ବୈରୀ-ବଡ଼ଚଣାରେ ଗାନ୍ଧୀ ପଦଯାତ୍ରା

News Story - Posted on 2016-05-22

ଶୁଭେନ୍ଦୁ କୁମାର ଭୂୟାଁ

 

ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ଓଡ଼ିଶା ମାଟିରେ ଆରମ୍ଭ ହୋଇଥିବା ଐତିହାସିକ ହରିଜନ ପଦଯାତ୍ରାର ସୁଦୀର୍ଘ ୮୨ ବର୍ଷ ଇତିମଧ୍ୟରେ ଅତିକ୍ରାନ୍ତ ହୋଇଛି। ଏହି ସ୍ମରଣୀୟ ପଦଯାତ୍ରାରେ ଅବିଭକ୍ତ କଟକ ଜିଲ୍ଲାର ବଡ଼ଚଣାର ବୈରୀ, ବରୀର କାଇପଡ଼ା, କଲ୍ୟାଣପୁର, ଅନ୍ୟାସପୁର, ସାହାସପୁର, ବାଗଦା, ଯାଜପୁରର ବୁଢ଼ାଘାଟ ଓ ବୈତରଣୀ ତଟ ଏଥିରେ ସାମିଲ ହୋଇ ଏବେ ବି ଅତୀତ ସ୍ମୃତିକୁ ରୋମନ୍ଥନ କରୁଛି। ଗାନ୍ଧୀ ପଦରଜରେ ଧନ୍ୟ ଓଡ଼ିଶାର ଅନେକ ପୁଣ୍ୟ ପୀଠସ୍ଥଳୀ ମଧ୍ୟରୁ ଯାଜପୁର ମାଟିର ଏହିସବୁ ଅଚଂଳ ତାଙ୍କ ସ୍ମୃତିକୁ ଧରି ରଖିଥିବାବେଳେ ଜନମାନସରେ ଗାନ୍ଧୀ ସ୍ମୃତିକୁ ମନେପକାଉଛନ୍ତି ସ୍ଥାନୀୟ ଅଚଂଳବାସୀ।

 

୧୯୩୪ ମସିହା ମେ ମାସ ୨୧ ତାରିଖ ଦିନ ଥିଲା ତତ୍କାଳୀନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଯାଜପୁର ଜିଲ୍ଲା ପାଇଁ ଗାନ୍ଧୀସ୍ମୃତି ଗାଥାର ଏକ ଅବିସ୍ମରଣୀୟ ଦିନ। ପାଟଣାଠାରେ ଆୟୋଜିତ ନିଖିଳ ଭାରତ କଂଗ୍ରେସ କମିଟିର ଦୁଇ ଦିନିଆ ଅଧିବେଶନରେ ଯୋଗଦେଇ ମେ ୨୦ ତାରିଖ ଦିନ ଗାନ୍ଧିଜୀ ସେଠାରୁ ସିଆଲଦା ଏକ୍ସପ୍ରେସରେ ଚଢ଼ିଲେ। ଏହା ଥିଲା ଜାତିର ଜନକଙ୍କ ଓଡ଼ିଶାରେ ଆରମ୍ଭ ହୋଇଥିବା ହରିଜନ ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ। ମେ ୨୧ ତାରିଖ ଭୋର ସମୟରେ ବଡ଼ଚଣା ବ୍ଳକର ଅଖ୍ୟାତ ବୈରୀ ଷ୍ଟେସନରେ ରହିଲା ଏହି ଦ୍ରୁତଗାମୀ ରେଳଗାଡ଼ି। ନାଁ ଅଜଣା ବୈରୀ ଷ୍ଟେସନରେ ସିଆଲଦା ଏକ୍ସପ୍ରେସ ଭଳି ଟ୍ରେନ କେବେ ଅଟକି ନଥିଲା, କିନ୍ତୁ କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମର ପ୍ରତିଷ୍ଠାତା ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ରେଳବାଇର ବରିଷ୍ଠ ଅଧିକାରୀଙ୍କଠାରୁ ବିଶେଷ ଅନୁମତି ଆଣିଥିବାରୁ ଗାନ୍ଧୀ ସହଯାତ୍ରୀ ଥିବା ଏହି ଏକ୍ସପ୍ରେସ ଗାଡ଼ିଟି ସେଠାରେ ଅଳ୍ପ ସମୟ ପାଇଁ ଅଟକିଥିଲା।

