ମାର୍.. ମନୁଆଁ ମାର୍...

News Story - Posted on 2016-04-01

ହୃଷୀକେଶ ପଣ୍ଡା

 

ଗୁଡ଼ାଏ ଲୋକଙ୍କ ପାଟିତୁଣ୍ଡ, ହଇଚଇରେ ଭୋରରୁ ନିଦ ଭାଙ୍ଗିଗଲା। ପାନଦୋକାନ ବାରଣ୍ଡାରେ କଡ଼ ଲେଉଟେଇ,  ଦି’ହାତ ଆଙ୍ଗୁଳିରେ ଆଖିରୁ ଲେଞ୍ଜରା ପୋଛି, ଗୋଟାଏ ବେପରୱା ହାଇମାରି ଆଖି ଖୋଲିଲା ମନୁଆଁ। ଦି’ବର୍ଷ ପାଖାପାଖି ହବ ସେ ଏଇ ଦୋକାନ ବାରଣ୍ଡାରେ ଆସ୍ଥାନ ଜମେଇ ରହି ଆସୁଚି। ଦିନସାରା ବଜାରରେ ବୁଲି ବୁଲି ସମୟ କଟେ, ନହେଲେ କେବେ କୁଆଡେ ଉଭାନ‌୍‍ ହେଇଯାଏ, ପୁଣି ରାତି ହେଲେ, ଦୋକାନବଜାର ବନ୍ଦ ହବାବେଳକୁ ଆସି ହାଜର ହେଇଯାଏ ନିଜ ଆସ୍ଥାନରେ।

କି ଖରା କି ବର୍ଷା କି ଶୀତ, ସେଇ ଖୋଲା ବାରଣ୍ଡାରେ ସାରାରାତି ପଡ଼ିଥାଏ ଚାରିକାତ ମେଲେଇ। କେତେବେଳେ ତାରା ଭର୍ତ୍ତି ଖୋଲା ଆକାଶର ମନମତାଣିଆ ପବନରେ ମସଗୁଲ୍ ହେଇ ତ, କେତେବେଳେ ଜହ୍ନର ତୋଫା ଆଲୁଅରେ ମନକୁ ମନ ମୁରୁକି ହସି ହସି। ପୁଣି କେବେ ଆକାଶରେ ତାଣ୍ଡବ ସୁରୁ ହେଲେ, କଳା ମଚମଚ ବଜାରଟା ବିଜୁଳି ଝଟରେ ଚିରି ଫାଳଫାଳ ହେଇଗଲେ, ରାତି ତମାମ ବଜ୍ରପାତରେ ବଜାରଟା ବାଉଳିଚାଉଳି ହେଲାବେଳେ, ମନୁଆଁ ସେମିତି ପଡ଼ିଥାଏ ନିଧଡ଼କ, ନିର୍ବିକାର। ଜାଡ଼ ପଡ଼ିଲେ ଜାକିଜୁକି ହେଇ, ନହେଲେ କେବେ କେମିତି କାଗଜ ଟୁକୁରାରେ ନିଆଁ ଲଗେଇ ଦେହକୁ ଉଷୁମ୍ କରି ରାତି ବିତାଏ। ଋତୁ ବଦଳୁଥାଏ ରୀତିମତ, ହେଲେ ମନୁଆଁ ଯେମିତିକୁ ସେମିତି। କିଛି ବି ପରିବର୍ତ୍ତନ ହୁଏନି ତା’ ଜୀବନରେ, ତା’ ଦିନଚର୍ଯ୍ୟାରେ। ସମୟ ଆଉ ମନୁଆଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଯେମିତି। କେହି କାହାକୁ ଅପେକ୍ଷା କରିବାର ନାହିଁ। ପଛକୁ ଫେରି ଚାହିଁବାର ବି ନାହିଁ। ସବୁକିଛି ବଦଳୁଥାଏ, ଆଗପଛ ହଉଥାଏ, ହେଲେ ମନୁଆଁଠି ସେସବୁର କିଛି ପ୍ରଭାବ ପଡେ଼ନି। ଅସର୍ ବି ହୁଏନି।

ବୟସ ବେଶି ନୁହେଁ, ଏଇ ତିରିଶି କି ପଇଁତିରିଶି ପାଖାପାଖି। ଚଉଡ଼ା ବପୁ, କଳା ମଚମଚ ଚେହେରା। ଦେଖିଲେ ଲାଗେ ଦେହରେ ବହୁତ ଶକ୍ତି ଏଯାଏ ବି ମହଜୁଦ ଅଛି। ଖରାବଷାର୍ରେ, ଶୀତକାକରରେ ଦେହର ସତେଜତା ନଷ୍ଟ ହେଇଯାଇଚି ସିନା, ବଳବୟସ ସେମିତି ଅକ୍ଷୂଣ୍ଣ ରହିଚି। କାହାକୁ ମାର‌୍‍ଧର କରେନି, ଉତ୍ପାତ ଉତ୍ପୀଡନ କରେନି କି କାହାକୁ ଭୟଭୀତ କରେଇବାକୁ ଚେଷ୍ଟା କରେନି। ସବୁବେଳେ ମଇଳା ଛିଣ୍ଡା ପ୍ୟାଣ୍ଟସାର୍ଟ ତା’ ଦେହରେ ଦୋହୁଲୁ ଥାଏ। କେବେ ବିବସ୍ତ୍ର ହେଇ ବୁଲୁଥିବାର କେହି ଦେଖିନାହିଁ। ସେ ତା’ର ଚୁପଚାପ‌୍‍ ଗୋଟାଏ ଲୁଗା ଗଣ୍ଠିଲି, ଯାହାକି ତା’ର ଅମୂଲ୍ୟ ସମ୍ପତ୍ତି, ସେଇଟାକୁ କେବେ ହାତଛଡ଼ା ନକରି ତା’ କାମରେ ବ୍ୟସ୍ତଥାଏ। ସବୁଠୁ ବଡ଼କଥା ହେଲା, ପାଗଳାଟା ଏଇ ବଜାରକୁ ଆସିବା ପରଠାରୁ କୋଉଠି ଗୋଟେ କାଗଜ ଟୁକୁରାବି ପକେଇବାକୁ ଦିଏନି। ସକାଳୁ ଉଠି ବଜାରଯାକର ଅଳିଆ ସଫାକରେ। ଜରି, କାଗଜ ଟୁକୁରା ଯାହାବି ପାଏ ସିମେଣ୍ଟ ଅଖାରେ ଭର୍ତ୍ତିକରି ରଖେ। ସେ କେବଳ ସେତିକି ବେଳେ ଭୟଙ୍କର ଦେଖାଯାଏ, ଯେତେବେଳେ କେହି ସେ ଅଖାରେ ହାତମାରେ କି ନେଇଯିବାକୁ ଚେଷ୍ଟାକରେ। ଅଖାଗୁଡ଼ାକୁ ଥାକମାରି ରଖି ତାକୁଇ ଦିନସାରା ଏପଟସେପଟ କରୁଥାଏ। ଯେମିତି ସେଇ ଅଖାଗୁଡ଼ାକ ତା’ର ସଂସାର, ସଂପତ୍ତି, ସବୁକିଛି।

ଦିନକର ଘଟଣା। ସକାଳୁ ସକାଳୁ ମ୍ୟୁନିସିପାଲିଟି ଗାଡ଼ି ଆସି ଅଖାଗୁଡ଼ାକୁ ନେଇ ଚାଲିଗଲା। ପାଗଳା ଦେଖିଲା ତା’ ସଂସାର ଉଜୁଡ଼ି ଯାଇଚି, ସର୍ବସ୍ୱ ଲୁଟ୍ ହେଇଯାଇଛି। ସେଦିନ ସେ ଏତେ ଭୟଙ୍କର, ଏତେ ବିକଟାଳ ଗର୍ଜନ କରି ବଜାରଟା ଯାକ ଛିନଛତ୍ର କରିପକେଇଲା ଯେ, ଲୋକମାନେ ତା’ ପ୍ରକୋପ ଦେଖି ଡରିଗଲେ। ଯାହାକୁ ଦେଖୁଥାଏ, ତା’ ଅଖାକଥା ହିଁ ପଚାରୁଥାଏ। ମନକୁ ମନ କାନ୍ଦୁଥାଏ। ଏଗଳି ସେଗଳି ଦଉଡ଼ୁଥାଏ। ମଝିରେ ମନଦୁଃଖରେ ବସି ମୁଣ୍ଡବାଳକୁ ଟାଣିଓଟାରି ପ୍ରତିକ୍ରିୟା ପ୍ରକାଶ କରୁଥାଏ। ସେଦିନର ସେଇ ଘଟଣାକୁ ଭୁଲିବାକୁ ତାକୁ ପ୍ରାୟ ଦଶ କି ପନ୍ଦର ଦିନ ଲାଗିଗଲା। ପୂର୍ବରୁ ତା’ର ଏପରି ପ୍ରଚଣ୍ଡ ପ୍ରତିକ୍ରିୟାତ୍ମକ ଏବଂ ଆକ୍ରମଣାତ୍ମକ ଚେହେରା କେହି ଦେଖିନଥିଲେ।

