ରାବଣ କାହିଁକି ମଲା?

News Story - Posted on 2016-06-21

ଦେବେନ୍ଦ୍ର ପୃଷ୍ଟି

 

ରାମାୟଣ କେବଳ ଏକ ମହାକାବ୍ୟ ନୁହେଁ, ଏହା ହେଉଛି ଭାରତୀୟ ଧର୍ମ ଓ ସଂସ୍କୃତିର ଏକ ସୁଦୃଢ଼ ଆଧାର। ଏଥିରେ ଥିବା ବର୍ଣ୍ଣନା ଅନୁସାରେ ରାବଣ ଥିଲା ସ୍ୱର୍ଣ୍ଣ ଲଙ୍କାର ଅଧୀଶ୍ୱର। ଧନ, ଜନ, ସାହସ, ଶକ୍ତି- କେଉଁଥିରେ ଲଙ୍କାର କିଛି ଅଭାବ ନଥିଲା। ନିଜେ ରାବଣ ଥିଲା ମହା ପରାକ୍ରମୀ। ମର୍ତ୍ତ୍ୟ ତ ମର୍ତ୍ତ୍ୟ, ସ୍ୱର୍ଗ ଓ ପାତାଳ ଲୋକରେ ମଧ୍ୟ ତା’ ସମକକ୍ଷ ଶକ୍ତିଶାଳୀ କେହି ନଥିଲେ। ତା’ ବୋଲ ମାନୁଥିଲେ ପାଣି, ପବନ, ନିଆଁ ଆଦି ପ୍ରକୃତିର ପ୍ରାୟ ସବୁ ଶକ୍ତି। ସେ ପୁଷ୍ପକ ବିମାନ ଚଢ଼ୁଥିଲା। ବେଶ ବଦଳାଇ ପାରୁଥିଲା। ଅନ୍ତର୍ଦ୍ଧାନ କୌଶଳ ଜାଣିଥିଲା। ଆଜିର ଆଣବିକ ବୋମା କି ଉଦଯାନ ବୋମା ପରି ସେ ମଧ୍ୟ ବ୍ରହ୍ମାସ୍ତ୍ର ହାସଲ କରିଥିଲା। ଆଜିର ଉପଭୋଗବାଦୀ ଅର୍ଥନୀତି ପରି ରାବଣର ଲଙ୍କାରେ ମଧ୍ୟ ଭୋଗ ଓ ବିଳାସର କୌଣସି ଅଭାବ ନଥିଲା।

 

କିନ୍ତୁ ହେଲା କ’ଣ?

 

ଜଣେ ଆଦିବାସୀ ହାତରେ ହେଲା ତା’ର ପରାଜୟ। ଲଙ୍କା ଧ୍ୱଂସ ହେଲା। ବଉଁଶ ବୁଡ଼ିଲା। ସୁନାର ଲଙ୍କା ଛାରଖାର ହୋଇଗଲା। ଅଗ୍ନି ରାବଣର ବଶ୍ୟତା ସ୍ୱୀକାର କରିଥିଲେ ବି ସେଇ ନିଆଁରେ ଜଳି ଯାଇଥିଲା ଲଙ୍କାପୁରୀ। ଚଉଦ ବର୍ଷ ବନବାସରେ ରହି ଆଦିବାସୀ ସଭ୍ୟତା ଓ ସଂସ୍କୃତିରେ ପରିପୋଷିତ ହୋଇଥିବା ରାମଚନ୍ଦ୍ର ବାନର ଓ ଭଲ୍ଲୁକମାନଙ୍କୁ ସାଥୀ କରି ଲଙ୍କାଗଡ଼ ଧ୍ୱଂସ କରିବା ସହିତ ରାବଣକୁ ନିପାତ କରିଥିଲେ। ସେତେବେଳେ କେଉଁ ଶକ୍ତି, ସମ୍ୱଳ ଓ ପ୍ରଭୁତ୍ୱ ତା’କୁ ରକ୍ଷା କରିପାରି ନଥିଲେ। ବଣଜଙ୍ଗଲର ଫଳମୂଳ ଖାଇ, ବ୍ରହ୍ମଚର୍ଯ୍ୟ ପାଳନ କରି ବଂଚିଥିିବା ଦୁଇ ଜଣ ସାଧାରଣ ଆଦିବାସୀ ସୁଲଭ ଲୋକ ମାଂସ, ମଦ୍ୟ ଓ ମହିଳା ସମେତ ଯାବତ ଭୋଗ ଓ ବିଳାସରେ ପରିପୁଷ୍ଟ ରାବଣରାଜ୍ୟର ଅନ୍ତ ଘଟାଇବାକୁ ସମର୍ଥ ହୋଇଥିଲେ।

........

