ବିଦ୍ୟୁତ ସଂସ୍କାର ସତରେ ସକାରାତ୍ମକ?

News Story - Posted on 2016-04-23

ବିମଳ ପ୍ରସାଦ

 

ଏପ୍ରିଲ ୨୦ ତାରିଖ, ୨୦୧୬ ବୁଧବାର ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ କୃଷ୍ଣଚନ୍ଦ୍ର ବଡ଼ୁଙ୍କ ‘ବିଦ୍ୟୁତ ସଂସ୍କାରର ସକାରାତ୍ମକ ଦିଗ’ ପ୍ରକାଶ ପାଇଛି। ଅର୍ଥବିଭାଗର ଅବସରପ୍ରାପ୍ତ ସ୍ବତନ୍ତ୍ର ଶାସନସଚିବ ଓ ବିଦ୍ୟୁତ ନିୟାମକ ଆୟୋଗର ପୂର୍ବତନ ସଦସ୍ୟ ରୂପେ ପରିଚୟ ଦେଇଥିବା ଲେଖକଙ୍କ ବିଚାର କେତେ ଅଦୂରଦର୍ଶୀ ଓ ଅପରିପକ୍ବ, ତାହା ହିଁ ଏଠାରେ ଆଲୋଚନା କରାଯାଇଛି।

 

ସେହି ନିବନ୍ଧରେ ରହିଛି ସମୁଦାୟ ୧୦ଟି ଅନୁଛେଦ। ପ୍ରତି ଅନୁଛେଦରେ କେତେ ପରିମାଣରେ ବିକାରାତ୍ମକ ଦିଗର ଛାପ ଛାଡ଼ିଛନ୍ତି ସଂପୃକ୍ତ ଲେଖକ, ତାହା ଏଠାରେ ଆମ୍ଭେ ବର୍ଣନା କରିଛୁ।

 

ଅନୁଚ୍ଛେଦ-୧: ସେ ଲେଖିଛନ୍ତି, ...ବିଜୁଳି ଦରବୃଦ୍ଧି କଥା ଉଠିଲେ, ଏ କ୍ଷେତ୍ରରେ ଆସିଥିବା ସଂସ୍କାରକୁ ନେଇ ତର୍କବିତର୍କ ଚାଲେ।

 

ଏକ ଗାଣତନ୍ତ୍ରିକ ରାଷ୍ଟ୍ରରେ ତର୍କବିତର୍କ ହେବ ନାହିଁ ତ କ’ଣ ଏକ କମ୍ୟୁନିଷ୍ଟ ଶାସିତ ରାଷ୍ଟ୍ରରେ ତର୍କବିତର୍କ ହେବ? ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ମହାସଂଘ ନାମରେ ରାଜ୍ୟର ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଦଳମାନେ ବ୍ୟକ୍ତିସ୍ବାର୍ଥ ଠାରୁ ଉପରେ ରହି ଏକଜୁଟ ହେବା ଏବଂ ତଥ୍ୟ ପ୍ରମାଣ ସହ ଏଭଳି ସ୍ତମ୍ଭରେ ଯାହା ଯାହା ଲେଖିଛନ୍ତି, ସେଗୁଡ଼ିକୁ ପୂର୍ବତନ ସଦସ୍ୟ ମହାଶୟ ସମ୍ଭବତଃ ଆଦୌ ପଢ଼ିନାହାନ୍ତି; ଅଥବା ପଢ଼ିବାକୁ ତାଙ୍କ ଅହଂ ଅନୁମତି ଦେଇନାହିଁ। ଅଧିକ ମନ୍ତବ୍ୟ ନଦେଇ ଏତିକି କୁହାଯିବା ଉଚିତ ଯେ ସେହି ଲେଖକ ଗଣତନ୍ତ୍ରକୁ ସମ୍ମାନ ଦେବା ଶିଖି ନାହାନ୍ତି।

 

