ସୌରଶକ୍ତିର ସ୍ୱରାଜ

News Story - Posted on 2016-06-14

ଡ଼ଃ ଧନଦାକାନ୍ତ ମିଶ୍ର

 

ାା ଓଁ ଭୂଃ ଭୁବଃ ସ୍ୱଃ ତତ‌୍‍ ସବିତୁର୍ବରେଣ୍ୟମ‌୍‍

ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ‌୍‍ ।ା

 

ତିନି ବ୍ରହ୍ମାଣ୍ଡର ପାଳନକର୍ତ୍ତା ତେଜସ୍ୱୀ ସୂର୍ଯ୍ୟ ଦେବତାଙ୍କ ପାପନାଶନକାରୀ

ଶକ୍ତିକୁ ଧ୍ୟାନ କରୁଛି ଯଦ୍ୱାରା ସେ ଆମ୍ଭର ଧୀଶକ୍ତିକୁ ଉଜାଗର କରିବେ।

 

ବୈଦିକ ଯୁଗର ଏହି ମନ୍ତ୍ର ସୌରଶକ୍ତିର ମହତ୍ତ୍ୱ ପ୍ରତିପାଦିତ କରି ଆସୁଛି। ପରବର୍ତ୍ତୀ ସମୟରେ ବିଜ୍ଞାନ ମଧ୍ୟ ପୃଥିବୀ ପୃଷ୍ଠର ସମସ୍ତ ଜୀବସତ୍ତା ଓ ଜୈବିକ ବସ୍ତୁର ମୂଳରେ ସୌରଶକ୍ତି ଭୂମିକାକୁ ପ୍ରମାଣିତ କରିସାରିଛି। ଆଦିମ ଯୁଗର ମାନବ ସଭ୍ୟତା ସୂର୍ଯ୍ୟଙ୍କୁ ପୃଥିବୀର ସୃଷ୍ଟିର ଉତ୍ସ ଓ ଏହି ଅସରନ୍ତି ଶକ୍ତିର ଭଣ୍ଡାରକୁ ନିଜର ସାଧ୍ୟମତେ ବ୍ୟବହାର କରି ଆସିଛି। ତାହା ସିଧାସଳଖ ଭାବରେ ସୌରତାପ ବା ଆଲୋକର ବ୍ୟବହାର ହେଉ ବା ପରୋକ୍ଷ ଭାବରେ ଜୈବିକ ଇନ୍ଧନ, ଯଥା କୋଇଲା ବା ପେଟ୍ରୋଲିୟମ ତେଲର ବ୍ୟବହାର ଦ୍ୱାରା ହେଉ। କିନ୍ତୁ ଶିଳ୍ପ ବିପ୍ଲବ ପରର ଆଧୁନିକ ମାନବ ସଭ୍ୟତା ଆଜି ଅପରିଣାମଦର୍ଶୀ, ଭୋଗବାଦୀ ଓ ଶୋଷଣ ପ୍ରଧାନ ବିକାଶ ଢାଞ୍ଚା ଲାଗି ଜାଗତିକ ଉତ୍ତପ୍ତିକରଣ ଜନିତ ଜଳବାୟୁ ପରିବର୍ତ୍ତନ ପରି ବିଭୀଷିକାର ସମ୍ମୁଖୀନ ହେବାକୁ ଯାଉଛି। ଏପରି ଏକ ଐତିହାସିକ ଘଡିସନ୍ଧି ମୁହୂର୍ତ୍ତରେ ସତେ ଯେପରି ସୂର୍ଯ୍ୟଦେବତା ମାନବର ବୁଦ୍ଧିଶକ୍ତି ଉଜାଗର କରିଛନ୍ତି ଏବଂ ଯେଉଁ କୋଇଲା ଓ ଖଣିଜ ତୈଳରେ ଥିବା ପରୋକ୍ଷ ସୌରଶକ୍ତିର ବ୍ୟବହାରରୁ ଧ୍ୱଂସ ନିଶ୍ଚିତ, ତା ବଦଳରେ ପ୍ରତ୍ୟକ୍ଷ ସୌରଶକ୍ତିର ସନ୍ତୁଳିତ ବ୍ୟବହାରର ବାଟ ଦେଖାଇଛନ୍ତି। ଏହାଦ୍ୱାରା ଯେ କେବଳ ନିଶ୍ଚିତ ଧ୍ୱଂସ ମୁଖରୁ ପୃଥିିବୀକୁ ବଞ୍ଚାଇ ହେବ ତା ନୁହେଁ ବରଂ ଏକ ସମ୍ଭାବିତ ସୌରଶକ୍ତିର ବିପ୍ଲବ ମାଧ୍ୟମରେ ‘ଶକ୍ତି ସ୍ୱରାଜ’ ଅଥାର୍ତ‌୍‍ ବିକେନ୍ଦ୍ରିକୃତ ଶକ୍ତି ଉତ୍ପାଦନ, ରକ୍ଷଣ ଓ ବ୍ୟବହାର ସମ୍ଭବ ହେବ। ଏହି ଆସନ୍ନ ବିପ୍ଲବ ଅନେକ ସମ୍ଭାବନା ନେଇ ମଣିଷ ସମାଜର ଭବିଷ୍ୟତକୁ ଗଭୀର ଭାବରେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।

