ଜୟ ହୋ ପ୍ରଭୁ ଜଗନ୍ନାଥ!

News Story - Posted on 2016-05-01

ରବି କାନୁନଗୋ

 

କେରଳର ପୁଟ୍ଟଙ୍ଗଲ ବାଣ ବିସ୍ଫୋରଣର ଭୟାବହତା ଅତ୍ୟନ୍ତ ଦୁଃଖଦାୟକ। ମାତ୍ର ତାହା ସମସ୍ତଙ୍କ ପାଇଁ ପ୍ରଶ୍ନଟିଏ ଛାଡ଼ିଯାଇଛି। ଠାକୁର ଠାକୁରାଣୀ ବା ଧର୍ମ ନାଁରେ ଲୋକେ ବେଶି ଭକ୍ତି କରନ୍ତି ନା ବେଶି କୌତୁକ କରନ୍ତି?

  

ଠାକୁର କୋପ କରନ୍ତି କି? ଯଦି କରନ୍ତି ପରାଭବ କ’ଣ, ଜାଣିବା ଶକ୍ତି ଆମର ନାହିଁ। ସାଧାରଣ ବିଚରରେ ପାପ କ’ଣ ବା ପୁଣ୍ୟ କ’ଣ - ସେଗୁଡ଼ାକ ଆନୁମାନିକ (ଆପ୍ରୋକ୍ସିମେଟଲି) ଜାଣି ହୁଏ। ମାତ୍ର ଧର୍ମରେ ତା’ ସୂଚୀପତ୍ର ଏକଦମ ଓଲଟ ପାଲଟ।

 

ଫେସବୁକରେ ଦେଖିଲି ଲେଖକ, ଗାଳ୍ପିକ ଡକ୍ଟର ସଞ୍ଜୟ ଶତପଥୀଙ୍କର ଏକ ପୋଷ୍ଟିଂ।

 

ସେତେବେଳେ ଭୁବନେଶ୍ବର ତାପମାତ୍ରା ହୋଇଥାଏ ୪୫.୭ ଡିଗ୍ରୀ। ଲୋକେ ଡହଳବିକଳ ହେଉଥା’ନ୍ତି। ରାସ୍ତଘାଟ ଶୂନଶାନ। କେଉଁ ଦୁର୍ଯୋଗ ଆସିବ ବୋଲି ‘ସ୍ମାର୍ଟ-ସିଟି ନମ୍ବର ୱାନ‌୍‍’ ହେଲା, ସରକାରକୁ ଅଭିଶାପ ଦେଉଥା’ନ୍ତି। ଜରୁରୀକାଳୀନ ସତର୍କତା ଅବଲମ୍ୱନ କରି ସରକାର ସ୍କୁଲ ବନ୍ଦ ଘୋଷଣା କଲେ। ଅମାନ୍ୟ କଲେ, କଠୋର ଦଣ୍ଡ। ପାରା ୫୦ ଡେଇଁବ ବୋଲି ଆତଙ୍କ ଗ୍ରାସୁଚି। ସେତିକିବେଳେ ଡକ୍ଟର ଶତପଥୀ ଅବଲୀଳାକ୍ରମେ ଲେଖିଛନ୍ତି - ଗତ ବର୍ଷର ‘ବ୍ରହ୍ମ-ବିଭ୍ରାଟ’ ସହିତ ଆଜି ଅଗ୍ନି-କୋପର କିଛି ସଂଯୋଗ ଅଛି କି?

 

ମନେ ପଡ଼ିଲା, ସମସାୟିକ ଭାବେ (୧୧.୫.୧୫) ‘ପବିତ୍ର ପେଚା ଓ ଆହୁରି ପବିତ୍ର ମିଡିଆ’ ଶୀର୍ଷକ ମୋର ଏକ ସଂପାଦକୀୟ ପ୍ରକାଶ ପାଇଥିଲା। ତହିଁରୁ କିୟଦଂଶ ଥିଲା ଏହିପରି :

 