ଅନୁଚ୍ଛେଦ-୨: ପୂର୍ବତନ ସଦସ୍ୟ ମହାଶୟ ୧୯୭୦ ମସିହା ସହ ୩୧ ମାର୍ଚ ୨୦୧୫ର ବିଦ୍ୟୁତ ଗ୍ରାହକ ସଂଖ୍ୟାକୁ ତୁଳନା କରିଛନ୍ତି। ଗ୍ରାହକ ସଂଖ୍ୟା ୧.୭୦ ଲକ୍ଷରୁ ୫୫ ଲକ୍ଷ ହୋଇଥିବା ବେଳେ ୩୧ ମାର୍ଚ ୨୦୧୬ ସୁଦ୍ଧା ଗ୍ରାହକ ସଂଖ୍ୟା ୬୭ ଲକ୍ଷରୁ ଅଧିକ ହେବ ବୋଲି କଳନା କରିଛନ୍ତି।

 

ଏଥିରୁ ଅନୁମିତ ହେଉଛି ଯେ ସେ ବିଦ୍ୟୁତ ଉତ୍ପାଦକ ଓ ବିଦ୍ୟୁତ ବିତରକମାନଙ୍କ ପ୍ରତି ବେଷ୍ ଦରଦୀ ଅଛନ୍ତି। ଯାହାକି ଜଣେ ଉତ୍ତରଦାୟୀ ପ୍ରଶାସକ ତଥା ନିୟାମକ ସଦସ୍ୟଙ୍କର ଏକ ଅଶୋଭନୀୟ ଆଚରଣ। ବିଦ୍ୟୁତ ଗ୍ରାହକ ସଂଖ୍ୟା ବଢ଼ିବା ଅନୁସାରେ ଯୋଜନା ହୋଇଥାଏ, ବଜେଟ ହୋଇଥାଏ, ନିବେଶ ହେବା ସହ ବର୍ଦ୍ଧିଷ୍ଣୁ ବିଦ୍ୟୁତ ଉତ୍ପାଦନକୁ ସୁନିଶ୍ଚିତ କରାଯାଇଥାଏ। ଯଦି ଏହା ହୋଇପାରି ନାହିଁ, ସେଥିପାଇଁ ବଜେଟକୁ ଦାୟୀ କରାଯାଇପାରିବ। ମଜା କଥା ହେଉଛି ବଜେଟ୍ ଓ ଯୋଜନାକୁ ତର୍ଜମା କରେ ଅର୍ଥ ବିଭାଗ। ସେ ନିଜେ ଅର୍ଥ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ପରିଚୟ ଦେଇ ନିଜର ଦୁର୍ବଳତାକୁ ପଦାରେ ପକାଇଛନ୍ତି। ଏହା ପ୍ରତି ହୁଏତ ସେ ଆଦୌ ସଚେତନ ନାହାନ୍ତି।

 

ଅନୁଚ୍ଛେଦ-୩: ସେ ଲେଖିଛନ୍ତି, ‘...ଯେଉଁ ସମୟରେ ଅଧିକ ବିଦ୍ୟୁତ ବ୍ୟବହାର କରାଯାଏ ସେହି ସମୟରେ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ୧୯୯୧-୯୨ ମସିହାରେ ୨୪% ଥିଲା ବେଳେ ୧୯୯୩-୯୪ ମସିହାରେ ଏହା ୩୭%ରେ ପହଞ୍ଚିଥିଲା।

 

