ବାଗଚି ଦେବେ କେତେ ନେବେ କେତେ?

News Story - Posted on 2016-06-24

ବିମଳ ପ୍ରସାଦ

 

ଦଶ ବର୍ଷ ଧରି ଓଡ଼ିଆ ଦର୍ଶକଙ୍କୁ ମନୋରଂଜନ ଓ ହାସ୍ୟରସର ଖୋରାକ ଯୋଗାଇ ଲକ୍ଷଲକ୍ଷ ଲୋକଙ୍କ ମନକୁ ସୁସ୍ଥ ରଖିବାରେ ଅବଦାନ ରଖିଥିବା ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ ଏବେ ନିନ୍ଦିତ। କାରଣ ସେ ନିଜ ଲୋକପ୍ରିୟତାକୁ ବିକି ଗରିବ ଲୋକଙ୍କ ଠାରୁ ଚିଟ୍ ଫଣ୍ଡ୍ ପାଇଁ ଧନ ଝଡ଼େଇବାର କର୍ମ ସହ ଅନେକ ଅପକର୍ମ କରିଥିଲେ ବୋଲି ମିଡ଼ିଆବାଲା କହିଲେଣି, ଲେଖିଲେଣି। କିନ୍ତୁ ଏ ସବୁ ପୋଷ୍ଟମର୍ଟମ୍। ଏଥିରେ ସାଧାରଣ ଲୋକଙ୍କର ପଇସାକର ଫାଇଦା ହେବ ନାହିଁ।

 

ଆମେ ଆଗୁଆ କହିବାକୁ ପସନ୍ଦ କରୁ ଏବଂ ଏଠାରେ ଆଉ କିଛି କଥା ଆଗୁଆ କହିବୁ, ଯାହା ଦ୍ୱାରା ଜନସାଧାରଣ ଆଗୁଆ ସଚେତନ ହୋଇପାରିବେ। କାରଣ ସର୍ବନାଶ ହେବା ପୂର୍ବରୁ କହିବାରେ ବାହାଦୂରୀ ଅଛି। ଓଡ଼ିଶା ସରକାର ରାଜ୍ୟେର ପ୍ରଯୁକ୍ତି ବିପ୍ଳବ ସୃଷ୍ଟି କରିବା ଦ୍ବାହିରେ ଟିଟିଲାଗଡ଼ ଜନ୍ମିତ ଗୁଜରାଟୀ ସାମ‌୍ ପିଟ୍ରୋଡ଼ାଙ୍କୁ ଅବୈତନିକ କ୍ୟାବିନେଟ୍ ପାହ୍ୟା ଦେଇଥିଲେ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି ବାହାନାରେ ନିକଟରେ ପାଟଣାଗଡ଼ ଜନ୍ମିତ ଦିଲ୍ଲୀ-ବେଙ୍ଗାଲୁରୁବାସୀ ସୁବ୍ରତ ବାଗଚିଙ୍କୁ ମଧ୍ୟ ଅବୈତନିକ ଭାବେ ଓଡ଼ିଶା ସରକାର କ୍ୟାବିନେଟ‌୍ ପାହ୍ୟା ଦେଇ ଅତିଥି ଚର୍ଚା କରୁଛନ୍ତି। ଅବଶ୍ୟ ବର୍ଷକୁ ସେ ମାତ୍ର ଟଙ୍କାଟେ ଦରମା ନେବେ ବୋଲି ବିଭିନ୍ନ ରିପୋର୍ଟରେ ବାହାରିଛି। ଯେମିତି ରାଜତନ୍ତ୍ର ଅମଳରେ ରାଣୀ-ରାଜକୁମାରୀମାନେ ଫୁଲ ଶୁଂଘି ଦିନ କାଟୁଥିଲେ। ସେ ଯେଉଁ ଗାଡ଼ିରେ ବସିକି ଯୁଆଡ଼େ ଗଲେ ବି ଗାଡ଼ି ଉପରେ ଚିକିମିକି ନାଲିବତୀ ଘୂରି ଘୂରି ଜଳିବ। ମାନେ, ବାଟ ଛାଡ଼, ଆସୁଛନ୍ତି ସାହେବ, ପାଖେଇ ଯାଅ, ଅଟକି ଯାଅ। ନଚେତ‌୍ ପୁଲିସ ମାମୁଁମାନେ ତାଙ୍କ ଭଉଣୀ ଓ ଭାଣିଜୀଙ୍କୁ ସମ୍ମାନ ଦେବା ଭୁଲିଯିବେ। ମାନେ ରାସ୍ତାରେ ଜାମ୍ କରୁଥିବା ଲୋକଙ୍କ ମାଆଭଉଣୀଙ୍କ ନାମରେ ଗାଳି ଦେବେ। ଏସବୁ ଜାଣିଛନ୍ତି ଆପଣମାନେ। ଯାହା ଭାବି ନାହାନ୍ତି ବା ଜାଣିନାହାନ୍ତି, ସେଇଥିରୁ କିଛି ପାଠ ନମ୍ବରିଂ କରିକି ତଳେ ଦେଲୁ। ପଢ଼ିବେ ଓ ଭୁଲ ଥିଲେ ମୋତେ ବି ଗାଳି ଦିଅନ୍ତୁ, ବିନ୍ଦାସ୍।