 

ଏକ ଆକଳନରୁ ଜଣାଯାଏ ଯେ ପୃଥିବୀ ପ୍ରାୟ ୧୭୪,୦୦୦,୦୦୦ ବା ୧୭.୪ କୋଟି ଗିଗାୱାଟ‌୍‍ ସୌରଶକ୍ତି ପାଇଥାଏ। ଏଥିରୁ ପ୍ରାୟ ୩୦ ପ୍ରତିଶତ ବାୟୁମଣ୍ଡଳର ପ୍ରଥମ ସ୍ତରରୁ ପ୍ରତିଫଳିତ ହୋଇ ମହାକାଶକୁ ବିକିରିତ ହୋଇଯାଏ। ପୃଥିବୀ ପୃଷ୍ଠର ୭୧ ପ୍ରତିଶତ ଜଳ, ବାୟୁମଣ୍ଡଳ, ଗଛଲତା ଓ ଭୂପୃଷ୍ଠରେ ବାକି ଶକ୍ତି ବିଲୀନ ହୋଇଯାଏ। ଅର୍ଥାତ ପ୍ରାୟ ୧୫୦-୩୦୦ ୱାଟ‌୍‍ର ସୌରଶକ୍ତି ପ୍ରତି ବର୍ଗ ମିଟର ଭୂମି ଉପରେ ମିଳିଥାଏ। ଗୋଟିଏ ୧୦୦ ବର୍ଗ ଫୁଟ ଛାତଥିବା ଘରଟିଏ ୧.୫ - ୩.୦ କିଲୋୱାଟ୍ ସୌରଶକ୍ତି ପାଇଥାଏ ଯାହାକି ସର୍ବନିମ୍ନ ୪-୫ଟି ଏଲଇଡି ଆଲୁଅ ସହ ୨-୩ଟି ପଙ୍ଖା ଓ ଟିଭି ଆଦି ଚଳାଇବାପାଇଁ ଯଥେଷ୍ଟ। ଜଳଭାଗରେ ସୌରତାପ ଦ୍ୱାରା ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ ଓ ଏହା ବାୟୁମଣ୍ଡଳରେ ଉପରକୁ ଉଠି କମ‌୍‍ ତାପମାତ୍ରା ଯୋଗୁଁ ମେଘ ସୃଷ୍ଟି କରେ ଓ ବର୍ଷା ସମ୍ଭବ ହୁଏ। ଗୋଲାକାର ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ ଦ୍ୱାରା ସୃଷ୍ଟ ତାପମାତ୍ରାର ପ୍ରଭେଦ ବାୟୁମଣ୍ଡଳରେ ସୃଷ୍ଟିକରେ ଝଡ଼, ତୋଫାନ, ଘୁର୍ଣ୍ଣିବାତ୍ୟା, ବାୟୁପ୍ରବାହ ଇତ୍ୟାଦି ଯାହାକୁ ଆମେ ଜଳବାୟୁ ଓ ପାଣିପାଗ ଭାବରେ ବୁଝିଥାଉ। ସମଗ୍ର ପୃଥିବୀ ପୃଷ୍ଠର ଜଳ ଓ ସ୍ଥଳଭାଗର ତାପମାନର ହାରାହାରି ମାତ୍ରା ହେଲା ୧୪ଡିଗ୍ରି ସେଲ‌୍‍ସିୟସ‌୍‍ ଯାହା ଜୀବଜଗତ ପାଇଁ ପ୍ରକୃଷ୍ଟ। ଏଣେ ଗଛପତ୍ର ଆଦି ପାଉଥିିବା ସୌରଶକ୍ତି ବଳରେ ଫଟୋସିନ‌୍‍ଥେସିସ‌୍‍ ପ୍ରକ୍ରିୟା ମାଧ୍ୟମରେ ସବୁ ପ୍ରକାରର ଜୈବିକ ପଦାର୍ଥ ଯଥା ଖାଦ୍ୟ, ଶସ୍ୟ, ଫଳ, ପୁଷ୍ପ, ଯାହା କାଳକ୍ରମେ (କୋଇଲା ଓ ତେଲ ପରି ଇନ୍ଧନ) ମଧ୍ୟ ସୃଷ୍ଟି ହୋଇଥାଏ।

