ଜାହାଜ ଉପରେ ଚାଲିଛି ଖେଳ

News Story - Posted on 2016-04-07

 ଡକ୍ଟର ବିବୁଧ ରଂଜନ

 

(ଏହି ପାଠଟିକୁ ପଢ଼ିବା ପୂର୍ବରୁ ପାଠକ ବନ୍ଧୁ ମାନଙ୍କୁ ଅନୁରୋଧ, ଆପଣମାନେ କଳ୍ପନାରେ ଭାବନ୍ତୁ ଯେ - ଏକ ପାଣି ଜାହାଜରେ ବସିଛନ୍ତି ଏବଂ ଜାହାଜଟି ସମୁଦ୍ରରେ ଯାତ୍ରା କରୁଛି। ଇଂରାଜୀ ଚଳଚ୍ଚିତ୍ର ଟାଇଟାନିକ‌୍‍ ଦେଖିଥିଲେ ସେହି ଦୃଶ୍ୟକୁ ଆଖି ଆଗରେ ନଚାଇ ନିଅନ୍ତୁ ଯଦ୍ବାରା କି ଆପଣଙ୍କ କଳ୍ପନାର ଦୃଶ୍ୟ ଜୀବନ୍ତ ହୋଇ ପାରିବ।)

ଗୋଟିଏ ବଡ଼ ପାଣି ଜାହାଜ ଅନେକ ଯାତ୍ରୀଙ୍କୁ ସଙ୍ଗରେ ଧରି ସମୁଦ୍ରରେ ଯାତ୍ରା କରୁଛି। ଜାହାଜରେ ଥିବା ଅନେକ ଯାତ୍ରୀଙ୍କ ମଧ୍ୟରୁ ଗୋଟିଏ ଯାତ୍ରୀ ହଠାତ ନିଦରୁ ଉଠି ପଡ଼ିଲା ଏବଂ ତାର ଅନୁଭବ ହେଲା ଯେ ତାର ସ୍ମୃତି ଲୋପ ପାଇ ଯାଇଛି। ସେ କେବେଠାରୁ ଏ ଜାହାଜ ଉପରେ ଚଢ଼ିଛି ତାର ଆଦୌ ମନେ ପଡ଼ୁନାହିଁ। ମନେ ମଧ୍ୟ ପଡ଼ୁନାହିଁ ସେ କେଉଁଠାକୁ ଯାତ୍ରା କରୁଛି। ବଡ଼ ବ୍ୟସ୍ତ ଏବଂ ବିବ୍ରତ ହୋଇ ପଡ଼ିଲା ଯାତ୍ରୀଟି। ଭାବିଲା ହୁଏତ ଏ କ୍ଷେତ୍ରରେ ତାକୁ ଆଉ କେହି ସହଯାତ୍ରୀ ସାହାଯ୍ୟ କରି ପାରିବେ।

ଏୟା ଚିନ୍ତାକରି ସେ ନିଜ କୋଠରୀରୁ ବାହାରି ଜାହାଜର ଉପର ମହଲାର ଡେକ୍ ଉପରକୁ ଗଲା। ଡେକ୍ ଉପରେ ସେ ଦେଖିଲା ଅନେକ ଅନେକ ଯାତ୍ରୀ ବଡ଼ ତନ୍ମୟତାର ସହ ବିଭିନ୍ନ ପ୍ରକାରର ଖେଳରେ ମାତି ଯାଇଛନ୍ତି। ଯାତ୍ରୀଟି ଜାହାଜ ଉପରେ ଖେଳ ଖେଳୁଥିବା ଗୋଟିଏ ଗ୍ରୁପ‌୍‍ ମଣିଷଙ୍କ ପାଖକୁ ଯାଇ ବଡ଼ ଉତ୍କଣ୍ଠାର ସହ ପ୍ରଶ୍ନକଲା, ଏ ଜାହାଜର ଗନ୍ତବ୍ୟସ୍ଥଳ କେଉଁଠାକୁ। କେଉଁଆଡେ଼ ଯାଉଛି ଏ ଜାହାଜ?