ଏକଥା ସେ ସଚିବ ଥିବା ବେଳେ ଜାଣିଥିଲେ କି ସଦସ୍ୟ ହେବା ପରେ ଶିଖିଲେ? ଏହି ପ୍ରଶ୍ନର ଉତ୍ତର ସେ ବ୍ୟକ୍ତ କରି ନାହାନ୍ତି। ନିଜର ଅସ୍ପଷ୍ଟ ଅଭିବ୍ୟକ୍ତି ଜରିଆରେ ଏକ ଲୋକପ୍ରିୟ ସମ୍ବାଦପତ୍ରରେ ଲେଖା ବାହାର କରି ସେ କ’ଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି, ତାହା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ। ଅନୁଚ୍ଛେଦ ୨ର ମନ୍ତବ୍ୟଗୁଡ଼ିକ ମଧ୍ୟ ଏହି ଅନୁଛେଦ ପ୍ରତି ପ୍ରଯୁଜ୍ୟ। ଚର୍ଚିତ ଅନୁଚ୍ଛେଦାଂଶର ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଲେ, ପ୍ରଶ୍ନ ଆସୁଛି ଯେ ସେହି ଅନୁସାରେ କ’ଣ ସରକାର ଯୋଜନା ଓ ବଜେଟ୍ କରିନଥିଲେ? ନୂତନ ଜ୍ଞାନକୌଶଳ ପ୍ରୟୋଗର ପରିକଳ୍ପନା କରି ନଥିଲେ? ବିଦ୍ୟୁତ ସଂଚୟ ପାଇଁ ଚୀନରୁ ଆସିଥିବା ସିଏଫଏଲ ଜ୍ଞାନକୌଶଳ ଓ ପରବର୍ତ୍ତୀ ସମୟରେ ଆସିଥିବା ଏଲଇଡି ଜ୍ଞାନକୌଶଳକୁ ତୁରନ୍ତ ଅନୁସରଣ କରିବା ପାଇଁ ପୂର୍ବତନ ସଦସ୍ୟ ମହାଶୟ ବିଆଇଏସ ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡକୁ ବା କେନ୍ଦ୍ର ସରକାରଙ୍କୁ କୌଣସି ସ୍ମାରକପତ୍ର ଦେଇଥିଲେ କି? କେତେ ମସିହାରେ ଭାରତରେ ସିଏଫଏଲ ଓ ଏଲଇଡି ବତୀ ମାନକ ସାମଗ୍ରୀ ରୂପେ ବିବେଚିତ ହେଲା ଜାଣନ୍ତି କି? ଛାଡ଼ନ୍ତୁ ଆଉ ଗଭୀରକୁ ଯିବା ନାହିଁ।

 

ଅନୁଚ୍ଛେଦ-୪: ସେ ଲେଖିଛନ୍ତି, ଘରୋଇକରଣ ହେଲା ପରେ ସାମଗ୍ରିକ ଯାନ୍ତ୍ରିକ ଓ ବ୍ୟାବସାୟିକ କ୍ଷତି କମିଛି।

 

ଏହା ତ ଅତ୍ୟନ୍ତ ଖୁସିର କଥା। ବିଦ୍ୟୁତ ଶୁଳ୍କବୃଦ୍ଧି ପାଇଁ ନିୟାମକ ଆୟୋଗ ଏତେ ବ୍ୟାକୁଳ କାହିଁକି? ଏଭଳି ଛେନାରୁ ଚୋପାଛଡ଼ା ସମୀକ୍ଷା ସେତେବେଳେ କେହି କରି ନଥିଲେ ବୋଲି ଆଜି ରାଜ୍ୟ ବାହାରର ଏକ କମ୍ପାନୀ ଓଡ଼ିଶାକୁ ପଟିମାରି ଚାଲିଗଲା। ସେ କଥା ବି ସ୍ପଷ୍ଟ ଭାବରେ କହିବାକୁ ପୂର୍ବତନ ସଦସ୍ୟ ବୋଧହୁଏ ସାହସ କରି ନାହାନ୍ତି।

 

ଅନୁଚ୍ଛେଦ-୫: ଏଠାରେ ସେ ଅନୁଛେଦ ୩ ଓ ୪ର କଥାକୁ ଦୋହରାଇ ଘରୋଇକରଣ ସପକ୍ଷରେ ମତ ବାଢ଼ି ବିଦ୍ୟୁତ୍‌ ସଂସ୍କାର ଆଲୋଚନା ପ୍ରତି ଆଗ୍ରହ ଦେଖାଇଛନ୍ତି।