 

ଯେତିକି ସୌରଶକ୍ତି ଆମେ ପାଉ, ତାର ଏକ ନଗଣ୍ୟ ଅଂଶ ଜୈବିକ ପଦାର୍ଥ ତିଆରିରେ ଖର୍ଚ୍ଚ ହୁଏ। ପୃଥିବୀର ସବୁ ଜୈବିକ ଓ ଅଣ-ଜୈବିକ ଅର୍ଥାତ ୟୁରାନିୟମ୍ ଇନ୍ଧନରେ ଯେତିକି ଶକ୍ତି ସଞ୍ଚିତ ଅଛି ତାହା କେବଳ ଛଅମାସର ସୌରଶକ୍ତି ସଙ୍ଗେ ସମାନ। ଏହାସତ୍ତ୍ୱେ ବିଭିନ୍ନ କାରଣରୁ (ଯଥା ପୃଥିବୀ ପୃଷ୍ଠରେ ଭୌଗୋଳିକ ଅବସ୍ଥିତି, ମେଘୁଆ ପାଗ, ସୂର୍ଯ୍ୟ ଆଲୋକର ଉଜ୍ଜ୍ୱଳତା ଓ ଅବଧି, ସ୍ଥାନର ବ୍ୟବହାର ଯୋଗ୍ୟତା) ସମୁଦାୟ ସୌରଶକ୍ତିର (କେବଳ) ୦.୦୩ ରୁ ୧.୩ ପ୍ରତିଶତ ସଂଗ୍ରହ କରାଯାଇପାରିବ। ୨୦୦୦ ମସିହାରେ ପୂରା ପୃଥିବୀରେ ବ୍ୟବହାର ହେଉଥିବା ଶକ୍ତିର ଏହା ସର୍ବନିମ୍ନ ୪ରୁ ସବାର୍ଧିକ ୧୨୪ ଗୁଣ ଏବଂ ୨୦୫୦ ବେଳକୁ ଏହା ସର୍ବନିମ୍ନ ୧.୫ ରୁ ସବାର୍ଧିକ ୮୪ ଗୁଣ ହୋଇଥିିବ ବୋଲି ଅନୁମାନ କରାଯାଇଛି। ଏହାର ଅର୍ଥ ଆମର ସମ୍ପୂର୍ଣ୍ଣ ଆବଶ୍ୟକତା କେବଳ ସୌରଶକ୍ତିର ଏକ କ୍ଷୁଦ୍ର ଅଂଶର ବ୍ୟବହାର କରି ପୂରଣ କରାଯାଇପାରିବ। ତେବେ ପ୍ରଶ୍ନ ହେଲା ଏହା କାହିଁକି ହୋଇପାରିନି ଓ ଏହା କେବେ ସମ୍ଭବ ହେବ?

 