ସହଯାତ୍ରୀମାନେ ବଡ଼ ଆଶ୍ଚର୍ଯ୍ୟରେ ସେହି ଲୋକଟିକୁ ଶୂନ୍ୟ ଆଖିରେ ଚାହିଁଲେ ଏବଂ କହିଲେ ସେମାନେ ତାହା ଜାଣନ୍ତି ନାହିଁ। ଯାତ୍ରୀ ଜଣକ ଏ ଉତ୍ତର ଆଶା କରୁ ନଥିଲା। ସେ ହତକିତ ହୋଇ ପୁନର୍ବାର ପଚାରିଲା କେବେ ଏବଂ କେଉଁଠାରୁ ଏ ଜାହାଜ ତା’ର ଯାତ୍ରା ଆରମ୍ଭ କରିଛି?

ତଥାପି ସେହି ଏକା ଉତ୍ତର। ସହଯାତ୍ରୀମାନେ କେହି କହି ପାରିଲେ ନାହିଁ। ସେମାନେ ଜାଣନ୍ତି ନାହିଁ।

ଠିକ ଏତିକିବେଳେ ଏକ ଅଘଟଣ ଘଟିଗଲା। ସେହିସବୁ ଖେଳାଳୀଙ୍କ ଭିତରୁ ହଠାତ ଜଣେ ଖେଳାଳୀ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ବାରା ଭିଡ଼ି ହୋଇ ଜାହାଜ ଉପରୁ ଟାଣି ହୋଇ ସମୁଦ୍ର ଭିତରରେ ପଡ଼ିଗଲା ଏବଂ ଆଖିର ପଲକରେ ଅଦୃଶ୍ୟ ହୋଇଗଲା। ଏହି ଦୁର୍ଘଟଣା କିନ୍ତୁ ଅନ୍ୟାନ୍ୟ ସହଯାତ୍ରୀ ଖେଳାଳୀଙ୍କ ଭିତରେ ଆଦୌ କୌଣସି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ କିମ୍ୱା ଆଲୋଡନ ସୃଷ୍ଟି କଲାନାହିଁ।

ଏହା ଦେଖି ଯାତ୍ରୀ ଏ ସମ୍ୱନ୍ଧରେ ଅନ୍ୟାନ୍ୟ ଯାତ୍ରୀଙ୍କୁ ସଚେତନ କରାଇ ଦେଇ କହିଲା - ଦେଖ, ତୁମରି ଭିତରୁ ଜଣେ ଖେଳାଳୀ କେଉଁଆଡେ଼ ଅଦୃଶ୍ୟ ହୋଇ ଗଲାଣି। ଖେଳାଳୀମାନେ ବଡ଼ ନିର୍ବିଚାରରେ କାନ୍ଧ ହଲେଇ କହିଲେ ଏଭଳି ଘଟଣା ପ୍ରାୟତଃ ସବୁ ସମୟରେ ଘଟିଥାଏ। ମଣିଷମାନେ ହଠାତ‌୍‍ କେଉଁଆଡେ଼ ହଜି ଯାଆନ୍ତି ଜାହାଜ ଉପରୁ ଏବଂ ଆଉ କେବେବି ଦେଖା ଯାଆନ୍ତି ନାହିଁ। ଏକଥା ଶୁଣିବା ପରେ ଯାତ୍ରୀଟି ଡେକ୍ ଉପରେ ଅନ୍ୟ ଆଡେ଼ ଗଲା ଏବଂ ଦେଖିଲା ଖେଳୁଥିବା ଅନ୍ୟାନ୍ୟ ଖେଳାଳୀଙ୍କ ଭିତରୁ କେହି କେହି ହଠାତ ରୋଗାକ୍ରାନ୍ତ ହୋଇ ପଡ଼ୁଛନ୍ତି କିମ୍ୱା କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେ ଖୁବ୍ ଭୟ ପାଇଗଲା। ସଚେତନ ହୋଇ ଭାବିଲା ଏ ଜାହାଜ ଉପରେ ଏକି ଅଦ୍ଭୁତ ଘଟଣା ସବୁ ଘଟି ଚାଲିଛି? ଜାହାଜରେ ଏତେ ଯାତ୍ରୀ ଯାତ୍ରା କରୁଛନ୍ତି ସତ ଅଥଚ କାହାରି ଜ୍ଞାନ ନାହିଁ ସେ ଜାହାଜ ଉପରକୁ ସେମାନେ କିପରି ଆସିଲେ? ଜ୍ଞାନ ମଧ୍ୟ ନାହିଁ ଜାହାଜ କେଉଁଠାରୁ ବାହାରି ଅଛି ଏବଂ କେଉଁ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି? ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଜାହାଜରେ ଯାତ୍ରା କରୁଥିବା ସହଯାତ୍ରୀମାନେ ସେମାନଙ୍କର ନିଜ ନିଜ ଖେଳରେ ଏତେ ବ୍ୟସ୍ତ ଯେ ସେମାନେ ମୁକ୍ତ କଣ୍ଠରେ ସ୍ୱୀକାର କରୁଛନ୍ତି ସେମାନେ ଜାଣନ୍ତି ନାହିଁ କେତେଦିନ ଧରି ସେମାନେ ଏ ଜାହାଜ ଉପରେ ରହିବେ?

