ଶ୍ରମିକ ହିତରେ ଦେଶର ହିତ

News Story - Posted on 2016-04-29

ଡ଼ଃ ପ୍ରଫୁଲ ଚନ୍ଦ୍ର ଘଡାଇ

ପୂର୍ବତନ ଅର୍ଥମନ୍ତ୍ରୀ, ଓଡ଼ିଶା

 

ଜୀବନ ଦେଇରେ ଢାଳିଲୁ ରକ୍ତ, ତୋଳିଲୁ ସଉଧ ମାଳା/ ଆମରି ଲାଗିରେ ଶାସନ ଶକ୍ତ ଆମେଇ ସର୍ବହରା।

 

ବାସ୍ତବିକ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକ ପରାଧୀନ ଭାରତ ବର୍ଷରେ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଚିନ୍ତନ ରଖିଥିଲେ ତାହା ଆଜି ବି ଜୀବନ୍ତ। ଶ୍ରମିକ ସବୁବେଳେ ଅନ୍ୟର ଉନ୍ନତି ପାଇଁ ଶ୍ରମ ଦିଏ, ପର ମୁହଁରେ ହସର ଜୁଆର ଫୁଟାଏ। ମାତ୍ର ନିଜେ ସର୍ବହରାର ସଂଜ୍ଞା ନେଇ ବଞ୍ଚିବାକୁ ବାଧ୍ୟ ହୁଏ। ମଣିଷକୁ ଆହାର ଦେବାଠାରୁ ଆରମ୍ଭ କରି ସଂସ୍କାର କରିବା ପର୍ଯ୍ୟ୍ୟନ୍ତ ସବୁ କାର୍ଯ୍ୟକୁ ବିନା ଦ୍ବିଧାରେ ମୁଣ୍ଡାଇ ଥାଏ ଶ୍ରମିକ। କିନ୍ତୁ ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଆବଶ୍ୟକ ମଜୁରୀ/ ଦରମା ସେ ପାଏ ନାହିଁ। ଭଲ ଖାଇବା, ଭଲ ପିନ୍ଧିବା କିମ୍ବା ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ଏସବୁ ଗୋଟିଏ ଶ୍ରମିକ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ। ଅଧିକାରୀ କିମ୍ବା ଯନ୍ତ୍ରୀ ନିଦ୍ଦେର୍ଶ ଦିଅନ୍ତି, ମାତ୍ର ତାକୁ ସଫଳତାର ସହ କାର୍ଯ୍ୟକାରୀ କରେ ଜଣେ ଶ୍ରମିକ। କିନ୍ତୁ ଅଧିକାରୀ/ ଯନ୍ତ୍ରୀ ପାଆନ୍ତି ଯଥେଷ୍ଟ ବାହାବା, ସମ୍ମାନ, ମୋଟା ଅଙ୍କର ଦରମା, ଅନ୍ୟାନ୍ୟ ଲୁଚାଛପା ଆର୍ଥିକ ଲାଭକଥା ନକହିବା ଭଲ। ମାତ୍ର ଶ୍ରମିକର ଭାଗ୍ୟରେ କ’ଣ ଲେଖାଥାଏ?

 