ମହାପ୍ରଭୁ ଜଗନ୍ନାଥଙ୍କ ମହାଦାରୁରେ ମହା ଯୋଗଯୋଗ ସହିତ ଚିହ୍ନିତ ହେବା ପରେ ସେଠାରେ ଭକ୍ତମାନଙ୍କର ଗହଳି ଲାଗିଲା। ଯେଉଁଠି ଏତେ ସଂଖ୍ୟାରେ ଭକ୍ତ ପହଞ୍ଚିବେ ସେଠି ପବିତ୍ର ଭାବନା ବା ଅପବିତ୍ର ଭାଣ୍ଡାମି କେମିତି ନ ପହଞ୍ଚିବ? କ୍ୟାମେରାବାଲାଏ ଜୁମ ମାରି ଦେଖିଲେ ଗଛ ଉପରେ ଗୋଟିଏ ପେଚା! ଅଶୁଭ ଅଶୁଭ କହି ହୁରି ଡାକିଲେ।

 

ପଣ୍ଡିତେ କହିଲେ - ନୋ ନୋ। ନିପାତନ ସିଦ୍ଧ ପ୍ରମାଣାନୁସାରେ ଏହା ଅତୀବ ଶୁଭ ସଙ୍କେତ ଅଟଇ। ଅଭିଯୋଗ ଶୁଣାଯାଉଥିଲା ଯେ ଆଗରୁ ଦାରୁ ନିର୍ଦ୍ଧାରଣ ପାଇଁ ଫିକ୍ସିଂ ସରିଥିଲା। ସାରୁ ଭିତରେ ମାରୁ - ତା’ ଭିତରେ ପେଚା ଥିବ, କିଏ ଜାଣିଥିଲା!

 

ଲୋକେ ପଚାରିଲେ, ଏ ବୃକ୍ଷ ଦାରୁ କେମନ୍ତ ହେବ? ଆମ ବିଶ୍ବାସ ନିଆରା। ପେଚା ଘର ଚାଳରେ ବସିଲେ ମାଲିକ ମରେ। ତା’ ରାବ ଶୁଣିଲେ ନାନା ଅଘଟନ ଆଗକୁ ଥାଏ। ଏମିତି କରନି। ନହେଲେ, ଠାକୁର ପେଚା ହୋଇ ଉଡ଼ିଯିବେ ଓ ପେଚା ବସିଥିବ ସିଂହାସନରେ!

 

ସଭା ପଣ୍ଡିତେ ବୁଝେଇଦେଲେ, ନା। ସେମିତି କିଛି ନୁହେଁ। ସେ ପରା ଲକ୍ଷ୍ମୀଙ୍କ ବାହନ! ସ୍ବାମୀଙ୍କି ଜଗିଛି।

 

ଏପରି ସ୍ୱାମୀ-ଭକ୍ତି ସତୀଦାହ ପ୍ରଥା ଚଳୁ‌୍‍ଥିବା ବେଳଠୁଁ ବି ଗହଳିଆ ଲାଗୁଥିଲା।

 

ସତକୁ ସତ ଦେଖାଗଲା ଯେ ଗଛ ମୂଳେ ପନ୍ଦର ଦିନ ଧରି ଯାବତ ଗହଳି ଚହଳି, ହୋମ ଯଜ୍ଞ ନାମ ସଂକୀର୍ତ୍ତନ ଚାଲିଲେ ବି ପେଚା ମୋଟେ ହୁଙ୍କିଲାନି। ମହାଦାରୁ ଭୂମିରେ ନିପତିତ ହେଲେ। ତେବେ ବି ସେ ଯାକିଯୁକି ହୋଇ ବସିଥାଏ।

 

ଶେଷରେ ଦେଖିଲାବେଳକୁ କୋରଡ଼ରେ ଥିଲେ ତା’ର ଶାବକ ତିନୋଟି। ପେଚା ସେମାନଙ୍କୁ ଜଗି ବସିଥାଏ।

 

‘ହାପ୍ପି ମଦର’ସ ଡେ’ (୧୦ ମଇ, ୨୦୧୫) ଦିନ ସେମାନେ ଗଲେ ନନ୍ଦନକାନନ ଓ ‘ସ୍ବାମୀ’ ଦାରୁ କଟା ହୋଇ ପୁରୀ ରମାନା ହେଲେ।

 

ଅବସ୍ଥାକୁ ଅଭିଶାପ ଦେବା ସାହସର କାମ ନୁହେଁ। ହେଲେ ପାପ-ପୁଣ୍ୟ ଚିନ୍ତା ମଣିଷ ମନରେ ସେତିକିବେଳେ ପଶେ ଯେତେବେଳେ ସେ ବିପତ୍ତି ହାବୁଡେ଼।

ଆମେ କିଛି ‘ପାପ’ କରିଛୁ କି ନା - ସେକଥା ସରକାର ‘ଭାବିବେ’, ଏପରି ବିଶ୍ବାସ କେବଳ ଓଲୁମାନେ ହିଁ କରି ପାରନ୍ତି!