କେବେ ସେହି ଅଦୃଶ୍ୟ ଶକ୍ତି ସେମାନଙ୍କୁ ଟାଣିନେଇ ଉଭାନ କରିଦେବ କିମ୍ବା କେବେ ସେମାନେ ଅନ୍ୟ ଯାତ୍ରୀଙ୍କ ପରି ଦୁର୍ଘଟଣାଗ୍ରସ୍ତ ହେବେ କିମ୍ବା ରୋଗରେ ପଡ଼ିବେ। କ’ଣ, କାହିଁକି, କେତେ ଦିନ ପାଇଁ ଏସବୁ ଆଦୌ ନଜାଣି ମଧ୍ୟ ଯାତ୍ରୀମାନେ ଏହି ଅସ୍ବାଭାବିକତାକୁ ସ୍ବାଭାବିକ ଭାବେ ଗ୍ରହଣ କରି ନେଇଛନ୍ତି। ଏ ସମ୍ୱନ୍ଧରେ ସେମାନେ କେହି ଆଦୌ ଗୁରୁତ୍ବର ସହ ଚିନ୍ତା କରିବାକୁ ଚାହାନ୍ତି ନାହିଁ ବରଂ ନିଜ ନିଜର ଖେଳରେ ମଜ୍ଜି ଯିବାକୁ ହଜି ଯିବାକୁ ଚାହାନ୍ତି। ଖେଳରେ ମାତି ବାସ୍ତବତାକୁ ଆଡେ଼ଇ ଯିବାକୁ ଚାହାନ୍ତି।