ସୌରଶକ୍ତିର ବିଭିନ୍ନ ବ୍ୟବହାର ଭିତରେ ଦୁଇଟି ସବୁଠାରୁ ଅଧିକ ଫଳପ୍ରଦ ଉପାୟ ହେଲା ସୌରଉତ୍ତାପ ଭିତ୍ତିକ ପ୍ରଣାଳୀ ଓ ସୌର ରଶ୍ମୀକୁ ବିଦ୍ୟୁତ ଶକ୍ତିରେ ସିଧାସଳଖ ରୂପାନ୍ତରିତ କରିପାରୁଥିବା ଫଟୋଭୋଲଟାଇକ‌୍‍ ପ୍ରକ୍ରିୟା। ଯଦିଓ ଏହି ଦୁଇଟି ପ୍ରଯୁକ୍ତି ବିଦ୍ୟାର ଆବିଷ୍କାର ଓ ବ୍ୟବହାର ବେଶ‌୍‍ ପୁରୁଣା, କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟଦକ୍ଷତା ଅର୍ଥାତ ଶକ୍ତି ରୂପାନ୍ତରଣର ହାର ଅନ୍ୟାନ୍ୟ ବିକଳ୍ପ ତୁଳନାରେ ଅପେକ୍ଷାକୃତ କମ‌୍‍ ଓ ଏହାର ପ୍ରାଥମିକ ଖର୍ଚ୍ଚ ଅଧିକ ଥିିବା ହେତୁ, ଏ ସବୁର ବ୍ୟାପକ ବ୍ୟବହାର ହେଇପାରୁନଥିଲା। କିନ୍ତୁ ବର୍ତ୍ତମାନ ଏହି ପରିସ୍ଥିତିରେ କ୍ଷୀପ୍ର ପରିବର୍ତ୍ତନ ଆସିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ସୌରଶକ୍ତିର ଖର୍ଚ୍ଚ ପାରମ୍ପରିକ ବିକଳ୍ପ ଶକ୍ତି ତୁଳନାରେ କମ‌୍‍ ପ୍ରମାଣିତ ହୋଇସାରିଲାଣି। ସେଥିପାଇଁ ବର୍ତ୍ତମାନ ସାରାବିଶ୍ୱରେ ସୌରଶକ୍ତିର ବ୍ୟବହାର ଦ୍ରୁତଗତିରେ ବଢ଼ିଚାଲିଛି। ଯେଉଁଠି ୨୦୦୦ ମସିହାରେ ସାରାବିଶ୍ୱରେ ସମୁଦାୟ ୧୦୦୦ ମେଗାୱାଟ ବା ୧.୦ ଗିଗାୱାଟ‌୍‍ ସୌରଶକ୍ତି କ୍ଷମତା ଥିଲା ତାହା ୨୦୧୫ରେ ୨୩୦ ଗିଗାୱାଟ‌୍‍ରେ ପହଞ୍ଚି ସାରିଛି। ସେହିପରି ଆମଦେଶରେ ୨୦୧୦ ମସିହା ବେଳକୁ ମାତ୍ର ୧୬୧ ମେଗାୱାଟ‌୍‍ ସୌରଶକ୍ତିର ପ୍ରତିଷ୍ଠିତ କ୍ଷମତା ଥିବାବେଳେ ଆଜି ତାହା ୬୭୬୩ ମେଗାୱାଟ‌୍‍ରେ ପହଞ୍ଚି ସାରିଛି। ଯେଉଁଠି ପୂର୍ବ ଉପା ସରକାର ୨୦୨୨ ସୁଦ୍ଧା ୨୦ ଗିଗାୱାଟ‌୍‍ର ଲକ୍ଷ୍ୟ ରଖିଥିଲେ, ଆଜିର କେନ୍ଦ୍ର ସରକାର ସେହି ଲକ୍ଷ୍ୟକୁ ୧୦୦ ଗିଗାୱାଟ‌୍‍କୁ ବୃଦ୍ଧି କରିଛନ୍ତି ଓ ନିକଟରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଏହି ଲକ୍ଷ୍ୟ ୨୦୨୨ର ବହୁ ପୂର୍ବରୁ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି। ଏହା ସଙ୍ଗେ ସଙ୍ଗେ ସୌରଶକ୍ତିର ୟୁନିଟ‌୍‍ ପିଛା ଖର୍ଚ୍ଚ ମଧ୍ୟ ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି। ଯେଉଁ ସୋଲାର ପ୍ୟାନେଲ ବା ସୌର ବିକିରଣରୁ ବିଦ୍ୟୁତ‌୍‍ ଶକ୍ତିରେ ପରିଣତ କରୁଥିବା ଉପକରଣ ୨୦୦୫ ମସିହାରେ ୱାଟ‌୍‍ ପିଛା ୫ ଆମେରିକୀୟ ଡଲାର ପଡ଼ୁଥିଲା ତାହା ଆଜି ପ୍ରାୟ ଦଶଭାଗରୁ ଭାଗେ ଦାମ‌୍‍ରେ ମିଳି ପାରୁଛି ଏବଂ ଏବର ପ୍ୟାନେଲ ମାନଙ୍କର କାଯ୍ୟକାରିତା ଅଥାର୍ତ‌୍‍ ସୌରଶକ୍ତିକୁ ବିଦ୍ୟୁତ‌୍‍ ଶକ୍ତିରେ ପରିବର୍ତ୍ତନ କରିବା ହାର ଅନେକ ଅଧିକ।

 