ମୋଟାମୋଟି ଭାବେ ପାଗଳଟି କାହା ପାଇଁ ମୁଣ୍ଡବ୍ୟଥାର କାରଣ ନଥିଲା କି ତାକୁ କେହି ଭୟ ବି କରୁନଥିଲେ। ବରଂ ବଜାରର ପରିମଳ ବ୍ୟବସ୍ଥାରେ ତା’ର ସହଯୋଗ ଲୋକଙ୍କ ମନରେ ତା’ ପ୍ରତି ଆଦର ଏବଂ ସମବେଦନା ଭରି ଦେଇଥିଲା। ଦୋକାନୀମାନେ ସ୍ୱଇଚ୍ଛାରେ ତାକୁ ଖାଇବାକୁ, କେହି ପୁରୁଣା ଜାମା କି ପ୍ୟାଣ୍ଟଟାଏ, ଶୀତଦିନେ ଚାଦରଟାଏ କି କମ୍ୱଳଟାଏ ଦବାକୁ କୁଣ୍ଠା କରୁନଥିଲେ। ସବୁଠୁ ବଡ଼କଥା ହେଲା, ବିନା ଚୌକିଦାରରେ, ବିନା ରାତି ଜଗୁଆଳିରେ ବଜାରଟା ନିରାପଦରେ ନିଃଶ୍ୱାସ ମାରିପାରୁଥିଲା। ଲୋକମାନେ ଆଦରରେ ତା’ ନାଁ ଦେଇଥିଲେ ମନୁଆଁ ପାଗଳା। ମନୁଆଁ ଏଇଥିପାଇଁ ଯେ ସେ ଭାରି ଚୁପଚାପ୍, ଖୁମାଣ ସ୍ୱଭାବର ଥିଲା ଏବଂ ପାଗଳ ଏଇଥିପାଇଁ ଯେ ତା’ର ଜୀବନନିର୍ବାହ ଜଣେ ସ୍ୱାଭାବିକ ମଣିଷ ପରି ନଥିଲା। ସେଇ ନାଁରେ ସେ ପୂରା ବଜାରଟାରେ ପରିଚିତ ଥିଲା।

ସକାଳୁ ସକାଳୁ ଲୋକମାନେ ବଜାରଟାରେ ଭିଡ଼ ଜମେଇଚନ୍ତି। ବସ୍ ଥୁଆ ହେଇଚି। ଆଗରେ ବ୍ୟାନର୍ ଟଙ୍ଗା ହେଇଚି। ଲୋକମାନଙ୍କ ମନରେ ଉତ୍ସାହ, ଉଦ୍ଦୀପନା ଭରପୂର। ରାଜଧାନୀରେ ବିରାଟବଡ଼ ଶୋଭାଯାତ୍ରା। ସାରା ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଆସିବେ। ବଡ଼ ବଡ଼ ନେତାମାନେ ଆସିବେ। ଖାଇବା ପିଇବା, ଯିବାଆସିବା ସବୁ ମାଗଣା। ତା’ ସାଙ୍ଗକୁ ରହିଚି ହାତଖର୍ଚ୍ଚ। ରାଜଧାନୀର ଲୋଭନୀୟ ରାସ୍ତା, ବଡ଼ବଡ଼ କୋଠାବାଡ଼ି, ଲିଙ୍ଗରାଜ ମନ୍ଦିର, ସଚିବାଳୟ ଏମିତି କେତେ କ’ଣ ଦେଖାହବ। ଗୋଟାଏ ମାଗଣା ଆମୋଦଦାୟକ ପିକନିକ କହିଲେ ଚଳେ।

ମନୁଆଁ ପାଗଳା ବଲବଲ୍ କରି ଚାହିଁଥିଲା ସେମାନଙ୍କୁ। କେତେ ଭେଣ୍ଡା, କେତେ ବୁଢା, ଦରବୁଢା ଚଇନିଚିକ୍କଣ ହେଇ ନଟରପଟର ହଉଚନ୍ତି। ବରଯାତ୍ରୀ ଶୋଭାଯାତ୍ରାରେ ଗଲାବେଳେ ୟେ ବଜାରରେ ଏମିତି ଭିଡ଼ ଜମିବାର ସେ ଦେଖିଚି। ପାଣିପାଉଚ, ଜଳଖିଆ ପ୍ୟାକେଟ, ମଦବୋତଲ‌୍‍ ଯାହାକୁ ଯେତେ। କୋଉଥିରେ ଅଭାବ ନାହିଁ। କେବେ କେମିତି ସେମାନେ ତାକୁ ପାଣି ପାଉଚଟେ, ପ୍ୟାକେଟରେ ବଳିଥିବା ବରା କି ସିଙ୍ଗଡାଟେ ନହଲେ ପାଗଳାକୁ ବେହାଲ ନଚେଇବା ପାଇଁ ବୋତଲରୁ କିଛି ଧରେଇ ଦିଅନ୍ତି। ସେମାନଙ୍କ ସହ ମତୁଆଲା ହେଇ ସେ ବି ନାଚେ। ନାଚିନାଚି ବେଦମ‌୍‍ କରିଦିଏ ସମସ୍ତଙ୍କୁ। ବାଜା ସରିଯାଏ ହେଲେ ତା’ ନାଚ ସରେନି। ମନୁଆଁ ପାଗଳା ସାଙ୍ଗରେ ଥିଲେ ପ୍ରସେସନ‌୍‍ର ଭରପୂର ମଜା ମିଳେ। ହେଲେ ଆଜି ଏତେ ଲୋକ, ଏତେ ସଜବାଜ, ଯେମିତି କ’ଣ ଗୋଟେ ବଡ଼ ଶୋଭାଯାତ୍ରା ବାହାରିବ କି କ’ଣ ?

ଅଗତ୍ୟା ମନୁଆଁ ଅଣ୍ଟା ସଳଖି, ଝାଡ଼ିଝୁଡ଼ି ହେଇ, ତା’ର ଚିରାଚରିତ ଢଙ୍ଗରେ ସେମାନଙ୍କୁ ଦେଖି ମନକୁ ମନ ଦାନ୍ତ ନିକୁଟି ହସିଲା। ସେମାନଙ୍କ ଆନନ୍ଦ, ଉତ୍ସାହରେ ନିଜକୁ ସାମିଲ କରି ମଜା ଲୁଟୁଥିବାର ଅଭିନୟ କଲା। ସେ ବି ଭାରି ବ୍ୟସ୍ତ ଥିଲାପରି ଲୋକମାନଙ୍କ ଭିତରେ ପଶି ଏପଟ ସେପଟ ହେଲା। ବଜାରର କିଛି ଚିହ୍ନା ମୁହଁଙ୍କୁ ଦେଖି ତା’ର ଖୁସି ଜାହିର କଲା। ସେମାନଙ୍କ ଭିତରେ ଜଣେ ବୋଲି ଜଣେଇବାକୁ ଚେଷ୍ଟା କଲା।

ଜଣେ କିଏ କହିଲା - ଚାଲବେ ମନୁଆଟାକୁ ସାଙ୍ଗରେ ନେଇଯିବା। ବସ‌୍‍ ଭିତରେ ଭାରି ମଜା ହବ। ଶଳାକୁ ଟିକେ ବିଦେଶୀ ପିଆଇଦେଲେ ଯେତେ ନଚଉଥିବୁ ନଚଉଥା। ହସି ହସି ତମ ପାଟି ଦରଜ ହେଇଯିବ ପଛେ ତା’ ନାଚ ସରିବନି।

ଏପର୍ଯ୍ୟନ୍ତ କାହା ମୁଣ୍ଡରେ ପଶିନଥିଲା ଏଇ ଆଇଡିଆଟା। ସମସ୍ତେ ଫଟାଫଟ‌୍‍ ରାଜି ହେଇଗଲେ। ଘରକୁ ଦଉଡ଼ିଯାଇ ଜଣେ କିଏ ମନୁଆ ପାଇଁ ପୁରୁଣା ସାର୍ଟଟାଏ, ଆଉ କିଏ ପ୍ୟାଣ୍ଟଟେ, କିଏ ଚପଲ ହଳେ ନେଇ ଆସିଲା। ନହେଲେ ପାଗଳାଟା ବୋଲି ଧରା ପଡ଼ିଯିବ ନି ?