 

ଗାନ୍ଧୀଙ୍କ ସହିତ ସେଦିନ ରେଳଗାଡ଼ିରୁ ଓହ୍ଲାଇଥିଲେ ମାଲକାନଜୀ ଓ ଅନ୍ୟ ବହୁ ନେତୃସ୍ଥାନୀୟ ବ୍ୟକ୍ତି। ତାଙ୍କ ଉପରେ ନ୍ୟସ୍ତ ଥିଲା ଗାନ୍ଧୀଙ୍କର ପୁରୀଠାରୁ ଭଦ୍ରକ, ବାଲେଶ୍ୱର ଯାତ୍ରାର ଆୟୋଜନ ଦାୟିତ୍ୱ। କଂଗ୍ରେସ ସାମ୍ୟବାଦୀ ଦଳର ବରିଷ୍ଠ ନେତା ବମ୍ୱେର ମୀନୁ ମାସାନି ଓ ଇଂଲଣ୍ଡ ଅଧିବାସୀ ଜଣେ ବିଶିଷ୍ଟ ମହିଳା ମିସ ଆଗାଥା ହାରିସନ ମଧ୍ୟ ଏହି ସହଯାତ୍ରୀ ଦଳରେ ଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ଗାନ୍ଧିଜୀ ପ୍ରଥମେ ତଦାରଖ କରିଥିଲେ ସହଯାତ୍ରୀମାନଙ୍କର ଜିନିଷପତ୍ର ଠିକଠାକ ଅଛି କି ନାହିଁ। ସେଦିନ ଥିଲା ସୋମବାର-ଗାନ୍ଧିଜୀଙ୍କର ସାପ୍ତାହିକ ମୌନ ଦିବସ। ତଥାପି ଠାର ଦ୍ୱାରା ଜିନିଷପତ୍ର କାହା ଦାୟିତ୍ୱରେ ଏବଂ କେମିତି ଯିବ ସେ ତଦାରଖ କରିଥିଲେ। ଗାନ୍ଧୀଙ୍କ ଆଗମନରେ ସକାଳୁ ସକାଳୁ ବୈରୀ ଷ୍ଟେସନଟି ପ୍ରକମ୍ପିତ ହୋଇଥିଲା ତାଙ୍କ ସ୍ୱାଗତ ଧ୍ୱନିରେ। ସେହିଦିନ ଷ୍ଟେସନରେ ହିଁ ସକାଳୁଆ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଆସିଥିବା ବଳଦ ଗାଡ଼ିରେ ଜିନିଷପତ୍ର ବୋଝେଇ ହେବା ପରେ ଚମ୍ପାପୁର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ବାଟରେ ପଡ଼ିଥିଲା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଛତିଆବଟ।

 

ମହାତ୍ମା ଗାନ୍ଧୀଙ୍କ ସହିତ ଯୋଗ ଦେଇଥିବା ବହୁ ବିଶିଷ୍ଟ ଜାତୀୟ ଓ ରାଜ୍ୟ ସ୍ତରୀୟ ନେତାଙ୍କ ସମେତ ବୈରୀ ଅଂଚଳର କାଙ୍ଗାଳି ନାୟକ, ବାଉରୀବନ୍ଧୁ ନାୟକ, ନୀଳମଣି ପରିଡ଼ା, ଗିରିଧାରୀ ସାହୁ, ଗିରିଧାରୀ ମହାନ୍ତି, ଅଧିକାରୀ ମହାନ୍ତି, ଭ୍ରମରବର ମହାନ୍ତି, ସୁନାକର ରାଉତ, ବ୍ରହ୍ମାନନ୍ଦ ମହାନ୍ତି, ଛତିଆର ଜଗନ୍ନାଥ ନାୟକ, ଧୀରେନ୍ଦ୍ର ନନ୍ଦ, ମୁରଲୀଧର ନନ୍ଦ, ପଶୁର୍ରାମ ନନ୍ଦ ଓ ଶରତଚନ୍ଦ୍ର ନନ୍ଦ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବୋଲି ସ୍ଥାନୀୟ ଅଂଚଳର ଲୋକମାନେ କୁହନ୍ତି। ସିଆଲଦା ଏକ୍ସପ୍ରେସଟି ଥିଲା ଏକ ବାଷ୍ପଚାଳିତ ଇଞ୍ଜିନ ଓ ସେଥିରେ ୪/୫ଟି ଡବା ଥିଲା ବୋଲି ମଧ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀରୁ ଜଣାପଡ଼େ।