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଠିକ‌୍‍ ଯେଉଁପରି ମୋବାଇଲ‌୍‍ ଫୋନ‌୍‍ ପ୍ରଥମେ ବହୁତ ଖର୍ଚ୍ଚସାପେକ୍ଷ ଥିଲା ଓ କେବଳ ଧନୀ ବ୍ୟକ୍ତିମାନେ ତାର ବ୍ୟବହାର କରିପାରୁଥିଲେ, କିନ୍ତୁ ଆଜି ସମସ୍ତଙ୍କ ହାତରେ ଏକାଧିକ ଫୋନ‌୍‍ ରହିଛି, ଠିକ‌୍‍ ସେହିପରି ନିକଟ ଭବିଷ୍ୟତରେ ପ୍ରତ୍ୟେକ ବ୍ୟକ୍ତି ସୌରଶକ୍ତି ଭିତ୍ତିକ ବିଦ୍ୟୁତ‌୍‍ ଶକ୍ତି ବ୍ୟବହାର କରିବେ। ଏହାଦ୍ୱାରା ବିଶ୍ୱରେ ନିଶ୍ଚୟ ଏକ ବଡଧରଣର ପରିବର୍ତ୍ତନ ଆସିବ। କିନ୍ତୁ ଏହି ଆସନ୍ନ ବିପ୍ଲବର ଏକ ଏପରି ଦିଗ ରହିଛି- ଯାହା କେବଳ ଆମ ସମସ୍ତଙ୍କୁ ଏକ ଜୈବିକ ଇନ୍ଧନଜାତ ଅପକାରୀ ବିଦ୍ୟୁତ‌୍‍ ଶକ୍ତିରୁ ଏକ ନିରନ୍ତର, ସ୍ୱଚ୍ଛ ଓ ସୁଲଭ ଶକ୍ତିର ବ୍ୟବହାର କରିବାର ସୁଯୋଗ ଦେବନି ବରଂ ଏକ ବିକେନ୍ଦ୍ରିତ ଶକ୍ତି ଉତ୍ପାଦନ, ସଂରକ୍ଷଣ ଓ ବ୍ୟବହାର କରୁଥିବା ବ୍ୟବସ୍ଥାର ଅଂଶୀଦାର ହେବାରେ ସାହାଯ୍ୟ କରିବ। ଏହାକୁ ଆମେ ‘ଶକ୍ତି ସ୍ୱରାଜ’ର ଆଖ୍ୟା ଦେଇପାରିବା!

 

ଏବର ପୁଞ୍ଜିବାଦୀ ବ୍ୟବସ୍ଥା ଶକ୍ତି ବ୍ୟବସାୟକୁ ସମ୍ପୂର୍ଣ୍ଣ କବଳିତ କରିଛି। ବିଦ୍ୟୁତ‌୍‍ ଶକ୍ତି ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଇଥିବାବେଳେ, ଏହାର ଉତ୍ପାଦନ, ବଣ୍ଟନ ଓ କାରବାର ଅଳ୍ପ କେତେକ ବଡବଡ ଶିଳ୍ପ ସଂସ୍ଥାଙ୍କ ପାଖରେ ରହିଛି। ସମାଜବାଦୀ ରାଷ୍ଟ୍ରମାନଙ୍କରେ ପ୍ରଥମେ ସରକାର ଏହି କାରବାରକୁ ନିୟନ୍ତ୍ରଣରେ ରଖିଥିଲେ କିନ୍ତୁ ଧୀରେ ଧୀରେ ଘରୋଇକରଣ ପ୍ରକ୍ରିୟାରେ ପ୍ରାୟ କମ୍ପାନୀମାନଙ୍କ ମାଲିକାନା ଏବେ ପୁଞ୍ଜିପତିଙ୍କ ହାତରେ। ଯଦିଓ ସରକାର ବିଦ୍ୟୁତ‌୍‍ ଶକ୍ତିର ଗୁରୁତ୍ୱ ଓ ଅତ୍ୟାବଶ୍ୟକ ମଯ୍ୟାର୍ଦା ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ନିୟାମକ ମାନ ଗଠନ କରି ଏହି କ୍ଷେତ୍ରରେ ଲଗାମଛଡା ଲାଭଖୋରୀ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛନ୍ତି, ତଥାପି ଅନେକ କ୍ଷେତ୍ରରେ ନିୟାମକମାନେ ମଧ୍ୟ ଉପଭୋକ୍ତାଙ୍କ ସ୍ୱାର୍ଥ ବଦଳରେ ଘରୋଇ କମ୍ପାନୀଙ୍କ ସ୍ୱାର୍ଥକୁ ଅଧିକ ଜଗୁଛନ୍ତି। ଫଳରେ ବର୍ଷକୁ ବର୍ଷ ବିଦ୍ୟୁତ ଶକ୍ତିର ମୂଲ୍ୟ ବଢ଼ିଚାଲିବା ସହିତ ଏହାର ଆବଣ୍ଟନଜନିତ କ୍ଷତି, ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ର ଦ୍ୱାରା ପ୍ରଦୂଷଣଜନିତ କ୍ଷତି ଓ କୋଇଲାର ଖନନ ଓ ଉତ୍ତୋଳନ ଜନିତ ବିସ୍ଥାପନ ଓ ଅନ୍ୟାନ୍ୟ ସମସ୍ୟାସବୁ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସାରା ବିଶ୍ୱରେ ଏକ ନୂତନ ଆନ୍ଦୋଳନ ଆରମ୍ଭ ହୋଇଛି। ଲୋକମାନେ କେବଳ ସୌରଶକ୍ତିକୁ ପସନ୍ଦ ଓ ଗ୍ରହଣ କରୁନାହାନ୍ତି, ପ୍ରାୟ ସମସ୍ତେ ନିଜ ଘର ଛାତଉପରେ ସୌରଶକ୍ତିର ପ୍ୟାନେଲ‌୍‍ ବସାଇ ନିଜେ ଉତ୍ପାଦନ କରୁଛନ୍ତି। ଅଷ୍ଟ୍ରେଲିଆରେ ବର୍ତ୍ତମାନ ଲୋକସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ସୌରପ୍ୟାନେଲ‌୍‍ ଲୋକଙ୍କ ଛାତରେ ଲାଗିସାରିଲାଣି।