ମନୁଆଁ ପ୍ୟାଣ୍ଟସାର୍ଟ ପିନ୍ଧି ଭାରି ସୁନ୍ଦର ଦେଖାଗଲା ଅନ୍ୟମାନଙ୍କ ପରି। ଆଉ ପାଞ୍ଚ ପଚାଶଙ୍କ ପରି ସିଏ ବି ମଣିଷ ମେଳରେ ମିଶିଗଲା। ହଜିଗଲା। ମିଳେଇଗଲା। ଦେଖିଲେ କିଏ କହିବ ମନୁଆଁଟା ଗୋଟେ ପାଗଳା ବୋଲି?  ଲାଗିଲା, ସିଏବି ଏତେ ଲୋକଙ୍କ ଭିତରେ, ସମାଜର ମୁଖ୍ୟ ସ୍ରୋତରେ ସାମିଲ‌୍‍ ଜଣେ ଦାୟିତ୍ୱବାନ‌୍‍ ସୁନାଗରିକ। ସମସ୍ତଙ୍କ ପରି ସେ ରାଜଧାନୀ ଯିବ। ବିକ୍ଷୋଭରେ ସାମିଲ‌୍‍ ହବ। ସରକାର ବିରୋଧରେ ନାରା ଲଗେଇବ। ବ୍ୟାରିକେଡ଼ ଭାଙ୍ଗି ବିଧାନସଭା ଘେରଉ କରିବ। ରାଜଧାନୀର ସୁଉଚ୍ଚ ଅଟ୍ଟାଳିକା, ପ୍ରଶସ୍ତ ଚଉଡ଼ା ରାସ୍ତା, ଭଳି ଭଳି ଲୋକ, ଦୋକାନବଜାର, ଠାକୁରମନ୍ଦିର ଦେଖିବ। କେତେ କ’ଣ ଅପାଶୋରା ସ୍ମୃତି ଆଉ ଅନୁଭୂତି ନେଇ ଫେରିଆସିବ ତା’ ଛୋଟ ବଜାରକୁ। ପାନ ଦୋକାନର ଅଣଓସାରିଆ ସେଇ ଆପଣାର ଆସ୍ଥାନକୁ।

ହୋ-ହା ଭିତରେ, ଠେଲାପେଲା ଭିତରେ ଗାଡ଼ି ଚଢିଲା ବେଳେ ମନୁଆଁ ପଛକୁ ବୁଲି ଚାହିଁଲା। ବାରଣ୍ଡାର ଗୋଟେ କଣକୁ ଠେସା ହେଇ ରହିଚି ତା’ ଗଣ୍ଠିଲି। ଭାରି ବ୍ୟସ୍ତ ଲାଗିଲା ତାକୁ। ଭାବିଲା ଓହ୍ଲେଇପଡ଼ି ନେଇ ଆସିବ। ହେଲେ ଲୋକମାନେ ତାକୁ ଠେଲିଠେଲି ନେଇଗଲେ ଭିତରକୁ। ଖୁନ୍ଦିଦେଲେ ନେଇ ମଝିରେ। ସେଇ ଠେଲାପେଲା ଭିତରେ, ହୋ-ହା ଭିତରେ ମନୁଆଁ ନିମିଷକରେ ହଜିଗଲା, ମଜ୍ଜିଗଲା, ଅନ୍ୟମାନଙ୍କ ସାଙ୍ଗରେ ଗୋଟାପଣେ ସାମିଲ‌୍‍ ହେଇଗଲା। ବରା, ସିଙ୍ଗଡ଼ା ଖାଇଲା। ପାଉଚ‌୍‍ ପାଣି ପିଇଲା। ସିଗାରେଟ‌୍‍ ଫୁଙ୍କିଲା। ଅନ୍ୟମାନଙ୍କୁ ଅନୁକରଣ କରି କୁଣ୍ଡଳୀ କାଟି ଧୂଆଁ ଛାଡ଼ିଲା। ଯାହାର ଯାହା ବଳିଲା, ମନୁଆଁ ହାତକୁ ବଢେଇଦେଲେ। ମନୁଆଁତ ନିର୍ବିକାର, ନିର୍ଲିପ୍ତ। ସିଏ ‘ପଦ୍ମପତ୍ରମିବାମ୍ଭସା’ ପରି ସଦା ଛଳଛଳ, ଢଳଢଳ। ସବୁଥିରେ ଅଛି, ହେଲେ କୋଉଥିରେ ନାହିଁ। ତା’ର କୋଉଥିରେ ଆସକ୍ତି ନାହିଁ କି ଆକର୍ଷଣ ନାହିଁ। ଲେନ୍ ନାହିଁ କି ଦେନ୍ ନାହିଁ। ସେ ଏଇ ଅଛି ଏଇ ନାହିଁ। ଯୋଉଥିରେ ମିଶେଇଦେଲେ ମିଶିଯିବ, ଯୋଉଥିରେ ଫେଣ୍ଟିଦେଲେ ଫେଣ୍ଟି ହେଇଯିବ। ତାକୁ ଖୋଜିଲେ ମିଳିବ, ନଖୋଜିଲେ ସେଇଠି ଥାଇବି ମିଳିବନି। ଉଭାନ୍ ହେଇଯିବ। ନାଁ ପଚାରିଲେ ନିର୍ବାକ‌୍‍ ନେଫଡେ଼ଇବ ଦାନ୍ତଭାଡ଼ି। ତା’ର କୋଉ ଠିକଣା ଅଛି ଯେ ବତେଇବ। ଯୋଉଠି ବସିପଡ଼ିଲା ସେଇଟା ତା’ ପାଇଁ ବାଇଶିପାହାଚ। ଯୋଉଠି ଶୋଇପଡ଼ିଲା ସେଇଟା ତା’ ପାଇଁ ଶରଧାବାଲି। ଯୋଉଠି ଗାଧେଇଲା ସେଇଟା ତା’ ପାଇଁ ମହୋଦଧି। ତାକୁ ପାଉଚ‌୍‍ ଦେଲେ କେତେ, ବରା ଦେଲେ କେତେ, ମଦ ଦେଲେ କେତେ, ନଦେଲେ କେତେ ? ତା’ର କୋଉଥିରେ କିଛି ଯାଏଆସେ ନାହିଁ। ଦେଲେ ହସହସ ବଦନରେ ସବୁ ଗ୍ରହଣ କରିବ ଆଉ ନଦେଲେ ଓଠଖୋଲି ଥରୁଟାଏ ବି ମାଗିବନି। ବିକଳ ଭାବ ପ୍ରକଟ କରିବନି। ତା’ର କିଛି ବୋଲିତ ନାହିଁ, କାହିଁକି କୋଉଥିରେ କବଳିତ ହବ ? କେବଳ ଯାହା ସେଇ ଗଣ୍ଠିଲିଟା, ତା’ର ସଂସାର। ତା’ ପାଇଁ ବିଶ୍ୱବ୍ରହ୍ମାଣ୍ଡ। ତାକୁ ସେ ନିତି ଖୋଲେ, ନିତି ଦେଖେ ପୁଣି ବାନ୍ଧିବୁନ୍ଧି ରଖିଦିଏ। ସେ ରହସ୍ୟ ସିଏ ଏକା ଜାଣିଚି, ତା’ଛଡ଼ା ଆଉ କେହି ନୁହେଁ। ତା’ ଭିତରେ କ’ଣ ଅଛି କ’ଣ ନାହିଁ, କେହି ଦେଖିନାହିଁ। ଦେଖି ବା ଲାଭ କ’ଣ ?

