ନାରୀ ସ୍ତୁତି

ଦେବେନ୍ଦ୍ର ପୃଷ୍ଟି

News Story - Posted on 2016-01-08

 

ଓଁ ବାମେ କର୍ଣ୍ଣେ ମୃଗାଙ୍କଃ ପ୍ରଳୟ ପରିମିତଂ ଦକ୍ଷିଣେ ଚାର୍କବିମ୍ବଂ

କଣ୍ଠେ ନକ୍ଷତ୍ରମାଳୋପରି ବିକଟଜଟାଜୂଟକେ କେତୁମାଳା

ସ୍କନ୍ଧେ ବଦ୍ଧୋରଗେନ୍ଦ୍ରଃ ଶଶିନିକରରୁଚି ବ୍ରହ୍ମକଙ୍କାଳ ହାରଃ

ସା ଦେବୀ ଦିବ୍ୟରୂପା ବିବୃତ ସୁରଗଣା ପାତୁ ମାଂ କାଳରାତ୍ରିଃ ॥

ଜଗଜ୍ଜନନୀ ମା ଦୁର୍ଗାଙ୍କ ପୂଜାରାଧନାରେ ପଢ଼ା ଯାଉଥିବା ଶ୍ରୀଦୁର୍ଗା ସପ୍ତସତୀ ଚଣ୍ଡୀପାଠରେ ଏହା ହେଉଛି କାଳରାତ୍ରୀଙ୍କ ଧ୍ୟାନମନ୍ତ୍ର | କାଳରାତ୍ରୀ ହେଉଛନ୍ତି ଦୁର୍ଗାଙ୍କର ଅନ୍ୟ ଏକ ରୂପ| ଏହି ରାତ୍ର୍ରୀଙ୍କୁ ବୈଦିକ ଯୁଗର ଋଷିମାନେ ସୃଷ୍ଟିର ଆଦିମାତା ଭାବେ ଗ୍ରହଣ କରିଛନ୍ତି | ତାଙ୍କ ଶରୀରରେ ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ର ଓ କେତୁମାଳା ସମେତ ବ୍ରହ୍ମକଙ୍କାଳ ହାର ଶୋଭା ପାଉଛି ବୋଲି କହିଛନ୍ତି ବୈଦିକ ଋଷି |

ଜଗଜ୍ଜନନୀ ମା ଦୁର୍ଗା କାଳରାତ୍ରୀ ହେଲେ ଆଧୁନିକ ଯୁଗର ନାରୀମାନେ ମଧ୍ୟ ସେହି ପର୍ଯ୍ୟାୟଭୁକ୍ତ | ସେମାନେ ହେଉଛନ୍ତି ଆଧୁନିକ ବିଶ୍ବର ଦୁର୍ଗା, କାଳରାତ୍ରୀ | ସେମାନେ ଯେପରି ଚନ୍ଦ୍ର ପରି ଶୀତଳ କିରଣ ସିଞ୍ଚନ କରନ୍ତି ସେହିପରି ସୂର୍ଯ୍ୟଙ୍କ ପରି ପ୍ରଚଣ୍ଡ ରୌଦ୍ରତାପରେ ମଣିଷ ଜୀବନକୁ ଦାହ କରିପାରନ୍ତି | ସେମାନେ ମଧ୍ୟ କେତୁ ହୋଇ ପୁରୁଷକୁ ଗ୍ରାସ କରିପାରନ୍ତି | ସେମାନଙ୍କ ଦେହରେ ହାର ହୋଇ ଝୁଲୁଥାଏ ବ୍ରହ୍ମକଙ୍କାଳ | ଅର୍ଥାତ ସେମାନେ ବ୍ରହ୍ମରୁ ଏକ ସୁନ୍ଦର ସୃଷ୍ଟିର ସର୍ଜନା କରିବାର ଶକ୍ତି ସହିତ ଏହାକୁ ଏକ କଙ୍କାଳରେ ପରିଣତ କରିବାର ସାମର୍ଥ୍ୟ ମଧ୍ୟ ରଖିଛନ୍ତି |