 

ଇଉରୋପରେ ଜମାର୍ନୀ, ଫ୍ରାନ୍ସ ଏପରିକି ଇଂଲଣ୍ଡ ପରି ସବୁବେଳେ ମେଘୁଆ ରହୁଥିବା ଦେଶରେ ମଧ୍ୟ ଅଧିକରୁ ଅଧିକ ଲୋକେ ନିଜ ଘର ଛାତରେ ସୌର ଉତ୍ପାଦକ ପ୍ୟାନେଲ ଲଗାଇ ସାରିଲେଣି। ଆମେରିକାର କାଲିଫର୍ଣ୍ଣିଆ ଓ ନେଭାଡା ଆଦି ସହଜରେ ଖରାପ୍ରଧାନ ପାଣିପାଗର ଅଞ୍ଚଳ। ସେମାନେ ବା କାହିଁକି ଏହି ଦୌଡରେ ପଛରେ ରହିବେ? ଏବେ ଚାଇନା ମଧ୍ୟ ଏ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି ଓ କେବଳ ସୌରଶକ୍ତିର ପ୍ରଚାର ଓ ପ୍ରସାରରେ ନୁହେଁ ବରଂ ଏହାର ଯନ୍ତ୍ରପାତି ତିଆରି ଓ ରପ୍ତାନିରେ ମଧ୍ୟ ଚୀନ‌୍‍ ଆଜି ଜମାର୍ନୀ ଓ ଆମେରିକାର ସମକକ୍ଷ ହୋଇପାରିଛି। ଭାରତରେ ବିଳମ୍ୱରେ ହେଲେ ମଧ୍ୟ ଏ ଦିଗରେ ଧୀରେ ଧୀରେ ଉତ୍ସାହ ବଢ଼ିବାରେ ଲାଗିଛି ଓ ବାଙ୍ଗାଲୋର, ଅହମଦାବାଦ, ପୁଣେ, ଚେନାଇ ଆଦି ଜାଗାରେ ଘରେ ଘରେ ସୌରଶକ୍ତିର ଉତ୍ସ ଦେଖିବାକୁ ମିଳିଲାଣି। ଏ ଦିଗରେ ବିଶେଷ ସହାୟକ ହୋଇଛି ଏକ ନୂଆ ନିୟମ ଯାହା ଉପଭୋକ୍ତାଙ୍କୁ ନିଜର ବଳକା ସୌରଶକ୍ତି ଉତ୍ପାଦିତ ବିଦ୍ୟୁତ‌୍‍କୁ ଗ୍ରିଡ‌୍‍କୁ ଦେବାର ଓ ବଦଳରେ ନିଜ ବିଜୁଳି ବିଲ‌୍‍ରେ ତାର ମୂଲ୍ୟ ପାଇବାର ବ୍ୟବସ୍ଥା ଅଛି। ଏହାଦ୍ୱାରା ଆଉ ବଳକା ବିଦ୍ୟୁତ‌୍‍ ସଞ୍ଚୟ ପାଇଁ ଆବଶ୍ୟକ ଖର୍ଚ୍ଚ ଓ ଯତ୍ନବହୁଳ ବ୍ୟାଟେରୀର ବ୍ୟବହାର ଅନିବାର୍ଯ୍ୟ ହେଉନାହିଁ। ବର୍ତ୍ତମାନ ସୌରଶକ୍ତିର ବ୍ୟବହାର ଓ ବଳକା ବିଦ୍ୟୁତର ବିକ୍ରୟ ଦ୍ୱାରା ଯେଉଁ ଆର୍ଥିକ ଲାଭ ମିଳୁଛି ତାହା ଏହାର ଖର୍ଚ୍ଚଜନିତ ସୁଧହାର ସାଙ୍ଗେ ପ୍ରାୟ ସମାନ ହୋଇଥିବାରୁ ଅଧିକରୁ ଅଧିକ ଲୋକେ ଏ ଦିଗରେ ଆକୃଷ୍ଟ ହେଲେଣି। ସୌଭାଗ୍ୟବଶତଃ ଓଡିଶାରେ ମଧ୍ୟ ପ୍ରାୟ ୧-୧/୨ ବର୍ଷ ତଳେ ଓଇଆର‌୍‍ସି କେବଳ ସରକାରୀ କୋଠାବାଡ଼ି ପାଇଁ ଏପରି ଏକ ସଂସ୍କାରଧର୍ମୀ ନିୟାମକ ଆଣିଥିଲେ ଯାହାକି ପ୍ରାୟ ଛଅମାସ ତଳେ ଘରୋଇ ଉପଭୋକ୍ତାଙ୍କ ପାଇଁ ଲାଗୁ ହୋଇଛି। କିନ୍ତୁ ଏ ବିଷୟରେ ଜନସାଧାରଣଙ୍କ ଅବଗତି ପାଇଁ ବିଶେଷ ପ୍ରଚାର ପ୍ରସାର କରାଯାଇ ନାହିଁ। ଆମର କ୍ଷତିଗ୍ରସ୍ତ ବିଦ୍ୟୁତ‌୍‍ ବଣ୍ଟନକାରୀ ସଂସ୍ଥାମାନେ ମଧ୍ୟ ଏହି ନିୟାମକ ମାଧ୍ୟମରେ ଗୋଟିଏ ହେଲେ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ବା ଏ ଦିଗରେ ସଚେତନତା ସୃଷ୍ଟି କରିଥିବା ନଜିର ନାହିଁ।