ବସ‌୍‍ ଚାଲିଥାଏ। ଗାଡ଼ିର ଭିତର ବାହାର ରହି ରହି ସ୍ଳୋଗାନରେ ଫାଟି ପଡ଼ୁଥାଏ। ଆଜି ଦିନଟାତ ପୂରାପୂରି ସେଇମାନଙ୍କର। ଯାହା ଚାହିଁବେ ସେୟା କରିବେ। ଗାଡ଼ି ତାଙ୍କର, ରାସ୍ତା ତାଙ୍କର। ଯେମିତି ଚାହିଁବେ ଚଲେଇବେ। ଯୋଉଠି ଚାହିଁବେ ଅଟକିପାରିବେ। ଆଜି ବାଁ ନାହିଁକି ଡାହାଣ ନାହିଁ। ନିୟମ କାନୁନ‌୍‍ କିଛି ନାହିଁ। ଯେମିତି ଯୋଉଠି ଚାହିଁବେ ଧସେଇ ପଶିଯିବେ। ମନ ଯୋଉଠି କହିବ ବାହାରିଯିବେ। ଟ୍ରାଫିକ୍ ତା’ ବାଟରେ, ସିଗନାଲ‌୍‍ ତା’ ରାସ୍ତାରେ। ପାର୍ଟି ଆଗ, ପଲିଟିକ୍ସ ଆଗ। ଆଉ ସବୁକିଛିକୁ ମାର୍ ଗୁଲି। ସେମାନେ ରଣହୁଙ୍କାର ଦେଲେ ରାଜଧାନୀର ଛାତି ଫାଟିଯିବ। ସଚିବାଳୟ ଦୁଲୁକି ଉଠିବ। ସରକାରର ହାର୍ଟଷ୍ଟ୍ରୋକ‌୍‍ ବଢିଯିବ। ରାଜଧାନୀଟା କେବଳ ସେଇମାନଙ୍କର। ସେମାନେ ରାଜଧାନୀକୁ ଯେମିତି ନଚେଇବେ ସେମିତି ନାଚିବ। ଯେମିତି ଖେଳେଇବେ ସେମିତି ଖେଳିବ। ରାଜଧାନୀର କେବଳ ଆକାର ଅଛି. ଆକୃତି ଅଛି। ଅଙ୍ଗପ୍ରତ୍ୟଙ୍ଗ ନାହିଁ, ସ୍ନାୟୁଶିରା କିଛି ନାହିଁ। ପିଣ୍ଡପ୍ରାଣ କିଛି ବି ନାହିଁ। ଥିଲେ ସିନା ପ୍ରତିବାଦ କରିବ ? ଯନ୍ତ୍ରଣା ଦେଖେଇବ ? କ୍ଷତ ଦେଖେଇବ ? ଉପଚାର ଲୋଡ଼ିବ ? ସିଏ ତ କେବଳ ଗୋଟେ କାଠ କଣ୍ଢେଇ। ସେଇମାନଙ୍କ ହାତରେ ନାଚସୂତା। ଯେମିତି ନଚେଇବେ ସେମିତି ନାଚିବ। ଯେମିତି ହସେଇବେ ସେମିତି ହସିବ। ଯେମିତି କନ୍ଦେଇବେ ସେମିତି କାନ୍ଦିବ।

ବସ୍ ଭିତରେ ଖୁନ୍ଦାଖୁନ୍ଦି ଲୋକ। ରାଜଧାନୀର ମୋହରେ ମୁଗ୍ଧ ଗୁଡ଼ାଏ ନିର୍ଲଜ୍ଜ ମଣିଷ। ରାଜନୀତିର ପଶାପାଲିରେ ଫସିବାକୁ ଗୋଡ଼ କାଢିଥିବା କିଛି କୃପଣ ଚରିତ୍ର। ମାଗଣା ଖାଦ୍ୟ ଆଉ ଖୋରାକୀର ଖାପ‌୍‍ଚାରେ ପଡ଼ି ବାଟ ହୁଡ଼ିଥିବା ଦଳେ ଦୟନୀୟ ଚେହେରା। ଜାଣିଶୁଣି ରାଜନୀତିର ଯନ୍ତା ଭିତରକୁ ପଶିବାକୁ ଉଦ୍ୟତ ହଉଥିବା ପପ୍ତାଏ ପ୍ରଲୁବ୍ଧ ପୁରୁଷ।

ଏଇମାନଙ୍କ ବରାଦୀ ଚିତ୍କାରରେ ଆଜି କମ୍ପିବ ରାଜଧାନୀର ଛାତି। ଟେକାପଥର ମାଡ଼ରେ ଲହୁଲୁହାଣ ହେବ ନିରୀହ ମଣିଷ। ପାଣିମାଡ଼, ଟିୟରଗ୍ୟାସ୍, ଦରକାର ହେଲେ ଫାଙ୍କା ଗୁଳିଚାଳନା ବି ହବ। ଭ୍ରମଣର ମଜା ଉଠେଇବାକୁ କେତେ ଉତ୍ସାହରେ ଘରୁ ଗୋଡ଼ କାଢିଥିବା ଅବୁଝା ମଣିଷଗୁଡ଼ାକ ହେବେ କ୍ଷତାକ୍ତ। ଗୁଡ଼ାଏ ତିକ୍ତ ଅନୁଭୂତି ନେଇ ଘରକୁ ଫେରିବାକୁ ବ୍ୟାକୁଳ ହେବେ ସେମାନେ। ଫେରିଲା ବେଳେ ରାଜଧାନୀକୁ ଅତିକଷ୍ଟରେ ଗୁଡ଼ବାଏ କହୁଥିବେ।

ସେଇ ମଣିଷଗୁଡ଼ାକ ଗାଡ଼ି ଭିତରେ ଗମାତରେ ଗାଧେଇ ପଡ଼ୁଚନ୍ତି ଯେମିତି। ଥଟ୍ଟାତାମସା, ନୀଚଗୀତ, ମଝିରେ ମଝିରେ ବରାଦୀ ସ୍ଳୋଗାନ‌୍‍ରେ ଗାଡ଼ିଭିତର ଉଠୁଚିପଡ଼ୁଚି। ମନୁଆଁଟାକୁ ରହି ରହି ଟେହୁଚନ୍ତି। ମନୁଆ ମତୁଆଲା ହଉଚି। ମଉଜମସ୍ତିରେ ମୂର୍ଚ୍ଛା କରିପକଉଚି ସମସ୍ତଙ୍କୁ। ସତରେ ମନୁଆଁଟାକୁ ଆଣିନଥିଲେ, ମେହେଫିଲ‌୍‍ଟା ପୂରା ଫିକା ଲାଗିଥାନ୍ତା। ଜମାରୁ ଜମିନଥାନ୍ତା ଯାତ୍ରାଟା।

ରାଜଧାନୀର ପ୍ରଶସ୍ତ ଛାତିରେ ପାଦ ଥାପିବା ବେଳକୁ ରାସ୍ତାଘାଟ ଜନାକୀର୍ଣ୍ଣ। ବିଭିନ୍ନ ଜିଲ୍ଲାରୁ, ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ରୁଣ୍ଡ ହେଇଚନ୍ତି ଆସି। ପ୍ରତି ମୁହୂର୍ତ୍ତରେ ଜନଗହଳି ବଢି ଉଠୁଚି। ଏତେ ଲୋକ, ଏତେ ନେତା, ଏତେ ସ୍ଫୁର୍ତ୍ତି, ଏତେ ଉଦ୍ଦାମତା, କେମିତି ସାମ୍ନା କରିବ ରାଜଧାନୀ ଏମାନଙ୍କୁ ? କେମିତି ସହିବ ଏତେ ବିକ୍ଷୁବ୍ଧ ମଣିଷଙ୍କ ବିପ୍ଳବ ? କେମିତି ପ୍ରତିରୋଧ କରିବ ଏତେ ବିକ୍ଷିପ୍ତ ମଣିଷଙ୍କ ପ୍ରତିବାଦ ?

ରାଜଧାନୀର ଏସବୁ ଦିହସୁହା। ନିତିଦିନର ସୁଆଙ୍ଗ। ବର୍ଷବର୍ଷ ଧରି ଦେଖିଆସୁଚି ଏମିତି କେତେ ପ୍ରତିବାଦ, ବିକ୍ଷୋଭ, ଶୋଭାଯାତ୍ରା, ଧର୍ମଧଟ। ନିଧଡ଼କ ତା’ ଛାତି। ନିର୍ବିକାର ତା’ର ଚେହେରା। ଓଲଟି ରାଜଧାନୀ ହସୁଚି, ହସିହସି ଫାଟିପଡ଼ୁଚି। ଏତେ ଗୁଡ଼ାଏ ନିର୍ବୋଧ ଲୋକଙ୍କ ନିର୍ଳଜ୍ଜପଣକୁ ଦେଖି। ରାଜଧାନୀର ମାୟାରେ ମୋହଗ୍ରସ୍ତ ସେଇ ମଣିଷଗୁଡ଼ାଙ୍କ କଥା ଭାବି। ଗୁଡ଼ାଏ ସରଳ, ନିଷ୍ପାପ ଲୋକ କେମିତି ଖାଦ୍ୟ ଆଉ ଖୋରାକୀର ଖାପ୍ଚାରେ ପଡ଼ି ବାଟ ହୁଡ଼ିଚନ୍ତି। ପାର୍ଟି ଆଉ ପଲିଟିକ୍ସର ଫନ୍ଦିଫିକରରେ ଫସି ବରାଦୀ ଫେରାଦରେ କଣ୍ଠ ଫଟଉଚନ୍ତି। ନେତାମାନେ ନୈତିକତାର ନାରା ଲଗେଇ ନିମ୍ନଗାମୀ କରଉଚନ୍ତି ସେଇ ନିରୀହ ମଣିଷମାନଙ୍କୁ। ନୀତି, ଆଦର୍ଶକୁ ନିଲାମ କରୁଚନ୍ତି ନିଲଠା ହସ ହସି।