ଅତି ବେଶିରେ ସାଧାରଣ ସର୍ବନିମ୍ନ ମଜୁରୀ, ତାହା ପୁଣି ନିର୍ଦ୍ଧାରିତ ହୁଏ ପାଞ୍ଚ ସାତ ବର୍ଷରେ ଥରେ। ପାଞ୍ଚ, ସାତବର୍ଷର ଦରଦାମ ବୃଦ୍ଧିର ଛାଟ ସେଇ ପୁରୁଣା ସର୍ବନିମ୍ନ ମଜୁରୀ ଉପରେ ହିଁ ପ୍ରହାର ହୁଏ। ଶ୍ରମିକକୁ କଠିନ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରାଯାଏ, ଏପରିକି ମୃତ୍ୟୁର ଗହ୍ବରକୁ ଠେଲି ଦେଇ କାର୍ଯ୍ୟ ହାସଲ କରାଯାଏ। ଅପର ପକ୍ଷରେ ତା’ର ହୃଦୟର ଭାଷା, ପାରିବାରିକ ଯନ୍ତ୍ରଣା, ସାମଜିକ ସ୍ଥିତିକୁ ବୁଝିବା ପାଇଁ କାହା ପାଖରେ ସମୟ ନଥାଏ। ବଡ଼ ବଡ଼ କୋଠା, ସୁନ୍ଦର ସହର ଗଢ଼ା ହୁଏ ଶ୍ରମିକ ହାତରେ, କିନ୍ତୁ ଶ୍ରମିକର ସ୍ଥାନଥାଏ ଝୁମ୍ପୁଡ଼ିରେ। କଳ କାରଖାନା, ଖଣି ଖାଦାନ ତିଆରି କରେ ଶ୍ରମିକ। ହେଲେ ନିଜର ସ୍ବେଦ, ରକ୍ତ ଦେଇ ଦରକାର ପଡ଼ିଲେ ଯାନ୍ତ୍ରିକ ରାକ୍ଷସ ମୁହଁରେ ଜୀବନକୁ ଆହୂତି ଦେଇ କେତେବେଳେ ଜୀବନ ଯଜ୍ଞରେ ପାଉଁଶ ପାଲଟି ଯାଏ ତାହା ସେ ଜାଣିପାରେନା। ପରବର୍ତ୍ତୀ ଅବସ୍ଥାରେ ତା’ ପରିବାର ଆକାଶରେ ଦୁଃଖର ବାଦଲ ମାଡ଼ିଆସେ, ଦାରିଦ୍ର୍ୟର ବଜ୍ରାଘାତରେ ସମଗ୍ର ପରିବାର ହୁଏ ଧ୍ବସ୍ତ ବିଧ୍ବସ୍ତ। କିନ୍ତୁ କେହି କ’ଣ ଶ୍ରମିକଟିଏ ପାଇଁ ସଞ୍ଜିବନୀ ନେଇ ଆସିଥାଏ? ନାଁ! ପୁଞ୍ଜିପତିର ଭୋକ, ଶ୍ରମିକର ଦୁଃଖ ଏ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଏ। କାରଣ ପୁଞ୍ଜିପତିର ଭୋକ କେବେ ମେଣ୍ଟେନା କି ଶ୍ରମିକର ଦୁଃଖ କେବେ ସରେନା!

 

ଦୁନିଆଁରେ ଯେତେ କର୍ମଜୀବୀ ଅଛନ୍ତି ସବୁଠାରୁ ଶ୍ରମିକ ଗୋଷ୍ଠୀ ବୃହତ୍ତ ଶ୍ରମଶକ୍ତି ହିଁ ସକଳ କାର୍ଯ୍ୟର ମୂଳାଧାର। ପୃଥିବୀରେ ଏମିତି କିଛି ସଂସ୍ଥା ନାହିଁ ଯେଉଁଠି ବିନା ଶ୍ରମିକରେ କାର୍ଯ୍ୟ ହୋଇପାରିବ। ତେଣୁ ସବୁଠି, ସବୁ ଜାଗାରେ ଶ୍ରମିକର ଉପସ୍ଥିତି ଜାହିର ଅଛି। ପୃଥିବୀର ଦ୍ବିତୀୟ ରାଷ୍ଟ୍ର ଭାବରେ ଭାରତରେ ପ୍ରାୟ ପଚାଶ କୋଟି ଲୋକ ଶ୍ରମିକ ଭାବରେ କାମ କରନ୍ତି। ସେଥିମଧ୍ୟରୁ ପାଖାପାଖି ୩ କୋଟି ଶ୍ରମିକ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା, କମ୍ପାନୀ ଏବଂ ସରକାରୀ ଉଦ୍ୟୋଗ ପରି ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ମାତ୍ର ୪୭ କୋଟି ଲୋକ କୃଷି, କ୍ଷୁଦ୍ର ଶିଳ୍ପ, ଛୋଟ ଦୋକାନ, ଇଟାଭାଟି, ମାଟି ପଥର ଖାଦାନ, ଗୃହ ନିର୍ମାଣ ପରି ଅସଂଗଠିତ କ୍ଷେତ୍ରରେ କାମ କରନ୍ତି ଯେଉଁମାନଙ୍କ ପାଇଁ କୌଣସି ସରକାରୀ ଆଇନ, ଖାତା ଖତିୟାନ ଲାଗୁହୁଏ ନାହିଁ। କାମ ମଧ୍ୟ ଠିକ ସମୟରେ ଓ ସବୁଦିନ ମିଳେ ନାହିଁ। ମାଲିକର ମର୍ଜି ଓ ମନମାନୀ ଉପରେ ସେହି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୁଏ।

 