 

କେବଳ ଏଠି ନୁହେଁ ସାରା ବିଶ୍ବରେ, ଖାଲି ଗଣତନ୍ତ୍ର ନୁହେଁ ସବୁ ବ୍ୟବସ୍ଥାରେ ‘ସରକାର’ ଅର୍ଥ ହେଲା - ଶାସନ କରିବା। ଶୃଙ୍ଖଳାରେ ରଖି ଲୋକଙ୍କୁ ତଣ୍ଡିବା ଓ ଦଣ୍ଡିବାର ଅଖଣ୍ଡ ଅଧିକାର ହାତରେ ରଖିବା - ଦୟା କରିବା କି ବଦାନ୍ୟ ହେବା ପାଇଁ ନୁହେଁ। ସବୁ ଠିକଠାକ ଚଲେଇ ଲୋକଙ୍କ ଉଦ୍ଦେଶ୍ୟରେ ସେବା ବଦାନ୍ୟତା ଯଦି ଆଗକୁ ଚାଲେ, ସେତେବେଳେ ଆମ କହୁ - ରାମ ବଢ଼ିଆ ରାଜା ଥିଲେ, ଆମେ କରିବୁ ‘ରାମରାଜ୍ୟ’! ରାମଙ୍କ ରାଜୁତି କାଳରେ ହୁଏତ କିଛି ଟେରରିଜିମ ଥିଲା; ରିଜରଭେସନ ନଥିଲା।

 

ଯୁଗ ବଦଳିଛି, ବିଚାର ବଦଳିବ। ମାତ୍ର ‘ଦେବ-କୋପ’ ଅଛି କି ନା? ଏହାର ଉତ୍ତର ମିଳିବା ଅସମ୍ଭବ।

 

ଫେସବୁକରେ ଲକ୍ଷ୍ୟ କରିଛୁ ଯେ ଡକ୍ଟର ଶତପଥୀଙ୍କ ଏ ମନ୍ତବ୍ୟଟି ବହୁ ବନ୍ଧୁଙ୍କ ମନରେ ‘ପାପ’ ପୂରେଇଛି! ଉଣ୍ଡଳା ଚାଲିଚି, ‘ପାପ’ କିଏ କଲା? ମାନେ - ମୁଁ କରିନି! ସରକାର ଓ ସେବକ ମିଶି ଏ କାମ କଲେ। ଅଥଚ ମୁଁ ଭୋଗୁଚି ‘ଦେବ-କୋପ’!

 

ଏବାବଦରେ ଆମର ପବିତ୍ର ଧାର୍ମିକ ପ୍ରତିକ୍ରିୟା ହେଲା - ଭାଇ ତୁମେ ଦଣ୍ଡବତ ମାରିବାକୁ ଯାଇ ନଥିଲ? ସେତିକି ଆମର ‘ପାପ’। ଦାରୁକୁ ତିନି ପାଦ ପୁଷ୍କର ଲାଗିଛି। ୨୦୧୮ ଯାଏଁ ତିନି ବର୍ଷ ଘାଣ୍ଟିବ। ’୧୯ରେ ନିର୍ବାଚନ।

 

ସରକାରର ଦୋଷ ଥିଲା - ନବ କଳେବରର ଶୋଭା ପାଇଁ ସଂସ୍କାରକୁ ହତାଦର କରିବା। ରୁଲବୁକ ଥାଉ କି ନଥାଉ, ତା’ର ମାନିବା ଉଚିତ ଥିଲା ଯେ ଜଗନ୍ନାଥ ବିରାଜନ୍ତି ଓଡ଼ିଆ ସଂସ୍କାରରେ।

 

