା କରାଯାଇଛି। ତେବେ, ସେ ଯାହା ବି ହେଉ, କୌଣସି ନିର୍ଦ୍ଦିଷ୍ଟ ପରିଚିତିକୁ ଯଦି ଈଶ୍ବର ବୋଲି କୁହାନଯିବ ତେବେ ତାଙ୍କୁ ବୁଝିବା ଆମମାନଙ୍କ ଭିତରୁ ଅଧିକାଂଶଙ୍କର ଅସୁବିଧା ହେବ ବା ଅନେକେ ତାଙ୍କୁ ଆଦୌ ବୁଝିପାରିବେ ନାହିଁ, ବୋଧଗମ୍ୟ କରିବା ତ ଦୂରର କଥା। ତାଙ୍କୁ ବୁଝିବା ପାଇଁ ଖାସ‍୍‌ ବୋଧଗମ୍ୟତାର ସ୍ତରକୁ ଆଣିଲେ ସେ ନିୟନ୍ତ୍ରିତ ହୋଇଯାଉଥିବାରୁ ପୁଣିଥରେ ଆମର ଯୁକ୍ତି ବିରୋଧାଭାସର ସମ୍ମୁଖୀନ ହୁଏ।

 

ଈଶ୍ବର ମଣିଷଙ୍କୁ ସୃଷ୍ଟି କରି ନାହାନ୍ତି, ମଣିଷ ଈଶ୍ବରଙ୍କୁ ସୃଷ୍ଟି କରିଛି। ସେ ହେଲେ ମଣିଷ-ସୃଷ୍ଟ ଏକ ପରିକଳ୍ପନା। ମଣିଷ-ସୃଷ୍ଟ ଏବଂ ବିବର୍ତ୍ତିତ। ସେହି ହେତୁରୁ ସେ ନିୟନ୍ତ୍ରିତ। ଏବଂ ଯେହେତୁ ସେ ନିୟନ୍ତ୍ରିତ ତେଣୁ ତାଙ୍କର ପରିବର୍ତ୍ତନ, ଅବକ୍ଷୟ ଓ ବିଲୁପ୍ତି ସମ୍ଭବ। ସାମଗ୍ରିକ ଭାବେ ମଣିଷ ଯେହେତୁ ପରିବର୍ତ୍ତନଶୀଳ ଓ ନିୟନ୍ତ୍ରିତ ତେଣୁ ତା’ର ଚିନ୍ତା, କଳ୍ପନା ଓ ଦର୍ଶନ ମଧ୍ୟ ପରିବର୍ତ୍ତନଶୀଳ ଓ ନିୟନ୍ତ୍ରିତ। ଯଦି ଏହା ତେବେ ଈଶ୍ବର ସଂପର୍କୀତ କଳ୍ପନା ମଧ୍ୟ ଏଇଆ। ଅଥଚ ଏପର୍ଯ୍ୟନ୍ତ ଆମେ ସେ କଳ୍ପନାକୁ ଏଥିର ଉର୍ଦ୍ଧ୍ବରେ ରଖିଆସିଛୁ। ଅର୍ଥାତ ଯାହା ଆମେ ଜାଣିବାର ପ୍ରୟାସ କରି ଜାଣି ନପାରିଛୁ ତାହାକୁ ଈଶ୍ବର ବୋଲି କହି ନିଜକୁ ତତ୍ତ୍ବଜ୍ଞ ବା ଦାର୍ଶନିକ ଭାବେ ପ୍ରତିଷ୍ଠିତ କରି ଖୁବ୍ ସହଜରେ ଖସିଯାଇଛୁ। ଅଥଚ ଦାର୍ଶନିକତାର ଏହି ଚଞ୍ଚକତାରେ ସାଧାରଣ ଲୋକ ଜାଣିପାରେ ନାହିଁ ଯେ ତା ପାଇଁ ପୂର୍ବର ପ୍ରଶ୍ନ ସେହିପରି ଅସମାହିତ ହୋଇ ରହିଥିବା ବେଳେ ସେ କେବଳ ବିଭ୍ରାନ୍ତ ହୋଇଥାଏ ଯାହା!

