ଓଡ଼ିଶାର ଦାରିଦ୍ର୍ୟ କ’ଣ ଚିରନ୍ତନ !

News Story - Posted on 2016-06-26

ଦେବେନ୍ଦ୍ର ପୃଷ୍ଟି

 

(୨୦୦୫ ଜାନୁଆରୀ ପ୍ରଥମ ସପ୍ତାହର ଲେଖା। ଆଜି ବି ପରିସ୍ଥିତି ବିଶେଷ ବଦଳିନାହିଁ ବୋଲି ଏ ଲେଖକର ଧାରଣା। ତେଣୁ ସାମାନ୍ୟକଥନ.କମ୍‌ରେ ଆଉ ଥରେ ପ୍ରକାଶ କରାଗଲା।)

 

୨୦୦୪ର ବିଦାୟୀ ଲଗ୍ନରେ ଉଠିଥିବା ସୁନାମିର କରାଳ କାହାଣୀ ମନରୁ ଲିଭି ନଥିବା ବେଳେ ୨୦୦୫ ମସିହାର ଇଂରାଜୀ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ବିଶ୍ବର ବିଭିନ୍ନ ଆଡ଼େ ଆୟୋଜିତ ହୋଇଥିଲା ଅନେକ ଉତ୍ସବ। ଓଡ଼ିଶା ବି ସେଥିରୁ ବାଦ ପଡ଼ିନଥିଲା। ସେଦିନ ଓଡ଼ିଶାର ସମ୍ଭ୍ରାନ୍ତ ବର୍ଗଙ୍କ ପାଇଁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆୟୋଜିତ ହୋଇଥିଲା ଉନ୍ମାଦନାର ଅନେକ ଆଡ଼ମ୍ବର। ରାଜ୍ୟରେ କାର୍ଯ୍ୟକରୁଥିବା ଘରୋଇ ଓ ସରକାରୀ ଟିଭି ଚ୍ୟାନେଲ୍‌ଗୁଡ଼ିକରେ ମଧ୍ୟ ପ୍ରଦର୍ଶୀତ ହୋଇଥିଲା ଅନେକ ରଙ୍ଗୀନ କାର୍ଯ୍ୟକ୍ରମ। ତେବେ ଗୋଟିଏ ଚାନେଲ୍‌ରେ ଥିଲା କିଛି ବ୍ୟତିକ୍ରମ। ଏ ଚ୍ୟାନେଲ୍‌ଟି ନୂଆବର୍ଷର ଉନ୍ମାଦନାର ପ୍ରସାର କରିବା ସଙ୍ଗେÿସଙ୍ଗେÿରାଜଧାନୀର ରାସ୍ତାକଡ଼ରେ ଜୀବନ ବିତାଉଥିବା କିଛି ଲୋକଙ୍କର ମତାମତ ମଧ୍ୟ ପ୍ରସାରଣ କରିଥିଲା।

 

ସେହି ଚ୍ୟାନେଲ୍‌ ଦେଖାଇଥିଲା ଯେ ରାଜଧାନୀର ଗୋଟେ ଭାଗ ଲୋକ ମଦ, ମାଂସ, ଗୀତ, ନୃତ୍ୟ, ଝିଲମିଲ୍‌ ଆବରଣ ଓ ଖିଲଖିଲ୍‌ ନଗ୍ନତା ଭିତରେ ତଥାକଥିତ ନୂଆବର୍ଷକୁ ସ୍ବାଗତ କରୁଥିବା ବେଳେ ଆଉ ଗୋଟେ ଭାଗ ଲୋକ ଡିସେମ୍ବର ଶୀତର ସନ୍ତ୍ରାସ ଭିତରେ ରାସ୍ତାକଡ଼ରେ, ଗଛମୂଳେ, ଷ୍ଟେସନ୍ ବାରଣ୍ଡାରେ ରାତି ପୁହାଉଥିଲେ। ସେମାନଙ୍କ ଭିତରୁ ଜଣେ କିଶୋର କହୁଥିଲା, ସେମାନଙ୍କ ପାଇଁ ନୂଆ ବର୍ଷ ପୁରୁଣା ବର୍ଷ ବୋଲି କିଛି ନାହିଁ। ସେମାନଙ୍କ ପାଇଁ ସବୁଦିନ ନୂଆ ଓ ସବୁ ଦିନ ପୁରୁଣା। ସବୁଦିନ ସେମାନଙ୍କୁ ବଂଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଅନ୍ୟମାନଙ୍କ ପାଇଁ ଏମିତି ଅନେକ ବର୍ଷ ଆସୁଛି ଓ ଯାଉଛି। କିନ୍ତୁ ସେମାନେ ଯେଉଁଠି ଥିଲେ ସେଇଠି ରହିଯାଇଛନ୍ତି। ଦାରିଦ୍ର୍ୟ ସେମାନଙ୍କର ଚିରନ୍ତନ, ସନାତନ।