 

ଭୁବନେଶ୍ୱରର ଉଦାହରଣ ନେଲେ ଆମେ ଏହି ଆସନ୍ନ ବିପ୍ଲବର ସମ୍ଭାବନା ବିଷୟରେ ଜାଣିପାରିବା। ଭୁବନେଶ୍ୱରରେ ଯଦି କେବଳ ୧ ଲକ୍ଷ ଘରେ ୧ କିଲୋୱାଟ‌୍‍ର ଛାତଭିତ୍ତିକ ସୌରଶକ୍ତି ଉତ୍ପାଦନ କରାଯାଇପାରିବ ତେବେ ସମୁଦାୟ ବିଦ୍ୟୁତ‌୍‍ ଶକ୍ତିର ଉତ୍ପାଦନ ହେବ ୧୦୦ ମେଗାୱାଟ‌୍‍ ଯାହାକି ଭୁବନେଶ୍ୱର ବିଦ୍ୟୁତ ଚାହିଦାକୁ ବହୁ ଅଂଶରେ ପୂରଣ କରିପାରିବ। ଏଥିପାଇଁ ପ୍ରତି ଛାତରେ ଆବଶ୍ୟକ ମାତ୍ର ୧୦୦ ବର୍ଗ ଫୁଟ‌୍‍ ସ୍ଥାନ ଓ ଘର ପିଛା ୧ ଲକ୍ଷ ଟଙ୍କାର ଖର୍ଚ୍ଚ। ଏବେ ବିଶାଖାପାଟଣମ‌୍‍ରେ ସେଠାକାର ସାଂସଦ ଏହିପରି ଏକ ଯୋଜନା କରି ପ୍ରତ୍ୟେକ ବିଶାଖାପାଟଣା ଅଧିବାସୀଙ୍କୁ ସୌରଶକ୍ତିକୁ ଗ୍ରହଣ କରିବାକୁ ପ୍ରବତ୍ତାର୍ଉଛନ୍ତି। ତାଙ୍କ ଯୋଜନାରେ ହିତାଧିକାରୀ ଦେବେ ୨୦ ହଜାର ଟଙ୍କା ଓ ବଳକା ୮୦ ହଜାର ଟଙ୍କା ବିନିଯୋଗ କରିବ ବ୍ୟାଙ୍କ‌୍‍। ହିତାଧିକାରୀ ପ୍ରତ୍ୟେକ ମାସରେ ସଞ୍ଚୟ କରିବେ ପ୍ରାୟ ୧୨୦୦-୧୫୦୦ ଟଙ୍କା ଯାହାଦ୍ୱାରା ବ୍ୟାଙ୍କର ଋଣକୁ ୭-୮ ବର୍ଷରେ ସୁଝି ହେବ। ଯେହେତୁ ସୌର ପ୍ୟାନେଲ‌୍‍ କମ‌୍‍ସେ କମ‌୍‍ ୨୫ ବର୍ଷ କାମଦେବ, ତେଣୁ ବ୍ୟାଙ୍କ‌୍‍ ଋଣ ଶୁଝିଗଲା ପରେ ହିତାଧିକାରୀ ପ୍ରତ୍ୟେକ ମାସରେ ରୋଜଗାର ପାଇପାରିବେ।