ମନୁଆଁ ବିଚରା, ଗୋଟେ ଛୋଟକାଟର ବଜାରର ବେତାଜ ବାଦଶାହା, ବାଇଚଢେଇ ବସାରେ ଦୋହୁଲୁଥିବା ଅବୋଲକରା ପବନ ପରି ବେପରୱା, ବେଧଡ଼କ ପାଗଳାଟା। ଯିଏ ପାର୍ଟିପଲିଟିକ୍ସର ଫନ୍ଦିଫିକର ବୁଝେନି, ଦାବୀ ପ୍ରତିବାଦର ଅର୍ଥ ବୁଝେନି, ନୀତିଆଦର୍ଶର ନିଷ୍ଠା ପରାକାଷ୍ଠା ଜାଣେନି। ସତମିଛ, ସ୍ୱର୍ଗନର୍କ, ପାପପୁଣ୍ୟର ସୀମା ସରହଦ ଦେଖିନି।

ଅଗଣିତ ଲୋକଙ୍କ ଭିତରେ ଭର୍ତ୍ତି ହେଇ ଭାରି ଭାରି ପାହୁଣ୍ଡ ପକେଇ ବୀରଦର୍ପରେ ଆଗେଇ ଚାଲିଚି ସେଇ ମନୁଆଁ। ମନତେ ତା’ର ଅଫୁରନ୍ତ ଉତ୍ସାହ, ଦେହରେ ଅମାପ ଶକ୍ତି। ଜନସ୍ରୋତ ସାଙ୍ଗରେ ମନୁଆଁ ସାମିଲ୍ କରିଦେଇଚି ନିଜକୁ। ସେ କିଛି ବୁଝୁନି ସେ ସ୍ଳୋଗାନ‌୍‍ର ଅର୍ଥ, ଜିନ୍ଦାବାଦ ମୁର୍ଦ୍ଦାବାଦର ମାନେ। ଲୋକମାନଙ୍କ ଭାବଭଙ୍ଗୀକୁ କେବଳ ଅନୁକରଣ କରି ଚାଲୁଚି। ମଝିରେ ମଝିରେ ବେଜାଏ ଆନନ୍ଦରେ ବିହ୍ୱଳ ହେଲାପରି ଉପରକୁ ହାତଟେକି ଲଣ୍ଠ ମାରୁଚି। ମନକୁ ମନ ଡେଉଁଚି, କୁଦା ମାରୁଚି, ବିଭିନ୍ନ ଅଙ୍ଗଭଙ୍ଗୀ ଦେଖେଇ ଦଉଡ଼ୁଚି ଏଣେତେଣେ।

ଜନସମୁଦ୍ର ଭୟଙ୍କର ରୂପ ଧାରଣ କରୁଚି। ରାଜଧାନୀ ଲୋକାରଣ୍ୟ। ବିଶାଳ ପ୍ରାନ୍ତର ମୂର୍ଛିତ ପ୍ରାୟ ପ୍ରତାପୀ ମଣିଷଙ୍କ ପାଦଭାରରେ। ଆଗରେ ପ୍ରତିରୋଧର ବିଶାଳ ପ୍ରାଚୀର ଦୃଶ୍ୟମାନ । ରାଜଧାନୀର ଛାତିରେ ସ୍ପନ୍ଦନ ବଢି ଉଠୁଚି। ମନୁଆଁ କିନ୍ତୁ ନିଧଡ଼କ ଧପାଲୁଚି ଆଗକୁ। ଜନସମୁଦ୍ରକୁ ଟପି ସବା ଆଗକୁ। କାହା ସାଙ୍ଗରେ ଆସିଥଲା, କାହିଁକି ଆସିଥିଲା, କ’ଣ କରିବାକୁ ଆସିଚି କିଛି ଜଣା ନାହିଁ। କାହା ସାଙ୍ଗରେ ଫେରିବ, କେମିତି ବାହୁଡ଼ିବ ସେଥିକୁ ଚିନ୍ତା କି ଭାବନା ବି ନାହିଁ। କିଏ କୁଆଡେ଼ ଛିନଛତ୍ର, ଖୋଜିପାଇବା କାଠିକର ପାଠ। ମନୁଆଁ କାହା ନାଁ ଜାଣିଚି ଯେ, କାହାକୁ ଚିହ୍ନିଚି ଯେ ଖୋଜିବ, ଲୋଡ଼ିବ ? ତା’ର ବା ଦରକାର କ’ଣ ? କୋଉଠିକି ଆସିଚି, କାହିଁକି ଆସିଚି, କ’ଣ କରିବାକୁ ଆସିଚି, ଆଗକୁ କ’ଣ ହବାକୁ ଯାଉଚି, ସେସବୁ ବୁଝି ତା’ର ଲାଭ କଣ ? ଫାଇଦା କ’ଣ ସେସବୁର ଉଦ୍ଦେଶ୍ୟ ପଚାରି ?

ମନୁଆଁର ମନ ଉଡ଼ୁଚି ଆକାଶରେ। ପାଦ ଲାଗୁନି ଭୂଇଁରେ। ଦେହରେ ଅମାପ ଶକ୍ତି, ଅଫୁରନ୍ତ ଉତ୍ସାହ। ମନ କହୁଚି ମନ୍ଥିଦବ ମୁହୂର୍ତ୍ତକରେ ରାଜଧାନୀର ଛାତିକୁ। ଦଳିମକଚି ଦୟନୀୟ କରି ପକେଇବ ଦିବାର୍ ପରି ଦିଶୁଥିବା ଦାନବାକୃତି ମଣିଷଗୁଡ଼ାଙ୍କୁ। ଏକ ଅଜଣା ଉନ୍ମାଦନାରେ ଅସ୍ଥିର ହେଇପଡ଼ୁଚି ସେ। ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ ତା’ର। ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦରକାର ମନୁଆଁର। ମନକୁ ମନେଇ ରଖିବାର କାଇଦା ତାକୁ ଜଣାନାହିଁ। ଚିତ୍ତକୁ ଚତୁରତାର ସହିତ ଚାଳନା କରିବାର ଚାତୁରୀ ସେ ଶିଖିନାହିଁ। ସେତ ଗୋଟାଏ ସୁଅ ମୁହଁର ପତର ମାତ୍ର। ସ୍ରୋତର ବେଗ ସହିତ ତାଳ ଦେଇ ଭାସିବ, ପହଁରିବ, ଆକ୍ତାମାକ୍ତା ହବ। ସୁଅ ଯୁଆଡେ଼ ନବ ସିଆଡେ଼ ଚାଲିବ। ତା’ର କୋଉଥିରେ ବିରୋଧ ନାହିଁ, ପ୍ରତିବାଦ ନାହିଁ। ତା’ ନିଜ ଅକ୍ତିଆରରେ ସେ କ’ଣ ଅଛି ଯେ, ଯାହା ଚାହିଁବ, ଯେତେବେଳେ ଚାହିଁବ କରିବ? ସେ ଚାଲୁଚିତ ଚାଲୁଥିବ। କ୍ଳାନ୍ତି ନଥିବ, ଅବସାଦ ନଥିବ। ଧାଉଁଚିତ ଧାଉଁଥିବ, ଥମିବାର ନାଁ ଧରିବନି। ମନକୁ ମନ ବିରତ ହବାର ଚାତୁରୀ ତାକୁ ଜଣାନାହିଁ। ଅଟକେଇଲେ ଅଟକିବ ନହେଲେ ଧାଉଁଥିବ ତ ଧାଉଁଥିବ। ନିବୃତ୍ତ ହବାର ନାଁ ଧରିବନି। ଧର‌୍‍ କହିଲେ ମାଡ଼ିବସିବ, ମାର‌୍‍ କହିଲେ ମାଡ଼ିଯିବ, ମାରିମାରି ମୁହଁ ଫଟେଇଦବ। ଲହୁଲୁହାଣ କରିପକେଇବ। ନିଜ ହାତରେ ହତିଆର ଧରିବାର ଧୃଷ୍ଟତା ସିନା କରିବନି ହେଲେ ଜବରଦସ୍ତ ହାତରେ ଧରେଇଦେଇ ମାର‌୍‍ ମାର‌୍‍ କହି ଉସକାଇ ଦେଲେ ଅସ୍ତ୍ର ଚାଳନା କରିବାକୁ ଆଦ୍ଭୋ କୁଣ୍ଠା କରିବନି। କାଟି ଖଣ୍ଡ ଖଣ୍ଡ କରିପକେଇବ। ତାକୁ କେବଳ ଟେହିବାର ଅଛି, ଉସ‌୍‍କେଇ ଉନ୍ମତ୍ତ କରେଇବାର ଅଛି। ଥରେ ଉନ୍ମତ୍ତ ହେଲେ ମନୁଆଁ କିଛି ମାନିବନି। ପବନକୁ ଦି’ ଭାଗ କରିଦବ।

