ଚଲା ରାସ୍ତାର ଚରିତ୍ର

News Story - Posted on 2016-04-23

ହୃଷୀକେଶ ପଣ୍ଡା

 

ଖୁବ୍ ଯାକଜମକରେ ସେ ଆସିଥିଲା। ବାହାଘରର ବାଜା, ରୋଷଣୀ, ଆଲୋକମାଳା ଭିତରେ ସମସ୍ତଙ୍କୁ ଆଚମ୍ୱିତ କରି ସେ ଆସିଥିଲା ଏ ଇଲାକାକୁ।

ଦଳେ ହୋ-ହଲ୍ଲା କରୁଥିବା ଟୋକାଙ୍କ ଭିତରେ ଉଦ୍ଦଣ୍ଡ ନାଚ ନାଚୁଥିବା ସେଇ ଅଦ୍ଭୁତ ସ୍ତ୍ରୀ ଲୋକଟାକୁ ଦେଖିବା ପାଇଁ ଠେଲାପେଲା ଚାଲିଥିଲା ଦେଖଣାହାରୀଙ୍କ ଭିତରେ। ବାଜା, ରୋଷଣୀ, ବର କାହା ପ୍ରତି ନଜର ନଥିଲା ସେମାନଙ୍କର। ଟୋକାମାନେ ହିପ୍-ହିପ୍ ହାଲ୍ଲୋଳ କରି ତାଳିମାରି ଟେହୁଥିଲେ ତାକୁ। ଅବଶ୍ୟ ବାଜାବାଲାଏ ତା’ର ବିପର୍ଯ୍ୟସ୍ତ ନାଚ ସହିତ ତାଳ ମିଳେଇ ବାଜା ବଜେଇ ପାରୁ ନଥିଲେ। ସେ କେବେ ହାତ ଉପରକୁ ଟେକି, କେବେ ପଦେ ଦି’ପଦ ଅସମ୍ପୃକ୍ତ ଗୀତ ଗାଇ, ତା’ର ସଂକ୍ଷିପ୍ତ ଛିନ୍ନ ପରିଧେୟ ଆଡେ଼ ଭ୍ରୁକ୍ଷେପ ନକରି ନାଚି ନାଚି ବେଦମ୍ ହେଇ ପଡ଼ୁଥିଲା। ତା’ର କାହାକୁ ଖାତିର୍ ନଥିଲା କି ପାଦରେ କ୍ଳାନ୍ତିର ସୂଚନା ନଥିଲା।

ସେ ଥିଲା ଗୋଟେ ବଦ୍ଧ ପାଗିଳୀ। ମୁଣ୍ଡର ବାଳ ଅଲରା। ଠାଏ ଠାଏ ଜଟା ବାନ୍ଧିବା ଆରମ୍ଭ କରିଥିଲା। ସେ ଯଦିଓ ବର୍ଣ୍ଣରେ ଗୋରା ଥିଲା, ତଥାପି କ୍ରମାଗତ ଖରାବର୍ଷାର ନିଷ୍ଠୁର ତାଡ଼ନାରେ ଦେହ ତା’ର ମଳିଚିଆ ପଡ଼ି ଆସିଥିଲା। ଅଣ୍ଟା ତଳକୁ ଲାଜ ଲୁଚିଲା ପରି ଖଣ୍ଡେ ମଇଳା ଛିଣ୍ଡାକନା ଆଉ ଛାତି ଉପରେ ଅନୁରୂପ କପଡ଼ା ଖଣ୍ଡେ ଥିଲା ତା’ର ପୋଷାକ। ନାଚିଲା ବେଳେ ଛାତି ଉପରର କନାଖଣ୍ଡିକୁ ସେ କେବେ ହାତରେ ଟେକି ଦଉଥିଲା ଉପରକୁ ତ ପୁଣି ତା’ ଅଜାଣତରେ କେବେ କନା ଖଣ୍ଡିକ ଖସି ପଡ଼ୁଥିଲା ଛାତିରୁ। ଦେଖଣାହାରୀଙ୍କ ମନରେ ଚାପା ଉତ୍ତେଜନା। ସେମାନେ ହିପ୍-ହିପ୍ କରି ତାକୁ ଆହୁରି ଉତ୍ସାହିତ କରୁଥାନ୍ତି ଏବଂ ସେ ସେଇ ତୋଡ଼ ଭିତରେ ନାଚି ନାଚି ଲୋଟି ଯାଉଥାଏ ତଳେ।