 

ମହାଭାରତ ମଧ୍ୟ ଭାରତୀୟ ଧର୍ମ, ଦର୍ଶନ ଓ ସଂସ୍କୃତିର ଅନ୍ୟ ଏକ ଭିତ୍ତିଭୂମି। କୁହାଯାଏ ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ।

 

ମହାଭାରତର କୌରବମାନେ ଥିଲେ ରାଷ୍ଟ୍ରଶକ୍ତିର ଅଧିକାରୀ। ସେମାନେ ଥିଲେ ଶହେ ଭାଇ। ଭାରତବର୍ଷର ଅଧିକାଂଶ ରାଜା ଓ ସର୍ଦ୍ଦାରମାନେ ଥିଲେ କୌରବଙ୍କ ସମର୍ଥକ। ନିଜେ ଦୁର୍ଯ୍ୟୋଧନ ଯେପରି ଶକ୍ତିଶାଳୀ ଥିଲା ସେହିପରି ସ୍ୱାଭିମାନୀ ଥିଲା। ତା’ ପଟରେ ଥିଲେ ଧନ ଓ ଅନ୍ନର ଦେବୀ ମା’ ଲକ୍ଷ୍ମୀଙ୍କର ନାରାୟଣୀ ସେନା। ତା’ର ମିତ୍ର କର୍ଣ୍ଣ ଥିଲେ ସୂର୍ଯ୍ୟଶକ୍ତିର ଅଧିକାରୀ। ସେ ଚାଲିଲେ କାଳେ ସୁନାର ପଦ୍ମ ଫୁଟୁଥିଲା। ଅପରାଜେୟ ଭୀଷ୍ମ, ସବୁ ସମର କଳାର ପ୍ରବୀଣ ଗୁରୁ ଦ୍ରୋଣ, କୃପାଚାର୍ଯ୍ୟ, ଶଲ୍ୟ ଆଦି ମହା ମହା ରଥୀ ଥିଲେ କୌରବ ପକ୍ଷରେ। ଦ୍ୟୁତକ୍ରୀଡ଼ାର ବିଳାସ ଯେଉଁ ରାଜ ପ୍ରାସାଦରେ ଏକ ପ୍ରଥା ଥିଲା, ଯେଉଁଠି ଦୁର୍ଯ୍ୟୋଧନ ଓ ଭାନୁମତୀ ନିଇତି ବିବାହ କରୁଥିଲେ, ଯେଉଁଠି ଯଜ୍ଞ ଓ ଦାନ ଥିଲା ଏକ ଦୈନନ୍ଦିନ ଜୀବନଚର୍ଯ୍ୟା ସେଠି ଅନ୍ୟ ସମସ୍ତ ଭୋଗ ଓ ଉପଭୋଗର କି ଅଭାବ ଥିଲା ତାହା କେହି କଳ୍ପନା କରି ନାହାନ୍ତି।

 

କିନ୍ତୁ ହେଲା କ’ଣ?

 

ଜୀବନ ସାରା ଭୋଗ ଓ ବିଳାସରେ ବଢ଼ିଥିବା କୁରୁକୂଳ ଧ୍ୱଂସ ହେଲେ। ଜୀବନର ମୂଲ୍ୟବାନ ସମୟ ବନବାସ ଓ ଅଜ୍ଞାତବାସରେ ରହିବା ସହିତ ଭିକ ମାଗି ଓ ପର ଘରେ କାମ କରି ବଂଚିଥିବା ପଞ୍ଚୁ ପାଣ୍ଡବ ଯୁଦ୍ଧାସ୍ତ୍ର ଧରି ନଥିବା ଜଣେ ସାରଥୀ କୃଷ୍ଣର ନୀତି ଓ ଧର୍ମର କଥା ଶୁଣି ଶୁଣି ବିଜୟୀ ହେଲେ, ରାଜ୍ୟ ଜିତିଲେ।

.....