 

ସେହି କିଶୋରର କଥାର ଭାଷା ହୁଏତ ଠିକ୍ ଏହିପରି ନଥିଲା। କିନ୍ତୁ ତାହାର ଅର୍ଥ ଥିଲା ଠିକ୍ ଏଇଆ। ଆମ ଓଡ଼ିଶା ଦରିଦ୍ର-କାଲି, ଆଜି ଓ ଆସନ୍ତା କାଲି। ଓଡ଼ିଶାର ଦାରିଦ୍ର୍ୟ ଯେମିତି ଚିରନ୍ତନ ସତ୍ୟ! ତାହା ମିଥ୍ୟା ହୋଇ ନପାରେ, ତାହାକୁ ମିଥ୍ୟା ବୋଲି ସାବିତ୍ କରାଯିବା ମଧ୍ୟ ପାପ ! ଦାରିଦ୍ର୍ୟ ଯେହେତୁ ଆମର ପରିଚୟ ତେଣୁ ଏହାକୁ ଦୂର କରିବାର ଅର୍ଥ ହେଉଛି ନିଜର ପରିଚୟକୁ ପୋଛିଦେବା !

 

ସତରେ କ’ଣ ଓଡ଼ିଶା ଦରିଦ୍ର? ବହୁକାଳରୁ ଗୋଟିଏ ଆପ୍ତବାକ୍ୟ ଭଳି ବାକ୍ୟ ଚଳିଆସୁଛି ଯେ ଓଡ଼ିଶା ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର। ଏଠାରେ ଭାରତ ବର୍ଷର ଖଣିଜ ସଂପଦର ୪୦ ଭାଗ ଭଣ୍ଡାର। ଭାରତର ଭୂତଳ ଜଳସଂପଦର ୧୦ ଭାଗ ରହିଛି ଓଡ଼ିଶାରେ। ୪୮୦ କିଲୋମିଟରର ବିସ୍ତୀର୍ଣ୍ଣ ବେଳାଭୂମି, ଯେଉଁଠି ସମ୍ଭାବନା ଅଛି ୯ଟି ବୃହତ୍ ବନ୍ଦରର। ବିଶ୍ବର ସର୍ବମୋଟ ୫ଟି ଜୈବ-ଜଳବାୟୁ ମଣ୍ଡଳରୁ ତିନୋଟି ଗତି କରିଛି ଓଡ଼ିଶା ଦେଇ। ବିଶ୍ବର ସର୍ବାଧିକ ଜୈବବିବିଧତାରେ ଭରପୂର ଏହି ରାଜ୍ୟ। ଏହାର ମାନବଗୋଷ୍ଠୀର ବିବିଧତା ମଧ୍ୟ ବିଚିତ୍ର ଓ ବ୍ୟପାକ। ବିଶ୍ବର ଅନ୍ୟ କୌଣସି ଦେଶ ବା ପ୍ରଦେଶରେ ଏତେ ପ୍ରକାର ଆଦିବାସୀ ଗୋଷ୍ଠୀ ଦେଖାଯାଆନ୍ତି ନହିଁ। ଏତେ ପ୍ରକାର ଧର୍ମର ଲୋକେ ବି ଅନ୍ୟଠି ବିରଳ। ଏଠି ପ୍ରାୟ ସବୁ ଧର୍ମର ଲୋକେ ବାସ କରନ୍ତି। ଏହାର ସମାଜ ଓ ସଭ୍ୟତା ପୁଣି ଅପେକ୍ଷାକୃତ ଶାନ୍ତ ଓ ସନ୍ତୁଷ୍ଟ। ଆର୍ଥିକ ସମୃଦ୍ଧି ପାଇଁ ଆଉ କ’ଣ ଦରକାର ଥିଲେ ଏ ରାଜ୍ୟ ଦରିଦ୍ର ହୋଇ ନଥାନ୍ତା? ମାତ୍ର ବାସ୍ତବ ପରିସ୍ଥିତି ହେଉଛି ଏହାର ଠିକ୍ ବିପରୀତ।