ଏ ପୃଥିବୀ ପୃଷ୍ଠରେ ଏହା ହିଁ ଘଟି ଚାଲିଛି। ପୃଥିବୀ ହେଉଛି ସେହି ଜାହାଜ ଯାହା ସମୟ ସାଗରରେ ଘୂରି ବୁଲୁଛି। ଏବଂ ପୃଥିବୀ ନାମକ ଏହି ଜାହାଜ ଉପରେ ହଠାତ ଦିନେ ତୁମେ ତୁମ ନିଜକୁ ପାଇଥାଅ। ଯଦିଓ ତୁମେ ଜାଣନାହିଁ ତୁମେ କେଉଁଠାରୁ ଆସିଛ। ତୁମେ ଏୟା ମଧ୍ୟ ଜାଣନାହିଁ ତୁମେ କେଉଁଆଡେ଼ ଯାଉଛ। ତୁମ ଆଖି ଆଗରେ ମଣିଷ ଆସନ୍ତି, ବୁଢ଼ା ହୁଅନ୍ତି, ରୋଗରେ ପଡ଼ନ୍ତି ଏବଂ ମରି ଯାଆନ୍ତି। ତୁମେ ଏ ସମ୍ବନ୍ଧରେ ଜାଣିବାକୁ ହୁଏତ ଚାହିଁଥାଅ କିନ୍ତୁ ତୁମ ପ୍ରଶ୍ନ ପ୍ରତି କେହି ଆଗ୍ରହ ଦେଖାନ୍ତି ନାହିଁ। ବାସ୍ତବରେ ଯେବେବି ତୁମେ କାହାରିକୁ ପଚାରି ବସ ‘ମୃତ୍ୟୁ କ’ଣ ?’, ଅପର ମଣିଷଟିକୁ ଏ ପ୍ରଶ୍ନ ରୁଚିକର ମନେ ହୁଏ ନାହିଁ। ସେ ଏ ପ୍ରଶ୍ନକୁ ଏଡ଼ାଇ ଯିବାକୁ ଚାହେଁ। ଏ ବିଷୟରେ ଆଲୋଚନା କରିବାକୁ ମଧ୍ୟ ଚାହେଁ ନାହିଁ। ତୁମେ ଯେ ଜଣେ ନିରାଶାବାଦୀ ମଣିଷ ସଭିଏଁ ଭାବି ଥାଆନ୍ତି। ମୃତ୍ୟୁ ଭଳି ଏକ ଅଶୁଭ, ଅସୁନ୍ଦର କଥାକୁ ଏଡ଼ାଇ ଯିବାକୁ ପ୍ରତ୍ୟେକ ଚାହାନ୍ତି। ‘ମୃତ୍ୟୁ’ ଶବ୍ଦ ତୁମକୁ ଭୟଭୀତ କରାଇ ଦିଏ। ଏପରିକି ଯେବେବି କାହାର ମୃତ୍ୟୁ ହୋଇଯାଏ ଲୋକମାନେ ମୃତ୍ୟୁ ଶବ୍ଦକୁ ବ୍ୟବହାର କରିବାକୁ ସୁଖ ପାଆନ୍ତି ନାହିଁ। ତେଣୁ ଆମେମାନେ କହିଥାଉ ଅମୁକ ଲୋକ ସ୍ବର୍ଗାରୋହଣ କଲେ, ଏ ଧରାଧାମ ତ୍ୟାଗ କଲେ, ଇହଲୀଳା ସମ୍ବରଣ କଲେ, ଆରପାରିକୁ ଚାଲିଗଲେ ଇତ୍ୟାଦି। ମଣିଷ ଖୁବ ଚତୁର। କେବଳ ମାତ୍ର ମୃତ୍ୟୁ ଶବ୍ଦ ସହ ସାମ୍ନାସାମ୍ନି ନ ହେବା ପାଇଁ ଯେତେସବୁ ଅଳଙ୍କାରିକ ଶବ୍ଦ ସହ ଖେଳ। ସେ ମରିଗଲା - ଏହି ସତ୍ୟକୁ ସ୍ବୀକାର କରିବାକୁ ମଣିଷ କେବେବି ପ୍ରସ୍ତୁତ ହୋଇପାରେ ନାହିଁ। ଜଣଙ୍କର ମୃତ୍ୟୁ ଅର୍ଥ ଦିନେ ନା ଦିନେ ଆମର ମଧ୍ୟ ମୃତ୍ୟୁ ହେବ। ତେଣୁ ଭଲ ହେବ ଏହାକୁ ନଜର ଅନ୍ଦାଜ କରିଗଲେ।

ଆଉ ଏ ପୃଥିବୀ ନାମକ ଜାହାଜ ଉପରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀ ନିଜ ନିଜର ଖେଳରେ ମାତି ଯାଇଛନ୍ତି। କେହି ରାଜନୀତିର ଅନ୍ଧଖେଳରେ ମାତି ଯାଇଛି। ସେ ଚାହେଁ ମୁଖ୍ୟମନ୍ତ୍ରୀ ହେବ, ପ୍ରଧାନମନ୍ତ୍ରୀ ହେବ, ରାଷ୍ଟ୍ରପତି ହେବ। କିନ୍ତୁ କିଛି ନା କିଛି ହେବ ନିଶ୍ଚୟ। ଆଉ କେହି ଟଙ୍କା ଖେଳରେ ମାତି ଯାଇଛନ୍ତି। ଯେତେ ଅର୍ଥ ରୋଜଗାର କଲେ ମଧ୍ୟ ସେମାନଙ୍କର ମୁଣା ପୂରୁନାହିଁ। ତେଣୁ ସେମାନଙ୍କର ଆହୁରି ଟଙ୍କା ଆହୁରି ଟଙ୍କା ଦରକାର। ସେଥିପାଇଁ ଅନ୍ୟର ଗଳାକାଟିବାକୁ ହେଲେ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଅନ୍ୟକୁ ଠକି, ଶୋଷଣ କରି, ଦୁର୍ନୀତି କରି ଟଙ୍କା ଠୁଳ ହେବା ଦରକାର। ଆଉ କେହି ଜ୍ଞାନ ଠୁଳ କରିବାରେ, ପଣ୍ଡିତ ହେବା ଖେଳରେ ମାତିଛନ୍ତି। କେତେବଡ଼ ବିଦ୍ବାନ ହେବେ। ପଣ୍ଡିତ ହେବେ। ଆଉ କେହି ଧର୍ମଗୁରୁ ହେବା ଖେଳରେ ମାତିଛନ୍ତି। ଗୁରୁ, ସଦ‌୍‍ଗୁରୁ, ଜଗତ‌୍‍ଗୁରୁ - ଗୁରୁବାଦର କେତେ ସୋପାନ। ଧର୍ମକୁ ଅଧାର କରି ବେପାରୀ ଖେଳରେ ମସଗୁଲ। ଏଇମିତି କେତେ କେତେ ଖେଳରେ ଯାତ୍ରୀମାନେ ମାତି ଯାଇଛନ୍ତି ପୃଥିବୀ ପୃଷ୍ଠରେ।