ମଣିଷ ପରିକଳ୍ପିତ ଈଶ୍ବର ରୂପକଳ୍ପରୁ ଏତିକି ଅନ୍ତତଃ ଗ୍ରହଣ କରିନିଆଯିବା ଉଚିତ ଯେ ଈଶ୍ବର ବୋଲି ନିର୍ଦ୍ଦିଷ୍ଟ କେହି ନାହାନ୍ତି। ମାତ୍ର ତାଙ୍କର ସମସ୍ତ ଗୁଣ, ଚରିତ୍ର, କ୍ରିୟା, ପ୍ରତିକ୍ରିୟା ଏବଂ ଉପାଦାନ ରହିଛି। ଏ ମହାଜାଗତିକ ବିଶ୍ବରେ ଭଗବତ ସତ୍ତା ବିଦ୍ୟମାନ ଏବଂ ଉପଲବ୍ଧ। କିନ୍ତୁ ଭଗବାନ ଉପଲବ୍ଧିରୁ ଉର୍ଦ୍ଧ୍ବରେ ଏବଂ ଅବର୍ତ୍ତମାନ। ଭଗବତ‍୍‌ ସତ୍ତା ପ୍ରତି ମୁହୂର୍ତ୍ତରେ କାର୍ଯ୍ୟ କରି ଚାଲିଛି। ଯେଉଁ ସତ୍ତା କାର୍ଯ୍ୟକରୁ ଥାଏ ସେ ଭଗବାନ ନୁହନ୍ତି, ଭଗବାନ ରୂପକଳ୍ପର ଏକ ନିର୍ଦ୍ଦିଷ୍ଟ ଗୁଣ ବହନ କରି ସଂପୃକ୍ତ କାର୍ଯ୍ୟଟିକୁ କରୁଥିବା ସେ ଏକ ନିର୍ଦ୍ଦିଷ୍ଟ ପରିଚିତି ମାତ୍ର। ସାଧାରଣ ଲୋକଙ୍କ ବୁଝିବାରେ ବିଶ୍ବ ବ୍ରହ୍ମାଣ୍ଡର ଅଦ୍ବିତୀୟ ସର୍ବୋଚ୍ଚ କର୍ତ୍ତା ହେଲେ ଭଗବାନ। ଦାର୍ଶନିକ ତତ୍ତ୍ବ ଦୃଷ୍ଟିରୁ ତାଙ୍କୁ ଈଶ୍ବର ବୋଲି କୁହାଯାଏ। ଈଶ୍ବର ଯିଏ ବି ହୁଅନ୍ତୁ ସେ କୌଣସି ନିର୍ଦ୍ଦିଷ୍ଟ ପରିଚିତି ନୁହନ୍ତି, ଏକ ପରିଚୟ ମାତ୍ର। ପରିଚୟକୁ ପରିଚିତି ବୋଲି ଧରି ନେଲେ ଦାର୍ଶନିକ ଭ୍ରମ ସୃଷ୍ଟି ହୁଏ। ପରିଚିତିରେ ପରିଚୟ ଖଞ୍ଜିଲେ ସଂପୂର୍ଣ୍ଣ ପରିଚିତି ମିଳେ ନାହିଁ, କିଛି ଅପରିଚିତ ରହିଯାଏ।

 

ଇହ ଜଗତର ପ୍ରତ୍ୟକ ପରିଚିତି ସବୁର ପ୍ରତୀକ ନୁହେଁ, ଏକ ଅନେକର ଏକ ଅଂଶ ମାତ୍ର। ଅଂଶ କଦାପିି ସର୍ବମୟ ନୁହେଁ। ତେଣୁ ଏକ ଆଧିଭୌତିକ ପରିକଳ୍ପନାକୁ ଭୌତିକ ରୂପ ଦେଇ ମଣିଷ କେବଳ ନିଜର ପ୍ରତିଛବିଟିଏ ଆଙ୍କିଥାଏ ଯାହା। ଈଶ୍ବର ରୂପକଳ୍ପ ମଣିଷର ପୂର୍ବରୁ ନଥିଲା। ମଣିଷର ମାନସିକ ବିକାଶ ସଙ୍ଗେÿସଙ୍ଗେÿ ଏହା ବିକଶିତ ହୋଇଛି। ମଣିଷ ପୂର୍ବରୁ ଈଶ୍ବର ସତ୍ତା ବିଦ୍ୟମାନ ଥିଲା। ଏହାର ପ୍ରମାଣ ମଣିଷ କଳ୍ପିତ ଈଶ୍ବର ରୂପକଳ୍ପରୁ ହିଁ ମିଳେ। ଯେମିତି କେହି କେହି ବସ୍ତୁକୁ ଈଶ୍ବର ବୋଲି କହୁଥିବା ବେଳେ ଅନ୍ୟ କେହିକେହି ଶକ୍ତିକୁ ଈଶ୍ବର ବୋଲି କୁହନ୍ତି। ଉଭୟ ବସ୍ତୁ ଓ ଶକ୍ତି ମଣିଷ ପୂର୍ବରୁ ଥିଲେ। ଶକ୍ତିକୁ ଈଶ୍ବର ବୋଲି ମାନିନେଲେ କିଛି ଭୁଲ ହୁଅନ୍ତା ନାହିଁ। ମାତ୍ର ଶକ୍ତିକୁ ସ୍ବରୂପ ପ୍ରଦାନ କଲେ ତାହା ସଙ୍କୁଚିତ ହୋଇଯାଏ ଏବଂ ତାତ୍ତ୍ବିକ ବିରୋଧାଭାସ ସୃଷ୍ଟି କରେ।

 