ଜାଦୁ ରଖି ଗଲୁ ନିବାରଣ ସମ୍ଭବ ନୁହେଁ। ଏ ଗ୍ରୀଷ୍ମତାପ ପାଇଁ ନବୀନ ସରକାର, କେନ୍ଦ୍ର ଦାୟୀ କି ଇନ୍ଦ୍ର ଦାୟୀ - କେହି କହି ପାରିବନି। ମାତ୍ର ଫେସବୁକରେ ଆମର ପୋଷ୍ଟିଂ ଥିଲା : ସବୁଜକୁ କାଟି ସଫା କରିଦେଲେ, ଖଣି ମଣି ପାଣି ବିକିଲେ ହେଳେ / ଦେବ ଆସନେ କି ଦାନବ ଚଢ଼ିଚି, ସାରା ଓଡ଼ିଶାଟା ହୁ’ ହୁ’ ଜଳେ।


ପ୍ରତିକ୍ରିୟା

Rudra prasanna Rath - Email: rudra8@yahoo.co.in - Posted on 2016-05-01 21:05:25

badhia lekha... Jay Ho..

ମହେନ୍ଦ୍ର ମିଶ୍ର - Email: mkmishra29@gmail.com - Posted on 2016-05-07 15:38:23

ଯେହେତୁ ମୁଁ ରବି କାନୁନ୍‌ଗୋଙ୍କ ଲେଖା ଓ ତାଙ୍କ ସହିତ ବ୍ୟକ୍ତିଗତଭାବେ ପରିଚିତ ଏବଂ ସୌଭାଗ୍ୟକୁ ସେ ବୟାନ କରିଥିବା ୨୦୧୫ ବର୍ଷର ସମ୍ପାଦକୀୟ ବାବଦରେ ଆମ ଦୁଇଜଣଙ୍କର ଆଲୋଚନା ବି ସରିଛି। ତେଣୁ ଏଠାରେ ଆଉ କଥାଟିଏ କହିବାକୁ ଚାହେଁ - ତାହା ହେଲା ଯେଉଁଦିନ ଭୁବନେଶ୍ୱରରେ ତାପମାତ୍ରା ୪୫.୭ ଡିଗ୍ରୀ ହେବା ଯୋଗୁଁ ଛୁଟି ଘୋଷଣା ହେଲା ସେହିଦିନ ବା ତାହା ବହୁ ପୁର୍ବରୁ ଓଡ଼ିଶାର ଅତିକମ୍‌ରେ ଦୁଇରୁ ଅଧିକ ସ୍ଥାନରେ ୪୫।୭ ଡିଗ୍ରୀ ତାମପାତ୍ରା ହୋଇଥିଲା ବା ହୋଇସାରିଥିଲା। କାହିଁ ସେଠାରେ ତ ଛୁଟି ଘୋଷଣା ପାଇଁ ରାଜ୍ୟ ସରକାର ବା ସେଠାକାର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହୋଇ ନଥିଲା। ତେବେ ସାରାରାଜ୍ୟରେ ତାପମାତ୍ରାର ପ୍ରଭାବ କ’ଣ କେବଳ ଭୁବନେଶ୍ୱରରେ ହେଲା ? ନାଁ ଭୁବନେଶ୍ୱରରେ ତାପମାତ୍ରା ହେଉଛି ସାରାରାଜ୍ୟର ମାପକାଠି ? ତାହା ମାଏ କହି ବା ଅସମ୍ଭବ , କାରଣ ଏହା ଅନରେବଲ୍‌ ସରକାର ଓ ସରକାଳୀ କଳର ଘୋଷଣା। କିନ୍ତୁ ଆମେ ଏତିକି କହିବୁ ହେ ଅନରେବଲ୍‌ମାନେ ଦୟାକରି ସବୁଜ ବଲକୁ ନଷ୍ଟ କରନାହିଁ, ଏବଂ ସମଗ୍ର ରାଜ୍ୟକୁ ଯଦି ସମ୍ଭବ ଗୋଟିଏ ମାପକାଠିରେ ମାପିବା ବ୍ୟବସ୍ଥା କର। ନବେତ୍‌ ସାଧାରଣ ଲୋକେ ଯେତେବେଳେ ପ୍ରବଳ ଥଣ୍ଡାରେ ମଧ୍ୟ ତାତିବେ ସେତେବେଳେ ଅବରେବଲ୍‌ ସରକାରଙ୍କ କ’ଣ ହେବ ତାହା ଆମେ କହିବା ଅସମ୍ଭବ।

Sonli - Email: sonali@gmail.com - Posted on 2016-05-10 13:14:10

Good article

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top