 

ଏଇ କେତେଦିନ ତଳେ ଭାରତ ସରକାରଙ୍କର ୨୦୦୧ ମସିହାର ଜନଗଣନା ରିପୋର୍ଟ ଚୂଡ଼ାନ୍ତ ହୋଇଛି। ସେହି ରିପୋର୍ଟ ଅନୁସାରେ ଓଡ଼ିଶାର ୭୮.୭୦ ଲକ୍ଷ ପରିବାରଙ୍କ ମଧ୍ୟରୁ ପ୍ରାୟ ୬.୧୦ ଲକ୍ଷ ପରିବାରର ନିଜସ୍ବ ଘର ନାହିଁ। ମୋଟ ୮୨.୫୮ ଲକ୍ଷ ବିବାହିତ ଦମ୍ପତିଙ୍କ ମଧ୍ୟରୁ ପ୍ରାୟ ୨୮ ଲକ୍ଷ ଦମ୍ପତିଙ୍କ ପାଇଁ ସ୍ବତନ୍ତ୍ର ବଖରା ନାହିଁ। ରାଜ୍ୟରେ ପ୍ରାୟ ୩୮ ଲକ୍ଷ ୫-୯ ଜଣିଆ ପରିବାର ୧-୩ ବଖରା ବିଶିଷ୍ଟ ଛୋଟ ଘରେ ଚଳୁଛନ୍ତି, ଚଳିବାକୁ ବାଧ୍ୟ ହେଉଛନ୍ତି। ସେହିପରି ରାଜ୍ୟର ପ୍ରାୟ ୬୭ ଲକ୍ଷ ପରିବାରଙ୍କ ନିକଟରେ ପକ୍କା ପାଇଖାନା ସୁବିଧା ନାହିଁ। ମାତ୍ର ୮.୨୭ ଲକ୍ଷ ପରିବାରର ଗାଧୁଆ ଘର ସୁବିଧା ଅଛି। ମୋଟ ୭୮.୭୦ ଲକ୍ଷ ପରିବାର ମଧ୍ୟରୁ ମାତ୍ର ୧୪.୯୪ ଲକ୍ଷ ଲୋକଙ୍କ ନିଜ ବାଡ଼ିରେ ପାନୀୟ ଜଳ ସୁବିଧା ରହିଛି। ଅନ୍ୟ ସମସ୍ତ ପରିବାର ସାଧାରଣ ଜଳସୂତ୍ର ଉପରେ ନିର୍ଭର କରୁଛନ୍ତି। ପୁଣି ଏବେ ବି ରାଜ୍ୟରେ ଏମିତି ୫ ଲକ୍ଷ ପରିବାର ଅଛନ୍ତି ଯେଉଁମାନଙ୍କୁ ନଳକୂପ, କୂପ କିମ୍ବା ହାତପମ୍ପ ଜରିଆରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇପାରି ନାହିଁ। ସେମାନେ ପଚରା ପୋଖରୀ, ପ୍ରଦୂଷିତ ନାଳ ଓ ଖାଲୁଆ ଜମିରୁ ପାଣି ସଂଗ୍ରହ କରି ପିଉଛନ୍ତି। ଏହାର ମାତ୍ର ୧୯ ଲକ୍ଷ ପରିବାର ବ୍ୟାଙ୍କ ସେବାର ସୁବିଧା ନେଉଥିବା ବେଳେ ମାତ୍ର ୫ ଲକ୍ଷ ପରିବାର ରୋଷେଇ ପାଇଁ ଗ୍ୟାସ‍୍‌, ଗୋବରଗ୍ୟାସ ଓ ବିଦ୍ୟୁତ ଇତ୍ୟାଦି ଆଧୁନିକ ଇନ୍ଧନ ଓ ଶକ୍ତି ବ୍ୟବହାର କରିପାରୁଛନନ୍ତି। ଆଉ ସମସ୍ତେି ରହିଛନ୍ତି ସେହି ପ୍ରାଗ‍୍‌ଐତିହାସିକ କାଠ ଓ ପତ୍ରର ଇନ୍ଧନ ବ୍ୟବହାର ସ୍ତରରେ। ଓଡ଼ିଶାର ଓ ଓଡ଼ିଆ ଲୋକମାନଙ୍କ ଦାରିଦ୍ର୍ୟର ଏହା ଗୋଟିଏ ଗୋଟିଏ ସ୍ପଷ୍ଟ ପ୍ରମାଣ।