ଈଶ୍ବର ସତ୍ତାର ରୂପାନ୍ତର ଘଟେ, ଗୁଣାନ୍ତର ନୁହେଁ। ଯାହା ବଦଳିଯାଏ ତାହା ବାହ୍ୟ ରୂପ କେବଳ, ଅନ୍ତର୍ନିହିତ ଗୁଣ ନୁହେଁ। ଗୁଣ ସ୍ଥିର ଓ ଅପରିବର୍ତ୍ତିତତ ରହୁଥିବାରୁ ପରିଚୟ ଅପରିବର୍ତ୍ତିତ ରହେ, କିମ୍ବା ରହିବା ଉଚିତ। ମାତ୍ର ଅନେକ ଦୃଷ୍ଟିରୁ ମୁର୍ଖ ମଣିଷ ତାର ସୁବିଧାନୁଯାୟୀ ଈଶ୍ବରଙ୍କର ନାମରୂପ ଓ ଗୁଣରୂପରେ ମଧ୍ୟ ପରିବର୍ତ୍ତନ କରିଥାଏ। ଏପରି କରିବାବେଳେ କର୍ତ୍ତାଜଣକ ଯେହେତୁ ସେ ସର୍ଜିିତ ହୋଇଥାଏ ନିଜ ଭୂଗୋଳ, ସଂସ୍କାର, ଭାଷା ଓ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ। ତେଣୁ ଇହ ଜଗତର କୌଣସି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଈଶ୍ବର ପରିକଳ୍ପନା ଅନ୍ୟ ଏକ ଭୂଖଣ୍ଡର ପରିକଳ୍ପନାଠାରୁ ଭିନ୍ନ ବୋଧ ହୁଏ। ଏହି ଭିନ୍ନତା ଓ ଏହାକୁ ମାନିନେଇ ଅନ୍ୟ କିଛି ମାନିବାକୁ ପ୍ରସ୍ତୁତ ନଥିବା ପୁରୁଷାନୁକ୍ରମିକ ସ୍ଥାନୀୟ ସଭ୍ୟତା ପୃଥିବୀରେ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିସାରିଲାଣି, ଅନେକ ରକ୍ତପାତ ବି। ଏତେସବୁ ଦ୍ବନ୍ଦ୍ବ ଓ ସନ୍ଦେହ ଭିତରେ ନପଶି ମଣିଷ ଭୌତିକ ସଂହତି ଉପରେ ଧ୍ୟାନଦେବାÿଉଚିତ। ଈଶ୍ବରଙ୍କୁ ତାଙ୍କ ବାଟରେ ଛାଡ଼ିଦେବା ଭଲ, ଅବଶ୍ୟ ଈଶ୍ବର ବୋଲି ଯଦି କେହି ଥାନ୍ତି। କାରଣ ନଥିବା ଅଧିକ ଯୁକ୍ତିସଙ୍ଗତ ଓ ନରହିବା ତତୋଧିକ ପ୍ରାସଙ୍ଗିକ।

 

 ୩.

କେଉଁ ନିର୍ଦ୍ଦିଷ୍ଟ ଏକକ ସତ୍ତାର ପରିଚୟ ଈଶ୍ବର ନହେଲେ ସେ କିଛି ନୁହନ୍ତି, କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ଏକକ ସତ୍ତା ଈଶ୍ବର ନୁହନ୍ତି। ଈଶ୍ବର ଅପରିଚିତ, ଅନ୍ତତଃ ଏଯାବତ‍୍‌। ଏପର୍ଯ୍ୟନ୍ତ ତାଙ୍କୁ କେହି ସଂପୂର୍ଣ୍ଣ ରୂପେ ଚିହ୍ନିପାରି ନାହାନ୍ତି। କାରଣ ସେ ଜଣେ ନୁହନ୍ତି, ଅସଂଖ୍ୟର ସମାହାର ମାତ୍ର, କିମ୍ବା ତା ବି ନୁହନ୍ତି। ଚିହ୍ନିପାରି ନାହାନ୍ତି ଅର୍ଥାତ୍ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି, କୌଣସି ବ୍ୟକ୍ତି ସମୂହ ଏବଂ କୌଣସି ଦାର୍ଶନିକ ଅନୁଶୀଳନର ନିଷ୍କର୍ଷ ତାଙ୍କୁ  ଚିହ୍ନିତ କରିପାରି ନାହାନ୍ତି। ଈଶ୍ବରଙ୍କୁ ଉଦ୍ଭାବନ କରାଯାଇ ନପାରେ। କାରଣ ଉଦ୍ଭାବନକର୍ତ୍ତା ଶେଷରେ ଏଇ ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି ଯେ ତାଙ୍କ ମଧ୍ୟରେ ମଧ୍ୟ ଈଶ୍ବର ସତ୍ତା ବିଦ୍ୟମାନ। ଏହା ଏଯାବତ୍ ଘଟି ଆସିଛି। ନିଜ ମଧ୍ୟରେ ଈଶ୍ବରଙ୍କ ସତ୍ତାର ଉପସ୍ଥିତି ନେଇ ଈଶ୍ବରଙ୍କୁ ଉଦ୍ଭାବନ କରାଗଲା ବୋଲି ଯିଏ ଦାବି କରେ ସେ ନିଜକୁ ହିଁ ନିଜେ ପରିହାସ କରେ। ସେହିପରି ଯଦି ଈଶ୍ବରଙ୍କୁ ନିଜ ଭିତରେ ଥିବାର ସ୍ବୀକାର କରାଯାଏ ତେବେ ତାଙ୍କୁ ଅନ୍ୟତ୍ର ବା ନିଜ ଭିତରେ ଆବିଷ୍କାର କରିବାର ଆସ୍ଫାଳନ ମଧ୍ୟ ବୃଥା। ସଭ୍ୟତା ଓ ସଂସ୍କୃତିର ଯେଉଁ ସ୍ତରରେ ଥିଲେ ବି ପୃଥିବୀର ଯେକୌଣସି କୋଣରେ ରହିଥିବା ମଣିଷ ଏପର୍ଯ୍ୟନ୍ତ ଅନ୍ତତଃ ଏତିକି ହୃଦବୋଧ କରିଆସିଛି ଯେ କେଉଁଠି କେହିଜଣେ/ଅନେକ/କେହି ନୁହନ୍ତି ଅଛନ୍ତି, ଯାହାଠାରୁ କ’ଣ ପାଇଁ କେଜାଣି କିଛି ଗୋଟେ ସୃଷ୍ଟି ହୋଇ ବିଲୟ ଆଡ଼କୁ ଯାଇଆସୁଅଛି। ଏହାର ଏପର୍ଯ୍ୟନ୍ତ ଗତିଧାରା ମଧ୍ୟରେ ବାହ୍ୟ ରୂପରେଖ ନେଇ ଅନେକ ପରିବର୍ତ୍ତନ, ଅନେକ ଉଦବେଳନ ଓ ଅନେକ ସଂଘାତ ସଂଘଟିତ ହୋଇଯାଇଛି କେବଳ। କିନ୍ତୁ ଏ ସୃଷ୍ଟିର ଆତ୍ମିକ ସ୍ଥିତି ଆରମ୍ଭରେ ଯାହା ଥିଲା ଏବେବି ଠିକ୍ ତାହା ହିଁ ଅଛି। ହୁଏତ୍ ସେହି ଅନାଗତ ଅପେକ୍ଷମାଣ (?) ବିଲୟ ସମୟରେ ଓ ପରେ ବି ତାହା ଠିକ୍ ସେହିପରି ରହିପାରେ।