ଅନେକ ସମୟ ପରେ ବହୁ କଷ୍ଟରେ ତା’ ନାଚ ବନ୍ଦ ହେଲା। ବୟସ୍କ ଲୋକମାନେ ଅସନ୍ତୋଷ ପ୍ରକଟ କଲେ - ନିହାତି କଦର୍ଯ୍ୟ କଥା ୟେ। ଗୋଟେ ଅଧା ଲଙ୍ଗୁଳୀ ପାଗିଳୀକୁ ନେଇ ତାମସା କରିବା ଅଶୋଭନୀୟ। ଦଳେ କନ୍ୟାପକ୍ଷ ଲୋକ ଦୂର୍-ଦୂର୍ ଭାଗ୍-ଭାଗ୍ କହି ଖଣ୍ଡେ ଦୂରକୁ ତଡ଼ିଦେଲେ ତାକୁ। ଗୋଟେ ବିଜୁଳି ଖୁଣ୍ଟ ତଳେ ଥପ୍ କରି ବସିଗଲା ସେ। ପାଦରେ ତା’ର ଅସହ୍ୟ ଯନ୍ତ୍ରଣା। ସେଇଠି ସେମିତି ପଡ଼ିରହି ସେ ଦେଖୁଥିଲା ଆଲୋକସଜ୍ଜା, ଲୋକମାନଙ୍କ ଘୋ-ଘୋ, ରକମ ରକମ ଖାଦ୍ୟର ଲୋଭନୀୟ ବାସ୍ନା।

ଲୋକମାନେ ଭାବିଲେ ପାଗିଳୀଟା ସକାଳକୁ କୁଆଡେ଼ ଉଭାନ୍ ହେଇଯାଇଥିବ। ତା’ ରାସ୍ତା ଧରିଥିବ।

କିନ୍ତୁ ସେଇ ନିର୍ଦ୍ଦିଷ୍ଟ ବିଜୁଳିଖୁଣ୍ଟ ତଳେ ଗତରାତିର କ୍ଳାନ୍ତି ନେଇ ସେ ନିଘୋଡ଼ ନିଦରେ ତା’ ସ୍ଥିତି ଜାହିର୍ କରୁଥିଲା। କାନରେ କାନରେ ଚହଲି ଗଲା କଥା। ପାଗିଳୀକୁ ଦେଖିବା ପାଇଁ ବଢିଲା ଗହଳି।

ବିଜୁଳିଖୁଣ୍ଟକୁ ଲାଗି ଝଙ୍କାଳିଆ ପଣସ ଗଛଟେ। ସକାଳର ଖରା ଖେଳୁଥିଲା ଗଛର ଡାଳ ପତ୍ରରେ। ଗାଡ଼ିମଟର, ଲୋକଙ୍କ ହଇଚଇରେ ସେ ବାଧ୍ୟ ହେଲା ପହୁଡ଼ ଭାଙ୍ଗିବାକୁ। କିଛି ସମୟ ଦର୍ଶକମାନଙ୍କୁ ମନଭରି ଦେଖିନେଲା ପରେ ମୁଣ୍ଡବାଳ ଦରାଣ୍ଡି ଦରାଣ୍ଡି ଉକୁଣୀ କାଢିଲା ଏବଂ ନଖରେ ନଖ ଦାବି ଟକ୍ ଟକ୍ ଫୁଟେଇ ମନକୁ ମନ ହସିବାରେ ଲାଗିଗଲା। ଲୋକମାନେ ଭାବିଲେ ସେ ଏଥର ତା’ର ପୂର୍ବ ସ୍ଥାନକୁ ଫେରିଯିବ। ଖଚଡ଼ ଟୋକାମାନେ ତାକୁ ଉସକେଇ ନେଇ ଆସିଥିଲେ ସିନା।

କିନ୍ତୁ ପାଗିଳୀ ସେ ଯାଗା ଛାଡ଼ି ଯିବାର କୌଣସି ସୂଚନା ଦେଲାନି। ବରଂ ଉଠି ରାସ୍ତା କଡ଼ରେ ଥିବା ଦୋକାନ ଆଗରେ ହାତ ପାତି ଖାଇବାକୁ ମାଗିଲା ଏବଂ କିଛି ସମୟ ଲୋକମାନଙ୍କ ଅନୁଗ୍ରହରେ ଗଦଗଦ ହେଇ ପୁଣି ଯାଇ ବସି ପଡ଼ିଲା ସେଇ ଖୁଣ୍ଟତଳେ।