 

କେବଳ ଭାରତ ସରକାରଙ୍କର ଏହି ରିପୋର୍ଟ ନୁହେଁ, ନିକଟରେ ବିଶ୍ବ ବ୍ୟାଙ୍କ ଦ୍ବାରା ଉପସ୍ଥପାିତ ଏକ ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି ଯେ ଓଡ଼ିଶା ଏବେ ବି ଏକ ଗରୀବ ରାଜ୍ୟ। ଓଡ଼ିଶାକୁ ଏକ ଗରୀବ ରାଜ୍ୟ ଭାବେ ଚିତ୍ରିତ କରୁଥିବା ଏହି ରିପୋର୍ଟର ଉନ୍ମୋଚନ ଉତ୍ସବରେ ପୁଣି ଉପସ୍ଥିତ ଥିଲେ ଏ ରାଜ୍ୟର ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼ାଇ। କାହିଁକି କେଜାଣି ଓଡ଼ିଶାର ଶାସନ ଓ ପ୍ରଶାସନରେ ଭରପୂର ହୋଇ ରହିଥିବା ଏହିପରି ଅନେକ ମନ୍ତ୍ରୀ ଓ ସଚିବ ଓଡ଼ିଶାର ଦାରିଦ୍ର୍ୟକୁ ଏହିପରି ଭାବେ ପ୍ରଚାରିତ କରିଚାଲିଛନ୍ତି! ଯେଉଁ ପରିସ୍ଥିତିର ପ୍ରଚାର ହେଲେ ଲଜ୍ଜ୍ୟା ଲାଗିବା କଥା ସେଥିରୁ ଆମର ମୁଣ୍ଡଧାରତାମାନେ ମଜ୍ଜା ନେଉଛନ୍ତି କି କ’ଣ? ବିଶ୍ବ ବ୍ୟାଙ୍କ ଯେଉଁ ରିପୋର୍ଟ ଦେଇଛି ତାହା ସ୍ବାଭାବିକ ଭାବେ ଟିକେ ଅର୍ଥନୈତିକ ଓ ଆର୍ଥିକ। ଏଥିରେ ସେହି ଚିରାଚରିତ ମୁଣ୍ଡପିଛା ଆୟ, ମୁଣ୍ଡପିଛା ବ୍ୟୟ, ଶିକ୍ଷା ସୁବିଧା, ସ୍ବାସ୍ଥ୍ୟ ସେବା ଆଦି କେତେ କଥା ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଆୟ କ୍ରମଶଃ ବୃଦ୍ଧି ପାଉଥିବା ସତ୍ତ୍ବେ ସ୍ଥିର ମୂଲ୍ୟ ହିସାବରେ ଏହା ଏବେ ବି ବାର୍ଷିକ ୧୦ ହଜାର ଟଙ୍କାକୁ ଟପି ନାହିଁ। ଏହା ଆମ ଲୋକଙ୍କ ଦାରିଦ୍ର୍ୟ ବିଷୟରେ ଯଥେଷ୍ଟ ସୂଚନା ପ୍ରଦାନ କରେ।

 