 

ତେବେ ସେ କିଏ? ସେ ଯଦି କେହି ନୁହନ୍ତି ତାଙ୍କୁ କାହିଁକି ଈଶ୍ବର କୁହାଯାଏ? ସେ କ’ଣ ସତରେ କେହି? ନା କେହି ନୁହନ୍ତି? ସେ କ’ଣ ଅଛନ୍ତି? ନା ନାହାନ୍ତି? ସେ ଅଛନ୍ତି ଯଦି ନାହାନ୍ତି କାହିଁକି? ସେ ନାହାନ୍ତି ଯଦି ଅଛନ୍ତି କାହିଁକି? ସେ ସେମାନେ ନୁହନ୍ତି ତ? ସେ ଓ ସେମାନଙ୍କ ଭିତରେ ମୁଁ ରହିନାହିଁ ତ? ସେ ଓ ସେମାନଙ୍କ ଭିତରେ ମୁଁ ରହିଲେ ତୁମେ କିଏ? ଈଶ୍ବର କ’ଣ ତୃତୀୟ ପୁରୁଷ ଏକବଚନରେ ରହନ୍ତି? ଯଦି ତୁମେ ହିଁ ଈଶ୍ବର ତେବେ ସେ ଓ ସେମାନେ, ମୁଁ ଓ ଆମେମାନେ ସମସ୍ତେ କିଏ? କିମ୍ବା ଆମେ ସମସ୍ତେ ମିଶି ଈଶ୍ବର? ପ୍ରଶ୍ନ ଏଇଠି ଅଟକିପାରେ। ତେବେ ଅଟକି ରହିବାରୁ ଆରମ୍ଭ କରାଯାଇପାରେ। ନଅଟକିଲେ ଗତିର ସ୍ଥିତି ଜଣପାେଡ଼ ନାହିଁ। ସ୍ଥିରତା ହିଁ ଗତିଶୀଳତାର ସଂଜ୍ଞା ଓ ସ୍ବରୂପ (ଏହା ଉପରେ ଅନ୍ୟତ୍ର ଅଧିକ ଚିନ୍ତା ଆବଶ୍ୟକ)।

 

