ଅର୍କକ୍ଷେତ୍ରର ନିଆରା ରଜ

News Story - Posted on 2016-06-08

ଅଜିତ କୁମାର ମଲ୍ଳିକ

 

ଉଗ୍ର ପାଶ୍ଚାତ୍ୟ ସଭ୍ୟତା ଓ ଆଧୁନିକ ଚାକଚକ୍ୟତାର କୁପ୍ରଭାବ ଯୋଗୁଁ ଗ୍ରାମାଞ୍ଚଳରେ ଓଡ଼ିଶାର ପ୍ରାଚୀନ ସଂସ୍କୃତିର ସ୍ମୃତି ବହନ କରୁଥିବା ରଜପର୍ବ ସ୍ୱତନ୍ତ୍ରତା ହରାଇବା ସହିତ ଉତ୍ସୃଙ୍ଖଳିତ ଆଧୁନିକ ସଭ୍ୟତାର ତାଡ଼ନାରେ ଜନମାନସରୁ ହଜିଯିବାକୁ ବସିଲାଣି। ଚାରିଦିନ ବ୍ୟାପି ରଜ ମଉଜର ପୂର୍ବ ମହକ ଆଉ ଦେଖିବାକୁ ମିଳୁ ନାହିଁ। ପଲ୍ଲୀ ପ୍ରକୃତି କୋଳରେ ରଜଦୋଳି ଖେଳିବାକୁ ଆଉ ନାହିଁ ବଡ଼ ବଡ଼ ବୃକ୍ଷରାଜି। ରଜ ପାନ, ପୋଡ଼ପିଠା ଓ ମୁଢ଼ି ନଡ଼ିଆ ଦିଆନିଆର ହୃଦୟ ଭରା ସ୍ନେହ ମମତା ମଧ୍ୟ ପୂର୍ବପରି ଆଉ ଦେଖିବାକୁ ମିଳୁ ନାହିଁ। 

 

ଓଡିଆମାନେ ପାଳନ କରୁଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ରଜପର୍ବ ଅନ୍ୟତମ। ଓଡିଶାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀରେ ଦେବାଦେବୀଙ୍କୁ ପୂଜା କରାଯାଉଥିବା ବେଳେ ରଜ ପର୍ବ ଏକ ବ୍ୟତିକ୍ରମ। ଏହି ପର୍ବ ମାଟିମା’ର  ବିଶ୍ରାମ ପର୍ବ ବୋଲି ସୂଚାଇଥାଏ। ରଜରେ ଗାଁ ଦାଣ୍ଡରେ କବାଡି, ତାସ, ଲୁଡ଼ୁ, ଦୋଳି, ପୁଚି ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ସହିତ ଘରେ ଘରେ ପ୍ରସ୍ତୁତ ହୋଇଥାଏ ପୋଡ଼ପିଠା ଏହି ଅବସରରେ ଓଡ଼ିଆଙ୍କ ମନରେ ଖେଳିଯାଇଥାଏ ଆନନ୍ଦର ଲହରି। ଏହି ପର୍ବ ଝିଅ ଓ ବୋହୂମାନଙ୍କର ଏକ ମୁଖ୍ୟ ପର୍ବ ହୋଇଥବାବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ନିଛକ ପ୍ରତିଛବି। ଉଗ୍ର ଆଧୁନିକତାର ପ୍ରଭାବରେ ଓଡ଼ିଆମାନଙ୍କର ଏହି ପୁରାତନ ପରମ୍ପରା ଓ ସଂସ୍କୃତି ଜନମାନସରୁ ବିଳୁପ୍ତ ହେବାକୁୁ ବସିଲାଣି। ଆଜିର ଅଧୁନିକ ମାନବ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ନେଇଥିବାରୁ ଉତ୍କଳ ବାସୀଙ୍କ ୧୨ ମାସରେ ୧୩ ପର୍ବ ଆଉ ଦେଖିବାକୁ ମିଳୁନାହିଁ। ଓଡ଼ିଆଙ୍କର ମୁଖ୍ୟ ପର୍ବ ରଜରେ ଆଉ ପୂର୍ବ ମହକ ନାହିଁ।

 