ପ୍ରଥମେ ପ୍ରଥମେ ବଗୁଲିଆ ପିଲାମାନେ ତା’ ପିଛା ଛାଡ଼ିଲେନି। ଖତେଇ ହେଲେ, ଦୁର୍ ଦୂର୍ କରି ମାରି ଗୋଡେ଼ଇଲେ। କିନ୍ତୁ ସେ କୌଣସି ପ୍ରତିବାଦ କଲାନି କି ସେ ଯାଗା ପରିତ୍ୟାଗ କରିବାର କୌଣସି ଲକ୍ଷଣ ତାଠି ଦେଖା ଗଲାନି।

ଦିନ ପରେ ଦିନ ବିତିଲା। କ୍ରମେ ପାଗିଳୀଟି ବନିଗଲା ସେ ଅଞ୍ଚଳ ପାଇଁ ଅବସର ବିନୋଦନର ଏକ ମୁଖ୍ୟ ମାଧ୍ୟମ।

ଆଗ ଆଗ ଯୋଉ ଟିକକ ପ୍ରତିବାଦ ବୟସ୍କମାନଙ୍କଠଁୁ ଉଠୁଥିଲା, ତାହା ଧୀରେ ଧୀରେ ପାତଳ ପଡ଼ି ଆସିଲା। ଏମିତିକି ପାଗିଳୀ ପ୍ରତି ଚାଲିଥିବା ପିଲାମାନଙ୍କ ଅତ୍ୟାଚାର ସୁଦ୍ଧା ଦିନୁ ଦିନ ଧିମେଇ ଧିମେଇ ଶେଷକୁ ପ୍ରାୟ ବନ୍ଦ‌୍‍ ହେଇଗଲା।

ଚା’ପାନ ଦୋକାନ ଆଗରେ ପ୍ରଚୁର ଭିଡ଼ ଜମିଲା। ଟୋକାମାନେ ଘଣ୍ଟା ଘଣ୍ଟା ଅନାବଶ୍ୟକ ଭାବେ ଦୋକାନ ସାମ୍ନାରେ ଆଡ୍ଡ କଲେ, ଧୂଆଁ ଉଡେ଼ଇଲେ। ପାଗିଳୀକୁ ବିସ୍କୁଟଟେ କି ବରାଟେ ଦାନ କରିବା ପାଇଁ ଆଗେଇ ଆସିଲା ପ୍ରତିଯୋଗିତାର ହାତମାନ।

କ୍ରମଶଃ ଏମିତି ହେଲା, ବୁଢାମାନେ ବାଲକୋନୀ କିମ୍ୱା ବାରଣ୍ଡା ଉପରେ ଆରାମ ଚେୟାର୍ ପକେଇ ଘଣ୍ଟା ଘଣ୍ଟା ବସି ରହିଲେ। ଘରର ଝରକାମାନ ଅନବରତ ଖୋଲା ରହିଲା। କେହି କେହି ମଧ୍ୟ ଦିନେକାଳେ ଶୁଣା ନଥିବା ପ୍ରଭାତଫେରି ଅଭ୍ୟାସ କଲେ। ବିଶେଷ କରି କ୍ଲବ୍ ଘରେ ଟୋକାମାନଙ୍କ ଗହଳି ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କଲା। ସଂଜ ଆସର ଏଣିକି ଢେର୍ ରାତିଯାଏ ସରିବାର ନାଁ ନେଲାନି।