ମାନବ ଚେତନାରୁ ଈଶ୍ବର ଚେତନାର ସୃଷ୍ଟି। ମାନବ ଚେତନା ସର୍ବବ୍ୟପାୀ ଓ ସର୍ବକାଳୀନ ନୁହେଁଁ। ଦେଶ, ଜାତି, ସଂସ୍କୃତି, ଭୂଗୋଳ ଓ ଇତିହାସ ଦେଇ ଏହା ଭିନ୍ନଭିନ୍ନ ସମୟରେ ଭିନ୍ନଭିନ୍ନ ମାନବ ଗୋଷ୍ଠୀକୁ ଭିନ୍ନଭିନ୍ନ ଆନନ୍ଦରେ ଆହ୍ଲାଦିତ କରିଥାଏ। ସ୍ଥାନକାଳପାତ୍ର ଭେଦରେ ଏହା ଭିନ୍ନଭିନ୍ନ ଗୁଣର ଆଦର କରାଏ। ଯେଉଁ ସମୟରେ ଯେଉଁ ସମସ୍ୟା ଅଧିକ ଉତ୍କଟ ହୁଏ ଓ ସେହି ସ୍ଥାନ ଓ କାଳର ପାତ୍ରମାନଙ୍କୁ ଅତିଷ୍ଠ କରେ ତାହାର ସାମାଧାନ କରିବାକୁ ଯାଇ ଏହା କେତେକ ନିର୍ଦ୍ଦିଷ୍ଟ ଗୁଣ ଉପରେ ଜୋର୍ ଦିଏ। ଏହି କେତେକ ନିର୍ଦ୍ଦିଷ୍ଟ ଗୁଣ ଜଣେ ବ୍ୟକ୍ତି ନିକଟରେ ଥାଇପାରେ ବା ନଥାଇପାରେ। ମାତ୍ର ସେହିସବୁ ଗୁଣ ଯେ ସେହି ସମୟରେ ସୁସଂହତ ମାନବ ବସତି ପାଇଁ ଅପରିହାର୍ଯ୍ୟ ବୋଧହୁଏ ତାହା ନିଃସନ୍ଦେହ। ସେହିସବୁ ଗୁଣ ପୁଣି ବିଭିନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରେ ବୋଧହୋଇଥାଏ। ସେମାନେ ତାହାକୁ ଭିନ୍ନଭିନ୍ନ ଭାଷା ଓ ଶବ୍ଦରେ ବ୍ୟାଖ୍ୟା କରିଥାନ୍ତି। ପ୍ରଥମେ ଜଣେ କେତେକ ଗୁଣ ଓ ଏହିସବୁ ଗୁଣର ଉପଚାର ପାଇଁ କେତେକ ନିର୍ଦ୍ଦିଷ୍ଟ ନୀତିନିୟମର ଆବଶ୍ୟକତା ଉପରେ ଜୋର ଦିଅନ୍ତି।

 

ପରେପରେ ସେହିସବୁ ଗୁଣ ଉପରେ ଆସ୍ଥା ଓ ବିଶ୍ବାସ ରଖି ଅନ୍ୟ କେତେକ ବ୍ୟକ୍ତି ତାକୁ ସ୍ବସ୍ବ ଶୈଳୀ ଓ ସ୍ତରରେ ଲିପିବଦ୍ଧ କରିଯାନ୍ତି। କେତେକ ବ୍ୟକ୍ତି ବି ପ୍ରଥମ ବ୍ୟକ୍ତିଙ୍କ ପ୍ରଦର୍ଶୀତ ଗୁଣ ଓ ନୀତିନିୟମରେ କେତେକ ନମ୍ର ସଂଶୋଧନ ଆଣନ୍ତି କିମ୍ବା ଅନ୍ୟ କିଛି ଗୁଣ ଓ ଗୁଣ ସହିତ ନୀତିନିୟମ ଜୋଡ଼ି ଏହାର ବ୍ୟାଖ୍ୟା କରିଯାନ୍ତି।

 

