ପୁଅର ଶିକ୍ଷକଙ୍କୁ ଆବ୍ରାହମ ଲିଙ୍କନଙ୍କ ଚିଠି

News Story - Posted on 2016-06-05

ଅନୁବାଦ- ପ୍ରସନ୍ନ କୁମାର ମିଶ୍ର

 

(ଆମେରିକାର ଷୋଡ଼ଶ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ତାଙ୍କ ପୁଅର ଶିକ୍ଷକଙ୍କୁ ଚିଠିଟିଏ ଲେଖିଥିଲେ। ପୁଅକୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ତାଙ୍କୁ କି ପ୍ରକାର ଶିକ୍ଷା ଦେବା ଦରକାର ସେହି ସଂପର୍କରେ ଚିଠିରେ ସେ କିଛି ପରାମର୍ଶ ଦେଇଥିଲେ। ମୂଳ ଇଂରାଜୀ ଚିଠିର ଭାବାନୁବାଦ ଏଠାରେ ଉପସ୍ଥାପନ କରାଗଲା, ଓଡ଼ିଆ ବାପାମା’ମାନଙ୍କ ପାଇଁ।)

 

‘ମୋ ପୁଅ ଆଜିଠାରୁ ସ୍କୁଲରେ ପଢିବା ଆରମ୍ଭ କରିବ। ଅନ୍ତତଃ କିଛିଦିନ ତାପାଇଁ ଏହା ଏକ ବିଚିତ୍ର ଏବଂ ଅଭିନବ ଅନୁଭୂତି ହେବ। ତେଣୁ ମୋର ଇଚ୍ଛା ତୁମେ ତା ପ୍ରତି ସହାନୁଭୂତିଶୀଳ ଭାବ ପୋଷଣ କରିବ। ଏହି ସ୍କୁଲ ଯିବା ଘଟଣା ତା ପାଇଁ ଏକ ସାହାସିକ ରୋମାଂଚକାରୀ ଯାତ୍ରାର ଅୟମାରମ୍ଭ; ହୁଏତ ଏହି ଯାତ୍ରା ତାକୁ ସୁଦୂର ମହାଦେଶ ଅତିକ୍ରମ କରାଇପାରେ। ସବୁ ରୋମାଂଚକ ଯାତ୍ରାପଥରେ ଯୁଦ୍ଧ, ଦୁଃଖଦାୟକ ଘଟଣା ଏବଂ ଶୋକର ସମ୍ଭାବନା ଥାଏ। ଏହିପରି ଜୀବନଯାତ୍ରା ପାଇଁ ବିଶ୍ବାସ, ପ୍ରେମ ଏବଂ ସାହସ ନିତାନ୍ତ ଆବଶ୍ୟକ।

 

ତେଣୁ ମୋ ପ୍ରିୟ ଶିକ୍ଷକ, ମୁଁ ଚାହେଁ ତୁମେ ସ୍ନେହରେ ତା ହାତଧରି ଏମିତି ସବୁ ଶିଖାଅ ଯାହା ଜାଣିବା ତା ପାଇଁ ନିତାନ୍ତ ଆବଶ୍ୟକ; କିନ୍ତୁ ଯାହା ଶିଖାଇବ ଯଦି ପାରିବ, ସ୍ନେହରେ ଶିଖାଅ। ତାକୁ ଶିଖାଅ ଯେ ସଂସାରରେ ଜଣେ ଶତ୍ରୁ ଯଦି ଅଛି ମିତ୍ରଟିଏ ମଧ୍ୟ ଅଛି। ସେ ଶିଖୁ ଯେ ଦୁନିଆରେ ସବୁ ମଣିଷ ଠିକ ନୁହନ୍ତି; ସମସ୍ତେ ବିଶ୍ବାସ ଯୋଗ୍ୟ ନୁହନ୍ତି। କିନ୍ତୁ ତାକୁ ଶିଖାଅ ଯେ ଯଦି ସମାଜରେ ଗୋଟେ ବଦମାସ୍ ଲୋକ ଅଛି, ସେଇ ସମାଜରେ ଜଣେ ବରେଣ୍ୟ ବ୍ୟକ୍ତି ମଧ୍ୟ ଅଛନ୍ତି; ଯଦି ରାଜନୀତିରେ ଜଣେ କୁଟିଳ ବ୍ୟକ୍ତି ଅଛି; ଜଣେ ସମର୍ପିତ ନେତା ମଧ୍ୟ ଅଛନ୍ତି।

 

