ମାତା ଓ ମାତୃଭାଷା

News Story - Posted on 2016-03-23

ବିଜୟମୋହନ ମିଶ୍ର

 

ମାତା ମୋ’ ଜନନୀ ଜୀବନ ବିନ୍ଧାଣୀ             

ମାତା ମୋ’ ପ୍ରାଣର ଡୋରି ୤

ମାତା ମୋ’ କରଣୀ କ୍ଷୁଧା ନିବାରିଣୀ

ଆପଦ ନଉକା ତରୀ ୥

ମାତା କହେ କଥା ମନର ଭାବନା  

ଆଖିରେ ତାହାର ଠାର ୤

ମାତାର ବଚନ ହୃଦୟ ସ୍ପନ୍ଦନ       

ମରମ ଧରମ ଗାର ୥

ତା’ ଭାଷା ପ୍ରୀତିର ସ୍ନେହ ସୌହାର୍ଦ୍ଦ୍ୟର           

ଅବାରିତ ଜଳଧାରା ୤

ନାହିଁ ତା’ ବନ୍ଧନ ଭାବ ଚିରନ୍ତନ                 

ପ୍ରେମ ପୁଲକ ଅସରା ୥

ଭାଷା ତା’ ମଉନ ନାହିଁ ବ୍ୟାକରଣ               

ନାହିଁ ଆଉ ରୀତିନୀତି ୤

ଭାଷା ତା’ ସଜଳ ଆଖିର କଜଳ                 

ଅନନ୍ତ ପ୍ରକୃତି ଗୀତି ୥

ମୋ’ ମା’ର ଭାଷା ପ୍ରକୃତିର ଭାଷା        

ପବନ ତାହାର ଦେହ ୤

ମାଟି ତା’ର ଗୁଣ ଜ୍ଞାନ ତା’ ତପନ               

ପାଣି ନିଏ ତା’ର କୋହ ୥

ସବୁ ମା’ ଭାଷା ଶିଶୁର ଭରସା

ପଶୁ ପକ୍ଷୀ କୀଟ ପ୍ରାଣୀ ୤

ନାହିଁ ତା’ର ଭେଦ ଭାଷା ତା’ ଅଭେଦ

ଅକୁହା ମମତା ବାଣୀ ୥

ମାତୃଭାଷା ବୁଝ ହେ ଜ୍ଞାନୀ ମଣ୍ଡଳୀ

ଆପଣା ମନର କଥା ୤

ପ୍ରକାଶ ନ ଥାଏ ଭାବନାରେ ଘର

ନାହିଁ ତା’ର କେବେ ବ୍ୟଥା ୥

(ର୍ହାର୍ଭାର୍ଡ୍ ବିଶ୍ୱବିଦ୍ୟାଳୟରେ ଅଷ୍ଟାଦଶ ଭାରତ କବି ସମ୍ମିଳନୀରେ ପଠିତ, ୨୦୧୪ ମେ୧୭.)

ବୋଷ୍ଟନ୍‌, ଯୁକ୍ତରାଷ୍ଟ୍ର ଆମେରିକା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top