ଏହିସବୁ ଗୁଣ ଓ ନୀତିନିୟମାବଳି ପ୍ରଥମ ବ୍ୟକ୍ତିଙ୍କ ନାମରେ ଭଣିତା ହୋଇଯାଏ। ସେହି ପ୍ରଥମ ବ୍ୟକ୍ତିଙ୍କୁ କଥିତ ଗୁଣର ମୋହର ଦେଇ ସିଦ୍ଧ କରାଯାଏ। ଯଦି ପ୍ରଥମ ବ୍ୟକ୍ତି ସଂପୃକ୍ତ ସମସ୍ୟାରେ ଅନ୍ୟମାନଙ୍କ ଅପେକ୍ଷା ବେଶୀ ବିଜଡ଼ିତ ହୋଇଥାନ୍ତି ଏବଂ ତଦ୍ବାରା ତାଙ୍କର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ତେବେ ପରବର୍ତ୍ତୀ ବ୍ୟକ୍ତିମାନଙ୍କ ଦ୍ବାରା ପ୍ରଚାରିତ ହୋଇ ସେ ହୋଇଯାନ୍ତି ମହପାୁରୁଷ ବା ଅବତାର କିମ୍ବା ଈଶ୍ବର। ଅଥଚ ମୂଳକୁ ଫେରିଗଲେ ସେହି ସମସ୍ତ ଗୁଣ ହୁଏତ କଥିତ ବ୍ୟକ୍ତିଙ୍କର ନଥାଇପାରେ। କିନ୍ତୁ କାଳକ୍ରମେ ତାଙ୍କୁ ହିଁ ସେହିସବୁ ଗୁଣର ଅଧିକାରୀ ବୋଲି ଧରିନିଆଯାଏ। ସେତେବେଳକୁ ସେ ଜନମାନସରେ ଜଣେ ଆଦର୍ଶ ନାୟକର ସ୍ଥାନ ନେଇସାରିଥାନ୍ତି। ପ୍ରଥମେ ପ୍ରଥମେ ଲୋକେ ଖୁବ୍ ଭକ୍ତିଭରେ ତାଙ୍କର ଗୁଣ କୀର୍ତ୍ତନ କରନ୍ତି। ତାଙ୍କÿପରି ହେବାକୁ ଚେଷ୍ଟା କରନ୍ତି। କିନ୍ତୁ ପୁଣି ସମୟ ଗଡ଼ିଚାଲେ। ପୁଣି ମଣିଷ ବଦଳେ। ଲୋକେ ସେହି ନାୟକଙ୍କୁ ବିଶ୍ବାସ କରିଚାଲନ୍ତି ମାତ୍ର ତାଙ୍କ ପରି ହେବାକୁ ଆଉ କେହି ଚାହାନ୍ତି ନାହିଁ, ଚେଷ୍ଟା କରନ୍ତି ନାହିଁ। ତାଙ୍କୁ କେହି ନିନ୍ଦାକଲେ ବିଶ୍ବାସୀ ଭଦ୍ରବ୍ୟକ୍ତିମାନେ ପ୍ରତ୍ୟାକ୍ରମଣ କରନ୍ତି, ଯୁକ୍ତି ଛଳରେ ତାଙ୍କର ସତ୍ୟତା ଓ ଆବଶ୍ୟକତା ପ୍ରତିପାଦନ କରନ୍ତି। କିନ୍ତୁ ନିଜ କର୍ମ ଜରିଆରେ ତାଙ୍କଠାରୁ ଢେର ଦୂରେଇ ଦୂରେଇ ଯାଆନ୍ତି।

 

ଏହି ଦୂରେଇଯିବା କିଛି ସାମୟିକ ନୁହେଁ। ଏହା ବି ଯୁଗଯୁଗ ଚାଲେ। ଶେଷରେ ତଥାକଥିତ ଭୂଖଣ୍ଡର ତଥାକଥିତ ସଂସ୍କୃତିରେ ବିଶ୍ବାସ କରୁଥିବା ଲୋକମାନେ ସ୍ଥାନକାଳପାତ୍ର ଭେଦରେ ପୁଣି ଥରେ ଉତ୍କଟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏତେବେଳକୁ ପୂର୍ବର ସମସ୍ୟା ହୁଏତ୍ ନୂଆ ରୂପରେ ଆସି ସାରିଥାଏ କିମ୍ବା ଅନ୍ୟ କୌଣସି ସମସ୍ୟା ପୂର୍ବର ଗତିଧାରାରୁ ଉତ୍ପନ୍ନ ହୋଇସାରିଥାଏ। ସେଥିରୁ ମୁକ୍ତି ପାଇଁ ଲୋକେ ଡହଳବିକଳ ହୁଅନ୍ତି। ଏଇଠି ଜନ୍ମ ନିଅନ୍ତି ଆଉ ଜଣେ ଈଶ୍ବର। ସେହିପରି ଯୁଗ ପରେ ଯୁଗ ବିତିଯାଏ। ମହାପୁରୁଷମାନେ ଆସନ୍ତି ଓ ଯାଆନ୍ତି। କେହି ତାଙ୍କୁ ମନେରଖେ, କେହି ତାଙ୍କୁ ମନେରଖେ ନାହିଁ। କେହି ତାଙ୍କୁ ମାନେ, କେହି ତାଙ୍କୁ ମାନନ୍ତି ନାହିଁ। ଅତୀତର ଦେବାଦେବୀଙ୍କଠାରୁ ଆରମ୍ଭ କରି ଅପେକ୍ଷାକୃତ ଆଧୁନିକ ଯୁଗର ବୁଦ୍ଧ, ଯୀଶୁ, ମହମ୍ମଦ ଓ ଗାନ୍ଧୀଙ୍କ ପର୍ଯ୍ୟନ୍ତ କେବଳ ଏଇଆ ଘଟି ଆସିଛି। ଲୋକେ ସେମାନଙ୍କୁ ଈଶ୍ବର କିମ୍ବା ଇଶ୍ବରଙ୍କ ଅବତାର ବା ପୁତ୍ର ଭାବେ ଗ୍ରହଣ କରି ପୁଣି ତାଙ୍କଠାରୁ ଦୂରେଇ ଯାଇଛନ୍ତି। ଉପରେ ବିଶ୍ବାସ ଥିଲେ ବି ଅନ୍ତରରେ ଭକ୍ତିଭାବ ନାହିଁ। ତାଙ୍କ କଥାର ଗୁରୁତ୍ବ ହଜିଯିବାରେ ଲାଗିଛି। କେହି ଆଉ ସେଥିରେ ବିଶ୍ବାସ କରୁ ନାହାନ୍ତି।

 