ଯଦି ପାରିବ ତାକୁ ଶିଖାଅ ଯେ ମାଗଣାରେ ପାଇଥିବା ଦଶ ଡଲାରର ମୂଲ୍ୟ ଅପେକ୍ଷା ଅର୍ଜନ କରିଥିବା ଦଶ ସେଣ୍ଟର ମୂଲ୍ୟ ଅଧିକ। ସେ ଶିଖୁ ଯେ ଠକିକରି ପାସ କରିବା ଅପେକ୍ଷା କ୍ଲାସରେ ଫେଲ ହବା ଭଲ। ନିର୍ବିକାରରେ ହାରିବା ସେ ଶିଖୁ; ଯଦି ଜିତେ, ବିଜୟକୁ ଉପଭୋଗ କରିବା ମଧ୍ୟ ଶିଖୁ। ଲୋକଙ୍କ ପ୍ରତି ନମ୍ର ଭାବ ଦେଖାଉ; କିନ୍ତୁ ଶକ୍ତ ଲୋକଙ୍କ ସହିତ ମିଶିଲାବେଳେ ନିଜେ ଶକ୍ତ ହେବା ପାଇଁ ତାକୁ ଶିଖାଅ। ଯଦି ପାର, ଇର୍ଷାଠାରୁ ତାକୁ ଦୂରେଇ ରହିବା ଶିଖାଅ; ଏକୁଟିଆ ହସିବାର ଆନନ୍ଦ ତାକୁ ଶିଖାଅ। ଯଦି ସମ୍ଭବ, ଦୁଃଖରେ ହସିବା ଶିଖାଅ: ଶିଖାଅ ଯେ ଆଖିରୁ ଲୁହ ବୋହିଲେ ଲଜ୍ଜିତ ହେବା ଅନାବଶ୍ୟକ। ସେ ଶିଖୁ ଯେ ବିଫଳତା ମଧ୍ୟ ମହିମାମୟ ଏବଂ ସଫଳତା ଗ୍ଲାନିମୟ ହୋଇପାରେ। ଦୋଷଦର୍ଶୀମାନଂକୁ ଉପହାସ କରିବା ପାଇଁ ତାକୁ ଶିକ୍ଷା ଦିଅ।

 

ଯଦି ପାରିବ ପୁସ୍ତକର ଚମତ୍କାରିତା ସମ୍ପର୍କରେ ତାକୁ ସଚେତନ କର; କିନ୍ତୁ ଆକାଶରେ ଉଡୁଥିବା ଚଢେଇ, ସୂର୍ଯ୍ୟାଲୋକରେ ଉଡୁଥିବା ମହୁମାଛି, ଶ୍ୟାମଳ ପାହାଡରେ ଫୁଟିଥିବା ଫୁଲର ରହସ୍ୟ ସମ୍ପର୍କରେ ମନନ କରିବା ପାଇଁ ସେ ସମୟ ପାଉ। ଅନ୍ୟମାନେ ସେ ଭୁଲ ବୋଲି କହିବା ସତ୍ତ୍ବେ ନିଜର ବିଚାରଶକ୍ତି ଉପରେ ସେ ବିଶ୍ବାସ କରିବା ଶିଖୁ।

 

ମୋ ପୁଅକୁ ଏମିତି ଶକ୍ତି ଦିଅ ଯାହାଫଳରେ ଅନ୍ୟମାନେ ଗୋଟେ ଭିଡ ପଛରେ ଗୋଡ଼େଇଲା ବେଳେ ସେ ଯେପରି ସେହି ମାର୍ଗ ଅନୁସରଣ ନ କରିବାର ସାମର୍ଥ୍ୟ ଲାଭ କରିବ। ତାକୁ ଏମିତି ଶିକ୍ଷା ଦେବାକୁ ଚେଷ୍ଟା କର ଯେମିତି ସେ ସମସ୍ତଂକ କଥା ଶୁଣୁ କିନ୍ତୁ ଶୁଣିଥିବା କଥାସବୁ ସତ୍ୟର ଚାଲୁଣୀରେ ଚଲେଇ କେବଳ ଭଲ କଥା ଗ୍ରହଣ କରୁ। ତାର ବୌଦ୍ଧିକ ଶକ୍ତି ବିନିଯୋଗ ବଦଳରେ ସେ ସର୍ବାଧିକ ପାରିଶ୍ରମିକ ଅର୍ଜନ କରୁ; କିନ୍ତୁ ତା ହୃଦୟ ଏବଂ ତା ଆତ୍ମା ଯେ କଦାଚିତ ବିକ୍ରୟ ଯୋଗ୍ୟ ନୁହେଁ ଏହା ସେ ତୁମଠାରୁ ଶିଖୁ। ସେ ବ୍ୟାକୁଳ ହେବା ପାଇଁ ସମର୍ଥ ହେଉ କିନ୍ତୁ ସାହାସ ପାଇଁ ଧୈର୍ଯ୍ୟ ରଖିବା ମଧ୍ୟ ଶିଖୁ। ନିଜ ଉପରେ ନିରନ୍ତର ବିଶ୍ବାସ ରଖିବା ଶିଖୁ ଯାହା ଫଳରେ ସେ ମାନବ ଜାତି ଉପରେ ଏବଂ ଭାଗବାନଂକ ଉପରେ ଭରସା ରଖିବା ଶିଖି ପାରିବ।

 

ଶିକ୍ଷକ, ଏହା ମୋର ପ୍ରାଥମିକ ଆବଶ୍ୟକତା; ଦେଖ, କେତେଦୂର ତୁମେ ସଫଳ ହୋଇପାରିବ। ସେ କେତେ ଭଲ କୁନି ପିଲାଟିଏ; ମୋ ପୁଅ ସିଏ।’


ପ୍ରତିକ୍ରିୟା

Dr.Jyoti Ranjan Nayak - Email: jrnayak64@gmail.com - Posted on 2016-06-06 23:02:01

The way our education system is following and the great parents who want their ward to be a money making machine THIS MESSAGE is the PATENT MEDICINE for both.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top