 

ଆମ୍ଭର ପ୍ରଶ୍ନ ହେଲା, ବିଦ୍ୟୁତ ସଂସ୍କାର ଓ ଘରୋଇକରଣ ନାମରେ କ’ଣ କେବଳ ଗୋଟିଏ କମ୍ପାନୀ ହାତରେ ରାଜ୍ୟର ସମସ୍ତ ବିତରଣ ଭାର ଟେକିଦେବାଟା ଏକ ବିଚକ୍ଷଣ ନିଷ୍ପତ୍ତି ଥିଲା? ଏ ସଂପର୍କରେ ପୂର୍ବତନ ସଦସ୍ୟଙ୍କ କଲମ ନିରବ ରହିଛି! ରାଜ୍ୟର ଗୋଟିଏ ସ୍ଵାର୍ଥ ବା ବିଷୟ ଉପରେ କାମ କରୁଥିବାରୁ ସଂପୃକ୍ତ କମ୍ପାନୀ ସହ ମଧୁର ସଂପର୍କ ହୋଇଥାଇପାରେ, ତେଣୁ ଅଧିକ କିଛି ମନ୍ତବ୍ୟ ଅନାବଶ୍ୟକ।

 

ଅନୁଚ୍ଛେଦ-୬: ଏହି ଅନୁଚ୍ଛେଦରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଉପରେ ମତାମତ ଦେଇ ସେ ଲେଖିଛନ୍ତି ଯେ ୨୦୦୧-୦୨ରୁ ୨୦୦୯-୧୦ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କରେ ହାରାହାରି କୌଣସି ବୃଦ୍ଧି ଘଟି ନାହିଁ।

 

ଏହି ମତାମତ ହିଁ ପୂର୍ବତନ ସଦସ୍ୟଙ୍କ ଚରମ ଅପରିପକ୍ବତାର ନମୁନା। କାରଣ ବିପୁଳ ପରିମାଣର ଗ୍ରାହକଙ୍କ ଉପରେ ଯଦି ୟୁନିଟ୍‌ ପିଛା ୨୫ ପଇସା ବଢ଼େ, ତେବେ ସର୍ବମୋଟ ରାଜସ୍ବ କେତେ ହଜାର କୋଟି ବଢ଼ିଯିବ, ତାହା ବୋଧହୁଏ ସେ ଅର୍ଥବିଭାଗର ଅଧିକାରୀ ଥିବା ବେଳେ ଆକଳନ କରି ପାରି ନାହାନ୍ତି। ପେଟ୍ରୋଲ୍ ଲିଟର ପିଛା ୭୬ ପଇସା ବଢ଼ିଲେ କ’ଣ ହେବ, ଟିକେ ହିସାବ କରି ଦେଖନ୍ତୁ। ଅନ୍ୟ ପକ୍ଷରେ ପ୍ରଥମ ୧୦୦ ୟୁନିଟ୍‌କୁ ୧ଟଙ୍କା, ଦ୍ଵିତୀୟ ୧୦୦ ୟୁନିଟକୁ ୨ ଟଙ୍କା ୫୦, ତୃତୀୟ ୧୦୦ ୟୁନିଟ୍‌କୁ ୪ ଟଙ୍କା ହିସାବରେ ଯେଉଁ ଦର ଧାର୍ଯ୍ୟ ହେଲା, ତାହାର ପରିଣତି ଉପରେ କିଛି ଲେଖିନାହାନ୍ତି। ସବୁଠୁ ବିସ୍ମୟକର କଥା ହେଲା, ଶୁଳ୍କ ଆଦାୟରେ ସ୍ଵଚ୍ଛତାର ଅଭାବ ଯେ ରାଜସ୍ବ ହାନିର ଏକ ବଡ଼ କାରଣ, ତାହା ସେ ଅବସରପ୍ରାପ୍ତ ହେବା ପରେ ମଧ୍ୟ ବୁଝିନାହାନ୍ତି। କାରଣ ଏ ପ୍ରସଙ୍ଗରେ ସେ ପଦେ ବି କେଉଁଠି ଲେଖିନାହାନ୍ତି।

