ଉନ୍ମତ୍ତା ନାଗରୀ ଫୁଲାଏ ନାକ

News Story - Posted on 2016-05-23

ଦନେଇ ବଚନ-୨

 

ଉପରୋଧିଆ ଶାଳୀ

ଉପ୍ରୋଧିଆ ଜଗୁଆଳୀ

ଉପରୋଧିଆର କାଳି

ଉପରୋଧିଆର ଗାଳି

ଉପରୋଧିଆ ଦେଲେ ପରକୁ ଥାଳୀ

ବୋଲେ ଦନାଇ ଏ ହୁଅନ୍ତି ଭାଳି॥

 

ଆଳୁ ମୂଳରୁ ବାହାରିଲେ ସାରୁ

ଗୁଗୁଚିଆ ନଛାଡ଼ିଲେ ଲୁଗାରୁ

ହାଣ୍ଡି ଫାଟିଯାଏ ଡାଲି ବଘାରୁ

କଳି ଲାଗଇ ଭଲରେ ପଚାରୁ

ଘଇତା ନଉଠେ ବସିଲାଠାରୁ

ପହିଲି ରଜରେ ଯେହୁଏ ମାରୁ

ବୋଲେ ଦନାଇ ଏ ଉତ୍ତମକାରୁ॥

 

ଉଠିଆ ଭାତ, ପୁଚୁକା ଗାଲ

ଦରୋଟି ଭାଷା, ମହୁଆ ମାଲ

ଅଳପ ନିଶା, ମାଆ ପରଷା

ଅତି ସୁଆଦ ଦନାଇ ଭାଷା॥

 

ଆହାରଛଟା ଘାଟିଆ

ଅନ୍ଧାରକଣା ଛାଟିଆ

ଚେଙ୍ଗଚତୁରା ବେଠିଆ

ଚାହିଁ ଜଳକା କୋଠିଆ

ମତି ବିଭ୍ରମ ପାଠୁଆ

ଭାଗ ବଳଦ ମଠୁଆ

ତଳି ଦଦରା କାଠୁଆ

ବୋଲେ ଦନାଇ ଏ ରାଠୁଆ॥

 

ଉନ୍ମତ୍ତ ବୃଷଭ ଛାଡ଼େ ହେଣ୍ଟାଳ

ଉନ୍ମତ୍ତ କୁକୁର ମୂତଇ ମାଳ

ଉନ୍ମତ୍ତ ମୟୂର କରଇ ନାଟ

ଉନ୍ମତ୍ତ ମେଷ ଖୋଳଇ ବାଟ

ଉନ୍ମତ୍ତା ନାଗରୀ ଫୁଲାଏ ନାକ

ଉନ୍ମତ୍ତା ଗାଭୀ ଛାଡ଼ଇ ଡାକ

ଉନ୍ମତ୍ତା ମର୍କଟୀ ହଲାଏ ମୁଣ୍ଡ

ଉନ୍ମତ୍ତ ମାର୍ଜାର ଯେ ଲଣ୍ଡଭଣ୍ଡ

ଉନ୍ମତ୍ତ ହସ୍ତୀ ଗଣ୍ଡୁ ବହେ ବାରି

ଉନ୍ମତ୍ତ ପୁରୁଷ ହୁଅଇ ଘାରି

ଉନ୍ମତ୍ତ କୁକ୍କୁଟ ହଲାଏ ପର

ଉନ୍ମତ୍ତ ଘୋଡ଼ାକୁ ଧରଇ ଜର

ଉନ୍ମତ୍ତ ଛାଗଳ ଯେ ବଂ ବଂ ବୋଲି

ଉନ୍ମତ୍ତା ବେଶ୍ୟା ଯେ ବଜାରବୁଲୀ

ଉନ୍ମତ୍ତ ଗୟଳ ଗଡ଼ଇ ତଳେ

ଉନ୍ମତ୍ତ ଦନାଇ ପଶଇ ଜଳେ॥

 

ଆମିଷ ଖାଏ ବେକେ ବାନ୍ଧି କଣ୍ଠି

ଅହିଅ ନାରୀ ମୁଣ୍ଡେ ନାହିଁ ଗଣ୍ଠି

ବେପାର କରେ ହାତେ ନାହିଁ ପାଣ୍ଠି

ଚଷାପୁଅ ଯେବେ ନଧରେ କଣ୍ଟି

ଦେବପୂଜାରେ ନବଜାଏ ଘଣ୍ଟି

ଘରେ ଧନ ଥାଇ ପତାଏ ଅଣ୍ଟି

ବୋଲେ ଦନାଇ ଚିପ ୟାଙ୍କ ତଣ୍ଟି॥

 

ଆପଟ ବେହେରା ହୋଇଲେ ଛୋଟା

ବୁଲା ଭିକାରୀ ଯେବେ ହୁଏ ମୋଟା

କୁଅରେ ପଡ଼ିଲେ ଅସଣା କୁଟା

ବାପପୁଅ ମନ ହୋଇଲେ ଖଟା

ଗାରଡ଼ ହୋଇଲେ ଲଢ଼େଇ ହଟା

ପାଳୁଅ ଖିରୀ ଧରିଗଲେ ଗେଟା

କୋଶଳା ଶାଗ ହେଲେ ମଞ୍ଜିଫୁଟା

ହଳଦୀ ନୋହିଲେ ଚିକ୍କଣବଟା

ବୋଲେ ଦନାଇ ଏ କେଉଁ ଭଲଟା?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top