ପାଗିଳୀଟି ସେ ଅଞ୍ଚଳରେ ଜଣେ ସ୍ୱଛନ୍ଦ ମଣିଷ ପରି ଆତଯାତ କରିବାକୁ ଲାଗିଲା। ଲୋକମାନଙ୍କ ଅଯାଚିତ ଅନୁଗ୍ରହକୁ ଆଦରି ନେଇ ସେଇଠି ସେମିତି ଗଛମୂଳକୁ ପ୍ରାସାଦ ଭାବି ପଡ଼ି ରହିଲା। ସେ ଅଞ୍ଚଳର ଏମୁଣ୍ଡରୁ ସେମୁଣ୍ଡ ଦିନଯାକ ଘୂରି ଘୂରି କେବେ ଗଛମୂଳେ ବସି ମୁଣ୍ଡରୁ ଉକୁଣୀ ମାରି ତ କେବେ ପୁଣି ତା’ ନିଜସ୍ୱ ପୂର୍ବ-ବଙ୍ଗଳା ଭାଷାରେ ମନକୁ ମନ ଗୀତ ଗାଇଗାଇ ଜୀବନ ବଞ୍ଚିଲା।

ଲୋକମାନେ କହିଲେ - ଯା’ହଉ ପାଗିଳୀ ହେଲେ କ’ଣ ହେଲା, ଲାଜ କ’ଣ ଜାଣି ପାରୁଚି। ନହେଲେ କନା ଖଣ୍ଡିକ କ’ଣ ଦିହରେ ରଖିଥାନ୍ତା।

ଏମିତି ଭାବେ ଦିନ ବିତୁଥିଲା।

ହଠାତ ଦିନେ ଏକ ଅଘଟଣ ଘଟିଲା।

ସଞ୍ଜବେଳୁ ସାରା ଇଲାକା ଅନ୍ଧାର। ରାତି ଦଶଟା ବେଳକୁ ଦୋକନ ବନ୍ଦ ହେଇଯିବାରୁ ନିଶୂନ୍-ଚୁପଚାପ୍ ଅନ୍ଧାର ହିଁ ରାଜୁତି କରୁଥାଏ ସେଠି। ହଠାତ୍ କାହାର ଶକ୍ତ ହାତ ତା’ ଛାତି ପାଖକୁ ଆଗେଇ ଆସିଲା। ଆଉ ଟାଣି ନେଲା ଉପରର ଛିଣ୍ଡା କପଡ଼ାଟିକୁ। ସେ ଅନୁଭବ କଲା ତା’ ଫୁଙ୍ଗୁଳା ଛାତିକୁ କାହାର କର୍କଶ ଉନ୍ମତ୍ତ ହାତ କ୍ରମଶଃ ମନ୍ଥି ଯାଉଚି। ସେଇ ଅନ୍ଧାର ଭିତରେ ଏମିତି ଗୋଟେ ଚିତ୍କାର ଛାଡ଼ିଲା ଯେ ପାଗିଳୀ, ସେ ଅଞ୍ଚଳଟା ଯାକ ଭୟଙ୍କର ଭାବେ ଥରିଗଲା। ତା’ ମୁହଁରୁ ଅବିରତ ଛୁଟୁଥାଏ ଚିତ୍କାର ଏବଂ ସେ ଅକଥ୍ୟ ଭାଷାରେ ଅଭିସମ୍ପାତ ବର୍ଷି ଚାଲିଥାଏ କାହାକୁ ଲକ୍ଷ୍ୟ କରି।

ସକାଳ ପାହିଲା ବେଳକୁ ଅଞ୍ଚଳଟି ଉଠୁଥାଏ, ପଡ଼ୁଥାଏ। ନାନା ପ୍ରକାର ଗୁଞ୍ଜରଣ ଚହଲି ଯାଉଥାଏ କାନରୁ କାନକୁ। ପାଗିଳୀଟିର ଆଚରଣ ଭୟଙ୍କର ହେଇ ଉଠିଥାଏ ଇତିମଧ୍ୟରେ। ଏମୁଣ୍ଡରୁ ସେମୁଣ୍ଡ ସେ ଦଉଡ଼ୁଥାଏ ଅନବରତ କାହାକୁ ଲକ୍ଷ୍ୟ କରି। ମୁକୁଳା ଛାତି ପ୍ରତି ଭ୍ରୁକ୍ଷେପ ନଥାଏ ତା’ର ତିଳେମାତ୍ର।

ଲୋକମାନେ ଆଖିରେ ହାତ ଦେଲେ। ଓହୋ-ଶେଷରେ ପାଗିଳୀଟା ଏୟା କଲା? କି ଲାଜର କଥା - ପିଲାଛୁଆ ମେଳରେ ଏମିତି ଅସଭ୍ୟ ଭାବେ... ଛି...ଛି...।