 

ଇଏ ତ ହେଲା ପୁରାଣର କଥାବସ୍ତୁ।

 

 

ଇତିହାସରେ ମଧ୍ୟ ଏଇ ଧାରାର ଅନେକ ଉଦାହରଣ।

 

କେମିତି ଧ୍ୱଂସ ହେଲା ସିନ୍ଧୁ ସଭ୍ୟତା? ନୀଳ ଉପତ୍ୟକା ଓ ହ୍ୱାଙ୍ଗ ହୋ ସଭ୍ୟତାର ଅନ୍ତ ଆସିଲା କିପରି? କେଉଁ ସମୟରେ ଲୋପ ପାଇଲା ମାୟା ସଭ୍ୟତା? ଆଶ୍ଚର୍ଯ୍ୟ! ସେହି ସମୟରେ ବିକାଶର ଚରମ ସୋପାନରେ ପହଂଚିବା ପରେ ହିଁ ଏସବୁ ସଭ୍ୟତାର ପତନ ହୋଇଥିଲା। ସୃଷ୍ଟି ହୋଇଥିଲା ନୂଆ ସଭ୍ୟତା।

 

ଚଳିତ ବର୍ଷ ମେ ୨୫ ତାରିଖରେ ନେଚର ପତ୍ରିକାରେ ପ୍ରକାଶ ପାଇଥିବା ଏକ ନିବନ୍ଧରେ ସିନ୍ଧୁ ଉପତ୍ୟକା ସଭ୍ୟତାର ବିକାଶ ଓ ବିନାଶ ସଂପର୍କରେ ଅନେକ ତଥ୍ୟ ଓ ପ୍ରମାଣ ଉପସ୍ଥାପିତ ହୋଇଛି। ହରପ୍ପା ଓ ମହେଞ୍ଜୋ ଦାରୋ ନିକଟରେ ସିନ୍ଧୁ ଉପତ୍ୟକାର ଲୋକମାନେ ସ୍ଥାପନ କରିଥିଲେ ଆଧୁନିକ ସହର। ପୋଡ଼ା ଇଟା ଓ ପଥରର ପ୍ରାସାଦ, ଆଧୁନିକ ପ୍ରଣାଳୀର ସ୍ନାନାଗାର, ଶସ୍ୟ ସଂରକ୍ଷଣ ସୁବିଧା, ମୌଜମସ୍ତିର ବ୍ୟବସ୍ଥା, ତମ୍ୱା ଓ ଲୁହାର ବ୍ୟବହାର, ବିଦେଶ ବାଣିଜ୍ୟ, ଉନ୍ନତ ପରିବହନ ଓ ସଡ଼କ- ପ୍ରାୟ ସବୁ ଦୃଷ୍ଟିରୁ ବିକାଶର ଅନେକ ଜ୍ଞାନ ଓ ପ୍ରଯୁକ୍ତି ହାସଲ କରିଥିଲେ ପ୍ରାୟ ୮୦୦୦ ବର୍ଷ ତଳର ସୈନ୍ଧବ ମଣିଷ।

କିନ୍ତୁ ହେଲା କ’ଣ?

 

ତାହାର ବି ପତନ ହେଲା।

 

ଭାଗ୍ୟ ଭଲ, ସେଇ ଲୋକଙ୍କ ଭିତରୁ କେତେକ ପ୍ରକୃତ ଜ୍ଞାନୀ ବଦଳୁଥିବା ପାଣିପାଗ ଓ କମୁଥିବା କୃଷି ଅମଳ ଦେଖି ସହର ଛାଡ଼ି ପୁଣି ଥରେ ଗାଁ ଓ ଜଙ୍ଗଲକୁ ଫେରି ଯାଇଥିଲେ। ଆଉ ସେଇଥିପାଇଁ ସିନ୍ଧୁ ଉପତ୍ୟକାର ଲୋକମାନଙ୍କର ବଂଶନାଶ ହୋଇନଥିଲା। ସେମାନେ ହେଉଛନ୍ତି ଆଜିର ଭାରତର ଅନେକ ଅଂଶ।

.....

 

ଆଜିର ବିଶ୍ୱ ଠିକ ଏଇପରି ବିକାଶ ସଂକଟର ସମ୍ମୁଖୀନ। ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନର କାରଣ କ’ଣ? କାହିଁକି ଆଜି ସଭ୍ୟତା ଓ ବିକାଶର ଚରମ ସୋପାନରେ ପହଂଚିଥିବା ମଣିଷର ଆଉ ଏକ ପୃଥିବୀର ଆତୁର ଅନ୍ୱେଷଣ?

