କନ୍ଧଙ୍କ ସପୁରୀ ଖାଉଛି ଆନ୍ଧ୍ର!

News Story - Posted on 2016-06-20

କଳାହାଣ୍ଡି ଓ ରାୟଗଡା ସୀମାନ୍ତ ନିୟମଗିରି ପର୍ବତର ସପୁରୀ ଏବେ ଛତିଶଗଡ ଓ ଆନ୍ଧ୍ର ବେପାରୀଙ୍କ କବ‌୍‍ଜାରେ। ଫଳରେ ଦିନରାତି ଖଟି ସପୁରୀ ଉତ୍ପାଦନ କରୁଥିବା ନିୟମଗିରି ଡଙ୍ଗରିଆ ଏବଂ ଝରଣିଆ କନ୍ଧ ପରିଶ୍ରମ ମୁତାବକ ପାଉଣା ପାଉ ନ ଥିବା ଅଭିଯୋଗ ହୋଇଛି।

 

ନିୟମଗିରି ପର୍ବତର ଜଙ୍ଗଲ ମଧ୍ୟରେ ଉଭୟ କଳାହାଣ୍ଡି ଓ ରାୟାଗଡା ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଛୋଟ ଛୋଟ ଗାଁ ରହିଛି। ବିକାଶଠାରୁ ଅନେକ ଦୂର ଅନ୍ଧାରୀ ମୁଲକରେ ରହୁଥିବା ସରଳ ନିରୀହ ଆଦିବାସୀମାନେ ପ୍ରକୃତି ଉପରେ ନିର୍ଭର କରି ଋତୁ ମୁତାବକ ଶସ୍ୟ ଓ ଫଳ ପାହାଡ ଉପରେ ଉତ୍ପାଦନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ବିଭିନ୍ନ ସମୟରେ ଆଦିବାସୀମାନେ କାନ୍ଦୁଲ, ମାଣ୍ଡିଆ, କୁଶଳା, ଆମ୍ୱ, କଦଳୀ, କମଳା, ଲେମ୍ୱୁ, ଡାଲଚିନି, ଗୋଲ ମରିଚ, ହଳଦୀ, ଅଦା, ତେନ୍ତୁଳି, ପଣସ ଆଦି ଚାଷ କରୁଥିଲେ ହେଁ ମେ ଓ ଜୁନ ୨ ମାସରେ ସେମାନେ ପ୍ରମୁଖ ଅର୍ଥକାରୀ ଫଳ ଭାବେ ସପୁରୀ ପଣସ ଚାଷ କରିଥାନ୍ତି।

 

ନିୟମଗିରି ପର୍ବତର ଶୀତଳ ଜଳ ଓ ପବନ ଯୋଗୁଁ ପାହାଡ ଉପରେ ଚାଷ ହେଉଥିବା ସପୁରୀ ପଣସ ସବୁ ୧ ରୁ ୩ କେଜି ପର୍ଯ୍ୟନ୍ତ ଓଜନ ହୋଇଥାଏ। ଫଳରେ ନିୟମଗିରି ସପୁରୀପଣସର ସ୍ୱତନ୍ତ ଚାହିଦା ରହିଥାଏ। ବିଶେଷ କରି ନିୟମଗିରି ପର୍ବତର କୁର୍ଲି, ଖମ୍ୱେସି, ଖଜୁରୀ, ଗଡତଲି, କାତ୍ରାଗୁମା, ଉପରଗୁମା, ଗଡଝଲି, ଆମଦୁଣି, ଗରଟା, କୁଚେଲି, ହଟେସି, ମୁଣ୍ଡବାଲି, ଦୁଣ୍ଡିଜାଲି, ଲଡାଙ୍ଗ ଆଦି ଗାଁମାନଙ୍କରେ ପ୍ରଚୁର ପରିମାଣରେ ସପୁରୀ ପଣସ ଚାଷ ହୋଇଥାଏ ଏବଂ ଆଦିବାସୀମାନେ ଏହି ସପୁରୀ ପଣସ ବିକ୍ରି କରିବା ପାଇଁ ରାୟଗଡା ଜିଲ୍ଲାର ଚାଟିକଣା, ବିଷମକଟକ, ମୁନିଗୁଡା, ଆମ୍ୱାଦୋଲା ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ଲାଞ୍ଜିଗଡ ରୋଡ, ଭବାନୀପାଟଣା ଆଦି ସ୍ଥାନକୁ ନେଇଥାନ୍ତି।