ସେଇଦିନୁ ପାଗିଳୀର ଛାତି ସେମିତି ଫୁଙ୍ଗୁଳା। କନା ଖଣ୍ଡିକରେ ସୁରକ୍ଷିତ ଛାତିଟି ଦେହର ମଳିନ ବର୍ଣ୍ଣଠୁ ବେଶ୍ ତୋଫା, ଚିକ୍ ମିକ୍ ଝଟକୁଥାଏ।

ଟୋକାମାନେ ଟୁପଟାପ୍ ହେଲେ - ଆହା, କି ସୁନ୍ଦର ପୂରିଲା ପୂରିଲା ଯୌବନ, ପାଗିଳୀ ହେବା ପୂର୍ବରୁ ତ ସେ ଢେର୍ ସୁନ୍ଦରୀ ଥିବ? ଏମିତି ଦେହ ଆଉ ଯୌବନ ନେଇ ଘୂରି ବୁଲୁଚି, କେହି କ’ଣ ଛାଡ଼ିଥିବ ତାକୁ?

ବୟସ୍କମାନେ ଭିତରେ ଉଚ୍ଚାଟ ହେଲେ ବି ଉପରେ ଆହା ଆହା କଲେ। ବିଚାରୀର କି ଭାଗ୍ୟ!

ଜଣେ କବି ସେ ଅଞ୍ଚଳରେ ରହୁଥିଲେ। ତାଙ୍କଠି ଚମତ୍କାର ଭାବ ସବୁ ରୁଣ୍ଡ ହେଲା। ଶିଳ୍ପୀ ଜଣେ ରହୁଥିଲେ। ତାଙ୍କ ମନରେ ଅଦଭୁତ ଆଶା ବସା ବାନ୍ଧିଲା। ଅବଶିଷ୍ଟ କନା ଖଣ୍ଡିକ କେବେ ଉଭାନ୍ ହେଇଯିବ ଆଉ ସେ ସାଙ୍ଗେ ସାଙ୍ଗେ ଜୀବନର ସର୍ବଶ୍ରେଷ୍ଠ ଚିତ୍ରଟିଏ ଆଙ୍କିବାର ସୁଯୋଗ ପାଇଯିବେ!

କିଛିଦିନ ପରେ ପରିସ୍ଥିତି ପୁଣି ଶାନ୍ତ ପଡ଼ିଗଲା। ପାଗିଳୀର ଲୋଭନୀୟ ଛାତିଟା କ୍ରମଶଃ ଆଖିସୁହା ହେଇଗଲା। ସେଇଦିନଠୁ ଉନ୍ମୁକ୍ତ ଛାତି ନେଇ ଆତଯାତ ହେଲା ପାଗିଳୀ।

ସେ ସ୍ଥାନ ଛାଡ଼ି ସେ ଯାଉ ନଥିଲା କି କେହି ତାକୁ ଆଉ ଦୂର୍ ଦୂର୍ କରି ଗୋଡେ଼ଇ ମାରୁ ନଥିଲେ। ସେ ମଧ୍ୟ ଭୁଲିଗଲା ଯେ ତା’ ଛାତିରେ କେବେ ଗୋଟେ କନା ବୋଲି ଚିଜଟିଏ ବେଢିଥିଲା ଏବଂ ଲାଜ ପରି ଗୋଟେ ବହୁଚର୍ଚ୍ଚିତ ଜିନିଷ ତା’ ଭିତରେ ସୁରକ୍ଷିତ ଥିଲା।

ଗ୍ରୀଷ୍ମ ଋତୁର ମଝାମଝି, ହଠାତ ଦିନେ ଆକାଶ ବଦଳିଗଲା। ଠାଏଠାଏ କଳାଘୁମର ମେଘ ମୁହଁ ମାରିଲା। ପବନର ବେଗ ଆସ୍ତେ ଆସ୍ତେ ବଢିଗଲା। ଚାହୁଁ ଚାହୁଁ ଦିନେ ସକାଳ ନପାହୁଣୁ ଚଉଦିଗ ଅନ୍ଧାର କରି ଗର୍ଜି ଉଠିଲା ଆକାଶ। ପବନ ବହିଲା ଅଣଚାଶ। ପବନର ତୋଡ଼ରେ ଦୋହଲିଗଲା ଗଛପତ୍ର, ଟିଣ, ଛପର। କ୍ରମଶଃ ବଢି ଉଠିଲା ପବନର ବେଗ। ସଞ୍ଜବେଳକୁ ଘୋ-ଘୋ ଗର୍ଜନରେ କମ୍ପି ଉଠିଲା ସାରା ଅଞ୍ଚଳ। ବିଦ୍ୟୁତ ସରବରାହ ବ୍ୟାହତ ହେଲା।