ତେବେ କ’ଣ ପାଇଁ ଏ ଦାରିଦ୍ର୍ୟ? ରାଜ୍ୟ ପଂଚାୟତିରାଜ ତଥା ସଂସ୍କୃତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବାରମ୍ବାର ଗୋଟିଏ କଥା କୁହନ୍ତି ଯେ ଆମେ ଆମ ସଂପଦର ଉପଯୁକ୍ତ ଓ ଆବଶ୍ୟକ ବ୍ୟବହାର କରିପାରି ନଥିବାରୁ ଦରିଦ୍ର ହୋଇ ରହିଛୁ। ଆଉ ଆମ ସଂପଦର  ଉପଯୋଗ ପାଇଁ ଆବଶ୍ୟକ ସମ୍ବଳ ଆମ ନିକଟରେ ନାହିଁ। କେନ୍ଦ୍ର ସରକାରର ଦାୟିତ୍ବ ତାହା ଯୋଗାଇଦେବା। କିନ୍ତୁ କେନ୍ଦ୍ର ଓଲଟି ଓଡ଼ିଶାକୁ ଶୋଷଣ କରିଚାଲିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଭଣଜା, ବିଶିଷ୍ଟ ଶିଳ୍ପପତି ତଥା ଯୋଜନା ବୋର୍ଡ଼ର ପୂର୍ବତନ ସଦସ୍ୟ ଅଜିତ ମହପାାତ୍ର ଥରେ କହୁଥିଲେ, ୧୯୬୦ ଦଶକର ପ୍ରଥମ ଭାଗରୁ ହିଁ ସମୃଦ୍ଧ ଓଡ଼ିଶାର ଭବିଷ୍ୟତକୁ ଅପହରଣ କରି ନିଆଯାଇଛି। ତାଙ୍କ ମତରେ ଯେଉଁ ଦିନଠାରୁ କୃଷିର ସମାଧିପୀଠ ଉପରେ ଶିଳ୍ପ ସଂକଳ୍ପର ଇମାରତ ଗଢ଼ ାହେଲା ସେହିଦିନଠାରୁ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ଲୁଟ‍୍‌ ହୋଇଗଲା। ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ତଥା ରାଜ୍ୟସଭା ସଦସ୍ୟ ପ୍ୟାରୀ ମୋହନ ମହପାାତ୍ର ମଧ୍ୟ ସେହିକଥା କହୁଛନ୍ତି। କୃଷିର ଉନ୍ନତି ଓଡ଼ିଶା ବିକାଶର ଚାବିକାଠି ବୋଲି ଅନେକ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଓ ସମାଜବିଦ୍ ମତ ଦେଉଥିଲେ ବି ୧୯୬୦ ପରବର୍ତ୍ତୀ ସରକାରଗୁଡ଼ିକ ସେହି ଇସ୍ତାହାର କାର୍ଯ୍ୟକାରୀ କରୁନାହାନ୍ତି। ପ୍ରଚଳିତ ଶାସକ ମେଣ୍ଟର ପ୍ରଥମ ପ୍ରତିଶ୍ରୁତି ଥିଲା କୃଷି ଓ କୃଷକର ଉନ୍ନତି। କିନ୍ତୁ ଏ ସରକାର ଆସିବା ଦିନରୁ ଖଣି ଓ ଶିଳ୍ପର ପ୍ରଗତି ଭିତରେ ଫସିଚାଲିଛି।

 

ତେବେ ଜଣେ ଶିଳ୍ପବାଦୀ ନେତା କୁହନ୍ତି, ଏଠି ଶିଳ୍ପକୁ ବିରୋଧ କରୁଥିବା ଲୋକମାନେ ବିଧାୟକ ଓ ମନ୍ତ୍ରୀ ହେଉଛନ୍ତି। ସେଥିରେ ଓଡ଼ିଶା ଉଧେଇବ କିପରି? ସେ ଉଦାହରଣ ଦେଉଥିଲେ ନାରାୟଣ ରେଡ଼‍୍‌ଡ଼ୀଙ୍କର, ଯିଏ ଟାଟାର ଗେପାାଳପୁର ଇସ୍ପାତ କାରଖାନାକୁ ସଫଳତାର ସହିତ ବିରୋଧ କରିବା ପରେ ଗତ ନିର୍ବାଚନରେ ବିଜୟୀ ହୋଇଛନ୍ତି। କିନ୍ତୁ ଡାକ୍ତର ରାଉତ କୁହନ୍ତି, ଶିଳ୍ପ ସହିତ କୃଷିର ଉନ୍ନତି ନହେଲେ ତାହା ଆବୁ ଫଳିଲା ଭଳି ଉନ୍ନତି ହେବ। ଆମେ ଏପର୍ଯ୍ୟନ୍ତ ଆମର ୫୦ ଭାଗ ଜମିକୁ ଜଳସେଚନର ସୁବିଧା ଯୋଗାଇଦେଇ ପାରି ନାହୁଁ। ଭୂତଳ ଜଳ ସଂପଦର ୧ ଭାଗ ବି ବ୍ୟବହାର କରିପାରି ନାହୁଁ। ଜମିରେ ଧାନ ବ୍ୟତୀତ ଆଉ କିଛି ଫଳାଇ ପାରିନାହୁଁ। ଏଥିରେ ଆମର ଦାରିଦ୍ର୍ୟ ଘୁଂଚିବ କିପରି? ମାଟି ତଳର ସୁନା ଖୋଳିବା ସହିତ ମାଟି ଉପରେ ସୁନା ଫଳାଇଲେ ହିଁ ଓଡ଼ିଶା ସମୃଦ୍ଧ ହୋଇପାରିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top