 

ହେଲେ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶର ବେପାରୀମାନେ ଆଦିବାସୀ ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ ଗୋଟାଏକୁ ୨ ରୁ ୫ ଟଙ୍କାରେ ସପୁରୀ ପଣସ କିଣି ନେଇ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ଗୋଟାଏକୁ ୪୦ରୁ ୫୦ ଟଙ୍କା ଦରରେ ବିକ୍ରି କରି ମାଲେମାଲ ହୋଇଥାନ୍ତି। ଅନ୍ୟପଟେ ଆଦିବାସୀମାନେ ପାହାଡ ଉପରେ ମୁଣ୍ଡାଝାଳ ତୁଣ୍ଡରେ ମାରି ୩ରୁ ୪ ମାସ ଦିନରାତି ପରିଶ୍ରମ କରି  ସପୁରୀ ପଣସ ଚାଷ କରି ଏତେ ଲାଭ ପାଇ ନଥାନ୍ତି। ଏଇ ବେପାରୀଙ୍କ ଯୋଗୁଁ ସେମାନେ ଯେତେ ପରିଶ୍ରମ କରିଥାନ୍ତି ତା’ର ୧୦ ଭାଗରୁ ଭାଗେ ମଧ୍ୟ ଲାଭ ପାଇ ନ ଥାନ୍ତି।

 

ପାହାଡ ଉପରେ ରାସ୍ତା ନଥିବାରୁ ଆଦିବାସୀମାନେ ୧୫ରୁ ୨୦ କି.ମି ଦୂର ବିଭିନ୍ନ ବଜାରକୁ ମୁଣ୍ଡରେ ବୋହିଆଣି ବାହର ରାଜ୍ୟ ବେପାରୀଙ୍କୁ ଅତି ଶସ୍ତାରେ ସପୁରୀ ଟେକି ଦେଇଥାନ୍ତି। ଆଦିବାସୀ ଅଞ୍ଚଳରେ ସପୁରୀ ପଣସର ଅଭାବୀ ବିକ୍ରି ସାଙ୍ଗକୁ ପ୍ରୋତ୍ସାହନର ଅଭାବ ସତ୍ତ୍ବେ ନିଜ ଜୀବନ ଜୀବିକା ପାଇଁ ଏବେ ମଧ୍ୟ ଲଢେଇ ଜାରି ରଖିଛନ୍ତି ନିୟମଗିରି ଆଦିମ ଆଦିବାସୀ। ରାଜ୍ୟ ସରକାର ବ୍ୟବସାୟ ଭିତ୍ତିରେ ସପୁରି ପଣସର ଉପଯୁକ୍ତ ମାର୍କେଟିଙ୍ଗ‌୍‍ ବ୍ୟବସ୍ଥା କରିପାରିଲେ କେବଳ ନିୟମଗିରିର ମିଠା ଏବଂ ତାଜା ସପୁରୀ ପଣସ ସାରା ରାଜ୍ୟ ପାଇଁ ବଳକା ହୋଇପଡନ୍ତା ଏବଂ ଓଡିଶା ଅନ୍ୟ ରାଜ୍ୟର ଖଟା ଏବଂ ପାଣିଚିଆ ସପୁରୀ ପଣସ ଆମଦାନୀ ବନ୍ଦ କରିପାରନ୍ତା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top