ବିଚାରୀ ପାଗିଳୀଟି କିନ୍ତୁ ସେଇ ଗଛମୂଳରେ ପଡ଼ିଥାଏ ସେମିତି। ତା’ର ଯେମିତି ଭ୍ରୁକ୍ଷେପ ନାହିଁ ତୋଫାନକୁ। ଭୟ ନାହିଁ ବିପଦକୁ।

ରାତିର ଅନ୍ଧାର ସାଙ୍ଗେ ତୋଫାନର ତୋଡ଼। ପହରାଦାର ନେପାଳୀଟି ମଧ୍ୟ ସେଦିନ ଦେଖା ନଥିଲା ସେ ଅଞ୍ଚଳରେ।

ଏଣେ କ୍ଳବ୍ ଘରେ କେତୋଟି ଚରିତ୍ର ଗୋଟାଏ ଯୋଜନାରେ ଯେମିତି ବ୍ୟସ୍ତ। ଏମିତି ଗୋଟେ ସୁଯୋଗ ହାତଛଡ଼ା କରିଦେଲେ ଗଲା।

ବାହାରକୁ ବାହାରିଲେ ସେମାନେ।

ଆକାଶର ଛାତି ଯେମିତି ଫାଟି ପଡ଼ୁଥାଏ। ବିଜୁଳି ଆଲୁଅରେ ଝଲସି ଉଠୁଥାଏ ସାରା ଅଞ୍ଚଳ। ଅସରା ଅସରା ବର୍ଷା ସାଙ୍ଗକୁ ପବନ ବି ବେଳକୁ ବେଳ ଜୋର୍ ଧରୁଥାଏ। ସେମାନେ ଦେଖିଲେ ପାଗିଳୀ ଗଛମୂଳରୁ ଉଠି ଚାଲିବା ଆରମ୍ଭ କଲା। ସେମାନେ ତା’ ପିଛା କଲେ। କିନ୍ତୁ ସେ କୁଆଡେ଼ ନଯାଇ ରାସ୍ତାକଡ଼ର ଏକ ପରିତ୍ୟକ୍ତ ଭଙ୍ଗା କେବିନ୍ ଭିତରକୁ ପଶିଗଲା। ନିରାପଦ ଆଶ୍ରୟସ୍ଥଳଟିଏ ମିଳିଗଲା ଯା’ ହଉ।

ଅନ୍ଧାର ଭିତରେ କେଇଟା କଳାଛାଇ ପରି ସେମାନେ ଆଗେଇ ଗଲେ କେବିନ୍ ଆଡ଼କୁ।

ପରଦିନ ସଂଧ୍ୟା ପର୍ଯ୍ୟନ୍ତ ଝଡ଼ ଲାଗି ରହିଲା। ଆକାଶ ନିଃଶ୍ୱାସ ଛାଡ଼ିଲା। ରାତି ବିତି ସକାଳ ହେଲା।

ସକାଳେ ପାଗିଳୀକୁ ଦେଖିବାକୁ ନପାଇ ଲୋକମାନେ କୁହାକୁହି ହେଲେ - ଦି’ ଦିନ ଯାକ ନଖାଇ ନପିଇ ଝଡ଼ ତୋଫାନରେ ଖତମ୍ ହେଇଗଲା କି କ’ଣ? ଏଣେ ଅଚେତ୍ ଅବସ୍ଥାରେ ଛାଡ଼ି ଆସିଥିବା ଟୋକାମାନେ ଭାବିଲେ - ପାଗିଳୀଟା ବୋଧେ ମରିଗଲା କି କ’ଣ ତା’ ଭିତରେ। ବଳେ ଗନ୍ଧ ହବ, ବାହାରିବ।