ପରବ ରାଣି ରଜ ୪ ଦିନ ଧରି ପାଳନ କରାଯାଏ। ଆଷାଢ଼ ମାସର ସଂକ୍ରାନ୍ତି ଆଗ ଦିନଠାରୁ ରଜପର୍ବ ପାଳିତ ହୁଏ। ପ୍ରଥମ ଦିବସକୁ ପହିଲି ରଜ, ଦ୍ୱିତୀୟ ଦିବସକୁ ରଜ ସଂକ୍ରାନ୍ତି, ତୃତୀୟ ଦିବସକୁ ଭୂମିଦହନ ଦିବସ ଓ ଓ ଚତୁର୍ଥ ଦିବସକୁ ବସୁମତୀ ସ୍ନାନ ବା ଠାକୁରାଣୀ ଗାଧୁଆ ଦିବସ ଭାବରେ ପାଳନ କରାଯାଇଥାଏ। ଝିଅ ବୋହୂମାନେ ନୂତନ ବସ୍ତ୍ର ପରିଧାନ କରି ଗାଁ ମଧ୍ୟରେ ଥିବା ବଡ଼ ବଡ଼ ବୃକ୍ଷମାନଙ୍କରେ ଦୋଳି ବାନ୍ଧି ଦଳ ଦଳ ହୋଇ ରଜ ଦୋଳି ଗୀତ ବୋଲନ୍ତି, ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ’। ବିଭିନ୍ନ ପଲ୍ଲୀ ଗୀତ ଓ ପିଠା, ରଜପାନ, ମୁଢ଼ି ଦିଆନିଆ ହୋଇ ବନ୍ଧୁତାକୁ ସୁଦୃଢ଼ କରିଥାନ୍ତି।

           

ଗ୍ରୀଷ୍ମ ଶେଷରେ ଋତୁମତୀ ବସୁମତୀ ପୁଲକିତ ମନରେ ଅପେକ୍ଷା କରିଥାଏ ନବ ଆଷାଢ଼ର ପହିଲି ବର୍ଷାବିନ୍ଦୁର ସ୍ପର୍ଶାନୁଭୂତିକୁ। ଓଡ଼ିଆ ପୁଅ ନୂତନ ବର୍ଷର ଫସଲ ଚାଷ ପାଇଁ ପ୍ରସ୍ତୁତ ହେଉଥାଏ। ଏହି ଅବସରରେ ୪ ଦିନ ବ୍ୟାପି ପାଳିତ ହୁଏ ରଜ। ରଜରେ ଝିଅବୋହୂମାନେ ନୂଆଲୁଗା ପିନ୍ଧି, ପ୍ରସ୍ତୁତ ପୋଡ଼ପିଠା, ମୁଢ଼଼ିନଡ଼ିଆ ଓ ରଜପାନ ଖାଇ ସାହି ପଡ଼ିଶା ଓ ବନ୍ଧୁବାନ୍ଧବଙ୍କୁ ଆନନ୍ଦ ମନରେ ବାଣ୍ଟିଥାନ୍ତି। ଏହାଦ୍ୱାରା ପାରସ୍ପରିକ ସଂପର୍କ ସୁଦୃଢ଼ ହୋଇଥାଏ। ଏହି ପର୍ବ ଅନ୍ତରାଳରେ ଓଡ଼ିଆ ନାରୀର ସ୍ୱାଭିମାନ, ଅଧିକାର ତଥା ସମ୍ମାନ ଏବଂ ପ୍ରକୃତି ତଥା ପରିବେଶ ସୁରକ୍ଷାର ପ୍ରଶ୍ନ ଜଡ଼ିତ ଥାଏ।

 