 

ଅନୁଚ୍ଛେଦ-୭: ବିଦ୍ୟୁତ ଶୁଳ୍କ ବୃଦ୍ଧିର ମୁଖ୍ୟ କାରଣ ବିଷୟରେ ଏଠାରେ କିଛି ସତ ସୂଚନା ଦେବାକୁ ପ୍ରୟାସ କରିଛନ୍ତି। ଯାହାକି ସମଗ୍ର ନିବନ୍ଧର ମୂଳପିଣ୍ଡ ହେବା କଥା। କିନ୍ତୁ ଦେଖିଲେ ଅନୁଭବ କରି ହେଉଛି ଯେ ଏକ ବିଶାଳ ଲେଖାକୁ କଟାକଟି କରି ଛୋଟ କରିବାକୁ ଯାଇ ଲେଖାର ମୂଳପିଣ୍ଡ ପ୍ରତି ଧ୍ୟାନକେନ୍ଦ୍ରିତ କରାଯାଇପାରି ନାହିଁ। ୨୦୦୯-୧୦ରୁ ୨୦୧୬-୧୭ ପର୍ଯ୍ୟନ୍ତ ଗ୍ରୀଡ଼କୋର ରାଜସ୍ବ ନିଅଣ୍ଟର ଯେଉଁ ତାଲିକା ଦେଇଛନ୍ତି, ତାହା ହିଁ ଶାସନ ଓ ପ୍ରଶାସନ ତଥା ବିଦ୍ୟୁତ ନିୟାମକ ଆୟୋଗ ପାଇଁ ବଡ଼ ଆହ୍ବାନ। ତେବେ ରାଜସ୍ବ ନିଅଣ୍ଟର ସମାଧାନ କେବଳ ଶୁଳ୍ପ ବୃଦ୍ଧି ଏବଂ ବିଦ୍ୟୁତ ନିୟାମକ ଆୟୋଗର ଦାୟିତ୍ବ କେବଳ ବର୍ଦ୍ଧିଷ୍ଣୁ ଦର ନିର୍ଦ୍ଧାରଣ ନୁହେଁ - ଏହା ମଧ୍ୟ ପୂର୍ବତନ ସଦସ୍ୟ ଜାଣିବା ଦରକାର।

 

ଅନୁଚ୍ଛେଦ-୮: ଏହି ଅନୁଛେଦରେ ସେ ବିଦ୍ୟୁତ ନିୟାମକ ଆୟୋଗର କଳଙ୍କ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। ଯାହାର ଲୁଣ ଖାଇବ, ତାହାର ଗୁଣ ଗାଇବ- ଏହି ଓଡ଼ିଆ ଆପ୍ତବାକ୍ୟକୁ ସମ୍ମାନ ଦେଇ ମତାମତ ଦେଇଛନ୍ତି ଏବଂ ଇଲେକ୍ଟ୍ରିସିଟି ଅପିଲେଟ୍ ଟ୍ରିବ୍ୟୁନାଲର ରାୟ ଦୃଷ୍ଟିରୁ ଓଡ଼ିଶାର ବିଦ୍ୟୁତ ନିୟାମକ ଆଯୋଗ ବା ଓଇଆରସି ଏକ ମାନବ ଦରଦୀ ଆଯୋଗ ବୋଲି ସୂଚନା ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବୋଧହୁଏ ସେ ସଚେତନ ନୁହନ୍ତି ଯେ ଓଇଆରସି ଡାହାଣୀ ହୋଇ ଲାଗୁଥିଲା ଆଉ ଶେଷରେ ଗୁଣିଆ ହୋଇ ଝାଡ଼ିବାକୁ ଚେଷ୍ଟା କରି ଧରାପଡ଼ିଛି।