 

(୧) ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ସେ ମୁଖ୍ୟ। ଓଡ଼ିଶା ସରକାର ସଂସ୍ଥାର ନାମକରଣ ମୌଳିକ ଭାବରେ ଇଂଲିଶରେ କରିଛନ୍ତି। ସରକାରଙ୍କ ପାଇଁ ଏହାର ଅସଲ ନାମ ହେଉଛି ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି। ତେବେ ଓଡ଼ିଶାର ଶାସନ ଓଡ଼ିଆରେ କରିବାର ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ତାହାର ମାନେ କ’ଣ। ବିହାର ପୁଲ ନିର୍ମାଣ ନିଗମ, ଭାରତ ସଂଚାର ନିଗମ, କେନ୍ଦ୍ରୀୟ ବିଦ୍ୟାଳୟ ହେଉଛି ମୌଳିକ ଭାବେ ଭାରତୀୟ ଭାଷାରେ ନାମକରଣ ହୋଇଥିବା ସଂସ୍ଥା। ଓଡ଼ିଶାର ଅଣଓଡ଼ିଆ ବ୍ୟୁରୋକ୍ରାଟ୍ ଓ ସେମାନଙ୍କ ଦୟାରେ ଚଳୁଥିବା ଭକୁଆ ମନ୍ତ୍ରୀମାନେ ଏଥିରୁ ଶିଖିବେ ବୋଲି ଆଶା କରୁ। ସୁବ୍ରତ ବାବୁ କ’ଣ ଭାବନ୍ତି କେବଳ ଇଂଲିଶ ହିଁ ପେଟପୋଷିବାର ଭାଷା? ସେଇଥିରେ ଦକ୍ଷତା ବିକାଶ ହେଲେ ଓଡ଼ିଶାର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଣ ଓ ଥଇଥାନ କରାଯାଇପାରିବ ଏବଂ କରାଯିବା ଉଚିତ? ଏହି ଆଭିମୁଖ୍ୟ ପ୍ରଥମେ ସ୍ପଷ୍ଟ କରନ୍ତୂ।

 

(୨) ଏକଥା ସବୁ ସଚେତନ ନାଗରିକ ଜାଣନ୍ତି ଯେ ଓଡ଼ିଶା ବା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସୁବ୍ରତ ବାଗଚିଙ୍କର ଅବଦାନ ଶୂନ। ତାଙ୍କୁ କୌଣସି ଓଡ଼ିଆ ଲୋକ ଯୋଗାଯୋଗ କରିବାକୁ ଚାହିଁଲେ ସେ ଦେଖା ଦିଅନ୍ତି ନାହିଁ। ଇମେଲ ଲେଖିଲେ ନିଜେ ଜବାବ ନଦେଇ ଜଣେ କନ୍ନଡ଼ ମହିଳା କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ ଇମେଲ ଫରୱାର୍ଡ଼ କରିଦିଅନ୍ତି। ଏହା ଦ୍ୱାରା ସେ ଓଡ଼ିଆ ଲୋକଙ୍କର କନ୍ନଡ଼ ଓ ଇଂଲିଶ‌୍ ଦକ୍ଷତା ପରଖିବାକୁ ଚାହାନ୍ତି କି? ଏବେ ଏହାର ଉତ୍ତର ଆଦାୟ କରିବାର ସମୟ ଆସିଛି।

 