ରଜ ପର୍ବର ହଜିଲା ସ୍ମୃତିକୁ ଉଜ୍ଜୀବିତ କରିବାର ମହତ ଉଦ୍ଦେଶ୍ୟ ଗତ ୨୦୦୦ ମସିହାରୁ କୋଣାର୍କର ଅଗ୍ରଣୀ େସ୍ୱଚ୍ଛାସେବୀ ସଂଗଠନ ଅର୍କଶ୍ରୀ ପକ୍ଷରୁ ପାଳିତ ହୋଇ ଆସୁଛି ରଜ ଉତ୍ସବ। ଅର୍କକ୍ଷେତ୍ର କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ପଶ୍ଚିମ ଦିଗରେ ପିପିଲି-କୋଣାର୍କ ମୁଖ୍ୟ ରାସ୍ତାଠାରୁ ୭୦୦ ମିଟର ଦୂରରେ ରହିଛି ମା’ ଭଗବତୀଙ୍କ ପୀଠ। ଅଭୟାରଣ୍ୟ ପରିବେଷ୍ଟିତ ମା’ ଭଗବତୀଙ୍କ ପୀଠର ପ୍ରାକୃତିକ ଶୋଭା ଅତୀବ ମନୋରମ। ରାଜା ଲାଙ୍ଗୁଳା ନରସିଂହଦେବଙ୍କ ପାଟମନ୍ତ୍ରୀ ତଥା ସୂର୍ଯ୍ୟମନ୍ଦିର ନିର୍ମାଣର ମୁଖ୍ୟଯନ୍ତ୍ରୀ ଶିବେଇ ସାମନ୍ତରାୟଙ୍କୁ ମାଣ୍ଡିଆ ଜାଉ ଖାଇବାକୁ ଦେବା ସମୟରେ ସୂର୍ଯ୍ୟମନ୍ଦିରର ମୂଳଦୂଆ ନିମାର୍ଣର କୌଶଳ ବତାଇ ଦେଇଥିବା  ଅଖ୍ୟାତ ପଲ୍ଲୀର ବୃଦ୍ଧା କାହିଁ କେଉଁ କାଳରୁ ମା’ ଭଗବତୀ ରୂପେ ପୂଜା ପାଇ ଆସୁଛନ୍ତି।

 

ମା’ ଭଗବତୀଙ୍କ ପୀଠର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ମା’ଙ୍କ ବିଜେସ୍ଥଳୀ ସମ୍ମୁଖରେ ରହିଛି ବହୁ ବିଶାଳ ବଟବୃକ୍ଷ। ବର୍ଷସାରା ମା’ଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥାଏ। ବିଶେଷତଃ ବଣଭୋଜି, ବିବାହ, ନିର୍ବନ୍ଧ, ସଭାସମିତି ପାଇଁ ଏ ଜାଗା ସବୁବେବେଳ ଭିଡ଼। ଏପରି ଏକ ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ପବିତ୍ର ପୀଠରେ ବିଗତ ୧୫ ବର୍ଷ ଧରି ଅର୍କଶ୍ରୀ ପକ୍ଷରୁ ଆୟୋଜିତ ହୋଇ ଆସୁଛି ରଜପର୍ବର ମହାର୍ଘ ଆସର। ମା’ଭଗବତୀଙ୍କ ପୀଠରେ ଚାରିଦିନ ଧରି ରଜ ଉତ୍ସବ ଚାଲିଥିବା ସମୟରେ ପୁରୀ, କୋଣାର୍କ, ଗୋପ, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ ଓ ନିଆଳି ସମେତ ଅନେକ ଅଂଚଳରୁ ଲୋକେ ଏଠି ରଜ ପାଳିବାକୁ ଆସନ୍ତି। ପ୍ରତିବର୍ଷ ଶତାଧିକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଓଡ଼ିଆ ସଂସ୍କୃତିର ଏହି ମୌଳିକ ପରମ୍ପରାକୁ ଉପଭୋଗ କରିଥାନ୍ତି।

 