ମନୁଆଁ ଧପାଲିଚି ଆଗକୁ। ମଞ୍ଚ ଫାଟିପଡ଼ୁଚି ବିସ୍ଫୋରକ ଭାଷଣରେ। ଜନସମୁଦ୍ର ଅଶାନ୍ତ, ବିକ୍ଷୁବ୍ଧ। ପ୍ରତିରୋଧ ପାଇଁ ପ୍ରସ୍ତୁତ ହେଇ ରହିଚି ପ୍ରଭୁତ ବ୍ୟବସ୍ଥା। ବ୍ୟବସ୍ଥାକୁ ବିଧ୍ୱସ୍ତ କରିବାକୁ ହବ। ଅପେକ୍ଷା କରିବାକୁ ବେଳ ନାହିଁ। କୂଳ ଲଂଘୁଚି ଅଶାନ୍ତ ମଣିଷର ଢେଉ।

ହଜାର ହଜାର ମଣିଷଙ୍କ ଭିତରେ ହଜେଇଦେଲା ନିଜକୁ ମନୁଆଁ। କୋଉଠି ହଜିଗଲା ସେ ନିଜେ ବି ଜାଣିପାରିଲାନି। ହଜିଯିବାର ମଜାରେ ସେ ମସଗୁଲ୍ ହେଇଗଲା। ମତୁଆଲା ହେଇଗଲା ଯେମିତି। ସେଇ ଜନସମୁଦ୍ର ଭିତରେ କିଏ ଜଣେ ତା’ ହାତକୁ ମୁଠେଇ ଧରିଲା ହଠାତ‌୍‍। ବଢେଇଦେଲା ଓଜନିଆ ବ୍ୟାଗଟିଏ। ଆଙ୍ଗୁଳି ଦେଖେଇ କହିଲା - ମାରବେ ଶଳାଙ୍କୁ। ମାରି ମାରି ଲହୁଲୁହାଣ କରିପକା ସେଗୁଡ଼ାଙ୍କୁ। ମାର୍ ମନୁଆଁ, ମାର୍...

ହଠାତ୍ ମନୁଆଁ କିଛି ବୁଝି ପାରିଲାନି। ବଲବଲ୍ ହେଇ ଚାହିଁଲା କେବଳ। ବ୍ୟାଗରେ ହାତ ପୂରେଇ ଦରାଣ୍ଡିଲା। ଆନନ୍ଦରେ କୁରୁଳି ଉଠିଲା ସେ। ପଛରୁ ଲୋକଟା ପୁଣି ଟେହିଲା – ମାରବେ ମନୁଆଁ ମାର୍... ଡେରି କରନା ଜମା। ମନୁଆଁ ତେଜିଲା, ତାତିଲା, କୁହୁଳିଲା। ତା’ ଦେହରେ ନିଆଁ ଝୁଲ ଝଲସିଲା। ମନୁଆଁ ସେଇ ନିଆଁର ତାତିରେ ଡହକି ଉଠିଲା। ଡିଆଁ ମାରିଲା, କୁଦା ମାରିଲା। ଆର୍ତ୍ତନାଦ କରି ଫଟେଇଦେଲା ରାଜଧାନୀକୁ। ମାରିବ, ମାରି ମାରି ଲହୁଲୁହାଣ କରିଦବ ସେମାନଙ୍କୁ।

ବହୁଦିନ ତଳର ସେଇ ନିଆଁ, ତାବ‌୍‍ଦା ହେଇ ତା’ ଭିତରେ ଜମାଟ ବାନ୍ଧିଥିବା ସେଇ ବାରୁଦ ଯେମିତି ଗୋଟାଏ ବିରାଟ ବିସ୍ଫୋରଣକୁ ଅପେକ୍ଷା କରିଥିଲା। ଖାକିବର୍ଦ୍ଦିର ସେଇ ସ୍ପର୍ଦ୍ଧିତ ମଣିଷ ଗୁଡ଼ାକ ଯେମିତି ତା’ ଅତୀତକୁ ଖିନଭିନ‌୍‍ କରି ପକଉଥିଲେ। ହସଖୁସିରେ ଭରା ତା’ ଟିକି ସଂସାରକୁ ସର୍ବନାଶର ଶ୍ମଶାନରେ ଚିତା ଜାଳିଥିବା ସେଇ ସଇତାନ ଗୁଡ଼ାକ। ତା’ ଆଖିରେ ପ୍ରତିଶୋଧର ନିଆଁ। ନା ଛାଡ଼ିବନି। ଜମାରୁ ଛାଡ଼ିବନି। ମନୁଆଁର ଶିରାପ୍ରଶିରା ଟଣକି ଉଠିଲା, ଦେହରେ ରକ୍ତର ସ୍ରୋତ ପ୍ରଖର ହେଲା। ବପୁରେ ଅମାପ ବଳ ସଂଚରି ଗଲା। କ’ଣ ଘଟୁଚି, କ’ଣ ଘଟିବାକୁ ଯାଉଚି ସେ କିଛି ଦେଖିଲାନି। ବୁଝିବାକୁ ବି ଚେଷ୍ଟା କଲାନି। ବ୍ୟାଗ‌୍‍ରେ ହାତ ପୂରେଇଲା। ଖୁସିରେ ଅତ୍ମହରା ହେଇଗଲା ସେ। ହିଂସ୍ର ପଶୁ ପରି ଲମ୍ଫ ପ୍ରଦାନ କଲା। ଗୋଟାଏ, ତା’ପରେ ଆଉ ଗୋଟେ଼। ମନୁଆଁର ଆରମ୍ଭଟାକୁ ଅପେକ୍ଷା କରିଥିଲେ ଯେମିତି ଅନ୍ୟମାନେ। ଚାହୁଁ ଚାହୁଁ ବର୍ଷା ହବାକୁ ଲାଗିଲା ଟେକାପଥର, ଢେଲା଼। ଆକାଶ ଛାଇ ହେଇଗଲା। କୁନି କୁନି ଦୁବଘାସରେ ଭରା ରାଜଧାନୀର ସେଇ ସବୁଜ ପ୍ରାନ୍ତର ମୁହୂର୍ତ୍ତକରେ ପାଲଟିଗଲା ରଣକ୍ଷେତ୍ର। ଢେଲାମାଡ଼ରେ ରକ୍ତାକ୍ତ, କ୍ଷତବିକ୍ଷତ ସୁରକ୍ଷାବାହିନୀ। ଏପଟେ ବିକ୍ଷୁବ୍ଧ ଜନତା ହିଂସ୍ର, ଅଶାନ୍ତ, ଅସ୍ଥିର।

ସବୁଠୁ ବେଶି ଅସ୍ଥିର ହେଇ ଉଠୁଥିଲା ମନୁଆଁ। ଚାରିଆଡେ଼ ଟେକାପଥର ବର୍ଷା଼। ସେ ଆହୁରି ଖୁସି ହେଇଗଲା। ପଛରୁ ପଞ୍ଝାଏ ଟେହୁଥିଲେ, ମାର‌୍‍ବେ ଶଳାଙ୍କୁ। ମାରି ଫଟେଇଦେ ମୁଣ୍ଡ। ବୁହାଇଦେ ରକ୍ତ। ଯେତେ ପାରୁଚୁ ମାର୍। ଯେମିତି ପାରୁଚୁ ମାର୍। ତୋ ପଛରେ ଆମେ ଅଛୁ। ଯେତେ ନବୁ ସେତେ ଅଛି। ପଥରର ପାହାଡ଼ଟାଏ ଚାହିଁଲେ ଧରେଇଦବୁ ତୋ ହାତରେ। ତୁ ଖାଲି ମାର‌୍‍। ଯେତେ ପାରୁଚୁ ମାର‌୍‍। ମାର୍.. ମନୁଆଁ ମାର୍...

ମନୁଆଁ ଧାଇଁଲା, କୁଦା ମାରିଲା। ଯାହା ଉପରେ ପାରିଲା ଚଢିଗଲା। ମତ୍ତ ମାତଙ୍ଗ ପରି ମନ୍ଥି ପକେଇଲା ମହୀକୁ  ମୁହୂର୍ତ୍ତକରେ। ତଥାପି ତା’ ମନ ବୁଝିଲାନି। ପଛରୁ କିଏ ଜଣେ ଟେହିଲା - ଚଢିଯା ବେ ମନୁଆଁ। କୁଦିପଡ଼ ସେମାନଙ୍କ ଉପରକୁ। ମନୁଆଁ କି ଛାଡ଼ିବାର ଲୋକ। ଛାଇକୁ ଚାହିଁଲେ ଛ’ ନାତ ମାରି ଛତରଛାଳ କରିପକେଇବା ଲୋକ ସେ। ଏଇ ଗୋଟେ କଥା ? ମନୁଆଁ ଚଢିଗଲା, ଛିନଛତ୍ର କରିପକେଇଲା, ଲଙ୍ଘିଗଲା ବ୍ୟାରିକେଡ଼। ଲଣ୍ଠ ପ୍ରଦାନ କଲା ବିଶାଳ ସୁରକ୍ଷା ବାହିନୀ ଉପରକୁ। ତା’ ଦେହରେ ଶତସିଂହର ବଳ। ଝାମ୍ପି ପଡ଼ିଲା ସେ ସେମାନଙ୍କ ଉପରକୁ।

