ଉଛୁଳା ନଈ

News Story - Posted on 2016-06-13

ବିଜୟଲକ୍ଷ୍ମୀ ପରିଡ଼ା

 

ସବୁ ଲୁହ ଟୋପା ଭିତରେ

ଜାକିଜୁକି ବସିଥାଏ ‘ମଁୁ’ ଟିଏ

ସେ ତୁମର ହେଉ ବା ମୋର।

 

ଆଈ ମା’ ଗପର ବୁଢ଼ୀ ଅସୁରୁଣୀ

ଜାଳକରି ଗୋଡ଼କୁ ଚୁଲିରେ ଜାଳିବାଠାରୁ

ବାଟ ଦେହରେ ହଳେ ଆଖିର ଅପେକ୍ଷା ପର୍ଯ୍ୟନ୍ତ

ସବୁଠି ସେ ଲଥ୍‌କିନା ବସିପଡେ଼ ଗୋଡ଼ ଲମ୍ୱେଇ।

 

ଗାମୁଛାରେ ବନ୍ଧା ଉଧାରି ସଉଦାସବୁ

ଫିଟିପଡେ଼ ଚଟାଣରେ

ଭାତ ହାଣ୍ଡିର ବାମ୍ଫ ଆଉ ସାରୁପୋଡ଼ାର ବାସ୍ନାରେ

ତେଲଚିଟା କ୍ୟାଲେଣ୍ଡରକୁ

ଭଲ ନିଦ ହୁଏ ରାତିରେ।

 

ଓପାସ ରହିବୁ ତ... ତୁ।

ମାନସିକ ରଖିବୁ ତ... ତୁ।

ଫଟାକାନ୍ଥରେ କଲରାଗଛ ମାଡ଼ିଲା ପରି

ବାସ‍୍‌, ଫୋପାଡ଼ି ଦେଇହୁଏନା କିଛି ଚିରାଚରିତ ପ୍ରଥା।

 

ବୋଉମାନେ ବୁଢ଼ୀ ହେଲାପରେ

ବଦଳିଯାଆନ୍ତିନି...

ପ୍ରେମିକାମାନେ ସ୍ତ୍ରୀ ହେଲାପରେ

ଠିକ୍ ସେଇଆ କରନ୍ତି...

ଝିଅଟେ କୁନିହାତ ଛୁଇଁଲାମାତ୍ରେ

ପୁଣି ବୋଉ ପାଲଟିଯାଏ।

 

ସବୁ କିଛି ସେମିତି ଥାଏ

କିଛି ବଦଳେନା କେଉଁଠି

ଫେରିଆସେ ଜୁଆର ସହ,

ଲୁହ କିନ୍ତୁ ଫେରେନା, ଘର କରେ, କେଉଁଠି ନା କେଉଁଠି

ମୁଁ ହେଇଯାଏ।

 

କାହିଁକି ଲୁହସବୁଙ୍କୁ

ଗୋଟିଏ ପ୍ରକାରର ହାତ ପୋଛେ,

କିଛି ପିଏ ଆଞ୍ଜୁଳା କରି

କାରଣ, ସବୁ ଜନ୍ମରେ

ନାରୀଟିଏ ହିଁ ଲୋଡ଼ାହୁଏ...

ଲୁହକୁ ଜବତ୍ କରିବାପାଇଁ

ଆଖିରେ ଜାଗାଟେ ଧରି।

 

ଗୁର‍୍‌ଗାଓଁ, ନୂଆଦିଲ୍ଲୀ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top