(୩) ୨୩ ସେପ୍ଟେମ୍ବର ୨୦୧୫ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜାଗା ଉପରେ ଖୋଲିଛି ମାଇଣ୍ଡଟ୍ରି କଳିଙ୍ଗ। କିଛି ମାଇଣ୍ଡ୍ କରିବେନି, ପ୍ରଶ୍ନ ହେଲା ନିଜେ ମାଇଣ୍ଡ ଟ୍ରିର ସହ-ପ୍ରତିଷ୍ଠାତା ଭାବରେ କେତେ ଜଣ ଦକ୍ଷତାସଂପନ୍ନ ଓଡ଼ିଆଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଇଛନ୍ତି? ମୋଟ ନିଯୁକ୍ତ କର୍ମଚାରୀ/ଅଧିକାରୀମାନଙ୍କର ତାହା କେତେ ପ୍ରତିଶତ? ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ଅଧିକାରୀମାନଙ୍କର କେତେ ପ୍ରତିଶତ ହେଉଛନ୍ତି ଓଡ଼ିଆ? ସେହିଭଳି ମାଇଣ୍ଡଟ୍ରି କଳିଙ୍ଗରେ କେତେ ପ୍ରତିଶତ ସେହି ତିନି ସ୍ତରରେ ଓଡ଼ିଆ ଅଛନ୍ତି ଏବଂ ସେମାନଙ୍କ ହାର କେତେ?

 

(୪) ମାଇଣ୍ଡଟ୍ରି କଳିଙ୍ଗ କେବଳ ଏଠୁ ସଫ୍ଟୱେର ରପ୍ତାନୀ କରିବ କି ଆଉ କିଛି ଉପକାର ହେବ ଓଡ଼ିଶାର? ଓଡ଼ିଶାର ଇ-ଗଭର୍ନାନ୍ସ ପାଇଁ ଏ କମ୍ପାନୀର କ’ଣ ଭୂମିକା ରହିବ?

 

(୫) ସବୁ କମ୍ପାନୀ ନିଜ ରାଜ୍ୟରେ କର୍ପୋରେଟ‌୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ବ୍ୟୟ କରୁଥିବା ବେଳେ ସେ କ’ଣ କେଉଁଠି କରିଛନ୍ତି, ହିସାବ ଦେବେ କି? ୩୭୦୦ କୋଟି ଟଙ୍କାର କାରବାର କରୁଥିବା ଏକ ବିଶାଳ କମ୍ପାନୀର ସହପ୍ରତିଷ୍ଠାତା ହୋଇଥିବାରୁ ସେ କେତେ ମାତ୍ରାରେ ଥିଲେ ନିଜ ଜନ୍ମମାଟି-ମନସ୍କ, ତାହା ନିଶ୍ଚିତ ବିଚାର୍ଯ୍ୟ। ସେହି ଭଳି ଏବେର ମାଇଣ୍ଡଟ୍ରି କଳିଙ୍ଗର ସିଏସଆର ନୀତି କ’ଣ, ତାହା ସ୍ପଷ୍ଟ କରିବେ କି? ସେଥିରେ ଓଡ଼ିଶାର କେଉଁ ମୁଦ୍ଦାଗୁଡ଼ିକୁ ନେଇଛନ୍ତି?

 

(୬) ସବୁଠୁ ହାସ୍ୟାସ୍ପଦ ଓ ଆଶ୍ଚର୍ଯ୍ୟ କଥାଟି ହେଉଛି, ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କର ନିଜର ୱେବସାଇଟ‌୍ ନଥାଇ ମଧ୍ୟ ଏହାର ଉଦଘାଟନ ହୋଇଯାଇଛି। ଯାହାକି ୧ ମେ ୨୦୧୬ରୁ କାର୍ଯ୍ୟାରମ୍ଭ କରିଛି। ଗୋଟିଏ ବିଶ୍ୱସ୍ତରୀୟ ସଫ୍ଟୱେର କମ୍ପାନୀର ସହପ୍ରତିଷ୍ଠାତା ଭାବରେ ଏତିକି କାଣ୍ଡଜ୍ଞାନ କୁଆଡ଼େ ଉଭେଇଗଲା? ଯଦି ବି ବିଳମ୍ବରେ ୱେବସାଇଟ‌୍ ହୁଏ, ତାହା କାହିଁକି ଇଂଲିଶ୍ ଭାଷାରେ ହେବ, ଦୟାକରି କହିବେକି? (ଆରମ୍ଭରୁ କହୁଛୁ ଯେ ଘଟଣା ଘଟିସାରିବା ପରେ ଛାନଭିନ‌୍ କରିବାରେ ପଇସାକର ମୂଲ୍ୟ ନାହିଁ।) ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବା ଯଦି ଅଭିସନ୍ଧି ହୋଇଥାଏ, ତେବେ ଆମେ ବୁଝିଯିବୁ ଗୁମର।

 