ବାସ‌୍‍, ମନୁଆଁ ଯେମିତି ଯନ୍ତାରେ ପଡ଼ିଗଲା। ଘେରିଗଲେ ମନୁଆଁକୁ ସେମାନେ। ହଠାତ୍ ମନୁଆଁ ପିଠିରେ ଆସି ପଡ଼ିଲା ଗୋଟେ ଶକ୍ତ ପାହାର। ମନୁଆଁ ଚିହିଁକି ଗଲା, ଝୁଙ୍କିଗଲା ଆଗକୁ। କ’ଣ ହେଲା ବୋଲି ଜାଣିବା ଆଗରୁ ତା’ ଜଂଘରେ, ଗୋଡ଼ରେ, ବେକରେ ବର୍ଷିଗଲା ପାହାର ପରେ ପାହାର। ମନୁଆଁ ଖଣ୍ଡେଦୂରକୁ ଛିଟିକି ପଡ଼ିଲା। ଛିଟିକି ପଡ଼ି ବି ସେ ଛାଡ଼ିଲାନି। ତଳେ ପଡ଼ିଥିଲା ଢେଲା। ଉଠେଇ ମାରିଲା। ଜଣଙ୍କର ମୁଣ୍ଡ ଫଟେଇଦେଲା। ମୁଣ୍ଡରୁ ବୋହୁଥିବା ଝରଝର ରକ୍ତକୁ ଦେଖି ସେ ଆନନ୍ଦରେ କୁରୁଳି ଉଠିଲା। ସେଦିନ ବି ବୋହିଥିଲା ତା’ ମୁଣ୍ଡରୁ ଏମିତି ତାଜା ରକ୍ତ। ତା’ ରକ୍ତ ଦେଖି ସେମାନେ ବି ସେଦିନ ବେଜାଏ ଖୁସି ହେଇଥିଲେ। ଆଉ ଆଜି। ସେ ତା’ର ପ୍ରତିଶୋଧ ନେଇଚି।

ମନୁଆଁ ଅଣ୍ଟା ସଳଖି ଠିଆ ହବାକୁ ଆପ୍ରାଣ ଚେଷ୍ଟା କଲା, ହେଲେ ପାରିଲାନି। ପୁଣି ପଡ଼ିଲା ତା’ ପିଠିରେ ପାହାର। ପୁଣି ପାହାର। ପୁଣି ପାହାର। ମନୁଆଁ ତଳେ ଲେପ‌୍‍ଟି ଗଲା। ମୁହଁ ମାଡ଼ି ମାଟି କାମୁଡ଼ି ପକେଇଲା। ତା’ ଉପରେ ପୁଣି ବର୍ଷିଲା ଲାଠି। ହାଡ଼ଗୋଡ଼ ଚୂନା ହେଇଗଲା ଯେମିତି। ମନୁଆଁକୁ ଲାଗିଲା, ସେ ଆଉ ବଂଚିବନି। ସେ ଚକ୍ରବ୍ୟୁହରୁ ମୁକୁଳିବା ଅସମ୍ଭବ।

ମନୁଆଁ ମନରେ ସାହସ ଠୁଳ କଲା। ଓଠ ଚିପି ଯନ୍ତ୍ରଣାକୁ ପୋଷା ପୋଷା ପିଇବାକୁ ଚେଷ୍ଟାକଲା। ଅଚଳ ଦେହଟାକୁ ଘୋଷାଡ଼ିବାକୁ ଆପ୍ରାଣ ଉଦ୍ୟମ କଲା। ମାଟିକାମୁଡ଼ି, ଆଙ୍ଗୁଳିରେ ମାଟି ରାମ୍ପୁଡ଼ି, ଦରାଣ୍ଡି ଦରାଣ୍ଡି, ପେଟେଇ ପେଟେଇ, ବହୁକଷ୍ଟରେ ପୁଣି ଗହଳି ଭିତରେ ମିଶିଗଲା। ସେଇ ଗହଳି ଭିତରେ କେତେ ଲୋକ ଯେ ତା’ ଉପରେ ଚଢି ମାଡ଼ିମକଚି ଦେଇଗଲେ ତା’ର ହିସାବ ନାହିଁ। ସବୁ କଷ୍ଟ, ଯନ୍ତ୍ରଣାକୁ ଓଠଚାପି ପିଇଗଲା ମନୁଆଁ। ସେମିତି ଭଙ୍ଗା ଗୋଡ଼, ଜଖମ ଦେହକୁ ଘୋଷାରି ଘୋଷାରି ପାର‌୍‍ ହେଇଗଲା ଗହଳି। ରାସ୍ତା ସେପଟର ଗୋଟାଏ ବିରାଟ ଗଛକୁ ଜାବୋଡ଼ି ଧରି ମାଆଲୋ କହି ପଡ଼ିଗଲା।

ସେଇଠି ସେମିତି ଯନ୍ତ୍ରଣାରେ ଛଟପଟ ହେଇ, ଚାରିକାତ ମେଲେଇ ମନୁଆଁ ଜୁଳୁଜୁଳୁ ହେଇ ଆକାଶକୁ ଚାହିଁଲା। ଚାରିଆଡ଼ ତାକୁ ଅନ୍ଧାର ଦେଖାଗଲା। ଉଠିବାକୁ ଢେର‌୍‍ ଚେଷ୍ଟାକଲା। ପୁଣି ମୁହଁ ମାଡ଼ି ଭୂଇଁରେ ଲୋଟିପଡ଼ିଲା। ଭାରି କଷ୍ଟରେ ନିଃଶ୍ୱାସ ନବାକୁ ଚେଷ୍ଟାକଲା, ହେଲେ ପାରିଲାନି। ସବୁ ଯେମିତି ରୁନ୍ଧି ହେଇଯାଉଚି। ମନୁଆଁର ଚେତା ଚାଲିଗଲା। ସେ ସେଇଠି ମାଟି କାମୁଡ଼ି ଶୋଇପଡ଼ିଲା।

ସେଇଠି, ସେଇ ଗଛମୂଳରେ ଯନ୍ତ୍ରଣାରେ ଛାଟିପିଟି ହେଇ, ମରଣକୁ ମୁହୁର୍ମୁହୁ ସାମ୍ନା କରି, କ୍ଷୁଧାତୃଷାର ତାଡ଼ନାରେ ତିଳତିଳ ଜଳିଜଳି ପଡ଼ିରହିଲା ମନୁଆଁ। କେହି ତାକୁ ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ। ସେଇଠି ପଡ଼ିପଡ଼ି ତା’ ଦେହରୁ ରକ୍ତ ଶୁଖିଲା, ଘା’ ଶୁଖିଲା, ବିନା ଔଷଧରେ, ବିନା ଚିକିତ୍ସାରେ। ପାଗଳାଟାର ପୁଣି ଚିକିତ୍ସା ଗୋଟେ କ’ଣ ? ସେବାସୁଶ୍ରୁଷା କ’ଣ ଦରକାର ? ରାସ୍ତାକଡ଼ର ମଣିଷ, ରାସ୍ତାରେ ପଡ଼ି ହିଁ ଭଲ ହବ। ରାସ୍ତାରେ ପଡ଼ି ମଲେ ମରିବ। ତା’ ବଂଚିବା ମରିବାର ହିସାବ ତ ସରକାରୀ ଖାତା ଖତିଆନରେ ନାହିଁ। ରହି ବା ଲାଭ କ’ଣ ? ସେତ ଭୋଟ‌୍‍ ଦେଇ ନେତା ନିର୍ବାଚିତ କରିପାରିବନି, ସରକାର ଗଢିବାରେ ସହାୟକ ହେଇପାରିବନି। ଭୋଟର ଲିଷ୍ଟରେ ତା’ର ନାଁ କୋଉ ଅଛିଯେ, କରିବ ? ତା’ ପାଇଁ ତାହେଲେ ଏତେ ଭାବନା କାହିଁକି ? ଚିନ୍ତା କାହିଁକି ? ଯୋଉଠି ପଡ଼ୁଚି ପଡ଼ୁ, ଯେମିତି ମରୁଚି ମରୁ। ଗୋଟେ ବେହିସାବ ମଣିଷର ଅସ୍ତିତ୍ୱକୁ ନେଇ ଏତେ ଚିନ୍ତା କାହିଁକି ? କାହିଁକି କିଏ ମୁଣ୍ଡ ପୂରେଇବ ଅଯଥା କଥାରେ। ପଡ଼ିଥାଉ ସେମିତି ଯାବତ‌୍‍ଚନ୍ଦ୍ରାର୍କ ଗଛତଳେ। ପ୍ରକୃତିର ମଣିଷ, ପ୍ରକୃତି କୋଳରେ ଆଶ୍ରୟ ନେଇଚି। ପ୍ରକୃତି ତା’ କଥା ବୁଝିବନି ? ଯିଏ ପଠେଇଚି ତାକୁ ଦାୟଦାୟିତ୍ୱ ସବୁତ ତା’ରି। ସିଏ ତା’ର କର୍ତ୍ତା, ସିଏ ତା’ର ଭର୍ତ୍ତା। ତା’ ଚିନ୍ତା ତାକୁ ଘାରିବ। ଏତେ ଅଯଥା ଚିନ୍ତା କରି ମୁଣ୍ଡ ଖରାପ କରିବାକୁ ବେଳ ଅଛି କାହା ପାଖରେ ?