ଏଇ ଯେତେସବୁ ଖେଳ ମଣିଷ ଉଦ୍ଭାବନ କରିଛି ସେ ସବୁର ଉଦ୍ଦେଶ୍ୟ ହେଲା ଜୀବନର ଅସଲ ସମସ୍ୟାକୁ ଆଡେ଼ଇ ଯିବା ପାଇଁ। କିନ୍ତୁ ଏ ଜୀବନ ହେଉଛି ଏକ ରହସ୍ୟ, ଆଦୌ ସମସ୍ୟା ନୁହେଁ। ପ୍ରକୃତ ଜୀବନରେ ତୁମେ କିଛି ହିଁ ସମାଧାନ କରି ପାରିବ ନାହିଁ। କାରଣ ଜୀବନ ଯେତେବେଳେ ରହସ୍ୟ, ମୃତ୍ୟୁ ମଧ୍ୟ ଏକ ରହସ୍ୟ। ଏ ରହସ୍ୟକୁ ତୁମକୁ ସ୍ବୀକାର କରି ନେବାକୁ ପଡ଼ିବ। ସ୍ବୀକାର କରି ନେବାରେ ହିଁ ଜୀବନରେ ଉତ୍ତରଣ ଆସିଥାଏ। ଉତ୍ତରଣ ଦ୍ୱାରା ଅନ୍ବେଷଣର ବୀଜ ରୋପଣ ହୋଇଥାଏ। ଏ ପୃଥିବୀ ପୃଷ୍ଠରେ ତୁମର ଆଗମନ, କାହିଁକି ଆସିଛ, କେଉଁଆଡେ଼ ଯାତ୍ରା କରୁଛ ଏଥିପ୍ରତି ତୁମେ ସଚେତନ ହୋଇଉଠ। ନାଇଁ ଯଦି କେବଳ ମାତ୍ର ଖେଳରେ ମାତି ରହିଲ ତେବେ ଜାହାଜ ଉପର ଦୁର୍ଘଟଣା ହିଁ ତୁମକୁ କେବଳ ଅପେକ୍ଷା କରିବ।

ଲୋକମାନେ ଚେସ୍ କେତେ ଗମ୍ଭୀରତାର ସହ ଖେଳୁଥିବାର ତୁମେ ଦେଖିଛ? ସେ ସବୁ କିନ୍ତୁ ମିଛ। ଖେଳର ସେ ରାଜା, ରାଣୀ, ହାତୀ, ଘୋଡ଼ା ସବୁକିଛି ମିଛ। ସବୁ କିଛି ସାଙ୍କେତିକ। କିନ୍ତୁ ଲୋକେ ସିମ୍ବଲ୍ ସହ ଏପରି ଯୋଡ଼ି ହୋଇ ଯାଆନ୍ତି ଯେ ସେମାନେ ଭୁଲି ଯାଆନ୍ତି ଏ ଜୀବନ କିନ୍ତୁ ସତ୍ୟ। ସତ୍ୟର ଅନ୍ବେଷଣରେ - କେହି ବାହାରିବାକୁ ଚାହାନ୍ତି ନାହିଁ। ପ୍ରତ୍ୟେକ ଜାହାଜ ଉପରେ ମିଛ ଖେଳରେ ମାତି ଥାଆନ୍ତି। କିନ୍ତୁ ପ୍ରଶ୍ନ ଉଠେ ଜୀବନକୁ ଆଡେ଼ଇ ଯାଇ ମିଛ ଖେଳରେ ମାତି ରହିଲେ ମଣିଷ ଶେଷରେ ପହଞ୍ଚିବ କେଉଁଠାରେ??? ଉତ୍ତର ଆପଣ ଖୋଜିବେ।

ପ୍ରଜ୍ଞାଲୋକ, ତଳମାଳି ସାହି, ପୁରୀ-୨

ମୋ- ୯୯୩୭୬୪୯୮୯୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top