ଏହି ମହାଷ୍ଟମୀରେ ଆମେ ଏହି ନାରୀ ରୂପିଣୀ ଜଗଜ୍ଜନନୀ ମା ଦୁର୍ଗାଙ୍କର ଆବାହନ କରୁଛୁ | ତାଙ୍କୁ ପ୍ରାର୍ଥନା କରୁଛୁ, ହେ ମହିୟସୀ ନାରୀ, ହେ ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ! ଆପଣ ଆପଣଙ୍କର ପୁରାତନ ଦୁର୍ଗା ଓ କାଳୀ ରୂପ ଗ୍ରହଣ କରନ୍ତୁ, ଏ ସଂସାରର ପାପତାପ ନାଶ କରନ୍ତୁ, ନିଜ ସନ୍ତାନମାନଙ୍କୁ ରକ୍ଷା କରନ୍ତୁ ଏବଂ ସେମାନଙ୍କୁ କୁପଥରେ ଯିବାରୁ ରୋକନ୍ତୁ | କାରଣ ଆମେ ଦେଖୁଛୁ ଆପଣଙ୍କ ନୀରବତା, ଅନେକ ସମୟରେ ତାଡ଼ନା ଓ ଚୋଦନା ଯୋଗୁଁ ଅନେକ ପୁରୁଷ କୁପଥଗାମୀ ହେଉଛନ୍ତି | ଆପଣ ସଂସାରର ବସ୍ତୁ ସୁଖ ଉପରେ ଗୁରୁତ୍ବ ଦେବା ଦିନଠାରୁ ପୁରୁଷମାନେ ବିପଥଗାମୀ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆପଣା ଜୀବନର ପନ୍ଥା ଭାବେ ବାଛି ନେଇଛନ୍ତି | ଆପଣ ବି ସେମାନଙ୍କର ଭ୍ରଷ୍ଟାଚାରରୁ ଉତ୍ପନ୍ନ ବସ୍ତୁବିଳାସରେ ମଜ୍ଜି ରହି ସଂସାର ଆଗତ ଭବିଷ୍ୟତ ପ୍ରତି ଆଖି ବନ୍ଦ କରିଦେଇଛନ୍ତି |

ଆପଣ କାଳୀଙ୍କ ପରି ବିବସନା, ଦୁର୍ଗାଙ୍କ ପରି ସଂକ୍ଷିପ୍ତ ବସନା | ଆପଣଙ୍କ ଲୋଳ ଜିହ୍ବା ଖୋଜୁଛି ଅଳୀକ ସଂସାରର ସମସ୍ତ ବିଷୟ ସୁଖ | ନର ଓ ଅସୁରମାନଙ୍କ ଜୀବନକୁ ଆପଣଙ୍କ ଲୋମକୂପରେ ଧାରଣ କରିଥିବା ହେ ଆଧୁନିକା ନାରୀ, ଆପଣ ବେଦ ଓ ତନ୍ତ୍ର ଯୁଗର ମନ୍ତ୍ର ଶୁଣି ନିଜର ସତ୍ ଚେତନାକୁ ଫେରି ଆସନ୍ତୁ | ଆପଣଙ୍କ ପୁତ୍ରମାନଙ୍କୁ ସ୍ନେହ ଓ ମମତା ପ୍ରଦାନ ପୂର୍ବକ ସେମାନଙ୍କୁ ସଂସାରକୁ କୁପଥରୁ ଦୂରେଇ ନିଅନ୍ତୁ | ବିଷୟ ସୁଖର ଲୋଭ ବିରୋଧରେ ସେମାନଙ୍କୁ ସତ୍ ଶିକ୍ଷା ଦିଅନ୍ତୁ | ସେମାନଙ୍କ ମଧ୍ୟରେ ଉଦଗ୍ର ହୋଇ ଉଠିଥିବା ମହିଷାସୁରମାନଙ୍କୁ ବଧ କରନ୍ତୁ |

ଆମେ ଜାଣୁ, ଆମେମାନେ ଆପଣଙ୍କ ସନ୍ତାନ ବୋଲି ପରିଚୟ ଦେଉଥିଲେ ହେଁ ଆପଣଙ୍କ ନିନ୍ଦାଗାନ କରିବାକୁ ବି ପଛାଉ ନାହିଁ | ସମୟେ ସମୟେ ଆପଣଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛୁ | କିନ୍ତୁ ସେଥିପାଇଁ ଆମେ ପ୍ରାୟଶ୍ଚିତ କରିବା ଉଦ୍ଦେଶ୍ୟରେ ଆଦି ଶଙ୍କରାଚାର୍ଯ୍ୟଙ୍କର ସେହି ପୁରୁଣା ସ୍ତବଟିକୁ ଆଉ ଥରେ ପାଠ କରୁଛୁ: ଜଗନ୍ମାତର୍ମାତସ୍ତବ ଚରଣସେବା ନ ରଚିତା, ନ ବା ଦତ୍ତଂ ଦେବୀ ଦ୍ରବିଣମପି ଭୂୟସ୍ତବ ମୟା, ତଥାପି ତ୍ବଂ ସ୍ନେହମୟୀ ନିରୂପମଂ ଯତ୍ ପ୍ରକୁରୁଷେ, କୁପୁତ୍ରୋ ଜାୟତେ କ୍ବଚିଦପି କୁମାତା ନ ଭବତି |