ସେଇ ଗଛମୂଳରେ, ମାଟିକାମୁଡ଼ି କେତେଦିନ ଯେ ପଡ଼ିରହିଚି ମନୁଆଁକୁ ଜଣା ନାହିଁ। ଯେତେବେଳେ ଚେତା ଫେରିଲା, ଦେଖିଲା ତା’ ପାଖରେ କୁକୁରଟାଏ ପେଟେଇ ପଡ଼ି ଜିଭ ଲହଲହ କରି ତାକୁ ଚାହିଁ ରହିଚି। ମନୁଆଁର ଚେତା ଫେରିବାଟା ସେ ଜାଣିପାରିଲା କି କ’ଣ ବେଜାଏ ଖୁସିରେ ତା’ ଚାରିପାଖରେ କୁଁ କୁଁ ହେଇ ବୁଲିଗଲା ଏବଂ ତା’ ଦେହରେ ମୁଣ୍ଡରେ ଘସି ହେଇ ନିଜର  ଖୁସି ଜାହିର କଲା। ମନୁଆଁ ଚାହିଁଲା, ଆଖି ଟେକି ଉପରକୁ ଦେଖିଲା। ଗୋଟେ ବିଶାଳ ବୃକ୍ଷ। ସବୁଜପତ୍ରରେ ଭରପୂର, ଶାଖାପ୍ରଶାଖାରେ ଆଚ୍ଛାଦିତ, ନାନାଜାତିର, ରଂଗବେରଂଗୀ ଚଢେଇମାନଙ୍କ କିଚିରିମିଚିରି ଶବ୍ଦରେ, କଳରବରେ ଗୁଂଜରିତ ମହାବୃକ୍ଷ। ପବନର ଶୀତଳ ସ୍ପର୍ଶରେ ତା’ ତନୁମନ ପୁଳକିତ ହେଲାପରି ଲାଗିଲା। ଦେହରୁ ଯନ୍ତ୍ରଣା ଯେମିତି ଧୀରେ ଧୀରେ ଅପସରି ଗଲା। ସେ ଚକ୍ଷୁ ବିସ୍ତାରିତ କରି ଚାହିଁଲା ଚାରିଆଡ଼କୁ। ତା’ ଆଖିଆଗରେ ନାଚିଗଲା ସେଇ ବିଶାଳ ପ୍ରାନ୍ତର। ଯୋଉଠି ଜନସମୁଦ୍ର ଲହଡ଼ି ଭାଙ୍ଗୁଥିଲା, ଢେଲାପଥର ବର୍ଷା ହଉଥିଲା, ବିକ୍ଷୁବ୍ଧ ଜନତାର ଆର୍ତ୍ତନାଦରେ ଆକାଶପବନ କମ୍ପି ଉଠୁଥିଲା, ସେଠି ଏବେ କେହି ନାହାନ୍ତି। ତାକୁ ତା’ ବଜାରରୁ ଡାକି ଆଣିଥିବା, ହାତରେ ଢେଲା ଭର୍ତ୍ତି ବ୍ୟାଗ‌୍‍ ଧରେଇ ମାର‌୍‍ ମାର‌୍‍ କହି ଉସ‌୍‍କଉଥିବା ସେଇ ଲୋକମାନେ, କେହି ଦେଖାଯାଉ ନାହାନ୍ତି। ତା’ ପରିଚିତ ବଜାର, ଅମୂଲ୍ୟ ସମ୍ପଦରେ ଭରା ତା’ ଗଣ୍ଠିଲି, ତା’ ଟୁକୁରା ଜରିକାଗଜ ଭର୍ତ୍ତି ଅଖା, କିଛି ଦେଖାଯାଉନି। ତାକୁ ପଶୁପରି ପିଟିପିଟି ରକ୍ତାକ୍ତ କରିପକେଇଥିବା ସେଇ କଦାକାର ଲୋକ ଗୁଡ଼ାକ, କେହି ବି ଦେଖାଯାଉ ନାହାନ୍ତି। ସବୁ କିଛି ଧୂଆଁଳିଆ, ଅସ୍ପଷ୍ଟ ଲାଗୁଚି।

ସେଇଦିନଠୁ, ସେଇ ଗଛ ମୂଳକୁ ମୁକୁଳା ମହଲ‌୍‍ ମନେକରି ମନୁଆଁ ବସିଚି ଯେ ବସିଚି। ଆଉ  ଆଗର ସେ ଜୁଆନ‌୍‍ ଟୋକା ହେଇ ରହିନାହିଁ କି ତା’ର ପୂର୍ବର ସେ ଚେହେରା ବି ନାହିଁ। ଶୁଖି କଳାକାଠ ପଡ଼ିଗଲାଣି, ଆଖି କୋରଡ଼କୁ ପଶିଗଲାଣି। ଭୋକ ନାହିଁ, ଶୋଷ ନାହିଁ, ଆଖିରେ ନିଦ ବି ନାହିଁ। ମନୁଆଁ ସକାଳୁ ସଂଜ ଯାଏ ଘୂରି ବୁଲୁଚି ସେଇ ବିଶାଳ ପ୍ରାନ୍ତରରେ। ଅନବରତ ଖୋଜୁଚି। ଖୋଜିଖୋଜି ଯେତେବେଳେ ପାଇଯାଉଚି ଟେକାଟେ କି ପଥରଟାଏ, ବେଜାଏ ଖୁସିରେ ନାଚିଯାଉଚି ମନକୁ ମନ। ସାଉଁଟି ଆଣି ଅଖାରେ ଭର୍ତ୍ତି କରି ଥାକ ମାରୁଚି ଗଛମୂଳରେ। ଯେମିତି ପଣ କରିଚି, ସଂକଳ୍ପ କରିଚି, ଏ ପଡ଼ିଆରେ ଗୋଡ଼ିଟିକେ ବି ପଡ଼ିବାକୁ ସେ ଦବନାହିଁ କେବେ। କଦାବି। କସ୍ମିନ୍ କାଳେ। ସେଇ ଅଖାସବୁକୁ ନିଘା ରଖି ବିତିଯାଉଚି ତା’ର ଦିନରାତି। ମନହେଲେ କେବେ କେମିତି ପେଜୁଆ ଆଖିହଳକୁ ପହଁରେଇ ଆଣୁଚି ଜନଗହଳି ରାସ୍ତାରେ। ଚିହ୍ନିବାକୁ ଯେମିତି ଚେଷ୍ଟାକରୁଚି ସେଇ ଅଚିହ୍ନା ଲୋକମାନଙ୍କୁ। ତାରି ଭିତରେ ସେ ନିରନ୍ତର ଖୋଜୁଚି ସେଇ ମୁହଁମାନଙ୍କୁ, ତା ଛୋଟ ବଜାରରୁ ଡାକି ଆଣିଥିବା ସେଇ ଚରିତ୍ରମାନଙ୍କୁ। କାଳେ ଦେଖା ହେଇଯିବ...କାଳେ ହାବୁଡ଼ରେ ପଡ଼ିଯିବେ ସେଇ ଦୋ-ଦୋ ଚିହ୍ନା ମୁହଁମାନେ... ବେଇମାନ‌୍‍ ମଣିଷମାନେ... କାଳେ ସେ ଚିହ୍ନି ପକେଇବ ତାଙ୍କୁ...ସେଇ ଆଶାରେ... 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ-୪

ସଂପର୍କ - ୯୪୩୭୦୯୭୧୭୭


ପ୍ରତିକ୍ରିୟା

Tanuja Dash. - Email: taujadash2012@g mail.com - Posted on 2016-04-04 15:24:09

Nichhak jebanta kahani,.hrudayasparsee,Manua charitra ye samajare achhanti,swarthapara manisha mananka pain....Dhanyabad.

Rasmi Rekha tripathy - Email: rasmirekhatripathy@gmail.com - Posted on 2016-07-20 13:23:41

ବହୁତ ସୁନ୍ଦର, ଅବର୍ଣ୍ଣନୀୟ, ସାମ୍ପ୍ରତିକ କୁତ୍ସିତ ରାଜନୀତିର ଏକ ପ୍ରତିଫଳନ........

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top