 

ଏଠାରେ ସୂଚନାଯୋଗ୍ୟ ଯେ, କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମର ପ୍ରତିଷ୍ଠାତା ପଣ୍ଡିତ ଗୋବିନ୍ଦ ମିଶ୍ର ହେଉଛନ୍ତି ଓଡ଼ିଶାର ପ୍ରଥମ ବ୍ୟକ୍ତି ଯାହାଙ୍କୁ କି ଗାନ୍ଧିଜୀ ସାବରମତି ଆଶ୍ରମରୁ ଜାଣିଥିଲେ। ଗୋବିନ୍ଦ ମିଶ୍ର ଥିଲେ ଦଶପଲ୍ଲା ଗଡ଼ଜାତ ଅଂଚଳର ଜଣେ ବିଶିଷ୍ଟ ସଂଗ୍ରାମୀ। ଇଂରେଜ ସରକାରଙ୍କର ପ୍ରାଦୁର୍ଭାବରେ ଅତିଷ୍ଠ ହୋଇ ସେ ଦଶପଲ୍ଲା ଛାଡ଼ି କିଛିଦିନ ଶାନ୍ତିନିକେତନ ଓ ପରେ ସାବରମତୀ ଆଶ୍ରମକୁ ଚାଲି ଯାଇଥିଲେ। ତାଙ୍କର ବିଶେଷ ଅନୁରୋଧ କ୍ରମେ ମହାତ୍ମା ଗାନ୍ଧୀଙ୍କର ଗସ୍ତ କାର୍ଯ୍ୟସୂଚୀ ଏହି ଆଶ୍ରମକୁ ହୋଇଥିଲା।

 

ଗାନ୍ଧିଜୀ ଚମ୍ପାପୁର ଆଶ୍ରମରେ ପହଂଚିବା ପରେ ତାଙ୍କର ପରବର୍ତ୍ତୀ ଗସ୍ତସୂଚୀର ବିବରଣୀ ପ୍ରସ୍ତୁତ ହୋଇଥିଲା। ହରିଜନ ସେବକ ସଂଘର ମାଲକାନଜୀ ଓ ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଉପସ୍ଥିତିରେ ଗସ୍ତସୂଚୀର ଚିଠା ନିଜେ ତଦାରଖ କରିଥିଲେ ଗାନ୍ଧିଜୀ। ଏହି ଆଶ୍ରମର ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ଗାନ୍ଧିଜୀ ଖୁସି ହୋଇଥିଲେ। ପରଦିନ ଥିଲା ମଙ୍ଗଳବାର। ଚମ୍ପାପୁର ହାଟପଡ଼ିଆ ଠାରେ ଆୟୋଜିତ ହୋଇଥିଲା ଏକ ବିଶାଳ ଜନସଭା। ଏହି ସଭାରେ ଗାନ୍ଧିଜୀ ଆଶ୍ରମ ପରିଚାଳନା ପାଇଁ କ’ଣ ଭଲମନ୍ଦ ଦିଗ ରହିଛି ସେ ସମ୍ପର୍କରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ସଭାରେ ଗାନ୍ଧୀ ଦେଇଥିବା ଉଦବୋଧନ ବିବରଣୀ ୧୯୩୪ ମସିହା ଅଗଷ୍ଟ ୩୧ ତାରିଖ ‘ହରିଜନ’ ପତ୍ରିକାରେ ପ୍ରକାଶ ପାଇଥିଲା। ଆଶ୍ରମରେ ରହଣି ସମୟରେ ସ୍ଥାନୀୟ ଅଂଚଳର ଦୁଇଜଣ ବ୍ୟକ୍ତି ଭୀମ ନାୟକ ଓ ସାଧୁ ବାରିକ ଗାନ୍ଧୀଙ୍କର ସେବାଯତ୍ନ କରିଥିଲେ। ସାଧୁ ଗାନ୍ଧୀଙ୍କ ଦେହରେ ତେଲ ଲଗାଇ ଘଷାମୋଡ଼ା କରିଥିବା ବେଳେ ଭୀମ ତାଙ୍କ ସ୍ନାନ ପାଇଁ ପାଣି ଆଣି ଦେଇଥିଲେ। ଗାନ୍ଧିଜୀ ଏଇ ଦୁଇଜଣ ସେବକଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