କିନ୍ତୁ ସମସ୍ତ କଳ୍ପନା ଜଳ୍ପନା, ସନ୍ଦେହ, ସମ୍ଭାବନକୁ ମିଛ କରି ଶେଷରେ କ୍ୟାବିନ୍ ଭିତରୁ ବାହାରିଲା ପାଗିଳୀ। ଗୋଟେ ବୀଭତ୍ସ, ଭୟଙ୍କର ରୂପରେ। ଆଗେଇ ଆସିଲା ରାସ୍ତା ଉପରକୁ। ଲୋକମାନେ ଅବାକ୍। ଆଚମ୍ୱିତ।     ପାଗିଳୀର ମୁହଁରେ ରାମ୍ପୁଡ଼ା ଦାଗ, ଛାତିରେ ଶିରାଶିରା କଳାରକ୍ତର ଛିଟା, ଦେହର ବିଭିନ୍ନ ଅଂଶ କ୍ଷତବିକ୍ଷତ। ଅଣ୍ଟାତଳକୁ ଅବଶିଷ୍ଟ ଲାଜକୁ ସୁରକ୍ଷିତ ରଖିଥିବା କନାଖଣ୍ଡିକ ବି ଉଭାନ୍।

ଲୋକମାନେ ଆଖିରେ ହାତ ଦେଲେ। ଓଃ - କି କୁତ୍ସିତ, କଦାକାର, ବୀଭତ୍ସ ପାଗିଳୀଟା! ଦେହରେ ସର୍ବଶେଷ କନାଖଣ୍ଡିକ ବି ରଖିଲାନି?

ବିଚାରୀ ପାଗିଳୀଟି କାହା ବିରୁଦ୍ଧରେ ସ୍ୱର ନ ଉଠେଇ, ଚିତ୍କାର ନ କରି, ରାସ୍ତାକଡ଼ର ସମବେତ ଦେଖଣାହାରୀଙ୍କୁ ଥରେ ଚାହିଁ, ଭଙ୍ଗାରୁଜା ଡାଳପତ୍ର, ଅଳିଆ ଆବର୍ଜନାକୁ କାଠି ଖଣ୍ଡିକରେ ଖେଳେଇ ଖେଳେଇ ଆଗେଇ ଚାଲିଥାଏ ଏବଂ କେବେକେବେ ଛାତମାନଙ୍କରୁ ଓହଳି ପଡ଼ି ପବନରେ ଚହଲୁଥିବା ରଙ୍ଗବେରଙ୍ଗୀ ଶାଢିସବୁକୁ ନିରେଖି ନିରେଖି ଟିକିଏ ଅଟକି ଯାଉଥାଏ। ତା’ପରେ ପୁଣି ଆଗେଇ ଚାଲିଥାଏ ଦୂରକୁ... ଦୂରକୁ... କେଉଁ ଅଜଣା ଚଲାରାସ୍ତାର ପଥୁକୀଟି ପରି। ସେମିତି ଉଲଗ୍ନ, ଅନାବୃତ୍ତ, ଅନାସକ୍ତ।

ପଛରେ ତା’ର ପଡ଼ି ରହିଥାଏ ବତିଖୁଣ୍ଟ... କ୍ଲବ୍ ଘର... ଏବଂ ଏଇ ଆମ ପୋଷାକପିନ୍ଧା ସମାଜର ଚେନାଏ ଭଗ୍ନାଂଶ।

 

ଡିଭାଇନ୍ ନଗର, ଚାଉଳିଆଗଞ୍ଜ, କଟକ-୪, ସଂପର୍କ - ୯୪୩୭୦୯୭୧୭୭


ପ୍ରତିକ୍ରିୟା

Sibasish - Email: sibasish68@gmail.com - Posted on 2016-04-23 15:08:32

Not a story , an burning picture / example of our society.

Tanuja Dash,,,, - Email: tanujadash2012@gmail.com - Posted on 2016-04-24 10:50:39

Kahibaku bhasa nahin,,Akhire nachjauchhi ye bibhachaya drusya,..Pagalita nareetiye na!Apananka ye Samaja????

Sukanta Rout - Email: ssukantaa@gmail.com - Posted on 2016-05-13 17:25:23

It brings tears to the eye while reading and felt more like watching a play than reading a story !

ରଶ୍ମି ରେଖା ତ୍ରିପାଠୀ - Email: rasmirekhatripathy@gmail.com - Posted on 2016-07-19 18:32:16

ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି, କେମିତି ଏକ ସମାଜରେ ଚଳପ୍ରଚଳ କରୁଛେ ଆମେ .

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top