ତେବେ ଏମାନେ ଈଶ୍ବର କି? ବା ଈଶ୍ବର ପ୍ରେରିତ ଅବତାର ବା ପୁତ୍ର ବା ଦୂତ କି? ଏମାନେ ଆମ ସମସ୍ତଙ୍କର ପ୍ରତିନିଧି କି? ଯଦି ହଁ, ତେବେ ଆମେ ସମସ୍ତେ ଈଶ୍ବର ହେଲେ ସେ ଓ ଆମ ଭିତରେ ଏତେ ଫରକ୍ କାହିଁକି? କାରଣ ଆମେ କେହି ଈଶ୍ବର ନୋହୁଁ। ଈଶ୍ବର ନାହାନ୍ତି ମଧ୍ୟ। ସୃଷ୍ଟି ହେବେ କି ନାହିଁ ସନ୍ଦେହ। କିନ୍ତୁ ଈଶ୍ବର ରହିବା ନିହାତି ଜରୁରୀ। ସମସ୍ତଙ୍କ ହାତ ପାଆନ୍ତାରେ। ଈଶ୍ବର ପରିକଳ୍ପନା ସୁସ୍ଥ ମନର ସୁସ୍ଥ ଚିନ୍ତାଧାରା। ସେ ହୁଏତ ଅବାସ୍ତବ। କିନ୍ତୁ ବାସ୍ତବ ରୂପରେଖରେ ସେଭଳି ଏକ ସ୍ବୟଂସଂପୂର୍ଣ୍ଣ ସତ୍ତା ପ୍ରକଟ ହେଲେ କିଏ ଖୁସୀ ନହେବ କହିଲେ? ମଣିଷ ଯା ହେଉ ତା ହେଉ। କିନ୍ତୁ ବ୍ୟକ୍ତି ମାତ୍ରକେ ଉତ୍ସୃଙ୍ଖଳ। ବ୍ୟକ୍ତି ଓ ବ୍ୟକ୍ତିସମୂହ ସମାଜ ଗଢ଼ନ୍ତି, ଭାଙ୍ଗନ୍ତି। ନୀତି ଆଦର୍ଶ ସ୍ଥିର କରନ୍ତି ମାନିବା ପାଇଁ, ପୁଣି ମାନନ୍ତି ନାହିଁ। ସମସ୍ତେ ସୁଖ ଓ ଆନନ୍ଦରେ ରୁହନ୍ତୁ ବୋଲି କୁହନ୍ତି। କିନ୍ତୁ କାହାକୁ ସେଥିରେ ରଖେଇ ଦିଅନ୍ତି ନାହିଁ। ମୁକ୍ତି ଓ ମୋକ୍ଷ ପରି ଅଲଭ୍ୟ ଚିନ୍ତାଧାରାର ବିକାଶ ଘଟାନ୍ତି। କିନ୍ତୁ ସେ ଦିଗରେ ସମସ୍ତେ କିପରି ନଯାଇପାରିବେ ସେ ବ୍ୟବସ୍ଥା ମଧ୍ୟ କରନ୍ତି। ଏହି ସ୍ବୈରାଚାରୀ ଓ ଛଳନାରେ ଉବୁଟୁବୁ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଈଶ୍ବରଙ୍କ ସ୍ଥିତି ଓ ଉପସ୍ଥିତି ନିହାତି ଆବଶ୍ୟକ। ବାସ୍ତବ ଈଶ୍ବର ଥିଲେ ଏମାନଙ୍କର ଅନେକ ସମୟରେ ଅନେକ ଅବତାର ଓ ତଜ୍ଜନିତ ଅସ୍ଥିରତା ଆଉ ସମ୍ଭବ ହୁଅନ୍ତା ନାହିଁ। ଫଳରେ ଈଶ୍ବର ସେମାନଙ୍କ ପାଇଁ ଅଦରକାରୀ ହୋଇପଡ଼ନ୍ତେ ଏବଂ ସେମାନଙ୍କ ବାଦ୍ ଆର ଗୋଷ୍ଠୀଟି ଈଶ୍ବରଙ୍କ ପଛରେ ଥୋେଡ଼ ଦିନ ଗୋଡ଼ାନ୍ତେ ନିଜନିଜ ବିତସ୍ପୃହା ଆସିଲା ପର୍ଯ୍ୟନ୍ତ। ତା ପରେ ଈଶ୍ବର ପୁଣି ଥରେ ଅଦରକାରୀ ହୋଇଯାଆନ୍ତେ ଏବଂ ପ୍ରଥମ ଗୋଷ୍ଠୀ ପରିବର୍ତ୍ତିତ ପରିସ୍ଥିତିରେ ପୁଣି ଥରେ ଈଶ୍ବରଙ୍କୁ ଆବଶ୍ୟକ କରନ୍ତା। ତା ପରେ ଏମିତି ଦିନ ଆସନ୍ତା ଈଶ୍ବରଙ୍କ ଆବଶ୍ୟକତା ଥାଆନ୍ତା, ଈଶ୍ବର ନଥାନ୍ତେ। ଯାହା ଆଜି ସର୍ବତ୍ର ଅନୁଭୂତ। କାରଣ ବାସ୍ତବ ରୂପରେଖରେ କୌଣସି ଏକକ ସତ୍ତା ସର୍ବକାଳୀନ ହୋଇପାରିବ ନାହିଁ। ଯାହା ବାସ୍ତବ ତାହା ବସ୍ତୁଗତ। ବସ୍ତୁର ଅଭ୍ୟୁଦୟ ଓ ଅବକ୍ଷୟ ସମ୍ଭବ। ଏହା ତାହାର ଧର୍ମ। ଏହାକୁ ବାଦ୍ ଦେଲେ ବସ୍ତୁର ଗୁରୁତ୍ବ ରହେ ନାହିଁ।