 

ସେଇଭଳି ମଇ ମାସ ୨୪ ତାରିଖରେ ଗାନ୍ଧୀ ବହୁକୁଦ ଠାରେ ଥିବାବେଳେ ତାଙ୍କ କ୍ଷୌର ହେବା ଦିନ ପଡ଼ିଥିଲା। ସେଦିନ ନଖୀ ଭଣ୍ଡାରୁଣୀ ନାମକ ଜଣେ ଗ୍ରାମୀଣ ମହିଳା ଆସି ଗାନ୍ଧୀଙ୍କୁ କ୍ଷୌରକର୍ମ କରାଇଥିଲେ। ନଖୀ ଓରଫ ଲକ୍ଷ୍ମୀ ଥିଲା ବହୁଗ୍ରାମର ଭାଗୁ ବାରିକ ଓ ମାଧବୀ ବାରିକଙ୍କ ବାଳୁତବିଭା କନ୍ୟା। ଗାନ୍ଧୀଙ୍କୁ କ୍ଷୌର କରିବାକୁ ଆସିଥିବାରୁ ସେ ଗାଁର କିଛି ମହିଳାଙ୍କଠାରୁ ମାଗି ଆଣିଥିବା ରୁପାର ଅଳଙ୍କାର ଓ ସୁନା ନାକଫୁଲ ପିନ୍ଧି ଆସିଥିଲା। ଗାନ୍ଧୀଙ୍କୁ କ୍ଷୌର କରିସାରି ସେ ଆଉ ଦୁଇଜଣ ଲୋକଙ୍କର ମଧ୍ୟ କ୍ଷୌର କରିଥିଲା। କିନ୍ତୁ ଗାନ୍ଧୀଙ୍କ ଆହ୍ୱାନରେ ସେ ମାଗି ଆଣିଥିବା ଅଳଙ୍କାର ଓ କ୍ଷୌର କରି ପାଇଥିବା ମଜୁରୀ ଆଣି ଗାନ୍ଧୀଙ୍କ ପାଦତଳେ ଥୋଇଦେଇଥିଲା। ଗାନ୍ଧୀ ଏହି ଗ୍ରାମୀଣ ମହିଳାଟିର ବହୁ ପ୍ରଶଂସା କରିଥିଲେ। ଏହାପରେ ଗାନ୍ଧିଜୀ ଲେଖନପୁର, ସତ୍ୟଭାମାପୁର, ଶିଶୁଆ, ଜିଗ୍ନୀପାଟପୁର, ନିଶ୍ଚିନ୍ତକୋଇଲି, କାକତିଆ, ସଲାର, ବାଲିଆ-ଭାଗବତପୁର, କେନ୍ଦ୍ରାପଡ଼ାର ଗରାପୁର ଓ ବାରିମୂଳ ଦେଇ ଇନ୍ଦୁପୁରଠାରେ ପହଂଚିଥିଲେ।

 