 

ଆଧୁନିକତାକୁ ପଛରେ ଛାଡ଼ି ଏବେ ଅତ୍ୟାଧୁନିକ ମଣିଷର ରାଜୁତି। ରାଜୁତି କେଉଁଠି ପୁଣି କେଉଁଠି ନୁହେଁ? ରାବଣ ପରି ଜଳ, ସ୍ଥଳ ଓ ଆକାଶ-ସବୁଠି। ଅତଳ ସାଗର ଗର୍ଭରୁ ଅନନ୍ତ ଆକାଶ ଯାଏଁ ସବୁଠି ଦେଖାଦେଉଛି ମଣିଷର ପାଦଚିହ୍ନ। ଉପଗ୍ରହ, ରକେଟ, ସୁପରସୋନିକ ବିମାନ, କ୍ଷେପଣାସ୍ତ୍ର, ପରମାଣୁ ଓ ଉଦଯାନ ବୋମା, ରାସାୟନିକ ଅସ୍ତ୍ର, ନଭଶ୍ଚୁମ୍ୱୀ ଅଟ୍ଟାଳିକା, ମେଟ୍ରୋ ଟ୍ରେନ‍୍‌, ନାନାଦି କାରଖାନା, ମୋଟର ଯାନ, ବିସ୍ତୀର୍ଣ୍ଣ ସଡ଼କ, ଅସଂଖ୍ୟ ସହର, ଶକ୍ତି ଓ ଇନ୍ଧନର ଅମାପ ଉପଯୋଗ-ସଭ୍ୟତା ଓ ବିକାଶର ଆଉ ଏକ ଚରମ ସୋପାନରେ ଅବତ୍ତୀର୍ଣ୍ଣ ଏବେ ବିଶ୍ୱ ସମୁଦାୟ। ତଥାପି ଆଗରେ ଓ ପଛରେ ଏବେ ବିକାଶର ଭୂତ। କେମିତି ବଂଚିବା? କିପରି ବଂଚିବା? ଏଠୁ ଛାଡ଼ି ପଳେଇବା କି? ଯିବା କୋଉଠିକି? ମଙ୍ଗଳକୁ ନା ବୃହସ୍ପତିକୁ? ନା ଆଉ କୋଉଠି ସମ୍ଭାବନା ଅଛି ଜୀବନର? ଅନନ୍ତ ଅନ୍ୱେଷଣ? କେଉଁଠି ମିଳୁଛି ଅମ୍ଳଯାନ, ପାଣି ଓ ପବନ?

 

ଏବେ ସୁଦ୍ଧା ବିଶ୍ୱର ୧୦ ପ୍ରତିଶତ ଲୋକ ବି ଏଇ ଅତ୍ୟାଧୁନିକ ବିକାଶର ‘ମହାକାଳ ଫଳ’ ଖାଇ ପାରି ନାହାନ୍ତି। ଚାଖିଛନ୍ତି ଅବଶ୍ୟ ଆଉ କିଛି ଅଧିକ। ତଥାପି ପେଟ୍ରୋଲିୟମ ସରି ଆସୁଛି। କୋଇଲା ଭଣ୍ଡାର ଶେଷ ପର୍ଯ୍ୟାୟରେ। ଲୁହା, ତମ୍ୱା, ବକ୍ସାଇଟ‍୍‌ ଅନ୍ୟାନ୍ୟ ଧାତୁର ଅନେକ ଖଣି ନିଃଶେଷ। ନବେ ଭାଗ ନଦୀ ପ୍ରଦୂଷିତ। ସମୁଦ୍ର ଜଳରେ ବିଷ ଓ ଆବର୍ଜନା। ଅନେକ ଜାଗାରେ ବନ୍ଧ୍ୟା ହେଲାଣି ବସୁନ୍ଧରା। ଅଳପ ବର୍ଷାରେ ଅଧିକ ବନ୍ୟା। ଟିକେ କମିଗଲେ ମରୁଡ଼ି। ଚାରି ପଟେ ଧନ ଓ ଧାନ୍ୟର ପ୍ରାବଲ୍ୟ। ତଥାପି ଅନେକ ଅଂଚଳରେ ଦୁର୍ଭିକ୍ଷ। ସହସ୍ର ପ୍ରକାର ବ୍ୟାଧି। ଅନେକ ସେଥିରୁ ଦୁରାରୋଗ୍ୟ। ଚିକିତ୍ସା ପାଇଁ ଡାକ୍ତରଖାନା ନାହିଁ।

ରାସ୍ତାକୁ ଓହ୍ଲାଇଲେ ମୃତ୍ୟୁର ଆଶଙ୍କା। ଆକାଶରେ ଉଡ଼ିଲେ ଜୀବନପାତ। ଘରେ ରହିଲେ ହଜାରେ ଯନ୍ତ୍ରଣା। ପଦାକୁ ଗଲେ ଲକ୍ଷେ କୋଳାହଳ।

 

ଜଳ ସଂକଟ। ଖାଦ୍ୟ ସଂକଟ। ଅମ୍ଳଯାନ ସଂକଟ। ଔଷଧ ସଂକଟ।

 