(୭) ୨ ବର୍ଷ ତଳେ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନୂଆ କରି ଖୋଲିଛି। ଏହା ଠାରୁ ଭିନ୍ନ ଭାବରେ ଏକ ସ୍ୱାଧୀନ ସଂସ୍ଥାର ଭୂମିକାରେ କ’ଣ ପାର୍ଥକ୍ୟ ରହିବ? ବିଭାଗୀୟ ବ୍ୟବସ୍ଥାରେ କ’ଣ କିଛି ନାହିଁ ଓଡ଼ିଆ ଯୁବକଙ୍କ ଦକ୍ଷତାର ଆବଶ୍ୟକତା ପରଖିବାକୁ? ସେହି ଭଳି ଦେଢ଼ ବର୍ଷ ତଳେ ଗଢ଼ାଯାଇଥିବା ରାଜ୍ୟ ନିଯୁକ୍ତି ମିଶନର ଭୂମିକା ଓ ଦାୟିତ୍ୱ ତେବେ କ’ଣ? ସେଥିରେ ପଂଝେ ଲୋକ କ’ଣ ତାହେଲେ ଆଈ କୋଠରୀରେ ବସି ଦରମା ସୁବିଧା ସୁଯୋଗ ଟାଣୁଛନ୍ତି? ସେହିଭଳି  ଓଡ଼ିଶା ଜୀବିକା ମିଶନ ମଧ୍ୟ ଗୋଟିଏ ବହୁ ବର୍ଷ ଧରି ନାମ ବଦଳି ବଦଳି କାମ କରୁଛି। ସେହି ମିଶନ ଓ ମିଶନ ଶକ୍ତି - ଏଗୁଡ଼ିକ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କିଏ କରିବ? ଏ ସବୁର ଜ୍ଞାନ ସୁବ୍ରତ ବାବୁଙ୍କୁ ଦିଆଗଲାଣି କି?

 

(୮) ୩୦ଟି ଜିଲ୍ଲାକୁ ବୁଲି ବୁଲି ଓଡ଼ିଆ ଯୁବକଙ୍କ ଦରକାରୀ ଦକ୍ଷତା ଠାବ କରି ସରକାରଙ୍କୁ ସୁପାରିଶ କରିବା ହେଉଛି, ସୁବ୍ରତ ବାବୁଙ୍କ ବଡ଼ କାମ। ଯାହାକି ପ୍ରକାଶିତ ବିଭିନ୍ନ ଖବରରେ ପ୍ରକାଶ ପାଇଛି। ତେବେ ସେ ୩୦ଟି ଜିଲ୍ଲାକୁ ବୁଲିବାକୁ କେତେ ବର୍ଷ ନେବେ ଏବଂ କେବେ ସୁପାରିଶ ରିପୋର୍ଟ ଦାଖଲ କରିବେ? ଏହା ଏକ ସ୍ୱାଭାବିକ ପ୍ରଶ୍ନ। କାରଣ, ଲକ୍ଷ୍ୟ କରାଯାଇଛି ଯେ ଜିଲ୍ଲାପାଳମାନେ ୩ ବର୍ଷ କୌଣସି ସାନ ଜିଲ୍ଲା (୭୦ ପଞ୍ଚାୟତବାଲା)ରେ କାର୍ଯ୍ୟ କରି ମଧ୍ୟ ଜିଲ୍ଲାର ସବୁ ପଞ୍ଚାୟତକୁ ଅନ୍ତତଃ ଥରଟେ ଗସ୍ତ କରିପାରି ନାହାନ୍ତି। ମିଛ ଗସ୍ତ ରିପୋର୍ଟ ଓ ସତ ଗସ୍ତ ରିପୋର୍ଟ ମିଶାଇଲେ ମଧ୍ୟ ଏହି ଆଶଙ୍କାର ମୁକାବିଲା କେହି କରି ନାହାନ୍ତି। ଯଦି ସୁବ୍ରତ ବାବୁ ସବୁ ଜିଲ୍ଲା ବୁଲିବେ, ତେବେ ବର୍ଷରେ କେତେ ଦିନରେ ସାରିବେ? ଶାସକ ଦଳର ୨୦୩୬ ସ୍ୱପ୍ନ ସହ ମତ ମିଳାଇ ଦେବେ ନି ତ?