ଏହିଠାରୁ ବାପୁଜୀଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଯାଜପୁରର ବରୀ ଅଂଚଳକୁ। ବ୍ରାହ୍ମଣୀ ନଈର କାଇପଡ଼ା ଘାଟଠାରେ ସେ ବନ୍ଧକୁ ଉଠିଲା ବେଳକୁ ପ୍ରାୟ ୫ ହଜାର ଲୋକ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ। ଏହାପରେ ପଡ଼ିଥିଲା କଲ୍ୟାଣପୁର ଗାଁ। କିନ୍ତୁ ଏହି ଗାଁଟି ତାଙ୍କ ପଦଯାତ୍ରା ସୂଚୀରେ ନଥିବାରୁ ଗ୍ରାମବାସୀମାନେ କଇଥା ଚମ୍ପାପୁର ଆଶ୍ରମକୁ ଯାଇ କାଇପଡ଼ାଠାରେ ଗାନ୍ଧିଜୀଙ୍କୁ ଅଭିନନ୍ଦିତ କରିବେ ବୋଲି ଅନୁମତି ଆଣିଥିଲେ। ବାପୁ ସେମାନଙ୍କୁ ମାତ୍ର ୧୦ ମିନିଟ ସମୟ ଦେଇଥିଲେ। କଲ୍ୟାଣପୁର ଗାଁରୁ ପ୍ରାୟ ୫୦୦ ମହିଳା ଏକ ଶୋଭାଯାତ୍ରାରେ ୪ ମାଇଲ ବାଟ ଚାଲିଚାଲି ଆସି କାଇପଡ଼ାଠାରେ ଅପେକ୍ଷା କରିଥିଲେ ବାପୁଙ୍କୁ। କଲ୍ୟାଣପୁରବାସୀ ତାଙ୍କ ଅଭିନନ୍ଦନ ପତ୍ରରେ ଅସ୍ପୃଶ୍ୟତା ସମ୍ପର୍କରେ ଯେଉଁ ବର୍ଣ୍ଣନା କରିଥିଲେ ଗାନ୍ଧୀ ତାହା ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖିତ ବି ହୋଇଥିଲେ। ଏହି ଅଭିନନ୍ଦନପତ୍ରର ଭାଷା ତାଙ୍କୁ ଏତେ ଅବିଭୂତ କରିଥିଲା ଯେ ସେ ଏହି ‘ଆଦର୍ଶ ଅଭିନନ୍ଦନ ପତ୍ର’ଟିକୁ ତାଙ୍କର ପ୍ରସିଦ୍ଧ ପତ୍ରିକା ‘ହରିଜନ’ରେ ପ୍ରକାଶିତ କରିଥିଲେ।

 

ଗାନ୍ଧିଜୀଙ୍କର ଏହି ଐତିହାସିକ ଓ ସ୍ମରଣୀୟ ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ବିଶିଷ୍ଟ ସଂଗ୍ରାମୀ ଯଥା- ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ବିନୋଦ କାନୁନଗୋ, ଆଚାର୍ଯ୍ୟ ହରିହର, ଗୋଦାବରୀ ଦେବୀ, ମନମୋହନ ଚୌଧୁରୀ, ରାଜକୃଷ୍ର ବୋଷ, ଜଗନ୍ନାଥ ଶତପଥୀ, ଶୋଭା ପଣ୍ଡା, ମାଣିକ, ତୁଳସୀଙ୍କ ଭଳି ବହୁ ବିଶିଷ୍ଟ ସଂଗ୍ରାମୀ। ସେମାନଙ୍କ ସହିତ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ସଂଗ୍ରାମୀ ମଧ୍ୟ ଯୋଗଦେଇ ଗାନ୍ଧୀଙ୍କର ଏହି ରଚନାତ୍ମକ କାର୍ଯ୍ୟକ୍ରମର ସାରଥୀ ହୋଇଥିଲେ। ସମୟ ସୁଅରେ ଇତି ମଧ୍ୟରେ ୮୨ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଗାନ୍ଧୀଙ୍କର ସ୍ମୃତି ଓ କୀର୍ତ୍ତିକୁ ବହନ କରୁଥିବା ଯାଜପୁର ମାଟିର ଏହିସବୁ ପୁଣ୍ୟ ପୀଠସ୍ଥଳୀରେ ଆଜି ତାଙ୍କର ପ୍ରତିମୂର୍ତ୍ତିଗୁଡ଼ିକ ଶୋଭାପାଉଛି। ବୈରୀ ରେଳଷ୍ଟେସନ ନିକଟରେ ଗାନ୍ଧୀଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ବୈରୀ-ଛତିଆ-ଚମ୍ପାପୁର ରାସ୍ତାକୁ ଗାନ୍ଧୀ ସ୍ମାରକୀ ମାର୍ଗ ଭାବରେ ନାମିତ କରିଛନ୍ତି। ଚଳିତବର୍ଷ ବଡ଼ଚଣା ମାଟିର ବିଶିଷ୍ଟ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ଗାନ୍ଧୀ ସ୍ମାରକୀ ପଦଯାତ୍ରା, ସଂଗ୍ରାମୀ ସ୍ମୃତି ଅନୁଭୂତି ସଂକଳନ ପ୍ରକାଶନ ସହ ବିବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

 

ସଦସ୍ୟ, ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର, ଦୂରଭାଷ : ୯୪୩୭୨୨୬୭୯୭


ପ୍ରତିକ୍ରିୟା

Bhabendra Kumar Dash - Email: bhabendra2012@gmail.com - Posted on 2016-05-23 00:35:15

Its a good work to acknowledge the unknown story of Odisha. Thanks.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top