 

ଯାହା କଳ୍ପନାସମ୍ଭୂତ ତାହା କାଳାତୀତ। ବ୍ୟକ୍ତିବିଶେଷ ଓ ଗୋଷ୍ଠୀର ପରିକଳ୍ପନା ପୁରୁଷାନୁକ୍ରମେ ସତ୍ୟର ଧାରଣା ସୃଷ୍ଟି କରେ। ଅବଶ୍ୟ ବହୁପୁରୁଷର ପରିକଳ୍ପନା ପରିମାର୍ଜିିତ ହୋଇ ଏକ ତ୍ରୁଟୀଶୂନ୍ୟ ବାସ୍ତବ ସତ୍ତା କିମ୍ବା ସଂପୂର୍ଣ୍ଣ ଅବାସ୍ତବତାରେ ପରିଣତ ହେବା କିଛି ବିଚିତ୍ର ନୁହେଁ। କଳ୍ପନାକୁ ବାସ୍ତବ ରୂପରେଖ ଦେବା ମଣିଷ ପକ୍ଷେ ଅସମ୍ଭବ ନୁହେଁ। ସୃଷ୍ଟି ପଛରେ କଳ୍ପନାର ଭୂମିକା ଅଧିକ। ଏ ଦୃଷ୍ଟିରୁ ଈଶ୍ବର ପରିକଳ୍ପନା ମଧ୍ୟ ଦିନେ ବାସ୍ତବ ରୂପରେଖ ନେଇପାରେ। ସେତେବେଳେ ଏଯାବତ୍ ଅନେକ ସତ୍ତା ମଧ୍ୟରୁ କୌଣସି ଏକ ସତ୍ତା ହୁଏତ୍ ଭଗବତ୍ ସତ୍ତାର ପ୍ରମାଣ ଦେଇପାରେ। ସେତେବେଳେ ସେ ବା ତାହା ହିଁ ଈଶ୍ବର। କିନ୍ତୁ ଈଶ୍ବର ସୃଷ୍ଟ ନୁହନ୍ତି। ସେ ସ୍ବୟଂସୃଷ୍ଟ ଓ ସ୍ବୟଂସିଦ୍ଧ। ଏଇ ସତ୍ୟ ଅନ୍ତତଃ ଏତିକି ପ୍ରମାଣ କରେ ଯେ କେହି ବା କିଛି କେବେ ସଂପୂର୍ଣ୍ଣ ଈଶ୍ବର ହୋଇପାରିବେ ନାହିଁ। କାରଣ ଦୈହିକ ସ୍ତରରେ ସେ ସବୁ ରୂପରେଖର ଗୁଣ ହାସଲ କରିପାରିବେ ନାହିଁ। ଯଦି କୌଣସି ସତ୍ତା ଈଶ୍ବର ହୋଇଯିବେ ତେବେ ସେ ବା ତାହା ନିଜକୁ ବ୍ୟକ୍ତ କରିପାରିବେ ନାହିଁ। ନିଜକୁ ବ୍ୟକ୍ତ କରିପାରୁ ନଥିବା ସତ୍ତା ସ୍ଥିତିର ଊର୍ଦ୍ଧ୍ବକୁ ଉଠିଯାଏ ଓ ସେତେବେଳେ ତାହା ଆଉ ବାସ୍ତବ ବୋଧ ହୁଏ ନାହିଁ। ଏଇଠି ଈଶ୍ବର ରହିଯାନ୍ତି ଅପରିଚିତ ଓ ଅବ୍ୟକ୍ତ।

 

ତେବେ, ସେ ଯାହା ବି ହେଉ, ମଣିଷ ଯଦି ନିଜ ପରିକଳ୍ପିତ ଈଶ୍ବରଙ୍କ ପରି ହେବାକୁ ନ ଚାହିଁବ, ସେ ଯେତେ ଅବାସ୍ତବ ହେଲେ ବି, ତେବେ ସେ ସୈତାନ ହୋଇ ହିଁ ଉତୁରିବ। ମଙ୍ଗଳମୟ ନହେଲେ ବିକଳ୍ପ କେବଳ ଅମଙ୍ଗଳ। ଈଶ୍ବର ଅବାସ୍ତବ ହୋଇପାରନ୍ତି। କିନ୍ତୁ ସୈତାନର ବାସ୍ତବତା ଯୁକ୍ତିର ଅପେକ୍ଷା ରଖେନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top