 

ଅନୁଚ୍ଛେଦ-୯: ସେ ଲେଖିଛନ୍ତି, ବିଜୁଳି ଦର ଓ ଗ୍ରାହକ ସଚେତନତା ଉପରେ ୧୩ଶ ଅର୍ଥ କମିଶନ ମଧ୍ୟ ସୁପାରିଶ କରିଛନ୍ତି ଯେ ନିୟମିତ ବିଦ୍ୟୁତ ଶୁଳ୍ପ ବୃଦ୍ଧି କରିବା ନିହାତି ଜରୁରୀ......ଗ୍ରାହକମାନଙ୍କୁ ବିଜୁଳି ଦର ବୃଦ୍ଧିର ଆବଶ୍ୟକତା ନେଇ ସଚେତନ କରାଯିବା ଜରୁରୀ। କିନ୍ତୁ ଏହା ସହିତ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ ପଡ଼ିବ....।

 

୧୩ଶ ଅର୍ଥ ଆୟୋଗଙ୍କ ବିବୃତି ଉଦ୍ଧାର କରି ପୂର୍ବତନ ସଦସ୍ୟ ମହାଶୟ ହନୁ ମଲା ବେଳେ ସତ କହେ ପ୍ରବାଦକୁ ସତ ସାବ୍ୟସ୍ତ କରିଛନ୍ତି। କ୍ଷମତାରେ ନଥାଇ ସୁଦ୍ଧା ଶୁଳ୍କବୃଦ୍ଧି ସପକ୍ଷରେ ଯୁକ୍ତି କରି ନିଜେ ଜଣେ କର୍ପୋରେଟ୍ ଦଲାଲ୍ ବୋଲି ଧରା ପକାଇ ଦେଇଛନ୍ତି। (ଆମ୍ଭର ଏହି ମନ୍ତବ୍ୟ ଟିକେ କଡ଼ା ହୋଇଯାଇଛି ବୋଲି ଆମ୍ଭେ ବିନମ୍ରତାର ସହ ସ୍ଵୀକାର କରୁଛୁ। ଜଣାଇ ଦେଉଛୁ କି ତାଙ୍କ ସହିତ ଆମ୍ଭର ବ୍ୟକ୍ତିଗତ ପରିଚିତି ନାହିଁ କି କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ।) କାରଣ ଗ୍ରାହକ ସଚେତନତା କିପରି ହେବ ଏବଂ ଉନ୍ନତମାନର ବିଦ୍ୟୁତ ସେବାର ପରିଭାଷା କ’ଣ ତାହା ଉପରେ ପୂର୍ବତନ ସଦସ୍ୟଙ୍କ କଲମ ନିରବ ଅଛି। ଗ୍ରାହକ ସଚେତନତା ହେଉଛି ସୂଚନା ଓ ଲୋକସଂପର୍କ ବିଭାଗର କାମ। କିନ୍ତୁ ଏହି ବିଭାଗ ଆଜି ସୁଦ୍ଧା ରାଜ୍ୟର ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ମାନ୍ୟତା ଦେଇ ନାହିଁ କି ଏହାର କୌଣସି ଟିଭି ବିଜ୍ଞାପନ ନୀତି ନାହିଁ। କାରଣ ଟେଲିଭିଜନକୁ ଶିକ୍ଷିତ ଅଶିକ୍ଷିତ, ଧନୀ ଗରିବ, ପାହାଡ଼ିଆ ସମତଳ, ସହର ମଫସଲ ସବୁ ବର୍ଗର ଲୋକ ଦେଖୁଛନ୍ତି। କିନ୍ତୁ ଖବରକାଗଜକୁ କେବଳ ସହର-ସମତଳ ଅଞ୍ଚଳର ଶିକ୍ଷିତ-ଧନୀ ବ୍ୟକ୍ତିମାନେ ପଢୁଛନ୍ତି। ଜନସାଧାରଣଙ୍କ ଭିତରେ ଟେଲିଭିଜନ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବେଳେ ଖବରକାଗଜ କେବଳ ବିଧାନସଭା ଅଧିବେଶନ ବେଳେ କିଛି ହଇଚଇ କରିବାରେ ସହାୟକ ହେଉଛି। ପୂର୍ବତନ ସଦସ୍ୟ ମହାଶୟ ଜଣେ ସଂଚାର ବିଶେଷଜ୍ଞ ନୁହନ୍ତି। ତେଣୁ ସେ ଏହି ଅନୁଚ୍ଛେଦରେ ଯାହା ଲେଖିଛନ୍ତି, ତାହା ଯେ ଏକ ବଡ଼ଧରଣର ସଂଚାର ମୁଦ୍ଦା, ସେ ବିଷୟରେ କୌଣସି ସ୍ଵୀକାରୋକ୍ତି ଦେଇ ନାହାନ୍ତି।

