ମୌସୁମୀ

News Story - Posted on 2016-06-13

ରାଧାମୋହନ ଗଡ଼ନାୟକ

 

ଚୂର୍ଣ୍ଣ ରାତିର ହିଲ୍ଲୋଳେ ଆଜି ପୂର୍ଣ୍ଣ ବଳେ

ଧାଇଁ ଆସିଅଛି ମୌସୁମୀ ମୁହିଁ ସୃଷ୍ଟି ପରେ।

ପ୍ରବାହେ ମୋହର କୃଷ୍ଣ ବାଦଲ ଦେଇଚି ଖୋଲି,

ମଣୁଚ କି ମତେ

ଆଲୁଳିତ କେଶ ବିଲୁଳିତ ବେଶ ଦୈତ୍ୟ ବୋଲି?

 

ଡରୁଚ କି ମତେ?

ଡାକୁଅଛି ମୁଁ ଯେ ମନ୍ଦ୍ର ଭାଷେ,

ହସି ଦେଉଅଛି ବଜ୍ର-ବିଜୁଳି-ଅଟ୍ଟହାସେ,

ବରଷି ଦେଉଚି ତୁମୂଳ କରକା ତୀବ୍ରତର

ମତାଇ ଦେଉଚି ଅକାଳ ପ୍ରଳୟ ବର୍ଷା ଝଡ଼।

 

ଡରନି ମତେ ରେ ଡରନି ମତେ ରେ ମର୍ତ୍ତ୍ୟ-ଜୀବ,

ରୁଦ୍ର ସିନା ଏ ମୂର୍ତ୍ତି ମୋହର ମୁହିଁ ତ ଶିବ।

 

ନୀଳ ସୁନ୍ଦର ମହାସିନ୍ଧୁର ଉରସ ପରେ

ଦୋଳୁଥିଲି ମୁହିଁ ହରଷ ଭରେ।

ଉର୍ମି- ସହୀର ଚିକୁରେ ଚିବୁକେ,

ପୀରତିର ରସ-ହାସ-କୌତୁକେ

ଲଗାଇ ପାଣି,

କହି ଉଠୁଥିଲି, ରାଣୀ ଗୋ ରାଣୀ!

ପ୍ରଣୟ-ମୁଗ୍‌ଧା କଳ ଉଚ୍ଛ୍ୱାସେ

କହି ଉଠୁଥିଲା ରସ ଉଲ୍ଲାସେ,

ପ୍ରିୟ ହେ ପ୍ରିୟ,

ଆହୁରି ଦିଅ ସେ ମଦିର ପରଶ ଆହୁରି ଦିଅ।

 

ଲୋଟିପଡ଼ି ତା’ର ନଗନ ଜଘନ ବକ୍ଷ ପରେ

ଫେନ-ହାସ ତା’ର ପିଇ ପିଇ ଓଠ-ଚୁମ୍ୱନରେ

ହେଉଥିଲି ରସ-ରଙ୍ଗେ ଭୋଳ,

ତପତ କାହାର ନିଃଶ୍ୱାସ

ବୁକୁ ବେଦନାର ଉଚ୍ଛ୍ୱାସ

ସହସା ବାଜିଲା ଅଙ୍ଗେ ମୋର।

ଚଞ୍ଚଳ ମୁହିଁ ଚକିତେ ଫେରି

ଅନାଇ ଦେଖିଲି ଦୃଷ୍ଟି ମେଲି-

ତମାଳ ତାଳୀର କାନନିକା ଛାଡ଼ି ବଳାକାରାଶି

ମହାସିନ୍ଧୁର ବନ୍ଧୁର ବୁକେ ପଡୁଚି ଝାସି।

 

ଧରଣୀର ତଳ ଖର ଉତ୍ତାପେ ଉଠୁଚି ଭରି

ଶସ୍ୟ ଶସ୍ତ୍ର ପୁଷ୍ପ ବିତାନ ଯାଉଚି ଜଳି

ଧୂଳିର କୁହେଳି କୁହୁଳି କୁହୁଳି ଥରକୁ ଥର

ଧୂମ ଧୁସର କରି ଦେଉଅଛି ଗଗନତଳ।

ଶୈବାଳିନୀର ସୈକତ ବୁକେ ରସର ରେଖା

ଶୁଖି ଯାଇଅଛି, ଯାଉନି ଦେଖା।

 

ନୀଳ ସୁନ୍ଦର ଶଇଳ ପୁଞ୍ଜ

ଫୁଲ୍ଲ ବିକଚ ଅଟବୀ କୁଞ୍ଜ

ପ୍ରଳୟ ଭଳି-

ଦାବ ଦହନରେ ଯାଉଚି ଭଳି

ତୃଷ୍ଣା-କାତର ଚାତକ-କଣ୍ଠ ଯାଉଚି ଫାଟି

ଆଁ କରି ଏବେ ଶୂନ୍ୟେ ଚାହିଁଚି ଜୀର୍ଣ୍ଣ ମାଟି

ମାଟିର ଭକତ ଅମ୍ୱରେ ଚାହିଁ ବାରକୁ ବାର

ଢାଳି ଦେଉଅଛି ହା-ହା-କାର

ସକଳ ଦେଖି

ମୁହିଁ ନ ଦେଖୁଣୁ ପ୍ରେୟସୀ ମୋହର କହିଲା, ଏକି?

 

ମୁଁ କହିଲି, ଥାଅ, ଚାଲିଲି ଏବେ।

ସେ କହି ଉଠିଲା, ମୁଁ ଯିବି ତେବେ।

ମୁହିଁ କି କେବଳ ଜୀବନର ତୁମ

ନର୍ମମୟୀ?

ହୋଇ ପାରିବିନି କର୍ମ-ସହୀ?

ହେ ମୋର ପ୍ରିୟ

ସଙ୍ଗେ ନିଅ।

ବିପୁଳ ପୁଲକ-ପରଶ-ଭରେ ମୁଁ ହରଷଭରେ

ପ୍ରିୟାରେ ମୋହର ଆଶ୍ଳେଷି ନେଲି ଭରସ ପରେ।

ଆଉ ତ କାହିଁ

ଘନ ବନ୍ଧନ ଫିଟିଲା ନାହିଁ!

 

ଦିଓଟି ଜୀବନ ମିଶି ଯାଇ ଆଜି ମିଶ୍ର ରାଗେ

ଧାଇଁ ଆସିଅଛି ମୌସୁମୀ ମୁହିଁ ଧରଣୀ ଭାଗେ

ନମ୍ର ନୁହଇ କମ୍ର ନୁହଇ, ନୁହଇ ଧୀର

ଉଗ୍ର ମୁଁ ଆଜି, ବ୍ୟଗ୍ର ମୁଁ ଆଜି ଅଗ୍ରସର।

ସାଗର ବକ୍ଷୁ ବହି ଆଣିଅଛି ସଲିଳଧାରା

ଦୂର ଦିଗନ୍ତୁ ଉଡ଼ାଇ ଆଣିଚି ବାରିଦମାଳା।

ପୀଡ଼ିତ ପ୍ରାଣର ମଙ୍ଗଳ ଲାଗି ଜୀବନ ଦେଇ

ଦୁର୍ଦିନ ମୁହିଁ

ସୃଷ୍ଟିର ତଳେ

ଦୁର୍ଦିନ ମୁହିଁ

ଆଣିଚି ଏଇ... 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top