ଅପର ପକ୍ଷରେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ନିଯୁକ୍ତିର ସ୍ଥାୟିତ୍ୱ ଉପରେ ସବୁବେଳେ ପ୍ରଶ୍ନବାଚୀ ଲାଗି ରହିଥାଏ। ସାଧାରଣ ସର୍ବନିମ୍ନ ମଜୁରୀ ଆଳରେ ସମାନ କାମ କରୁଥିବା ସ୍ଥାୟୀ ଚାକିରିଆ ତୁଳନାରେ ଶ୍ରମିକମାନଙ୍କୁ ଅତି ନଗଣ୍ୟ ଦରମା ମିଳେ। ଏହା ଉପରେ ପ୍ରତିବାଦ କରିବାର ଚାରା ନଥାଏ। ଯେହେତୁ ଚାକିରିର ସ୍ଥାୟିତ୍ୱ ନଥାଏ ତେଣୁ ସରକାରଙ୍କ ସର୍ବନିମ୍ନ ମଜୁରୀକୁ ଗ୍ରହଣ କରିବା ପାଇଁ ଶ୍ରମିକଟିଏ ବାଧ୍ୟ ହୋଇଥାଏ। ଭାରତରେ ରେଗୁଲାର ଏମ୍ପ୍ଲୟମେଣ୍ଟ ପ୍ରୋଜେକ୍ସନ ସ୍ଥିତି ସେତେ ଭଲ ନୁହେଁ। ପୃଥିବୀରେ ସିଙ୍ଗାପୁର ରେଗୁଲାର ଏମ୍ପ୍ଲମେଣ୍ଟ ପ୍ରୋଟେକ୍ସନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଏ କ୍ଷେତ୍ରରେ ଭାରତର ସ୍ଥାନ ୬୯। ଏଭଳି ସ୍ଥଳେ ଜଣେ ସାଧାରଣ ଶ୍ରମିକ ମାଲିକଠାରୁ ଭଲ ଦରମା କିମ୍ବା ଆନୁଷଙ୍ଗିକ ଲାଭ ଆଶା କରିବା ବୃଥା। ଶ୍ରମିକ ମାନଙ୍କର ସ୍ବାର୍ଥରକ୍ଷା ପାଇଁ ଶ୍ରମିକ ସଂଗଠନମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ୨୦୧୦ ମସିହାରେ ଭାରତରେ ହୋଇଥିବା ସର୍ଭେ ଅନୁସାରେ ମୋଟ ଶ୍ରମଶକ୍ତିର ମାତ୍ର ଦୁଇଭାଗ ଅର୍ଥାତ ଏକ କୋଟି ଲୋକ ଶ୍ରମିକ ସଙ୍ଗଠନ ସହ ଜଡ଼ିତ। ଏ ପରିପ୍ରେକ୍ଷୀରେ ଶ୍ରମିକ ଗୋଷ୍ଠୀ ପାଇଁ କି ପ୍ରକାର ଲାଭ ଆଶା କରାଯାଇ ପାରିବ ଯେଉଁଠି ୯୮ ଭାଗ ଲୋକ ଅସଂଗଠିତ।

 

ଭାରତ ବର୍ଷର ଅଧିକାଂଶ ଶ୍ରମ ଆଇନ ଯେପରିକି - Workmen Compensation Act 1923, Trade Union Act 1926, Payment of Wages Act 1936, Industrial Employment Act, 1946, Industrial Dispute Act, 1947, ସବୁ ପରାଧୀନ ଭାରତବର୍ଷର ବ୍ରିଟିଶ ଶାସକମାନଙ୍କ ଦ୍ବାରା ପ୍ରଣୀତ ଆଇନ। ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକାରୀ ହୋଇଥିବା Minimum Wages Act, 1948ର ଅଧିକାଂଶ କାର୍ଯ୍ୟ ସେଇ ବ୍ରିଟିଶ ଶାସନ ସମୟରେ ହିଁ ନିର୍ଦ୍ଧାରିତ ହୋଇଥିଲା। ଏହି ସବୁ ଆଇନ ତିଆରି ବେଳେ ପ୍ରଣେତାମାନଙ୍କର ଆଜିକାର ଜଗତୀକରଣ, ଉଦାରୀକରଣ କିମ୍ବା ଘରୋଇକରଣ ବିଷୟରେ ସର୍ବନିମ୍ନ ଧାରଣା ଓ ଜ୍ଞାନ ନଥିଲା ବରଂ ବିଦେଶୀ ବ୍ରିଟିଶ ଶାସକଙ୍କର ଥିଲା ପୁଞ୍ଜିପତି ବ୍ୟବସାୟୀମାନଙ୍କ ପ୍ରତି ଅହେତୁକ ଅନୁକମ୍ପା। ତେଣୁ ଏପରି ପୁରାତନ ଓ ଦନ୍ତହୀନ ଆଇନ ଆଜିକା ଯୁଗରେ ଶ୍ରମିକମାନଙ୍କ ସ୍ବାର୍ଥ ସୁରକ୍ଷା କରିବ କେମିତି?