 

ଅନୁଚ୍ଛେଦ-୧୦: ଏହା ତାଙ୍କ ନିବନ୍ଧର ଶେଷ ଓ ସୁଦୀର୍ଘ ଅନୁଚ୍ଛେଦ। ଏଥିରେ ଠାଏ ସେ ଲେଖିଛନ୍ତି, ..ବ୍ୟାପକ ବିଦ୍ୟୁତ ଚୋରି ବିଭିନ୍ନ ସ୍ତରରେ ବନ୍ଦ ନହେଲେ, ଯେତେ ଶସ୍ତାରେ ବିଦ୍ୟୁତ ଶକ୍ତି ମିଳିଲେ ମଧ୍ୟ ଗ୍ରୀଡ଼କୋକୁ ଅଧିକ ଦରରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ କେନ୍ଦ୍ରରୁ କିଣିବାକୁ ପଡ଼ିବ ଏବଂ ଏହା ବିଜୁଳି ଦରରେ ପ୍ରତିଫଳିତ ହେବାକୁ ବାଧ୍ୟ। ଏତେ ଗୁରୁତର ମନ୍ତବ୍ୟ ଦେଇଛନ୍ତି, ଅଥଚ ଚୋରମାନେ କିଏ, ତାହା ଲେଖି ନାହାନ୍ତି। ପ୍ରଶାସକମାନେ କ୍ଷମତାରେ ଥାଆନ୍ତୁ ବା ନଥାଆନ୍ତୁ, ସେମାନେ ଯେ ଛଳନା କରନ୍ତି, ତାହାର ପ୍ରମାଣ ଦେଇଛନ୍ତି ପୂର୍ବତନ ସଦସ୍ୟ ମହାଶୟ। ଓଡ଼ିଆରେ ଗୋଟିଏ ଆପ୍ତବାକ୍ୟ ଅଛି, ଆରେ ଢ଼ମଣା ବୁଲିବାଲି କିରି ସେଇ ଅଗଣା। ଅର୍ଥାତ ଶୁଳ୍କବୃଦ୍ଧି ଯେ ଅନିବାର୍ଯ୍ୟ, ଏଇ କଥା ଟିକକ ସାବ୍ୟସ୍ତ କରିବା ପାଇଁ ସେ ଏକ ଲୋକପ୍ରିୟ ସମ୍ବାଦପତ୍ରରେ ଏତେ ବଡ଼ ଲେଖା ଲେଖିଛନ୍ତି। ଏପରିକି ଏହି ଉପସଂହାର ଅନୁଚ୍ଛେଦର ଶେଷ ଭାଗରେ ଗ୍ରାହକ ସଚେତନତା କଥାକୁ ପୁଣି ଦୋହରାଇଛନ୍ତି। ଅଥଚ ଗ୍ରାହକ ସଚେତନତାର ଉପାୟ, କର୍ତ୍ତା, କାରକ, କାର୍ଯ୍ୟକ୍ରମ ଓ ବଜେଟ ବିଷୟରେ କିଛି ବି ଲେଖି ନାହାନ୍ତି। ବୋଧହୁଏ ଅର୍ଥ ବିଭାଗରେ ବଜେଟ ସମୀକ୍ଷା ବେଳେ ଜନସଚେତନତା କାର୍ଯ୍ୟକ୍ରମଗୁଡ଼ିକୁ ସେ କାଟିକି ଉଡ଼େଇଛନ୍ତି, ତେଣୁ ଏବେ ଲେଖିବାକୁ ସାହସ କରି ନାହାନ୍ତି। ସେ ଲେଖିଛନ୍ତିି, ବିଦ୍ୟୁତ ସଂସ୍କାରର ସୁଫଳ ସ୍ଥାୟୀ ଭାବରେ ଉପଲବ୍ଧ କରିବାକୁ ହେଲେ, ଗ୍ରାହକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଅର୍ଥାତ ରିଲାଏନ୍ସ ଏନର୍ଜୀର ବେଇମାନୀକୁ ବି ପୂର୍ବତନ ସଦସ୍ୟ ମହାଶୟ ବିଦ୍ୟୁତ ସଂସ୍କାରର ଅଂଶବିଶେଷ ବୋଲି ସ୍ଵୀକାର କରନ୍ତି। ଆଶ୍ଚର୍ଯ୍ୟର କଥା ଯେ ବିଦ୍ୟୁତ ସଂସ୍କାର ଓ ଘରୋଇକରଣ ସମେତ ବ୍ୟବସାୟ ଶବ୍ଦ ବ୍ୟବହାର କରିଥିଲେ ସୁଦ୍ଧା କୌଣସି ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା ଉଲ୍ଲେଖ କରି ନାହାନ୍ତି। କାରଣ ଏକଚାଟିଆ ବେପାର ସବୁବେଳେ କ୍ଷତିକାରକ। ସେ ଗଣତନ୍ତ୍ର ସଚେତନ ନୁହନ୍ତି ବୋଲି ଆଦ୍ୟରୁ ନିଜକୁ ଚିହ୍ନା ପକାଇଥିବାରୁ, ଗଣତନ୍ତ୍ରରେ ଏକଚାଟିଆ ବେପାରର ସ୍ଥାନ ନାହିଁ ବୋଲି ତାଙ୍କୁ ଉପଦେଶ ଦେବାରେ କିଛି ମୂଲ୍ୟ ନାହିଁ। ନିଜେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପଦବୀରେ କାର୍ଯ୍ୟ କରି ସୁଦ୍ଧା ପ୍ରତିଦ୍ବନ୍ଦ୍ବିତା ଭଳି ସାଧାରଣ ଚିନ୍ତନକୁ ପାଶୋରି ପକାଇଛନ୍ତି। ଯାହାକି ପ୍ରତି ସ୍ବାଭିମାନୀ ଓଡ଼ିଶାବାସୀଙ୍କୁ ଲଜ୍ଜିତ କରୁଥିବ। ଏହା ସହ ଗ୍ରାହକ ସଚେତନତା କଥାରେ ନିଜର ନିବନ୍ଧକୁ ଶେଷ କରି ସମଗ୍ର ନିବନ୍ଧର ତଥ୍ୟଗୁଡ଼ିକ ନିରର୍ଥକ ବୋଲି ପ୍ରମାଣିତ କରିଛନ୍ତି। କାରଣ ଗ୍ରାହକ ସଚେତନତା କ‘ଣ ଓ କିପରି ହେବ, ତାହା ଉପରେ ଜଣେ ନିୟାମକ ସଦସ୍ୟ ରୂପେ ସେ ଆଦୌ ଚିନ୍ତା କରିନାହାନ୍ତି। ଜଣେ ପୂର୍ବତନ ସଦସ୍ୟଙ୍କ ବିବୃତିରେ ଏଭଳି ଅଭାବବୋଧ କ’ଣ ଏକ ସକାରାତ୍ମକ ଦିଗ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top