ଆମେରିକାରୁ ଆରମ୍ଭ କରି ୟୁରୋପ ଯାଏଁ ଅର୍ଥନୀତିରେ ସଂକଟ। ଆମେରିକାରୁ ଆରମ୍ଭ କରି ଆଫ୍ରିକା ଯାଏଁ ଆତଙ୍କବାଦର ରାଜୁତି।

 

ଭୟଙ୍କର ଜୀବନ ସଂକଟର ସମ୍ମୁଖୀନ ହୋଇଛି ମଣିଷ ଜାତି।

 

ମାଗଣା ଜଳ ଦେଉଥିବା ନଦୀ ସବୁ ବିଷାକ୍ତ ଓ ପ୍ରଦୂଷିତ। ମାଗଣା ଅମ୍ଳଯାନ ଦେଉଥିବା ଗଛ ସବୁ ଦ୍ରୁତଗତିରେ କ୍ଷୟମାଣ। ମାଗଣାରେ ଖାଦ୍ୟ ଦେଉଥିବା ଧରିତ୍ରୀ ମାତା ଅନେକଠାରେ ଧର୍ଷିତା। ମାଗଣାରେ ଆଧାର ଦେଉଥିବା ପୃଥିବୀ ଉପରେ ଏବେ ଅନେକ ରାବଣଙ୍କ କବ୍ଜା।

 

ଯେଉଁ ପରିପୋଷଣୀୟ ବିକାଶର କଥା ଚିନ୍ତା କରୁଛନ୍ତି କେତେକ ତ୍ରିକାଳଦ୍ରଷ୍ଟା ବୈଜ୍ଞାନିକ ତାହା କ’ଣ? ପୃଥିବୀ ଓ ପ୍ରକୃତିର ପରିପୋଷଣ ପାଇଁ କେଉଁ କାରଖାନାରୁ ଉତ୍ପାଦିତ ହୋଇପାରିବ ପ୍ରଯୁକ୍ତି ବିଦ୍ୟା? କେଉଁ କାରଖାନାରେ ତିଆରି ହେବ ଖାଦ୍ୟ, ଜଳ ଓ ଅମ୍ଳଯାନ? ସମସ୍ତଙ୍କ ପାଇଁ ପକ୍କା ଘର ବା କୋଠା ତିଆରି କରିବାକୁ କେଉଁଠୁ ମିଳିବ ବଜୁରୀ, ସିମେଣ୍ଟ ଓ ଲୁହା ଛଡ଼? ସମସ୍ତଙ୍କ ଗାଡ଼ି ପାଇଁ କେଉଁଠୁ ଆସିବ ପେଟ୍ରୋଲ, ଡିଜେଲ ବା ସେହିପରି କୌଣସି ବିକଳ୍ପ ଇନ୍ଧନ? ସମସ୍ତଙ୍କ ଘରେ ବିଜୁଳି ଆଲୁଅ ଜାଳିବା ପାଇଁ କେତେ ଲୋକଙ୍କୁ ପଠାଇବାକୁ ହେବ ଯମାଳୟ?

 

ବିକାଶର ସଂଜ୍ଞା କ’ଣ ବିନାଶର ଅନ୍ୟ ନାମ? ଯାହା ବିନାଶ କରେ ତାହା କେମିତିକା ବିକାଶ? ଏଭଳି ବିକାଶ କ’ଣ ସତ୍ୟ, ଧର୍ମ ଓ ନ୍ୟାୟର ପନ୍ଥାଶ୍ରୟୀ?

 

କ’ଣ ଏହାର ସମାଧାନ? ବଳଭଦ୍ରର ଲଙ୍ଗଳ ଓ କୃଷ୍ଣର ବଇଁଶୀ?

 

କୃଷି ଓ ପଶୁପାଳନ ଯେଉଁ ଅର୍ଥନୀତି, ବିକାଶ ଓ ସଭ୍ୟତାର ମୂଳଦୁଆ ଓ କେନ୍ଦ୍ରବିନ୍ଦୁ ତାହା କ’ଣ ଏପରି ବିନାଶର ବାର୍ତ୍ତାବହ?

 

ପ୍ରଶ୍ନ ଆମର। ଉତ୍ତର ବି ଆମକୁ ଖୋଜିବାକୁ ହେବ।


ପ୍ରତିକ୍ରିୟା

Dr A P Nayak - Email: drapnayak@gmail.com - Posted on 2016-06-23 18:19:56

Mo Aja gotie chhota geeta gauthile. Taha Ehi pari. : Jahin re nihita jetiki sukha, Tahin, prachhannanti tetiki dukha. Taara mane jeun thire jetiki sukha rahichi, sethire setiki dukha luchi ki rahichi. Sukha tatkala dekha deba, Dukha pare aasi tadana deba.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top