 

ବର୍ତ୍ତମାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପୁରୁଣା ଶ୍ରମ ଆଇନଗୁଡ଼ିକୁ ସଂଶୋଧନ କରିବା ପାଇଁ ଜାତୀୟ ସ୍ତରରେ କାମ କରୁଥିବା ଶ୍ରମିକ ସଂଗଠନମାନେ ଯଥାର୍ଥରେ ଦାବି କରି ଆସୁଛନ୍ତି। ଆନ୍ଦୋଳନ ଜରିଆରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ସରକାର ପରେ ସରକାର ବଦଳୁଛି କିନ୍ତୁ ଏଥିପ୍ରତି କାହାର ଧ୍ୟାନ ନାହିଁ। ସବକା ସାଥ ସବକା ବିକାଶ ନାରା ଦେଇ ଆସିଥିବା କେନ୍ଦ୍ର ବିଜେପି ସରକାର Payment of Bonus Act, 1965 ରେ କିଛି ସଂଶୋଧନ ଆଣିଛନ୍ତି। ମାତ୍ର ଦନ୍ତହୀନ Industrial Dispute Act, 1947 ର ସଂଶୋଧନ ଅତି ଆବଶ୍ୟକ। କାରଣ ଶ୍ରମିକ ମାଲିକ ଭିତରେ ବିବାଦ ଉପୁଜିଲେ ଲେବର ଅଫିସରମାନେ ମଧ୍ୟସ୍ଥତା କରନ୍ତି ସମାଧାନ ବାଟ ବାହାର କରିବା ପାଇଁ। ମାତ୍ର ଅନେକ କ୍ଷେତ୍ରରେ ଦେଖାଯାଏ ମାଲିକମାନେ ଶ୍ରମ ଅଧିକାରୀମାନଙ୍କ ହସ୍ତକ୍ଷେପକୁ ବେଖାତିର କରି tripatite concilliation ଟେବୁଲକୁ ଆସନ୍ତି ନାହିଁ ବା ଜଣେ ତଳସ୍ତରର କର୍ମଚାରୀଙ୍କୁ ପ୍ରତିନିଧି ଭାବରେ ପଠାଇ ଦିଅନ୍ତି ଯାହାର କିଛି ନିଷ୍ପତ୍ତି ନେବାର କ୍ଷମତା ନଥାଏ। ଏ କ୍ଷେତ୍ରରେ ସଂଶୋଧିତ ଆଇନରେ concillation ପାଇଁ ମାଲିକ ବା ମାଲିକଙ୍କ ପ୍ରତିନିଧି ଯୋଗଦାନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବା ଉଚିତ ଏବଂ  concillation ହୋଇଥିବା ବିଷୟଗୁଡ଼ିକ ପାଳନ କରିବା ପାଇଁ ଯଦି ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତେ, ତେବେ ଯାଇ ଶ୍ରମ ଅଧିକାରୀମାନଙ୍କ ମଧ୍ୟସ୍ଥତା ଫଳପ୍ରଦ ହୁଅନ୍ତା। ଆଜିର ପ୍ରଶାସନିକ ବ୍ୟବସ୍ଥାରେ ପୁ‌୍‍ଞ୍ଜିପତିମାନଙ୍କ ଚାପରେ ଶ୍ରମିକ ତା’ର ନ୍ୟାଯ୍ୟ ଅଧିକାର ପାଇପାରୁନାହିଁ। ଗଳା ବାଟରେ ସମସ୍ତେ ପୁଞ୍ଜିପତିଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ। Industrial Dispute Act ଟି ୧୦୦ରୁ ଅଧିକ ଶ୍ରମିକ ଥିବା ସଂସ୍ଥାରେ ଲାଗୁ ହେଉଛି। ଫଳରେ ଏମଏସଏମଇ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ନୂତନ ଆଇନ ପ୍ରଣୟନ କରିବା ଉଚିତ, ଯାହା ଫଳରେ ଜଣେ ଶ୍ରମିକ ଅଧିକ ସୁରକ୍ଷିତ ଏବଂ ପୁରସ୍କୃତ ନିଯୁକ୍ତି ପାଇପାରିବ, ଭଲ ମଜୁରୀ / ଦରମା, ଅଗଣତାନ୍ତ୍ରିକ ଛଟେଇ ଉପରେ ଅଧିକାର, କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁବରଣ କରୁଥିବା ଶ୍ରମିକ ପାଇଁ ସ୍ଥାୟୀ କର୍ମଚାରୀଙ୍କ ଭଳି କ୍ଷତିପୂରଣ ବ୍ୟବସ୍ଥା, ସାମାଜିକ ସୁରକ୍ଷା, ଅବସରକାଳୀନ ଲାଭ, ସୁରକ୍ଷିତ କର୍ମସ୍ଥଳ ଏବଂ ଶ୍ରମିକମାନଙ୍କ ଦକ୍ଷତା ବିକାଶ ବ୍ୟବସ୍ଥା ନିଶ୍ଚିତ ହୋଇପାରିବ।