ଏଥିପାଇଁ ଏକ ମାସ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଥାଏ। ଏହି ଅବସରରେ ଉତ୍ସବସ୍ଥଳୀରେ ସମବେତ ମା’ ଭଉଣୀମାନଙ୍କ ମଧ୍ୟରେ ହୁଳହୁଳି, କାନ୍ଦଣା, ରଜଗୀତ, ପୋଡ଼ପିଠା, ରଜମୁଢ଼ି, ପାନଭଙ୍ଗା, ମେହେନ୍ଦି, ପୁଚି, ଦୋଳି, ଝୋଟି, ଲୁଡ଼ୁ, ତାସ, ଚିତ୍ରାଙ୍କନ ଆଦି ବହୁ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ପ୍ରତିଦ୍ୱନ୍ଦ୍ବୀଙ୍କ ସଂଖ୍ୟା ମଧ୍ୟ ବହୁତ। ପୁରୁଷମାନଙ୍କ ମଧ୍ୟରେ ନଡ଼ିଆ ଲଢ଼େଇ, ତାସ ଖେଳ, ଡ଼ୁଡ଼ୁ ଖେଳ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏତଦବ୍ୟତୀତ ସଚେତନତାଧର୍ମୀ ଆଲୋଚନାଚକ୍ର, ମହିଳା ସମାବେଶ, ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ ଦିନତମାମ ଏକ ସୁଶୋଭିତ ମଞ୍ଚରେ ମନୋରଞ୍ଜନଧର୍ମୀ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଏ। ଏହି ସାଂାସ୍କୃତିକ କାର୍ଯ୍ୟକ୍ରମରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଆବାଳବୃଦ୍ଧବନିତା ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥାନ୍ତି। ଉତ୍ସବ ସ୍ଥଳୀରେ ଖୋଲିଥାଏ ରଜ ପୋଡ଼ପିଠା, ମୁଢ଼ି ଓ ବିଭିନ୍ନ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ଷ୍ଟଲ। ଉତ୍ସବସ୍ଥଳୀକୁ ନିମନ୍ତ୍ରୀତ ବିଶିଷ୍ଟ ଅତିଥିମାନଙ୍କୁ ଯୁବତୀମାନେ ଅଳତା, ନେଲପଲିସ, ପାଉଡ଼ର ଆଦି ଲଗାଇ ସଜବାଜ କରିବା ପରେ ପୋଡ଼ପିଠା, ମୁଢ଼ି ଓ ପରିଶେଷରେ ରଜପାନ ଦେଇ ଆପ୍ୟାୟିତ କରିଥାନ୍ତି। ଉପସ୍ଥିତ ମହିଳାମାନଙ୍କ ମଧ୍ୟରେ ପରସ୍ପରକୁ ଅଳତା ଲଗାଇ ସଜବାଜ କରିବାର ଆନ୍ତରିକତା ଲାଗିରହେ ଚାରିଦିନ ବ୍ୟାପି।

 

ଅର୍କଶ୍ରୀ ସହଯୋଗରେ ଗଢ଼ି ଉଠିଥିବା ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଉତ୍ସବକୁ ସଫଳ କରିବାରେ ଆପ୍ରାଣ ଉଦ୍ୟମ କରିଥାନ୍ତି। ମା’ ଭଗବତୀଙ୍କ ପୀଠରେ ଥିବା ବିଶାଳକାୟ ବଟବୃକ୍ଷଗୁଡ଼ିକରେ ଝୁଲିଥାଏ ଶତାଧିକ ସୁସଜ୍ଜିତ ଦୋଳି। ଏହି ପୀଠରେ ଦୋଳିରେ ଝୁଲିବାର ମଜା ହିଁ ନିଆରା। ଚାରିଦିନ ବ୍ୟାପି ନିଜସ୍ୱ ପରମ୍ପରା ଓ ସଂସ୍କୃତିର ମୌଳିକ ଖାଦ୍ୟ, ମନୋରଞ୍ଜନ, ପ୍ରତିଭା ପ୍ରଦର୍ଶନ ଓ ପ୍ରାକୃତିକ ଶୋଭା ଉପଭୋଗର ଅବର୍ଣ୍ଣନୀୟ ଆନନ୍ଦ ଅର୍କଶ୍ରୀ ପକ୍ଷରୁ ଆୟୋଜିତ କୋଣାର୍କ ରଜ ଉତ୍ସବରେ ମିଳିଥାଏ।

 

ଅର୍କଶ୍ରୀର ସମ୍ପାଦକ ରଜ ଉତ୍ସବର ମୁଖ୍ୟ ଆୟୋଜକ ଉମେଶଚନ୍ଦ୍ର ସ୍ୱାଇଁ କୁହନ୍ତି, ଏହା କେବଳ ଏକ ଉତ୍ସବ ନୁହେଁ, ମହିଳା ସଶକ୍ତୀକରଣ, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଏବଂ ଉତ୍କଳୀୟ କଳା, ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ଦିଗରେ ଏହା ଏକ ଆନ୍ଦୋଳନ।

 

କୋଣାର୍କ, ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩


ପ୍ରତିକ୍ରିୟା

satyasikha swain - Email: s.satyasikha@gmail.com - Posted on 2016-06-08 13:01:08

very nice post. Thanks.u did nice job with the spreadsheet.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top