ଆମେ ସ୍ବୀକାର କରୁଛୁ, ଆମେମାନେ ହେଲୁ କୁପୁତ୍ର | କିନ୍ତୁ ଆପଣ ତ କଦାପି କୁମାତା ହୋଇ ନପାରନ୍ତି | ତେଣୁ ଆମମାନଙ୍କୁ ପାପତାପରୁ ଉଦ୍ଧାର କରିବା ପାଇଁ ଆପଣ ଆପଣଙ୍କର ପୂର୍ବ ରୂପକୁ ଫେରି ଆସନ୍ତୁ ମା  ଆପଣଙ୍କର ନମ୍ରଶାନ୍ତକମନୀୟ ରୂପରେ ଆମମାନଙ୍କୁ ଚେତନଶୀଳ କରନ୍ତୁ | ନଚେତ ଆପଣ ପୁଣି ଥରେ ଉଗ୍ର କାତ୍ୟାୟନୀ ରୂପଗ୍ରହଣ କରି ଆମମାନଙ୍କ ଭିତରେ ଲୁଚି ରହିଥିବା ମହିଷାସୁରମାନଙ୍କୁ ସଂହାର କରନ୍ତୁ | ସେଥିପାଇଁ ଆପଣଙ୍କୁ ଆମର ସ୍ତୁତି: ବିଦ୍ୟାଃ ସମସ୍ତାସ୍ତବ ଦେବି ଭେଦାଃ, ସ୍ତ୍ରୀୟଃ ସମସ୍ତାଃ ସକଳା ଜଗତ୍ସୁ, ତ୍ବୟୈକୟା ପୂରିତମମ୍ବୟୈତତ୍, କା ତେ ସ୍ତୁତିସ୍ତବ୍ୟପରା ପରୋକ୍ତିଃ | ଆପଣ ସମସ୍ତଙ୍କ ବିଦ୍ୟାପ୍ରାପ୍ତି ନିମନ୍ତେ ଓ ସମସ୍ତଙ୍କ ସ୍ତ୍ରୀମାତୃଭାବ ପାଇବା ନିମନ୍ତେ ଆମମାନଙ୍କୁ ଆର୍ଶୀବାଦ କରନ୍ତୁ |

ଆମର ଏହି ବିଶ୍ବର ନିରନ୍ତରତା ପାଇଁ ମଧ୍ୟ ଆପଣ ଆମମାନଙ୍କୁ ବୁଦ୍ଧି ପ୍ରଦାନ କରନ୍ତୁ | ଏକ ପରିପୋଷଣୀୟ ଚିରନ୍ତନ ସୌନ୍ଦର୍ଯ୍ୟମୟ ବିଶ୍ବ ପାଇଁ ଆପଣ ବୈଷୟିକ ବିପତ୍ତି ସମୂହ ନାଶ କରନ୍ତୁ | ଆମମାନଙ୍କୁ ବସ୍ତୁବିକାଶର ଦୈତ୍ୟଦୌଡ଼ରୁ ଦୂରେଇ ନିଅନ୍ତୁ | ଆପଣଙ୍କୁ ଆମର ପ୍ରର୍ଥନା: ଦେବୀପ୍ରପନ୍ନାର୍ତ୍ତି ହରେ ପ୍ରସୀଦ, ପ୍ରସୀଦ ମାତର୍ଜଗତୋଖିଳସ୍ୟ, ପ୍ରସୀଦ ବିଶ୍ବେଶ୍ବରୀ ପାହି ବିଶ୍ବଂ, ତ୍ବମୀଶ୍ବରୀ ଦେବି ଚରାଚରସ୍ୟ |

ଜୟ ମା ଦୁର୍ଗେ !


ପ୍ରତିକ୍ରିୟା

ଋବିନାରାୟଣ - Email: rabi.325@rediffmail.com - Posted on 2016-01-19 19:02:28

bujhaibaku padiba. congratulation. hope you are enjoying your right thing at right time. It will be a grand success.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top