 

ଅପର ପକ୍ଷରେ ଜଣେ ଶ୍ରମିକ ଉପରେ ଦରଦାମର ବୋଝ ଏବଂ ପାରିବାରିକ ଖର୍ଚ୍ଚ ବଢ଼ିବାରେ ଲାଗିଛି। ତେଣୁ କେନ୍ଦ୍ର ସରକାର ଅତି କମରେ ପାଞ୍ଚ ବର୍ଷରେ ଥରେ ସର୍ବନିମ୍ନ ମଜୁରୀ ବଢ଼ାଇବା ଉଚିତ। ମାତ୍ର କେନ୍ଦ୍ର ସରକାର ଏ କ୍ଷେତ୍ରରେ ଦାରୁଭୂତ ମୁରାରୀ ସାଜୁଛନ୍ତି। ଇତି ମଧ୍ୟରେ ୭ ବର୍ଷ ପାର ହୋଇ ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ସିଡ୍ୟୁଲ୍ଡ ଏମ୍ପ୍ଲୟମେଣ୍ଟରେ ଥିବା କ୍ରୋମାଇଟ, ଜିପସମ, ବକ୍ସାଇଟ ଏବଂ ଲୁହା ପଥର ପ୍ରଭୃତି ଖଣି ଓ ଅନ୍ୟାନ୍ୟ ସଂସ୍ଥାରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରୁ ନାହାନ୍ତି। ଏଥିପାଇଁ ଏଇ ଲେଖକ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶ୍ରମମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ ଓ ସାଂସଦମାନଙ୍କ ପାଖକୁ ଅନେକ ଥର ପତ୍ର ଲେଖିଛି। ଏବେ ନିକଟ ଅତୀତରେ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କାକୁ ୫୮ ବର୍ଷ ପୂର୍ବରୁ ଉଠାଇ ନପାରିବା ପାଇଁ କେନ୍ଦ୍ର ସରକାର କଟକଣା ଜାରୀ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରବଳ ଶ୍ରମିକ ଅଶାନ୍ତି ଦେଖାଦେବାରୁ ତାହାକୁ ପ୍ରତ୍ୟାହାର କରିଛନ୍ତି। ସରକାର ସବୁବେଳେ ପୁଞ୍ଜିପତିମାନଙ୍କ ସ୍ବାର୍ଥ ଅପେକ୍ଷା ଶ୍ରମିକମାନଙ୍କ ହିତ ସାଧନ କଥା ଚିନ୍ତା କରିବା ଦରକାର। ଶ୍ରମ ଆଇନରେ ସଂଶୋଧନ ଆଣିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟାଳୟମାନଙ୍କରେ ଅଧିକ କର୍ମଚାରୀ ନିଯୁକ୍ତି କରିବା ଉଚିତ।

 

ସର୍ବ ଶେଷରେ ଏତିକି କୁହାଯାଇ ପାରିବ, ସରକାର ଶ୍ରମେବ ଜୟତେ ନାରାକୁ ସ୍ଲୋଗାନରେ ନରଖି କାର୍ଯ୍ୟକ୍ଷେତ୍ରରେ ପରିଣତ କରନ୍ତୁ ଏବଂ ଅଧିକରୁ ଅଧିକ ଅସଂଗଠିତ ଶ୍ରମିକମାନଙ୍କୁ ସଂଗଠିତ କରି ଶ୍ରମ ଆଇନର ଲାଭ ପ୍ରଦାନ ବ୍ୟବସ୍ଥା କରନ୍ତୁ। କାରଣ ଶ୍ରମିକ ହିଁ ଏକ ଜାତୀର ମେରୁଦଣ୍ଡ ଯାହାକୁ କେବେହେଲେ ଅବହେଳା ଓ ଦୁର୍ବଳ କରିବା ଉଚିତ ନୁହେଁ।

ପ୍ଲଟ ନଂ-୪୫୧, ନୟାପଲ୍ଲୀ, ଭୁବନେଶ୍ବର-୧୨, ମୋ : ୯୪୩୭୦୨୭୨୨୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top