 

(୯) ମଟରଗାଡ଼ି ଚାଲି ପାରୁନଥିବା ଅଞ୍ଚଳକୁ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯିବେ କି? ଗାଡ଼ିରୁ ଓହ୍ଲାଇ ୧ ବା ୨ କିଲୋମିଟର ଚାଲିବେ କି? ଭଲ ପାଗ ବେଳେ ଗସ୍ତ କରି ସେ ଲୋକଙ୍କର କେଉଁ ଦୁଃଖକୁ ଦେଖିପାରିବେ? ସାମ‌୍ ପିଟ୍ରୋଡ଼ା ବାବୁ କେତେ ବୁଲିଲେଣି, ଆମେ ଜାଣୁ। ବିଧି ଓ ବିଜ୍ଞାନ ଧାର୍ଯ୍ୟ କରିସାରିଛି ଅବସରର ବୟସ। ତଥାପି ଯଦି ନିଜ ଜନ୍ମମାଟିର ସେବା କରିପାରିବେ ବୋଲି ସୁବ୍ରତ ବାବୁ ବିଶ୍ୱାସ କରୁଛନ୍ତି, ତେବେ କେବଳ ସମ୍ବାଦପତ୍ରର ସଂପାଦକୀୟ ପୃଷ୍ଠା କାହିଁକି, ସରକାରଙ୍କ ଉତ୍କଳ ପ୍ରସଙ୍ଗ ବା ଓଡ଼ିଶା ରିଭିଉରେ ଲେଖନ୍ତୁ, ନିଜ ସଂସ୍ଥାର ୱେବସାଇଟରେ ଲେଖନ୍ତୁ।

 

(୧୦) ଅବସରପ୍ରାପ୍ତ ବୟସରେ ଜଣେ ବହୁତ ବଡ଼ ରେଳବାଇ ଅଧିକାରୀ କଲ୍ୟାଣ ଜେନା, ଓଡ଼ିଆମାନଙ୍କୁ କିଭଳି ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ, ଓଡ଼ିଆମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଓଡ଼ିଆମାନଙ୍କୁ ନିନ୍ଦା କରିଥିଲେ, ତାହା କୌଣସି ସ୍ୱାଭିମାନୀ ଓଡ଼ିଆ କ’ଣ କେବେ ଭୁଲି ପାରିବ? ଓଡ଼ିଶାରେ ଜନ୍ମ ହୋଇ ପାଠ ପଢ଼ି, ସରକାରୀ କିରାଣୀ ଚାକିରି କରି, ଚାକିରି ଛାଡ଼ି ଏତେ ଏତେ ପ୍ରାଇଭେଟ‌୍ କମ୍ପାନୀରେ ଗୁରୁ ଦାୟିତ୍ୱ ନେବା ପରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିତ୍ୱ ସୁବ୍ରତ ବାଗଚି ଯଦି ଓଡ଼ିଶାର ଇତିହାସ, ଭୁଗୋଳ, ସମାଜ ଓ ଅର୍ଥନୀତି ଉପରେ ଜ୍ଞାନ ଅର୍ଜନ କରିବାକୁ ସରକାରୀ ପାଣ୍ଠିରେ ୩୦ ଜିଲ୍ଲା ବୁଲିବେ, ତେବେ ସେ ଜୀବନସାରା କରିଛନ୍ତି କ’ଣ ଏ ରାଜ୍ୟ ପାଇଁ? ଏ ପ୍ରଶ୍ନ ତ ଉପରର ସବୁ ପ୍ରଶ୍ନକୁ ଘୋଡ଼ାଇ ପକାଉଛି, କ’ଣ କହୁଛନ୍ତି?

 

ଶେଷ ପ୍ରଶ୍ନକୁ ଯିଏ ବୁଝିଯିବେ, ସେ ହୁଏତ କହି ପାରନ୍ତି, ଅନ୍ୟ ସବୁ ପ୍ରଶ୍ନ ବେକାର। ସେଗୁଡ଼ିକରେ ଦକ୍ଷତା ନାହିଁ।

 

ମାନ୍ୟବର ସୁବ୍ରତ ବାଗଚିଙ୍କ ଭଳି ଦକ୍ଷ ଓ ସଫଳ ବ୍ୟକ୍ତିତ୍ୱଙ୍କ ପାଇଁ ଦେଢ଼ ମାସ ବି ଖୁବ୍ ଲମ୍ବା ସମୟ କିଛି କରି ଦେଖାଇବା ପାଇଁ। କାରଣ ସମାନ ପ୍ରକାର କାମ ସେ ନିଜ କର୍ମମୟ ଜୀବନରେ କରି ସାରିଛନ୍ତି। ଆଶା କରେ ଏହି ପ୍ରବନ୍ଧରେ ଥିବା ପ୍ରଶ୍ନଗୁଡ଼ିକ ନିଶ୍ଚୟ ତାଙ୍କ ପାଖରେ ପହଞ୍ଚିବ ଏବଂ ତାଙ୍କୁ ପ୍ରକୃତିସ୍ଥ କରିବ।


ପ୍ରତିକ୍ରିୟା

Shanti Ranjan Behera - Email: advocateforjustice1972@gmail.com - Posted on 2016-06-25 06:37:28

Thanks for this beautiful article.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top