 

ଏହିପରି ଯୋଜନା ଓଡିଶାରେ ଲାଗୁ କରାଗଲେ ଅନେକ ପ୍ରକାର ସୁଫଳ ମିଳିବ, ଯଥା- ବିଦ୍ୟୁତ‌୍‍ ଶକ୍ତିର ଅଭାବ ରହିବ ନାହିଁ। ବିଦ୍ୟୁତ‌୍‍ ଆବଣ୍ଟନଜନିତ କ୍ଷତି କମିବ, ନୂଆ ତାପଜ ବିଦ୍ୟୁତ‌୍‍ଶକ୍ତି ପ୍ରକଳ୍ପ ଆବଶ୍ୟକ ହେବ ନାହିଁ, କୋଇଲାଖଣି ସବୁ ବନ୍ଦ କରାଯାଇପାରିବ ଓ ସବୁଠୁ ବଡ଼ କଥା ହେଲା ଶକ୍ତି କ୍ଷେତ୍ରରେ ନିୟନ୍ତ୍ରଣ ବଡ଼ ବଡ଼ କମ୍ପାନି ଓ ସରକାରଙ୍କ ହାତରୁ ସାଧାରଣ ଲୋକ ବା ଉପଭୋକ୍ତାଙ୍କ ପାଖକୁ ଯାଇପାରିବ। ଏହାହିଁ ହେବ ଯଥାର୍ଥରେ ଶକ୍ତି ସ୍ୱରାଜ।

 

ବୈଦିକ ଯୁଗରୁ ଗାୟତ୍ରୀମନ୍ତ୍ର ମାଧ୍ୟମରେ ସୂର୍ଯ୍ୟ ପୂଜାର ପରମ୍ପରା ଏବେ ସୌର ଶକ୍ତିର ବହୁଳ ଉପଯୋଗ ମାଧ୍ୟମରେ ସେହି ସର୍ବ ଶକ୍ତିମାନ ସ୍ରଷ୍ଟାଙ୍କର ସୁନ୍ଦର ସୃଷ୍ଟିକୁ ନିଶ୍ଚିତ ଧ୍ୱଂସ ମୁଖରୁ ରକ୍ଷା କରିବାକୁ ଯାଉଛି। ଏହା ସହିତ ଏହି ନୂତନ ଶକ୍ତିର ଉତ୍ସ ସାଧାରଣ ଲୋକଟିଏ ନିୟନ୍ତ୍ରଣ କରିବ। ସତେ ଯେପରି ଆମ ପ୍ରତ୍ୟେକଙ୍କ ଘରେ ସୂର୍ଯ୍ୟଦେବ ସ୍ୱୟଂ ବିରାଜମାନ ହେବାକୁ ଯାଉଛନ୍ତି। ସୂର୍ଯ୍ୟଦେବଙ୍କୁ ଏହାଠାରୁ ବଡ଼ ଅର୍ଘ୍ୟ କ’ଣ ଦିଆଯାଇପାରେ?


ପ୍ରତିକ୍ରିୟା

nistha ranjan dash - Email: nistharanjandash@mail.com - Posted on 2016-06-14 20:32:11

Bahut sundar upasthapana.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top